Arabinda Rath

Abstract

4.8  

Arabinda Rath

Abstract

ଭିନ୍ନ ଏକ ପ୍ରଥମାଷ୍ଟମୀ

ଭିନ୍ନ ଏକ ପ୍ରଥମାଷ୍ଟମୀ

5 mins
1.3K


     ରୋଷେଇଘରେ ବିରି ଚାଉଳ ବତୁରା ଯାଇଥିବା ଦେଖି ଚିହିଁକି ଉଠିଲା ମିତା। ରାଗରେ ଖୁଲଣାକୁ ଯାହାଇଛା ତାହା ଗାଳିଦେଲା। ଚିତ୍କାର କରି କହିଲା ମୋ ଘରେ କଣ ହେବ , ତୋ ପରି ଗୋଟେ ଛାର କାମବାଲୀ ସ୍ଥିର କରିବ କାହାକୁ ପଚାରି ବିରି ଚାଉଳ କାହିଁକି ବତୁରାଇଲୁ

   ମାଆ କାଲି ପ୍ରଥମାଷ୍ଟମୀ ଅଛି ତ, କାଳେ ତୁମର ମନେ ନ ଥିବ। ତୁମେ ଆମ ରାହୁଲ ବାବାଙ୍କୁ ବନ୍ଦେଇ ଏଣ୍ଡୁରି ପିଠା ଖୁଆଇବ ଭାବି ବିରିଚାଉଳ ବତୁରାଇଥିଲି। ହେଇ ଦେଖୁନ, ପିଠା ପାଇଁ ହଳଦୀପତ୍ର କୁ ନଡିଆ ବି ଆଣିଛି।

ଚୁପ୍ କର୍, ସେମିତି ଆଲତୁ ଫାଲତୁ କଥା ମୋ ସାମନାରେ କହିବାର ସାହାସ କରନି। ସେ ପୂଜା ଫୁଜା ମୋତେ ଜମା ଭଲ ଲାଗେନି। ଆଉ ସେ ପିଠା ପ୍ରତି ମୋର ଭୀଷଣ ଆଲର୍ଜି। କେଜାଣି କେମିତି ଲୋକମାନେ ପିଠା ଖାଇବାକୁ ବିକଳ ହୋଇ ଯାଆନ୍ତି। ମୁଁ ହାତଗୋଡ ଭାଙ୍ଗି, ଏତେ ପରିଶ୍ରମ କରି ପାରିବିନି କି କାହାକୁ ପିଠାପଣା କରି ଖୁଆଇ ପାରିବିନି।  ତୋତେ ଆଜି ଛାଡି ଦେଉଛି, କିନ୍ତୁ ଖବରଦାର୍  ଆଉ ଦିନେ ଯେମିତି ମୋତେ ଉପଦେଶ ଦେବାର ସାହାସ ନ କରୁ କି ପିଠାପଣା କରିବା କଥା ନ କହୁ। ଗାଁଆରେ ବୁଢାବୁଢୀ ଏମିତି ପାଲା ଲଗେଇଲେ ବୋଲି ତ ବିଜୟଙ୍କୁ ସହରରେ ରହିବାକୁ ବାଧ୍ଯ କଲି। ଏ ସହରରେ ବି ଏସବୁ ଫାଲତୁ ଜିନିଷ ମୋ ପିଛା ଛାଡୁନି। ସେ ପାଖଘରେ ରହୁଥିବା ମନସୁର୍ କୁ ଦେଖ୍। ତାଙ୍କ ଘରେ ତ ଏମିତି ପୂଜା ପାର୍ବଣ ନାହିଁ, ସେମାନେ ତ କାଇଁ ପିଠାପଣାରେ ଭାସୁ ନାହାଁନ୍ତି। ତା ସ୍ତ୍ରୀ ସାଫିନା କୁ ଦେଖିଛୁ ତ ? କାମଧାମ କରୁନି ବୋଲି କେମିତି ତା ମୁହଁ, ହାତ,ଦେହ ଚକମକ କରୁଛି। ଦୁନିଆ ଯାକର ଝିଞ୍ଜଟିଆ କାମ ଆମ ଓଡିଆ ମାନେ ହିଁ ବାଛିଛନ୍ତି। ଦେଖୁନୁ କାମ କରିକରି ମୋ ଅବସ୍ଥା କେମିତି ହୋଇଛି। ବାକି ସବୁ ତ ଚାଲାକ୍, ସେମାନେ କାହିଁକି ମୁର୍ଖଙ୍କ ପରି ହାଡଗୋଡ ଭାଙ୍ଗି ଖଟିବେ। ଆରେ ତୋ ନିଜକୁ ଥରେ ଦେଖ୍ , ତୋ ବୟସ କେତେ- - ତୁ କେମିତି ବୁଢୀଙ୍କ ପରି ଦିଶୁଛୁ।  ମିତା ରାଗରେ ଅନବରତ ଗର୍ଜି ଚାଲିଥିଲା।

      ଶେଷରେ ଖୁଲଣାର ଧୈର୍ଯ୍ଯର ବନ୍ଧ ଭାଙ୍ଗିଗଲା ଓ ସେ ଚିତ୍କାର କରି କହିଲା- - ମାଆ, ରଖ ତୁମ ବଡଲୋକି ତୁମ ପାଖରେ। ମୁଁ ଏମିତି କି ପାପ କରିଦେଲି ଯେ ମୋତେ ଏତେ କଥା କହିଯାଉଛ। ମୋ ଘରେ ସିନା ଦୁଇ ଓଳା ଖାଇବାକୁ ନାହିଁ , ମୋ ସ୍ବାମୀ ସିନା ମଦ ପିଇ ଦିନରାତି ବାହାରେ ଗଡୁଚି, ଦୁନିଆ ଯାକର ଦୁଃଖ ସିନା ମୋତେ ସନ୍ତୁଳି ପକାଉଛି- -ତଥାପି ମୁଁ ଘରେ ବାର ମାସରେ ତେର ପରବ ପାଳୁଛି। ମୁଁ କଷ୍ଟ ସହିଲେ କଣ ହେଲା, ମୋ ସ୍ବାମୀ ଓ ପିଲାକୁ ତ ଠାକୁର ଘଣ୍ଟ ଘୋଡେଇ ରଖିବେ। କାଲି ମୁଁ ଆସିବିନି ମାଆ, ମୋ ପିଲାର ମଙ୍ଗଳ ପାଇଁ କାଲି ପ୍ରଥମାଷ୍ଟମୀ ପୂଜା କରିବି,ଠାକୁରଙ୍କ ପାଖେ ଭୋଗ ଲଗେଇଲା ପରେ ପୁଅକୁ ଏଣ୍ଡୁରି ପିଠା ଖୁଆଇବି। ହଁ, ଆଉଗୋଟେ କଥା, ତୁମ ଘରେ କାମ କରୁଛି ସିନା ମୁଣ୍ଡ ବିକି ଦେଇନି। ଭଲରେ କଥାବାର୍ତ୍ତା ନ କଲେ, ଅଲଗା କାମ କରିବା ଲୋକ ଦେଖ। ସେତକି କହିଲା ବେଳକୁ ଖୁଲଣାର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା।

   କବାଟକୁ ଧଡ୍ କରି ବନ୍ଦ କରି ଗୋଡହାତ ଲମ୍ବାଇ ସୋଫାରେ ଗଡିପଡିଲା ମିତା । ଗୁଣୁଗୁଣୁ ହୋଇ କହିଲା - - ଖୁଲଣା ଆଜି ରୋଷେଇ କଲାନି ତ , ନ କରୁ, କିଛି ପରବାୟ ନାହିଁ। ଅନଲାଇନରେ ଖାଇବା ଅର୍ଡର କରିଦେଲେ କାମ ଖତମ୍। ଅଳ୍ପ ସମୟ ଭିତରେ ରାହୁଲ ସ୍କୁଲରୁ ଫେରିବ। ତାକୁ ଖୁଆଇ ଶୁଏଇ ଦେଲା ପରେ କଲୋନୀରେ କିଟିପାର୍ଟି କୁ ଯିବା କୁ ହେବ। ପୁଣି ରାତି ରେ ମହାପାତ୍ର ବାବୁଙ୍କ ପରିବାର ସହ ହୋଟେଲ ଯିବାର ଅଛି। ସେଥିପାଇଁ ଶାଢୀ ଗହଣା ପ୍ରସ୍ତୁତ ରଖିବାକୁ ହେବ। ଓଃ ଏତେ କାମ, ଏତେ ଜଞ୍ଜାଳ ଯେ ମଣିଷ କୁ ନିଶ୍ବାସ ନେବାକୁ ଫୁରସତ୍ ନାହିଁ। ଏପଟେ ଚାକରାଣୀ କହୁଛି ପୂଜା କର, ଏଣ୍ଡୁରି ପିଠା କର, ଗେଣ୍ଡୁରି ପିଠା କର ଧୁତ୍...ଫାଲତୁ ପାଲା ସବୁ। ଭଲ ହେଲା ମୁଁ ସହରକୁ ଚାଲି ଆସିଛି, ନହେଲେ ଶାଶୁ ବୁଢୀ ମୋ ଜୀବନ ଅଧା କରି ଦେଇଥା'ନ୍ତା। ଗୋବରରେ ଘର ଲିପା ଠାରୁ ଆରମ୍ଭ କରି ହଳଦୀପତ୍ର ତୋଳା, ନଡିଆ କୋରିବା ଆଦି କାମ କରି ମୋ ଚୋପା ଛାଡି ଯାଇଥା'ନ୍ତା। ପିଠା ଦୁଇଟା କରିବ ଯେ ଏତେ ବେହେଲ କଣ ସେ ପୂଜା ନକଲେ କି ପିଠା ନ ଖାଇଲେ କଣ ଭାସି ଯିବ ଯେ !!

   ସେଦିନ ରାତିରେ ମନସୁର୍ ଘରୁ ଘର୍ ଘର୍ ଆଓ୍ବାଜ୍ ବହୁତ ସମୟଯାଏ ଆସୁଥିଲା ଓ ତା ସହ ପିଲା ମାନଙ୍କର ଖେଳାଖେଳି କରିବାର ଶବ୍ଦ। ମିତା ଚିଡି ଉଠି ବିଜୟଙ୍କୁ କହିଲା- - ଦେଖିଲ, ମନସୁର୍ ଘରୁ କେମିତି ପାଟିତୁଣ୍ଡ ଶୁଭୁଛି। ଏମିତି ହେଲେ ଲୋକେ ଶୋଇବେ କେମିତି! ସାରାଦିନ ଏପଟ ସେପଟ ହୋଇ ମୋ ଅବସ୍ଥା ଖରାପ୍, ରାତିରେ ଏମାନେ ଶାନ୍ତିରେ ଶୁଏଇ ଦେବେନି ବୋଧେ। ବିଜୟ ଧୀର ସ୍ବରରେ କହିଲେ କାଲି ରାହୁଲ୍ ର ସ୍କୁଲ ପ୍ରଥମାଷ୍ଟମୀ ପାଇଁ ଛୁଟି ଅଛି। ସକାଳୁ ଉଠିବାକୁ ପଡିବନି, ତୁମେ ଶୋଇବାକୁ ଚେଷ୍ଟା କର। ମନସୁର୍ କୁ କିଛି କହିଲେ କଥା ଟା ଅସୁନ୍ଦର ହେବ।

   ପୁଣି ପ୍ରଥମାଷ୍ଟମୀର ନାମ ଶୁଣି ମିତା ଘୁଙ୍ଗୁଡି ମାରି ଶୋଇବାର ଅଭିନୟ କଲା। କାରଣ ପୂଜାପାର୍ବଣ ବିଷୟରେ ପଦେ କଥା କହିଦେଲେ ବିଜୟ ପ୍ରବଚନ ଦେବାକୁ ଆରମ୍ଭ କରିଦେବେ। ସକାଳୁ ଅନବରତ କଲିଂ ବେଲ୍ ବାଜିବାରୁ ମିତା ନିଦଭରା ଆଖିରେ କବାଟ ଖୋଲିଲା।  

   ସାଫିନା ତା ପୁଅକୁ ଧରି ହସିହସି ଘର ଭିତରକୁ ଏକ ବଡ ପ୍ଯାକେଟ୍ ଧରି ପଶି ଆସି କହିଲା- - ଦିଦି, ଆଜି ପରା ପ୍ରଥମାଷ୍ଟମୀ ପୂଜା । ଦେଖୁନ ମୋ ପୁଅ କୁ କେମିତି ନୂଆ ଜାମା ପିନ୍ଧେଇ ବନ୍ଦେଇ ଦେଇଛି। ଏଇ ନିଅ, ତୁମ ପାଇଁ ଏଣ୍ଡୁରୀ ପିଠା ଆଣିଛି। ପିଠା ପାଇଁ କାଲି ରାତିରେ ବିରି ଚାଉଳ ବଟା ଚାଲିଥିଲା। ମୁଁ ପ୍ରତିବର୍ଷ କଲୋନୀ ଭିତରେ ସମସ୍ତଙ୍କୁ ଏଣ୍ଡୁରୀ ପିଠା ବାଣ୍ଟେ। ଟିକେ ଚାଖି କହିଲ, କେମିତି ହୋଇଛି। ଦିଦି, ତୁମେ କଣ ଏତେ ବେଳ ଯାଏ ପୂଜା କରିନ ? tତୁମ ଦେହ ଭଲ ନାହିଁ କି ?

   ମିତାର ପାଟି ଆଶ୍ଚର୍ଯ୍ଯରେ ମେଲା ହୋଇଗଲା। ତା ପାଟିରୁ ବାହାରିଗଲା ତୁମର ପୁଣି ପ୍ରଥମାଷ୍ଟମୀ???

   ତା ମନର ଭାବ ସଠିକ୍ ପଢି ପାରି ସାଫିନା କହିଲା- - ଦିଦି ତୁମେ ଭାବୁଛ ନା, ଯେ ଆମେ ତ ହିନ୍ଦୁ ନୁହଁ ତେବେ ପ୍ରଥମାଷ୍ଟମୀ କେମିତି କରୁଛୁ? ଆମ ଧର୍ମ ସିନା ଅଲଗା ; କିନ୍ତୁ ଆମେ ହେଲୁ ଖାଣ୍ଟି ଓଡିଆ, ଆମ ସଂସ୍କୃତି କୁ ଛାଡିବୁ କେମିତି। ପୁଣି ଆମ କଟକ ସହରରେ ଧର୍ମର କିଛି ବିଭେଦ ନାହିଁ, ଏଠି ସବୁ ଧର୍ମ ସମାନ ଓ ସମସ୍ତଙ୍କ ପର୍ବ ବି ସମାନ।  ଆମେ ବି ବାରମାସରେ ତେର ପର୍ବ ପାଳନ କରୁ ଠିକ୍ ତୁମ ମାନଙ୍କ ପରି। ସବୁଠାରୁ ବଡ କଥା ହେଲା, ମନସୁର୍ ଓ ସାହିଲ୍ ପିଠାପଣା ଖାଇବାକୁ ପାଗଳଙ୍କ ପରି ହୁଅନ୍ତି। ହେଇ ଦେଖୁନ, କାଲି ରାତିସାରା ପରା ବାପପୁଅ ମୋ ସହ ମିଶି ନଡିଆ କୋରିବା, ହଳଦିପତ୍ର କୁ ସଜେଇ କାଟିବା ଆଦି କାମ ଚଲେଇଥିଲେ। ପିଠା ହେଲେ ଘରେ ଆଉ କିଛି ରୋଷେଇ କରିବା ଦରକାର ହୁଏନି। ବାପପୁଅ ମହା ଆନନ୍ଦରେ ପିଠା ଖିର ଖାଆନ୍ତି। ଅତି ଖୁସିରେ କହି ଚାଲିଥିଲା ସାଫିନା ।

   ବିଜୟ ପ୍ଯାକେଟ୍ ଖୋଲି ସବୁଜ ଟହଟହ ହଳଦୀପତ୍ରରେ ଗୁଡା ହୋଇଥିବା ଏଣ୍ଡୁରୀ ପିଠାକୁ ମନ ଭରି ଆଘ୍ରାଣ କରିନେଲେ। ପରମତୃପ୍ତିରେ ତାଙ୍କ ଆଖି ବୁଜି ହୋଇଗଲା। ସେଥିରୁ ଖଣ୍ଡେ ପାଟିରେ ପକାଇ ଖୁସି ରେ ଗଦଗଦ ହୋଇ କହିଲେ - - ଭଉଣୀ, ତୁମ ହାତ ତିଆରି ପିଠା ଖାଇ ମୋ ମାଆ କଥା ମନେ ପଡିଗଲା। ଆଜି ଆମ ଗାଁଆରେ ବହୁତ ଧୁମଧାମ୍ ରେ ପ୍ରଥମାଷ୍ଟମୀ ପାଳନ ହେଉଥିବ। ଗାଁଆର ସବୁ ପିଲାକୁ ଡାକି ଡାକି ମୋ ମାଆ ପିଠା ଖାଇବାକୁ ଦେଉଥିବ। ମୋତେ ଭଲ ଲାଗେ ବୋଲି ସେ ଏଣ୍ଡୁରୀ ପିଠା କଲା ବେଳେ ନଡିଆପୁର ଭରି ଭରି ଦେଇଥାଏ। ତୁମେ ବି ସେମିତି କରିଛ।

   ରାହୁଲ ପିଠା ଖାଇ ଡିଆଁ ମାରି କହୁଥାଏ- - ସାଫିନା ଆଣ୍ଟି ଏ ପିଠା କେତେ ଟେଷ୍ଟି ହେଇଛି ଓ କେତେ ଭଲ ବାସ୍ନା ହେଉଛି। ମୁଁ ଆଗରୁ ଏମିତିକା ପିଠା କେବେ ବି ଖାଇନି। ମାମା ବଜାରରୁ ମୋ ପାଇଁ କେବେକେବେ ମୋମୋ କିଣି ଆଣେ, କିନ୍ତୁ ଏ ପିଠା ପରି ବାସ୍ନା ଓ ଟେଷ୍ଟ ମୋମୋ ରେ ନାହିଁ। ମୋ ପାଇଁ ଆହୁରି ପିଠା ଦେବ। ତୁମକୁ କେତେ ଜିନିଷ ତିଆରି କରି ଆସିଛି, ମୋ ମମି ତ କିଛି ବି ଜାଣିନି, ଖାଲି ହୋଟେଲରୁ ମଗଉଛି ସବୁ। ହିଃ ହିଃ ହିଃ ।


   ସେତେବେଳକୁ ମିତାର ମୁହଁ ଲଜ୍ଜା ଅପମାନରେ ଜଳି ଯାଉଥିଲା। ସେ କେବଳ କଟମଟ କରି ବିଜୟ ଓ ରାହୁଲ କୁ ଦେଖିବାରେ ଲାଗିଥିଲା। ତା ମନରେ ସାଫିନା ପ୍ରତି ଏତେ ମାତ୍ରାରେ ଇର୍ଷା ଓ ଅସୂୟାଭାବ ବଢି ଯାଇଥିଲା ଯେ ସେ ତାକୁ ପିଠା ପାଇଁ ଧନ୍ଯବାଦ ମଧ୍ଯ କଲାନାହିଁ। ଏମିତି ପରିସ୍ଥିତି ର ସାମନା କେମିତି କରିବ ସାଫିନା ଜାଣି ପାରୁ ନ ଥିଲା। ସେ ମିତା କାନ ପାଖରେ ଧିର ସ୍ବରରେ କହିଲା- - ଦିଦି ମୁଁ ଯାଉଛି, କଲୋନୀର ସମସ୍ତଙ୍କ ଘରେ ପିଠା ବାଣ୍ଟିବାର ଅଛି। ମୋ ସାହିଲ୍ କୁ ଆଶିର୍ବାଦ କର ଯେମିତି ତା'ର ମଙ୍ଗଳ ହେବ। ତୁମେ ଏତେ ସମୟ ଯାଏଁ ଅଗାଧୁଆ ନ ରହି, ଜଲଦି କାମଧାମ ସାରି ପ୍ରଥମାଷ୍ଟମୀ ପୂଜା ଆରମ୍ଭ କରିଦିଅ। ଆଜି ଦିନରେ ରାହୁଲ୍ କୁ ନିହାତି ବନ୍ଦାଇବା ଦରକାର୍।

   ଲଜ୍ବା ଅପମାନରେ ଜର୍ଜରିତ ହୋଇ ସାରିଥିବା ମିତାର ମୁହଁ ସାଫିନା ସାମନାରେ ଆପେ ମୋଡି ହୋଇଗଲା। ସେ ମନେମନେ କହିଲା- - ଆଚ୍ଛା ପାଲା ଚାଲିଛି ଏ କଲୋନୀରେ। ପ୍ରଥମେ ଚାକରାଣୀ ଆସି ପାଠ ପଢେଇଲା, ଏବେ ଅନ୍ଯ ଧର୍ମର ଲୋକ ଆସି ପୂଜାପାର୍ବଣ ବିଷୟରେ ଭାଷଣ ଝାଡୁଛନ୍ତି। ନାଃ, ଏ ଯାଗାରେ ରହିବା ସମ୍ଭବ ନୁହଁ। ଅନ୍ଯ କେଉଁଠାରେ ଘରଭଡା ଖୋଜିବାକୁ ହେବ।

   ସେପଟେ ମିତାର ମନ ଭିତରେ କୁହୁଳୁଥିବା ଅସୂୟାଭାବ ଓ ହୀନମନ୍ଯତାକୁ ତିଳେ ମାତ୍ର ପ୍ରାଧାନ୍ଯ ନ ଦେଇ, ବିଜୟ ହଳଦୀପତ୍ର ଭିତରୁ ଶୁଭ୍ରକୋମଳ ଏଣ୍ଡୁରି ପିଠା ଗୁଡିକୁ ସଯତ୍ନେ କାଢି ଖାଇବାରେ ନିମଗ୍ନ ଥିଲେ।

           


Rate this content
Log in

Similar oriya story from Abstract