Sambit Srikumar

Tragedy

4.0  

Sambit Srikumar

Tragedy

ବିଷକନ୍ୟା

ବିଷକନ୍ୟା

3 mins
206


ଶ୍ରୀଜୟ ବାବୁ ଏବେ ଏବେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ନୂଆ ନୂଆ ସାମାଜିକ ଗଣମାଧ୍ୟମ ଜରିଆରେ ବନ୍ଧୁ ଖୋଜୁଛନ୍ତି ଅବସର ପରବର୍ତ୍ତୀ ସମୟ କାଟିବା ପାଇଁ। ଚାକିରୀ କରିଥିବା ଯାଏଁ ସମୟ ମିଳୁନଥିଲା ଜୀବନକୁ ମନଭରି ଉପଭୋଗ କରିବା ପାଇଁ। କିନ୍ତୁ ଏବେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସମୟ କଟୁନାହିଁ ଜୀଇଁବା ପାଇଁ। 


ଶ୍ରୀଜୟ ବାବୁ ବିପତ୍ନୀକ । ବହୁ ବର୍ଷ ପୂର୍ବରୁ ପତ୍ନୀ ଚଞ୍ଚଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି। ଏକମାତ୍ର ପୁତ୍ର ଶ୍ରୀଜିତ୍ ଜର୍ମାନୀରେ ଅବସ୍ଥାପିତ । ଲୋକଙ୍କ ଠାରୁ ଯାହା ଶୁଣାଯାଏ, ସିଏ କାଳେ ସେଠାରେ ନାଗରିକତ୍ଵ ଗ୍ରହଣ କରି ସାରିଲାଣି। ଏଥିପାଇଁ ଅବଶ୍ୟ ଜନୈକା ବିଦେଶିନୀଙ୍କୁ ବିବାହ କରିବାକୁ ପଡ଼ିଛି ତାକୁ। ଏଣୁ ଭାରତକୁ ଆଉ କସ୍ମିନ୍ କାଳେ ଫେରିବାକୁ ଶ୍ରୀଜିତ୍ ପ୍ରସ୍ତୁତ ନୁହେଁ। 


ଏଣେ ଭୁବନେଶ୍ଵରରେ ନିଜ ଘରେ ଏକରକମ ଗୃହବନ୍ଦୀ ଭଳି ନିଃସଙ୍ଗ ଏକାନ୍ତ ଜୀବନଯାପନ କରିବା ପାଇଁ ବାଧ୍ୟ ଶ୍ରୀଜୟ ବାବୁ। ଏମିତି ଏକ ଘଡ଼ିସନ୍ଧି ବିଷାଦଭରା ମୁହୂର୍ତ୍ତରେ ତାଙ୍କର ଜୀବନରେ ଆବିର୍ଭାବ ହେଲେ ଜନୈକା ବାନ୍ଧବୀ। ବେଶ୍ ସଭ୍ୟ ଏବଂ ମାର୍ଜିତ ଥିଲା ତାଙ୍କର ଆଚାରଣ। ବାନ୍ଧବଙ୍କର ନାମ, ଠିକଣା, ପରିଚୟ ଥିଲା ଅଜ୍ଞାତ। ଯେବେ ନିହାତି ଜାଣିବା କଥା ସବୁ ଅଜଣା, ଭଦ୍ର ମହିଳାଙ୍କ ବୟସ ବିଷୟରେ ଅଧିକ ସୂଚନା କିଏ ଅବା ରଖିବ। ଏହା ବାଦ୍ ବୟସ ତ ଏକ ସଂଖ୍ୟା ମାତ୍ର। ଏଥିରେ ବା କଣ ଫରକ ପଡିବ ଜନୈକ ପ୍ରୌଢ଼ଙ୍କ ନିମନ୍ତେ। 


ଅବଶ୍ୟ ଫେସବୁକରେ ପହିଲି ଦେଖାଚାହାଁ ହୋଇଥିଲା। ବନ୍ଧୁତ୍ବ ଅନୁରୋଧ ଆସିଥିଲା ଏକ ମହିଳାଙ୍କ ଠାରୁ। ତତକ୍ଷଣାତ୍ ଗ୍ରହଣ କରିନେଇଥିଲେ ଶ୍ରୀଜୟ ବାବୁ। ମେସେଞ୍ଜରରେ ପରସ୍ପରର ପରିଚୟ ଆଦାନପ୍ରଦାନ ଉପରାନ୍ତେ ବେଶ୍ ଉପଭୋଗ୍ୟ ହୋଇ ଉଠୁଥିଲା ଦୁହିଁଙ୍କୁ ଦୁହିଁଙ୍କ ସାନିଧ୍ୟ। ରମଣୀୟ ହୋଇ ଉଠୁଥିଲା ପ୍ରତିଟି ମୁହୂର୍ତ୍ତ, ପ୍ରତିଟି କ୍ଷଣ। 


ପୂର୍ବରୁ କଟୁନଥିବା ସମୟ ଏବେ ଧାଇଁଥିଲା ଅଶ୍ୱ ପରି। ସକାଳ ସଞ୍ଜର ଫରକ ଜଣା ପଡୁନଥିଲା ଶ୍ରୀଜୟ ବାବୁଙ୍କୁ। ପକ୍ୱ କେଶକୁ ରାସାୟନିକ ପଦାର୍ଥ ପ୍ରୟୋଗ କରି ଲୁଚାଇ ରଖି ନିଜର ଯୁବ ସୁଲଭ ଦକ୍ଷତା ପ୍ରଦର୍ଶନ କରୁଥିଲେ ସିଏ। ଆଜିକାଲି ଦିନରାତି ଫୋନ୍ ଯୋଗେ କଥାଭାଷା ହେଉଥିଲେ ଦୁହେଁ। ଅଧିକାଂଶ ସମୟ ଦୁହିଁଙ୍କର ହିଁ କଲ୍ ଜାରି ରହୁଥିଲା। ଦୁହିଁଙ୍କ ଅନାବିଳ ହାସ୍ୟରୋଳରେ ଫାଟି ପଡୁଥିଲା ଘର।


ଏମିତି ହସଖୁସିରେ ଗଡିଚାଲିଥିଲା ଦିନଗୁଡ଼ିକ। ଏତେ ଦିନ ଧରି କଥାଭାଷା ହେଉଥିଲେ ମଧ୍ୟ ସ୍ୱଚକ୍ଷୁରେ ବାନ୍ଧବୀଙ୍କର ଦର୍ଶନ କରିନଥିଲେ ଶ୍ରୀଜୟ ବାବୁ। ସବୁ ବେଳେ ଯାହା ସାଧାରଣ ଭାବରେ ଫୋନ୍ କରନ୍ତି କେବେ ବି ଭିଡିଓ କଲ୍ କରି ନାହାଁନ୍ତି। ଦିନେ କଥାଭାଷା ହେବା ସମୟରେ ବାନ୍ଧବୀଙ୍କୁ ଏକାନ୍ତରେ ଭେଟିବା ପାଇଁ ଅଭିଳାଷା ବ୍ୟକ୍ତ କଲେ ସିଏ। ଅପର ପାର୍ଶ୍ୱରୁ ଉତ୍ତର ଆସିଲା, "ଏବେ ସମ୍ଭବ ନୁହେଁ, ଆଉ କେବେ..."


କୌତୁହଳୀ ହୋଇ ଶ୍ରୀଜୟ ବାବୁ ପଚାରିଲେ, "କିନ୍ତୁ, କାହିଁକି?"


: ମୁଁ ଏବେ ସହରରେ ନାହିଁ। ଫେରିବା ପରେ ଦେଖା ହେବା।


: ନା, ମୁଁ ଏବେ ତୁମକୁ ଦେଖିବାକୁ ଚାହେଁ। ଭିଡ଼ିଓ କଲ୍ କର। ଅନ୍ତତଃପକ୍ଷେ ଥରୁଟିଏ ତୁମକୁ ଦେଖିବାକୁ ଚାହେଁ। ପ୍ଲିଜ୍ ମନା କରନି... 


ଏଇ ଭିଡ଼ିଓ କଲ୍ ଯେମିତି ଏକ ମୌକା ଥିଲା ବାନ୍ଧବୀଙ୍କ ନିମନ୍ତେ। ଅନେକ ଦିନରୁ ସିଏ ଏଇ ମୌକାର ସନ୍ଧାନରେ ଥିଲେ। କିନ୍ତୁ ନିଜ ଆଡୁ କେବେ ବି ଶ୍ରୀଜୟ ବାବୁଙ୍କୁ ଭିଡିଓ କଲ୍ ଅବା ଦେଖାସାକ୍ଷାତ ନିମନ୍ତେ ପ୍ରରୋଚିତ କରି ନାହାଁନ୍ତି। କାରଣ ସିଏ ଭଲ ଭାବରେ ଜାଣିଥିଲେ ଯେ, ଅପେକ୍ଷାର ଫଳ ମିଠା! ତରବରିଆ କାମ କଲେ ଗଡବଡ ହେବାର ସମ୍ଭାବନା ରହିଛି। 


ବାନ୍ଧବୀ ପ୍ରତ୍ୟୁତ୍ତରରେ କହିଲେ, "ହଉ ଠିକ୍ ଅଛି!"


ସଙ୍ଗେ ସଙ୍ଗେ ଶ୍ରୀଜୟ ବାବୁଙ୍କ ଫୋନରେ ଭାସି ଉଠିଲା ବାନ୍ଧବୀଙ୍କର ଅପରୂପା ସୁଷମା ମଣ୍ଡିତ ମୁଖମଣ୍ଡଳ। "ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ!" ଆଖି ପୁରେଇ ସିଏ ଦେଖୁଥିଲେ ଆପଣାର ଦୂର ବାନ୍ଧବୀଙ୍କର ରୂପକଳ୍ପ। ଅପଲକ ନେତ୍ରରେ ଦେଖୁଥିଲେ ଆପଣାର ନିଃସଙ୍ଗ ଜୀବନର ସାଥି ଅନାମିକା ନାୟିକାଙ୍କୁ। ମନ ବୀଣା ସୁମଧୁର ସ୍ୱର ତୋଳୁଥିଲା। କର୍ଣ୍ଣଧାରରେ କିଏ ପ୍ରୀତିର ରାଗିଣୀ ଗାଉଥିଲା। ଏକ ଅଜଣା ଭାବରାଜ୍ୟରେ ହଜି ହଜି ଯାଉଥିଲେ ଶ୍ରୀଜୟ ବାବୁ। ତାଙ୍କର ରୁକ୍ଷ ଶୁଷ୍କ ମରୁଭୂମି ସମ ଜୀବନରେ ମୌସୁମୀ ସାଜି ବର୍ଷୁଥିଲେ ବାନ୍ଧବୀ। ଜୀବନଟା ସବୁଜିମାରେ ଭରି ଯାଉଥିଲା। 


ଅଚାନକ ଫୋନ୍ ପରଦାରେ ଦୃଶ୍ୟମାନ ହେଲା ବାନ୍ଧବୀଙ୍କର ଅନାବୃତ୍ତ ବକ୍ଷ ଦେଶର ସୌନ୍ଦର୍ଯ୍ୟ... ଭାବାନ୍ତର ଘଟିଥିଲା ଶ୍ରୀଜୟ ବାବୁଙ୍କ ଭାବନାରେ। କିଛି ସମୟ ଆଗରୁ ଯେଉଁ ବାନ୍ଧବୀ ମୌସୁମୀ ସାଜି ପ୍ରୀତିର ରାଗିଣୀ ଗାଉଥିଲେ ଏବେ କାଳ ବୈଶାଖି ପରି ପ୍ରତୀୟମାନ ହେଉଥିଲେ। କାରଣଟା ବି ଥିଲା ଏମିତି କିଛି ଖାସ୍। 


ଭିଡିଓ କଲ୍ ବେଳେ ନିଆଯାଇଥିବା ସ୍କ୍ରିନସଟ୍ ଆଧାରରେ ଆରମ୍ଭ ହୋଇଯାଇଥିଲା ବାନ୍ଧବୀଙ୍କର ବ୍ଲାକମେଲ୍। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ଦୁଇ ଲକ୍ଷ ଟଙ୍କା ପଠାଇବା ପାଇଁ ବାନ୍ଧବୀ ବାରମ୍ବାର ଚାପ ପ୍ରୟୋଗ କରୁଥିଲେ। ଅନ୍ୟଥା ତାଙ୍କର ଭଦ୍ରମୁଖା ଦୁନିଆ ଆଗରେ ଖୋଲି ଦେବାକୁ ଧମକାଉଥିଲେ। 


ଶ୍ରୀଜୟ ବାବୁଙ୍କ ଦେହରେ, ମନରେ, ଆତ୍ମାରେ, ସତ୍ତାରେ ବିଷକନ୍ୟାର ହଳାହଳ ବିଷ ସଞ୍ଚରି ଯାଉଥିଲା। କିନ୍ତୁ ସେ ଥିଲେ ନାଚାର, କିଂକର୍ତ୍ତବ୍ୟବିମୂଢ। ନା କାହାକୁ ମୁହଁ ଖୋଲି ନିଜକୁ ନିର୍ଦ୍ଦୋଷ ବୋଲି କହି ପାରୁଥିଲେ ନା ବାନ୍ଧବୀଙ୍କ ବିରୋଧରେ ପୋଲିସର ଦ୍ୱାରସ୍ଥ ହୋଇପାରୁଥିଲେ। ଅଗତ୍ୟା କଷ୍ଟାର୍ଜିତ ଦୁଇ ଲକ୍ଷ ସ୍ୱାହା କରିଦେଲେ। 



Rate this content
Log in

Similar oriya story from Tragedy