Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ବୁଢା ବରଗଛ

ବୁଢା ବରଗଛ

5 mins
198



ମନୁଷ୍ୟ ପରିସ୍ଥିତିର ଦାସ। ଏମିତି ଏକ ପରିସ୍ଥିତିରେ ମୁଁ ପାଦଦେଲି ନୂଆଁ ଦୁନିଆରେ। ମୋ ପ୍ରଥମ ଲେଖା ଥିଲା " ବୁଢା ବରଗଛ। "

କିଛି ଶୁଭାକାଂକ୍ଷୀ ହସିଉଠିଥିଲେ ମୋ ପ୍ରଥମ ସୃଷ୍ଟି ପଢି। କାରଣ ମୋ ଲେଖାର ମର୍ମ ଥିଲା ବୁଢାବରଗଛ ସହ ଯୁବତୀର ପ୍ରେମ। ପାଣ୍ଡୁଲିପିଟିକୁ ରାଗରେ ଚିରିଦେଇ ଗଳ୍ପଲେଖା ସ୍ଥଗିତ ରଖିଥିଲି। 


କିନ୍ତୁ...


ମୁଁ ଟିକେ ଜିଦ୍ଦିଆ, ଟିକେ ଆତ୍ମଗର୍ବୀ। ଅନୁଶୀଳନ କରେ ନିଜକୁ ବାରମ୍ବାର। 


କିନ୍ତୁ....


" ପ୍ରକୃତି ନୈବ ମୁଚ୍ୟତେ । "


ବହୁତ ବର୍ଷ ପରେ ପୁଣି ସେହି ଗଳ୍ପକୁ ମାର୍ଜିତ ଓ ପରିବର୍ତ୍ତିତ ରୂପରେ ଗଳ୍ପ ଆକାରରେ ପ୍ରକାଶ କରୁଛି । ଆଶା ଭଲ ଲାଗିବ। 


××××××××××××××××××××


ଆଜିକାଲି ଘରଚଟିଆ ବିଲୁପ୍ତପ୍ରାୟ। ପାଲା, ଦାସକାଠିଆ ପ୍ରଶିକ୍ଷଣ ଗୃହରେ ତାସ୍ ଓ ମଦର ଆସର। ଗାଆଁ ପୋଖରୀ ପୋତାହୋଇ ସଦୃଶ୍ୟ ପାର୍କ୍। ପାର୍କ୍ ରେ ଚାଟଗୁପଚୁପ୍ ଖାଇ ଖଟାପାଣିରେ ପାଟି ଖଟାହୋଇଯିବା ବାହାନାରେ ପାର୍କର ସିମେଣ୍ଟ ବେଞ୍ଚ ପଛର ଘାସଗାଲିଚାରେ ପ୍ରେମୀଯୁଗଳଙ୍କ ଅଶ୍ଳିଳ ଚୁମ୍ବନ। ଗାଆଁରାସ୍ତା ବଦଳି କଂକ୍ରିଟ ଜଙ୍ଗଲ। 


ଛାତଉପରେ ସାରାପରିବାର ଗପସପ ସହ ଶୋଇଯିବା ପ୍ରଥା ବିରଳ କାରଣ ଯେ ଝା ମୋବାଇଲରେ ବ୍ୟସ୍ତ। 

କିନ୍ତୁ ହାତଗଣତି କେତୋଟି ଗାଆଁ ରହିଯାଇଛି ଯେମିତି କଟକର ଉପାନ୍ତ ଗ୍ରାମ କନାଗୁଡି। ତିରିଶିପରିବାରକୁ ନେଇ ଗାଆଁଟି। 

ଏକବିଂଶ ଶତାବ୍ଦୀରେ ବି ଗାଆଁ ରାସ୍ତା ମାଟି। ଗାଆଁପାଖରେ ସୁନ୍ଦର ପୁଷ୍କରିଣୀ। ଗାଆଁ ମୁଣ୍ଡରେ ଶିବମନ୍ଦିରଟିଏ। ମଣ୍ଡପରେ ବସି ଗପସପ କରନ୍ତି ଗାଆଁର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ। 

ଗାଆଁର ଅପରପାର୍ଶ୍ୱରେ ବିରାଟ ବରଗଛ। 


ଅତ୍ୟାବଶ୍ୟକ ଜିନିଷପତ୍ର ପାଇଁ ଗାଆଁଲୋକ ଯାଆନ୍ତି ପାଖରେ ଥିବା ନରସିଂହପୁର । ଦୁଃଖିସାରଙ୍କ ସାନଝିଅ ଚୁମୁକି। ବିଶେଷ ଆକର୍ଷଣ ତାର ବୁଢା ବରଗଛ। ସେହି ଗଛତଳେ ମାଟିଖାଇ, କିଟିକିଟି, ବୋହୁଚୋରୀ ଖେଳେ। ଏପରିକି ପଖାଳକଂସା ନେଇ ଗଛମୂଳେ ଖାଏ ଓ ଛାଇରେ ଶୋଇଯାଏ। ଭାରୀ ଗୁଲୁଗୁଲିଆ, ଶ୍ରୁତିମଧୁର କଥାବାର୍ତ୍ତା ।ଯିଏ ଦେଖିବ ନିଜର କରିନେବ। 


ବେଳେବେଳେ ମାଆ ପହଞ୍ଚି ସେଇ ବରଡାଳରେ ମାଡ ଦିଅନ୍ତି। କାନ୍ଦିକାନ୍ଦି ଏକା ଏକା ବରଗଛ ସହ କଥାହୋଇ ଶୋଇଯାଏ ତା ଛାଇରେ। 

ମନେମନେ ଚୁମୁକି ଭାବେ, ଏମିତି କ'ଣ କେବେ ସେ ସ୍ୱପ୍ନ ଦେଖିଥିଲା ,ମାଆର ମାଡରେ ଆଶା ବୁଡିଥିଲା, ଚେତନା ଉପରେ କୋଠାର ଗହଳି ମାଡିପଡିଥିଲା, ଧରାବନ୍ଧା ମପାଚୁପା ଜୀବନର ନିର୍ଘଣ୍ଟ ଭିତରେ ବନ୍ଦୀ ହୋଇ ରହିଥିଲା ଶୈଶବ, ଘରେ, ସଡକରେ, ଗଛମୂଳେ ସବୁଠି ସେ ଦେଖିଥିଲା ଖାଲି ଗଣିତ ଓ ଗଣିତର ଫଳ, ଦୁଇ ଦୁଇ ମିଶିଲେ ଚାରିହୁଏ, ,ତିନି ତିନି ଛ ' ।ଓଳି ଘେନି କୋଳି, ତେଲାଉଣି ଘେନି ଚକୁଳି। ସେ ବଡ ନହେବା ଯାଏଁ ଏମିତି ଗାଳି, ମାଡ। ସ୍ୱାଧିନତା ନାହିଁ। 

ହଠାତ୍ ପ୍ରବଳ ଶବ୍ଦରେ ନିଦ୍ରାଭଙ୍ଗ ହେଲା ଚୁମୁକିର। ବରଗଛର ଡାଳ ହଲୁଥିଲା ପବନ ମାଡରେ। ଆଖିମଳିମଳି ଚୁମୁକି ଉଠୁଉଠୁ କହିଲା, ଧନ୍ୟବାଦ ବରଗଛ, ବିଳମ୍ବ ଜାଣି ତମେ ମୋ ନିଦ୍ରାଭଙ୍ଗ କଲ। ନଚେତ ପୁଣି ମାଡପଡିଥାଆନ୍ତା।


ଆଖିମଳିମଳି ଉଠିଲା ଚୁମକି। ପଞ୍ଚାୟତ ଲଗେଇଥିବା ବିଜୁଳିବତୀଟି କୀଟପୂର୍ଣ୍ଣ ହୋଇ ଅଧା ଆଲୋକ ବିଚ୍ଛୁରିତ କରୁଛି ପାରାଲିସିସ ରୋଗୀପରି। 

ଅନେଇଦେଖିଲା କାହାର ବିଭାମୁକୁଟର ଜରିପିନଲଗା ଶୋଲ ଫୁଲଟିଏ କେଉଁ ଦୂରରୁ ଅତି ଦୃତବେଗରେ ପବନର ଗତିସହ ତାଳ ମିଳେଇ ଧାଇଁ ଧାଇଁ ଆସୁଛି, ସତେକି ମହା ଉଲ୍ଲାସରେ ଆସୁଛି ବରଗଛ ପାଖରେ ମୁଣ୍ଡିଆ ମାରିବ ବୋଲି। ଜଣାନାହିଁ କିଏ ସେ ବରକନ୍ୟା, କେଉଁଠି ଅଛନ୍ତି କେମିତି ଅଛନ୍ତି । କିଛି ଜଣାନାହିଁ। ଖାଲି ଗତି, ଅସ୍ଥିରତାର ହୃଦୟମନ୍ଥା। ବାହାଘର ପରେ କ'ଣ ସବୁ ଶାନ୍ତ ? ବାପା ମାଆ ତ ସବୁବେଳେ ଝଗଡା। 

ଆକାଶକୁ ମୁହଁଟେକି ଦେଖିଲା ଚୁମୁକି, ଚମକିପଡି ଦେଖିଲା, ଦୂରରେ ଆକାଶ କଣରେ ଠାଏ ଅପୂର୍ବ ନୀଳିମା, କାଣିଚାଏ ଅରାଏ ମୋଟେ, ଯେପରିକି ସେପାଖର ଅଦେଖା ଦୁନିଆର ଗଡକାନ୍ଥରେ ଠାଏ କଣାହୋଇଛି, ଓଃ କି ସୁନ୍ଦର! କି ଶାନ୍ତ ! 

ସେ ବି ବଡହେବ, ଏଇ ଗାଳି, ମାଡ, ବନ୍ଧକ ଜୀବନରୁ ମୁକ୍ତ ହେବ। 

ଭାବୁ ଭାବୁ ଚାଲୁ ଚାଲୁ ପହଞ୍ଚିଗଲା ଘରେ।

ଗାଳି ଆରମ୍ଭ ହୋଇଗଲା ମାଆର। ବାପା କହିଲେ ଝିଅଲୋ ! ସପ୍ତମ ପାଠପଢିଲୁଣି। ଛୁଆଙ୍କ ପରି ଗଛମୂଳରେ ଖେଳୁଛୁ ।କିଛି ନବୁଝି ଚୁମକି କହିଲା କ'ଣ ହୋଇଗଲା ସେଇଠୁ। 


ବାପା କହିଲେ ଝିଅଲୋ ! ଜାଣିଛୁ, 

*ଏଇ ଦୁନିଆରେ ବେଶୀ ସରଳ ଓ ସଚ୍ଚୋଟ ହେବା ଉଚିତ ନୁହଁ, କାରଣ ସିଧା ଗଛଗୁଡିକ ପ୍ରଥମେ କଟାଯାଏ*।


ସମୟର ପ୍ରବାହରେ ଗୁଲୁଗୁଲିଆ ଚୁମୁକି ସୁନ୍ଦରୀ ଚୁମୁକି ପାଲଟିଗଲା। ସମୟ ସହ ଚୁମୁକିର ରଙ୍ଗ ବଦଳିଯାଇଥିଲା। ଛୋଟବେଳେ ସବୁ ସ୍ନେହ କରୁଥିଲେ ଆଉ ବର୍ତ୍ତମାନ ସବୁ ପ୍ରେମ କରିବା ଆରମ୍ଭ କଲେ। 


ପ୍ରେମ ! ବୟସର ଢେଉରେ ଆହ୍ୱାନ କରୁଥିଲା ଚୁମୁକିକୁ ଡେଣାମେଲି ଜୀବନର ମଜା ନେବାକୁ। କେମିତି, କେଉଁଠି, କେତେବେଳେ ହୋଇଗଲା କେଜାଣି ଚୁମୁକି ବୋହୁଚୋରୀ ଛାଡି ଦୋଳି ଖେଳୁଥିଲା ବରଗଛର ବଡ ଡାଳରେ। ଧୂଳିରେ ଗଡିବା ଛାଡି ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲା ଜଗନକୁ। ବରଗଛର କୋରଡରେ ଜଗନ ପାଇଁ ଲେଖିଥିବା ପ୍ରେମପତ୍ର ଲୁଚୋଉଥିଲା। 

ଜଗନ ସହ ଛୋଟଭଉଣୀର ଓଏଏସ୍ ପାଇଁ ବ୍ୟସ୍ତତା, ବାହାରେ ଥିବା ଭାଇର ଓଡିଶା ଆଗମନ, ବାପାମାଆଙ୍କ ଝଗଡା ଏସବୁ ଗପି ହସୁଥିଲା, କାନ୍ଦୁଥିଲା ବରଗଛର ବଡବଡ ବାହୁତଳେ ବସି ଜଗନ ସହ ।


ସେଦିନ ଦୀପାଳୀର ଆଲୋକରେ ପାଞ୍ଚମିନଟ ପାଇଁ ଚୁମୁକିର ଅନୁରୋଧରେ ଘରକୁ ଆସିଥିଲା ଜଗନ। ଚୁମୁକି ରଙ୍ଗୋଲିରେ ବି ଜଗନ ଲେଖୁଥିଲା। ଘରଲୋକ ଅଣଦେଖା କଲେ ଜଗନକୁ। 


ପରଦିନ ବରଗଛ ତଳେ ବସି ଜଗନକୁ ଭିଡିଧରି ଦୁଃଖରେ କାନ୍ଦୁଥିଲା ଚୁମୁକି। ବୁଝୋଉଥିଲା ଜଗନ। 

ହଠାତ୍ ....।

ପହଞ୍ଚିଗଲେ ଚୁମୁକିର ବାପା। ଟାଣିଟାଣି ନେଲେ ଚୁମୁକିକୁ। ଘରେ ନିସାପ ହେବାସହ ଚୁମୁକିର ବାହାରକୁ ଯିବାରେ ବାରଣ କରାଗଲା। ଚୁମୁକି କହିଲା, ମୁଁ କିଛି ଭୁଲ୍ କରିନାହିଁ , ପ୍ରେମ ପାପ ନୁହେଁ। ମୁଁ ତ ଅନ୍ୟ ଝିଅଙ୍କ ପରି କୌଣସି ହୋଟେଲର ନିଭୃତ କୋଣରେ ନିଜ ଇଜତକୁ ବଳି ଦେଇନାହିଁ। 


ବାପାମାଆ କ'ଣ ତୋର ଶତ୍ରୁ କି ? ଆମେ ଯେଉଁଠି ସ୍ଥିର କରିବୁ, ତୁ ସେଇଠି ବାହାହେବୁ। 

ଚୁମୁକି କହିଲା ବାପାମାଆ ଶତ୍ରୁ ନୁହନ୍ତି କିନ୍ତୁ ସବୁ କ୍ଷେତ୍ରରେ ଠିକ୍ ନୁହନ୍ତି। ତମେ ବାଛିବା ବରପାତ୍ର ମୋତେ ଖୁସିରେ ରଖିବ ମାନେ କ'ଣ ?

ଜଗନକୁ ମୁଁ ବହୁବର୍ଷରୁ ଜାଣେ। 

ଦୁଃଖିସାର୍ ଠୋ କିନି ଚଟକଣିଟିଏ ପକେଇ କହିଲେ ବହୁତ କଥା କହୁଛୁ। 


ଅଳ୍ପ କିଛିଦିନପରେ ଚୁମୁକିର ବାହାଘର ସ୍ଥିର ହେଲା ପ୍ରତିଷ୍ଠିତ ବେସରକାରୀ ଶିକ୍ଷାନୁଷ୍ଠାନର ପରିଚାଳକଙ୍କ ସହ। ଚୁମୁକି ଗାଧୋଇ ଯାଉଛି କହି ବରଗଛ ପାଖକୁ ଦୌଡିଯାଇ ସମସ୍ତ ବିଷୟ ଲେଖି ଚିଠି କୋରଡରେ ରଖିଦେଇ ଆସିଗଲା। 


ଚୁମୁକି ପ୍ରସ୍ତାବ ଦେଇଥିଲା, ଏ....ଜଗନ ! ଦୁଇଦିନପରେ ବାପା କୁଣିଆ ମଇତ୍ର ଆମନ୍ତ୍ରଣ ପାଇଁ ଯିବେ। ତମେ ସେଦିନ ରାତି ବାରଟାରେ ମୋତେ ବରଗଛ ମୂଳରୁ ରାଜ୍ୟ ବାହାରକୁ ନେଇଯିବ। ପ୍ରତ୍ୟୁତ୍ତର ବି ପାଇଥିଲା ଜଗନର। ଜଗନର ବି ସହମତି ଥିଲା। 


ଦୁଇଦିନ ପରେ.....


ଠିକ୍ ରାତି ଅଧ....

ପାଦ ଚିପିଚିପି ବାହାରିଲା ଚୁମୁକି। 

ଚମକି ଉଠିଲା ସେ ।


ଓଃ ପେଚାଟା !


ଗାଆଁସାରା ଗାଢ ନିଦ୍ରାରେ। 

ଭୟଙ୍କର ପରିବେଶ। ଡରିଡରି ପହଞ୍ଚିଗଲା ବରଗଛ ପାଖରେ। 


ହଠାତ୍...


ଘେରିଗଲେ ମୁଖାପିନ୍ଧା କିଛି ଯୁବକ। ଗୋଡହାତ ଧରି ନେହୁରା ହେଲା ଚୁମୁକି। ଠୋ ଠୋ ହସୁଥିଲେ ସେମାନେ। ତା ଭିତରୁ ଜଣେ ଚୁମୁକିର ପାଟିରେ ରୁମାଲ ଠୁସିଦେଲା। ଆଉଜଣେ ତାର ଜାମା ଚିରି ସମ୍ପୂର୍ଣ୍ଣ ଉଲଗ୍ନ କରିଦେଲା। ବରଗଛ ଥିଲା ମୂକସାକ୍ଷୀ। 



ଜଣକ ପରେ ଜଣେ ପାଶବିକ ଅତ୍ୟାଚାର କରି ଚାଲିଲେ। କ୍ଷୀଣ କଣ୍ଠରେ ଚୁମୁକି ପାଣିଟିକେ ମାଗୁଥିଲା। ତା ଭିତରୁ ଜଣେ କହିଲା, ଶଳା ରୁମାଲଟା ଖସିଗଲା ବୋଧେ। ଆଉଜଣେ କହିଲା, ଖସୁ ଆମ କାମ ତ ସରିଲା। ମାଲଟା ତାଜା ଥିଲା। ଅନ୍ୟଜଣେ କହିଲା ତାର ଶେଷ ଇଚ୍ଛା ପୂରଣ କରି ପାଣିଟିକେ ଦେଇଦେବା। ତା ମୁହଁରେ ପରିସ୍ରାକରି ଠୋ ଠୋ ହସି ସ୍ଥାନଛାଡି ଚାଲିଗଲେ ସମସ୍ତେ। 



କିଛିସମୟ ପରେ ପହଞ୍ଚିଲା ଜଗନ। ଚମକିଉଠିଲା ଚୁମୁକିର ଅବସ୍ଥା ଦେଖି। ନିଜ ଜାମାଟି ଘୋଡେଇଦେଲା ଚୁମୁକି ଉପରେ। ଚୁମୁକି କ୍ଷୀଣ କଣ୍ଠରେ କହିଲା, ବିଳମ୍ବ କରିଦେଲ ଜଗନ। ଭୋ ଭୋ କାନ୍ଦୁଥିଲେ ଦୁହେଁ। 

ଜଗନ କହିଲା, ଚୁମୁକି ! ଏହା ଆମ ଭାଗ୍ୟର ଲେଖା। ତାଛଡା ମୁଁ ଭଗବାନ ନୁହଁ। ପୁରାଣ କହେ ଭଗବାନ ବି କେବଳ ରାବଣ ଅପହରଣ କରିଥିବାରୁ ସତୀସୀତାଙ୍କ ଅଗ୍ନିପରୀକ୍ଷା ନେଲେ। ତମେ ତ ଧର୍ଷିତା। ଗଳ୍ପରେ ସୁନ୍ଦର , ଧର୍ଷିତା ହେଲେ ବି ଗ୍ରହଣ କରି ସୁଖପ୍ରଦ ଜୀବନଯାପନ । 

କିନ୍ତୁ....

ପ୍ରକୃତରେ କଣ ଆମ ବୈବାହିକ ଜୀବନ ସୁଖପ୍ରଦ ହୋଇପାରିବ ? ବୋଧହୁଏ ନା !

ହଁ ଏଇଆ ସତ, କେହି କାହାକୁ ଛାଡିପାରିବା ନାହିଁ। 

ଢେର ରାତିଯାଏଁ ଗପିଚାଲିଲେ ଦୁହେଁ। 


ସକାଳେ.....।

କନାଗୁଡିସାରା ହଇଚଇ। 

ସେଇ ବରଗଛର ଦୁଇଟି ହାତ ଯେଉଁଠି ଚୁମୁକି ଦୋଳି ଖେଳୁଥିଲା, ସେଇଠି ଦୁଇଜଣ ଝୁଲୁଥିଲେ। 

ଜଳିଗଲା ଚୁମୁକିର ଜୁଇ। ସରିଗଲା ସବୁକିଛି। 


ଆରେ ଆପଣମାନେ ଚାଲିଗଲେ କି ? ଖାଲି କଣ ପ୍ରେମଗଳ୍ପ ପଢିବେ। ସବୁଠି ସୁଖ ନଥାଏ ଆଜ୍ଞା, ଏମିତି ବି ହୁଏ। 


ଏତିକିରେ କଥା ସରିଲା ନାହିଁ। 


କିଛିଦିନ ପରେ....


ଗାଆଁସାରା ପ୍ରଘଟ ହେଲା ଚୁମୁକି ଗଛ ଡାଳରେ ବସି ପାଟି କରୁଛି। ଗାଆଁରେ ସ୍ଥିର ହେଲା ବରଗଛ କଟାହେବ। 

ସେଇଆ ହେଲା। କଟମଟ କରି ଧରାଶାୟୀ ହେଲା *ବୁଢାବରଗଛ*।


ଭୁଲ୍ କାହାର ?


ଉଗ୍ରାଧୁନିକ ଅମାନୁଷିକ ଯୁବପିଢିର ?


କୁସଂସ୍କାର ବଶବର୍ତ୍ତୀ ହୋଇ ଅନେକ ବର୍ଷରୁ ବହୁ ପଶୁପକ୍ଷୀକୁ ଆଶ୍ରା ଦେଇଥିବା ବରଗଛର ?


କୁସଂସ୍କାର, ଅନ୍ଧବିଶ୍ୱାସର ବଶବର୍ତ୍ତୀ କନାଗୁଡି ବାସୀଙ୍କର ?


ଝିଅର ଇଚ୍ଛା ବିରୁଦ୍ଧରେ ବାହାଘର ସ୍ଥିର କରିଥିବା ବାପାମାଆଙ୍କର ?


ପ୍ରେମ ଓ ଭରସାରେ ଆଗକୁ ବଡୁଥିବା ଚୁମୁକିର ?


ସୁଧିଜନେ ବିଚାର ଆପଣଙ୍କର !!




Rate this content
Log in

Similar oriya story from Romance