Sunanda Mohanty

Drama Tragedy Inspirational

4  

Sunanda Mohanty

Drama Tragedy Inspirational

ବୀଣାର ଝଙ୍କୃତ ସ୍ୱର ଅନ୍ତରାଳେ

ବୀଣାର ଝଙ୍କୃତ ସ୍ୱର ଅନ୍ତରାଳେ

2 mins
248


ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ବୀଣା ନିଜ ରାକ୍ଷୀ ଥାଳି ପ୍ରସ୍ତୁତ କରି ସଜାଡି ରଖୁଥିଲା, ଏକମାତ୍ର ସାନଭାଇ ରୋହିତ ପାଇଁ । ବାପା ସବୁ ନେଇଆସିଥିଲେ ହେଲେ ରୋହିତ ଆସୁନଥିଲା ଉପରଘରକୁ । ଏଇ କିଛି ଦିନ ହେଲାଣି ରୋହିତ ମନ ଭିତରେ ଅପା ବୀଣା ପାଇଁ ନକାରାତ୍ମକ ଚିନ୍ତାଧାରା ଉର୍ପନ୍ନ ହେବାର ଏକମାତ୍ର କାରଣ କଣ ବୁଝି ହେଉନଥିଲେ ବି ବୀଣାର ବୀଣା ବାଦନ, ଉତ୍ତମ ବ୍ୟବହାର, ପାଠ, ଶାଠ ଚାକିରୀ ସହ ବାପା ଭାଇଙ୍କ ସହ ଘରକୁ ସ୍ୱର୍ଗ ସମ କରିବା ଯୋଗୁଁ ସମସ୍ତଙ୍କର ଭୁରି ଭୁରି ପ୍ରଶଂସା ବୀଣାକୁ । ସେଇଥି ପାଇଁ କଣ ରୋହିତ ମନରେ ଅପା ପାଇଁ ସୃଷ୍ଟି ହେଉଛି ଅସୂୟା ଭାବ?କିଛି ବୁଝିନପାରିଲେ ମଧ୍ୟ ରୋହିତ ଆଜି ବୀଣାଠାରୁ ଦୂରେଇ ଦୂରେଇ ରହିବାର କାରଣ ବୀଣାକୁ ମଧ୍ୟ ବିଚଳିତ କରିଛି ।

ବାପାଙ୍କର ଅପା ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା, ଭଲପାଇବା ମଧ୍ୟ ରୋହିତକୁ କରିଛି ଅସହିଷ୍ଣୁ । ମାଆ ନଥିବା ରୋହିତକୁ ଏଇ ଅପା ବାପାଙ୍କ ସହ ମିଶି ବଢ଼େଇ କୁଢେଇ ମଣିଷ କରିବା କଥାଟା ଆଜି ରୋହିତକୁ ଅଧିକରୁ ଅଧିକ ବୀତସ୍ପୃହ କରିଛି ଅପା ପ୍ରତି ।ବୀଣା ମଧ୍ୟ ଭାଇର ଶୁଖିଲା ମୁହଁ ଦେଖି କାରଣ ଖୋଜି ପାଉନି । ରୋହିତର ରାଗ ବେଶୀ ବୀଣା ଅପାର ବୀଣା ଉପରେ । ତା ବୀଣା ବାଦନରେ ସମସ୍ତେ ଆକୃଷ୍ଟ ହୋଇ ତାକୁ ଅଗ୍ରାଧିକାର ଓ ଶ୍ରେୟ ଦେବାକୁ ପଛାଉ ନାହାଁନ୍ତି ।


   ଉପର ଘରକୁ ରାକ୍ଷୀ ବାନ୍ଧିବାକୁ ଡାକି ଡାକି ଥକି ଗଲାଣି ଅପା ବୀଣା । ନିଜ ବାଦ୍ୟ ଯନ୍ତ୍ର ବୀଣାଟି ସହିତ ଭାଇ ପାଇଁ ରାକ୍ଷୀ ଥାଳି ସଜେଇ ବୀଣା ଠାକୁରଙ୍କୁ ଡାକୁଥାଏ । ମୋ ଭାଇକୁ ପୂର୍ବ ଭଳି ଚଳଚଞ୍ଚଳ କରିଦିଅ । ତା ମନରୁ ଉଦାସ ଭାବ ଦୂର କରିଦିଅ ପ୍ରଭୁ କହି ଅଜଣା ଲୁହକୁ ଶାଢ଼ୀ କାନିରେ ପୋଛି ନେଉଥାଏ ବୀଣା । ତଥାପି ରୋହିତ ଉପରକୁ ନଆସିବାରୁ ନିଜେ ବୀଣା ରାକ୍ଷୀ ଥାଳି ଧରି ତଳକୁ ଆସୁଥିବା ବେଳେ ଘଟିଗଲା ଅଘଟଣ । ବାପାଙ୍କ କାନ୍ଦ ବୋବାଳି ଶୁଣି ନିଜ ରୁମରୁ ଦଉଡି ଆସି ରୋହିତ ଦେଖେତ ଅପା ଶିଡି ପାହାଚରୁ ଖସି ଲହୁଲୁହାଣ ।


   ଅପା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥାଏ । ରୋହିତ ମଧ୍ୟ ହତବାକ । ଦେଖିଲା ବାପା ନାହାଁନ୍ତି । ସେ ଜାଣେ ଏ ଅସମୟରେ ବାପାଙ୍କ ଗନ୍ତବ୍ୟ ସ୍ଥଳ କୋଉଯାଏ । ତାଙ୍କ ଗାଁ ମନ୍ଦିରରେ ବାପା ଭୋ ଭୋ ଡାକି ଆକୁଳ ପ୍ରାର୍ଥନା କରୁଥାନ୍ତି । କହୁଥାନ୍ତି ମୋ ଝିଅକୁ ରକ୍ଷା କର ପ୍ରଭୁ । ତୁମ ଦାନରୁ ତୁମ ମନ୍ଦିରର ଏଇ ପ୍ରାଙ୍ଗଣରୁ ରୋହିତକୁ ପାଇବା ପରେ ପରେ ପୁତ୍ର ନଥିବା ଦୁଃଖ ସିନା ଭୁଲିଗଲା ସ୍ତ୍ରୀ ମାଳତୀ ହେଲେ ଲାଳନ ପାଳନ କରିବାକୁ, ବଞ୍ଚି ରହିଲାନି ଏ ଦୁନିଆଁରେ । ସେହି ଦିନୁ ପାଞ୍ଚ ବର୍ଷର ଭଉଣୀ ରୋହିତର ମାଆ ବନି ସବୁ ଅଳି ଅର୍ଦ୍ଦଳି ସହି ବଡ଼ କରିଛି । ଆଜି ତାକୁ ଭଲ କରିଦିଅ ପ୍ରଭୁ, ରୋହିତର ଜୀବନର ବାକିତକ ଖୁସିରେ ସାମିଲ କରିବାକୁ ମୋ ଝିଅକୁ ଆୟୁଷ ଆଶିଷ ନିରୋଗ ରଖ ଠାକୁର । ଦୁଇ ଭାଇଭଉଣୀ ମୋ ଦୁଇ ଆଖି । ଜଣଙ୍କ ବିନା ଆଉ ଜଣେ ଅଧା ଅଧୁରା ପ୍ରଭୁ ।


   ରୋହିତ ପାଦ ତଳୁ ମାଟି ଖସିଯାଇଥିଲା । ସେ ଅନ୍ଧ ଭଳି ବୀଣା ଉଦ୍ଦେଶ୍ୟରେ ଅପା ଅପା ଡାକି ଦୌଡୁଥିଲା ହସ୍ପିଟାଲ ଅଭିମୁଖେ । ସେତେବେଳକୁ ଅପା ଆଖି ଖୋଲିଥିଲା ଭଗବାନଙ୍କ ଅଶେଷ ଦୟା ଓ କରୁଣାରୁ । ଘରୁ ବୀଣା ଅପାର ବୀଣାଟିକୁ ଆଣି ଅପା ହାତରେ ଦେଇ ରୋହିତ କହୁଥିଲା ଉଠ ଅପା ପୁଣି ସ୍ୱର ତୋଳେ ତୋ ବୀଣାରେ । ସେ ସ୍ୱର ଶୁଣି ଆମ ଘର ସହ ମୋ ମନ ହୃଦୟ ଝଙ୍କୃତ ହେଉଥିବ ପ୍ରତିଦିନ । ବୀଣା ମୁଁହରେ ହସ ଝରୁଥିଲା ଭାଇର ଖୁସି ଦେଖି ।



Rate this content
Log in

Similar oriya story from Drama