Arjuni charan Behera

Inspirational Others

3  

Arjuni charan Behera

Inspirational Others

ବୀରାଙ୍ଗନା ରାଣୀ ଦୁର୍ଗାବତୀ

ବୀରାଙ୍ଗନା ରାଣୀ ଦୁର୍ଗାବତୀ

3 mins
520



ଭାରତ ଇତିହାସ ପୃଷ୍ଠାରେ ଯେଉଁ କେତେ ଜଣ ବୀରା ରମଣୀଙ୍କ ନାମ ସ୍ଵର୍ଣାକ୍ଷରରେ ଲିପି ବଦ୍ଧ ହୋଇ ରହିଛି ସେହି ମାନଙ୍କ ମଧ୍ୟରେ ଗଣ୍ଡୱାନା ରାଜ୍ୟର ରାଣୀ ଦୁର୍ଗାବତୀଙ୍କର ନାମ ଅନ୍ୟତମ l ଭକ୍ତକବି ମଧୁସୂଦନ ରାଓ ମାତୃଭୂମି କବିତାରେ ବୀରାରମଣୀ ରାଣୀ ଦୁର୍ଗାବତୀଙ୍କ ନାମୋଲ୍ଲେଖ କରି ଲେଖିଛନ୍ତି :-

      କେତେ କେତେ ପୁଣ୍ୟବତୀ,

            କେତେ ପତିବ୍ରତା ସତୀ,

      କେତେ ବୀରା ନାରୀ,

                  କେତେ ବୀର ଜନନୀ,

      ସମସ୍ତେ ତୋର ଦୁହିତା

            ପଦ୍ମିନୀ,ସାବିତ୍ରୀ,ସୀତା,

  ଦୁର୍ଗାବତୀ ଆଦି କେତେ ବୀରା ରମଣୀ,

          ନମଇଁ ମା' ଭକତି ଭରେ,

   ଅଧମ ଅକ୍ଷମ ସୁତ ତୋ' ଚରଣରେ l

ତାଙ୍କର ଜନ୍ମ 5, ଅକ୍ଟୋବର 1524 ମସିହାରେ ଉତ୍ତରପ୍ରଦେଶର ମାହୋବା କାଲିଞ୍ଜର ଦୁର୍ଗରେ ଶାଳିବାହାନ ଚଣ୍ଡେଲ ରାଜ ପରିବାରରେ l ସେ ଦିନ ଥିଲା ଦୁର୍ଗାଷ୍ଟମୀ,ତେଣୁ ତାଙ୍କର ନାମ ରଖା ଯାଇଥିଲା ଦୁର୍ଗାବତୀ l ପିଲାଟି ଦିନରୁ ମାତୃହରା ହୋଇ ସେ ପିତା ଶାଳିବାହନଙ୍କ ତତ୍ୱାବଧାନରେ ଜଣେ ରାଜପୁତ ଯୋଦ୍ଧା କନ୍ୟା ଭାବେ ପ୍ରଶିକ୍ଷିତ ହୋଇ ଥିଲେ l ଅତି କମ୍ ବୟସରୁ ଅଶ୍ୱ ଚାଳନା, ଅସୀ ଚାଳନା,ତୀର ଚାଳନା,ଶିକାର ତଥା ଅନ୍ୟ ସମରକଳାରେ ସେ ଦକ୍ଷତା ହାସଲ କରିଥିଲେ l

ତରୁଣ ବୟସରେ ସେ ଗଣ୍ଡୱାନାଖଣ୍ଡ ଗଣ୍ଡ ରାଜା ଦଲପତ ସାହାଙ୍କ ବୀରତ୍ୱ କାହାଣୀ ଓ ମୋଗଲ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କାହାଣୀ ଶୁଣି ତାଙ୍କ ପ୍ରତି ଆକୃଷ୍ଠ ହୋଇ ପଡ଼ିଥିଲେ l ତାଙ୍କ ରାଜପୁତ ପରିବାରର ବିରୋଧ ସତ୍ୱେ ସେ ତାଙ୍କୁ ହିଁ ବିବାହ କରିଥିଲେ 1542ରେ l ରାଜପୁତ ଶାସକମାନେ ଭଲକରି ଜାଣିଥିଲେ ମୋଗଲମାନଙ୍କ ଦକ୍ଷିଣକୁ ଅଗ୍ରଗତିରେ ମୁଖ୍ୟବାଧକ ଥିଲେ ଦଲପତସାହା l ପରବର୍ତ୍ତୀ କାଳରେ ଦୁର୍ଗାବତୀଙ୍କର ଏହି ବିବାହ ରାଜପୁତ ଏବଂ ଗଣ୍ଡ ରାଜଶକ୍ତିକୁ ଏକଜୁଟ କରି ଥିଲା ମୋଗଲ ଶକ୍ତି ବିରୁଦ୍ଧରେ l

କିନ୍ତୁ କିଛି ଦିନର ସୁଖଦ ବୈବାହିକଜୀବନ ପରେ ଦଲପତ ସାହାଙ୍କ ଦୁଃଖଦ ମୃତ୍ୟୁ ହେଲା 1550 ମସିହାରେ l ଏହି ବୈଧବ୍ୟରେ ଦୁର୍ଗାବତୀ ଭାଙ୍ଗି ନ ପଡ଼ି ରାଜ୍ୟର ଶାସନ ଡୋରୀ ନିଜ ହାତରେ ନେଲେ l ସେତେ ବେଳେ ପୁତ୍ର ବୀର ନାରାୟଣ ନାବାଳକ ଥିଲେ l ଦୁଇ ମନ୍ତ୍ରୀ ଅଧର କାୟସ୍ତ ଓ ମାନ ଠାକୁରଙ୍କ ସହାୟତାରେ ସେ ଗଣ୍ଡରାଜ୍ୟକୁ ଦକ୍ଷତାର ସହିତ ଶାସନ କଲେ l

କିଛିଦିନ ପରେ ସେ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାତପୁରା ପାର୍ବତ୍ୟ ଉପତ୍ୟକା ଅବସ୍ଥିତ ଚୌଡ଼ା ଗଡ଼କୁ ନିଜର ରାଜଧାନୀ ଉଠାଇ ନେଲେ l ଅଳ୍ପ ଦିନ ମଧ୍ୟରେ ସେ ସ୍ବାମୀଙ୍କ ସଦୃଶ ନିଜକୁ ଜଣେ ଦକ୍ଷା ପ୍ରଜାନୁରଞ୍ଜିକା ଶାସିକା ଭାବରେ ପ୍ରତିଷ୍ଠିତ କରାଇଥିଲେ l ତାଙ୍କ ଅଧୀନରେ ଥିଲେ କୋଡ଼ିଏ ହଜାର ଯୁଦ୍ଧାଶ୍ୱ, ଏକ ହଜାର ଯୁଦ୍ଧ ହସ୍ତୀ ଓ ଏକ ସୁସଂଗଠିତ ବିରାଟ ପଦାତିକ ବାହିନୀ l ପ୍ରଜାଙ୍କ କଲ୍ୟାଣାର୍ଥେ ସେ ରାଜ୍ୟରେ ବହୁ କୂଅ,ପୋଖରୀ ଓ ଜଳାଶୟମାନ ଖୋଳାଇଥିଲେ l ସେଥିମଧ୍ୟରୁ ଏବେ ବିରାଜମାନ କରୁଛି ଜବଲପୁରର ବିଖ୍ୟାତ ରାଣୀତାଲ l

ମାଳବ ସୁଲତାନ ବାଜବାହାଦୁରର ଲୋମହର୍ଷକ ଆକ୍ରମଣକୁ ଦୁର୍ଗାବତୀ ଏପରି ଦୃଢ଼ତାର ସହିତ ମୁକାବିଲା କରି ଥିଲେ ଯେ, ସେ ପୁନର୍ବାର ତାଙ୍କ ରାଜ୍ୟ ଆକ୍ରମଣ କରିବାକୁ ସାହସ କରି ନଥିଲା l ବାଜ ବାହାଦୁର ପରେ1562 ସାଲରେ ମୋଗଲ ସମ୍ରାଟ ଆକବରଙ୍କ ଠାରୁ ପରାସ୍ତ ହୋଇ ଥିଲେ l ବର୍ତ୍ତମାନ ମୋଗଲମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଲା ଦୁର୍ଗାବତୀଙ୍କ ଗଣ୍ଡ ରାଜ୍ୟ ଉପରେ l ଆକବରଙ୍କ ସୁବେଦାର, ମଜିଦ୍ ଖାଁ ଗଣ୍ଡରାଜ୍ୟ ଦଖଲକରିବା ମସୁଧା ଚଳାଇଲା l ଗଣ୍ଡ ରାଜ୍ୟ ପଡୋଶୀ ରାଜ୍ୟ ମାଳବ ଏବଂ ରେୱା ସେତେ ବେଳେ ମୋଗଲଙ୍କ ଦଖଲକୁ ଆସି ସାରି ଥିଲା l ରାଣୀ ଦୁର୍ଗାବତୀଙ୍କ ଦେୱାନ ତାଙ୍କୁ ଦୁର୍ଦ୍ଦଷ ମୋଗଲଙ୍କ ସହ ସନ୍ଧିପାଇଁ ପରାମର୍ଶ ଦେଲେ l କିନ୍ତୁ ରାଣୀ ନିର୍ଭୀକତାରସହ ଉତ୍ତର ଦେଲେ ଯେ ପ୍ରାଣ ପଛେ ଚାଲି ଯାଉ, ମୁଁ ମୋଗଲମାନଙ୍କ ପାଖରେ କେବେ ମୁଣ୍ଡ ନୁଆଁଇବି ନାହିଁ l ରାଣୀ ଦୁର୍ଗାବତୀଙ୍କ ତୀବ୍ର ପ୍ରତିରୋଧରେ ମୋଗଲ ବାହିନୀ ବାଧ୍ୟ ହୋଇ ଥିଲା ଗଣ୍ଡୱାନା ଉପତ୍ୟକା ଛାଡ଼ିବା ପାଇଁ l

ରାଣୀ ଏଥିରେ ଜୟଯୁକ୍ତହେଲେ ସତ କିନ୍ତୁ ପରେ ମୋଗଲ ମାନଙ୍କ ସହ ତାଙ୍କର ଶତ୍ରୁତା ତୀବ୍ରତର ହୋଇ ପଡ଼ିଲା l ଦୁର୍ଗାବତୀ ଶକ୍ତିଶାଳୀ ମୋଗଲ ବାହିନୀର ଶକ୍ତି କ୍ଷୟ ନିମନ୍ତେ ରାତ୍ରୀରେ ଗରିଲା ଆକ୍ରମଣ ପାଇଁ ଯୋଜନା କଲେ l ଏଥିରେ କିନ୍ତୁ ତାଙ୍କର ସେନାଧ୍ୟକ୍ଷ ମାନେ ରାଜି ହେଲେ ନାହିଁ l ଏଣୁ ରାଣୀ ପୁତ୍ର ବୀରନାରାୟଣକୁ ଧରି ସମ୍ମୁଖ ସମରକୁ ବାହାରି ପଡ଼ିଲେ l ପ୍ରୀୟ ହାତୀ ସର୍ମନ ପୃଷ୍ଠରେ ବସି ସେ ଅସୀ ଚଳାଇଲେ ମୋଗଲଙ୍କ ବିରୁଦ୍ଧରେ l ରାଣୀଙ୍କ ପୁତ୍ର ବୀରନାରାୟଣ ମଧ୍ୟ ସମ୍ମୁଖ ଯୁଦ୍ଧକୁ ଲମ୍ଫଦେଇ ମୋଗଲ ମାନଙ୍କୁ ତିନି ତିନି ଥର ପରାଜିତ କଲେ l ମୋଗଲଙ୍କ ବାହିନୀ ସହ ତୀବ୍ର ସଂଗ୍ରାମରେ ବ୍ୟାପୃତ ହୋଇ ଭୀଷଣ ଆଘାତ ପ୍ରାପ୍ତ ହେଲେ ରାଣୀ ସମର କ୍ଷେତ୍ରରେ l ପଛ ଘୁଞ୍ଚା ଦେବା ପାଇଁ ତାଙ୍କ ମାହୁନ୍ତ ନିବେଦନ କଲେ l କିନ୍ତୁ ରକ୍ତାକ୍ତ ରାଣୀ ଏହାକୁ ଭୃକ୍ଷେପ ନ କରି ଆଗେଇ ଚାଲିଥାନ୍ତି l ମାତ୍ର ପ୍ରବଳ ସଂଗ୍ରାମ ସତ୍ୱେ ପ୍ରତାପୀ ମୋଗଲଶକ୍ତି ନିକଟରେ ରାଣୀଙ୍କ ପରାଜୟ ସୁନିଶ୍ଚିତ ହୋଇପଡ଼ିଲା l ଏକଥା ଜାଣି ପାରି ରାଣୀ ଦୁର୍ଗାବତୀ ମୋଗଲମାନଙ୍କ ହସ୍ତରେ ବନ୍ଦୀ ହେବା ପୂର୍ବରୁ ନିଜର ମୃତ୍ୟୁ ଶ୍ରେୟ ବୋଲି ଚିନ୍ତା କରି ଏକ ତୀକ୍ଷ୍ଣ ଛୁରୀକାରେ ନିଜ ପେଟକୁ ଭୁସି ଦେଲେ l ବୀରା ରମଣୀ ରାଣୀ ଦୁର୍ଗାବତୀ ଶୋଇଗଲେ ଚିର ନିଦ୍ରାରେ l ସେଦିନ ଥିଲା 24 ଜୁନ,1564,ଯାହା ଏବେ ବଳିଦାନଦିବସ ରୂପେ ପାଳିତ ହେଉଛି l

ରାଣୀ ଦୁର୍ଗାବତୀଙ୍କ ବୀରତ୍ୱର କାହାଣୀ ଇତିହାସ ପ୍ରୁଷ୍ଠାରେ ଚିରଭାସ୍ୱର ହୋଇ ରହିଛି l ଏହି ବୀରା ରମଣୀଙ୍କୁ ସମ୍ମାନ ଜଣାଇ ଜବଲପୁର ସରକାରୀ ବିଶ୍ୱବିଦ୍ୟାଳୟ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ ହୋଇଛି l ଭାରତ ସରକାରଙ୍କ ଡାକ ତାର ବିଭାଗ ରାଣୀଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ କରିଛନ୍ତି 24,ଜୁନ,1988 ରେ l

ରାଣୀ ଦୁର୍ଗାବତୀ ଏ ଜାତିର ଚିର ବନ୍ଦନୀୟା ବର ରମଣୀ l କବି ପ୍ରଭୁଦୟାଲ ଶ୍ରୀବାସ୍ତବଙ୍କ ଦୃଷ୍ଟିରେ ରାଣୀ ଦୁର୍ଗାବତୀ ଥିଲେ :-

     ଆ ଯାଏ ଅଗର ମୌକା କୋଇ ତୋ

         ଦୁଷମନ କୋ ଲଲକାରେ ଓ l

      ଜବ ଦୁର୍ଗାବତୀ ରଣମେଁ ନିକଲି

      ହାଥୋ ମେଁ ଥି ତଲୱାରେ ଦୋ ll

                 


Rate this content
Log in

Similar oriya story from Inspirational