ବସ୍ତି ବାସିନ୍ଦା
ବସ୍ତି ବାସିନ୍ଦା
ବସ୍ତି ଶବ୍ଦଟି କାନରେ ପଡିଲେ ହିଁ ମନରେ ଏକ ଘୁଣା ଭାବ ସ୍ବତଃ ଜାଗ୍ରତ ହୁଏ। ସାଧାରଣତଃ ବସ୍ତି କହିଲେ କିଛି ଜାକିଜୁକି ହେଇରହିଥିବା ଘର ,ମଝିରେ ବହି ଯାଉଥିବା ଏକ ନାଳ,କିଛି ଅଧା ଚିରାଫଟା ଡ୍ରେସ ତଥା ବର୍ଷ ବର୍ଷ ଧରି ତେଲ ନ ପାଇ ଫୁରଫୁର ଉଡୁଥିବା ଚୁଟି ଧାରୀ ଛୁଆଙ୍କ ଚିତ୍ର ଆଖିରେ ଆସେ। ହେଲେ ଆମ ମାନିନୀ ? ମାନିନୀର ତ ଏ ବସ୍ତି ଓ ବସ୍ତି ଜୀବନ ସହିତ ଅତି ଘନିଷ୍ଠ ସମ୍ପର୍କ। ସେ ବସ୍ତି ଛାଡିବା ଅନେକ ବର୍ଷ ବିତି ଗଲାଣି ହେଲେବି ଆଜି କେତେବେଳେ କେତେବେଳେ ସେ ସବୁ ସ୍ମୃତି ହୋଇଫେରିଆସନ୍ତି। ମାନିନୀର ଜନ୍ମକେବେ କୋଉଠି ହେଇଥିଲା ସେ ଜାଣିନି।ହେତୁ ପାଇବା ଦିନରୁ ସେ ନିଜକୁ ଆବିଷ୍କାର କରିଥିଲା ସହର ଠାରୁ ଦୁରରେ ଥିବା ସେ ବସ୍ତିରେ।ସେଦିନ ବାସନ୍ତି ଦେବୀ ଯିଏକି ମାନିନୀର ଶାଶୁ,ଏବେ ସେ ସ୍ବର୍ଗବାସୀ ନିଜ କାମବାଲୀ ରମା ମାନିନୀକୁ ଯିଏ ବସ୍ତି ପାଖ ଅଳିଆଗଦାରୁ ଆଣି ପାଳିଥିଲା ପାଖକୁ ତା ଦେହ ପା'କଥା ବୁଝିବାକୁ ଯାଇଥିବା ବେଳେ ମାନିନୀ ଉପରେ ତାଙ୍କର ନଜର ପଡିଥିଲା।ରମା ର ମୃତ୍ଯୁ ପରେ ସେ ମାନିନୀ କୁ ଆଣି ନିଜ ଘରେ ରଖିଥିଲେ।ସେହିଦିନ ଠାରୁ ମାନିନୀ ଆଉ ବସ୍ତିକୁ ଫେରିନାହିଁ। ସମୟର ବିଚିତ୍ର ଖେଳ ଭିତରେ ଛନ୍ଦି ହୋଇ ସମୟ କ୍ରମେ ମାନିନୀ ବାସନ୍ତୀ ଦେବୀଙ୍କର ଏକମାତ୍ର ପୁଅ ଯିଏକି ପକ୍ଷାଘାତ ରୋଗରେ ପିଡୀତ ଥିଲେ କୁ ବିବାହ କରିଥିଲା। ବାସନ୍ତୀ ଦେବୀଙ୍କର ସମ୍ପତ୍ତି ନୁହେଁ ବଂର ତାଙ୍କର ସାହାଯ୍ଯ ଓ ସହାନୁଭୁତିର ଚାପରେ ମାନିନୀ ଏତେ ଭାରାକ୍ରାନ୍ତ ଥିଲା ଯେ ସେ ବାଧ୍ଯ ହୋଇ ଏକ ଜଡ ମାନବ କୁ ବିବାହ କରିବାକୁ ରାଜି ହେଇଯାଇଥିଲା।ବିବାହ ସିନା କଲା ହେଲେ ନା ଥିଲା ଜୀବନ ରେ ସ୍ବାମୀସୁଖ ନାଥିଲା କୋଳରେ ସନ୍ତାନଟିଏ। ମାନିନୀର ମାମୁଁ ଶ୍ବଶୁର ସେହି ସହରର ଏକ ବଡ ଡାକ୍ତର ଥିଲେ ।ବାସନ୍ତୀ ଦେବୀ ସବୁବେଳେ ତାଙ୍କୁ ନିଜର ବଂଶ ବୁଡିଯିବା ଦୁଃଖ ଜଣାନ୍ତି।ତେଣୁ ସେ ଥରେ ତାଙ୍କୁ ଫୋନକରି କହିଲେ ଯେ ତାଙ୍କ ହସ୍ପିଟାଲ କଚଡା ଡବାରେ କେହି ଜଣେ ଏକ ସଦ୍ଯନବଜାତ ଛୁଆଟିଏ ଛାଡି ଚାଲିଯାଇଛି। ପୁଅ ଛୁଆଟିଏ। ଏ କଥା ଶୁଣୁ ଶୁଣୁ ବାସନ୍ତୀଦେବୀ କାଳବିଳମ୍ବ ନକରି ସେଠାକୁ ଯାଇ ସମସ୍ତ କାଗଜପତ୍ର କାମ ସାରି ସେ ଛୁଆଟିକୁ ଆଣି ମାନିନୀ ହାତରେ ଦେଇ କହିଥିଲେ-"ଦେଖ ମୋ ବଂଶର ଉତ୍ତରାଧିକାରୀ ଓ ତୋ ବୃଦ୍ଧାବସ୍ଥାର ଆଶାବାଡି ଆସିଗଲା।" ମାନିନୀ ବି ସେ ଛୁଆଟିକୁ କୋଳେଇ ନେଇଥିଲା।ଶ୍ରଦ୍ଧାରେ ତା ନାଁ ରଖିଥିଲା କାହ୍ନା। ସମୟକ୍ରମେ ବାସନ୍ତୀଦେବୀ ଓ ମାନିନୀର ସ୍ବାମୀ ଏ ଇହଧାମ ତ୍ଯାଗ କରିସାରିଲେଣି।କାହ୍ନା ଆଜି ଏକ ବହୁତ ବଡ କମ୍ପାନୀରେ ସଫଟ୍ଓ୍ବେର ଇଞ୍ଜିନିୟର୍।ସବୁକିଛି ଠିକଠାକ୍ ଚାଲିଥାଏ । ଦିନେ ମାନିନୀ ବସି ସଂଧ୍ଯାରେ ବସି ଚା ପିଉଥିବା ବେଳେ ।କଲିଂ ବେଲ ବାଜିଲା।ସେ ଯାଇ କବାଟ ଖୋଲିଲା।କାହ୍ନା ରାଗରେ ଫଁ ଫ୍ଁ ହୋଇ କବାଟ ପାଖେ ଠିଆ ହେଇଛି ।ମାନିନୀକୁ ଦେଖୁ ଦେଖୁ କହିଲା
-ମା ମୋ ଲାଗି ଶୀଘ୍ର ଟିକିଏ ପାଣି ଗରମ କର।
-କାହିଁକି?
-ମୁଁ ଗାଧୋଇବି।
-ଆଜି?ଅବେଳରେ?
-ହଁ,ଆଜି ବାଟରେ ଆସିଲା ବେଳେ ରାସ୍ତାରେ ସେ ଯୋଉ ବସ୍ତି ପାଖରେ କଣ ଗୋଟେ ଗଣ୍ଡଗୋଳ ହେଇଥିଲା,ସେମାନେ ପୁରା ରାସ୍ତାରୋକ କରିଥିଲେ।
-ଓହୋ ତେବେ ?
-ତେବେଆଉ କଣ ?ଗାଡି ଆସିପାରିଲାନି।ବାଧ୍ଯ ହୋଇ ସେଇ ଭିଡ ଭିତରେ ପଶି,ସେ ଲୋକମାନଙ୍କୁ ଠେଲିପେଲି ଚାଲିଚାଲି ସେ ଭିଡ ପାରହେଲି ।ପୁଣି ଗୋଟେ ଅଟୋ ଭଡା କରିକି ଆସିଲି।
-ଓହୋ ସେଥିଲାଗି ଝାଳନାଳ ହେଇଯାଇଛୁ।ଗୋଧେଇବି ବୋଲି କହୁଛୁ।
-ନାଇଁ ମା,ସେ ବସ୍ତି ଲୋକ ଗୁଡାକ ଦେହରୁ କି ଅଜବ ଗନ୍ଧ ବାହାରୁଥାଏ।ମୁଁ ନାକରେ ରୁମାଲ ଦେଇକି ଆସିଛି।କେବେ ଗାଧାନ୍ତି କି ନାହିଁ କେଜାଣି?
ଏତିକି କହି କାହ୍ନା ଗାଧୁଆଘରେ ପଶିଗଲା।
ମାନିନୀ ସୋଫାରେ ବସି ପଡି ଭାବୁଥିଲେ।ସତରେ କଣ ବସ୍ତି ବାସିନ୍ଦାଗୁଡା ଏତେ ଗନ୍ଧାନ୍ତି?
ସେଦିନ ଯଦି କାହ୍ନାକୁ ମାନିନୀ ଓ ବାସନ୍ତୀଦେବୀ ଆପଣେଇ ନଥାଆନ୍ତେ ତେବେ ହୁଏତ ସେ ବି ଆଜି କୋଉ ଏକ ବସ୍ତିର ବସ୍ତି ବାସିନ୍ଦା ପରିଚୟ ନେଇ ବଞ୍ଚୁଥାଆନ୍ତା।ତେବେ ବି କ'ଣ ତା ମନରେ ବସ୍ତିବୀସିନ୍ଦାଙ୍କ ଲାଗି ଏତେ ଘୃଣା ଥାଆନ୍ତା ।