ବସ୍ତାନୀ
ବସ୍ତାନୀ


ତାଙ୍କ ପୁଅ କିର୍ତ୍ତୀ ମୋତେ ଡିଭୋର୍ସ ଦେଲା ପରେ ତିନୋଟି ବସ୍ତାନୀ କିଣି ଆଣିଲେ ମୋ ଶଶୁର ବାପା। ଦୁଇଟି ମୋ ଚାରି ବର୍ଷର ଝିଅ ଓ ପୁଅଙ୍କର ଏବଂ ଅନ୍ୟଟି ମୋର।
କହିଲେ, ଦେଖ ମା ତୋ ହାତରେ ଆଗକୁ ବଢିବାକୁ ,ନୂଆ କରି ଜୀବନ ଗଢିବାକୁ ,ସ୍ୱପ୍ନ ସତ କରିବାକୁ ସୁଯୋଗଟିଏ ଦେଉଛି । ତୁ ସେଠି ଧ୍ୟାନ କେନ୍ଦ୍ରୀଭୂତ କର। ବିକ୍ଷିପ୍ତ ଚିନ୍ତା ଓ ଚେତନାକୁ ଆୟତ୍ତ କରି ସୁଯୋଗର ସଦ୍ ବ୍ୟବହାର କର। ଜୀବନରେ ଏପରି ସୁଯୋଗ ସବୁବେଳେ ପୁଣି ସମସ୍ତଙ୍କ ଭାଗ୍ୟରେ ଜୁଟେନି । ଆମେ ପାଚିଲା ତାଳ ହେଲୁ।କେତେବେଳେ ଖସିବୁ କିଏ କହିବ ! ଆଗରେ ତୋର ବିରାଟ ସମୁଦ୍ର। ଆମେ ତୋ ସହ ଥିବା ଅବସ୍ଥାରେ ଦୃଢ଼ତାର ସହ ପହଁରା ଶିଖିଯା । ନଚେତ୍ ବୁଡିଯିବୁ ରେ ମାଆ।ତୁ ବୁଡ଼ିଗଲେ ଏ ନିରୀହ ଛୁଆ ଦୁଇଟି ବି ବୁଡିଯିବେ । ଯା ପଢାପଢି ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କର।
ତାଙ୍କ ଆଗରେ କିଛି କହିବାକୁ ତୁଣ୍ଡ ଖୋଲିବାକୁ ମୋ ବିବେକ ଅନୁମତି ଦେଲା ନାହିଁ। ମୋ ଜୀବନରେ ମୁଖ୍ୟ ଗଛର ଛାଇ ସିନା ନାହିଁ କିନ୍ତୁ ତା ପାଖ ଗଛର ପର୍ଯ୍ୟାପ୍ତ ଛାଇ ଅଜାଡି ପଡୁଛି ମୋ ମୁଣ୍ଡ ଉପରେ। ଈଶ୍ୱର ମୋତେ ଏତେ ସୁନ୍ଦର ହୃଦୟର ଶାଶୁ ଶଶୁର ଦେଇଛନ୍ତି। ଏପରି ଦୁର୍ଦ୍ଦିନରେ ସେମାନେ ଏ ସଂସାରର ଆଉ କେତୁଟା ବାପା ମାଆ ଯେଉଁମାନେ ଅନ୍ଧ ଭାବେ ନିଜ ପୁଅର ଭୁଲ୍ ଉପରେ ପରଦା ଢାଙ୍କନ୍ତି ଏବଂ ପୁଅକୁ ସମର୍ଥନ କରି ଭୁଲ୍ କୁ ପ୍ରଶୟ ଦିଅନ୍ତି ସେପରି ଅବିବେକି ମଣିଷ ନୁହଁନ୍ତି ନା ।କେଇଟା ବାପା ମାଆ ପୁଅକୁ ତେଜ୍ୟପୁତ୍ର କରି ବୋହୁ ଓ ନାତି ନାତୁଣୀଙ୍କୁ ଜୀବନର ସର୍ବସ୍ବ କରନ୍ତି ! ଏ କ୍ଷେତ୍ରରେ ମୁଁ ନିଶ୍ଚିତ ଏକ ନମ୍ବର ଭାଗ୍ୟଶାଳୀ ବୋହୁ। ଜୀବନରେ ମୋତେ ଯାହା ମିଳୁଛି ତାକୁ ହୃଦୟରୁ ଗ୍ରହଣ କରିବା ମୋର ପ୍ରଥମ ଓ ପରମ ଧର୍ମ ।
ବାପାଙ୍କୁ ଆଉ କିଛି ପଚାରି ବେଶୀ ଖୋଳତାଡ଼ କରିବାକୁ ଚାହିଁଲି ନାହିଁ।ମାଆଙ୍କ ଡାଇରୀ ଓ ବାପାଙ୍କ କଥାରୁ ସବୁ କିଛି ବୁଝିଗଲି। ଯେତେ ଖେଳେଇବି ସେଥିରେ ମୋ ହୃଦୟ ହିଁ ବେଶୀ ଭାରି ହେବ । ଅନ୍ଧାରରେ କିଛି ସତ୍ୟ ରହିବା ସଭିଙ୍କ ପାଇଁ ଆଶୀର୍ବାଦ ହୋଇଥାଏ। ଥାଉ କୀର୍ତ୍ତିଙ୍କ ଜନ୍ମ ଜାତକ ରହସ୍ୟ ଘେରରେ ।ସେ ମୋର କଣ ଯେ ତାଙ୍କ ବିଷୟରେ ଏତେ ଜାଣିବା ଦରକାର ?
ନୂଆ ଜାଗା ନୂଆ ପରିବେଶକୁ ନୂଆ ବେଶ ପୋଷାକ ଭିତରେ ମୁଁ ନିଜକୁ ଖାପ ଖୁଆଇବାରେ ଲାଗି ପଡିଲି।ଶାଶୁ କିନ୍ତୁ ମାତ୍ରାଧିକ ଚୁପ୍ ରହୁଥାଆନ୍ତି।ତାଙ୍କ ସୁନ୍ଦର ବଗିଚା ନାହିଁ କି ନାହିଁ ପ୍ରିୟ ଚମ୍ପା ଗଛ। ନାହାନ୍ତି ରଥ ବାବୁ, ମିତ୍ର ବାବୁ କି ସ୍ବାଇଁ ବାବୁଙ୍କ ମିସେସ୍ ପଡୋଶୀ ରୂପରେ। ଯାହାଙ୍କ ସହ ଗପସପ ହୋଇ ସମୟ କଟୁଥିଲା। ଏ ନୂଆ ଅତି ଅଚିହ୍ନା ଜାଗା ଓ ଘର ସତରେ କାହାକୁ ଭଲ ଲାଗୁ ନଥିଲା। ପିଲା ଦୁଇଟି ରମେଶ କାକା ଓ ପୂଜାରୀ ଜେଜେଙ୍କୁ ଖୁବ୍ ଖୋଜୁଥିଲେ।ଏଇଟା ଆମ ଘର ନୁହେଁ। ଆମ ଘରକୁ ଚାଲ ଅଳି କରୁଥିଲେ। କମ୍ପ୍ୟୁଟର ବ୍ରେନ ନେଇ ଜନ୍ମ ନେଇଛନ୍ତି ସେ ଦୁହେଁ। ଦିନକୁ ଦିନ ବିଚକ୍ଷଣ ବୁଦ୍ଧି ଦେଖାଉଛନ୍ତି । ବାପା ତାଙ୍କୁ ଏବେ ସ୍କୁଲକୁ ନେବା ଆଣିବା କରୁଛନ୍ତି। ପିଲା ମନ।ନୂଆ ସାଙ୍ଗ ଓ ସ୍କୁଲ ପାଇ ଅତି ଅଳ୍ପ ସମୟରେ ସବୁ କିଛି ଭୁଲି ଆଗକୁ ବଢ଼ୁଛନ୍ତି ସେମାନେ।
ଆହା ପିଲା ହେବା କେତେ ଭଲ । ସବୁ ନୂଆକୁ କେତେ ସମୟ ଭିତରେ ନିଜର କରି ନେଲଣି ! କିନ୍ତୁ ବଡ଼ ମାନେ ଏମିତି ସ୍ୱଭାବର ହୁଅନ୍ତି ନାହିଁ କାହିଁକି ? ଘଟଣା ହେଉ କି ଦୁର୍ଘଟଣା ଯେତେ ଚାହିଁଲେ ଭୁଲିବା ପରିବର୍ତ୍ତେ ବେଶୀ ବେଶୀ ମନ ପଡେ କଣ ପାଇଁ ବଡ଼ଙ୍କର !
ବାପା ସତରେ ବହୁତ ଚାଲାକ। ମୋ ମନରୁ କୀର୍ତ୍ତି ଜନ୍ମକୁ ନେଇ ଯେଉଁ ଭୂତ ପଶିଥିଲା ତାକୁ ମୋ ଭିତରୁ ଘଡାଇବା ପାଇଁ କହିଲେ ଗଲୁ କଡା ଚା କପେ ନେଇ ଆସିବୁ। ନାଇଁ ନାଇଁ କପେ ନୁହେଁ ଦୁଇ କପ୍ ନେଇ ଆସିବୁ। ଶ୍ରଦ୍ଧାଟା କାହା ସହ କଥାବାର୍ତ୍ତା ନ ହୋଇ ପାରି ଖୁବ୍ ଚୁପ୍ ହୋଇ ଗଲାଣି ତ ଆଜି ଚା ସହ ତା ସଙ୍ଗରେ ଗପିବି। ଏଇ ଏଇ କୋମାରୁ ବାହାରିଛି। ମନ ଫୁର୍ତ୍ତି କି ଖୁସି ନ ହେଲେ ବିଷାଦଗ୍ରସ୍ତ ମାନସିକ ରୋଗୀଟିଏ ହୋଇଯିବ ।
ହଁ ବାପା ମୁଁ ବି ସେ କଥା ଲକ୍ଷ୍ୟ କରିଛି।ଆପଣ ସବୁବେଳେ ମାଆଙ୍କ ପାଖେ ପାଖେ ରୁହନ୍ତୁ।ସିୟା ସାଇ ଓ ଆପଣ ଦୁଇଜଣ ଖେଳନ୍ତୁ ଗପନ୍ତୁ କିମ୍ବା ବୁଲାବୁଲି କରିବାକୁ ଯାଅନ୍ତୁ।
ହେଉ ତୁ ଯାଇ ମାଆଙ୍କୁ ବୈଠକ ଘରକୁ ଡାକିଦେ। ପିଲା ଦୁହେଁ ଶୋଇକି ଉଠିଲେ ଆଜି ଟିକେ ମନ୍ଦିର ଆଡେ ନେଇଯିବି।
ବାପା ତାଙ୍କ ଯୁବା ବୟସ କଥା ମନେ ପକେଇ ମାଆଙ୍କୁ ଖୁସି କରିବା ଚେଷ୍ଟାରେ ଥିଲେ। କଥାର ମଝିରେ ଦୁହିଙ୍କ ହସ ଭାସି ଆସୁଥିଲା ରୋଷେଇ ଘର ଯାଏ। ବାପା କେତେ ଭଲ।ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ କେତେ କଣ କରୁଛନ୍ତି ! ସତରେ ସେ କଣ ଦୁଃଖୀ ନ ଥିବେ !ତାଙ୍କୁ କେହି ବୁଝାଉ , ତାଙ୍କ ପାଖରେ ସାହସ ହୋଇ ଠିଆ ହେଉ ଚାହୁଁ ନ ଥିବେ ! ବର୍ତ୍ତମାନ ସେ ନୀଳକଣ୍ଠ ନିଜ ହାତ ଗଢ଼ା ସଂସାରର ସମସ୍ତ ବିଷ ପିଇ। ବାପା ହେବା ସତରେ କି କଷ୍ଟ !
ବାପା ଚା। ମାଆ ଚା।
ଆଉ ତୋ ଚା ? ଆଣିନୁ କି ?
ପରେ ପିଇବି ମାଆ।
କାହିଁକି ଆଣେ ଯା। ତୁ ତ ଆମର ଝିଅ।ବୋହୁ ଥିଲା ବେଳେ ବି ଆମ ସହ ଚା ପିଉଥିଲୁ ।ଏବେ କାହିଁକି ନୁହଁ ?ଆଣେ ଯା ।
ଚା ନେଇ ଆସିଲି। ଚା ପିଉ ପିଉ ବାପା କହିଲେ,
ଆଜିକାଲି ବହୁତ ଅନ୍ୟମନସ୍କ ରହୁଛି ଆମ ସିମ୍ରନ।
ବାପା ସିମ୍ରନ ନୁହେଁ ମୋତେ ସିମୁ ଡାକନ୍ତୁ ପ୍ଲିଜ଼।
ସିମୁ ! ସିମୁ କିଏ ! ମୁଁ ତାକୁ ଜାଣିନି !
ସବୁତ ମୋ ଠାରୁ କାଢି ନିଆ ଯାଇଛି ।ଏପରିକି ମୋ ଆତ୍ମାକୁ ମଧ୍ୟ। ମରଣ ଜୀଉଁଛି ଏବେ ।ବାହାର ଲୋକଙ୍କ ପାଇଁ ସମିତା ସିନା ମୃତ ଆପଣଙ୍କ ଭିତରେ ଅନ୍ତତଃ ସୁମି ବଞ୍ଚି ରହୁ।
ତୁ କିଛି ଜାଣିନୁ ତ ସେଥିପାଇଁ ଏମିତି କହୁଛୁ।
କଣ ଜାଣିନି ସିମୁ ?
କଣ କହିବି ଶ୍ରଦ୍ଧା ଆମେ ଦିଅଁ ଗଢିବାକୁ ଯାଇ ରାକ୍ଷସଟିଏ ଗଢି ଦେଇଛେ। ଜାଣିଛ ମୋ ଅନୁମାନ ଅମୂଳକ ନ ଥିଲା। ମୁଁ ଜାଣିଥିଲି କୀର୍ତ୍ତି ଘରକୁ ଆସି ହଙ୍ଗାମା କରିବ। ମୋ ସିୟା ସାଇଙ୍କୁ କିଡନାପ କରି ମାରିବାକୁ ସେ ପଛାଇବ ନାହିଁ। ଏଣୁ ଅଜ୍ଞାତ ବାସର ଦଣ୍ଡ ଭୋଗିଲେ ଆମେ। ଓକିଲ କହୁଥିଲେ କୀର୍ତ୍ତି ଆସି ଖୁବ୍ ଭଙ୍ଗା ରୁଜା କରିଛି । ଆମ ଘରେ ଖୋଲିଥିବା ଅଫିସର ଚେୟାର ପର୍ସନ୍ ପୋଲିସ୍ ଧମକ ଦେବାରୁ ଲାଗୁଡ଼ ଜାକି ପଳେଇ ଯାଇଛି। ସମସ୍ତଙ୍କୁ ପଚାରୁଥିଲା କୁହ ଏ ଘର ମାଲିକ କୁଆଡେ ଗଲେ?ଏ ସିମ୍ରନ ନୂଆ ମାଲିକିଆଣୀ କିଏ ଓ କେଉଁଠି ରୁହନ୍ତି? ଏଇଟା ମୋ ଘର।ତାଙ୍କର ସାହସ କେମିତି ହେଲା ଏ ଘର କିଣିବାକୁ ? କିଣି ଦେଇ ଅଫିସକୁ ପୁଣି ଭଡାରେ ଦେଇ ଛୁ ! ଠିକଣା ପାଇଲେ ନାମ ପଟାଏ ଦେବି।
କିଏ ଜାଣିଛି ଯେ କହିବ ! ଓକିଲ ଠାରୁ ତ ଘର ଭଡାରେ ଅଫିସ ନେଇଛି।ଆମକୁ ସେମାନେ କଣ ଜାଣନ୍ତି ? ପୁଣି ସମିତା ନାଁ ଯେ ସିମ୍ରନ୍ ଏ ଗୂଢ ରହସ୍ୟ ତା ନିଜ ମାଆ ବାପା ବି ଜାଣି ନାହାନ୍ତି ତ ସାଧାରଣ ଲୋକେ ଜାଣିବେ କେମିତି ?
ଏଥର ବୁଝିଲ ତ ଚୁପଚାପ ଅଜ୍ଞାତ ବାସର କାରଣ।ସେ ଚାଣ୍ଡାଳ ଜ୍ଞାତସାରରେ ସିମ୍ରନ୍ ପୃଥିବୀର ଯେଉଁ କୋଣେରେ ରହିଲେ ବି ଗୋଡେଇ ଗୋଡେଇ ତା ଅବଦମିତ ଇଚ୍ଛା ପୂରଣ ପାଇଁ ଅନେକ ତଳକୁ ଖସି ଯାଇ ପାରିଥାନ୍ତା। ଆମକୁ ସିଧାସଳଖ କଷ୍ଟ ନ ଦେଇ ପରୋକ୍ଷ ଭାବେ ଛୁଆଙ୍କ ଦ୍ୱାରା ନେଇଥାନ୍ତା । ପ୍ରତିଦିନ କିଛି ନା କିଛି ଡ୍ରାମା କରିଥାନ୍ତା।
କୀର୍ତ୍ତି ଏମିତି ହେବ, ବାପା ମାଆ ହୋଇ ତା ଉପଦ୍ରବରୁ ରକ୍ଷା ପାଇବା ପାଇଁ ନିଜ ଘର ଦ୍ୱାର ଛାଡି ଅଜ୍ଞାତ ବାସରେ ରହିବା ଏକଥା କଣ କେବେ କଳ୍ପନା କରିଥିଲେ। ଦଇବଟା ଦାରୁଣ । କେଉଁ ଜନ୍ମର ପ୍ରତିଶୋଧ ଏ ଜନ୍ମରେ ସେ ନେଉଛି ବୋଧେ।
ହଁ ଶ୍ରଦ୍ଧା ସେଇଆ ଧରିନିଅ।ସନ୍ତାନ ସୁଖ ଆମ କପାଳରେ ନାହିଁ । ଏଠିକୁ ଆସି ଭଲରେ ଅଛେ।ଲୋକଲଜ୍ୟା ହେବାକୁ ପଡୁନାହିଁ କି ଭୟ ନାହିଁ କୀର୍ତ୍ତି ଆସି କିଛି ଅଘଟଣ ଘଟେଇବ। ଅପେକ୍ଷା କର ଅଳ୍ପ ଦିନ ମଧ୍ୟରେ ତୁମକୁ ଏ ସ୍ଥାନ ଓ ଲୋକେ ଭଲ ଲାଗିବେ।ତୁମେ ବି ଅନେକ ବନ୍ଧୁ କରି ପାରିବ।
ମାଆ ବାପାଙ୍କ କଥା କେବଳ ଶୁଣୁଥିଲେ କିଛି ଉତ୍ତର ନ ରଖି। ପୁଅ ଡରରେ ବଞ୍ଚିବାକୁ ସେ ଗ୍ରହଣ କରି ପାରୁ ନ ଥିଲେ ବି ମୁହଁ ଖୋଲି କହୁ ନ ଥିଲେ।ସତରେ ତ ଏମିତି ଗୋଟିଏ ଜୀବନ ବଞ୍ଚିବାକୁ ବଞ୍ଚିବା କୁହାଯିବ ! ଏଇ ଦେଖୁନ ମୁଁ ସମିତା ବଞ୍ଚି କି ମୃତ । ତାର ସମାଧି ଉପରେ ସିମ୍ରନ ଠିଆ।ସମିତା ଡିଭୋର୍ସି।ସିମ୍ରନ୍ ର କିନ୍ତୁ ଅବିବାହିତ ବେଶ । ପଢିବି ଯଦି ଘରେ ରହି କାହିଁକି? କିଏ ଚିହ୍ନିବ ସିମ୍ରନ୍ ସମିତା ବୋଲି ! ଏଣୁ ଲାଇଫ୍ ସାଇନିସ୍ ପିଜିରେ ମୋ ନାଁ ଲେଖା ହୋଇଗଲା । କେହି ଜାଣିଲେ ନାହିଁ ଅଠେଇଶି ବର୍ଷୀୟ ସିମ୍ରନ୍ ର ଅତୀତ ଜୀବନ ।
ସବୁଠାରୁ ମଜା କଥା ସିୟା ଶ୍ରଦ୍ଧାଙ୍କ ସହ ମୋ ପିଠିରେ ବି ବସ୍ତାନୀ ପଡିବ। ଆମେ ମାଆ ପୁଅ ଓ ଝିଅ ନିତି ସକାଳେ ପଢିବାକୁ ଯିବୁ। ଫେରି ଆସି ବସି ଯିବୁ ନିଜ ନିଜ ବହି ଖୋଲି। ସିୟା ସାଇ କହିବେ ସେମାନଙ୍କ ସ୍କୁଲ କଥା,ସାଙ୍ଗ ସାଥି ଓ ମିସ୍ ଙ୍କ କଥା। ଆଉ ମୁଁ ହେବି ଅଧ୍ୟାପିକା ଟିଏ ।
ଡିଭୋର୍ସ ଷ୍ଟାମ୍ପ ଲିଭିଯିବ ମୁଁ ଯେତେବେଳେ ସ୍ୱାବଲମ୍ବୀ ଆକାଶରେ ଉଡିବି।