Lipi Sahoo

Classics

4.5  

Lipi Sahoo

Classics

ଛଳିଆ

ଛଳିଆ

5 mins
252


ଦୈତାରୀ ବାବୁଙ୍କୁ ଲୋକ ଭାବନ୍ତି ସତ୍ୟ କି ଦ୍ବାପର ଯୁଗର ଲୋକ । ଆଜିକାଲିକା ସମୟରେ ଏଭଳି ମଣିଷ ବିରଳ । ହଜାରେ କଥାରେ ପଦେ କଥା ତାଙ୍କ ପାଟିରୁ ବାହାରେ । ମାନେ ଭାରି ଚୁପଚାପିଆ ମଣିଷ ଆଉ ସବୁବେଳେ ମୁହଁରେ ସ୍ମିତହାସ । ଅଣଚାଶ ବୋହୁ କି ଆକାଶ ଖସିପଡୁ ସେ ସଦା ସ୍ଥିତପ୍ରଜ୍ଞ । ତାଙ୍କର କ'ଣ କମ୍ ଦୁଃଖ କି ??


                  ରାତି ପାହିଲେ ସ୍ତ୍ରୀ ଙ୍କର ଚବର ଚବର ଶୁଣନ୍ତି । ଏଇଟା ତ ସୃଷ୍ଟିର ନିୟମ ଯେ ବିବାହ ପରେ ସ୍ତ୍ରୀମାନଙ୍କୁ ମିଳିଯାଏ ସ୍ବାମୀଙ୍କୁ ସଜାଡିବାର ଲାଇସେନ୍ସ । ତା ପରେ ଅଫିସରେ ସହକର୍ମୀ ମାନଙ୍କର ଚବର ଚବର । ଆଉ ସନ୍ଧ୍ୟାରେ ବୋହୂର ଆଉ ରାତିରେ ଜ୍ବାଇଁଙ୍କ ଅଭିଯୋଗର ପସରା ପୁଅ ତଥା ଝିଅକୁ ନେଇ । ଏଇଟା ଦୈତାରୀ ବାବୁଙ୍କ ଡେଲି ରୁଟିନ୍ । ସେ ଏଥିରେ ଅଭ୍ୟସ୍ତ । ତାଙ୍କୁ ଏ ସବୁ ବିଚଳିତ କରି ପାରେନା । 

                  

                ବରଂ ସେ ଗର୍ବିତ ଯେ ଅଳ୍ପବହୁତ ନିଜ ସଂସ୍କାର ପୁଅଝିଅଙ୍କୁ ଦେଇ ପାରିଛନ୍ତି । ହେଲେ ଲୋକ ବିଶ୍ବାସ ଏଭଳି ମଣିଷ ଆଜିର ସମାଜରେ ଚଳିବା କଷ୍ଟକର । ସେଇଥିପାଇଁ ତ ବୋହୂ ଆଉ ଜ୍ବାଇଁ ସବୁଦିନ ଫୋନ୍ କରି ଜଣାନ୍ତି ପୁଅ ଆଉ ଝିଅ କେମିତି ନଜ ସରଳତା ଯୋଗୁଁ ଠକାମୀର ଶୀକାର ହୁଅନ୍ତି । ଏଥିପାଇଁ ତାଙ୍କର ତିଳେମାତ୍ର ଦୁଃଖ ନାହିଁ । ସମସ୍ତେ ଜାଣନ୍ତି ତାଙ୍କ ପୁଅ ଆଉ ଝିଅ ଅତ୍ୟନ୍ତ ମେଧାବୀ ସେଥିପାଇଁ ସ୍ବତନ୍ତ୍ର ସମ୍ମାନ ରହିଛି ସେମାନଙ୍କର ପରିଚିତଙ୍କ ଗହଣରେ । ହେଲେ ଏତେ ସବୁ ସୁଖ ଦୁଃଖ ସମାଲୋଚନା ଭିତରେ ଆଜି ପର୍ଯ୍ୟନ୍ତ କେହି କେବେ ଦୈତାରୀବାବୁଙ୍କ ମୁହଁରୁ ହସ ଛଡେଇ ନେବାରେ ସଫଳ ହେଇପାରି ନାହାଁନ୍ତି । 

               


            ସେ କାନ୍ଦନ୍ତି କେବଳ ଗୋଟିଏ ଯାଗାରେ । ଜଗା ପାଖରେ ପୁରୀ ଗଲେ । ଜଗାର ଦର୍ଶନ ସାରି ସେ ଯେତେବେଳ ଫେରନ୍ତି କଇଁକଇଁ ହୋଇ କାନ୍ଦନ୍ତି । ଯେମିତି ଝିଅଟେ ବିଦାବେଳେ କାନ୍ଦେ । ସବୁ ବୁଲି ବୁଲି ଅନାନ୍ତି ଆଉ ଭାବନ୍ତି ବିଚରା ବୁଢାର ବହୁତ ଦୁଃଖ ଅଛି ବୋଲି । ହେଲେ ତାଙ୍କର ଯମା ମନ ହୁଏନି ଜଗାକୁ ଛାଡି ଆସିବାକୁ । ଜଗା ପାଇଁ ତାଙ୍କ ମନରେ ଏତେ ଭଲପାଇବା ଯେ ସେ କେବେ ତାକୁ ବ୍ୟକ୍ତ କରି ପାରିବେନି । ଜୀବନ କାଳ ଭିତରେ ତାଙ୍କର କେବଳ ଗୋଟିଏ ଇଚ୍ଛା ଜଗାର ସାକ୍ଷାତ ସ୍ବରୂପ ଦର୍ଶନ । ସ୍ବପ୍ନରେ ହେଉ କି ବାସ୍ତବରେ ହେଉ । ହେଲେ ଜଗାର ନାଟ ତ ନିଆରା । ଯିଏ ତାକୁ ଭଲ ପାଇଲା ସେ ତା ସାଙ୍ଗରେ ଖେଳିବ ଲୁଚକାଳି । ସେ କ'ଣ ସହଜରେ କାହାକୁ ଧରା ଦିଏ ନା କ'ଣ ??? ସେଇଥି ପାଇଁ ପୁରୀ ଆସିଲେ ତାଙ୍କ ଲୁହ ଆଉ ବୋଲ ମାନେନି । 

            

             ୟାରି ଭିତରେ ସତୁରୀ ବର୍ଷ କଟିଗଲା । ହେଲେ ଜଗାର ମନୋବାଞ୍ଛିତ ଦର୍ଶନ ଲାଭ କରି ପାରିଲେନି । ଧୀରେ ଧୀରେ ତାଙ୍କ ଆଶା ମୋଉଳିବାରେ ଲାଗିଲା । ଆଉ କେତେବା ଦିନ ବଞ୍ଚିବି ଯେ ସେ ମୋତେ ଦେଖା ଦେବ !! ମନେ ମନେ ଜଣାନ୍ତି ହେଉ ହେଲା ଜୀବନ କାଳରେ ନ ହେଲା ନାହିଁ ମରଣ ବେଳାରେ ତ ଥରେ ଦେଖା ଦେବୁ । ଦୈତାରୀବାବୁଙ୍କ ମୁହଁର ସ୍ମିତହାସ ଧୀରେ ଧୀରେ କୁଆଡେ ଉଭେଇବାକୁ ଲାଗିଲା । ଚିହ୍ନା ପରିଚିତ ପଚାରନ୍ତି ତମର ଏମିତି କ'ଣ ଚିନ୍ତା ଆସିଗଲା ଯେ ତମ ମୁହଁର ସେ ବିରଳ ହସଟି ଆମେ ଆଉ ଦେଖିବାକୁ ପାଉନୁ । ଘର ପରିବାରରେ ସମସ୍ତେ ତ ଭଲରେ ଅଛନ୍ତି । ପୁଣି ଇୟେ କୋଉ ଚିନ୍ତା ? ୟେ କ'ଣ ବ୍ୟକ୍ତ ଦୁଃଖ ଯେ କାହାକୁ ଜଣେଇ ହେବ !! ୟେ ତ ଜଗାର ଦିଆ ଅବ୍ୟକ୍ତ ଦୁଃଖ ।


                ଖରାଛୁଟିରେ ପୁଅ ଘରକୁ ଆସିଥାଏ କହିଲା ଚାଲ ସବୁ ପୁରୀ ବୁଲି ଆସିବା । ଦୈତାରୀବାବୁ ଜଗା ପାଇଁ ଥିବା କୁଢ କୁଢ ଅଭିମାନକୁ ଭିତରେ ଦବେଇ କହିଲେ ତମେ ସବୁ ବୁଲିଆସ ମୁଁ ଘରେ ଅଛି । ପୁଅ କ'ଣ ଛାଡିବା ଲୋକ । ସେ ଜିଦ୍ ଧରିଲା ଆରେ !! ଚାଲନା ବାପା ସମସ୍ତେ ମିଶିକି ଗଲେ ଭଲଲାଗିବ । ଘରେ ଏକୁଟିଆ ରହି କ'ଣ କରିବେ ?? ବାଧ୍ୟ ହେଇ ସେ ବାହାରିଲେ ।


                   ମନ୍ଦିରରେ ହାତଟେକି ଜଗାକୁ ପ୍ରଣାମ କଲା ବେଳେ ଭିଡ ଭିତରୁ ବାହାରି ଆସିଲେ ଗୋଟେ ଅଶୀ ବରଷର ନନା । ଶ୍ୟାମଳ ବର୍ଣ୍ଣର , ମୁଣ୍ଡର ସବୁ ଚୁଟି ପାଚିଲା ଧୋବ ଫରଫର । ଖପ୍ କରି ଦୈତାରୀବାବୁଙ୍କ ହାତ ଧରି ଟାଣି ଆଣିଲା ବାହାରକୁ । ସେ କିଛି ବୁଝି ପାରୁ ନଥାନ୍ତି । ନନା କହିଲା ତୁ ରସୁଲପୁର (ଯାଜପୁରର) ଦୀନା ପୁଅ ଟି ?? ଦୈତାରୀଙ୍କ ମୁହଁରେ ପ୍ରଶ୍ନବାଚୀ । ଇୟେ ମତେ କେମିତି ଜାଣିଲେ ?? ଆରେ !! ଏମିତି କ'ଣ ଅନେଇଚୁ ?? ମତେ ସବୁ ଜଣା । ତୁ ପୂରା ତୋର ବାପ ଲେଖେ ହେଇଚୁ । ମୁଁ ପା ତୁମ କୂଳ ପୁରୋହିତ । ତମ ବଂଶ ବୁନିଆଦି ମୋ ନଖ ଦର୍ପଣରେ । 


                ଆଗରୁ ତ ଅନେକ ଥର ପୁରୀ ଆସିଛି ତମ ସହ କେବେ ଭେଟ ହେଇନି । ଆଜି କେମିତି ମୋତେ ପାଇଲେ ?? ସବୁ ସେଇ ଜଗାର ଇଚ୍ଛା କହି ମୁଚୁକୁନ୍ଦ ହସଟେ ଦେଲେ । ମୁଁ ଜାଣେ ତୋର ଜଗା ଉପରେ ଭାରି ଅଭିମାନ । ହେଲେ ସବୁ ବିଷୟର ତ ଗୋଟେ ସମୟ ଥାଏ । ରାଗ କଲେ କ'ଣ ହେବ କହିଲୁ ?? ଧୀରେ ଧୀରେ ସେ ନନା ଦୈତାରୀବାବୁଙ୍କୁ ରହସ୍ଯମୟ ମନେ ହେଲେ । ହଉ ଚାଲ !! ମୋ ସାଙ୍ଗରେ ତୋର ସବୁ ମାନ ଭଞ୍ଜନ କରିଦେବି । ଏତିକି କହି ତାଙ୍କୁ ଟାଣି ଟାଣି ନେଇଗଲେ ଆନନ୍ଦବଜାର ଭିତରକୁ । ସକାଳ ଧୂପ ଉଠିଥାଏ କିଛି ସମୟ ଆଗରୁ । ଘିଅ ଆଉ ଗୁଡର ମହ ମହ ବାସ୍ନା ଚାରିଆଡେ । ବୁଢା ପ୍ରସାଦ ମଣ୍ଡପରେ ତାଙ୍କୁ ବସେଇ ଦେଇ କହିଲା ଏଇଠି ବସିଥା କୁଆଡେ ଯିବୁନି । ମୁଁ ଏଇ ଗଲି ଆଉ ଆସିଲି । ଏତିକି କହି ଉଭାନ ହେଇଗଲା । 


                କିଛି ସମୟ ପରେ ଗୋଟେ ପତରରେ ନାନା ରକମର ପିଠା ଧରି ଆସି ପହଞ୍ଚିଗଲେ । ସବୁ ଗରମ ଗରମ ଥାଏ । ପତର ରଖିଦେଇ ତାଙ୍କ ଆଗରେ କହିଲା ଖାଆ !! ସେ ଖଲି ବଲ ବଲ ହେଇ ଚାହିଁ ଥାଆନ୍ତି କ'ଣ ସବୁ ଘଟି ଯାଉଛି । ଇୟେ ସ୍ବପ୍ନ ନା ସତ ?? 

                ହେଃ !! ଲାଜ କ'ଣ କରୁଚୁ ଯେ ?? ହଉ ମୁଁ ଖୁଆଇ ଦେଉଚି ତୋତେ କହି ପିଠା ଗୋଟାଏ ପରେ ଗୋଟାଏ ଦୈତାରୀବାବୁଙ୍କ ପାଟିରେ ଦେଇଚାଲିଥାଆନ୍ତି । ସେ ବି ସୁନାପିଲା ଭଳି ଖାଇ ଚାଲି ଥାଆନ୍ତି । କି ଚମତ୍କାର ସ୍ବାଦ !! ଏକ ପ୍ରକାର ଭାବ ବିହ୍ବଳ ଅବସ୍ଥା ତାଙ୍କର । ସବୁତକ ଖୋଇସାରି ନନା କହିଲା ରହ ତୋ ପାଇଁ ପାଣି ଆଣୁଚି । ଆଉ ସମ୍ଭାଳି ପାରିଲେନି ଦୈତାରୀବାବୁ ନନାଙ୍କ ପାଦ ଧରି କହିଲେ ସତ କହିଲ ତମେ କିଏ ?? ତମେ କ'ଣ ଭାବିଲ ମୁଁ ତମକୁ ଚିହ୍ନି ପାରିବିନି । ମୋ ସାଙ୍ଗରେ ୟେ ଛଳନା କାହିଁକି ?? ଭୋ ଭୋ କାନ୍ଦି ଉଠିଲେ ସେ । ନନା ନିଜ ଗାମୁଛାରେ ଆଖି ପୋଛି ଦେଇ କହିଲେ ତୁନି ହୋ । ଚିହ୍ନି ସାରିଲୁଣି ଯେତେବେଳେ ଏବେ ମୋ ପାଦ ଛାଡ ଯିବାକୁ ଦେ !!


                 ତମେ କୋଉଠି ମୋ ଇଚ୍ଛା ପୂରଣ କଲ କି ?? ସ୍ବରୂପ ଦର୍ଶନ ତ ଦେଲ ନାହଁ । ତାକୁ ଦେଖିଲେ ତୁ ଆଉ କ'ଣ ରହିବୁ ?? ସେଇ ଇଚ୍ଛାଟା ତୋର ଶେଷ ସମୟକୁ ରଖିଥା କହି ତାଙ୍କ ମୁଣ୍ଡ ଉପରେ ହାତ ବୁଲେଇ ଉଭାନ ହେଇଗଲେ ।


                 ପୁଅ ଚାରିଆଡେ ଖୋଜି ଖୋଜି ଆସି ଆନନ୍ଦବଜାରରେ ତାଙ୍କୁ ପାଇଲା । ଦେଖିଲା ବାପା ବସି ଲୁହ ଗଡଉଛନ୍ତି ଆଉ ଚାରିଆଡେ ଅନେଇ କାହାକୁ ଖୋଜୁଛନ୍ତି । ବାପା !! କହାକୁ ଖୋଜୁଚ ?? ଆଉ କାନ୍ଦୁଚ କାହିଁକି ?? ଦୈତାରୀବାବୁ କିଛି କହିଲେନି ଉଠି ଠିଆ ହେଲେ ଫେରି ଯିବା ପାଇଁ । ପତରକୁ ଅନେଇଲେ କିଛି କିଛି ଛୋଟ ଟୁକୁଡା ପଡିଥିଲା ପିଠାର । ସଙ୍ଗେ ସଙ୍ଗେ ସେଇ ପତର ଉଠେଇ ଆଣି ପୁଅ ହାତକୁ ବଢେଇ ଦେଇ କହିଲେ ସମସ୍ତେ ଟିକେ ପାଇଦେବ ଜୀବନ ଧନ୍ୟ ହେଇଯିବ । ପାଦ ଟଳମଳ କରି ଆଗକୁ ବଢିଲେ ଦୈତାରୀବାବୁ । 

                 

             ସେ ଏବେ ଯେଉଁ ଆନନ୍ଦ ନିଜ ଭିତରେ ଅନୁଭବ କରୁଥିଲେ ତାକୁ ହୃଦୟ ଭିତରେ ଧାରଣ କରିବା ଅତ୍ୟନ୍ତ ଦୁରୂହଃ ବ୍ୟପାର । ନା ତାକୁ ଧାରଣ କରି ହୁଏ ନା ବ୍ୟକ୍ତ କରିହୁଏ । ପାଗଳ ହେଇଯିବା ହିଁ ସାର । ଏବେ ସେ ବୁଝିପାରିଲେ ଜଗା କାହିଁକି ଏତେ ବର୍ଷ ହେଲା ତାଙ୍କୁ ଦର୍ଶନ ଦେଉ ନଥିଲା । ସେତିକି ସାମର୍ଥ୍ଯ ନଥିଲେ ଦର୍ଶନର ଆନନ୍ଦକୁ ଧାରଣ କରିହୁଏନି । ପତିତପାବନକୁ ଅନେଇ ହାତଯୋଡିଲେ , ମୋତେ ଏବେ ରକ୍ଷାକର ଜଗା !! ଖୁସିରେ ମୋ ଛାତି ଫାଟି ନଯାଉ ....!! ଲୋକେ ବୁଝି ନପାରି ତାକୁ ମିଛରେ କୁହନ୍ତି ଛଳିଆ.....।

                 

                 

                


Rate this content
Log in

Similar oriya story from Classics