ବିଷକନ୍ୟା
ବିଷକନ୍ୟା
କଳାକିଟିମିଟି ଅମାରଜନୀ ବିଚିତ୍ରପୁର ରାଜଉଆସ ଉପରେ ଚଳଚଞ୍ଚଳ ହେଉଥାଏ । ମଧ୍ୟରାତ୍ରୀ ହେବାକ୍ଷଣି ନଗର ଉପକଣ୍ଠସ୍ଥ ଅଧିଷ୍ଠାତ୍ରୀଦେବୀ ମନସାଙ୍କମନ୍ଦିର ପରିସରଭୁକ୍ତ କୃତିମ ପୁଷ୍କରିଣୀରେ ଶହେଆଠ କଳସ ଯୁକ୍ତ ହଳଦୀପାଣିରେ ସ୍ନାନଅନ୍ତେ ଶ୍ୱେତବସ୍ତ୍ର ପରିଧାନ କରି ଯଜ୍ଞ ମଣ୍ଡପରେ ବସିଛନ୍ତି ଷୋଡ଼ଶୀ ତରୁଣୀ କାମପ୍ରବୀଣା । ଅଷ୍ଟ ଅଘୋରୀଙ୍କ ରୁଦ୍ର ଅଷ୍ଟକମ୍ ମନ୍ତ୍ର ଉଚ୍ଚାରିତ ହେବାକ୍ଷଣି କଳାନାଗୁଣୀ ଦମ୍ପତିଙ୍କ ହଳାହଳ ବିଷ କାମପ୍ରବୀଣାଙ୍କ ସର୍ବାଙ୍ଗ ଶରୀରରେ ସଞ୍ଚାରିତ ହେଉଥାଏ ।
ମହାରାଜା ବିକ୍ରମକେଶରୀଙ୍କ ଲକ୍ଷ୍ୟ ସାଧନପାଇଁ ସେ ହେବେ ଏକ ଅମୋଘ ଅସ୍ତ୍ର । ଏଥିପୂର୍ବରୁ ବିଷକନ୍ୟା ଯୋଗରେ ଜନ୍ମିତ ଅନୁଢ଼ା କୁମାରୀ ଅନ୍ୱେଷଣରେ ରହି କେତେ ଯେ କନ୍ୟାଙ୍କୁ ବିଷାକ୍ତ ଖାଦ୍ୟ ,ସର୍ପ ଦଂଶନ ଜ୍ଵାଳା ଦେଇଛନ୍ତି ତାହାର ହିସାବ ନାହିଁ । ପରିଶେଷରେ ସେ ପ୍ରାପ୍ତି ହୋଇଛନ୍ତି ତାଙ୍କୁ । ରାଜ୍ୟ ପରିସୀମା ବୃଦ୍ଧି କରିବାର ମୂଖ୍ୟ ଭୂମିକା ନିର୍ବାହ କରିବେ ।
ପଡୋଶୀ ରାଜନ ଓ ଶତ୍ରୁପକ୍ଷ ପ୍ରତି ସୁପରିକଳ୍ପିତ ସେ । ନିର୍ଦ୍ଧାରିତ ଶୁଭଦିନ ଶନିବାର ସପ୍ତମୀ ତିଥି ଅଶ୍ଳେଷା ଲଗ୍ନ ଦେଖି ପ୍ରେରିତ ହେବେ ଷଡ଼ଯନ୍ତ୍ର ଅଭିଯାନରେ ପଡ଼ୋଶୀ ରାଜ୍ୟକୁ । ତାଙ୍କର ଅଦ୍ଭୁତ ପୂର୍ବ ଚୁମ୍ବକୀୟ କଥନ ଶୈଳୀ, କଟାକ୍ଷ ଦୃଷ୍ଟି ସାଙ୍ଗକୁ ଉନ୍ମକ୍ତଯୌବନା ବେଶ ପରିପାଟୀରେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ ଠିକ୍ ମନ ମୀନକୁ ବନଶି ଆକର୍ଷିଲା ପରି । ବିଧିବଦ୍ଧ ଭାବେ ଜିହ୍ୱାରେ ସାତଥର ବିଛାଦଂଶନ କରାଇଲା ପରେ ରକ୍ତିମା ଅଧରରେ ଖେଳିଗଲା ମୁଠାଏ ହସ ତା ସାଙ୍ଗକୁ ନୟନ ଦ୍ୱୟରୁ ଆଗାମୀ ଭବିଷ୍ୟତର ସକ୍ରିୟ ଆଭାସ । ସେ କାଳବିଳମ୍ୱ ନ କରି ରାଜନ ବିକ୍ରମକେଶରୀଙ୍କୁ ଦଣ୍ଡବତ କରି ତାଙ୍କ ପ୍ରତି କି ପ୍ରକାର କାର୍ଯ୍ୟ ସାଧନର ଗୁରୁଦାୟିତ୍ବ ଅର୍ପଣ କରାଯାଇଛି । ତାହା ସୁସ୍ପଷ୍ଟ ଭାବେ ପ୍ରକାଶ କରିବାକୁ ଅନୁରୋଧ କଲେ ।
ଯୌବନର ଆଭା ଯେତିକି ବିକଶିତ ହେଉଥାଏ । ରାଜ୍ୟର ପରିସୀମା ମଧ୍ୟ ସେତିକି ବୃଦ୍ଧି ହେଉଥାଏ ।
ଏକଥା ରାଜନ ବିକ୍ରମକେଶରୀ ଓ କାମପ୍ରବୀଣାଙ୍କ ବ୍ୟତିରେକ୍ ଆନକେହି ଜାଣିପାରି ନ ଥିଲେ । ଛଳ ପ୍ରତରଣା ପୂର୍ବକ ପ୍ରେମ ନିବେଦନକରି ସ୍ଵକୀୟ ରୂପଚର୍ଯ୍ୟାରେ ରାଜପୁରୁଷ ମାନଂକୁ କବଳିତ କରି ଚାଲିଥିଲେ ଅନାୟାସରେ।
ଏମିତି କିଛିଦିନ ଗଡିଚାଲିଲା....
ଦିନେ ନିଜର କକ୍ଷରେ ବିଶ୍ରାମ ନେଉଥିଲେ ଥାଆନ୍ତି କାମପ୍ରବୀଣା I ଏଇ ସମୟରେ ମହାରାଜା ତାଙ୍କୁ ଗୁପ୍ତକୋଠରୀରେ ସାକ୍ଷାତ କରିବା ପାଇଁ ଇଚ୍ଛୁକ ବୋଲି ଜଣେ ପରିଚାରୀ ସନ୍ଦେଶଟିଏ କହିଲେ । ସନ୍ଦେଶ ଶୁଣି ନିର୍ଦ୍ଧିଷ୍ଟ ନିଭୃତ କୋଠରୀରେ ଉପନୀତ ହେଲେ କାମପ୍ରବୀଣା ।ରାଜନ୍ ତାଙ୍କ ଉପରେ ପ୍ରୀତ ହେବା କଥା ଶୁଣିଲେ କେବଳ ସେତିକି ନୁହେଁ,କିଛିଦିନ ପରେ ସେ ଯାହା ଅଭିଳାଷ ପୋଷଣ କରିବେ ତାହା ତାଙ୍କୁ ଅଚିରେ ପ୍ରାପ୍ତହେବ ବୋଲି ପ୍ରତିଶ୍ରୁତିବାଣୀ ଶୁଣିଲେ ପ୍ରଵୀଣା ,କିନ୍ତୁ ତା ପୂର୍ବରୁ ଚମ୍ପାକଟକର ଯୁବରାଜ ବୀରଭଦ୍ରଙ୍କୁ ପ୍ରେମଜାଲରେ ଫସେଇ ତାଙ୍କୁ ଓ ତାଙ୍କ ରାଜ୍ୟକୁ ଧୂଳିସାତ କରିବାକୁ ହେବ । ଓଃ...
ଏଇ ସାମାନ୍ୟ କଥା...ନିଶ୍ଚୟ ମଣିମା କହି ଚାଲିଗଲେ ଚମ୍ପା କଟକ ଅଭିମୁଖେ ସେ ।
ଯାତ୍ରା ପଥରେ ଗଲା ବେଳେ ଦେଖିଲେ ଜଣେ ବୌଦ୍ଧଭିକ୍ଷୁ ଆମ୍ରବନରେ କିଛି ସଂସାରୀମାନଙ୍କୁ କିଛି ନୀତିଶିକ୍ଷା ପ୍ରଦାନ କରୁଥାଆନ୍ତି । ଯେଉଁଠି ଆଲୋଚ୍ୟ ବିଷୟର ସାରକଥା ଥିଲା "ଜୀବେ ଦୟା" । ସେଇ ଶଦ୍ଦ କାନରେ ଶୁଣି ବିଚଳିତ ହୋଇଗଲେ କିଛି ସମୟ । ସେ ତ କେବେ ଏ କଥା ଭାବି ନାହାଁନ୍ତି ହେତୁପାଇବା ଦିନରୁ । ଓଲଟି ରା
ଜନଙ୍କ ଗୁପ୍ତଚର ହୋଇ ତାଙ୍କ ଆଧିପତ୍ୟ ବିସ୍ତାର ପାଇଁ ବଚସ୍କରା ହୋଇଛନ୍ତି । ସଂସାରରେ ସବୁଠୁ ବଡ ଜୀବ ତ ମଣିଷ, ଅଥଚ ଅନ୍ୟର ସ୍ବାର୍ଥ ହାସଲ ପାଇଁ ସେ ଅସ୍ତ୍ର ସାଜି କେତେ ରାଜ୍ୟର ନିରୀହ ପ୍ରଜାଙ୍କୁ ସଙ୍କଟରେ ପକାଇଛନ୍ତି । ରାଜ୍ୟ ଭୁଲୁଣ୍ଠିତ, କବଳିତ ହେବା ପରେ ଜୀବଜନ୍ତୁ କଣ ଖୋଜୁ ନ ଥିବେ ତାଙ୍କ ପ୍ରିୟ ରାଜନ୍ ଙ୍କୁ???
କେତେ କେତେ ରାଣୀ ମହାରାଣୀ କଣ ବୈଧବ୍ୟ ଯନ୍ତ୍ରଣାରେ ଜର୍ଜରିତ ହେଉ ନ ଥିବେ ???
ନା ଆଉ ହେବ ନାହିଁ ???
ଏମିତି ଭାବୁଭାବୁ କେତେବେଳେ ସେ ଚମ୍ପାନଗର ରାଜବାଟିରେ ପହଞ୍ଚିଗଲେ ତାଙ୍କୁ ଜଣାପଡିଲା ନାହିଁ । ସେ ଜଣେ ନୃତ୍ୟାଙ୍ଗନା, ମନଜିଣା ନୃତ୍ୟ ପରିବେଷଣ କରିବେ ବୋଲି ଯୁବରାଜ ବୀରଭଦ୍ରଙ୍କୁ କହିଲେ । କାମପ୍ରବୀଣଙ୍କ ନୃତ୍ୟଶୈଳୀ ଲଚକ୍ ଠାଣି , ଅଙ୍ଗଚାଳନାରେ ବିମୋହିତ ଯୁବରାଜ ତାଙ୍କୁ ଏକତରଫା ଭଲପାଇ ବସିଲେ ତା ସହିତ ସେ ସବୁଦିନ ପାଇଁ ତାଙ୍କୁ ରାଣୀହଂସପୁରରେ ସ୍ଥାନଦେବେ ବୋଲି ଥୋଇଦେଲେ ପ୍ରସ୍ତାବ । କିନ୍ତୁ ମନାକଲେ କାମପ୍ରବୀଣା । କାହିଁକି ନା ସେ ବାଧ୍ୟବାଧକତାରେ ଅନୁପ୍ରେରିତ ହୋଇଛନ୍ତି । ସେ କଣ କେବେ କାହାର ଅର୍ଦ୍ଧାଙ୍ଗିନୀ ହୋଇ ରହି ପାରିବେ ??? ସେତେବେଳକୁ ସୁରାପାନ କରି ଯୁବରାଜ ନିଜ ଆୟତ୍ତରେ ନ ଥାଆନ୍ତି । ଏକାନ୍ତବାସରେ ପ୍ରୀତି ନିବେଦନ ଶୁଣି ତାଙ୍କ ଦେହରେ ବିଷଜ୍ଵଳା ବଢ଼ି ଯାଉଥାଏ ।କାମପ୍ରବୀଣା ଏପରି ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା ନ କରି ପ୍ରସନ୍ନ ଚିତ୍ତରେ ବାଙ୍କ ଚାହାଣୀ ଚାହିଁ ସେ ଯୁବରାଜଙ୍କ ପ୍ରେମ ନିବେଦନ କୁ ସ୍ବୀକାର କଲେ ଆଉ ଆଉଜି ପଡ଼ିଲେ ଯୁବରାଜଙ୍କ କୋଳରେ ଅଙ୍ଗବାସ ଖସାଇ ଦେଇ ଆଉ ମାଖିଦେଲେ ଉଷ୍ମ ଚୁମ୍ବନଟିଏ ।
ଟଳିପଡ଼ିଲେ ତତକ୍ଷଣ ଯୁବରାଜ ବୀରଭଦ୍ର ।
ପ୍ରଥମ ପର୍ଯ୍ୟାୟରେ ଯୁବରାଜ ଭୂପତିତ ହେବା ଦେଖି ନିଜକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରୀତିଶଯ୍ୟାରେ ବସି ଦେହରୁ ଉଷ୍ମ ନିଶ୍ୱାସ ପ୍ରଶ୍ୱାସ ଛାଡ଼ିବାକୁ ଲାଗିଲେ । ପଡୋଶୀ ସମସ୍ତ ରାଜା ସମୂହକୁ ବଶୀଭୂତ ଅନ୍ତେ ସଂଗେ ସଂଗେ ଛୁଟିଆସିଲେ ବିଚିତ୍ରପୁର ନରେଶଙ୍କ ପାଖକୁ । ରାଜା ଖୁସିରେ ବିହ୍ଵଳିତ ହୋଇ କାମପ୍ରବୀଣାଙ୍କୁ ସ୍ଵଇଛା ପରିପ୍ରକାଶ କରିବାକୁ କହିଲେ । କାମପ୍ରବୀଣାଙ୍କ ଅଧୁରା ପ୍ରୀତିପର୍ବକୁ ସମାପନ କରିବାକୁ ହେବ । କି କର୍ତ୍ତବ୍ୟ ହେଲେ ରାଜନ୍ । ଯିଏ ନିଜ ରାଜ୍ୟ ଗୌରବ ଗରିମା ସୀମା ପରିସୀମା ବୃଦ୍ଧିକରି ବିଜୟଧ୍ଵଜା ଉଡେଇଛନ୍ତି, ସେଇ ତରୁଣୀ ବିଷକନ୍ୟାର ଅନୁରୋଧକୁ କିପରି ପ୍ରତ୍ୟାଖ୍ୟାନ କରିବେ??? ବରଂ ଉତ୍କଣ୍ଠାର ସହ ସ୍ଵୀକୃତି ପ୍ରଦାନ କରିବେ ।
କିନ୍ତୁ ସର୍ତ୍ତରେ ...
ରାଜା ସର୍ତ୍ତ ରଖିଲେ କାମପ୍ରବୀଣାଙ୍କ ବିଷଜ୍ଵାଳା ଜନିତ ପ୍ରଭାବରୁ ନିଜକୁ ରକ୍ଷା କରିବା ପୂର୍ବକ ସେ ମୁଖମଣ୍ଡଳରେ ଏକ ସରୁ ଝିନବସ୍ତ୍ର ଢାଙ୍କିଦେବେ । ତତ୍ ପରେ କେବଳ ତାଙ୍କୁ ଆଲିଙ୍ଗନ କରିବେ ।
କାମପ୍ରବୀଣା ମଧ୍ୟ ସେଇଆ ଚାହୁଁଥିଲେ ।ସେତିକି ହିଁ ହେବ ଯଥେଷ୍ଟ କାମଆସର ନିମିତ୍ତ । ତାହା ହିଁ ହେଲା । ବୀରଭଦ୍ର ପ୍ରତି ତନୁମନରେ ଜାଗିଉଠିଥିବା ଉତ୍ତାପର ଉପଶମ ପାଇଁ ରାଜାଙ୍କ ସାନ୍ନିଧ୍ୟରେ ଶାନ୍ତହେବାର କୁତ୍ସିତ ଭାବନାରେ ଉବୁଟୁବୁ ହେଲେ କାମପ୍ରବୀଣା ।ସମ୍ମତିପ୍ରକାଶ କରି ଦି ପାଦ ଆଗେଇ ଆସିଲେ ରାଜା । ଆଲିଙ୍ଗନ କଲେ ସିନା, ହେଲେ କାମପ୍ରବୀଣାର ଦେହ ମନର ବିଷାକ୍ତ ଜ୍ଵାଳାରୁ ମୁକୁଳି ପାରିନାହାନ୍ତି ରାଜା ଅନଙ୍ଗକେଶରୀ । ପ୍ରତିକ୍ରିୟା ବିହୀନ ବିପରୀତ ଧର୍ମି ଅନୁଭବ ନ ପାଇ ଏଣେ କାମପ୍ରବୀଣାଙ୍କ ଅଙ୍ଗରାଗ ମଧ୍ୟ ବିଷାକ୍ତ ହୋଇ ରକ୍ତମାଂସ ଶରୀରକୁ ଜାଳି ଦେଇଥିଲା । ଦୁହେଁ ଧୀରେ ଧୀରେ ନିସ୍ତେଜ,ଜଡ ହୋଇଗଲେ ।ସେଇଠି ଅନ୍ତଘଟିଲା ସବୁ ବିଷର , କାମନାର, ବାସନାର, ସୀମା ପରିସୀମାର ।