ଭାଗ୍ୟ ବିଧାତା
ଭାଗ୍ୟ ବିଧାତା
ଏତେ ଦିନର ସମ୍ପର୍କର ଡୋରି ଯେ ଏମିତି ଚଟ କରି ଖାଲି ଛିଣ୍ଡିଯିବ ନୁହେଁ ସମ୍ପୂର୍ଣ୍ଣ କଟିଯିବ ବୋଲି ନିରୁ କଣ କେବେ ସ୍ୱପ୍ନରେ ଭାବିଥିଲେ ? ଅନୁପ ତାଙ୍କର ଖାଲି ସ୍ୱାମୀ ନଥିଲେ, ଏକାଧାରରେ ବନ୍ଧୁ ସଖା ସହୋଦର ସହ ପୁଅ ଝିଅ ପରି ସ୍ୱାମୀଙ୍କୁ ମମତ୍ୱ ଭରା ପଣତ ଘୋଡାଇ ସନ୍ତାନ ପରି ପାଳୁଥିଲେ, ମାଆ ଟିଏ ନହେଇ ପାରିବା ଦୁଃଖ ନା ତାଙ୍କର ଥିଲା ନା ଅନୁପଙ୍କର. ସେଇସବୁ ସମୟରେ ଡାକ୍ତର ଦେଖେଇବାରୁ ମଧ୍ୟ ଦୁହେଁ ନିବୃତ୍ତ ରହିଥିଲେ, ଏଇଥିପାଇଁ ଯେ କାହାର ନଇପାରିଲା ପଣିଆ, ନା ପଦାରେ ପଡ଼ୁ ନା ସେ ଦୁହିଁଙ୍କ ମନ ଉଣା ହେଇ ପରସ୍ପରଠୁ ଦୁରେଇ ଯିବାର ଭୟ ରହୁ. ଏମିତିକି ପୋଷ୍ୟ ସନ୍ତାନ କରିବାକୁ ମଧ୍ୟ ଚାଁହୁନଥିଲେ ଅତନୁ, କେବେ ବି ସେଥିପାଇଁ ଜିଦ କରିନଥିଲେ ନିରୁ. ବୟସ ବଢ଼ୁଥିଲା, ଆଉ ତା ସହ ତାଳ ଦେଇ ରୋଗ ବି ଦାଉ ସାଧୁଥିଲା, ତ ଘରେ ମାଳତୀକୁ ଆଣି ରଖିବାରେ କାହାର ଆପତ୍ତି ନଥିଲା l
ମାଳତୀ ବି ବେଶ ଶାନ୍ତ ଶିଷ୍ଟ ଝିଅଟିଏ, ଲେଖା ଯୋଖାରେ ନିରୁଙ୍କର ଭଉଣୀ ହେବ, ସ୍ୱାମୀ ମରିଯିବା ପରେ, ବିଚାରୀ ହଇରାଣ ହେଉଥିଲା, ସନ୍ତାନସନ୍ତତି ମଧ୍ୟ ନଥିଲେ ମାଳତୀ ର ତ ନିରୁ ନିଜେ ମାଳତୀ କୁ ଆଶ୍ରୟ ଦେଇ ଆଜି ନିରାଶ୍ରୟ ହୋଇ ପଡିଛନ୍ତି ନିଜେ.ମାଳତୀ ପେଟ ରେ ବଢୁଥିବା ପିଲାଟା ଜାରଜ ନୁହେଁ ବରଂ ତାଙ୍କ ନିଜର ବୋଲି ଜାଣିବା ପରେ ଖୁସି ହେବା ପରିବର୍ତ୍ତେ ପାଦ ତଳୁ ମାଟି ଖସିଯାଇଛି ନିରୁଙ୍କର, ଏତେ ଦିନର ଭଲ ପାଇବା ଆଜି ପ୍ରତାରଣା ଦେଇଛି ତାଙ୍କୁ, ଉତ୍ତୋର ବୟସ ରେ ଅନୁପ ଏମିତି କରିବେ, ସେ ଭାବିପାରୁନଥିଲେ କି ବିଶ୍ୱାସ କରିପାରୁନଥିଲେ.
ଅନୁପ କିନ୍ତୁ କଥାଟାକୁ ବହୁ ସହଜ ଭାବେ ଗ୍ରହଣ କରୁଥିଲେ, ଖୁସିରେ ତାଙ୍କ ପାଦ ପାଞ୍ଚ ହାତରେ ପଡୁଥିଲା, ପୌରୁଷ ପାଇଁ ପୁରୁଷ ର ଗର୍ବ ଓ ଗୌରବ ପ୍ରଥମ କରି ଅନୁପଙ୍କ ଆଖିରେ ଦେଖୁଥିଲେ ଆଉ ଅସହାୟତାରେ ଭାଙ୍ଗି ପଡୁଥିବା ବେଳେ, ମାଳତୀ ନିଜର ଭୁଲ କୁ କ୍ଷମା କରିଦେବାକୁ, ଅନୁରୋଧ କରୁଥିଲା ତ ନିରୁ କହିଥିଲେ, ତତେ କ୍ଷମା କରିବାକୁ ମୁଁ କିଏ ମାଳତୀ, ବରଂ ମୁଁ ବୃଦ୍ଧାଶ୍ରମ ଚାଲିଯାଉଛି, ଏ ସଂସାର ତ କେବଳ ତୋର, ଅନୁପ ମୋର ନୁହନ୍ତି, ତୋ ପେଟରେ ତାଙ୍କ ପୌରୁଷ ର ସ୍ବାକ୍ଷର, ସେ ବହୁତ ଖୁସି ଅଛନ୍ତି, ତାଙ୍କ ଖୁସି ଦେଖି ମତେ ବି ଦୟା ଆସୁଛି ତାଙ୍କ ପ୍ରତି, ତେଣୁ ମତେ ବରଂ ତୁ ବିଦାୟ ଦେଇଦେ.
ମାଳତୀ ଆଗରେ ଛୋଟ ହେଇଯାଉଥିଲେ ନିରୁ, ହେଲେ ସାହି, ପଡିଶା, ବନ୍ଧୁ ବାନ୍ଧବଙ୍କ ଟାହିଟାପରା ଅନୁପଙ୍କୁ ପିଲା ମୁଁହ ଦେଖିବାକୁ ଦେଇନଥିଲା, ହେଲେ ମାଳତୀ ର ପୁଅ ସେହି ତାରିଖ, ମାସ ଓ ବାର ନେଇ ଆସିଥିଲା, ଯୋଉ ତାରିଖ, ମାସ ବାର ରେ ଅନୁପଙ୍କ ସଙ୍ଗରେ ତାଙ୍କର ବିବାହ ହୋଇଥିଲା. ବର୍ଷ କେବଳ ଭିର୍ଣ୍ଣ ଥିଲା, ଅନାଥ ପିଲାକୁ ଛାଡି ଯାଅ ନାହିଁ ଅପା ବୋଲି ମାଳତୀ ତାଙ୍କୁ ଯିବାକୁ ଦେଇନଥିଲା ସତ, ହେଲେ ସେ ନା ଦେବକୀ ନା ଯଶୋଦା, କୋଉ କୂଳର ନହୋଇ, ଡୋରି କାଟି ବୃଦ୍ଧାଶ୍ରମ ରେ ଶେଷ ଜୀବନ କଟାଇ ଦେଇଥିଲେ l