AMRITA PANI

Inspirational

3  

AMRITA PANI

Inspirational

ଭାଲେଣ୍ଟାଇନ୍ସ ଡେ

ଭାଲେଣ୍ଟାଇନ୍ସ ଡେ

3 mins
710


ଡ଼.ଅମ୍ରିତା ପାଣି

ପିଲା ଦିନରୁ ମୁଁ ବୋଉକୁ ଦେଖି ଆସିଛି ,ଦିନ ସାରା ଲୋଟଣି ପାରା ପରି ଖଟି ଚାଲି ଥିବ | ଏକ ମଧ୍ୟବିତ୍ତ ସଂଯୁକ୍ତ ପରିବାରର ଅନ୍ତର୍ଭୁକ୍ତ ସମସ୍ତ ସଦସ୍ୟଙ୍କ ଟିକି ନିଖି ଖବର ବୁଝୁ ବୁଝୁ ଆଉ ସମସ୍ତଙ୍କ ମାନ ଅଭିମାନ ଏବଂ ରୁଚିକୁ ସମ୍ମାନ ଦେଉ ଦେଉ ତାର ଜୀବନର ଅର୍ଦ୍ଧାଧିକ ଭାଗ କଟି ଗଲା | ତାର ବି କିଛି ଆବଶ୍ୟକତା ଅଛି , କିଛି ଇଛା ଅଛି ସେକଥା କେହି ବି ବୁଝି ନଥିଲେ କିମ୍ବା ବୁଝିବାର ଚେଷ୍ଟା ମଧ୍ୟ କରୁ ନଥିଲେ |ପିଲା ଦିନେ ମୋର ଇଛା ହୁଏ , ମିଲି ,ପିଙ୍କି , ସାନୁ ଆଦି ଙ୍କ ମମ୍ମି ପରି ମୋ ବୋଉ ବି ଲିପିସ୍ଟିକ ଲଗାଇ ସଜ ବାଜ ହୋଇ ଆମ ସହ ବୁଲି ବାକୁ ଯାଆନ୍ତା , ଆମକୁ ସ୍କୁଲରୁ ଆସୁ ଆସୁ ସବୁ ଖବର ବୁଝୁ ଥାନ୍ତା | ନା , ତାକୁ କୁଆଡ଼େ ସମୟ ଥାଏ ଯେ ଏସବୁ ପାଇଁ ?ଜେଜେଙ୍କ ଔଷଧ ସରି ଗଲାଣି , ଜେଜୀର ଏକାଦଶୀ ପାଇଁ କି କି ଫଳ ସରଞ୍ଜାମ ଆସିବ , ପୁଣି କେତେ ବେଳେ ସଂଜୁ ନାନୀ ଆଉ ମାନୁ ନାନୀ ଙ୍କ ଶାଶୁ ଘରକୁ କଣ ସବୁ ବେଭାର ଯିବ ଇତ୍ୟାଦି ଜଂଜାଳ ବୁଝୁ ବୁଝୁ ତାର ସବୁ ସମୟ ଯାଏ | ଏମିତି କି ଆମ ଜନ୍ମ ଦିନ ଟିକୁ ବି ଠିକ ରେ ପାଳନ କରିବାକୁ ଦିଏ ନାହିଁ |ମୁଁ ଦେଖେ ବେଳେ ବେଳେ ସିଏ ଚିଡ଼ି ଯାଇ ବାପାଙ୍କ ସହ ଝଗଡ଼ା କରୁଥାଏ .ମତେ କିନ୍ତୁ ସେତେ ବେଳେ ବୋଉ ଉପରେ ଭାରି ରାଗ ମାଡ଼େ |ଭାବେ ,ମୋର ଏତେ ଭଲ ବାପା ,ଯିଏ ମୋର ଟିକି ନିଖି ଖବର ବୁଝନ୍ତି ,ତାଙ୍କୁ କାହିଁକି ବୋଉ ଏପରି ରାଗୁଛି | ମୋ ବୋଉଟି ଜମାରୁ ଭଲ ନୁହେଁ ,ଭାରି ସ୍ୱାର୍ଥପର | ମୋର ଏହି ଚିନ୍ତା ଧାରା ଫଳ ରେ ବଡ଼ ହୋଇ ନିଜ ଗୋଡ଼ରେ ଛିଡା ହେବା ପରେ ବି ମୁଁ ବୋଉ କୁ ଅଣ ଦେଖା କରିବାକୁ ଲାଗୁଥିଲି | ହଷ୍ଟେଲ ରେ ରହି ପଢ଼ିବା ସମୟେ ରେ ସିଏ ଫୋନରେ ମତେ ଯେତେବେଳେ ପଚାରୁଥିଲା ଖାଇଛି କି ନାହିଁ , ମୁଁ ବିରକ୍ତ ହୋଇ ଉତ୍ତର ଦେଉଥିଲି ,ଖାଲି କଣ ଏ ଦୁନିଆରେ ଖାଇବା ଛଡ଼ା ଅନ୍ୟ କିଛି କାମ ନାହି,ତା ଫୋନକୁ ରାଗ ରେ କାଟି ଦେଉ ଥିଲି |

----------

ଅଫିସ କାମ ,ଘର କାମ ଆଉ ଦୁଇ ପିଲାଙ୍କ ଜଂଜାଳ ବୁଝୁ ବୁଝୁ ମୁଁ ନୟାନ୍ତ ହୋଇ ପଡ଼ିଲିଣି |ରାଜୀବ ବି ନିଜ କ୍ଲାଏଣ୍ଟ ଆଉ ବିଜନେସ୍ ଟୁର୍ କୁ ନେଇ ସଦା ବେଳେ ବ୍ୟସ୍ତ | କଣ ,ଯେ କରିବି , ଏହି ପ୍ରତିଯୋଗିତାମୂଳକ ଦୁନିଆରେ ଆଗକୁ ବଢ଼ିବାକୁ ହେଲେ କେତେ ଯେ ପରିଶ୍ରମ କରିବାକୁ ହୁଏ କାହାକୁ ବୁଝାଇବି | ସମସ୍ତେ ସ୍ୱାର୍ଥବାଦୀ , କେହି ବି ଥରଟିଏ ପଚାରନ୍ତି ନାହିଁ ମୋର କଣ ଆବଶ୍ୟକତା |ଘରକୁ ଥକି ପହଁଚିଲା ପରେ କେହି ପଚାରନ୍ତିନାହିଁ ମୁଁ ଖାଇଛି କି ନାହିଁ ,ମୋ ଦେହ ଭଲ ଅଛି କି ନାହିଁ ,କେବଳ ମୋ ବୋଉ ଛଡ଼ା | ଏହି କଥାକୁ ନେଇ ଆମ ଭିତରେ ସେଠି ପାଇଁଭୀଷଣ ଝଗଡା ବି ହୁଏ ବେଳେବେଳେ |ସେଦିନ ଅଫିସରେ ଏକ ନୂଆ ଡୀଲ୍ ଫାଇନାଲ୍ କରି ଫେରୁ ଫେରୁ ବହୁତ ଡେରି ହୋଇ ଗଲା | ଘର କୁ ଫେରି ଦେଖେ ପିଲା ଦୁଇ ଜଣ ହାଣ୍ଡି ଭଳିଆ ମୁହଁ କରିକି ବସିଛନ୍ତି | ଝିଅ ,କହିଲା ମମ୍ମି ତମେ ଜମା ଭଲ ନୁହଁ , ଆଜି ଆମ ସବୁ ପ୍ଲାନ୍ ଫସର ଫାଟିଗଲା | ମୁଁ ପଚାରିଲି ,ଆଜି କଣ କି ? ପୁଅ କହିଲା ,କଣ ମମ୍ମି ,ଜାଣିନ ଆଜି ପରା ଭାଲେଣ୍ଟାଇନ୍ସ ଡେ | ଆମେ କାଲି ଠୁ ପ୍ଲାନ କରିଥିଲୁ ,ଗୋଟିଏ କେକ୍ ଆଣିବୁ ,ତୁ ଡାଡି ଆଉ ଆମେ ସେଲିବ୍ରେଟ କରିବା , ଦେଖେ ,ଡାଡି ଆଜି ଆମ କଥା ରେ କେମିତି ଅଫିସ ରୁ ଅଧା ଛୁଟି ନେଇକି ଆସି ଯାଇଛନ୍ତି | ହେଲେ ,ତତେ ତ ଆମ ପାଇଁ ସମୟ ନାହିଁ| ତମେ ଭାରି ସେଲଫିସ୍ | ଅନିଶା , ଅନାମିକା , ଋତ୍ଵିକ ତାଙ୍କ ମମି ଡାଡି କେମିତି ସବୁ ଭାଲେଣ୍ଟାଇନ୍ସ ଡେ ସେଲିବ୍ରେଟ୍ କରିଛନ୍ତି ଦେଖେ ଫେସବୁକ୍ ରେ ଫୋଟୋ | ତରବର ରେ ବାଥରୁମ ଯାଇ ଲୁଗା ବଦଳାଇ ବାକୁ ଗଲା ବେଳେ ଝିଅ ର କଥା ଶୁଣି ଛାତି ଭିତର ଟି କେମିତି କେମିତି ହୋଇ ଉଠିଲା | ହଟାତ୍ ମନ ପଡ଼ିଲା , ଆଜି ଫେବୃଆରୀ ୧୪ ,ବୋଉ ର ଜନ୍ମ ଦିନ |ମୁଁ ତ ଭୁଲି ଯାଇଥିଲି ପୁରାପୁରି ସବୁ ଥର ପରି | ଫୋନ୍ ଲଗାଇଲି ତାକୁ ଜନ୍ମ ଦିନ ଆଉ ଭାଲେଣ୍ଟାଇନ୍ସ ଡେ ର ଅଭିନନ୍ଦନ ଜଣାଇବାଲାଗି |ସ୍ଥିର କଲି ବୋଉ କୁ ଆଜି ଏହି ପ୍ରେମ ର ଦିବସ ରେ ହିଁ କହିଦେବି , ସେ ଦୁନିଆର ସବୁଠାରୁ ଭଲ ବୋଉ ,ଯାହାକୁ ମୁ ବହୁତ ବହୁତ ଭଲ ପାଏ |

ଫୋନ୍ ଧରୁ ଧରୁ ସେପଟୁ ଥିଲା ତାର ସେହି ଚିରାଚରିତ ପ୍ରଶ୍ନ "ଖାଇ ସାରିଲୁଣି ମା "?


Rate this content
Log in

Similar oriya story from Inspirational