Satyabati Swain

Children Stories

4  

Satyabati Swain

Children Stories

ଭଲ ମଣିଷ

ଭଲ ମଣିଷ

6 mins
446


ବେଳେ ବେଳେ ମାଆକୁ ଡାକି ବାପା କହୁଥିଲେ, ଶୁଣ୍ ଆମ ଉପରିସ୍ଥ ଅଫିସର ଆସିବେ ଅଡିଟ୍ କରି।ଆମ ଘରେ ଖାଇବେ।ଟିକେ ରନ୍ଧା ବଢା ଯତ୍ନରେ କରିବ।ଭଲ ଭଲ ଆଇଟମ୍ ବନେଇଁବ ତାଙ୍କ ପାଇଁ।ଜଳଖିଆ ସ୍ୱାଦ ଯୁକ୍ତ ହେବା ଦରକାର।ସେ ଖୁସି ହେଲେ ମୋ ଚାକିରୀ ଆୟୁଷ ବଢିଯିବ।ଏମିତିରେ ରୋଗ ମୋର ଚିର ଶତ୍ରୁ ହେତୁ ପ୍ରାୟତଃ ଛୁଟି ନେବାରୁ ଅଫିସରଙ୍କ ଆଗରେ ଯୋଡି ହସ୍ତ ହେବାକୁ ପଡୁଛି।"।ଟିକିଏ ଅସନ୍ତୁଷ୍ଟ ହେଲେ ଚାକିରୀ ଟି ଚାଲିଯିବ

ମା କିଛି ଉତ୍ତର ନ ଦେଇ ଘର ସଜା ଠାରୁ ଆରମ୍ଭ କରି ଖାଇବା ପିଇବା ବନ୍ଦୋବସ୍ତ ରେ ଲାଗି ପଡେ।ସେ ଯେ ଏ କାମ କରିବାକୁ ଅନିଛୁକ ତା ମୁହଁ କୁହେ। ମୁଁ ବିସ୍ମୟ ହୁଏ ମା ତ ବଡ଼ ପିଲା, ସେ ମୋ ପରି ବି କିଛି କରିବାକୁ ବାଧ୍ୟ କାହିଁକି ! ମୋ ପରି ଝିଅ ପିଲେ ଓ ମା ପରି ମହିଳା ମାନେ ସବୁ କରିବାକୁ ବାଧ୍ୟ କି ! କିନ୍ତୁ କାହିଁକି?

ମୋତେ ଏଗୁଡା ଭଲ ଲାଗେନି। ଅନେକ କଥା ଓ ବ୍ୟଥା ମୋ ଭିତରେ ଧୂଆଁ ନଥାଇ କୁହଳନ୍ତି। ଯା ମ କାଇଁକି ଏମିତି ସାର୍ ସାର୍ ହେବ! ବାପା କିଛି ବ୍ୟବସାୟ କରୁ ନାହାନ୍ତି! ଅଫିସର ଗୁଡାଙ୍କୁ ତଳ କର୍ମଚାରୀ ଆଜ୍ଞା ଆପଣ କାହିଁକି ହେଉଛନ୍ତି !!

ହୁଏତ ତେଲ ଲୁଣ ସଂସାର ରାକ୍ଷସ ବିଷୟରେ ସେତେବେଳେ ମୋ ଜ୍ଞାନ କମ୍ ଥିଲା ବୋଲି ମୁଁ ଏମିତି ଭାବୁଥିଲି ବୋଧେ । ତଥାପି ସ୍ଵାଧୀନ ଜୀବନ ମୋର ପସନ୍ଦିଆ ଜୀବନ।

ବାପା ସବୁବେଳେ ରୋଗ ସହ ଚାକିରୀ ପାଇଁ ବ୍ୟସ୍ତତାରେ ରହୁଥିଲେ।କାଳେ ଚାକିରୀଟି ଚାଲିଯିବ ଏଇ ଭୟରେ ବ୍ୟସ୍ତ ହୋଇ ପଡୁଥିଲେ। ଯେଉଁଦିନ ତାଙ୍କ ଉପର ଅଫିସର ଆସୁଥିଲେ, ସେଦିନ ସେ ଅଧିକ ବିବ୍ରତ ହୋଇ ପଡୁଥିଲେ। ଅଫିସର ଙ୍କ ପାଇଁ ବହୁତ କିଛି ବରାଦ ହେଉଥିଲା ଆମ ଘରେ। ସକାଳେ କଣ ଖାଇବେ,ମଧ୍ୟାହ୍ନରେ କଣ କଣ ଆଇଟମ୍ ହେବ, କେଉଁଠୁ ଆସିବ ମାଂସ,ମାଛ,ମହୁଲି ବି।

ମାଛ,ମାଂସ, କ୍ଷୀରି ପୁରୀ କେତେ କଣ ପ୍ରସ୍ତୁତ ହେଉଥିଲା ଅଫିସରଙ୍କ ପାଇଁ।ସେ ଆସି ନଯିବା ଯାଏ ବାପାଙ୍କ ଆଖିରେ ନିଦ ହେଉ ନଥିଲା।ବହୁତ ଡରୁଥିଲେ ଅଫିସରଙ୍କୁ।ପାନରୁ ଦୈବାତ ଚୁନ ଖସିଗଲେ ସବୁ ଅଡ଼ୁଆ ତଡୁଆ ହୋଇ ଯାଉଥିଲା।ବାପାଙ୍କର ଯେଉଁ ରୋଗ ପଇସାର ଆବଶ୍ୟକତା ଯଥେଷ୍ଟ ଥିଲା।କେବଳ ପଇସା ଖର୍ଚ୍ଚ କରି ବାପା ବର କୁ ବର ବଞ୍ଚି ଯାଉଥିଲେ ଜାଣ। ପରିବାର, ବିନା ରୋଜଗାରରେ ଚଳିବା ଅସମ୍ଭବ।ପାଣିକୁ ଛାଡି ସବୁ କିଣା।ଏଣୁ ଚାକିରୀ ସୁରକ୍ଷା ନିମିତ୍ତ ବାପା ବହୁତ ଯତ୍ନବାନ ଥିଲେ।ସେଥି ପାଇଁ ଅଫିସର ଗ୍ରସ୍ତ ସାରି ନ ଯିବା ଯାଏ ବାପା ଏପାଖ ସେପାଖ ହୋଇ ଖୁବ୍ ହାଲିଆ ହୋଇ ଯାଉଥିଲେ ।

ମୋତେ ଆଦୌ ଭଲ ଲାଗୁ ନ ଥିଲା ବାପା ହାତ ଯୋଡି ଗୋଡ଼ ଭାଙ୍ଗି ଠିଆ ହୋଇ ଅଫିସର୍ ଙ୍କ ଆଗରେ,ଆଜ୍ଞା ଆଜ୍ଞା କହିବା।ସେ ଯାହା କହୁଥିଲେ ସବୁ ଥିରେ ଆଜ୍ଞା ସାର୍ କରିବା।ଠାକୁରଙ୍କୁ ଡାକୁଥିଲେ ଅଫିସର ଖୁସି ହୁଅନ୍ତୁ।ଭଲ ମନ୍ତବ୍ୟ ଦିଅନ୍ତୁ ତାଙ୍କ ପାଇଁ।କାରଣ ସେତେବେଳେ ଚାକିରି ଲଟକୁଥିଲା ଅଫିସରଙ୍କ କଲମ ମୁନରେ।ଯେତେ ସନ୍ତୁଷ୍ଟ ,ଖୁସି କରିପାରିବ ଆପ୍ୟାୟିତ କରି ସେତେ ପ୍ରଂଶସା, ସୁପାରିଶ,ଚାକିରିର ସ୍ଥାୟୀତ୍ୱ ଓ ପ୍ରମୋସନ୍ ଭାଗ୍ୟ ସେତେ ଉଜ୍ଜ୍ୱଳ।

ଥରେ ସେମିତି ଜଣେ ଅଫିସର ଆସିଥିଲେ ଆମ ଘରକୁ।ସେ ସରକାରୀ ଡାକ ବଙ୍ଗଳାରେ ରହିବେ କିନ୍ତୁ ଖାଇବା ପିଇବା ସାରି କେବଳ ଶୋଇବାକୁ ଡାକ ବଙ୍ଗଳାକୁ ଯିବେ। ହାତୀ ଭଳିଆ ଚେହେରା। ମୁଁ ତାଙ୍କୁ ମୋଟୁ ପେଟୁ କହୁଥିଲି। ପେଟୁଆ ରାକ୍ଷସ ପରି ଦିଶୁଥିଲା ଲୋକଟି?ମୋ ହିରୋ ସବୁଠାରୁ ଶକ୍ତିଶାଳୀ ଭାବୁଥିବା ବାପାଙ୍କ ଉପରେ ମୋର ଭାରି ରାଗ ହୁଏ।ଭାରି ଇଚ୍ଛା ହୁଏ ଯାଇ କହିବାକୁ ସେ ଅଫିସରଙ୍କୁ " ହେ କିଏ ତୁମେ ; ମୋ ବାପାଙ୍କୁ ଏତେ ଡରାଉଛ ? ତୁମେ କିଏ କି ବାଘ!!ନା ସିଂହ!!!।


ସେଥିରେ ପୁଣି ବାପା ଆଖି ଠାରି ମୋତେ କୁହନ୍ତି ଆ ପାଦ ଛୁଇଁ ନମଃ ହ ଅ।

ପୋଡା ମୁହାଁ! ମୋ ବାପାଙ୍କୁ ଖଟାଉଛି,ଗେଁଫୁଛି ଥାଳି ଥାଳି ; ତାକୁ କାଇଁ ମୁଁ ପ୍ରଣାମ ହେବି?ହେଲେ ବାପାଙ୍କ ବିସ୍ଫାରିତ ଏଡ଼େ ବଡ଼ ବଡ଼ ଆଖି ଦେଖି ଅନିଚ୍ଛା ସତ୍ତ୍ୱେ ପ୍ରଣାମ ହେଉଥିଲି। ଅଫିସର ମୋ ମୁଣ୍ଡ ସାଉଁଳେଇ ପଚାରନ୍ତି ତୁମ ନାଁ କଣ ସୁନା ଝିଅ ?

ସୁନା ନା ଫୁନା। କହିବି ନାହିଁ ,କଣ କରିବ , ହାଁ ? ଚୁପ୍ ରହିଯିବା ଦେଖି ବାପା କଅଁଳେଇ କହିବେ, କହିଦେ ମା ତୋ ନାଁ କଣ ।

ବାପା କହିଲେଣି ମାନେ ରକ୍ଷା ନାହିଁ। କିଛି ନ କହିଲେ ଅଫିସର୍ ଗଲା ପରେ ମା ବାପାଙ୍କ ଦୋଷ ଦେଇ କହିବ, ଦେଖିଲ ଗୁଣମତୀ ଝିଅ କଥା ! କେତେ ଗଉଁ ବକଟେ ଛୁଆଁର ! ତା ମନ ହୋଇନି ମାନେ କେହି ତାକୁ ନମ କରେଇ ପାରିବେନି।ଦେଖିବ ମୁଣ୍ଡରେ ବସେଇଛ ପସ୍ତେଇବ ଜାଣିଥାଅ।ଇଆଡ଼ ମୁଣ୍ଡରୁ ଏମିତି ମନୋଇ ; ବଡ଼ ହେଲେ କଣ ନ ହେବ ?

ଏଇ ବଡ଼ ମାନେ କାଇଁ ବୁଝନ୍ତିନି ପିଲାମାନଙ୍କର ଚିହ୍ନିବା ଆଖି ଓ ବୁଝିବା ମନ ଅଛି ! ସେମାନେ ମଣିଷ ଦେଖୁ ଦେଖୁ ବୁଝି ପାରନ୍ତି କିଏ ଭଲ କିଏ ମନ୍ଦ । କିନ୍ତୁ ଛୋଟ ପିଲା ନା ଶୁଆ ଶାରୀ ପରି ବଡ଼ ମାନଙ୍କ କଥା ମାନିବାକୁ ବାଧ୍ୟ। ନହେଲେ ଅବାଧ୍ୟ, ଦୁଷ୍ଟ ,ମୁଖୁରା ନାଁ ପକା ଛୁଆରେ ଗଣା ହେବ।

ବାପାଙ୍କୁ ମା ମୋ ନେଇ କିଛି କହୁ ମୁଁ ଏଇଟି ଚାହେଁନି।ତେଣୁ କିଏ ଏତେ ଝାମେଲାରେ ପଡିବ! ଇଚ୍ଛା ନଥିଲେ ବି କୁହେ ସୋନା,ସୁକନ୍ୟା ।


ଆରେ ବାଃ ଖୁବ୍ ସୁନ୍ଦର ନାଁ ତ ସୁନା ଝିଅ।

ସୁନା ନା ଫୁନା!। ନମ ହୋଇ ବାପାଙ୍କ ପଛପଟେ ଲୁଚେ।।ବାପାଙ୍କୁ ସେ କୁହନ୍ତି ,ବୁଝିଲେ ସାହୁ ବାବୁ ଝିଅ ପରି ଝିଅଟିଏ କରିଛ।ସତେ କି ଲକ୍ଷ୍ମୀ ପ୍ରତିମା।ରୂପ,ରଙ୍ଗ,ଗଢଣ ପୁଣି ବ୍ୟବହାର ,କେଉଁଥିରେ କେହି ବାରିବେ ନାହିଁ।"

ବାପା ତାଙ୍କ ପ୍ରଶଂସା ଶୁଣି ଫୁଲି ଯାଆନ୍ତି କି କଣ ଖୁସିରେ ଫାଟି ପଡି କୁହନ୍ତି ଖାଲି ସୁନ୍ଦର ନୁହେଁ ସାର୍ ଖୁବ୍ ଗୁଣର ମୋ ଝିଅ ଆଜ୍ଞା।ଏଇ ବାପା ମାନେ ନିଜ ପିଲାଙ୍କ ପ୍ରଶଂସା ଶୁଣିବାକୁ ଓ କରିବାକୁ ଏତେ ଭଲ ପାଆନ୍ତି କାହିଁକି ? ବାପା ଆହୁରି ଖୁସି ଗଦ୍ ଗଦ୍ ହୋଇ କୁହନ୍ତି ଗୀତ,ନାଚ,ପାଠ କେଉଁ ଥିରେ ମୋ ଝିଅକୁ କେହି ପାରିବେ ନାହିଁ,ଆଜ୍ଞା।ଭାରି ସ୍ମାର୍ଟ ମୋ ଝିଅ।ଏକଥା ଶୁଣି ସେ ନିଆଁ ଗିଳା ବଡ଼ ଅଫିସର ଜଣଙ୍କ କୁହନ୍ତି" ବାଃ ମା ସରସ୍ୱତୀ ବି ପ୍ରସନ୍ନ ! ତେବେ ତ  ଗୀତ ଟିଏ ଶୁଣିବା ତା କଣ୍ଠରୁ।"


ଗଲା ଯାଃ...ଓହୋ ବାପା ! କିଏ କହୁଥିଲା ଏସବୁ ତାଙ୍କୁ କହିବାକୁ! "ପେଟୁ! "ମୋ ମାକୁ ଖଟେଇଲା , ବାପାଙ୍କୁହାତ ଯୋଡ଼ାଇଲା,ଏବେ ପୁଣି ମୋତେ ଗୀତ ବୋଲିବାକୁ କହୁଛି!! ତା ପିଠିରେ ଧାଉଁ ଧାଉଁ ବିଧା ଦିଟା ଥୋଇ ଦେବାକୁ ମନ ହେଉଥିଲା।କେଜାଣି ଉପର ଅଫିସର ଗୁଡାଙ୍କୁ ଦେଖିଲେ ମୋତେ ଭାରି ଚିଡି ବିରି ଲାଗେ ! ଖୁବ୍ ବିଗିଡି ଯାଏ ମନେ ମନେ ତାଙ୍କ ଉପରକୁ।

ମୁହଁ ଖୋଲି ପାରେନାହିଁ।ମୁଁ ଯେ ସାନ ପିଲାଟା।ପିଲା ମାନଙ୍କର ଇଚ୍ଛା ଅନିଚ୍ଛା ଥାଏ ନା କଣ?କେହି କେବେ ଭାବନ୍ତି ପିଲାମାନେ ବଡଙ୍କ କଥା ପାଳନ କରୁ କରୁ କେତେ ଲୁହ ପିଇଥାନ୍ତି।କି ବିଦ୍ରୋହ କରେ ସେମାନଙ୍କ ମନ ! ପିଲାମାନଙ୍କୁ ତ ସବୁବେଳେ ଛୁଆଟା କହି ଠେଲି ଦିଅନ୍ତି ଖାଇ ମୁହଁକୁ।

ବାପା ଗେହ୍ଲେଇ ଡାକନ୍ତି" ମା ସୋନା ଆଇଲୁ ମା।ଗୋଟେ ସୁନ୍ଦର ଗୀତ ଗାଇଦେଲୁ ସାର୍ ଶୁଣିବେ"।ବିଲକୁଲ୍ ଇଚ୍ଛା ନଥିଲେ ବି ବାପାଙ୍କ କଥା ମାନିବାକୁ ବାଧ୍ୟ ହେଉଥିଲି। ମୋ କଣ୍ଠରୁ ଆହେ ନୀଳ ଶଇଳ ପ୍ରାର୍ଥନାଟି ଶୁଣି ମୋତେ ସେ ପେଟୁ ଅଫିସର କୋଳେଇ ନେଇଥିଲେ।ପେଟୁ ଗିଳା ଅଫିସରଟା ମୋ ହାତରେ ଶହେ ଟଙ୍କା ଗୁଞ୍ଜି ଦେଇ କୁହନ୍ତି "ନେ ଚକଲେଟ୍ ଖାଇବୁ।ଏଇଟା ତୋର ବକ୍ସିସ ଭଲ ଗୀତ ଗାଇଲୁ ବୋଲି।ଗୀତ ଗାଇବା ଛାଡ଼ିବୁନି। ସବୁଦିନେ ଅଭ୍ୟାସ କରିବୁ ବୁଝିଲୁ ମା। "

ମୋ ବାପାଙ୍କ ଉଦ୍ଦେଶ୍ୟରେ କୁହନ୍ତି , "ସାହୁ ବାବୁ ଝିଅ ପାଇଁ ଗୋଟେ ଗୀତ ମାଷ୍ଟର ରଖ।ବାପା ମୁଣ୍ଡରେ ହାତ ସଲ ସଲ କରି କୁହନ୍ତି, ସାର୍ ଆପଣଙ୍କୁ ମିଛ କାହିଁକି କହିବି।ଯାହା ରୋଜଗାର ଅଧାଧିକ ମୋ ଔଷଧ ଖର୍ଚ୍ଚରେ ଯାଉଛି।ଚଳିବା କଷ୍ଟ ଆଜ୍ଞା।ସେଇଥିପାଇଁ ବଡ଼ ପୁଟିକୁ ତା ମାମୁଁ ଘରେ ଛାଡିଛି। ତେଲ ଲୁଣ କୁ ପଇସା ନିଅଣ୍ଟ।ପାଠ ଦି ଅକ୍ଷର ଭଲ ସ୍କୁଲରେ ପଢେଇବା ମୁସ୍କିଲ ହେଉଛି।ଏ ନାଚ ଗୀତକୁ କିଏ ପଚାରେ ସାର୍।

ଆଚ୍ଛା ଆଛା ଦେଖିବା କିଛି ଗୋଟେ ବନ୍ଦୋବସ୍ତ କରିଦେବି। ଏପରି ପ୍ରତିଭା ସଭିଙ୍କୁ ଈଶ୍ୱର ଦେଇ ନଥାନ୍ତି। ଏବେଠାରୁ ଯତ୍ନ ନ ନେଲେ ବଣ ମଲ୍ଲୀ ପରି ଝରିଯିବ।

ଆଜ୍ଞା ସାର୍ କହି ବାପା ହାତ ଯୋଡନ୍ତି।


ମୁଁ ଛାଟି ପିଟି ହୋଇ ଦଉଡ଼ି ପଳାଇ ଆସେ ଘର ଭିତରକୁ।ଡାକ୍ତର ଅଙ୍କଲଙ୍କ ପରେ ମୋତେ ଆଉ କେଉଁ ଅଙ୍କଲଙ୍କ କୋଳରେ ବସିବାକୁ ଭଲ ଲାଗେନି।

ଲାଗେ ହୁଏତ ପୁଣି ମା ରାଗିବ।କଣ କହିବ।ସେ ବି ଡାକ୍ତର ଅଙ୍କଲ ଙ୍କ ପରି କୁଆଡେ ପଲେଇବେ।ମୋତେ ପୁଣି କଷ୍ଟ ହେବ।


ସେତିକି ବେଳେ ମୋ ପିଲା ମନ ସଂକଳ୍ପଟିଏ କରିଥିଲା ଯେ ମୁଁ କାହା ତଳେ ରହି କୌଣସି କାମ କରିବ ନାହିଁ କେବେ ବି। ମୋ ଉପରେ କେହି ହୁକୁମ କରିବେ ନାହିଁ।।ନିଜ ଇଚ୍ଛାର ମାଲିକ ହେବି।କାହା କଥାରେ ଉଠ୍ ବସ୍ ହେବି ନାହିଁ। ଏ କଥା ମୁହଁ ଫୁଲେଇ କହିଲା ବେଳେ ମୋ ଆଈ ହସି ହସି ଗଡି ଯାଉଥିଲା।


ଆଈ କୁହେ, ଆଲୋ ଫାଜିଲି ଚଣ୍ଡି ସେଇ ପେଟୁ ଉପରସ୍ଥ ଅଫିସର ପରା ତୋର ପାଠ, ନାଚ,ଗୀତ ସବୁ ଖର୍ଚ୍ଚ ତୁଲାଉ ଥିବାରୁ ତୁ ସିନା ଦି ଅକ୍ଷର ପାଠ ପଢ଼ିଲୁଓ ଗୀତ ନାଚ ଗୀତ ଶିଖିଲୁ।


ଆଁ ସେଇ ପେଟୁ ଗିଳାଟା ଏତେ" ଭଲ ମଣିଷ!"

ହଁ ପରା ସେ କଣ ତୋ ନାଁ ରେ ବୃତ୍ତୀ କରିଦେଇଥିଲେ।ବୁଝିଲୁ ସୋନା ତୋ ପେଟୁ ଅଫିସରଟି ମଣିଷ ନୁହେଁ ଦେବତାଟିଏ । ତୋ ମା ହାତ ରନ୍ଧା ତାଙ୍କର କଣ ସବୁ ଅଫିସରଙ୍କ ପସନ୍ଦ।ସେମାନେ ପରା ଖାସ୍ ତୋ ମା ହାତ ରନ୍ଧା ଖାଇବାକୁ ଅଡିଟ୍ ନାଁ ରେ ଆସନ୍ତି!


ସତେ ! ଛିଃ ମୁଁ କି ଖରାପ ଝିଅଟି ଯେ ଭଲ ମଣିଷଟିଙ୍କୁ କଣ ଭାବେ।ହେ ଠାକୁରେ ମୋତେ କ୍ଷମା କରିଦେବ ନ ଜାଣି କେତେ ଖରାପ କଥା ପେଟୁ ଅଫିସର ପାଇଁ କହିଛି। ମୋତେ ପାପ ଦେବ ନାହିଁ ପ୍ରଭୁ।

ସେଇ ପେଟୁ ଅଫିସରଙ୍କ ଠାରୁ ଶିଖିଥିଲି ଯେ ହଠାତ୍ କାହାକୁ ନେଇ ସିଦ୍ଧାନ୍ତରେ ପହଂଚିବା ଉଚିତ ନୁହେଁ।ବାହାର ଦେଖି ମଣିଷ ଚରିତ୍ର ଚିତ୍ରଣ କରିବା ଭୁଲ୍।



Rate this content
Log in