Subhalaxmi Nayak

Tragedy Inspirational Others

3  

Subhalaxmi Nayak

Tragedy Inspirational Others

ବେଡ଼ି

ବେଡ଼ି

3 mins
548


ଝିଅଟିଏ ଜନ୍ମ ହେଲା ମାତ୍ରକେ, ପରିବାରର ସମସ୍ତ ସଦସ୍ୟ ଚିନ୍ତାଗ୍ରସ୍ତ ହୋଇ ଉଠନ୍ତି। ଉଭୟ ସାମାଜିକ ଓ ପାରିବାରିକ ଦୃଷ୍ଟିରୁ ଝିଅ ଜନ୍ମ ମାନେ ତ୍ୟାଗ, ସହନଶୀଳତା, ସଂସ୍କାର ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ ରୂପେ ମାନି ନିଅନ୍ତି। ନୀରବତା ଉପରେ ତାର ହିଁ ସତେ ଯେମିତି ଜନ୍ମଜାତ ଅଧିକାର।ଭୁଲ୍ ଦେଖିଲେ ନୀରବ ରହିବୁ, ଉଚ୍ଚ ଗଳାରେ କଥା କହିବୁନି, ଅନ୍ୟାୟ, ଅତ୍ୟାଚାର, ଶୋଷଣ ଶିକାର ହେଲେ ବି ନୀରବଦ୍ରଷ୍ଟା ସାଜି ସହିବୁ ଆଉ ଖାଲି ସହିବୁ। ପୁରୁଷାର୍ଥ ପ୍ରତିପାଦନ କରିବା ପାଇଁ ଗୋଟିଏ ନାରୀ ସବୁବେଳେ କାହିଁକି ବଳି ପଡ଼େ? କାହିଁକି ତାକୁ ସବୁବେଳେ ନେପଥ୍ୟ ନାୟିକା, ନହେଲେ ପ୍ରଚ୍ଛଦପଟ ନାୟିକା ଭାବରେ ଜୀବନ ଅତିବାହିତ କରିବା ପାଇଁ ଛାଡ଼ି ଦିଆଯାଏ? ସଫଳତା ଉପରେ କାହିଁକି ଖାଲି ପୁରୁଷମାନଙ୍କ ଅଧିକାର? ନାରୀଟିଏ ଦେବୀ ରୂପରେ ପୂଜିତା ହେବ। ଘରର ଲକ୍ଷ୍ମୀ ବୋଲି ମାନ୍ୟତା ପାଇବ। କିନ୍ତୁ ନିଶ୍ଚିତ ଭାବରେ ଏକ ସରୁ ଲକ୍ଷ୍ମଣରେଖାଟିଏ ଟାଣି ଦିଆଯିବ ଅଧିକାର କଥା ଉଠିବା କ୍ଷଣି। ପ୍ରତି କ୍ଷଣରେ ଅନେକ ନିର୍ଭରଶୀଳା ହୋଇ ଜୀବନ ବଞ୍ଚିବାକୁ ବାଧ୍ୟ କରାଯିବ।....

ଓଃ.... ଓଃ.... ଆହୁରି କେତେ କ'ଣ ବାକି ରହିଗଲା ଯେ, ଲେଖିଲା ବେଳକୁ ଚିନ୍ତା କରି ହେଉନି, ମୁଣ୍ଡକୁ ଆସିଲା ବେଳକୁ ଲେଖି ହେଉନି। ସୁନୀତା ଦେବୀ ଲେଖୁ ଲେଖୁ ଟେବୁଲ ଉପରେ କଲମ ଥୋଇ ଦେଇ ଆଉଜେଇ ବସିଗଲେ ଚୌକି ଉପରେ। ସକାଳୁ ସକାଳୁ ଏତେ କାମ ଯେ, କୋଉ ସମୟ ମିଳିବ ସଭାରେ ଯେଉଁ ଭାଷଣ ଦିଆଯିବ ତାକୁ ପ୍ରସ୍ତୁତ କରିବାକୁ। ଆଉ ଏ ନିଆଁ ଲଗା ମନ ଠିକ୍ ସମୟରେ ଦଗା ଦେଇ ଦିଏ। କାହିଁକି କେଜାଣି ଏ ନିର୍ବାଚନ ସମୟ ଆସିଲା ମାନେ ଖାଲି ଲୋକ "ନାରୀ" "ନାରୀ" ବୋଲି ନାରାବାଜି କରନ୍ତି। ଏମିତି କହୁ କହୁ ବିରକ୍ତିରେ ଉଠିଗଲେ ରୋଷେଇ ଘର ଆଡ଼କୁ। ଗ୍ୟାସ୍ ଚୁଲା ଉପରେ ଚା' ଗରମ କରୁ କରୁ ଭାବୁଥିଲେ, "ମୁଁ ବି ଦିନେ ଏମିତି ଛୋଟ ଝିଅଟେ ଥିଲି। ପ୍ରଜାପତି ଭଳିଆ ମନ ମୋର ମୁକ୍ତ ଜୀବନ ଆଶାରେ ଥିଲା। କାହା ପାଇଁ ମନରେ ଘୃଣା ନ ଥିଲା। ରାଗ ରୋଷ ନ ଥିଲା। ବାପାମାଆଙ୍କ ସହିତ ପରିବାରରେ ଅତି ଖୁସିରେ ଜୀବନ କଟାଉ ଥିଲି। ଗୋଟିଏ ମୁକ୍ତ ବିହଙ୍ଗ ଭଳି ଜୀବନ କାଟି ଦେବି ବୋଲି ଭାବିଲା ବେଳକୁ କିଶୋରୀ ହେଲି ତାପରେ ଯୌବନ। ଜମାରୁ ୧୯ଟି ଫଗୁଣ ଅତିକ୍ରମ କରୁ କରୁ ବାହା ରାଶି ଫିଟିଲା ଯେ, ବୋଉ ବୁଝେଇ ସୁଝେଇ ହାତକୁ ଦି' ହାତ କରିଦେଲା। ସେଇଠି କିଛି ସ୍ୱପ୍ନ ବଳି ପଡ଼ିଲା। ତାପରେ ସଂସାର ଜଞ୍ଜାଳ ବିଷୟରେ କିଛି ବୁଝିବା ଆଗରୁ କୋଳରେ ଗୋଟିଏ ନୂଆ ଜୀବନ, ପୁତ୍ର ସନ୍ତାନର ଜନନୀ ଭାବରେ ଗୁରୁ ଦାୟିତ୍ବ ଲଦି ହୋଇଗଲା। ବୈବାହିକ ଜୀବନ ଓ ପ୍ରେମର ତାଳମେଳ ବସେଇ ଆଗକୁ ବଢ଼ିବାକୁ ହେଲେ ପ୍ରେମର ସନ୍ତକ ନିହାତି ଆବଶ୍ୟକ ବୋଲି ଶାଶୁ ବୁଝେଇଲେ। ଏକ ରୁ ଦୁଇ, ଦୁଇ ରୁ ତିନି.... ଏବେ ଆସିଲା କର୍ତ୍ତବ୍ୟବୋଧର ପାଳି। ପରିବାରର ସୁଖସମୃଦ୍ଧି, ଉନ୍ନତିର ପ୍ରତିବଦ୍ଧତା ନେଇ ଭୁଲି ହୋଇଗଲା ସବୁ ସ୍ୱପ୍ନ ଯାହା ଦିନେ ମୁଁ ନିଜ ପାଇଁ ଦେଖିଥିଲି।" ଏମିତି ତ ଅନେକ ଝିଅଙ୍କର ସ୍ୱପ୍ନ ବାସ୍ତବରେ ରୂପାନ୍ତରିତ ହେବା ଆଗରୁ ଅଳନ୍ଧୁ ଲାଗି ଯାଉଥିବ। କୋଉ ନୂଆ କଥା କି! ଏ ପରା ଆମ ପରମ୍ପରା। ପିଢ଼ି ପରେ ପିଢ଼ି ଏମିତି ହିଁ ଆଗେଇ ଚାଲିଛି। ନା ନା ମୁଁ ଆଉ ଟିକିଏ ନୂଆ କିଛି ଲେଖେ। ନହେଲେ ସେଇ ପୁରୁଣା ମାନ୍ଧାତା ଅମଳିଆ ଗପ ଭଳିଆ ଲାଗିବ। ଚା ପିଉ ପିଉ ଡାଏରୀରେ ପୃଷ୍ଠା ଓଲଟାଇ ଦେଲେ ସୁନୀତା ଦେବୀ। ପୁଣି କିଛି ନୂଆ ଚିନ୍ତା କରିବାକୁ ପଡ଼ିବ। ନାରୀ ନେତ୍ରୀ ବୋଲି ଯେଉଁ ସୁନାମ ଅଛି, ନହେଲେ ସେଇଟା ମାଟିରେ ମିଶି ଯିବ।ଆଉ ସେ ପୁରୁଣା ପାଞ୍ଜି ନ ଓଲଟାଇ ନୂଆ ମାନେ ବିଂଶ ଶତାବ୍ଦୀରେ ନାରୀ ବିଷୟରେ ଲେଖି ଦେବା। ଏଇ ଯେମିତି ଆଜିକାଲି ଝିଅମାନେ ପାଠଶାଠ, ଚାକିରୀ, ପରିବାର ସବୁକୁ ଉଚିତ୍ ତାଳମେଳ ରଖି ଆଗକୁ ବଢ଼ୁଛନ୍ତି। ଏଇ ଯେମିତି ଝିଅମାନେ ଆକାଶ, ତାପରେ ମହାକାଶ ପର୍ଯ୍ୟନ୍ତ ପହଞ୍ଚି ନିଜ ଦକ୍ଷତା ଦେଖାଇ ସାରିଲେଣି। କଳା, ସଂସ୍କୃତି, ଖେଳକୁଦ, ଶିକ୍ଷା, ବାଣିଜ୍ୟ ସବୁ କ୍ଷେତ୍ରରେ ଆଗରେ। ଆଉ ଘରର ଚାରିକାନ୍ଥ ପଞ୍ଜୁରୀରେ ଆବଦ୍ଧ ନ ରହି ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିଲେଣି, ଇତ୍ୟାଦି ଇତ୍ୟାଦି....। ତଥାପି କ'ଣ ଏ ସମାଜ ତାଙ୍କୁ "ମୁକ୍ତ ବିହଙ୍ଗ" ଭାବରେ ପୁରୁଷ ସହ ସମାନ କରି ପାରୁଛି? ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଉଛି। କିଏ ଯୌତୁକ ଜୁଇରେ ଜଳୁଛି ତ କିଏ ପୁରୁଷାର୍ଥ ପ୍ରତିପାଦନ ନିମନ୍ତେ କୁତ୍ସିତ ଭାବରେ ଶିକାର ହୋଇ ଚାଲିଛି। ସବୁ ଖାଲି ଦେଖା ଶିଖା। ଆମେ ନାରୀ ଜାତି କିନ୍ତୁ ଯେଉଁଠି କୁ ସେଇଠି।

ଏମିତି ଭାବୁ ଭାବୁ ବାତାୟନ ଭେଦି ସୂର୍ଯ୍ୟଙ୍କ ପହିଲି କିରଣ ସ୍ପର୍ଶରେ ପ୍ରକୃତିସ୍ଥ ହେଲେ ସୁନୀତା ଦେବୀ। ଆଜି ବି ଡାଏରୀର ପୃଷ୍ଠା ଖାଲି। ନାରୀବାଦ ଉପରେ ପ୍ରବନ୍ଧ ଲେଖୁ ଲେଖୁ ଯେମିତି ସେ ଝୁଣ୍ଟି ଚାଲିଛନ୍ତି, ଲାଗୁନି ଏବର୍ଷ ତାଙ୍କୁ ମୁକ୍ତ ବିହଙ୍ଗଟିଏ ପରି ଉଡ଼ିବାକୁ ଖୋଲା ଆକାଶ ମିଳିବ। ବିକଳ୍ପରେ ପରା ଝିଅ ଜନ୍ମ ନେଇ ପଞ୍ଜୁରୀ ଭିତରେ ଭାଗ୍ୟ ଲେଖାଇ ଆସିଛି! ଯାହାକୁ ପରିବାରର ଲକ୍ଷ୍ମଣରେଖା ଡେଇଁ ଖୋଲା ଆକାଶର ସ୍ୱପ୍ନ ଦେଖିବା ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ଲାଗେ।



Rate this content
Log in

Similar oriya story from Tragedy