Suchismita Sahoo

Tragedy Inspirational

4  

Suchismita Sahoo

Tragedy Inspirational

ବୋଉ ପାଇଁ ଚିଠିଟିଏ-୨

ବୋଉ ପାଇଁ ଚିଠିଟିଏ-୨

3 mins
250



ବୋଉଲୋ,


ଜାଣି ଖୁସି ହେବୁ, ଆଜି ତୋ ନାତୁଣୀ ପ୍ରଥମ ଥର ରଜବତୀ ହେଇଛି। ହେଲେ ମୁଁ ମୋ ଝିଅକୁ ପରମ୍ପରା ନାମରେ ଅଛୁଆଁ କରି ଦେଇନି। ମୋ ଭଳି ତାକୁ ଗୋଟିଏ କୋଣରେ ଜାକିଜୁକି ହେଇ ବସିବାକୁ ଦେଇନି। ମୋ ଭଳି ନା ତା ପାଇଁ ଅଲଗା ଖାଇବା ବାଢୁଛି ନା ତାର ବାସନକୁସନ କିଛି ଅଲଗା କରିଛି। ଆଜିବି ମନେ ପଡେ ମୋର ପ୍ରଥମଥର କରି ରଜବତୀ ହେବାର ଦିନ ଗୁଡିକ। କେତେ କଷ୍ଟରେ ବିତିଥିଲା ସେ ସାତଦିନ ମୋର। ମୁଁ ପିଲାଦିନେ ଭାରି ଲାଜକୁଳି ଥିଲି, ଅତି ସହଜରେ କାହା ସହ ମିଶି ପାରୁନଥିଲି, ତେଣୁ ପଡୋଶୀ କି ବନ୍ଧୁ ବାନ୍ଧବ କାହା ଘରକୁ ବେଶୀ ବୁଲିବାକୁ ଯାଏନି। ହେଲେ ସବୁ ଜାଣି ବି, ଘରେ ଜାଗା ନ ଥିଲା ବୋଲି ତୁ ମତେ ନେଇ ପଡ଼ୋଶୀଙ୍କ ଘରେ ଅଲଗା ରଖିଲୁ। ଟିକେ ବି ଭାବିଲୁନି, କିଛି ମୁହୁର୍ତ୍ତ କାହା ଘରକୁ ଯାଇ ଗପସପ କରି ପାରୁନଥିବା ଝିଅ ଏତେ ଦିନ କେମିତି ଅନ୍ୟ କାହା ଘରେ ରହିବ। ମତେ ମୋ ବାପା ଓ ଭାଇଙ୍କୁ ଦେଖିବା କିମ୍ବା ସେମାନେ ମତେ ଦେଖିବା ମନାଥିଲା। ବାପା, ଭାଇ, ଛୋଟଛୁଆ ଏମିତି କାହାରିକୁ ବି ଛୁଇଁବାକୁ ମତେ ବାରଣ କରାହେଇଥିଲା। ମୁଁ ଯଦି କାହାକୁ ଛୁଇଁ ଦେଉଥିଲି ତେବେ ସେ ଯାଇ ସଙ୍ଗେ ସଙ୍ଗେ ଗାଧୋଉଥିଲା କିମ୍ବା ତୁ ତା ଉପରେ ଟିକେ ଗଙ୍ଗାଜଳ ଛିଞ୍ଚି ଦେଉଥିଲୁ। ମତେ କୋଉ ଛୋଟଛୁଆ ଛୁଇଁଲେ ସେ କାଳେ ପତଳା ହେଇଯିବ, ହେଲେ କାହିଁକି ଓ କେମିତି? ମୁଁ ଜାଣେ ଏହାର ଉତ୍ତର ତ ପାଖେ ବି ନାହିଁ। ଅଛୁଆଁ ଙ୍କ ପରି ମୋର ବାସନ, ଶେଯ, ସବୁକିଛି ଅଲଗା। ମାନସିକ ଚାପ କଥା ଛାଡ, କେତେ ଶାରୀରିକ କଷ୍ଟ ହୁଏ, ସେ କଥା ତ ତତେ ଭଲ ଭାବେ ଜଣା ନା ବୋଉ। ଯେତେବେଳେ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲି, ତୁ ଦୂରରୁ ଥାଇ ଭୋ ଭୋ କାନ୍ଦି ପକୋଉଥିଲୁ ହେଲେ ଥରୁଟିଏ ମତେ ଛୁଇଁ ମୋ ପେଟ ପିଠିରେ ହାତ ବୁଲେଇଲୁନି। ତୋ କାନ୍ଦ ମୁଁ ସହିପାରେନି, ତେଣୁ ଯେତେ ଯନ୍ତ୍ରଣା ହେଉପଛେ ସବୁ ନିଜ ମଧ୍ୟରେ ଚାପି ଦେଇ ମୁଁ ତୋ ଆଗେ ହସିବାର ଅଭିନୟ କରେ। ଛାଡ଼! ତୋ ଉପରେ ଅଭିମାନ କରି କି ରାଗି କିଛି ଲାଭ ନାହିଁ। ତୁ ତ ପରମ୍ପରାକୁ ଛାଡିପାରିବୁନି। ସେଥିରେ ତୋର କିଛି ବି ଭୁଲ ନାହିଁ। ତୁ ତୋ ଛୋଟବେଳୁ ଯାହା ଦେଖି ଆସିଛୁ, ଯାହା ସମାଜରେ ଆଜି ବି ଦେଖୁଛୁ, ତୁ ବି ସେୟା କଲୁ। କିନ୍ତୁ ଦୁଃଖର ବିଷୟ, ମୋ ଶାଶୁ, ଯିଏ ଏତେ ଶିକ୍ଷିତ, ବାହାର ଦୁନିଆକୁ ଏତେ ଦେଖିଛନ୍ତି, ନିଜକୁ ମର୍ଡନ ଶାଶୁ ବୋଲି କହୁଛନ୍ତି, ସେ ବି ପରମ୍ପରା ନାମରେ ମୋ ଝିଅ ସହ ଅଛୁଆଁ ଭଳି ବ୍ୟବହାର କରୁଛନ୍ତି, ତାକୁ ଅଲଗା ରଖିବାର ସତ ଚେଷ୍ଟା କରୁଛନ୍ତି। ଏ ଅତ୍ୟାଚାର ଖାଲି ଆମ ଓଡିଶାରେ ନୁହେଁ ଲୋ ବୋଉ, ଭାରତର ପ୍ରାୟ ସବୁ ରାଜ୍ୟରେ ଏମିତି ଅବସ୍ଥା। ଥରେ ଖବରକାଗଜରେ ପଢ଼ିଥିଲି, ନେପାଳ କି ଉତ୍ତର-ପୂର୍ବ ଭାରତର ଘଟଣା ଠିକସେ ମନେ ନାହିଁ, ଅଲଗା ରଖିବା ପାଇଁ, ଛୋଟ ଝିଅଟିକୁ ଶୀତ ଋତୁରେ ବି ଘର ବାହାର ଏକ କୁଡ଼ିଆରେ ନେଇ ରଖିଥିଲେ। ଶୀତର କୋପରୁ ବଞ୍ଚିବା ପାଇଁ, ଟିକେ ନିଜ ଦେହକୁ ଉଷୁମ କରିବାକୁ, ଛୋଟ ଝିଅଟି କିଛି କୁଟା କାଟି ରେ ନିଆଁ ଲଗେଇ, ନିଆଁ ପୋଇ ହେଉଥିଲା। ହେଲେ ନିଆଁ ଅଣାୟତ ହେଇଗଲା, ଉଗ୍ରରୂପ ଧରି କୁଡ଼ିଆଟାକୁ ଜଳିଦେଲା ଆଉ ତା ସହ ସେ ଛୋଟ ଝିଅଟିକୁ। ଯଦିଓ ଏ ଘଟଣା ପାଇଁ କେହି ବି ଜେଲ ଯାଇ ନଥିଲେ, ମୁଁ କିନ୍ତୁ କହିବି ଏହା ପାଇଁ ଝିଅଟିର ଘର ଲୋକ ସମ୍ପୂର୍ଣ ଦାୟୀ। ଛାଡ଼ ସେ କଥା। ଯୋଉଠି ଧରିତ୍ରୀ ମାଆ ରଜବତୀ ହୁଅନ୍ତି ବୋଲି ଆମେ ଅତି ଆଡ଼ମ୍ବରରେ ତିନି ଦିନ ରଜ ପର୍ବ ପାଳନ କରୁ। ସେଇ ତିନିଦିନ ହଳ ଲଙ୍ଗଳ ସବୁ ବନ୍ଧ। ମାଟି ମାଆକୁ ଯେମିତି କିଛି କଷ୍ଟ ନ ହୁଏ ସେ ପ୍ରତି ଧ୍ୟାନ ଦିଅ ଯାଏ ପଞ୍ଚମଦିନ ମାନେ ବସୁମତୀ ଗାଧୁଆ ଦିନ ମାଟି ମାକୁ ସମ୍ମାନର ସହ ପୂଜା କରୁ। ତେବେ ସେଇ କଥା ମଣିଷ ପାଇଁ କାହିଁକି ନୁହେଁ? ଜାଣେନି ଏ ପରମ୍ପରା ର ବୈଜ୍ଞାନିକ କାରଣ କଣ। କିଛିଦିନ ରଜଶ୍ବିଳା କନ୍ୟା କୁ ଆରାମ ଦେବାକୁ ନା ଘର ଓ ପରିବେଶ ଯେମିତି ଅପରିଷ୍କାର ହେଇଯିବ ସେ ପ୍ରତି ଧ୍ୟାନ ଦେଇ। କିନ୍ତୁ ଏ ଦୁଇଟା ଯାକ ତ କନ୍ୟାକୁ ଅଛୁଆଁ ନ କରିବି ପାଖେ ରଖି କରିହେବ। ମୁଁ ଜାଣେ ତୁ ମୋ ଉପରେ ରାଗିବୁ, କହିବୁ ପାଠ ଦି ଅକ୍ଷର ପଢି ଦେଇଛି ବୋଲି ପରମ୍ପରାକୁ ବେଖାତିର କରୁଛି। ଯାହା କହୁଛୁ ତୁ କହ ଲୋ ବୋଉ, ଗାଳିଦେଲେ ବି ସହିବି, ଯେମିତି ଶାଶୁଙ୍କଠୁ ଶୁଣି ସହିଗଲି। କିନ୍ତୁ ମୁଁ ମୋ ରଜବତୀ ଝିଅକୁ କେବେ ଅଛୁଆଁ କରିବିନି, ନିଜଠୁ ଅଲଗା ରଖିବିନି। ହଁ, ସେ ପରିଷ୍କାର ପ୍ରତି ଯଥେଷ୍ଟ ଧ୍ୟାନ ଦେବ। ତୁ ବ୍ୟସ୍ତ ହେବୁନୁ ବୋଉ, ମୋ ଝିଅ ଏଥିରେ ପାରଙ୍ଗମ। ବୟସ ସିନା ଚଉଦ, ହେଲେ ନିଜ ଦାୟିତ୍ୱ, କର୍ତ୍ତବ୍ୟ ପ୍ରତି ସେ ସମ୍ପୂର୍ଣ ସଜାଗ, ଏ ଦିଗରେ ସେ ସମ୍ପୂର୍ଣ ସ୍ୱାଧୀନ, କେବେ ବି ମୋ ଉପରେ ନିର୍ଭର କରେନି। ବୋଧେ, ମୁଁ ନିଜ କର୍ମ ବ୍ୟସ୍ତ ଜୀବନରେ ତାର କାମ କରି ପାରିନି ବୋଲି, ସେ ନିଜକୁ ଆପଣା ଛାଏଁ କରିଦେଲା କି କଣ ଜାଣେନି, ହେଲେ ଯାହା ବି ହେଇଛି ଭଲ ହେଇଛି। ତୋ ପାଖକୁ ଚିଠି ଲେଖିବାର କାରଣ କିନ୍ତୁ ଅଲଗା ଥିଲା। ତୁ ମତେ ଆଉ ମୋ ଝିଅକୁ ଆଶୀର୍ବାଦ କରେ। ମୁଁ ଯେମିତି ମୋ ଝିଅକୁ ସମାଜର ଅସଭ୍ୟ, ଅଭଦ୍ର ରାକ୍ଷାସ ମାନଙ୍କ ପାଖରୁ ସୁରକ୍ଷିତ ରଖିପାରେ। କାହ୍ନାଙ୍କ ଦୟାରୁ ଆମେ ସମସ୍ତେ ଭଲରେ ଅଛୁ। ଆଶା କାହ୍ନା ତୋର ସବୁ କିଛି ମଙ୍ଗଳ ରଖିଛନ୍ତି। ହଉ ରହୁଛି। 


ଇତି

ତୋର ପାଗେଳି ।


Rate this content
Log in

Similar oriya story from Tragedy