Nityananda Nandi

Classics Others

4.5  

Nityananda Nandi

Classics Others

ବିକଳ୍ପ

ବିକଳ୍ପ

5 mins
313



ବର୍ଷା ବରଷିଲା ଅଚାନକ। ମୁଁ କାଚ ଉଠେଇବାକୁ କହିଲି ଡ୍ରାଇଭରକୁ। ଚାପା ଗଳାରେ କହିଲି ବୋଧେ ମୋ ଆଡେ ଅନେଇଲା ଗୋପାଳ, ଆମ ଡ୍ରାଇଭର। ସେ କିଛି କହିବା ଆଗରୁ ମୁଁ ତା ସନ୍ଦେହ ଦୂର କରିବା ପାଇଁ କହିଲି ପୁଅ ବିଦେଶକୁ ଚାଲିଗଲା ତ, ଗଳାଟା ଟିକେ ଓଜନିଆ ହେଇ ଯାଇଛି।  

କାର ଝରକାର ଓଦା କାଚ ଉପରେ ପ୍ରଜାପତିଟି ଲାଖି ରହିଛି, ଉଡି ଯାଇ ପାରୁନି। ଅସହାୟତା କେବେ କେମିତି କାବୁ କରିନିଏ ସମସ୍ତ ଅସ୍ତିତ୍ବକୁ, ଜାଣି ହୁଏନି। ରଙ୍ଗୀନ ପ୍ରଜାପତିର ରଙ୍ଗ ବେରଙ୍ଗ ଅହଙ୍କାର ତଳେ ସାମ୍ରାଜ୍ୟ ବିସ୍ତାର କରି ରହିଥାଏ ଅସହାୟତାର ଜାଲଟିଏ। ସମୟ ବଡ ବଳବାନ। ପଘା ଧରି ବୁଲୁଛି ଏଣେ ତେଣେ ଅଦୃଶ୍ୟ ହେଇ.. ଯାହାକୁ ଯେମିତି ଇଚ୍ଛା, କାବୁ କରି ନିଏ ସେ।


ଅନେଇଲି ପଶ୍ଚିମ ଆକାଶକୁ। ଇନ୍ଦ୍ରଧନୁର ତ୍ଵରଣ। ଅଦିନିଆ ବର୍ଷା ସଙ୍ଗେ କୁଆ ପଥର ମାଡ। କେତେ ବିଚିତ୍ର ଏଇ ସୃଷ୍ଟି। ଦୁଃଖର କୁଆ ପଥର ମାଡ ପରେ ଖୁସିର ଇନ୍ଦ୍ରଧନୁ। ଦୁଃଖକୁ ଗିଳି ଦିଏ ତା ଅହଙ୍କାର। ସୁତରାଂ ଦୁଃଖ କ୍ଷଣସ୍ଥାୟୀ। ମୋ ଦୁଃଖର ଚେର ବି ସାମ୍ରାଜ୍ୟ ବିସ୍ତାର କରି ପାରିବ ନାହିଁ ମୋ ଆର୍ଦ୍ର ମନ ଭିତରେ। ଆଖିର ଲୁହ ଆଉ ମନ ଭିତର ଆର୍ଦ୍ରତା ଚିରସ୍ଥାୟୀ ନୁହେଁ, ଅନୁକୂଳ ପରିବେଶରେ ବେଶ୍ ଶୁଖିଯାଏ। ଆଖିରୁ ଲୁହ ପୋଛି ଛିଡା ହୋଇ ହସିଦେଲେ ସମସ୍ତେ ପରିପକ୍ୱ ବୋଲି କହନ୍ତି। ମୋ ଦୁଃଖର ମୃତ୍ୟୁ ତା ହେଲେ ସୁନିଶ୍ଚିତ। 


ସବୁଦିନ ପାଖରେ ନ ହେଲେ ବି ବେଶି ଦୂରରେ ନ ରହିବାର ପ୍ରତିଶୃତି ଦେଇ ସାନ ପୁଅ ବିଜୟ ହଠାତ୍ ବିଦେଶ ଚାଲିଯିବ ବୋଲି ମନରେ ଭାବି ନ ଥିଲି। ଦୁଃଖ ହେବାଟା ସ୍ଵାଭାବିକ। ସିଆଡେ ମୁହଁ ଫେରାଇ ମୋ ପାଖରେ ବସିଥିଲେ ସୁଲୋଚନା। କାନ୍ଦୁଛନ୍ତି କି ଆଉ !!! ହାତ ବୁଲେଇ ଦେଖିଲି, ନା.. ଆଖି ଶୁଖିଲା ଥିଲା। ଆଖି ଲୁହର ଘର ତ ଲୁଗା କାନିରେ, ପରସ୍ତ ପରସ୍ତ ହେଇ ଜମିଯାଏ ବୋଲି ଶୁଣିଥିଲି ମୁଁ କାହା ପାଖରୁ। ମରୁଭୂମି ପରି ଶୁଷ୍କ ଲାଗୁଥିଲା ସୁଲୋଚନାଙ୍କ ଆଖି ଦୁଇଟି। ସ୍ନେହ ମିଶା ଶୁଷ୍କ ଲୁହର ବାସ୍ନା କିନ୍ତୁ ଥିଲା ନିଆରା।

ଏଆରପୋର୍ଟ ଆସିବ ବୋଲି ଜିଦ୍ କଲା। ପୁଅକୁ ମନ ଭରି ହାତ ହଲେଇ ବିଦା କରିଛନ୍ତି ସେ। ଦିନେ ଦୁଇଦିନ ପରେ ସବୁ ଠିକ୍ ହେଇଯିବ ପ୍ରାୟ।


ଝର୍କା କାଚ ଦେଇ ଆକାଶ ଆଡକୁ ଦେଖୁଥାଏ ସିନା, ମନ କିନ୍ତୁ ବେଶ୍ ପଛକୁ ଯାଇ ଆଉ କୋଉଠି ଘୁରୁଥାଏ। 


କ୍ଲାସ ଟିଚର ପିଟିବେ ବୋଲି ମୁଁ ମିଛ କହିଥିଲି ବିଜୟ ପାଇଁ। ସେ ମାମୁଁ ଘରକୁ ଯାଇଥିଲା ତ ସେଇଥି ପାଇଁ ସାଇନ୍ସ ହୋମ ୱାର୍କ କରି ପାରିନି। ସେ କିନ୍ତୁ ମାମୁଁ ଘରକୁ ଯାଇନଥିଲା। ଶିକ୍ଷକ ତାକୁ ପିଟିଲେ ମୋତେ କଷ୍ଟ ହେବ ବୋଲି ମୁଁ ମିଛ କହିବାକୁ ବାଧ୍ୟ ହୋଇ ଥିଲି ସେଦିନ।


ଥରେ ସେମିତି ତା ସ୍କୁଟି ପଛରେ ମୁଁ ବସିଥିଲି। ସାଇକେଲରେ ଯାଉଥିବା ଜଣେ ଲୋକକୁ ଧକ୍କା ଦେଲା। ବିଚରା ଲୋକଟା ପଡ଼ିଯାଇ କ୍ଷତାକ୍ତ ହେଲା। ପୋଲିସ ଷ୍ଟେସନରେ ମୋତେ ମିଛ କହିବାକୁ ପଡିଲା ଯେ ସ୍କୁଟି ମୁଁ ଚଲାଉ ଥିଲି। ତା ନ ହେଲେ ନାବାଳକ ଆଉ ବିନା ଲାଇସେନ୍ସ ଡ୍ରାଇଭିଂ ପାଇଁ କଠୋର ଦଣ୍ଡରେ ଦଣ୍ଡିତ ହେଇଥାନ୍ତା ସେ।


ଅତି ଜରୁରୀ ନ ହେଲେ ମିଛ କହନ୍ତି ନାହିଁ ବୋଲି ଜଣେ ଶିକ୍ଷକ ହିସାବରେ ମୋ ଗର୍ବ ପାଣି ଫୋଟକା ପରି ଫାଟିଯାଏ। ପୁଅର ରକ୍ଷା ସୁରକ୍ଷା ପାଇଁ ଅନେକ ବାର ମୋତେ ମିଛ କହିବାକୁ ପଡିଛି। ସ୍ନେହର ପ୍ରଛାୟା ତଳେ ବିବେକଟା ମୋଡା କୁଚା ହେଇଯାଏ। ଛୋଟ ଛୋଟ ନାଲି କଙ୍କଡା ବିପଦ ଆଭାସରେ ଲୁଚି ଯାଆନ୍ତି ବେଳାଭୁଇଁର ଗାତ ଭିତରେ । ମୋ ବିବେକ ସୂକ୍ଷ୍ମତମ ଆଭାସରେ ଲୁଚିବାର ଅଭିନୟ କରୁଥିଲା ମୋ ମନ ଆଢ଼ୁଆଳରେ। ବାର ବାର ମୋ ପୁଅ ସପକ୍ଷରେ ଯାଉଥିଲା ମୋ ବିବେକ।


ତା ବାହାଘର ବେଳେ ସୁଲୋଚନା କହିଲେ ତମକୁ ଟିକେ ମିଛ କହିବାକୁ ହେବ। ଆମ ପୁଅ ବୋହୂ ଠାରୁ ଛ ମାସ ବଡ ନ କହିଲେ ବାହାଘରଟା ଭାଙ୍ଗିଯିବ। ଦୁଇ ଜଣଙ୍କ ଏତେ ଆଗ୍ରହ ଦେଖି ମିଛ କହି ବି ଦେଲି। ପରେ କଣ ହେବ ମୁଁ ଜାଣିନି। ସେମାନେ ଖୁସିରେ ଥିବା ପର୍ଯ୍ୟନ୍ତ ବୟସ ବାବଦରେ କେହି ଖୋଳ ତାଡ କରିବେ ନାହିଁ। ଭାରି ଖୁସି ସେମାନେ।


ମୋର ମନେ ଅଛି, ଅବସର ଦିନ ବିଦାୟ ଭାଷଣରେ ସମସ୍ତେ କହୁଥିଲେ ସାର୍ କେବେ ମିଛ କହି ନାହାନ୍ତି ତାଙ୍କ ଜୀବନରେ। କେହି କଣ କାହାକୁ ଚରିତ୍ର ସାର୍ଟିଫିକେଟ ଦେଇ ପାରିବ, ନା... ସମ୍ଭବ ନୁହେଁ। ମୁଁ ଚୁପ୍ ଥିଲି। ବହୁତ ବଡ ଚାରିତ୍ରିକ ଦୋଷର ବୋଝଟିଏ କାନ୍ଧରେ ରଖି ହସୁଥିଲି ସେମାନଙ୍କ ତାଳେ ତାଳେ। ସେଦିନ ଚୁପ୍ ରହିବା ସବୁଠୁ ବଡ ବିକଳ୍ପ ଥିଲା ମୋ ପାଖରେ। ଭିତରେ ଭିତରେ କହ ଦହ ହେଉଥିଲି ମୁଁ ସେଦିନ।


ବାହାରେ ଖରା ବିଛେଇ ଗଲାଣି, ବର୍ଷା ପରେ ପରେ। କାଚ ଉପରେ ଲାଖି ରହିଥିବା ପ୍ରଜାପତିଟି ଫୁର କିନା ଉଡିଗଲା। ଆଉ ବୋଧେ ଦୁଃଖ ନାହିଁ ତା ଜୀବନରେ।


ଏହାଭିତରେ ଦୁଇ ତିନି ଥର ଫୋନ କରିସାରିଥିଲି ପୁଅକୁ। ବ୍ୟସ୍ତ ଆସୁଥିଲା ତା ଫୋନଟି। ଫୋନ କରୁନି କାହିଁକି ? ଫ୍ଲାଇଟ ରାଇଟ ଟାଇମ୍ ରେ ଅଛି କି ନାହିଁ, ପଚାରି ଥାଆନ୍ତି। ପୁଣି ଫୋନ କଲି, ରିଙ୍ଗ ହେଲା। କିନ୍ତୁ ଉଠେଇଲା ନାହିଁ। ବ୍ୟସ୍ତ ଥାଇପାରେ। ଦଶ ମିନିଟ ପରେ ଆଉଥରେ ଫୋନ କଲି। ପୁଣି ସୁଇଚ ଅଫ ଆସିଲା। କଷ୍ଟ ହେଲା ମନ ଭିତରେ। କିଏ ଜଣେ କହିଥିବା ଜୀବନ ଦର୍ଶନ କଥା ମନ ଭିତରେ ଉଦ୍ଭାସିତ ହେଲା।

ପବନରେ କୁଆଡେ ଦୀପଟି ଲିଭିଯାଏ। ହାତ ପାପୁଲିରେ ଢାଙ୍କି ବାକୁ ହୁଏ ପ୍ରଦୀପକୁ। ସେଇ ଦୀପ ହିଁ ସବୁବେଳେ ଢାଙ୍କିଥିବା ହାତ ପାପୁଲିକୁ ଜଳେଇ ଦିଏ। ସେ ହିଁ କଷ୍ଟ ଦିଏ ଅତି ଯତ୍ନରେ ଯାହାକୁ ସୁରକ୍ଷା ଦିଆଯାଏ। ଯେତେ ଯାହା ହେଲେ ପୁଅ ତ ! ବିଯୁକ୍ତାତ୍ମକ ଭାବନାକୁ ବେଳେ ବେଳେ ଅନିଚ୍ଛା ସତ୍ତ୍ୱେ ବି କଫିନ୍ ଭିତରେ ରଖି କବର ଦେବାକୁ ହୁଏ ମନର ମାଟି ଭିତରେ।


ବିଜୟ କହୁଥିଲା ତା ପାଖରେ ବିକଳ୍ପ ଥିଲା ଇଣ୍ଡିଆ ହେଡ଼ ହେଇ ରହିବ ନଚେତ ଦଶ ବର୍ଷ ପାଇଁ ଆମେରିକା ସ୍ଥିତ ଗୋଟାଏ ପ୍ରଜେକ୍ଟରେ କାମ କରିବ। ସବୁବେଳେ ଆମ ପାଖେ ପାଖେ ରହିବ କହି ହଠାତ୍ ଏତେ ବଡ ସିଦ୍ଧାନ୍ତ। ପୁଅ ବୋହୂ ମିଶି ସିଦ୍ଧାନ୍ତ ନେଇଛନ୍ତି ବୋଧେ....


ଫୋନ ଆସିଛି କାମବାଲୀ ବାସନ୍ତୀ ପାଖରୁ। ସୁଲୋଚନାଙ୍କ ଫୋନରେ। ସ୍ପିକର ଅନ କରିଦେଲେ ସେ। 

ମାଉସୀ ! ବହୁତ ଭଲ ଖବର, ଆସିଲେ ଦେଖିବ କହି ଫୋନ କାଟିଦେଲା।


ଦୀର୍ଘ ସମୟ ପରେ ସୁଲୋଚନାଙ୍କ ମୁହଁରେ ହସ ଦେଖି ଖୁସି ହେବା ଛଡା କିଛି ଉପାୟ ନ ଥିଲା। ସୁଲୋଚନା କହିଲେ, ଆମ ଗର୍ଭବତୀ ଗାଈଟା ବୋଧେ ଛୁଆ ଜନ୍ମ ଦେଇଛି।

ମୁଁ କହିଲି, ମୋତେ ଲାଗୁଛି ତମ ଭଉଣୀ ବୀଣା ଆସିଛି ଆମ ଘରକୁ। କୁକୁଡ଼ା ମାଂସ ତାର ଭାରି ପ୍ରିୟ। ଦେଶୀ କୁକୁଡା କିଣିବାକୁ ହେବ।

ସୁଲୋଚନା କହିଲେ ତା ନ ହେଲେ, ପଡୋଶୀ ଘରେ ବାହାଘର ଥିଲା। ପିଠା ପଣା ଦେଇଛନ୍ତି ବୋଧେ..

ମୁଁ ପୁଣି ଥରେ କହିଲି, କିଛି ନୁହେଁ। ବୀଣା ହିଁ ଆସିଥିବ ଆମ ଘରକୁ।


ଏଇ ସବୁ ଅନୁମାନ ଲଗାଉ ଲଗାଉ ଗାଡି ଆସି ପହଁଚିଲା ଆମ ଘର ଗେଟ ପାଖରେ। ଆମେ ଦଉଡି ଗଲୁ ଘର ଭିତରକୁ। ଘଟଣାଟା ଦେଖି ଆମେ ଅବାକ୍ ହେଇଗଲୁ। ଦୀର୍ଘ ପଚିଶ ବର୍ଷରୁ ଅଚେତ ଅବସ୍ଥାରେ ବସି ରହିଥିବା ବଡ ପୁଅ ଅଜୟ ଆମକୁ ଦେଖି ହସିଲା। ଏହା ଠାରୁ ବଳି ବରିଷ୍ଠ ମୁହୂର୍ତ୍ତ ଆଉ କଣ ହେଇ ପାରେ ଆମ ଜୀବନରେ। କହିଲି, ଗଡ ଇଜ୍ ଗ୍ରେଟ୍। ବିଜୟର ବିକଳ୍ପ ମିଳିଗଲା, ଏବେ ଆଉ ଡର ନା ଚିନ୍ତା।

ଅଜୟ କହିଲା ବାପା, ବୋଉ ! ତୁମେ ଦୁହେଁ କୁଆଡେ ଯାଇଥିଲ ? ଆନନ୍ଦାଶ୍ରୁ ବୋହି ଆସିଲା ଆମ ଦୁହିଁଙ୍କ ଆଖିରୁ। ବିଜୟକୁ ଛାଡ଼ିବା ପାଇଁ ଆମେ ଏୟାରପୋର୍ଟ ଯାଇଥିଲୁ କହିଲେ ସେ କଣ ବୁଝିବ। ବିଜୟର ଜନ୍ମ ଆଗରୁ ହିଁ ପଡି ଯାଇଥିଲା ସେ ପିଜୁଳି ଗଛରୁ। ତା ପରଠୁ ତା ମସ୍ତିଷ୍କ କାମ କରେନି। ଡାକ୍ତର କହିଥିଲେ ବଞ୍ଚି କି ତ ରହିବ, କେବେ ଜ୍ଞାନ ଫେରିବ ଭଗବାନକୁ ହିଁ ଜଣା। ସେ ବୟସ ସାଥିରେ ଖାଲି ବଢି ଯାଇଛି। ଦେଖିବାକୁ ବିଶାଳକାୟ ତିରିଶ ବର୍ଷର ଯୁବକ, ବର୍ତ୍ତମାନ ମସ୍ତିଷ୍କ କିନ୍ତୁ ଚପଳମତି ଶିଶୁ ପରି। 

ସୁଲୋଚନା ମିଛ ସ୍ବପ୍ନକୁ ରେଖାଙ୍କିତ କରି ଆଙ୍କୁଥିଲେ ଜୀବନର ଏକ କାଳ୍ପନିକ ନକ୍ସାକୁ।  ଅଥଳ ସମୁଦ୍ରରେ ପହଁରୁ ପହଁରୁ ହଠାତ୍ ଏକ ଦ୍ଵୀପ ପୁଞ୍ଜକୁ ଆବିଷ୍କାର କଲେ ଅସହାୟତାର ପରମାୟୁ ଶେଷ ହୁଏ। ଦୁଃଖଦ ଏକ ଉପନ୍ୟାସର ଶେଷ ଭାଗରେ ଅଚାନକ ମୋଡ ଆଚମ୍ବିତ କରିଦିଏ ସମସ୍ତଙ୍କୁ। ପୁଣି ଥରେ ଭାବିବାକୁ ଲାଗିଲି କଥାଟି ସତ ନ ଥିଲା। ଦୀପର ସୁରକ୍ଷା ପାଇଁ ତାକୁ ଢାଙ୍କି ରଖିଥିବା ପାପୁଲି ସବୁବେଳେ ଜଳେ ନାହିଁ।

 

ଖଣ୍ଡି ଖଣ୍ଡି କରି କହିଲା ବାପା ! ଝିଅଟା କେତେ ସୁନ୍ଦର ଦେଖ ! ଅଧା ଘଣ୍ଟା ହେବ ମୋ ପାଖରେ ବସି ମୋତେ କ୍ଷୀରି ଖୁଆଉଛି।

ବାସନ୍ତୀର ଝିଅ ପୁଷ୍ପ, ଦଶ ବର୍ଷ ହେବ ଅଜ୍ଞାନ ଅବସ୍ଥାରେ ବସି ରହିଥିବା ମୋ ପୁଅର ସେବା କରୁଛି ନିରନ୍ତର ଭାବରେ। କୋଡିଏ ବର୍ଷର ପୁଷ୍ପା, ଅବିବାହିତା। ସୁଲୋଚନା ପୁଷ୍ପାର ଗାଲ ଟାଣି ଦେଇ କହିଲେ ତୁ ହିଁ ବୁଝିବୁ ତା କଥା ସାରା ଜୀବନ ପାଇଁ। ଅଜୟ ହସିଲା ଛୋଟ ଛୁଆଙ୍କ ପରି। ସମସ୍ତେ ହୋ ହୋ କରି ହସିଲେ, ମୁଁ ବି ହସିଦେଲି। ବିଜୟ, ମୋ ସାନ ପୁଅ ଆକାଶରେ ବହୁ ଦୂରକୁ ଉଡିଯିବା ପରେ ହାତ ପାଆନ୍ତା ଅବଶିଷ୍ଟ ଆକାଶରେ ସେମିତି କିଛି ଶୂନ୍ୟତା ନ ଥିଲା ମୋ ପାଇଁ। ବିଜୟ ନ ରହିଲେ କଣ ହେଲା ଅଜୟ ବୁଝିବ ଆମ କଥା ଆଜିଠୁ। କୁଆ ପଥର ମାଡ ପରେ ଇନ୍ଦ୍ରଧନୁ ବଞ୍ଚିବାର ଏକ ଆଶା ନେଇ ଆସେ ବୋଲି ଆଜି ମୁଁ ଦେଖିଥିଲି ଏଆରପୋର୍ଟ ପାଖ ଆକାଶରେ... ଦୁଃଖ ପରେ ଖୁସିର ଅନେକ ବିକଳ୍ପ ଥାଏ, ଯେମିତି ଅଜୟକୁ ପାଇବା ପରେ ବିଜୟ ପାଇଁ ସେତେ ଚିନ୍ତା ନାହିଁ, ଯେମିତି ମୋ କାର ଝରକା କାଚରେ ଲାଖି ରହି କଷ୍ଟ ପାଉଥିବା ପ୍ରଜାପତିଟି ଉଡିଗଲା ମହା ଆନନ୍ଦରେ। ମୁଁ ଆଶ୍ୱସ୍ତି ଲାଭ କରୁଥିଲି ଧୀରେ ଧୀରେ। ଭାବୁଥିଲି, ଦୁଃଖ ଶେଷ ଘଟଣା ନୁହେଁ ଜୀବନରେ, ଗତି ଖାଲି ମନ୍ଥର ହେଇଯାଏ କିଛି ମୁହୂର୍ତ୍ତ ପାଇଁ...।



Rate this content
Log in

Similar oriya story from Classics