sushama Parija

Inspirational

3  

sushama Parija

Inspirational

ବହ୍ନିଶିଖା

ବହ୍ନିଶିଖା

5 mins
153



କିଛି ଦିନ ହେବ ଖୁବ୍ ଚର୍ଚ୍ଚିତ ହେଉଛନ୍ତି ସିଏ। ଇଲେକ୍ଟ୍ରୋନିକ୍ ହେଉ ବା ପ୍ରିଣ୍ଟ୍ ମିଡିଆ ହେଉ ସବୁଥିରେ ତାଙ୍କର ଚର୍ଚ୍ଚା ।କେତେବେଳେ ମତାମତ ତାଙ୍କ ସପକ୍ଷରେ ତ କେତେବେଳେ ବିପକ୍ଷରେ । ବୟସ , ପଦ ପଦବୀ,ଧନ,ମାନ କେଉଁଥିରେ ମଧ୍ୟ ଗରୁ ନୁହଁନ୍ତି ସେ କିନ୍ତୁ ସବୁରି ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ସେ ତାଙ୍କର ସତ୍ ସାହସ ଯୋଗୁଁ ,ତାଙ୍କର କର୍ତ୍ତବ୍ୟନିଷ୍ଠା ଯୋଗୁଁ । ସିଏ ସୁନିତା ଯାଦବ। ବିହାରରେ ଜନ୍ମିତ, ଗୁଜୁରାଟ ରାଜ୍ୟର ଟ୍ରାଫିକ୍ ପୋଲିସ୍ରେ କାର୍ଯ୍ୟରତା ଜଣେ କନେଷ୍ଟବଳ । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀର ଆତଙ୍କରେ ଭୀତତ୍ରସ୍ତ, ଶଟ୍ ଡାଉନ୍, ଲକ୍ ଡାଉନ୍ ଭଳି ପ୍ରତିଷେଧକ ବ୍ୟବସ୍ଥା ଜାରି ରହିଛି ସାରା ବିଶ୍ୱରେ, ଲକ୍ଷ ଲକ୍ଷ କୋଭିଡ୍ ହସପିଟାଲ୍, କୋଭିଡ୍ ଯୋଦ୍ଧା ଗଠନ ହୋଇଛନ୍ତି, କରୋନା ବିଶ୍ୱମାରୀକୁ ପ୍ରତିହତ କରିବା ପାଇଁ ସମସ୍ତେ, ସବୋମତେ ପ୍ରଚେଷ୍ଟାରତ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ପ୍ରାଣକୁ ଗ୍ରାସ କରି ବିଶ୍ୱ ମାରୀ ରୂପେ ପରିଚିତ ହୋଇ ଟହ ଟହ ହସୁଛି ଅଦୃଶ୍ୟ କରୋନା ଭୂତାଣୁ , ସେଇ ସମୟରେ ସେଇ ରୋଗର ନିଦାନ ଖୋଜିବା କିମ୍ବା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ହେବାକୁ ସାହାଯ୍ୟ କରିବା ବଦଳରେ କିଛି ତଥା କଥିତ ଇନ୍ଦ୍ରମାନେ ଖୋଜି ଚାଲିଛନ୍ତି କାହାର ସ୍ୱାଭିମାନକୁ ଚୂର୍ଣ୍ଣ କରିବା ପାଇଁ ଅମୋଘ ଅସ୍ତ୍ର ଶସ୍ତ୍ର । ଆଜି ଏକବିଂଶ ଶତାବ୍ଦୀରେ ନାରୀ ପୁରୁଷ ଉଭୟେ ସମାନ, ନାରୀ ଜାଗରଣ, ନାରୀକୁ ସମ୍ମାନର ଫମ୍ପା ସ୍ଲୋଗାନ୍ ଦେଉଥିବା ଆମ ସମାଜ, କାଳେ କାଳେ ପୁରୁଷପ୍ରଧାନ ଥିଲା, ଅଛି , ରହିବ ମଧ୍ୟ । ଆଜି ମଧ୍ୟ ଏ ସମାଜ ନାରୀର ସ୍ପଷ୍ଟବାଦିତାକୁ ତା’ର ଔଦ୍ଧତ୍ୟର ଆଖ୍ୟା ଦେଇଥାଏ, ଅନ୍ୟାୟ ବିରୁଦ୍ଧରେ ତା’ର ପ୍ରତିବାଦକୁ ସ୍ୱେଚ୍ଛାଚାରିତା କହେ। ସୁନୀତା ଯାଦବ ଙ୍କ ଘଟଣା ସମାଜର ଏଇ ଦୃଷ୍ଟିଭଙ୍ଗୀକୁ ଯଥାର୍ଥ ପ୍ରମାଣ କରୁଛି ବୋଲି ମୋର ମନେହେଲା । 

ଗତ କିଛି ଦିନ ତଳର କଥା।ସାରା ଦେଶରେ ଚାଲିଛି ଆମ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲକ୍ ଡାଉନ୍ ଏବଂ ଶଟ୍ ଡାଉନର ବ୍ୟବସ୍ଥା । ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ଭାବରେ ପାଳନ କରାଯାଇଥାଏ ଯାଉଛି ସବୁ।ପ୍ରଧାନମନ୍ତ୍ରୀଙ୍କ ନିଜର ରାଜ୍ୟ ଗୁଜୁରାଟର ଏକ ସହରେରେ ସେଦିନ ଟ୍ରାଫିକ୍ ବିୟୁଟିରେ ଥାଆନ୍ତି କନେଷ୍ଟବଳ ସୁନିତା ଯାଦବ। ଝିଅଟିଏ ହେଲେ ମଧ୍ୟ ଜଣେ ନିର୍ଭୀକ ଏବଂ ସଚ୍ଚୋଟ ପୋଲିସ୍ କର୍ମଚାରୀ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରୁଥାଆନ୍ତି ସେ। ସେଦିନ ରାତି ସାଢେ ଦଶଟା ବେଳକୁ ଦୁଇଜଣ ବାଇକ୍ ଆରୋହୀଙ୍କୁ ରାସ୍ତାରେ ଯାଉଥିବାର ଦେଖି ସେମାନଙ୍କୁ ଅଟକାଇଲା ସୁନୀତା । ବାଇକ୍ ଆରୋହୀଙ୍କ ମୁହଁରେ ମାସ୍କ୍ ନଥିଲା, ବାହାରକୁ ବାହାରିବାର କୌଣସି ପ୍ରକାର ଆବଶ୍ୟକତା ଥିବାର ପ୍ରମାଣ ମଧ୍ୟ ନଥିଲା ସେମାନଙ୍କ ପାଖରେ ,ତେଣୁ ଅମାନିଆଁ ଙ୍କ ପାଇଁ କଡା ଆଇନ୍ ଅନୁଯାୟୀ ସେମାନଙ୍କ ଉପରେ ବର୍ଷୁଥିଲେ ସୁନୀତା । ଇଏ ତ ଏବେ ସବୁ ସ୍ଥାନରେ ଘଟୁଥିବା ସାଧାରଣ ଘଟଣାଟିଏ ।ଆମ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଏମିତି ଘଟୁଛି ଏବଂ ଆଇନକୁ ସମ୍ମାନ ଦେଉଥିବା ସମସ୍ତ ନାଗରିକମାନେ ପୋଲିସ୍ର ଦଣ୍ଡ ଭୋଗୁଥିବାର ମଧ୍ୟ ଦେଖାଯାଉଛି । କିନ୍ତୁ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ଆଇନ୍ର ଉର୍ଦ୍ଧ୍ବରେ ବୋଲି ମନେ କରନ୍ତି କାରଣ ସେମାନଙ୍କ ପଛରେ ଆଇନ୍ ରକ୍ଷକ ମାନଙ୍କର ଲମ୍ବା ଲମ୍ବା ହାତ ରହିଥାଏ। ସେଇ ଅମାନିଆଁ ଯୁବକ ଦୁହିଁଙ୍କୁ ସୁନୀତାଙ୍କ ଶାସନ ଭଲ ଲାଗିଲା ନାହିଁ । ସେଥିପାଇଁ ସେମାନେ ସୁନୀତାଙ୍କ ସହିତ ଯୁକ୍ତିତର୍କ ଆରମ୍ଭ କରିଦେଲେ । ସୁନୀତାଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ତାଙ୍କ ରକ୍ଷାକର୍ତ୍ତାଙ୍କୁ ଫୋନ୍ କଲେ ଏବଂ ତତକ୍ଷଣାତ୍ ସେଇ ରକ୍ଷାକର୍ତ୍ତା ଜଣକ ନିଜର ଆଉ କିଛି ସାଙ୍ଗସାଥୀଙ୍କୁ ଗାଡିରେ ଧରି ହାଜର୍ ହୋଇଗଲେ ସେଠି। ଗାଡିରେ ଏମ୍ ଏଲ୍ ଏ ଲେଖା ଥିଲା , ଆରୋହୀ ଯୁବକ ଜଣକ ସଦର୍ପେ ନିଜକୁ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପୁଅ ବୋଲି ପରିଚୟ ଦେଇ ସୁନିତାଙ୍କୁ ଆଦେଶ ଦେଲେ ଅମାନିଆଁ ଯୁବକ ଦୁହିଁଙ୍କୁ ଛାଡିଦେବା ପାଇଁ, ନହେଲେ ପରିଣତି ଠିକ୍ ହେବନାହିଁ ବୋଲି ଧମକ ଦେଲେ । ହେଲେ ଭୟଭୀତ ନହୋଇ ସୁନୀତା କହିଲେ “ ଜଣେ କରୋନା ଯୋଦ୍ଧା ଭାବରେ ସେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି, ଦୋଷୀ ଅଲବତ ଦଣ୍ଡ ପାଇବ । ମନ୍ତ୍ରୀଙ୍କ ପୁଅଙ୍କୁ ତାଙ୍କର ପୌରୁଷର ଅପମାନ ହେଲା ଭଳି ଲାଗିଲା, ଉତକ୍ଷିପ୍ତ ହୋଇ ସେ ନିଜର ବାପାଙ୍କୁ ଫୋନ୍ କରି ଜଣାଇଲେ ଘଟଣାଟି, ଏବଂ ମାନ୍ୟବର ମନ୍ତ୍ରୀ ମଧ୍ୟ କୁରୁବଂଶର ଧୃତରାଷ୍ଟ୍ରଙ୍କ ଭଳି ନିଜର ପୁତ୍ର ମୋହରେ ଅନ୍ଧ ହୋଇ ଅଧସ୍ତନ ପୋଲିସ୍ କନେଷ୍ଟବଳଟିକୁ ଆଦେଶ ଦେଲେ ଆଇନକୁ ଦଳି ମକଚି ପକେଟରେ ପକାଇ ସମସ୍ତ ଅମାନିଆଁମାନଙ୍କୁ ସସମ୍ମାନେ ଘରକୁ ଫେରାଇଦେବା ପାଇଁ । ଦେଶର ଜଣେ ସଚ୍ଚା ନାଗରିକ ଆଉ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ୍ କର୍ମଚାରୀ ଭାବରେ ସୁନିତା ଏମିତି ଅନ୍ୟାୟ ଆଶା କରିନଥିଲେ ଜଣେ ଆଇନର ରକ୍ଷକ ଜଣେ ମନ୍ତ୍ରୀଙ୍କ ପାଖରୁ । ବିନମ୍ରତାର ସହିତ ସେ ଉତ୍ତର ଦେଲେ ମାନ୍ୟବର ମନ୍ତ୍ରୀଙ୍କୁ “ ସାର୍, କ୍ଷମା କରିବେ, ମୁଁ ସରକାରଙ୍କ ଚାକର ଆପଣଙ୍କର ନୁହେଁ, ଆପଣଙ୍କ ଆଦେଶ ମାନିବା ଲାଗି ବାଧ୍ୟ ନୁହେଁ, ଆପଣଙ୍କ ପୁଅ ଏକେ ତ ଆଇନ୍ ଅମାନ୍ୟ କରି ଶଟ୍ ଡାଉନ୍ ସମୟରେ ବାହାରକୁ ଆସିଛନ୍ତି, ପୁଣି ଜଣେ ମହିଳା ପୋଲିସ୍ କନେଷ୍ଟବଳଙ୍କୁ ଅଭଦ୍ର ଭାଷା ପ୍ରୟୋଗ କରି ଅପମାନିତ କରିଛନ୍ତି ଏବଂ ପୋଲିସ୍ର କାର୍ଯ୍ୟରେ ଅନଧିକାର ହସ୍ତକ୍ଷେପ କରିଛନ୍ତି , ଯେଉଁ ଗୁଡିକ ସାଧାରଣତଃ ଦଣ୍ଡନୀୟ ଅପରାଧ । ପୁଣି ସେ ଆପଣଙ୍କୁ ସରକାରଙ୍କ ପ୍ରଦତ୍ତ ଗାଡିଟି ଆପଣଙ୍କ ଅନୁପସ୍ଥିତିରେ ନିଜେ ଚଳେଇ ଆସିଛନ୍ତି ଏବଂ ମୋତେ ଦୁର୍ବ୍ୟବହାର କରୁଛନ୍ତି ଇଏ ମଧ୍ୟ ଠିକ୍ କଥା ନୁହେଁ । ସେପଟରୁ ମନ୍ତ୍ରୀ ଙ୍କ ପାଟିରୁ ଧମକପୂର୍ଣ୍ଣ କଥା ଗୁଡିକ ଆସୁଥିଲା। ସୁନିତା କହି ଚାଲିଥିଲେ “ କ୍ଷମା କରିବେ ସାର୍, ଆପଣ ନିଜେ ଜଣେ ମନ୍ତ୍ରୀ ହୋଇ ଏମିତି କଥାବାର୍ତ୍ତା କରିବା ଶୋଭା ପାଉ ନାହିଁ, ମୁଁ ଆପଣଙ୍କ ପୁଅ ସହିତ ଅନ୍ୟ ଦୁଇଜଣ ଅମାନିଆଁଙ୍କୁ ଗିରଫ କରି ଥାନାକୁ ନେଉଛି, ଆପଣ ଯାହା କିଛି କରିବାର ଅଛି ଥାନାକୁ ଆସି କରିବେ “ । ଏତିକି କହି ଫୋନ୍ କାଟି ଦେଲେ ସୁନିତା। ଜଣେ ଝିଅ ପୁଣି ଜଣେ କନେଷ୍ଟବଳର ଏମିତି ନିର୍ଭୀକ ସ୍ପଷ୍ଟବାଦିତାକୁ ସହଜରେ ହଜମ କରି ପାରୁନଥିଲେ ମନ୍ତ୍ରୀ ମହୋଦୟ । ଥାନାରେ ଏବଂ ପୋଲିସ୍ ଉଚ୍ଚ ଅଧିକାରୀମାନେ ମଧ ସୁନୀତା ଙ୍କର ଏମିତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖି ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ମନ୍ତ୍ରୀ ମହୋଦୟ ଙ୍କର କୋପର ଶୀକାର ହେବା ଭୟରେ ସାରା କାର୍ଯ୍ୟାଳୟ ଥରହର ହେଉଥିଲା କିନ୍ତୁ ସୁନୀତା ଥିଲେ ସ୍ଥିର ଅବିଚଳିତ । ଦୃଢ ସ୍ୱରରେ ସମର୍ଥନ କରୁଥିଲେ ନିଜର କାର୍ଯ୍ୟକୁ ।ସମସ୍ତଙ୍କ ବିପକ୍ଷରେ ଏକା ହୋଇ ଲଢୁଥିଲେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଉଚିତ୍ ବୋଲି ମଣିଥିଲେ। ହାଜତରେ ପୁରାଇ ସାରିଥିଲେ ଦୋଷୀମାନଙ୍କୁ ।

 ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଏ ଦେଶରେ ଗାନ୍ଧୀଙ୍କ ସହିତ ତାଙ୍କର ରାମରାଜ୍ୟର ସ୍ୱପ୍ନ ମଧ୍ୟ ସମାଧିସ୍ଥ ହୋଇ ସାରିଛି । ଦେଶରେ କେବଳ ରାବଣର ରାଜ୍ ଚାଲିଛି । ନ୍ୟାୟ କିଣାବିକା ହେଉଛି ପାରିବା ପଣିଆର କଉଡିରେ। ପରଦିନ ସୁନୀତାଙ୍କର କାର୍ଯ୍ୟ କଳାପର ଭିଡିଓଟି ମଧ୍ୟ ଭାଇରାଲ୍ ହୋଇ ଚହଳ ପକାଇଛି ସୋସିଆଲ୍ ମିଡିଆରେ ତଥାପି ମନ୍ତ୍ରୀଙ୍କ ତନୟ ତାଙ୍କ ବନ୍ଧୁମାନଙ୍କ ସହିତ ଜାମିନରେ ଖଲାସ ହୋଇଛନ୍ତି ଆଉ ସୁନୀତାଙ୍କୁ ବଦଳି କରି ଦିଆ ଯାଇଛି ଗୁଜୁରାଟ ରାଜ୍ୟର ପୋଲିସ୍ ମୁଖ୍ୟାଳୟକୁ। କୌଣସି ମହଲରୁ ସମର୍ଥନ ମିଳୁନାହିଁ ତାଙ୍କୁ ବରଂ ବିଭିନ୍ନ ପ୍ରକାରର ଧମକ ଚମକ ସହିତ ଅପବାଦ କୁତ୍ସା ରଟନା ମଧ୍ୟ ଚାଲିଛି ତାଙ୍କ ନାମରେ । ଆଇନର ଠିକାଦାର ମାନେ ତାଙ୍କୁ “ଠିକା କନେଷ୍ଟବଳଙ୍କ ମାତ୍ରାଧିକ କାର୍ଯ୍ୟ” ବୋଲି ଦୋଷ ଦେବା ବେଳେ , ଫୋନରେ ଅପଶବ୍ଦ ଶୁଣିବା ବେଳେ ସେ ଦୋହଲି ଯାଇଛନ୍ତି ସାମୟିକ ଭାବରେ କିନ୍ତୁ ଭାଙ୍ଗି ପଡି ନାହାଁନ୍ତି ସୁନୀତା, ନିଜକୁ ଆହୁରି ସଶକ୍ତ କରିବା ପାଇଁ ସେ ଚାକିରୀ ରୁ ଇସ୍ତଫା ଦେଇ ଆଇ ପି ଏସ୍ ପରୀକ୍ଷା ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ତାଙ୍କ ଭାଷାରେ “ ମୁଁ ବୁଝି ସାରିଲିଣି ଏଠି କ୍ଷମତାର ଲଢେଇ ଚାଲିଛି, ଆଜି ମୋ’ ପାଖରେ କ୍ଷମତା ନାହିଁ କିନ୍ତୁ ଆସନ୍ତା କାଲି ମୁଁ ଚେଷ୍ଟା କରିବି ଆଇ ପି ଏସ୍ ହୋଇ ସେ କ୍ଷମତା ହାସଲ କରିବା ପାଇଁ । ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ, ଆଇନର ସୁରକ୍ଷା କରିବା ପାଇଁ ମୋ ଲଢେଇ ଜାରି ରହିବ”।

ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି ସୁନୀତାଙ୍କ ଭଳି ବହ୍ନିଶିଖାଟିଏ ଅହରହ ଜଳୁଥାଉ ଏ ଦେଶର ନାରୀମାନଙ୍କ ହୃଦୟରେ ।।

ଏମିତି ପରିସ୍ଥିତିରେ ମନରେ ସ୍ୱତଃ ପ୍ରଶ୍ନ ଆସେ , ସ୍ୱାଧୀନତାର ଛଅସ୍ତରି ବର୍ଷ ବିତି ଯିବା ପରେ ଯଦି ଏଇ ଅବସ୍ଥା ତା’ ହେଲେ ! କେବେ ଆଉ ମିଳିବ ନାରୀକୁ ସମ୍ମାନ? ପୁରୁଷ ସହ ସମାନ ଅଧିକାର ?? କେବେ ଆଉ ଅସ୍ମିତାର ସହିତ ବଞ୍ଚିବ ନାରୀଟିଏ ??? 



Rate this content
Log in

Similar oriya story from Inspirational