Nityananda Nandi

Inspirational

3  

Nityananda Nandi

Inspirational

ବାପାଙ୍କ ସର୍ତ୍ତ

ବାପାଙ୍କ ସର୍ତ୍ତ

5 mins
163


ଘରଚଟିଆ ଫୁରକିନା ଉଡିଗଲା, କୋଉଠି ଲୁଚି ରହିଥିଲା ଘର ଚାଳିରେ, କେଜାଣି। ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲା ଛୋଟ ଚଢ଼େଇଟି କିଛି ମୁହୂର୍ତ୍ତ ପାଇଁ। ସମସ୍ତେ କିନ୍ତୁ ଅନେଇ ରହିଥିଲେ ବାପା କଣ କହିବେ। ଶେଷ ନିଷ୍ପତ୍ତି ବାପା ହିଁ ନେବେ... 


ଭାଇ ସରକାରୀ ଚାକିରି ପାଇଛି। ଆଲୋଚନା ଚାଲିଛି ତାଙ୍କ ବାହାଘରକୁ ନେଇ। ଝିଅ ବି ଟେକ୍ କରୁଛି, କୁଆଡେ ଭାରି ଅଲିଅଳି। ଗୋଟାଏ ପୁଅ ପରେ ସାନ ଝିଅଟି ଅତି ସ୍ନେହରେ ବଢ଼ିଛି। ବାପା ତହସିଲଦାର। 


ଗତ କାଲି ରାତି ସାରା ବାପାଙ୍କୁ ଅନେକ ବୁଝେଇଛନ୍ତି ମୋ ମାଉସୀ। ଭାଇ ! ଏମିତି ମଉକା ବାର ବାର ଆସେନି। ଆଗକୁ ମାଳତୀର ବାହାଘର ଅଛି। ଦେଇ ନେଇ ପାରିବ ତମ ଝିଅ ପାଇଁ ? ତା ପାଇଁ ବି ଚିନ୍ତା କର ଭାଇ। ପୁଅ ପାଇଁ ବେଶି ଯୌତୁକ ମାଗ। ସରକାରୀ ଚାକିରି। ଅତିକମରେ ପଚିଶ, କାର ସାଥିରେ। ପିଉସାଙ୍କ ପାଖରୁ ବି ଫୋନ୍ ଆସିଥିଲା ବୋଲି ବୋଉ କହୁଥିଲା। ପଚାଶ କହିବ !! ପାଞ୍ଚ, ଦଶ୍ କମ୍ ହେଲେ ଚଳିବ। ପ୍ରବଳ ଘନତା ଓ ଓଜନ ଯୋଗୁଁ ହିମାବାହ ତଳେ ଥିବା ଭୂଇଁ ଆଁଚୁଡ଼ି ଯାଏ। ତାର ପ୍ରାକୃତିକ ସ୍ଥିତି ବଦଳି ଯାଏ ଅନେକାଂଶରେ। ଅତ୍ୟଧିକ ଚାପକୁ ସହି ନ ପାରି ଭୂଇଁ ତାର ସମସ୍ତ ନିଜତ୍ବକୁ ସମର୍ପଣ କରି ଦିଏ ରୁକ୍ଷ ହିମବାହ ପାଖରେ। ମୋ ବାପାଙ୍କ ଚେହେରା ଉପରେ ଆଶୁ ଭୂସ୍ଖଳନ, ବିକୃତ ସାମାଜିକ ଚାପ । କଣ କରିବେ କେଜାଣି !!! 


ମୁଁ ପାଞ୍ଚ ବର୍ଷ ଛୋଟ, ଭାଇ ପାଖରୁ। ବି ଏ ପଢୁଥାଏ, ପଞ୍ଚାୟତ କଲେଜରେ। ମୁଁ ବି ଆଗ୍ରହ ସହ ବସିଥାଏ, ବାପା କଣ କହିବେ ଶୁଣିବି ବୋଲି...


ବାପାଙ୍କୁ ଏତେ ହଇରାଣ ହେବାର କେବେ ଦେଖି ନ ଥିଲି। ଝାଳେଇ ଯାଇଥିଲେ। ବାଛୁରୀ ହୁମା ହୁମା ରଡି ଛାଡିଲା। ବାପା ଅନ୍ୟମନସ୍କ ହେଇ କହିଲେ, ବାଛୁରୀ କଥା ଟିକେ ବୁଝିବାକୁ ହେବ। ବ୍ରଜ ବାବୁ ! କ୍ଷମା କରିବେ, କାଲି ଆଉଥରେ ବସିବା। ରବିବାର ଛୁଟି ଦିନ। ସକାଳେ ଦଶଟା। ବାସ୍, ଚୂଡାନ୍ତ ନିଷ୍ପତ୍ତି ମୁଁ ଜଣେଇ ଦେବି। ବ୍ରଜ ବାବୁ ଜିପ୍ ଷ୍ଟାର୍ଟ କରି ଆଗକୁ ଟିକେ ବଢଉ ବଢ଼ଉ କହିଲେ କାଲି ସାଢେ଼ ଦଶଟାରେ ଆସିବି। ଝିଅ ପାଇଁ ଗାଆଁ ହନୁମାନ ମନ୍ଦିରରେ ପୂଜା ସହିଛୁ। ଟିକେ ଡେରି କରି ଆସିବି। ଆଉ ଗୋଟାଏ କଥା, ଯଦି ରାଜି ହୁଅନ୍ତେ, ଝିଅ ଆସିବ କହୁ ଥିଲା, ସାଥିର ନେଇ ଆସନ୍ତି !! 

ହଁ ବ୍ରଜ ବାବୁ, ଝିଅକୁ ନେଇ ଆସନ୍ତୁ। କାଲି ପହଣା ମାଛ ଭୋଜି ଆମ ଘରେ। ଆମ ଗାଡିଆ ମାଛ। ହଉ ହେଲା କହି ବ୍ରଜ ବାବୁ ହସି ଦେଲେ, ଗାଡ଼ିର ଗତି ବଢେଇ ଚାଲିଲେ ଆଗକୁ।


ବାପା ଗାଈ ବାଛୁରୀ କଥା ବୁଝା ବୁଝି କରି ତାଙ୍କ ଶୋଇବା ଘରକୁ ଚାଲିଗଲେ । ମୁଁ, ଭାଇ ଓ ବୋଉ ଆମ ପଢା ଘରେ ଶୋଇଲୁ। ଭାଇ ଶୋଇଗଲା ପାଞ୍ଚ ମିନିଟ ଭିତରେ। ବୋଉ ରାତି ସାରା ଗପିଲା ମୋ ସହିତ ବାପାଙ୍କ ବାବଦରେ। ବାପା ଜଣେ ଅସାଧାରଣ ସ୍କୁଲ ଶିକ୍ଷକ ବୋଲି ମୁଁ ଜାଣି ନ ଥିଲି। ଦୁଇ ବର୍ଷ ଆଗରୁ ତାଙ୍କ ଅବସର ଦିନରେ ନଗର ପରିକ୍ରମା ହେଇଥିଲା ମୋ ବାପାଙ୍କ ପାଇଁ। ମୋ ବାପାଙ୍କୁ ଗୋଟାଏ ରଥରେ ବସେଇ ତାଙ୍କ ଛାତ୍ରମାନେ ଟାଣି ଟାଣି ନେଇ ଆସିଥିଲେ ସ୍କୁଲ ପାଖରୁ ଆମ ଘର ପର୍ଯ୍ୟନ୍ତ। କୁତ୍ସିତ ରାଜନୀତିର ମାୟାଜାଲ ଭିତରେ ସଂଘର୍ଷ କରି ଗୋଟାଏ ସ୍କୁଲ ରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ରହିଥିଲେ ମୋ ବାପା। ସ୍ଥାନାନ୍ତରଣ ପାଇଁ ପାହାଡକୁ ହଲେଇବା ଗୋଟାଏ ବୃଥା ଚେଷ୍ଟା। ସାଗର ଲହଡ଼ିର ହୁଙ୍କାରକୁ ପ୍ରତିରୋଧ କରି ହୁଏନି। ନା ଫୁଲର ବାସ୍ନାକୁ ବାନ୍ଧି ରଖି ହୁଏ। ମୋ ବାପାଙ୍କ ର ଅଦ୍ଭୁତ ସାମାଜିକ ପ୍ରତିଷ୍ଠା ସମସ୍ତଙ୍କୁ ବାନ୍ଧି ରଖୁଥିଲା ବୋଲି ବୋଉ ଗପୁଥିଲା। ସୁତରାଂ ତାଙ୍କ ବଦଳି କେବେ ହେଇ ନ ଥିଲା।  


ବୋଉ ଗପିଲା, ମୁଁ ଅବାକ ହେଇ ଶୁଣୁଥିଲି। 

"ଝିଅ ମାନଙ୍କ ପାଇଁ ତୋ ବାପାଙ୍କର ଭାରି ଦରଦ। ପ୍ରଥମ ମାସ ଦରମା ପାଇ ଗୋଟାଏ ପାଣ୍ଠି ବନେଇ ଥିଲେ ତୋ ବାପା ତାଙ୍କ ସ୍କୁଲ ଅଫିସ ଘରେ। ପ୍ରତି ମାସ ଦରମାରୁ ଦୁଇ ଶହ ଟଙ୍କା ସେ ରଖୁଥିଲେ ସେଇ ପାଣ୍ଠିରେ। ଉଦ୍ଦେଶ୍ୟ ଥିଲା, ତାଙ୍କ ସ୍କୁଲର କେଉଁ ଛାତ୍ରୀ ଯଦି ଯୌତୁକ ଜନିତ ଗୋଟେ ସାମାଜିକ କଳୁଷିତ ପ୍ରଥାର ଶିକାର ହୁଏ ଏବଂ ବାହା ଯାଇ ପାରେନି, ତେବେ ଏଇ ପାଣ୍ଠିରୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରାଯିବ ସେଇ ଝିଅକୁ। ତାଙ୍କୁ ଦେଖି କେବଳ ତୋ ବାପା ନୁହଁନ୍ତି ତାଙ୍କ ସ୍କୁଲ ତଥା ଆଖ ପାଖର କିଛି ଶିକ୍ଷକ ପ୍ରତି ମାସ ଦୁଇ ଶହ ଟଙ୍କା ପାଣ୍ଠିରେ ଜମା କରନ୍ତି। ତିରିଶ ବର୍ଷ ଭିତରେ ସେଇ ପାଣ୍ଠିରୁ ଦାନ ସୂତ୍ରରେ ଚାରି ଜଣ ଝିଅକୁ ଥଇଥାନ କରିଛନ୍ତି ତୋ ବାପା। ତୋ ବାପାଙ୍କ ଏଇ ଉଦ୍ୟମକୁ ସରକାର ଥରେ ପ୍ରଶଂସା କରିଥିଲେ ବୋଲି ଖବର କାଗଜକୁ କାଟି ଫଟୋ ବାନ୍ଧି ରଖିଛନ୍ତି ସେ"। 


ଏତେ କଥା ମୋ ବାପାଙ୍କ ଜୀବନରେ ଘଟିଛି, ଆମେ କେହି ଜାଣିନୁ, କିମ୍ବା ବାପା ବୋଉ କେହି କହିନାହାନ୍ତି ଆମକୁ। ଫ୍ରେମ ଭିତରେ ଥାଇ କାନ୍ଥରେ ଝୁଲୁଥିବା ଖବର କାଗଜକୁ ମନ ଭରି ପଢିଲି। ଆନନ୍ଦରେ ଦୁଇ ଟୋପା ଲୁହ ବୋହି ଆସିଲା। ଅଳ୍ପ ଉତ୍ତାପରେ ଜଉ ତରଳି ଯାଏ। ଏମିତି ବି ମନଟା ଭାରି ଉଷ୍ମ। ମନ ଭିତରେ ଲୁଚି ରହିଥିବା ଲୁହକୁ ତରଳେଇବା ପାଇଁ ଆଉ ଟିକେ ଉଷ୍ମତା ଦରକାର। ବୋଉ ବୋଧେ ଉଷ୍ମ କରିଦେଲା ମୋ ମନକୁ। ଏତେ କଥା ବାପା ବି କେବେ କହି ନାହାନ୍ତି, କାହିଁକି କେଜାଣି। ଏମିତି ସବୁ ପ୍ରଶ୍ନ ପଚାରୁ ପଚାରୁ ବୋଉକୁ ଧରି କେତେବେଳେ ମୁଁ ଶୋଇ ଯାଇଥିଲି, ଜାଣିନି।

***

ସମୟ ଏଗାରଟା। ଭୀଷଣ ଗରମ ଆଉ ଗୁଳୁଗୁଳି। ଆମେ ସମସ୍ତେ ଆମ ବାରଣ୍ଡାରେ ବସିଥିଲୁ, ବାପା କଣ କହିବେ !!! ଅସମୟରେ ମଲ୍ଲି ଫୁଲର ମହ ମହ ବାସ୍ନା ରଚକାଏ ପବନ ସାଥିରେ ଆମକୁ ସ୍ପର୍ଶ କରିଗଲା। ସମସ୍ତେ ଅନେଇ ଥାଆନ୍ତି ବାପାଙ୍କ ମୁହଁକୁ, କଣ କହିବେ କେଜାଣି। କାଲିଠୁ ପେଶି ହୋଇଗଲେଣି ସେ। ଏ ପଟେ ଖାଇ, ସେ ପଟେ ବି ଖାଇ। ଗୋ ହତ୍ୟା ଓ ବ୍ରହ୍ମ ହତ୍ୟାର ପାପ ଭିତରେ ସୂତା ଖିଅର ପାର୍ଥକ୍ୟ । ବାପା ଚାପି ହେଇ ଯାଉଥିଲେ ତାରି ଭିତରେ। ଗୋଟାଏ ପକ୍ଷରେ ବନ୍ଧୁ ବାନ୍ଧବ, ସମ୍ପର୍କୀୟଙ୍କ ଚାପ। ନାରାଜ ହେଇ ଯିବେ କୁଆଡେ !! ଅନ୍ୟ ପକ୍ଷରେ ଯୌତୁକ ପ୍ରଥା ବିରୁଦ୍ଧରେ ବେଶି ନ ହେଲେ ବି ଗରିବ ଝିଅଙ୍କ ପାଇଁ ଦେଖେଇଥିବା ଆଦର୍ଶପୂର୍ବକ ବାତାବରଣକୁ ଆହୁତି ଦେବାର ଭୟ। ଆଦର୍ଶର ମାଇଲଖୁଣ୍ଟ ମୁଣ୍ଡ ଟେକି ଛିଡା ହେଇଥାଏ ରାସ୍ତା ଉପରେ। ଅଙ୍କା ବଙ୍କା ଅନେକ ମୋଡ ଭିତରେ ବି ଠିକ୍ ରାସ୍ତାଟି ଆଖିରେ ପଡେ ଆଦର୍ଶ ର ସେଇ ମାଇଲ ଖୁଣ୍ଟ ପାଖରୁ। ମୋର ବିଶ୍ୱାସ ଥିଲା ସେଇ ମାଇଲ ଖୁଣ୍ଟର ଆଖ ପାଖରେ ବୁଲୁଥିବା ମୋ ବାପା ଠିକ୍ ରାସ୍ତାରେ ହିଁ ଯିବେ। 


ମୁଁ ଭାଉଜଙ୍କ ପାଖରେ ଗୋଟାଏ ଚେୟାର ଉପରେ ବସିଥିଲି। ଗପିବାକୁ ଭାରି ଇଚ୍ଛା ଥିଲେ ବି ଶାନ୍ତ ଓ ଗମ୍ଭୀର ପରିବେଶ ଭିତରେ ଗପିବାକୁ ସାହସ ପାଉ ନ ଥିଲି।

ବାପା ଖାଲି ସଂକ୍ଷେପରେ କହିଲେ ମୁଁ ମୋ ଝିଅ ମାଳତୀକୁ ମୋ ଜୀବନଠୁ ବି ବେଶି ଭଲ ପାଏ । ତାକୁ କେହି ଗାଳି କଲେ କିମ୍ବା ତା ମନରେ କେହି ଦୁଃଖ ଦେଲେ ମୁଁ ସହି ପାରେନି। ଝିଅ ଘରୁ କିଛି ଦରକାର ନାହିଁ। ମୋର ଗୋଟାଏ ସର୍ତ୍ତ, ଆମ ନୂଆ ବୋହୁ ମୋ ଝିଅକୁ ଏମିତି କିଛି କଟୁ କଥା କହିବେ ନାହିଁ, ଯେଉଁଥି ପାଇଁ କି ସେ ଭାଙ୍ଗି ପଡିବ। ତାର ଖୁସି ହିଁ ମୋ ସର୍ବସ୍ୱ । ଭାବି ନିଅନ୍ତୁ ତାହା ହିଁ ଯୌତୁକ ମୋ ପୁଅ ପାଇଁ। ତା ଖୁସିର ମୂଲ୍ୟକୁ ତଉଲିବା ସମ୍ଭବ ନୁହେଁ !! ତିରିଶ ଲକ୍ଷରୁ ବି ଅଧିକ ହେଇପାରେ ତା ଖୁସିର ମୂଲ୍ୟ, ମୋ ପାଇଁ !! 


ବ୍ରଜ ବାବୁ ତାଙ୍କ ଝିଅକୁ ପଚାରିଲେ, ପାରିବୁ ଝିଅ !!!! ଭାଉଜ ମୋତେ ଜୋର କରି କୋଳେଇ ନେଲେ।

ମୋ ଆଖିରୁ ଲୁହ ବୋହି ଯାଇ କେତେବେଳେ ଭୂଇଁ ଓଦା ହୋଇଗଲାଣି, ଜାଣି ପାରିନି। ଭାଇର ବାହାଘର, ମୁଁ କିନ୍ତୁ ଏତେ ବଡ ଉପହାର ପାଇଲି ମୋ ବାପାଙ୍କ ପାଖରୁ। ସମସ୍ତଙ୍କ ମୁହଁରେ ହସ। ସ୍ପଷ୍ଟ ଭାବେ କିଛି ହସକୁ ମୁଁ ବୁଝି ପାରିଲି। ଆଉ କିଛି ହସକୁ ମୁଁ ବୁଝି ପାରୁ ନ ଥିଲି, କାହିଁକି କେଜାଣି...



Rate this content
Log in

Similar oriya story from Inspirational