Gargi Mishra

Horror Inspirational Children

4  

Gargi Mishra

Horror Inspirational Children

ଭୂତ

ଭୂତ

6 mins
292



(ସତ ଘଟଣା ଉପରେ ଆଧାରିତ ଏହି କାହାଣୀ ଯେତେ ଶୁଣିଥିଲେ ବି ଭୁଲିଯିବା ବହନା କରି ବାପାଙ୍କୁ ଆହୁରି ଆହୁରି ପଚାରି ଶୁଣେ l ଆଜି ଆପଣ ମାନେଙ୍କ ପାଇଁ ପ୍ରସ୍ତୁତ )


ତକିଆତଳୁ ମୋବାଇଲ କାଢି ଘରକୁ ଫୋନକଲା ମାମୁନି 

-"ବାପା, ମୁଁ ଆଜି ଭୁବନେଶ୍ୱର ଆସୁଛି l"

- "ଘରକୁ ଆସିବାକୁ ମନ ଯଦି ଆସି ବୁଲିକି ଯା' l ଭଲ ଲାଗିବ l କିନ୍ତୁ ହଠାତ ଏମିତି ଆସୁଛୁଯେ ? ଆଗରୁ କହିଥିଲେ ମୁଁ ଯାଇ ଆଣି ଆସି ନଥାନ୍ତି ? ହଉ, ଆସେ l

ପିଲାଟି କଥାରେ ନୈରାଶ୍ୟକୁ ଠିକ ବାରି ପାରିଥିଲେ ମିଶ୍ର ବାବୁ l ତା' ଆସିବାଯାଏ ବିଚଳିତ ଥାନ୍ତି l 


ଫୋନରଖି ମାମୁନି ପ୍ୟାକିଙ୍ଗ ଆରମ୍ଭ କଲା lଗଲା କିଛି ଦିନହେଲା ଶୋଇପାରିନି ଟିକିଏବି l ହନୁମାନ ଚାଳିଶା ଗାଇ ଗାଇ ଖାଲି ରାତିସାରା କଡ ଲେଉଟାଉଛି l କ'ଣ କରିବ କିଛି ବୁଦ୍ଧି ଦିଶୁନି l ପରୀକ୍ଷା ମୁଣ୍ଡ ଉପରେ l ହେଲେ ବାଧ୍ୟ ହୋଇ ଘରକୁ ଯିବାକୁ ପଡୁଛି l


ଗଲାବର୍ଷ ହଷ୍ଟେଲରେ ରହି ଉଚ୍ଚଶିକ୍ଷା ଲାଭକରିବା ଆଶାରେ ଘର ଚାରିକାନ୍ଥର ସୀମାଡେଇଁ ଅସୁମାରୀ ସ୍ୱପ୍ନ ଆଖିଏ ନେଇ ଚାଲି ଆସିଥିଲା ମାମୁନି ପାଖ ରାଜ୍ୟର ବଡ଼ କଲେଜକୁ l ପୁଅମାନଙ୍କଠାରୁ କେତେ ଗୁଣ ଅଧିକା ନମ୍ବର ରଖି ଶ୍ରେଣୀରେ ପ୍ରଥମ ହୋଇ ଏକ କୃତୀଚ୍ଛାତ୍ରୀ ରୂପେ ସହରରେ ନାଁ' ଉଜ୍ଜ୍ୱଳ କରିଥିଲା ମାମୁନି l ଶିକ୍ଷା ଲାଭ ନିଶାରେ , ଘରର ସବୁ ସୁବିଧାସୁଯୋଗକୁ ଆଡେଇ ହଷ୍ଟେଲରେ ରହି କଷ୍ଟକରିବାକୁ ତିଳେ ମାତ୍ର ଖାତିର ନଥିବା ଝିଅଟି ଆଜି କାହିଁକି ଘଣ୍ଟାର ଟିକ ଟିକ ହେଉ କିମ୍ବା ସାମାନ୍ୟଟିକେ ପବନର ସୁ ସୁ ଶବ୍ଦରେ ଦିନ ଦିପହରେ ବି ଚମକି ପଡୁଥାଏ l ଆଖପାଖ ରୁମରେ କେହିବି ନଥାନ୍ତି l

 ପ୍ରାୟ ଆଠ, ନ ଘଣ୍ଟା ପରେ ଭୁବନେଶ୍ୱରରେ ପହଁଞ୍ଚି ଗଲା ମାମୁନି l ଷ୍ଟେସନରେ ଭାଇନା ମୁହଁରେ ମଧୁର ହସଟେ ଫୁଟାଇ ଠିଆ ହୋଇଥାଏ ତାକୁ ନେବାପାଇଁ l ସିଆଡେ ମା' ମନ ଅଧୀର l


 ସନ୍ଧ୍ୟାରେ ଘରେ ଆସି ନିଜ ପ୍ରିୟ ପରିବାର ପାଖରେ ପହଁଞ୍ଚିଲା ପରେଟିକେ ଅଶ୍ଵସ୍ତି ଅନୁଭବ କଲାଟିକେ l

ଘରେ ପଶିବା ଆଗରୁ ବୋଉରନ୍ଧାର ବାସ୍ନାରେ ମହକି ଯାଉଥିଲା ଘର ବାହାର ସବୁ l ବୋଉ ତା' ପସନ୍ଦର ଦେଶୀ ଘିଅ ମଖା ଖେଚେଡ଼ି ସାଙ୍ଗକୁ ଯନ୍ହି,ବଡି, ଆଳୁ, ଛୁଇଁ ମିଶା ସନ୍ତୁଳା, ଚଞ୍ଚିନ୍ଦ୍ରା ଭଜା, ପୋଟଳ ଛଣା, ସଜନା ଶାଗ ଆଦି ବନେଇ ଅତି ଉତ୍କଣ୍ଠାର ସହ ନିଜ ଅଲିଅଳି ଝିଅକୁ ଅପେକ୍ଷା କରିଥିଲେ l ହଷ୍ଟେଲର ପାଣିଚିଆ ଡାଲି ତରକାରୀ ଖାଇ ଖାଇ ଅରୁଚି ହେଇ ଆସିଥିଲା ଯେପରି l ଚୁପକି ସବୁଥିରୁ କିଛି କିଛି ଖାଇନେଇ ବୋଉ କୋଳରେ ମୁଣ୍ଡରଖି କିଛି ସମୟ ଗଡ଼ିଲା ଏଥର l ବାପା ମୁଣ୍ଡ ଆଉଁସି କଁଳେଇ କେତେ ଥର ପଚାରିବାରୁ କହିଲା ତାର ଅଚାନକ ଆସିବାର ଅଭିପ୍ରାୟ l


-"ବାପା ସେ ହଷ୍ଟେଲ ରେ କୁଆଡେ ଭୂତ ଅଛି l 206 ନମ୍ବର ରୁମରେ l ଠିକ ପାଞ୍ଚଟା ରୁମ ଛାଡ଼ିଦେଇ ଆରପଟକୁ l ସେଠି ଆମ ସିନିଅର ଝିଅଟେ ଆତ୍ମହତ୍ୟା କରିଦେଇଛି l"

-"କଣ ହେଲା? କେବେକାର ଘଟଣା? କଉଠିକା ଛୁଆ? "

-"ପ୍ରାୟ ସପ୍ତାହେ ହେଲାଣି l ତାଙ୍କ ନାଁ ଟି. ସନ୍ଧ୍ୟା l ସେମାନେ ତାମିଲନାଡୁର l ତାଙ୍କ ବାପା ମା' ଉଭୟ ଜଣା ସୁଣା ସାଇଣ୍ଟିଷ୍ଟ l ସେ ଥିଲେ ଥାର୍ଡ଼ ଇୟରର ଛାତ୍ରୀ l ସବୁବେଳେ ହସହସ ମୁହଁ, ହେଲେ ଭିତରେ ଦବାଇ ରଖୁଥିଲେ ଭୀଷଣ କଷ୍ଟ l ବଡ଼ ଖରାପ ଲାଗିଲା ଶୁଣି l ମାତ୍ର ସାମାନ୍ୟ କିଛିଟା ମାର୍କ ପାଇଁ ଶ୍ରେଣୀରେ ଟପ କରିପାରିନଥିବାରୁ ତାଙ୍କ ବାପା ମା' ଘରକୁ ଆସି ମୁହଁ ଦେଖେଇବାକୁ ମନା କରିଦେଇଥିଲେ କୁଆଡେ ତାଙ୍କୁ l ଏସବୁ ନନସେନ୍ସ ନୁହେଁକି ବାପା? ଅଯଥା ରେ ପିଲାଙ୍କ ଉପରେ ପ୍ରେସର l ଯିଏ ଯାହାର ସାମର୍ଥ୍ୟ ମୁତାବକ ପାଠ ପଢିବ ନା ଘର ଲୋକଙ୍କ ସୋସିଆଲ ସ୍ଟେଟସ ଲାଗି? ମୋ ଭାଗ୍ୟ ଭଲ, ମୋ ମା' ବାପା ଏମିତି ନୁହେଁ l


 ସେ ଯାହାହେଉ, ମୁଁ ସେ ବିଷୟରେ ଏତେ ଗୁରୁତ୍ୱ ଦେଇ ଆଲୋଚନାରେ ଭାଗ ଦେଇ ମୋ ପଢାପଢିରେ ହେଳା କରିନଥିଲି l

କିନ୍ତୁ କିଛିଦିନ ପୂର୍ବେ ଅନ୍ତେବାସୀ ମାନେ ଫୁସୁର ଫାସୁର ହେଲେ l କହିଲେ, ସେ 206 ନମ୍ବର ରୁମଟା କୁଆଡେ ଅଶୁଭ l ଯିଏବି ସେଠି ରହେ କୁଆଡେ ସେଇ ଦଶା ହୁଏ ତା'ର l ତା ରୁମ ସେବେଠୁ ଲକ l ପାଖା ପାଖି ରୁମରେ ପିଲାମାନେ ଡେରି ରାତିରେ ପଢା ପଢି କଲାବେଳେ କୁଆଡେ 206 ର ଲାଇଟ ଧପ ଧପ ହୁଏ l କିଏ କିଏ ଏକ ଝିଅ ବିକଳରେ କାନ୍ଦିବାର ଶବ୍ଦ ମଧ୍ୟ ଶୁଣିଛନ୍ତି l"

- "ତା ପରେ?" ବାପା ପଚାରିଲେ

- "ତା ପରେ ତ ଆମ ଫ୍ଲୋରର ଆଖ ପାଖ ସବୁ ରୁମ ଖାଲି l ଯିଏ ଯେଝା ଘରକୁ ପଳେଇଛନ୍ତି l ଡର ଲାଗିବନି? ମୁଁ ଆଉ ଯିବିନି ସେ ହଷ୍ଟେଲ ଫଷ୍ଟେଲ l ଭାବୁଛି ଏବର୍ଷ ପରୀକ୍ଷା ଡ୍ରପ କରିଦେବିl"


 ହେଲେ ମାମୁନି କଥାକୁ ବାପା ଫୁ ଫୁ କରି ଉଡାଇ ଦେଲେ -" ଆରେ ଏଇ କଥାକୁ ତୁ ଡରି ଭାଗି ପଳେଇ ଆସିଛୁ ନା? ତୁ ପରା ମୋର ବହାଦୁର ବେଟା l ବିଜ୍ଞାନର ଛାତ୍ରୀ ହୋଇତୁ ଏମିତି କଥାବାର୍ତ୍ତା କରୁଛୁ?

ଭୂତ ମାନେ ସଂସ୍କୃତରେ ହେଲା ଅତୀତ l କହନ୍ତିନି, ଭୂତପୁର୍ବ ପ୍ରଧାନମନ୍ତ୍ରୀ l ମାନେ ଅତୀତରେ ଘଟିଥିବା ଘଟଣା ହେଲା ଭୂତକାଳ l ହେଲେ ଭୂତ ନାଁ ରେ ଆଶରୀରୀ, ଆତ୍ମା, ପିଶାଚ, ଡାହାଣୀ, ରାକ୍ଷସ ଏସବୁ ଅନ୍ଧବିଶ୍ୱାସ l ଅଶିକ୍ଷିତ ସରଳବିଶ୍ୱାସୀ ଲୋକଙ୍କ ଦୁର୍ବଳ ମନସିକତା କେବଳ l " ତା ପରେ ମନକୁ ହଲକା କରିବା ଉଦ୍ଦେଶ୍ୟରେ ନିଜ ଜୀବନରୁ ଦୁଇଟି ବୃତ୍ତାନ୍ତ ଶୁଣାଇଲେ ଏଥର l କହିଲେ,


"ମୁଁ ପରା ବାହାରେ ରହି ଆଇ. ଏ. ପଢିଲା ବେଳେ,

ଗାଁ କୁ ମଝିରେ ମଝିରେ ଯାଏ ଯେତେବେଳେ, ସାହିର ପିଲାମାନେ ସବୁ ପାଠ ବୁଝିବାକୁ ହେଉ ମୋପାଖୁ ଆସନ୍ତି l ବେଳ ବୁଡ଼ିଲା କ୍ଷଣି ଯେତେ କହିଲେ ବି ଶୁଣନ୍ତିନି l ସବୁ ଘରକୁଧାଆନ୍ତି l ଆରେ କଥା କ'ଣ?

ଦିନେ ବକୁନି କକେଇ କହିଲା,

- "କୈଳାଶନା,ସେ ବାଆଁଶ ବୁଦା କଡରେ ପରା ଡାହାଣୀ ଅଛି l ସବୁଦିନ ସୁରୁଜ ବୁଡ଼ିଲା ବେଳକୁ ପ୍ରକୋପ ଦେଖାଉଛି l ଖାସ ତା' ନଜର ଛୁଆଙ୍କ ଉପରେ l ତମେ ହେଲ ପାଠପଢୁଆ ଲୋକ l ଶୁଣିଲେ ହସିବ l ସେଥିପାଇଁ ତମକୁ କିଏ କହୁ ନାହାନ୍ତି l"

ଏକଥା ଶୁଣି ହସୁ ହସୁ ବକୁନି ହାତକୁ ଟାଣି ଟାଣି ତା ସାଙ୍ଗରେ ଗଲି ନଈ ପାଖ ବାଆଁଶବୁଦା ମୂଳକୁ lତା ସେପଟକୁ ତାଳବଣ l ବର୍ଷାଦିନେ ପାକଲା ତାଳ ବାସି ଫଟଉଥାଏ l ସନ୍ଧ୍ୟା ସମୟ l ତାଳ ଗୋଟା ଗୋଟା ପାଚି ତଳେ ପଡୁଥାଏ ଠପ ଠପ ହୋଇ l ଏକମୁହାଁ ହେଇ ଚାଲିଲି ଭିତରକୁ l ବକୁନି ସିଆଡେ କମ୍ପିଲାଣି l

-"ନାଇ ନନା, ତୁମେ ଜାଣିନା l କେତେ ପିଲାଙ୍କୁ ଡାହାଣୀ ଲାଗିଲାଣି, ଜର ଛାଡ଼ୁନି ମାସ ମାସ l ଘରେ ଘରେ ପରା କୋକୁଆ ଭୟ l ଗୁଣିଆ ଡାକି ଝାଡ଼ ଫୁଙ୍କ କଲେ ଯାଇ ସଳିଖି ବସୁଛନ୍ତି ପିଲାଏ l ଜମା ଜିବିନି ତୁମ ସାଙ୍ଗେ l


କହୁ କହୁ ବାଂଶବୁଦା ଝାଏଁ ଝାଏଁ ହେଇ ଶିହରୀ ଉଠିଲା l ହୁଡ଼ା ଭିତରୁ ବିଲୁଆ ରଡି ପକେଇଲା ପରି ସ୍ୱର l ସତରେ ଅନ୍ଧାରିଆ ନିସ୍ତବ୍ଧ ସନ୍ଧ୍ୟା l ମୋର ହାତରେ ଅଚାନକ ଯାବ ପଡ଼ିଗଲା l କଡ଼କୁ ଚାହିଁ ଦେଖିଲି, ବକୁନି ମୋ ବାଁ ହାତକୁ ତା ଦି ହାତରେ ଜାବୁଡି ଧରି ଥରୁଥାଏ l ଗୋଟା ଝାଳ ହେଇ ସାରିଲାଣି l


-"ନନା ଚାଲିଲ ଲେଉଟି "- ତାଗିଦ କଲା ଏଥର ବକୁନି l ମୁଁ ଶୁଣୁନଥାଏ l

 "ହେ ବାଶୁଳେଇ ଠାକୁରାଣୀ, ହେ ପଥରକୁଣି, ହେ ମା ସାରଳା, ହେ ମା ମଙ୍ଗଳା, ହେ ବିରଜା ଦେବୀ ଲୋ ସାହା ହ ମାଗୋ l"


କହି ହଜାରେ ମୁଣ୍ଡିଆ ମରୁଥାଏ l ମୁଁ ମାଡିଚାଲିଥାଏ ଆଗକୁ ଆଗକୁ l ହଠାତ ବାଉଁଶ ଅଗଯାକ ମୋଡି ହେଇ ଇନ୍ଦ୍ରଧନୁ ଆକୃତି ପରି ଆର ପଟେ ନଈ କୂଳ ସରୁ ରାସ୍ତା ଉପରେ ଶୋଇ ଆସିଲା l ତାକୁଦେଖି ଖେପାଏ ମରି ବକୁନି ଏଥର ଓଲଟା ଧାଇଁଲା ଘରମୁହାଁ l


ମୁଁ ଟିକେ ଡରି ଯାଇଥିଲେ ମଧ୍ୟ ପରିସ୍ଥିତିଟିକୁ ଠିକରେ ଅନୁଧ୍ୟାନ କଲି l ଭାବିଲି, ଇୟେତ ସମ୍ଭବ କଥା ନୁହେଁ l ପବନବତାସ ନାହିଁ l ବାଉଁଶ ଆପେ ନଇଁବାର କ୍ଷମତା ନାହିଁ l ୟା ପଛରେ କିଏ ଗୋଟେ ଲୋକ ଅଛି ନିଶ୍ଚିତ l ଏହା ଭାବି ଆଖ ପାଖରେ ଇଟା, ଢେଲା, ପଥର, ଗୋଡି, ଟାକୁଆ ଯାହା ପାଇଲି ଫୋପାଡ଼ିଲି ଆଖିବୁଜାକି l


-"କୈଳାଶରେ, ଥାଉ ଥାଉ, ମରିଗଲିରେ l ଆଉ ଟେକା ପକାନା ମୋ ଉପରକୁ " କହି ଚିତ୍କାର ଛାଡିଲା ଡାହାଣୀ ଓରଫ ଶାମାଜେଜେ l ବୁଦା ମୂଳରୁ ହାଉଲୁ ମାଉଲୁ ହେଇ ଦିହ ହାତ ଝାଡ଼ି ଝୁଡି କରି ଧାଇଁ ଆସିଲା ଏଥର ମୋଆଡେ l

- "ଶାମାଜେଜେ , ତୁମେ? " ଏ ବାଡ଼ିରେ ସନ୍ଧ୍ୟାଟାରେ କଣ କରୁଛ? "


-"ଆରେ କୈଳାଶ, ସନ୍ଧ୍ୟା ପରେ ପିଲାମାନେ ତାଳସବୁ ଗୋଟେଇବେନି ବୋଲି ଡାହାଣୀ ହେଇ ମୁଁ ଚିତ୍କାରଛାଡି ଗଛ ଫଡଫଡ଼ କରି ଡରେଇ ରଖିଥିଲି l ନହେଲେ ପରା ସବୁ ଚୋରୀଚାରି ହେଇ ଯାଉଥିଲା l କଣ କରିବା କହ?ଏମାନଙ୍କୁ କେତେ ଜଗିବ? ହଉ କାହାକୁ କହିବୁନିଟି l"


- "ଶାମାଜ, ବାଡ଼ ଘେରେଇ ରଖୁନା? ପିଲାମାନେ ଡରି ଡରି ଜର ହେଇଯାଉଛି l "କହି ଚାଲି ବିଦାୟ ନେଇ ଆସିଲି l ତା' ପରଠୁ ଆଉ କିଏ ଡରନ୍ତିନି ସେବାଟେ ଯିବାକୁ l ଗାଁରେ ବ୍ୟାପିଥିବା କୋକୁଆ ଭୟର ସମାପ୍ତି ହେଲା ଜାଣି l ଡାହାଣୀ ଫାହାଣି କିଛି ନୁହେଁ l ସୁଦୁ ମିଛ କଥା l


ଆଉ ଦିନେ ପୁରୀରେ ପାଥରପଡ଼ା ହଷ୍ଟେଲରେ ରହିଲା ବେଳେ ଶୁଣା ଯାଇଥିଲା ଭୂତ ବାହାରିଛି ଗେଷ୍ଟ ହାଉସରେ କୁଆଡେ l କିଛି ଲୋକଙ୍କ କୋଳାହଳ ସହ ନିର୍ଜନ ରାତିରେ ଆଲୁଅ ଜଳିବାର ଦୃଶ୍ୟ ପଥଚାରୀ ମାନଙ୍କୁ ଆତଙ୍କିତ କରୁଥିଲା l ସନ୍ଧ୍ୟା ଆଗରୁ ସାଙ୍ଗମାନେ ଯାଇ ଛାତରେ ବସିରହିଲୁ ଘଟଣା କଣ ଜାଣିବାକୁ ? ଗୋଟେ ନାଟକ ଉପରୁ ପରଦା ଉଠିଲା ଜାଣି l ଦେଖିଲୁ ଦରିଦ୍ର ପରିବାରଟିଏ ସେଠାରେ ଆଶ୍ରୟ ନେଇଥିବାର l ପଚାରି ବୁଝିଲୁ ତାଙ୍କୁ l

ବସ୍ତିଉଛେଦ ପରେପରେ ସେ ପରିତ୍ୟକ୍ତ ଗେଷ୍ଟ ହାଉସରେ ଆଶ୍ରା ପାଇ ଦମ୍ପତିଟିଏ ନିଜ ଦୁଇ ଝିଅଙ୍କୁ ନେଇ କିଛିଦିନ ପାଇଁ ସେଠି ମୁଣ୍ଡ ଗୁଞ୍ଜିଥିଲେ ନିଜ ଜିନିଷ ପତ୍ରସହ l ରାତିରେ ସେଠି ଡେରା ପକେଇ ସକାଳ ହେଲେ ସମୁଦ୍ର କୂଳେ ନିଜ ଠେଲାଗାଡି ପକାଇ କରମଙ୍ଗା, କାକୁଡି ବିକ୍ରିରେ ଲାଗି ପଡନ୍ତି ପରିବାରଟା l ଭୂତ ନା ଫୁତ? ମନଗଢା କାହାଣୀଟିଏ ନିଜେ ରଚିଥିଲା ଲୋକଟି ପରିବାରଟିକି ରକ୍ଷା କରିବା ପାଇଁ l ତାକୁ ଓଲଟା କିଛି ସାହାଯ୍ୟ କରିଥିଲୁ ସବୁ ହଷ୍ଟେଲ ପିଲାମାନେ ମିଶି l 


ବାପାଙ୍କ ଗପ ଶୁଣି ହସିହସି ସମସ୍ତେ ବେଦମ l ସେଦିନ ନିଶ୍ଚିନ୍ତ ନିଦରେ ଶୋଇ ପଡିଥିଲା ମାମୁନି l ଏଥର ଡର ଭୟ ଭୁଲି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା l ସତରେ, ବାପାଙ୍କ ସକାରାତ୍ମକ କଥା ତା' ଭିତରେ ସବୁବେଳେ ନୂଆ ପ୍ରାଣ ସଂଚାର କରିଦିଏ ଯେପରି l ପ୍ରତି ଅସୁବିଧାର ସହଜ ସମାଧାନର ସୂତ୍ର ବାପା ପାଖରେ ଥାଏ l ଯେତେ ବଡ ହେଲେବି ଲାଗେ ବାପାଙ୍କ ଆଗରେ ସେ ସେଇ କୁନି ମାମୁନି l


 ବାସ୍ତବରେ ସମାଜରେ କେତେକ ଜୀବନ୍ତ ଲୋକଙ୍କ ଅହଙ୍କାରରେ କବଳିତ ହୋଇ ହୋଇ କେତେ କେତେ କୋମଳ ଜୀବନ ଭୂତ ବା ଅତୀତ ପାଲଟି ଯାଉଛନ୍ତି ତାହା ଦୁଃଖର ବିଷୟ l ନିଜ ଭିତରେ ଥିବା ଅଜ୍ଞାନତା ହି ହେଉଛି ଆନ୍ତରିକ ଡରର ପ୍ରଧାନ କାରଣ l ଅଥଚ ସେହି ମଣିଷର ଆଜି ଭୂତକୁ ଡର! ଫାଲତୁ କଥା ଭାବିବା ବନ୍ଦକରି ସାହାସିକତାର ସହ ଏଥର ହଷ୍ଟେଲ ବାହାରିପଡିଲା ମାମୁନି ଆମର l


Rate this content
Log in

Similar oriya story from Horror