Siddhartha Tripathy

Abstract Romance Inspirational

3  

Siddhartha Tripathy

Abstract Romance Inspirational

ଭିନ୍ନ ଏକ ପ୍ରେମ

ଭିନ୍ନ ଏକ ପ୍ରେମ

5 mins
167



ପରିବର୍ତ୍ତନଶୀଳ ଦୁନିଆଁ। ପ୍ରେମ ବା ସେଥିରୁ ବାଦ୍ ପଡ଼ନ୍ତା କିପରି ? ଆଜିର ଯୁବପିଢି ପ୍ରାୟତଃ ପ୍ରେମର ବୁଢିଆଣୀ ଜାଲରେ ଛନ୍ଦା, ବନ୍ଧା। ବହୁତ୍ କମ୍ ଗ୍ରାମ୍ୟ ଲଳନା ହୁଏତ ଏଥିରୁ ବାଦ୍ ପଡ଼ି ପାରନ୍ତି।


ଏଇ କିଛିଦିନ ତଳେ ଆମ ଦପ୍ତରର ସହକର୍ମୀର ବାହାଘର ସ୍ଥିର ହେଲା। ମୋତେ ପଚାରିଲା ସାର୍ ! ମୋ ସ୍ତ୍ରୀର ବି କ'ଣ ପ୍ରାକ୍ ଇତିହାସ ଥିବ ? ଏକବିଂଶ ଶତାବ୍ଦୀର ଯୁବକର ଜଟିଳ ପ୍ରଶ୍ନର ଅର୍ଥ ବୁଝି ନପାରି ପଚାରିଲି କ'ଣ କହୁଛ ସଫା ସଫା କୁହ।


ସେ କହିଲା, ସାର୍ ! ମୋ ଭାବି ସ୍ତ୍ରୀର କାହା ସହ ପ୍ରେମ ନଥିବ ତ ? ମୁଁ କହିଲି ଥାଇ ପାରେ ବି ନଥାଇ ପାରେ ବି। ମୁଁ ପଚାରିଲି, ତମେ ପ୍ରେମ କରିନାହଁ ? ସେ କହିଲା, ସାର୍ ଚାରିଟା ବ୍ରେକଅପ୍। ହସି ଉଠି କହିଲି ମୁଁ ତାହେଲେ ଭାବି ସ୍ତ୍ରୀ କିଛି କରିଥଲେ ଭୁଲ୍ କ'ଣ ? ସେ କହିଲା ସାର୍ ଆମେ ପରା ପୁଅ। ଚିଡି ଉଠି ମୁଁ କହିଲି ଏଇ ଆମ ମାନସିକତା !


କାହାଣୀର ପୃଷ୍ଠଭୂମିକୁ ଯିବା।

ରଶ୍ମି ! ଏ ରଶ୍ମି ! ଆମେ ପରା ସାତଜନ୍ମର ସାଥୀ। ତମେ ତ କୃତିଛାତ୍ରୀ। ଝିଅଟିଏ ତ ବାପଘର ଛାଡ଼ି ପରଘରକୁ ଯିବା ନିଶ୍ଚିତ। ତାଛଡା ମୁଁ ତ ଅଲୋଡା, ଆଖୋଜା ନୁହଁ ବରଂ ରେଳବିଭାଗର କର୍ମଚାରୀ।


ଆଜି ପରା ବାସରରାତି। ସବୁ ଦମ୍ପତିଙ୍କ ସ୍ୱପ୍ନର ରାତି। ଏମିତି ରାତିରେ କାନ୍ଦିବା କ'ଣ ତମକୁ ଶୋଭାପାଏ ? ରଶ୍ମି କହିଲା, ନା ଦେବବାବୁ , ସେକଥା ନୁହଁ। ମୋ ସ୍ବପ୍ନିଳ ଆଖିର ଅକୁହା ପଙ୍କିଳ ଅତୀତ ଆପଣ ପଢ଼ିବାରେ ଅସମର୍ଥ। ଶୈଶବ ରୁ କିଶୋରୀ। କିଶୋରୀ ଜୀବନର ଉଦ୍ଧତ ଯୌବନର ମଧୁ ଯଦିଓ ଭଁଅର ଶୋଷିବାକୁ ପ୍ରଚେଷ୍ଟା କରିନାହିଁ କିନ୍ତୁ ମୁଁ ଆକର୍ଷିତା ଥିଲି।


ଆଜି ଆପଣ ଯଦି ଅନୁମତି ଦେବେ , ଗୋଟିଏ ଅନୁରୋଧ କରିବି। ହଁ ଭରିଲେ ରବି। କହିଲେ ଆମେ ଚାହିଁଲେ ଜୀବନସାରା ବାସରରାତି ହେବ। ଜୀବନସାରା ମିଶି ରହିବା ଆମେ। କାମୋଜ୍ୱାଳାର ଜ୍ଵଳନ ମୋତେ କେବେ ସ୍ପର୍ଶ କରିପାରିନାହିଁ। ମୁଁ ସେସବୁକୁ ପ୍ରାଧାନ୍ୟ ଦିଏନି। ତମେ ମୋ ଅର୍ଦ୍ଧାଙ୍ଗିନୀ। ତମେ ମୋତେ ସବୁକିଛି କହିପାର।


ଆରମ୍ଭ କଲା ରଶ୍ମି। ସୁନ୍ଦର ପଟ୍ଟଚିତ୍ର ଓ ଝୋଟିରେ ମୋର ଆଗ୍ରହ। ବିଶେଷ କରି ସୁନ୍ଦର ସଙ୍ଗୀତ ଗାନ କରେ ମୁଁ। କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ସାକ୍ଷାତ ହେଲା ବିଟୁ। ସୁନ୍ଦର, ସଞ୍ଜମୀ ଯୁବକ। ସେ ବି ଆମ ସାହିର। ମୋର ଆଚାର ବ୍ୟବହାର, ଚିତ୍ରାଙ୍କନ, ଝୋଟି ଓ ସଙ୍ଗୀତରେ ପ୍ରଭାବିତ ଥିଲା ସେ।


ସଙ୍ଗୀତର ମୂର୍ଚ୍ଛନା ଅପେକ୍ଷା ସେ ବସି ମୋ ସୌନ୍ଦର୍ଯ୍ୟକୁ ମନ୍ତ୍ରମୁଗ୍ଧ ହୋଇ ଅନେଇଥାଏ । ସେ ବି ମେଧାବୀ ଛାତ୍ର ଥିଲା। ଆମ ମିଳା ମିଶାରେ ବି ଉଭୟ ପରିବାରର ସହମତି ଥିଲା। ମୋର ସମସ୍ତ କାର୍ଯ୍ୟକ୍ରମରେ ବୁଟୁ ଉପସ୍ଥିତ ରହୁଥିଲା ଓ ମୋତେ ଉତ୍ସାହିତ କରୁଥିଲା।


ଆଦର୍ଶବାଦୀ ଥିଲା ବୁଟୁ। ପ୍ରେମରେ କାମର ଅନୁପ୍ରବେଶକୁ ଘୃଣା କରୁଥିଲା ସେ। ଦୁଇ ପରିବାର ଆମ ବାହାଘରରେ ସହମତ ଥିଲେ। କୌଣସି ବାଧକ ନଥାଇ ବି ଶାରୀରିକ ସମ୍ପର୍କକୁ ଦୁହେଁ ଘୃଣା କରୁଥିଲୁ।


ସେ ମେଡିକାଲ ପଢିବାକୁ ଗଲା ଓ ମୁଁ ଭଞ୍ଜବିହାରର ମେଧାବୀ ଛାତ୍ରୀ। ହଠାତ୍ ବୁଟୁର ବାପାଙ୍କ ଦେହାନ୍ତ ହେଲା। ଏପଟେ ମୋ ବାପା ମାଆଙ୍କ ଦେହାନ୍ତ ହେଲା। ମୋର ବାହାଘର ବୟସ ଉପନୀତ ହେଲା।


ମୋ ଭାଇ ବୁଟୁ ଘରକୁ ବାହାଘର ପ୍ରସ୍ତାବ ନେଇଗଲେ। ବୁଟୁର ଅଜ୍ଞାତରେ ତା ମାଆ କହିଲେ, ପୁଅକୁ ପାଠ ପଢେଇ ଆମେ ସର୍ବହରା। ତେଣୁ ସାତଲକ୍ଷ ଯୌତୁକ ଦେଲେ ବାହାଘର ହେବ। ଭାଇ ନିଜେ ଏତେ ଅର୍ଥ ଦେବା ପାଇଁ ଆମେ ଅସମର୍ଥ କହିଲେ। ବୁଟୁର ମାଆ କହିଲେ ତାହେଲେ ଝିଅ ପାଇଁ ଅନ୍ୟତ୍ର ପ୍ରସ୍ତାବ ଦେଖ। ଭଗ୍ନ ମନୋରଥରେ ଫେରି ଆସିଲେ ଭାଇ।


ତାପରେ ମୋସହ ତମ ବାହାଘର ସ୍ଥିର ହେଲା। ବାହାଘରର ପନ୍ଦରଦିନ ପୂର୍ବରୁ ବୁଟୁ ଜାଣିବାକୁ ପାଇଲା ମୋ ବାହାଘର ଓ ତା ମାଆ ମାଗିଥିବା ଯୌତୁକ କଥା। ବୁଟୁର ବଡ଼ଭାଇ ମୋତେ ତାଙ୍କ ଘରକୁ ଡାକି ଏକାନ୍ତରେ ଦୁହିଁଙ୍କୁ କହିଲେ ଘରଛାଡ଼ି ଦୁହେଁ ପଳେଇ ଯାଅ ଓ ସୁନ୍ଦର ସଂସାର କର।


ମନାକଲା ବୁଟୁ । ବାହାଘର ହୋଇଗଲା ମୋର। ବୁଟୁ ରହିଗଲା ଏକା। ଆପଣ କୁହନ୍ତୁ , ଏତେ ନିବିଡ, ଅନାବିଳ ଭଲ ପାଇବା ଭୁଲିବା କ'ଣ ଏତେ ସହଜ ? ରଶ୍ମିକୁ ସ୍ନେହରେ କୋଳେଇ ନେଲେ ରବି। କହିଲେ ତମେ ସ୍ପଷ୍ଟବାଦି, ମୋ ଆଦର୍ଶ। ନଚେତ ଅଜଣା, ଅଶୁଣା ମଣିଷଟାକୁ ପତି ରୂପେ ଗ୍ରହଣ କରି କିଏ ବା ନିଜର ଘୃଣ୍ୟ ଅତୀତର ପ୍ରେମ ବଖାଣିପାରେ ?


ବହୁତ ବୁଝେଇ କାନ୍ଦ ବନ୍ଦ କରେଇଲେ ରଶ୍ମିର। ରଶ୍ମି କହୁ କହୁ କହିଦେଲା ଅତୀତ କିନ୍ତୁ ପରମୁହୂର୍ତ୍ତରେ ନିଜ ସ୍ଵିକରୋକ୍ତି ପାଇଁ ଶିହରୀ ଉଠିଲା। ଲାଜରେ ମୁଣ୍ତଟେକି ଆନେଇଲା ରଶ୍ମି। ମୂରୁକି ହସୁଥିଲେ ପତି ପରମେଶ୍ବର। କହିଲେ ଆତ୍ମଗ୍ଲାନିରେ ଜଳିବାର ଆବଶ୍ୟକତା ନାହିଁ। ତମେ ସବୁ ସତ କହିଛ । ତାଛଡା ତମ ଉଭୟ ଘରର ସହମତି ବି ଥିଲା। ତମେ ଏକବିଂଶ ଶତାବ୍ଦୀର ଲଳନା ହୋଇ ବି, ସୁଯୋଗ ଥାଇ ବି କୌଣସି ନିଭୃତ କୋଠରୀରେ ଯୌନ ସମ୍ଭୋଗ କରିନାହଁ। ତମେ ମହାନ୍, ତମ ପ୍ରେମ ମହାନ। କାରଣ ଆଜିକାଲି ଯୁଗରେ ଶାରିରୀକ ସମ୍ପର୍କ ରହିତ ପ୍ରେମ ଅସମ୍ଭବ। ତମେ ଆକାଶ ପରି ଉଚ୍ଚ । ତେଣୁ ଆଜିଠାରୁ ତମର ଦ୍ଵିତୀୟ ଜନ୍ମ ଓ ତମ ନାଁ ନଭ।


ମୁଁ ବି ଗଭୀର ପ୍ରେମ କରିବି ଓ ତମ ଇଚ୍ଛା ବିରୁଦ୍ଧରେ କେବେ ବି ଶାରିରୀକ ସମ୍ପର୍କ ରଖିବାର ଅପଚେଷ୍ଟା କରିବି ନାହିଁ। ଖୁସି ହୋଇଗଲା ସଂସ୍କାରୀ ଝିଅଟି। ବୋଧେ ତାର କିଛି ସୁକୃତ ପାଇଁ ସେ ଏମିତି ସ୍ୱାମୀ ପାଇଲା।


କହିଲା, ସେ ବୁଟୁ କେଉଁଠି ବାହା ହୋଇଗଲେ ମୋ ଦୁଃଖ ଗଲା। ସେପର୍ଯ୍ୟନ୍ତ ମନ ଟିକେ ଗୋଳେଇଘାଣ୍ଟି ନିଶ୍ଚୟ ହେବ। ନଭ ଓରଫ ରଶ୍ମିର ସଂସାର ଆଗକୁ ବଢ଼ିଲା। ତା ଭିତରେ ସୁନ୍ଦର କନ୍ୟା ସନ୍ତାନ ଦୁଇଟିର ଜନନୀ ହେବାର ସୌଭାଗ୍ୟ ଲାଭ କଲା ସେ।

ଦିନ ଗଡ଼ି ଚାଲିଲା। କିନ୍ତୁ ପୁରୁଣା ପ୍ରେମିକ ବୁଟୁ ଆଉ ବାହା ହେଲା ନାହିଁ।


ସେଇ ଦୁଃଖରେ ପ୍ରତ୍ୟହ ନିଜକୁ ଦୋଷୀ ମଣି ଏକା ଏକା ତକିଆ ଭିଜାଏ ଅଧ୍ୟାପିକା ରଶ୍ମି। ଆଭୂଷଣ ଓ ସାଜସଜ୍ଜାରୁ ବିରତ ରହେ ରଶ୍ମି। ପ୍ରତିବାଦ କରନ୍ତିନି ସ୍ୱାମୀ। କିନ୍ତୁ ବେଳେବେଳେ ଟିକେ ବିରକ୍ତ ହୁଅନ୍ତି ପୁଣି ନଭକୁ ବୁଝେଇ ଦିଅନ୍ତି।


ବାହାଘରକୁ ପନ୍ଦର ବର୍ଷ ପୁରି ଗଲାଣି। ବୁଟୁ ଆଉ ବାହା ହୋଇନି। ଏମିତି ଗୋଟିଏ ବି ରାତି ଯାଇନି ଯେବେ ତାର ପ୍ରେମ ଓ ବୁଟୁକୁ ନୁହଁ ବରଂ ତା ପ୍ରେମର ଦୃଢ଼ତାକୁ ମନେପକାଇ ନଭ କାନ୍ଦିନାହିଁ ଓ ବିନିଦ୍ର ରଜନୀ ବିତେଇନି। ନଭର ସାଥୀ ଅମୃତାଞ୍ଜନ ଶିଶି ଓ ଦୁଃଖଭରା ସଙ୍ଗୀତ।


ବେଳେବେଳେ ରବିବାବୁ ମଧ୍ଯରାତ୍ରୀରେ ନଭର କୋଠରୀରେ ପ୍ରଵେଶ କରି ପଚାରନ୍ତି , ଏଯାଏଁ ନଶୋଇ କ'ଣ କରୁଛ ? କଥା ବାଆରେଇ କହିଦିଏ ନାନୀ ସହ କଥା ହେଉଛି। ଚୁପ୍ ରହିଯା'ନ୍ତି ରବିବାବୁ। ଦିନେ ଫେସ୍ ବୁକ୍ ରେ ସାକ୍ଷାତ ହୁଏ ସୀତାକାନ୍ତ ସହ। ସରଳ ଲାଗନ୍ତି ସେ। ବନ୍ଧୁତ୍ୱର ହାତବଢାନ୍ତି ସୀତାକାନ୍ତ। ତଥାପି ଭରଷା କରି ପାରେନି ନଭ । 


ସୀତାକାନ୍ତଙ୍କ ଅମାୟିକ, ଭଦ୍ର ବ୍ୟବହାର ଯୋଗୁଁ ସୀତାକାନ୍ତ ପାଖରେ ସହଜ ହୋଇଯାଏ ନଭ । ସୀତାକାନ୍ତ ସହ ସମୟ ଅତିବାହିତ କରିବାରେ ଲାଗେ ସେ।

ସେଦିନ ......


ଖୁବ୍ କାନ୍ଦୁଥିଲା ନଭ । ସୀତାକାନ୍ତ ପଚାରିଲେ କାନ୍ଦିବାର କାରଣ। ନଭ କହିଲା, ମୋ ସ୍ବାମୀ କୌଣସି ଦେବତା ଠାରୁ କମ୍ ନୁହନ୍ତି। ମୁଁ କାହାର ପ୍ରେମପିପାସୁ ନୁହଁ। କିନ୍ତୁ ବୁଟୁ , ତା ପ୍ରେମ ଓ ତା'ର ବଳିଦାନ ମୋତେ କଷ୍ଟ ଦେଉଛି। ନିଜକୁ ଅପରାଧି ମଣୁଛି।


ସୀତାକାନ୍ତ ଯେତେ ବୁଝାଇଲେ ବି କିଛି ଫରକ ପଡୁନଥିଲା। ତାପରେ ସୀତାକାନ୍ତ କହିଲେ, ମୁଁ କହୁଛି, ତମେ ଶୁଣ ;


ବୁଟୁ ବାହା ନହୋଇ ରହିଗଲା ତମ ପ୍ରେମ ପାଇଁ। ସେ ମହାନ୍ ନିଶ୍ଚୟ। ଏକବିଂଶ ଶତାବ୍ଦୀରେ ପ୍ରେମିକ ପ୍ରେମିକା ଲୁଗା ବଦଳେଇଲା ପରି ବଦଳନ୍ତି। କିନ୍ତୁ ସେ ପ୍ରମାଣିତ କଲା ପ୍ରେମ ଦେଣନେଣର ହିସାବ ଖାତା ନୁହଁ , ପ୍ରେମ ବଳିଦାନ। ଠିକ ଅଛି ସେ ମହାନ୍।


ହଁ କହିଲା ନଭ । ଯାହାହେଉ ଆପଣ ଠିକ୍ ବୁଝିଲେ। ତାପରେ ସୀତାକାନ୍ତ କହିଲେ ଆଛା କହିଲ, ତମର ସୁନ୍ଦର ସଂସାର। ତମ ସ୍ବାମୀ ତମକୁ ବହୁତ୍ ଭଲ ପାଆନ୍ତି। କେବେ ବି ସନ୍ଦେହର ଚକ୍ଷୁ ନାହିଁ ତମ ଉପରେ। ଆଉ ତମେ .....।

ବାହାଘରର ପନ୍ଦର ବର୍ଷ ପରେ, ସୁନ୍ଦର ସଂସାର ବନ୍ଧନ, ଦୁଇଟି କନ୍ୟା ସନ୍ତାନର ଜନନୀ ହେଲା ପରେ ବି ସବୁ ରାତି ସେଇ ପ୍ରେମ ଓ ବୁଟୁ ପାଇଁ ଆଖିରୁ ଲୁହ ଝରାଇବସୁଛ। ଏହା କ'ଣ କମ ବଳିଦାନ ? 


ପୁରୁଷଟା ବାହା ନହୋଇ ରହିଗଲା କିଛିଟା କଷ୍ଟ, କିଛିଟା ସହଜ କିନ୍ତୁ ସଂସାର ବନ୍ଧନରେ ଆବଦ୍ଧ ଜଣେ ସୁଗୃହିଣୀ ପୁରୁଣା ପ୍ରେମକୁ ଝୁରି କାନ୍ଦିବା ସବୁଠୁ କାଠିକର ପାଠ।

ବନ୍ଧୁ ହିସାବରେ ତମେ ନିଜେ ଟିକେ ମୋ କହିବା କଥା ଅନୁଶୀଳନ କର। ଏମିତି ପ୍ରତ୍ୟହ କଲେ ତମ ପ୍ରେମକୁ ଅପମାନ ଓ ପରିବାରକୁ ବିଶ୍ୱାସଘାତ।

ନିଷ୍ପତ୍ତି ତମର।


ସେପଟୁ ଉତ୍ତର ନଥିଲା।

ପରଦିନ ରବିବାବୁ ସୀତାକାନ୍ତକୁ ଧନ୍ୟବାଦ ଦେବାସହ ନଭ ବି ଧନ୍ୟବାଦ ଦେବା ସହ ନିଜ ପରିବାରକୁ ଆପଣେଇ ନେଇଥିଲା।

ହସୁଥିଲା ସଂସାର। ଅମୃତାଞ୍ଜନ ଶିଶି ହୋଇଯାଇଥିଲା ଅଲୋଡା।

ସୀତାକାନ୍ତ କହୁଥିଲେ , ପ୍ରକୃତରେ ଏହା ଏକବିଂଶ ଶତାବ୍ଦୀର *ଭିନ୍ନ ଏକ ପ୍ରେମ।



Rate this content
Log in

Similar oriya story from Abstract