ଭୁଲା ମଣିଷ
ଭୁଲା ମଣିଷ


ବୀଣାମାଉସୀର କଥା ବା ବାଣୀ ଥିଲା ରୋକଠୋକ. ଗାଁରେ କାହାର ଭୁଲ ଭଟକା ଦେଖିଲେ ସେ କହିଦିଏ. ଯେମିତି କୋଉଟା ଭୁଲ କୋଉଟା ଠିକ ବୋଲି କହିବାକୁ ତା ଜିଭ ଯେମିତି ଖଲଖଲ ହେଉଥାଏ ସେମିତି ଖାଲ ଖମା କି ଖାଲ ପଡ଼ୁ କି ଢିପ ତା ଶାଣ ଦିଆ ବାଣୀ ବୀଣା ବାଜୁଥାଏ. ଲୋକେ ଡରନ୍ତି ବୀଣାର ବାଣୀକୁ ତ କେହି କେହି କହନ୍ତି ବୀଣା ବଜେଇ ଦେବ ଏଇଲେ ବୀଣା. ସେଦିନ ନରହରି ଦାସେଙ୍କ ମୃତ୍ୟୁ ପରେ ପୁଅକୁ ତାଙ୍କର ସିଧା ଶୁଣେଇ ଦେଇଥିଲା କଣ ବଞ୍ଚିଥିଲା ବେଳେ ନଦିଅନ୍ତି ତୁଣ୍ଡେ ମଲେ ଦିଅନ୍ତି ବେଣା ମୁଣ୍ଡେ କରି ସମ୍ପତ୍ତି ହାତେଇବାକୁ ଆସିଗଲ? କିଛି କହିନଥିଲା ପୁଅ ଅରୁଣ. ପୁଣି ସେମିତି ତାଙ୍କ ଗାଁ କୁନି ଆର ଗାଁ ବାବୁ ସହ ମନରାଜିରେ ବାପା ମାଆଙ୍କ କଥା ଟାଳି ଚାଲିଯିବା ପରେ ଦିନ କେଇଟାରେ କାଖରେ ଛୁଆ କାଖେଇ ଫେରିଲା ବେଳେ ବୀଣା କହିଥିଲା କିଲୋ ସେଦିନ ତ ଭାରି ପ୍ରେମ ସପକ୍ଷରେ କହୁଥିଲୁ ଏବେ ପୁଣି ବାଟଭୂଲି କୁଆଡେ ଆସିଲୁ ବା?ହଁ କହିବି କାହିଁକି ଯିଏ ଯାହାକୁ ରସିଲା.. ମଲ୍ଲୀ ଫୁଲ ପରି ବାସିଲା.. ହେଲେ ସେକଥା କୋଉ ରହିଲା?
ବୀଣା ମାଉସୀର ଏଇ ବୀଣା ବଜା ଗୁଣ ପାଇଁ ତାର ଗାଁରେ ଭାରି ଖାତିରି. ଖାଲି ଗାଁ ଲୋକେ କଣ ସମସ୍ତେ ତାକୁ ଡରନ୍ତି. ମୁହଁରେ କହି ଲୋକଙ୍କୁ ଭୁଲ ଠିକ ଚେତେଇ ପରୋକ୍ଷରେ ନୂଆ ପିଢିଙ୍କୁ ଶାସନ ଶିକୁଳି ପିନ୍ଧେଇ ଦେଇଥାଏ ସିଏ. ଘରେ ଘରେ ଲୋକ ବୀଣା ମାଉସୀ ବୀଣା ବାଜିବାକୁ ଡରି ଶୃଙ୍ଖଳିତ ବ୍ୟବହାର କରିଥାନ୍ତି. ଏତେ କଥାକୁ ବୀଣା ମାଉସୀର ପିଲା ବକଟେ ନାହିଁ. ମୁହଁ ଖୋଲି କେହି ବାଞ୍ଝ ବୋଲି ମାଉସୀଙ୍କୁ କହିପାରନ୍ତିନି କାରଣ ଗାଁ ଗୋଟାକଯାକର ପିଲା ସତେ ଯେପରି ତାଙ୍କ ଛୁଆ. ମାଆ ମାନେ ଖାଲି ଜନମ କରନ୍ତି ଓ ଥନ ଭାଙ୍ଗି ଖାଇବାକୁ ଦେବା ଛଡା ଆଉ କଣ ବୁଝନ୍ତି ଯେ!ବୀଣା ମାଉସୀ ବୁଝେ ସେମାନଙ୍କ ଟୀକାନେବା କଥା, ପୁଣି ଶିଖାଏ ଚାଲି ଶିଖୁ ଶିଖୁ ରାମ ରାମ କହିବା, ସଂଖ୍ୟା ଗଣିବା, ଗଣୁ ଗଣୁ ଅକ୍ଷର ଶିଖିବା. ଗାଁର ସବୁ ପିଲା କିପରି ପଢିବେ ଓ ବଢ଼ି ସୁନା ଚାଟ ହେବେ ସେଥିପାଇଁ ମାଆ ବାପାଙ୍କୁ ସତେ ଯେମିତି ବୀଣା ଶୁଣାଉ ଥାଏ
ବୀଣା ମାଉସୀ. ଆରେ ସମସ୍ତେ ଯଦି ଲଙ୍ଗଳ କଣ୍ଟି ଧରିବ ଗାଁଟାରୁ ବାବୁ ଭାୟା ଦି ଚାରି ଜଣ ନବାହାରିଲେ ଆମ ଆଖି ଫିଟାଇବ କିଏ! ମୁଁ ବୁଢ଼ୀ ହେଲିଣି, କେତେ ବୀଣା ବଜାଇବି ଆରେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତନ ନିଅରେ କହି କହି . ଗାଈ ଗୋରୁ ଛେଳି ମେଣ୍ଢାଙ୍କ ଯତ୍ନ ନେଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହୋଇ ଯେତେବେଳେ ଯାହା କରିବା କଥା କରରେ . ବୀଣାମାଉସୀ ଏମିତି ବୀଣା ବଜାଉ ବଜାଉ ଅନ୍ୟକୁ ଶିଖେଇ ବତେଇ ସଜାଡୁ ସଜାଡୁ ସଜାଡିପାରେନି ନିଜ ସ୍ୱାମୀଙ୍କୁ.
ବଡ଼ ଭୁଲା ମଣିଷ ବୀଣା ମାଉସୀଙ୍କ ସ୍ୱାମୀ ହରିହର. ବଜାରରୁ ଠିକ ଠିକ ଜିନିଷ ଆଣିବାକୁ ଭୁଲି ଯାଇଥିବେ ତ କେଵେ ପ୍ୟାଣ୍ଟ ଉପରେ ସାର୍ଟ ବୋତାମ ଠିକ କରି ଦେଇନଥିବେ ତ କେଵେ ଖରାଦିନେ ଛତା ନେବାକୁ ଭୁଲିଯାଇଥିବେ. କେଵେ ନିର୍ଦ୍ଦିଷ୍ଟ ପରିବା ଆଣିବାକୁ ଭୁଲି ଯାଇଥିବେ ତ କେଵେ ବୀଣା ମାଉସୀଙ୍କ ଔଷଧ ଆଣିବାକୁ ଭୁଲିଯାଇଥିବେ. ଥରେ ତ ଗୋଟିଏ ବଳଦ ଜୋଚି ଆରପଟେ ନିଜେ ବଳଦ ସାଜି ଶଗଡ଼ ଭିଡ଼ିବା ଦେଖି ବହେ ହସିଥିଲେ ବୀଣାମାଉସୀ . ସେମିତି ଥରେ ଲୁନାରେ ବସାଇ ମାଉସୀଙ୍କୁ ନେଇ ହାଟ ଭିତରେ ଛାଡ଼ିଦେଇ ଲୁନା ଧରି ଘରେ ହାଜର. ପରେ ମନେପଡ଼ିଲା ବେଳକୁ ବୀଣାମାଉସୀ ଚାଲି ଚାଲି ଆସି ଘରେ. ସେଦିନ ଖରାଟାରେ ବିଲ ମୁଣ୍ଡ ହିଡ଼ ଉପରେ ହରିହର ଶୋଇଥିବାର ଦେଖି ବୀଣା ମାଉସୀ ବୀଣା ବଜାଉ ଥିଲା ସତେକି.କହି ଚାଲିଥିଲା ମଲା ଘରକୁ ବାଟ ଭୁଲିଗଲ ନା ଏ ବିଲର ହିଡ଼କୁ ଖଟ ଭାବିଲ ବା . ଗାଁ ଲୋକ ଭାବୁଥିଲେ ବୀଣାମାଉସୀ ସମସ୍ତଙ୍କୁ ଯେମିତି ବାଣୀ ଦେଇ ସଜାଡେ ସ୍ୱାମୀ ହରିହରକୁ ସେମିତି ସଜାଡ଼ିବାକୁ ଲାଗିଛି କିନ୍ତୁ କଥାଟା ଜାଣିବା ବେଳକୁ ଖୁବ ଡେରି ହୋଇଯାଇଥିଲା ଯେ ହରିହରଙ୍କୁ ହଲେଇ ଦେଇ ବୀଣାମାଉସୀ ଯେବେ କହୁଥିଲା ନିଶ୍ୱାସ ନେବାକୁ ଭୁଲିଗଲ କି? ଗାଁ ଲୋକେ ଧାଇଁ ଥିଲେ ହେଲେ ହରିହରଙ୍କ ଜୀଵନଦୀପ ଲିଭି ଯାଇଥିଲା ସବୁଦିନପାଇଁ. ବୀଣା ମାଉସୀ କିନ୍ତୁ ତା ବାଣୀ ରୂପକ ବୀଣା ବଜାଇ ସଚେତନ କରି ଚାଲିଥିଲା ଗ୍ରାମବାସୀଙ୍କୁ.ଖରାକୁ ଡର.. ପାଣି ଛତା ଜୋତା ସହ ଘରୁ ବାହାରକୁ ବାହାର.