ବିଚ୍ଛେଦ
ବିଚ୍ଛେଦ
ଏଇ କିଛି ଦିନ ତଳେ ମାନିନୀର ଭେଟ ହେଇଥିଲା ସେ ନୂଆ ମଣିଷଟି ସହିତ । କେତେବେଳେ ଯେ ଅଜଣା ମଣିଷଟି ଅତି ଆପଣାର ହେଇଗଲା ମାନିନୀ ଲାଗି ସେ ହୁଏତ ନିଜେ ବି ଜାଣିନି ।
ଅବଶ୍ୟ ମାନିନୀ ଏ କଥାଟିକୁ ତା ହୃଦୟରୁ ବାହାରି ଓଠ ପର୍ଯ୍ୟନ୍ତ ଆସିବାକୁ ଦେଇନି କେବେ । କାରଣ ସେ ଭଲ ଭାବେ ଜାଣିଥିଲା ସେ ଦୁହିଁଙ୍କ ମଧ୍ୟରେ ଥିବା ଜାତିଗତ ପାଚେରୀ ଲାଗି ତା ପରିବାର ଲୋକ ତଥା ତା ବାପା କେବେ ବି ସ୍ୱୀକୃତି ଦେବେ ନାହିଁ ।
ସେ ପୁଅଟି କିନ୍ତୁ ଡାଇରେକ୍ଟ ଇନଡାଇରେକ୍ଟ ଅନେକଥର ତାକୁ ତା ହୃଦୟର କଥା କହିବାକୁ ଚାହୁଁଥିଲା । ହେଲେ ମାନିନୀ ସେ ସବୁକୁ ବୁଝିବି ନ ବୁଝିବାର ଅଭିନୟ କରୁଥିଲା । ଯଦିଓ ପୁଅଟି ଜାଣିଥିଲା ଯେ ମାନିନୀର ଏସବୁ ମିଛ ଅଭିନୟ ମାତ୍ର, ସେ ବି ନିରୁପାୟ ।
ତେଣୁ ମାନିନୀ ନିଜ ମନର କଥାକୁ ମନରେ ଚାପି ରଖି ଘର ଲୋକ ଯେଉଁଠି ବୁଝାବୁଝି କଲେ ସେ ସେଇଠି ଚୁପଚାପ ବାହା ହୋଇଗଲା ।
ସେ ପୁଅଟି ମନରେ ସବୁଦିନ ଲାଗି ଏଇ ଭାବନାଟିଏ ରହିଗଲା ଯେ ମାନିନୀ ତା ସହିତ ଧୋକା କରିଛି । ମାନିନୀର ନିରବତା ହିଁ ଏଇ ବିଚ୍ଛେଦର କାରଣ ।
ଏପଟେ କିନ୍ତୁ ମାନିନୀର ବିବାହ ପରେ ତା ଶାଶୁଘର ଲୋକଙ୍କ ବ୍ୟବହାରରେ ଅତିଷ୍ଠ ତଥା ଦିନକୁ ଦିନ ନିଜ ମନକୁ ମାରି ନିଜ ଅସ୍ତିତ୍ୱକୁ ହରାଇ ଚାଲିଥିବା ମାନିନୀକୁ ଶଯ୍ୟାଶାୟୀ ପିତା ଯେତେବେଳେ ବି ଦେଖୁଥିଲେ, ସେ ମନେ ମନେ ଭାବୁଥିଲେ ଯେ ସେ ମାନିନୀ ସହ ଭୁଲ କରିନାହାନ୍ତି ତ?ମାନିନୀ ଯେଉଁ ଅନ୍ଧଭାବରେ ତାଙ୍କ କଥାରେ ବିଶ୍ୱାସ କରି ନିଜ ଜୀବନକୁ ଏକ ଅଜଣା ଲୋକ ହାତରେ ଟେକିଦେଲା । ସେ(ମାନିନୀର ବାପା) ସେଥିରେ ଧୋକା ଖାଇଗଲେ କି?
ଆଉ ଆଜି ମାନିନୀ ନିଜର ପିତାଙ୍କୁ ହରାଇ ସାରିଛି । ଯାହା ଲାଗି ସେ ନିଜର ପ୍ରେମ ଠାରୁ ଜାଣିଶୁଣି ବିଚ୍ଛେଦ ଆପଣେଇ ନେଇଥିଲା । ସେ ବି ଆଜି ଚିରନିଦ୍ରାରେ ।
ଏବେ ତ ଏଇ ବିଚ୍ଛେଦ ହିଁ ଯେ ତା ଜୀବନର ସତ୍ୟ ତାହା ସେ ଗ୍ରହଣ କରିଚାଲିଥିଲା ।