Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭକ୍ତ ମଣିଦାସ

ଭକ୍ତ ମଣିଦାସ

2 mins
1.0K



ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ବତ୍ସଳ ଲୀଳାର ଏକ ଅପୂର୍ଵ ଗାଥା l ଅନେକ ଦିନ ତଳର କଥା l ଏକଦା ଶ୍ରୀପୁରୁଷୋତ୍ତମ ପୁରୀ ଧାମରେ ରହୁଥାନ୍ତି ଜଣେ ଦରିଦ୍ର ଭକ୍ତ l ଭକ୍ତଙ୍କର ନାମ ମଣି ଦାସ l ପରିବାର କହିଲେ ମାମୁମାଇଁ ଦୁଇ ପ୍ରାଣୀ l ପେଟ ପୋଷିବା ନିମନ୍ତେ ମଣି ବିଭିନ୍ନ ବାଡ଼ି ବଗିଚା ବୁଲି ଫୁଲ ତୋଳିଆଣି ତାକୁ ମାଳା ତିଆରି କରି ବିକ୍ରି କରେ l ମଣି ଦାସର ଫୁଲ ଓ ମାଳ ଭକ୍ତ ମାନଙ୍କ ବହୁତ ପସନ୍ଦ l ଏଣୁ ଏଥିରୁ ମଣି ଭଲ ଦି ପଇସା ରୋଜଗାର କରେ l ତେଲ ଲୁଣର ସଂସାର ତା'ର ସୁରୁ ଖୁରୁରେ ଚଳି ଯାଉ ଥାଏ l ହେଲେ, ଦଇବ ଦାଉ ସାଧିଲା l ହଠାତ୍ ଭାରିଜାଟି ତା'ର ବାଧିକା ପଡ଼ି ଆଖି ବୁଜି ଦେଲା l ଭଗ୍ନ ହୃଦୟ ହୋଇ ମଣି ଆଉ ଫୁଲ ବ୍ୟବସାୟ କରି ପାରିଲା ନାହିଁ l ମଣି ମନକୁ ବୁଝାଉ ଥାଏ, ସବୁ ସେହି ମହାପ୍ରଭୁଙ୍କର ଇଚ୍ଛା, ସେ ଯାହା ଚାହିଁବେ ତାହା ହିଁ ହେବ l ସିଏ ତ ମୋତେ ଏକୁଟିଆ କରି ଦେଲା l ଯାଉଛି ତାରି ଭରସାରେ ରହିବି ଏବଂ ତା ଭଜନକୀର୍ତ୍ତନ କରି, ତା' କଳା ଶ୍ରୀମୁଖକୁ ଚାହିଁ ଜୀବନ ବିତାଇଦେବି l ଏଇମିତି ବିଚାର ନେଇ ମଣି ଦାସ ଆସି ଆନନ୍ଦ ବଜାରରେ ଭଜନ ଗାଇଗାଇ ଭିକ୍ଷାକରି ବୁଲିଲା l ଭଜନ ସହିତ ତାଳ ଧରିବା ପାଇଁ ଦୁଇଟି ନଡ଼ିଆ ଷଢ଼େଇରେ ସୁତୁଲି ଲଗାଇ ଦେଇ ତାକୁ ମଞ୍ଜିରା ଭଳି ବଜାଉଥାଏ l

ଭଜନ ସାଙ୍ଗରେ ଷଢେଇ ବଜାଇ ବଜାଇ ଦିନେ ମଣି ଯାଇ ଜଗମୋହନରେ ପହଞ୍ଚିଲା l ପୁରାଣ ପଣ୍ଡାମାନେ ସେଠାରେ ବସି ପୁରାଣ ପଢ଼ୁଥାନ୍ତି l ମଣି ଦାସ ସେଠାରେ ଭାଵ ବିହ୍ଵଳ ହୋଇ ତାର ଷଢେଇ ବଜାଇ ନାଚିବାରେ ଲାଗିଲା l ପୁରାଣ ପାଠରେ ବିଘ୍ନ ସୃଷ୍ଟି ହେବାରୁ ପଣ୍ଡା ମାନେ ମିଶି ମଣିକୁ ବହେ କୋରିଲେ l " ବେହିପୋ କୁଆଡ଼ୁ ଆସିଛି" କହି ତଣ୍ଟିଆଚଢ଼େଇ ଶ୍ରୀମନ୍ଦିରରୁ ତଡ଼ି ଦେଲେ l ପୁଣି ଯାଇ ଠାକୁର ରାଜାଙ୍କ ପାଖରେ ଅଭିଯୋଗ କଲେ," ପାଗଳ ମଣି ଦାସ ପୁରାଣ ପାଠରେ ବ୍ୟାଘାତ ସୃଷ୍ଟି କରୁଛି, ତା' ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯାଉ l"

ରାଜା ଆଜ୍ଞାରେ ମଣିକୁ ମନ୍ଦିର ମନାହୋଇଗଲା l ମାଡ଼ ଖାଇ ଏବଂ ମନ୍ଦିରରୁ ତଡ଼ା ଖାଇ ମଣି ବଡ଼ ଦାଣ୍ଡରେ ପତିତପାବନ ବାନାକୁ ଅନାଇ ପଡ଼ିରହି ଥାଏ l ଗୁମୁରି ଗୁମୁରି କହୁଥାଏ ହେ ମହାବାହୁ ! ହେ ବଳିୟାରଭୁଜ ! ଏ ତୁ କଅଣ କଲୁ, ଶେଷକୁ ତୋର ଶ୍ରୀମୁଖ ଦର୍ଶନକୁ ମଧ୍ୟ ମନା କରି ଦେଲୁ l ଆଉ ଏ ଜୀବନ ରଖି କି ଲାଭ !

ଭକ୍ତର ଅନ୍ତର ବେଦନାକୁ ଭକ୍ତ ବତ୍ସଳ ଶୁଣିଲେ l ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ମୋ ଭକ୍ତ ମଣିଦାସ ମାଡ଼ଖାଇ ବଡ଼ଦାଣ୍ଡରେ ବୁଲୁଛି, ତାକୁ ସସମ୍ମାନେ ମୋ ପାଖକୁ ନେଇ ଆସ l ମୋ ସମ୍ମୁଖର ସେ ତା ଷଢେଇ ବଜାଇ ନାମସଂକୀର୍ତ୍ତନ କରିବ,ତହିଁରେ ମୋର ବଡ଼ ଶରଧା l ଏବେ ଠୁଁ ଜଗମୋହନରେ ପୁରାଣ ପାଠ ନ ହୋଇ ମହାଲକ୍ଷ୍ମୀଙ୍କ ମନ୍ଦିରରେ ପାଠ ହେବ l ତାହା ହିଁ ହେଲା l ସ୍ୱପ୍ନାଦିଷ୍ଟ ରାଜା ଯାଇ କ୍ଷମାମାଗି ମଣିଦାସକୁ ପାଛୋଟି ଆଣିଲେ l ପୁରାଣ ପାଠ ସ୍ଥାନ ମହାଲକ୍ଷ୍ମୀ ମନ୍ଦିରକୁ ହଟାଇ ଦିଆ ଗଲା l ମଣିଦାସର ଭଜନ କୀର୍ତ୍ତନର ସ୍ଥାନ ରହିଲା ଜଗମୋହନରେ l ମହାପ୍ରଭୁଙ୍କ ଏ ଲୀଳା ଦେଖି ଭକ୍ତମାନେ ଉଲ୍ଲସିତ ହେଉ ଥିଲେ l ଆଉ ନୀଳଚକ୍ର ପରେ ପତିତପାବନ ନେତ ଫର ଫର ହୋଇ ଘୋଷୁଥିଲା :-

 ଭକତ ତୋ ମାତା ପିତା ଭକତ ତୋ ବନ୍ଧୁ l

   ଭକତ ହିତରେ ତୋର ନାମ କୃପାସିନ୍ଧୁ ll

                  


Rate this content
Log in

Similar oriya story from Inspirational