ପ୍ରଶାନ୍ତ କୁମାର ବେହେରା

Inspirational

5.0  

ପ୍ରଶାନ୍ତ କୁମାର ବେହେରା

Inspirational

ବଡ ଭଉଣୀ .................

ବଡ ଭଉଣୀ .................

4 mins
448



ଆଛା ଦେଇ ( ମୋ ବଡ ଭଉଣୀ ଗୌରୀ ) ତୁ ଏଇ ଭିତରେ " ଗୁରୁ ଗୌରବ " ସମ୍ମାନରେ ସମ୍ମାନିତ ହୋଇଛୁ l ଏ କଥା ଜାଣି ଖୁବ୍ ଖୁସି ହେଲି l ଆମ ଆଠ ଜଣ ଭାଇ ଭଉଣୀ ଭିତରେ ତୁ ସବା ବଡ ହେତୁ ଖୁବ୍ ଗେହ୍ଲାରେ ବଢିଥିଲୁ l ମୁଁ ଯେଉଁ କଥାକୁ ଚିଡେ ତୁ ଜାଣିଶୁଣି ମୋତେ ରଗାଇବାକୁ ସେଇ କଥା କରୁ l ତଥାପି ପିଲାଦିନେ ମୋତେ ବହୁତ ସ୍ନେହ ଶ୍ରଦ୍ଧା କରିବା ସହିତ କୋଳେଇଛୁ କାଖେଇଛୁ l କିଛି ଭୁଲିନି, ସବୁ ମୋ ମନ ଭିତରେ ସେମିତି ବସା ବାନ୍ଧି ରହିଛନ୍ତି l 


ତୁ ମାଟ୍ରିକ୍ ପାସ୍ କରିବାପରେ ଏସ.ଭି.ଏମ.କଲେଜରେ ଆଇ.ଏ. ପଢିବାକୁ ଆସିଲୁ l କାଳେ ତୋର କିଛି ଅସୁବିଧା ହେବ କବଳ ସେଇଥିପାଇଁ ବାପା ଆମ ସମସ୍ତଙ୍କୁ ଜଗତସିଂହପୁର ଅଣି ପ୍ରଥମେ ଗୋପାଳସାଗରରେ ଭଡାଘରେ ରଖିଲେ l ତୁ ଏସ୍.ଭି.ଏମ. କଲେଜରେ ଆଉ ଆମେ କିଏ ଶ୍ରୀକୃଷ୍ଣ ଏକାଡେମୀରେ ତ ଅଉ କିଏ ପ୍ରାକ୍ଟିସିଂ ସ୍କୁଲରେ ନାମ ଲେଖାଇ ପଢିଲୁ l ପରେ ବାପା ଦୁଇ ଗୁଣ୍ଠ ଜମି କିଣି ବହୁ କଷ୍ଟରେ ଛୋଟିଆ ଘର ଖଣ୍ତେ ଏଇ ଗୋପାଳସାଗରେ କରିଥିଲେ l ଗାଁ ଛାଡି ଜଗତସିଂହପୁରରେ ଯଦି ଆମେ ଅାଜି ପ୍ରତିଷ୍ଠିତ ହୋଇଥାଉ ତାହେଲେ ସେଇ ସିଢିର ପ୍ରଥମ ପାହାଚ ବାପା ଗଢିଥିଲେ କେବଳ ତୋରି ପାଇଁ l


ତୋ ଆଇ.ଏ. ପଢା ସରିବା ପରେପରେ ବାପା ତୋ ବାହାଘର କରିଦେଲେ ନେମାଳ ଗାଦି ପାଖ ପାଳଦାର ଗୋଟେ ବିରାଟ ଯୌଥ ପରିବାରରେ l ସେ ପରିବାରର ସଦସ୍ୟ ସଂଖ୍ୟା ୨୦ରୁ ଅଧିକ ଥିଲା l ମୋ ଭିଣେଇ ( ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ଦାସ ) ଜଣେ ହାଇସ୍କୁଲ୍ ଶିକ୍ଷକ l ଏତେ ଅଲିଅଳରେ ଆମ ଘରେ ବଢି କେମିତି ତୁ ସେଠି ଆଡଜଷ୍ଟ କଲୁ ତାହା ମୋତେ ଖୁବ୍ ଆଶ୍ଚର୍ଯ୍ୟ କରିଥିଲା l ମୁଁ ତୋ ସହିତ ତୋ ଶାଶୁ ଘରକୁ ବାହାଘର ସରିବା ପରେପରେ ଯାଇଥିଲି l ସେଠି ପାଞ୍ଚଦିନ ପାଖା ପାଖି ରହିଥିଲି l ଏଡେ ବଡ ପରିବାର ଆଉ ସେ ପରିବେଶ ଦେଖି ବାପାଙ୍କ ଉପରେ ମନେ ମନେ ଖୁବ୍ ରାଗିଥିଲି l ଏବେ କିନ୍ତୁ ବାପାଙ୍କର ଅବର୍ତ୍ତମାନରେ ମୁ୍ଁ ମର୍ମେମର୍ମେ ଅନୁଭବ କରିପାରୁଛି ବାପାଙ୍କର ସେ ଦିନର ସେଇ ଦୂରଦୃଷ୍ଟିକୁ l 


ତୁ ସେତେବେଳେ ନିଜକୁ ପରିବର୍ତ୍ତନ କରାଇ ସେଇ ନୂଆ ପରିବେଶରେ ଖୁବ୍ ସୁନ୍ଦର ଭାବରେ ଖାପ୍ ଖୁଆଇ ନେଇଥିଲୁ l ଶାଶୁ, ଶଶୁର, ଦେଢଶୁର, ଦିଅର, ନଣନ୍ଦ, ଯାଆ, ଝିଆରି ଓ ପୁତୁରା ସମସ୍ତଙ୍କର ଖୁବ୍ ପ୍ରିୟ ହୋଇ ପାରିଥିଲୁ l ଯେତେବେଳେ ମୁଁ ଏଇ ଏସ୍.ଭି.ଏମ୍. କଲେଜରେ ପଢି ଇଲେକ୍ସନରେ ଠିଆ ହେଲି ତୁ ପୁସିଙ୍ଗ୍ କାର୍ଡ ଛାପିବାକୁ କେଇଥର ଟଙ୍କା ବି ଦେଇଛୁ l ସେ ସବୁ କଥା ଭୁଲିବାର ନୁହେଁ l 


ସେଇ ଯୌଥ ପରିବାର ଭିତରେ କେତେବେଳେ ତୁ ତିନି ପୁଅଙ୍କର ମାଆ ଆଉ ମୁଁ ସେମାନଙ୍କର ମାମୁଁ ହୋଇଗଲି l ଏସବୁ ଭିତରେ ବି ତୁ ପୁଣି ପଢିଲୁ , ସିଟି ପାଶ୍ କରି ସେଇ ଶାଶୁଘର ଗାଁରେ ଶିକ୍ଷୟତ୍ରୀ ହୋଇଗଲୁ l ଘରକାମ, ପିଲାମାନଙ୍କର ପାଠ ପଢା ଏସବୁ ଏତେ କାମ ସୁରୁଖୁରୁରେ କରି କେମିତି ସ୍କୁଲ୍ ଯାଇ ପାଠ ପଢାଉ ଭାବିଲେ ଆଶ୍ଚର୍ଯ୍ୟ ବି ଲାଗେ l ସମୟେ ସମୟେ ଭାବେ ସ୍କୁଲ୍ ରେ ତୁ ନିହାତି ଠକୁଥିବୁ ବୋଲି l


ଏଇ ନିକଟରେ ଭିଣେଇ ଭାଇ ଆମର ନେମାଳର ଅଚ୍ୟୁତାନନ୍ଦ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପଦରୁ ଅବସର ନେଇ ସାରିଛନ୍ତି l  ତୁ ଓ ଭିଣେଇ ଭାଇ ମିଶି ତିନି ପୁଅଙ୍କ ପଛରେ ଅହରହ ଲାଗି ଥିବାର ଫଳ ଆଜି ମିଳିସାରିଛି l ମୋ ବଡ ଭଣଜା ଶଶିକାନ୍ତ ( ପାପୁନା ) ପ୍ରଥମେ ସୁନାବେଡା ସ୍ଥିତ ହାଲ୍ ( HAL ) ଓ ପରେ ସେଲ୍ ( SAIL ) ଦ୍ୱାରା ପରିଚାଳିତ ଭାଇଜାକ୍ ଷ୍ଟିଲ୍ ପ୍ଲାଣ୍ଟରେ ଇଂଜିନିୟର ରୂପେ ଅବସ୍ଥାପିତ l ମଝିଆ ଦୀପ୍ତିକାନ୍ତ ( ଦିପୁନା ) ଓଡିଶା ରାଜ୍ୟସରକାରଙ୍କ ସଚିବାଳୟରେ ଅଧିକାରୀ ଭାବେ କାର୍ଯ୍ୟରତ l ସାନ ଭଣଜା ସୌମ୍ୟକାନ୍ତ ( ପିଣ୍ଟୁନା ) ପାଠପଢା ସାରି ଏବେ ରାଜଧାନୀ ଭୁବନେଶ୍ବରରେ ରହି ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି l ଖୁବ୍ ଶିଘ୍ର ସେ ନିଶ୍ଚୟ ସଫଳତା ପାଇବ ଏ ଦୃଢ଼ ବିଶ୍ୱାସ ମୋ ମନ ଭିତରେ ରହିଛି l ଦୁଇ ପୁଅ ପାପୁନା ଓ ଦିପୁନାଙ୍କ ବାହାଘର ବି ସରିଲାଣି l ତୁ ବି ଏଇ ଭିତରେ ନାତି ମୁଁହ ଦେଖି ସାରିଲୁଣି l ତୁ ' ଜେଜେମାଆ ' ହେବା ସହ ମୁଁ ବି ଅଜା ହୋଇଗଲେଣି l ଏମିତରେ କହିବାକୁ ଗଲେ ତୋର ସବୁ ପିଲା ଗୋଟେ ଗୋଟେ ସୁନା ମୁଣ୍ତା l ସେମାନଙ୍କ ମାମୁ ହିସାବରେ ମୁଁ ବି ଖୁବ୍ ଗର୍ବ ଅନୁଭବ କରେ l


ପିଲା ମାନଙ୍କୁ ବଢେଇ, ପଢେଇ ମଣିଷ କରିବାକୁ ଲାଗିଥିବା ବେଳେ ମୁଁ ତୋର ସବୁ ଚେଷ୍ଟା ଓ ଏକାଗ୍ରତା ଖୁବ୍ ପାଖରୁ ଦେଖିଛି l ଖୁବ୍ ଜଗିରଖି ପଇସା ଖର୍ଚ୍ଚ କରୁ l ସେଥିପାଇଁ ମନେମନେ ତତେ କଞ୍ଜୁସ୍ ବୋଲି ବି ଭାବେ l କିନ୍ତୁ ଯେଉଁଦିନ କଲ୍ୟାଣୀ ପୁଅକୁ କ୍ୟାନସର୍ ହୋଇଛି ବୋଲି ଲେଖି ଫେସବୁକ୍ ରେ ସମସ୍ତଙ୍କୁ ତାକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲି ତୁ ପ୍ରଥମ ଦିନ ହିଁ ଫୋନ୍ କରି କହିଥିଲୁ, " ଟିକା ସେ କଲ୍ଯାଣୀକୁ ପାଞ୍ଚ ହଜାର ଟଙ୍କା ଦେଇଦେବୁ l ଭଗବାନ ତାକୁ ଏତେ ଦୁଃଖ ଦେଉଛନ୍ତି କେମିତି ? " ଏଇ କେଇପଦ କଥା ହିଁ ତୋ ହୃଦୟ କଣ ସ୍ପଷ୍ଟ କହିଦେଉଛି l


ଆଉ ରହିଲା ମୋ ମନ ଭିତରେ ଯେଉଁ ଅସୁଥିଲା କି ତୁ ସ୍କୁଲ୍ ରେ ଠକୁଥିବୁ ବୋଲି l ସେ ଧାରଣା ବି ମିଥ୍ଯା ବୋଲି ପ୍ରମାଣିତ ହୋଇଗଲା l ତୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ ହୋଇଛୁ l ଖବର କଗଜରେ ତୋ ଫଟୋ ସହ ନିୟୁଜ୍ ଦେଖି ବହୁତ ଖୁସି ହେଲି l ତୋତେ ଏଇ ସମ୍ମାନ ମିଳିବାରୁ ମୁଁ ଜାଣିଗଲି ତୁ ଘରେ ମୋ ଭଣଜା ମାନଙ୍କ କଥା ଯେମିତି ମନଧ୍ୟାନ ଦେଇ ବୁଝୁ ଠିକ୍ ସେମିତି ସ୍କୁଲରେ ପିଲାମାନଙ୍କୁ ଜଣେ ଖୁବ୍ ଦାୟିତ୍ୱ ସମ୍ପନ୍ନ ଶିକ୍ଷୟତ୍ରୀ ଭାବରେ ନିଜର କର୍ତ୍ତବ୍ଯ ସମ୍ପାଦନ କରିଚାଲିଛୁ l ଆଶା କରିବି ଆଉ ଯେଉଁ ପାଞ୍ଚ କି ଛଅ ବର୍ଷ ଚାକିରି ରହିଛି ସେମିତି ଭଲକରି ପିଲାମାନଙ୍କୁ ଶିକ୍ଷାଦାନ କରୁଥିବୁ l ସେ ଯାହା ବି ହେଉ ତୋ ଫଟୋ ସହିତ ଖବରକାଗଜରେ ବାହାରିଥିବା ନିୟୁଜ୍ ବୋଉକୁ ପଢି ଶୁଣେଇଲି l ବୋଉ ବହୁତ ଖୁସିହେଲା l ଆଉ ଅାଜି ଯଦି ବାପା ବଞ୍ଚିଥାଆନ୍ତେ ତାଙ୍କ ଗେହ୍ଲା ବଡ ଝିଅ ପାଇଁ ବହୁତ ଗର୍ବ ଅନୁଭବ ନିଶ୍ଚେ କରିଥାନ୍ତେ l


ଶେଷରେ ଏତିକି କହିବି - ଦେଇ ତୁ ସବୁବେଳେ ମୋ ଭିଣେଇ ଭାଇଙ୍କ ସହ ଖୁସିରେ ଥାଆ , ତୋ ନାତି ସହ ଖେଳୁଥାଆ l 


ନମସ୍କାର କରିବି କି ନାଇଁ ଭାବୁଛି l ମୁଁ ଯେମିତି ବି ନମସ୍କାର କଲେ ତୁ କହୁ ମୁଁ କୁଆଡେ ନମସ୍କାର ଫୋପାଡୁଛି l ମୋବାଇଲ୍ ରେ କି ସାମ୍ନା ସାମ୍ନୀ ନମସ୍କାର କଲେ ସେଇ ଏକା ଅଭିଯୋଗ କରୁ l ତଥାପି ଆଜି ନମସ୍କାରଟାଏ ନେ l



Rate this content
Log in

Similar oriya story from Inspirational