ଚାଷୀ ସୈନିକ
ଚାଷୀ ସୈନିକ


ଛିଃ ଛିଃ ଛିଃ ଶେଷରେ ଭରତିଆ ଏଇଆ କରିଵ ମୋର ବିଶ୍ୱାସ ନଥିଲା ! ପିଲାଟା ମୁଣ୍ଡରେ କି ଭୂତ ପଶିଛି କେଜାଣି ଧରିଛି ଏକା ଜିଦ୍।
ଆମ ଭାରତ ! କଣ କଲା କି ଭାଇନା ?
ଜାଣିଛୋପରା ଜମା ଜାଣିନୁ କଣ କରୁଛି ସେ ? ଦେଖେ ବିଶୁ ମୋ ସୁନା ଭାଇଟା ତାକୁ ଟିକେ ବୁଝା। ତୁ କହିଲେ ତୋ କଥା ମାନିବ।ଭରତିଆ କହୁଛି ଚାକିରି କରି କାହା ଅଧୀନରେ ରହିବ ନାହିଁ। କେତେ ବଡ଼ ବଡ଼ କମ୍ପାନୀ ଡାକୁଛନ୍ତି ଚାକିରି ଦେବାକୁ। ଆମ ବାବୁକୁ ଗନ୍ଧଉଛୁ। କିରେ ଚାକିରି ନ କରିବୁ ଯଦି ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ଏତେ ପଢୁଥିଲୁ କାହିଁକି ? ସେ ଯେଉଁ ରାସ୍ତାରେ ଚାଲିବାକୁ ଚାହୁଁଛି ସେ ରାସ୍ତା ଭାରି କଠିନ । ହାଡ଼ ଭଙ୍ଗା ପରିଶ୍ରମ କରି ରକ୍ତକୁ ପାଣି ନ କଲେ କେହି ଏଥିରେ କୃତକାର୍ଯ୍ୟ ହେଲେଣି ?
ଇରେ ଭାରତ ! ଏସବୁ କଣ ଶୁଣୁଛି ?
ମାମୁ ! ମୁଁ ସ୍ୱାଧୀନ ଭାବେ ନିଜ ଗୋଡ଼ରେ ଠିଆ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଚାହେଁ । ଏଥିପାଇଁ ବଛା ବଛା ଆମ ଅଞ୍ଚଳର କିଛି ଯୁବକଙ୍କୁ ଏକାଠି କରିଛି। ମୁଁ ମୋ ଶିକ୍ଷା ଦୀକ୍ଷାକୁ ଲଗାଇ ଏକ ସୁସ୍ଥ ସମୃଦ୍ଧ ଓ ସୁଖୀ ଓଡିଶା ଗଠନ ସ୍ୱପ୍ନକୁ ସତ କରିବାକୁ ଅଣ୍ଟା ଭିଡ଼ିଛୁ।
କେମିତି ?
ଆମେ ଏଗାର ଜଣ ଉଚ୍ଚ ଶିକ୍ଷିତ ଯୁବକ ଏକତ୍ର ହୋଇ ମାଣ୍ଡିଆ ଚାଷ କରିବୁ। ଏଥିପାଇଁ ସରକାର ସବୁ ସାହାଯ୍ୟ ସହଯୋଗ କରିବେ।
ସତରେ ତୋ ମୁଣ୍ଡ ଖରାପ ହୋଇଛି । ଚାଷ ପୁଣି ମାଣ୍ଡିଆ ତୁମେ କରିବ ! କି ଫାଇଦା ହେବ ଏଥିରୁ ?ମାମୁ ସମୃଦ୍ଧ ଓଡିଶା ଗଠନ ସେତିକିବେଳେ ସମ୍ଭବ ହେବ ଯେତେବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ,ଜ୍ଞାନ ବିଜ୍ଞାନ, ଭାଷା, ସାମାଜିକ,ଆର୍ଥିକ, ମାନସିକ କ୍ଷେତ୍ରରେ ଓଡିଶା ଦୃଢ଼ ,ସଶକ୍ତ ଓ ସ୍ୱଚ୍ଛଳ ହେବ। ମାନବ ସମ୍ବଳର ବିକାଶ ହେଲେ ଅନ୍ୟ ସମ୍ବଳ ଗୁଡିକୁ ନିୟୋଜିତ କରି ଓଡିଶା ବିଶ୍ୱ ଦରବାରରେ ମୁଣ୍ଡ ଟେକି ଠିଆ ହୋଇ ପାରିବ। ଏହାର ଯାତ୍ରା କୁପୋଷଣ ଦୂରରୁ ଆରମ୍ଭ ହେଉ। ଏହା ଚାଷ ବିନା କଣ ସମ୍ଭବ ?
କୁପୋଷଣ ! ମାଣ୍ଡିଆ ଚାଷ ! ହଇରେ ଏତେ ଚାଷ ଥାଉ ଥାଉ ଏ ମାଣ୍ଡିଆ ପ୍ରେମ କାହିଁକି ତୁମର ଉଛୁଳିଲା ?
ଏହା ଏକ କ୍ଷୁଦ୍ର ଶସ୍ୟ ଜାତୀୟ ଲାଭ ଜନକ ଫସଲ। ଅନ୍ୟ ଶସ୍ଯଠାରୁ ଏହା କମ୍ ପାଣି ଆବଶ୍ୟକ କରେ। ଏଥିରେ ଅଧିକ ସାର କି କୀଟ ନାଶକ ଔଷଧର ପ୍ରୟୋଗ ଦରକାର ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏହା ସୁସ୍ଥ ଓଡିଶା ଗଠନରେ ସାହାଯ୍ୟ କରିବ।
ମାଣ୍ଡିଆ ସୁସ୍ଥ ଓଡିଶା ଗଠନ କରିବ!
ହଁ ମାମୁ ମାଣ୍ଡିଆ ଏକ ପୋଷଣ ଭର୍ତ୍ତି ସୁଷମ ଖାଦ୍ୟ। ଏଥିରେ କ୍ୟାଲେସିୟମ, ପୋଟାସିୟମ୍ , ମ୍ୟାଗ୍ନେସିୟମ , ପ୍ରୋଟିନ, କାର୍ବୋହାଇଡ୍ରେଡ଼,ଫ୍ୟାଟ୍ ଭିଟାମିନ୍ , ଆଇରନ୍, ଆମନୋଏସିଡ୍, ଫାଇବର ଭରପୁର। ଏହା ଏକ ରୋଗ ପ୍ରତିରୋଧକ କାରୀ ଖାଦ୍ୟ। ଏହାକୁ ଖାଇବା ଦ୍ୱାରା ହାଡ଼ ଓ ହାଡ଼ ଜାତୀୟ ସମସ୍ତ ରୋଗ ଦୂର ହୁଏ।ଦାନ୍ତ ପାଇଁ ବି ଲାଭ ଦାୟକ। ଏହାକୁ ଖାଇଲେ କୋଳେଷ୍ଟୋର ସ୍ତର ଓ ମୋଟା ପଣ ଦୂର ହୋଇ ଥାଏ। ଖରାଦିନେ ୟାକୁ ଖାଇଲେଶରୀର ଥଣ୍ଡା ରୁହେ।ଷ୍ଟ୍ରେସ କମାଏ।
ଆହୁରି ଜାଣିଛ ମାମୁ ! ଡାଇବେଟିସ୍, ଆନେସିଆ, କନଷ୍ଟିଫିକେସନ୍,ଥାଇରଏଡ଼,ନିଦ୍ରା ହୀନତା, ରକ୍ତ ହୀନତା, କର୍କଟ ,କିଡିନି ଆଦି ମାରାତ୍ମକ ରୋଗରୁ ମାଣ୍ଡିଆ ମୁକ୍ତି ଦେଇଥାଏ। ଏଣୁ ଏହା ଏକ ପ୍ରକାର ଔଷଧ। ଗର୍ଭବତୀ ମହିଳା,କିଶୋରୀ କନ୍ୟା ଏବଂ ଶିଶୁଙ୍କ ପାଇଁ ଏହା ଏକ ମହାଷୋଧି ଅଟେ।
ଏଁ ଏତେ ଗୁଣ ଏ ମାଣ୍ଡିଆର ? କି କି ଖାଦ୍ୟ ହୋଇ ପାରେ ଜାଉ ବ୍ୟତୀତ ଏଥିରେ ଯେ ଔଷଧ, ସୁଷମ ଖାଦ୍ୟ ମାନ୍ୟତା ପାଉଛି।
ମାଣ୍ଡିଆରେ ଆରିସା, ବିସ୍କୁଟ,ଆଳୁଚପ୍,
ବରା ,ନିମିକି, ଚକୁଳି,ସେଓ, ଜୁସ ଓ ଚା ସବୁ ପ୍ରସ୍ତୁତ ହୋଇ ପାରିବ।
ସତରେ ଭାରତ ! ମୁଁ ତ ଏତେ କଥା ଜାଣି ନଥିଲି। ସ୍ୱାସ୍ଥ୍ୟ ହିଁ ସମ୍ପଦ। ମଣିଷ ସୁସ୍ଥ ରହିଲେ ତାର ଦେହ ମନ ବି ସୁସ୍ଥ ରହିବ। ତାହେଲେ ଯାଇ ସିନା ସେ ମୁଣ୍ଡ ଖେଳାଇ ଜ୍ଞାନ ବିଜ୍ଞାନରେ ନୂଆ ନୂଆ ଆବିଷ୍କାର ଉଦ୍ଭାବନ କରିବ! ଏଣୁ ସ୍ୱାସ୍ଥ୍ୟ,ଶିକ୍ଷା ଏବଂ ଦେଶର ବିକାଶ ପାଇଁ ସୁପୋଷଣର ନିହାତି ଆବଶ୍ୟକ। ଖାଦ୍ୟ ସଙ୍କଟ ,ଅନାହାର ଅପପୃଷ୍ଟି,ଅକାଳ ଶିଶୁ ମୃତ୍ୟୁହାର ଓ ଦାରିଦ୍ର୍ୟ ହାର କମେଇ ମାଣ୍ଡିଆ ,ଯଅ ସୁଆଁ, ବାଜାରା, କାନ୍ଦୁ ଓ କୋଦୁଅ ଏକ ସୁସ୍ଥ ଓଡିଶା ଗଠନ ଦିଗରେ ସହାୟକ ହେବ।କେବଳ ଶରୀର ସୁସ୍ଥ ନୁହେଁ ମାନସିକ, ଆବେଗିକ ସୁସ୍ଥତା , ପରିମଳ ପରିବେଶ ଲୋଡ଼ାରେ ଭଣଜା। ସବୁରି ମୂଳରେ କିନ୍ତୁ ଖାଦ୍ୟ । ତୁ ଭଲ ନିଷ୍ପତ୍ତି ନେଇଛୁ। ସୁପୋଷଣଖାଦ୍ୟ ମାଣ୍ଡିଆ ଚାଷରୁ ଆରମ୍ଭ ହେଉ ସମୃଦ୍ଧ ଓ ସୁଖୀ ଓଡ଼ିଶାର ଅଭିଯାନ। ତୋ ସହ ଏ ଅଭିଯାନରେ ମୁଁ ଅଛି।
ହଇରେ ବିଶୁ !ତୋତେ ବୁଝାଇବାକୁ ଡାକିଥିଲି ନା ଭରତିଆକୁ ପ୍ରୋତ୍ସାହିତ କରିବାକୁ ?
ଭାଇନା ଯାହା ପଢିଥିଲ ତୁମେ କଣ ଭୁଲିଗଲଣି ?
କେଉଁ ପଢା ? ସପ୍ତମ ଯାଏ ତ ଯାଇଥିଲି ; ଆଉ କଣ କିଛି ମନେ ଅଛି ?
ଚାଷ ଅଛି ଯାହାର
କି ସୁଖ ତାହାର
ସେହି ସିନା ଦୁନିଆକୁ
ଯୋଗାଉଛି ଆହାର"। ଏଇ ଗୀତ ମନେ ପଡ଼ିଲା ?
ଆରେ ପିଲାଟାକୁ ଏଡ଼େ ବଡ଼ ବଡ଼ ବଡ଼ ଚାକିରି ମିଳୁଛି ନ କରି ଏ ଚାଷ ଚାଷ କଣ ହେଉଛି ? ତୁ ଆଉ ଗୋଟିଏ ଗବ ଆସିଲୁ।ତାକୁ ବୁଝେଇବ କଣ ମୋତେ ବୁଝେଲାଣି।
ତୁମେ ବହୁତ ଭାଗ୍ୟବାନ ଭାଇନା ଭାରତ ତୁମ ପୁଅ। ମାଟ୍ରିକ ପାସ୍ କରି ପିଲାଙ୍କ ଗୋଡ଼ରେ କାଦୁଅ ଲାଗିବ ନାହିଁ ବୋଲି କିଏ କେଉଁ କମ୍ପାନୀରେ ଚାକିରି କରି ନିଜକୁ ବାବୁ ସଜେଇଲା ବେଳେ ତୁମ ପୁଅ ଲୋଭନୀୟ ଚାକିରିକୁ ଗୋଇଠା ମାରି ଚାଷ କରିବ ବୋଲି ଅଣ୍ଟା ଭିଡିଛି । ଚାଲ ତାକୁ ସମସ୍ତେ ସମର୍ଥନ କରି ତାକୁ ପ୍ରୋତ୍ସାହିତ କରିବା। ସୁସ୍ଥ ଜୀବନ ଶୈଳୀ ଏବଂ ସମୃଦ୍ଧ ଓ ସୁଖୀ ଓଡିଶା ଗଠନ ଦିଗରେ ସରକାରଙ୍କ ମିଲେଟସ୍ ମିଶନରେ ସାମିଲ ହେବା। ଆଉ କହିବା:
ଆସ ମାଣ୍ଡିଆ ଚାଷ କରିବା
ସମୃଦ୍ଧ ସୁସ୍ଥ ସୁଖୀ ଓଡିଶା ଗଠନ ଅଭିଯାନରେ
ସକ୍ରିୟ ଚାଷୀ ସୈନିକ ହୋଇବା ।