ଭଲ ପାଉଥିବା ଝିଅଟିଏ (କ୍ଷୁଦ୍ରଗଳ୍ପ)
ଭଲ ପାଉଥିବା ଝିଅଟିଏ (କ୍ଷୁଦ୍ରଗଳ୍ପ)
ଅପରାହ୍ନର ସୂର୍ଯ୍ୟଟା ଏବେ ବି ଝଟକୁଛି। ଆଉ କେଇଟା ମୁହୂର୍ତ୍ତର ପଲକ ପରେ ଅସ୍ତମିତ ହୋଇ ଦିନାନ୍ତର ଘୋଷଣା କରି ଶୁଭ ସନ୍ଧ୍ୟାକୁ ଆମନ୍ତ୍ରଣ କରିବ। କ୍ଳାନ୍ତିର ଅବସାଦ ଦୂର କରିବାକୁ ବିଶ୍ରାମ ନେବ। ଏ ଅସ୍ତମିତ ସୂର୍ଯ୍ୟର ଲାଲ୍ ଟକ୍ ଟକ୍ ଅସ୍ତରଙ୍ଗ ଚେତାଇ ଦେଇ ସତେ ଯେମିତି କହୁଛି.. ଜୀବନର ପ୍ରତିଟି ନିର୍ଘଣ୍ଟ ଏକ ଶୁଭ ବେଳାକୁ ଆହ୍ବାନ କରୁଛି। ସମାପ୍ତିର ଆଢୁଆଡ଼େ ଆଉ ଏକ ଆରମ୍ଭର ଶୁଭଶଙ୍ଖ ବାଜୁଛି ସମ୍ଭାବନାକୁ ସଫଳ କରିବାର ଲକ୍ଷ୍ୟନେଇ।
ବାଲ୍କୋନୀରେ ବସିଛି ଏକା ଏକା ଶୁଭଦା। ମେଞ୍ଚାଏ ଅସ୍ତରଙ୍ଗର କୋମଳ ସୁନେଲି ଖରା ଛିଟିକି ପଡିଛି ତାର ମୁଖମଣ୍ଡଳରେ। ସେ ଉଜ୍ଜ୍ୱଳତାରେ ଆହୁରି ଉଜ୍ଜ୍ୱଳ ହୋଇ ଉଠୁଛି ସେ। ଏହା ଭିତରେ ଜୀବନର ଏକାବନଟି ବସନ୍ତକୁ ଅତିକ୍ରମ କରି ଆସିଥିଲେ ବି ଶୁଭଦା ସଜଫୁଲ ପରି ହସୁଛି। ବୟସର ବର୍ଣ୍ଣଛଟା ତା ପାଖରେ ହାର ମାନିଛି। ତାକୁ ଧନ୍ୟବାଦ ଦେଇ ସଲାମ୍ କରୁଛି। କାନେ କାନେ କହୁଛି ସୌନ୍ଦର୍ଯ୍ୟର ମଳିନତା ନାହିଁ। ସେ ସଦା
ଅମ୍ଳାନ।
ଏଇ ଶୁଭଦା ଯେବେ ତା କାମରୁ ଫୁରସତ୍ ପାଏ ସୁଯଶ କଥା ଭାବେ...ଭାବନାର ଅନ୍ତ ହୁଏନା କୌଣସି ଏକ ବ୍ୟସ୍ତତା ତାକୁ ବିଚଳିତ
ନ କରିବା ପର୍ଯ୍ୟନ୍ତ।
ସୁଯଶକୁ ଦିନେ ସେ ଭଲ ପାଇଥିଲା। ତନ୍
ମନ୍ ହୃଦୟ ଦେଇ, ଆଉ ସୁଯଶ ବି। ଉଭୟେ
ପରସ୍ପର ପ୍ରତି ଖୁବ୍ ଆକର୍ଷିତ ହେଉଥିଲେ। ଗୋଟିଏ
ଦିନ ବି ଦେଖା ସାକ୍ଷାତ୍ ନ କଲେ ପାଗଳ ପାଗଳୀ
ପରି ହେଉଥିଲେ। ଫୋନ୍ ର ସୁବିଧା ସେ ସମୟରେ
ନ ଥିଲା। ତଥାପି ପରସ୍ପର ମନ କଥା କହି ଗପୁଥିଲେ
କଲେଜର ଲିଜର୍ ପ୍ରିୟଡ୍ ରେ। ବାଧା ବନ୍ଧନ କେବେ
କେହି ମାନୁ ନ ଥିଲେ। ତାଙ୍କର ଏ ଗଭୀର ଭଲ
ପାଇବାକୁ ପ୍ରତ୍ୟକ୍ଷରେ ସମସ୍ତେ ସମର୍ଥନ କରୁଥିଲେ।
ଇତିହାସ ବହିର ପୃଷ୍ଠା ପରେ ପୃଷ୍ଠା ଓଲଟାଇ
ପଢିଲା ପରି ଶୁଭଦା ତାର ବିଗତ ଦିନର ସେ ସ୍ମୃତି
ଇତିହାସକୁ ପଢେ। ବ୍ୟାଖ୍ୟା କରେ ନିଜକୁ, ତର୍ଜମା
କରେ ସୁଯଶର ବ୍ୟକ୍ତିତ୍ଵକୁ ଚରିତ୍ର ଓ ସ୍ବଭାବକୁ... ।
ସ୍ଟଡି ଟୁର୍ ରେ ଇତିହାସର ଛାତ୍ରଛାତ୍ରୀଭାବେ
ସମୂହ ସାଙ୍ଗସାଥିଙ୍କ ସହିତ ସେମାନେ ବି କେତେକ
ଐତିହାସିକ ସ୍ଥାନ ଭ୍ରମଣ କରିବାକୁ ଯାଇଥିଲେ
କଲେଜ ତରଫରୁ... ସାଙ୍ଗରେ ଅଧ୍ୟାପକ ଅଧ୍ୟାପିକା
ମାନେ ମଧ୍ୟ ଥିଲେ। ବୁଲୁଥିଲେ ସମସ୍ତେ, ନିଜ ନିଜର ଆବଶ୍ୟକୀୟ ଉପାଦେୟ ତଥ୍ୟ ସଂଗ୍ରହ କରୁଥିଲେ।
ଆନନ୍ଦର ଏକ ଚରମ ସୀମାରେ ଥିଲେ ସେମାନେ।
ସମସ୍ତଙ୍କଠାରୁ ଅଲଗା ହୋଇ ଖସି ଯାଇଥିଲେ
ଶୁଭଦା ଆଉ ସୁଯଶ। ସ୍ବତନ୍ତ୍ରଭାବରେ ବୁଲି ଦେଖୁ
ଥିଲେ ସବୁ ତନ୍ନ ତନ୍ନ... ଖଣ୍ଡଗିରି ଉଦୟଗିରିର
ଶୀର୍ଷକୁ ଉଠି।
ହଠାତ୍ କୁଆଡ଼େ ଥିଲା କଳାହାଣ୍ଡିଆ ମେଘ ଝଡ଼ ତୋଫାନ ସହିତ ବିଜୁଳି ଘଡ଼ଘଡ଼ିକୁ ନେଇ ବର୍ଷି ଗଲା ମନ ଇଚ୍ଛା। ଯିଏ ଯାହାର ଜୀବନକୁ ସମ୍ଭାଳି ଆଶ୍ରୟ ଖୋଜି ନେଇ ରହିଲେ ନିଜ ନିଜ ସୁବିଧାରେ। ଶୁଭଦା ସୁଯଶ ତତ୍ କ୍ଷଣାତ୍ପା ହାଡ଼ରୁ ତଳକୁ ଓହ୍ଲାଇ ନ ପାରି ଏକ ନିରୋଳା
ଗୁମ୍ଫା ମଧ୍ୟରେ ମୁଣ୍ଡ ଗୁଞ୍ଜିଲେ। ଅଭୟ ଆଶ୍ରୟସ୍ଥଳଟିଏ
ଖୋଜୁ ଖୋଜୁ ଦୁହେଁ ଭିଜି ଯାଇଥିଲେ ଗୋଟାପଣେ । ଉପରକୁ ଶୀତେଇ ଉଠୁଥିଲେ ବି ଦେହ, ମନରେ
ଥିଲା ଯୌବନର ତାତି...
ଶୁଭଦାର ଭିଜା ଭିଜା ଦେହ, ଦେହରେ ଜଡି ଯାଇଥିଲା ତାର ପିନ୍ଧିଥିବା ଡ୍ରେସ୍। ଏ ପଟେ ସେ ପଟେ ଟାଣି ହୋଇ ଲୁଚାଇବାକୁ ତାର ଭିଜା ଦେହ ଚେଷ୍ଟା କରୁଥିଲା ଶୁଭଦା...। ଏକ ଲୟରେ ଚାହିଁ ରହିଥିଲା ସୁଯଶ ଅପଲକରେ ତନ୍ମୟ ହୋଇ। ଏତେ ପାଖରେ ଏମିତି ସେ ଶୁଭଦାକୁ କେବେ ଦେଖି ନ ଥିଲା। ବାହାରେ ବର୍ଷାର ତାଣ୍ଡବକୁ ଭୃକ୍ଷେପ ନଥିଲା ତାର।
ତାରୁଣ୍ୟ ବୟସର ଜୁଆର ଥିଲା ଦେହରେ ମନରେ...ଏକ ଅନିୟନ୍ତ୍ରିତ ଉନ୍ମାଦନାରେ ପାଗଳ
ହୋଇ ଉଠିଲା ସୁଯଶ। ବିବେକ ବିଚାରକୁ ଭୁଲି ଯାଇ ଶୁଭଦା ଉପରକୁ ଝାମ୍ପି ପଡି ଜାବୁଡି ଧରିଲା ତାକୁ।
ହାତ ଛିଞ୍ଚାଡି ନିଜର ସବୁ ବଳ ଖଟାଇ ଶୁଭଦା ମୁକୁଳି ଆସିଲା ସୁଯଶର ସେ କାମନାର ଇଗଲ୍ ପଞ୍ଝାରୁ... ଦୂରକୁ ଘୁଞ୍ଚିଯାଇ ଶୁଭଦା ଭର୍ତ୍ସ୍ବନା କଲା ସୁଯଶକୁ...
--- ସୁଯଶ... ତୁମେ ଏତେ ମିନ୍, ଲମ୍ପଟ ଆଉ ତୁମ ଭିତରେ ଫରକ୍ କଣ ? ଆଜି ଜାଣିଗଲି ତୁମର ଦୂରଭିସନ୍ଧି ସାମନ୍ୟ ଏ ରକ୍ତ ମାଂସର ଦେହ ପ୍ରତି ତୁମର ଏତେ ଆଶକ୍ତି। ମନର ପବିତ୍ରତା ତିଳେ ବି ନାହିଁ... ଆଜି ଯାଏଁ ବୁଝି ପାରିଲନି ଭଲ ପାଉଥିବା ଝିଅଟିଏ କଣ ଚାହେଁ? ତୁମ ଭଳି କାମୁକ ମାନେ ଭଲ ପାଇବାର ନାଟକ କରି ଝିଅଙ୍କ ଜୀବନ ସହିତ ଖେଳ ଖେଳନ୍ତି, ତାଙ୍କୁ ବଦନାମ କରି ପ୍ରତାରଣା କରନ୍ତି। ସବୁ ଝିଅମାନେ ଯଦି ସଚେତନ ହୁଅନ୍ତେ ଆଜିର ଏ ଭଲ ପାଇବା କଳୁଷିତ ହୁଅନ୍ତା ନାହିଁ କି ନିନ୍ଦା ଅପମାନର ଭୟରେ କେହି ପ୍ରେମ ଜନିତ ଆତ୍ମହତ୍ୟା କରନ୍ତେ ନାହିଁ...
--- ମୋତେ...ମୋତେ... ଭୁଲ୍ ବୁଝନା...
--- ଠିକ୍ ବୁଝିବାକୁ ଆଉ କଣ ବାକି ରଖିଛ, ଟିକିଏ ବି ସଂଯମତା ନାହିଁ ତୁମର... ଆରେ...ପୁରୁଷର ଷୌରଷତ୍ବ କହିଲେ ମୁଁ ବୁଝେ ସାମାଜିକ ସ୍ବୀକୃତି ପାଇ ଶୃଙ୍ଖଳିତ ଭାବେ ବୈବାହିକ ଜୀବନ କାଟିବ...ମୋର କେତେ ବିଶ୍ଵାସ ଭରସା ଥିଲା ତୁମ ଉପରେ...ଛି.. ଭଲ ପାଉଥିବା ଝିଅଟିଏ ଖୋଜେ ଏକ ସରଳ ଉଦାର ଚରିତ୍ରବାନ ପୁଅର ମନ, ଏ ଦେହର ଆକର୍ଷଣ ସାମୟିକ... ତୁମର ସବୁ ଯୋଗ୍ୟତା ସବୁ ଅଧିକାର ଆଜି ତୁମେ ହରାଇ ଦେଲ ସୁଯଶ... ତୁମ ନାମ ସୁଯଶ ଯିଏ ଦେଇଛି ତା ଭୁଲ୍ ପ୍ରମାଣ କରିଦେଲ।
--- ମୋତେ କ୍ଷମାକର ଶୁଭଦା...
--- ଏହା ପରେ କେଉଁ ମୁହଁରେ କ୍ଷମା ମାଗୁଛ ସୁଯଶ ତୁମେ ଆଜିଠୁ ମୋ ଦୃଷ୍ଟିରେ ଇତର ପଶୁ ସହିତ ସମାନ...
----ଶୁଭଦା...
----ଚୁପ୍...ଭୁଲ୍ ରେ ବି କେବେ ତୁମେ ମୋ ନାମ
ଧରିବନି...ବାୟ...
ସେଦିନ ସେଇ ଝଡ଼ ବତାସର ବର୍ଷାରେ ଝଡ଼ଠୁ ଅଧିକ ବେଗରେ ଶୁଭଦା ଓହ୍ଲାଇ ଆସିଥିଲା ଖଣ୍ଡଗିରିର ସେ ଗୁମ୍ଫାରୁ ନିଜକୁ ଏକ ହିଂସ୍ର ଶାର୍ଦୁଳ ନିକଟରୁ ମୁକୁଳାଇ... ।
ଲାଜରେ ଲାଜରେ ସୁଯଶ ମୁହଁ ନ ଦେଖାଇ ଆତ୍ମଗୋପନ କଲା। ତାପରେ ପରୀକ୍ଷା...
ବହୁତ ଭଲ ନମ୍ବର ରଖି କୃତିତ୍ବ ସହ ଉତ୍ତୀର୍ଣ୍ଣ ହେଲା ସୁଭଦା। ପାଠକୁ ପୂର୍ବଠୁ ଅଧିକ ଭଲ ପାଇବା ଦେଇ ମନଯୋଗ ସହକାରେ ପଢି ବିଶ୍ଵବିଦ୍ୟାଳୟରୁ ଗୋଲ୍ଡ ମେଡାଲ୍ ପାଇଲା ସିଏ।
କଲେଜର ଅଧ୍ୟାପିକା ସେ। ଓଡିଶାର ବିଭିନ୍ନ କଲେଜ୍ ରେ ଅଧ୍ୟାପନା କରିଆସିଛି। ଆଉ କେଇଟା ବର୍ଷ ପରେ ଅବସର ଗ୍ରହଣ କରିବ।
ଘୃଣାର ବିଷ ମନରେ ତାର ଭରିଥିଲା...
ସୁଯଶ ପାଇଁ....
ଏବେ ବି ଭାବେ ସେ ସୁଯଶକୁ କ୍ଷମା ନ କରି କଣ ଭୁଲ୍ କରିଛି ? ମନ ଭିତରୁ ଉତ୍ତର ଆସେ ନା ନା... ତା' ର ସିଦ୍ଧାନ୍ତ ଭୁଲ ନୁ଼ହେଁ। କେବେ ଅନୁଶୋଚନା କରି ନାହିଁ। ଜୀବନରେ ସମ୍ମାନ ପାଇଛି ସୁନାମ ଅର୍ଜନ କରିଛି। ଅନେକ ଖ୍ୟାତି ପାଇଛି, ପ୍ରତିଷ୍ଠିତ ହୋଇଛି।
ଅସମୟରେ ବାପା ଚାଲିଗଲେ। ସାନ ଭାଇ ଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସାମର୍ଥ୍ୟ ଯୋଗାଇଛି। ନିଜ କଥା ନିଜ ଭବିଷ୍ୟତ ଜୀବନ କଥା କେବେ ଭାବିନି। ଅନେକ ପ୍ରସ୍ତାବ ଆସିଥିଲା ବିବାହ ପାଇଁ। ସବୁକୁ ଗୋଟେ ଖିଆଲ୍ ରେ ବାତିଲ୍ କରି ଏକା ଏକା ରହିଛି, ନିଃସଙ୍ଗ ଜୀବନ ବିତାଉଛି।ବାପାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସେ ତା ସାରା ପରିବାକୁ ଭଲ ପାଉଥିବା ଝିଅଟିଏ ହୋଇ ରହିଛି। କେବେ ଦୁଃଖ ତା ମନକୁ ଆସିନି ସୁଯଶ ପାଇଁ। ସମସ୍ୟା ସବୁ ଆତ୍ମବିଶ୍ୱାସର ସହିତ ସମାଧାନ କରି ଜୀବନ ପଥେ ଆଗେଇ ଚାଲିଛି। ତା ପରିବାରରେ ସେ ଜଣେ ଦେବୀ ରୂପରେ ପୂଜା ପାଉଛି।,
ସେ ଦିନର ସେ ଶୁଭଦା ଜଣକୁ ଭଲ ପାଉଥିଲା ଆଜି ସାରା ଦୁନିଆଁକୁ ଭଲ ପାଇ ବେଶ୍ ସୁଖ ଶାନ୍ତି ଆନନ୍ଦରେ ଅଛି।
ସଞ୍ଜ ନଇଁ ଆସିଛି ତା ଅଜାଣତରେ, ଭାବନା ଭିତରେ ବୁଡି ରହିଛି ସେ। ଶୁଭ ସନ୍ଧ୍ୟାର ଶଙ୍ଖଧ୍ଵନିରେ
ପ୍ରକୃତିସ୍ଥ ହେଲା ସେ।
ଅପା... ଚା ନିଅ,ସାନଭାଇର ନୂଆବୋହୂ ଆସି
ତା ହାତକୁ କପ୍ ଟିଏ ବଢାଇ ଦେଲା। ମନେ ମନେ
ଭାବୁଥାଏ ସତରେ ମୁଁ ଏ ପରିବାରକୁ ଭଲ ପାଉଥିବା
ଝିଅଟିଏ... ସାରା ଜୀବନ ଏମିତି ଭଲ ପାଉଥିବି...।
ପାଖ ମନ୍ଦିରରୁ ଆଳତୀର ମନ୍ତ୍ର ଘଣ୍ଟ ଘଣ୍ଟା ଶବ୍ଦଧ୍ଵନି ଭାସି ଆସି ମନରେ ଅପୂର୍ବ ଶାନ୍ତି ଭରିଦେଲା। ଶୁଭଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଚେୟାରରୁ ଉଠି ହାତଯୋଡି ମୁଣ୍ଡ ନୁଆଁଇ ପ୍ରଣତିଟିଏ ହୃଦୟରୁ ଢାଳି
ଦେଲା ସଭକ୍ତିରେ...।