Anasuyamimi Rout

Abstract Tragedy

3.7  

Anasuyamimi Rout

Abstract Tragedy

ବାଡୁଅ ଝିଅ

ବାଡୁଅ ଝିଅ

8 mins
406



ବୋଉ ପିଲାବେଳେ କହୁଥିଲା ଝିଅ ଜନମ ପରଘରକୁ,ପର ଘରେ ନିଜ ମନ ମୁତାବକ କାମ ଚଳେନି।ତେଣୁ ପାଠ ପଢା ସଙ୍ଗେ ସଙ୍ଗେ ଘର କାମ ଶିଖିଗଲେ କେହି ପଦେ ବାରିବାକୁ ନଥିବେ।ଆମକୁ ସବୁ ଘରକାମ ସହ ପାଠ ପଢିବାକୁ ପଡୁଥିଲା । ଭାଇ ପାଠ ପଢା ସହ ସାଙ୍ଗ ମାନଙ୍କ ସହ ବାହାରକୁ ଖେଳିବୁଲି ଯାଏ।ଆମ ପାଇଁ ସେ ସୁବିଧା ନଥିଲା ଆମେ ଝିଅ ପିଲା ବୋଲି।

ବୋଉ କହୁଛି ମାନେ ନିଶ୍ଚୟ ଆମ ଭଲ ପାଇଁ କହୁଥିବ।ଏକଥା ଦିଦି ମୋତେ ବୁଝେଇ ଦିଏ ।ଆମେ ଦି ଭଉଣୀ ସାଙ୍ଗ ହୋଇ ସ୍କୁଲ ଯାଉ ସ୍କୁଲରୁ ସିଧା ଘରକୁ।ମୋର ମନେ ଅଛି ମୁଁ ତୃତୀୟରେ ପଢିଲାବେଳେ ଦେଇ ଷଷ୍ଠ ଶ୍ରେଣୀରେ ପଢୁଥିଲା।ମୁଁ ସପ୍ତମରେ ପଢିଲା ବେଳକୁ ଦଦିର ପାଠରେ ଡୋରୀ ବନ୍ଧା ହେଲା।ଭାଇ କଲେଜରେ ପଢୁଥିଲା ଭାଇର ପାଠ ପଢା ଖର୍ଚ ବାପା ଯୋଗେଇ ପାରିନଥିଲେ।ଦିଦି ନିଜେ ନିଜେ ପଢିବାକୁ ମନାକଲା।ସାନବାପା ଭାଇର ପଢା ଖର୍ଚ୍ଚ ଉଠେଇବାକୁ ରାଜି ଥିଲେ।ହେଲେ ବାପା ବଡ ହୋଇଥିବାରୁ ନିଜ ସ୍ବାଭିମାନରେ ଆଞ୍ଚ ଆଣିବାକୁ ଚାହୁଁ ନଥିଲେ।ହେଲେ ସେତବେଳେ ମୁଁ ବୁଝି ପାରୁନଥିଲି ସାନ ବାପା ଦିଦିର ପାଠ ପଢା ପାଇଁ କାହିଁତ ଥରୁଟିଏ କିଛି କହିଲେନି।ସେ ଚାହିଁଥିଲେ ଦିଦି କି ତ ପଢେଇ ପାରିଥାନ୍ତେ?

ବାପା ସ୍କୁଲରେ ପିଅନ ଚାକିରୀ ଟିଏ କରିଥିଲା ବେଳେ ସାନ ବାପାଙ୍କର ବ୍ଲକରେ କିରାନି ଚାକିରି।ସେ ଭଲ ଦି ପଇସା ରୋଜଗାର କରନ୍ତି ହେଲେ ଘର ଖର୍ଚ୍ଚ ବାବଦକୁ ସମସ୍ତଙ୍କୁ ସମାନ ପଇସା ଦବାକୁ ପଡେ।

ଭାଇ ପୁରୀ ଏସ.ସି.ଏସ କଲେଜରେ ଦ୍ବିତୀୟ ବର୍ଷ ବିଜ୍ଞାନ ପଢିବା ବେଳେ ବାପାଙ୍କର ହୃଦଘାତରେ ଦେହାନ୍ତ ହୋଇଗଲା।ଘରର ମଝିଖୁମ୍ବଟି ଅକାଳରେ ଖସି ପଡିବାରୁ ଆମ ତିନିଜଣଙ୍କ ଦାୟିତ୍ବ ବୋଉ ମୁଣ୍ଡ ଉପରେ ବୋଝ ।

ଯେତେ କଷ୍ଚ ହେଲେବି ବୋଉ ଭାଇର ପାଠ ପଢାରେ କେବେ ଆଞ୍ଚ ଆଣିବାକୁ ଦେଇନି।ଘରେ ପଇସାର ଅଭାବ ଅଛି ବୋଲି ଭାଇକି କେବେ ଅନୁଭବ କରିବାକୁ ଦେଇନି।ବାପାଙ୍କ ପେନସନ ପଇସା କେତେ ଯେ ସେଥିରେ ଭାଇର ପାଠ ପଢା ସହ ବୋଉ ଘର ଚଳିବା ପାଇଁ ଭାଗ ପଇସା ଦେଇ ପାରିବ।ପଇସା ପାଇଁ ଘରେ ଝଗଡା ଆରମ୍ଭ ହୋଇ ଗଲା।ଯଦିଓ ସାନବାପା ଚାହୁଁ ନଥିଲେ ବୋଉ ଘରଖର୍ଚ୍ଚ ପାଇଁ ପଇସା ଦେଉ।ସାନ ବୋଉ ଡରରେ ଚୁପ ଥିଲେ,ସାନ ବୋଉ ସବୁବେଳେ ଚାହୁଁଥିଲେ ଆମେ ତାଙ୍କଠାରୁ ଅଲଗା ହେଇଯାଉଁ।ସାଙ୍ଗରେ ରହିଲେ ଦୁଇ ଝିଅଙ୍କ ଭାର ତାଙ୍କ ମୁଣ୍ଡ ଉପରେ।ଯଦି ବାହାଘର ନ କରିବେ ଗାଁ ଲୋକ ଛି ଛାକର କରି କହିବେ।ସବୁବେଳେ

ମନକୁ ଯାହା ଆସେ ବୋଉକୁ ଗାଳି ଦିଏ।।ବୋଉ ସବୁ ସହି ଚୁପ ରୁହେ।ଆମେ ବୋଉକୁ କହିଲେ ବୋଉ ଆମକୁ ବୁଝେଇ ଦିଏ ସାନବାପା ଆମର ଆଶ୍ରା ବାଡି ,ଆମେ ଚୁପ ରହୁ।

ଭାଇର ବିଟେକ ପଢିବା ସମୟରେ ଅଧିକ ପଇସା ଦରକାର ହେଲା।ବୋଉ ଆମ ଭାଗର କିଛି ଜମି ସାନ ବାପାଙ୍କ ନାମରେ ଲେଖି ପଇସା ଆଣିଥିଲା।ତାଙ୍କ ଉପରେ ଆଉ କିଛି ପଇସା ବାକି ଥିଲା, ସେ ସବୁମାସରେ ଭାଇକି ହଷ୍ଟେଲ ଖର୍ଚ୍ଚ ବାବଦକୁ ପଇସା ପଠେଇ ସେଥିରୁ ହିସାବ କରି ସୁଝିଦେବେ ବୋଲି କଥା ହେଲା।

ଦିଦି ଗାଁ ରେ ସାନ ବାପା ପୁଅ ଦୀପକ ସହ ଆଉ ଚାରିଜଣକୁ ଧରି ଚାହାଳି କଲା।ଧିରେ ଧିରେ ପିଲା ବଢିବାକୁ ଲାଗିଲେ,ଦିଦିର କିଛି ପଇସା ହେଇ ଗଲା।ଦିଦି ସେ ପଇସା ଘର ଖର୍ଚରେ କିଛି ଯୋଡି ଆଉ କିଛି ମୋତେ ପଢିବାକୁ ଦେଉ ଥାଏ।

ମୋର ଦଶମ ବର୍ଷ ଦିଦି ପାଇଁ ଗୋଟେ ବାହାଘର ପ୍ରସ୍ତାଵ ଆସିଥାଏ।ଦିଦି ର ବୟସ କେତେ ଯେ,ସେ ବାହାହେବାକୁ ମନାକଲା।ହେଲେ ସାନବୋଉ ସେ କଥାକୁ ଅନର୍ଥ କରି ବାରକଥା ଦିଦିକୁ ଶୁଣେଇଲା ।ବୋଉର ସଂସ୍କାରର ଛାଞ୍ଚରେ ସେ ଗଢା,ସୂତାଏ ବି ଏପଟ ସେପଟ ହେବନି।ଠିକ ଇଟା ଛାଞ୍ଚରେ ବାଲି ଛିଞ୍ଚି ମାଟି ପୂରେଇ ଏପଟ ସେପଟ କରି ବାଡେଇ ଦେଲେ ବୋଉର ଅବିକଳ ରୂପ।ସାନ ବୋଉର କଥା ଗୁଡାକ ବୋଉ ଦେହରେ ଛୁରୀ ପରି ଚାଲି ଯାଉଥାଏ।ସେଦିନ ବୋଉ ବାପାଙ୍କୁ ମନେ ପକେଇ ବହୁତ କାନ୍ଦିଥିଲା।।ବାପା ଥିଲେ ତା' ପିଲା ମାନଙ୍କ ଉପରକୁ କେହି ଆଙ୍ଗୁଠି ଟିଏ ଉଠେଇ ପାରି ନଥାନ୍ତେ।ଦିଦି କୁ ବୁଝେଇ ସୁଝେଇ ବୋଉ ବାହା ହବା ପାଇଁ ରାଜି କରେଇଲା।ସେଥିପାଇଁ ବୋଉକୁ ଆଉ ଖଣ୍ଡେ ଜମି ବିକ୍ରି କରିବାକୁ ପଡିଥିଲା।ବାହାଘରରେ ଯେତେ ଖର୍ଚ୍ଚ !ବୋଉ ତା ବାହାଘର ବେଳର ସୁନାଗହଣା ସବୁ ଦିଦି କୁ ଦେଇଦେଇଥିଲା।

ଦିଦି ସେଦିନ ବାପା ବାପା ଭାଇ ଭାଇ ହେଇ ବହୁତ କାନ୍ଦିଛି।ମୁଁ ଦିଦି କୁ ଯେତେ ବୁଝେଇଲେ ବି ସେ ବୁଝିବାକୁ ରାଜି ନଥିଲା।ଭାଇର ସେତବେଳେ ବିଟେକ ଶେଷବର୍ଷ ,ପରୀକ୍ଷା ପାଇଁ ସମୟ ଥିଲା। ଭାଇ ଚାହିଁଥିଲେ ଆସି ପାରିଥାନ୍ତା। ଗୋଟିଏ ଦିନ ଦିଦିର ବାହାଘରକୁ ଆସିଥିଲେ ଦିଦି ଏତେ କାନ୍ଦି ନଥାନ୍ତା।ସେଦିନ ମୋର ବି ଭାଇ ଉପରକୁ ବହୁତ ରାଗ ଚିଡୁଥାଏ।ଦିଦି ତା ଦୁଃଖ ନେଇ ଶାଶୁ ଘରକୁ ଚାଲିଗଲା।ତା' କାମ ମୋ ହାତରେ ପଡିଲା ।ସେ ଘରେ ସାନ ବୋଉ ,ବୋଉ ପାଖରେ ଯାହା ଯାହା କାମ କରୁଥିଲା ସେ କାମ ମୋର।ତା' ଚାହାଳି ପିଲାଙ୍କୁ ପାଠ ପଢେଇବା ଦାୟିତ୍ବ ବି ମୋର।ଭାଇ ବିଟେକ ପରେ ଆଗକୁ ପଢିବାକୁ କହିଲା ,ହେଲେ ବୋଉ ପାଖରେ ଥିବା ସବୁ ସମ୍ବଳ ବୋଉ ବିକ୍ରି କରି ସାରିଛି।ତା' ପାଖରେ ଆଉ କିଛି ନାହିଁ ଯେ ସେ ବିକ୍ରି କରି ପଇସା ଆଣି ଭାଇକି ଦେବ।ମୁଣ୍ଡ ଗୁଞ୍ଜି ବାକୁ ଚାଳଘର ଦିବଖରା ଛଡା ଆଉ ହାତରେ କିଛି ନାହିଁ।

ବୋଉ ତୁନି ତୁନି ଭାଇ ସାଙ୍ଗରେ କଥା ହେଉଥାଏ,ମୋ ପାଖରେ ଆଉ କିଛି ନାହିଁ ଯେ ମୁଁ ତୋତେ ଆଗକୁ ପଢିବାକୁ ଯୋଗେଇ ପାରିବି।ତୁ ପାଠ ପଢା ବନ୍ଦ କରି କିଛି ଗୋଟେ ଛୋଟ ମୋଟ ଚାକିରୀ କର।ଆଗକୁ ମିତାର ବାହାଘର ଅଛି କେତେଦିନ ସାନ ବାପାଙ୍କ ଉପରେ ବୋଝ ହୋଇ ରହିଥିବୁ। ଭାଇ ସେତେକିରେ ସେପଟୁ ଫୋନ କାଟି ଦେଲା।ମୁଁ ବାହାଘର କଥା ଶୁଣି ଘରୁ ରାଗ ତମ ତମ ହୋଇ ବାହାରି ଆସି କବାଟ ପାଖରେ ସାନ ବାପାଙ୍କୁ ଭେଟିଲି।ସେ ବୋଉର ସବୁ କଥା ଶୁଣି ସାରିଥିଲେ,ଘର ଭିତରକୁ ଯାଇଁ ବୋଉ ସହ କ'ଣ କଥା ହେଲେ ମୁଁ ଜାଣିନି?ସାନ ବୋଉଙ୍କୁ ନଜଣେଇ ଭାଇକୁ ଲୋନ କରି ପଢିବାକୁ ପଇସା ଦବାକୁ କହିଲେ।ଚାକିରୀ କରିବାପରେ ସେ ପଇସା ତକ ସୁଝିବା ଦାୟିତ୍ଵ ଭାଇ ଉପରେ ଛାଡିଦେଲେ।

ମୁଁ ସାନ ବାପାଙ୍କୁ ଯମାରୁ ବୁଝି ପାରେନି, ତାଙ୍କର ଆମ ପ୍ରତି ଭଲପାଇବା ଅଛି କି ନାହିଁ?ହେଲେ ବୋଉ କଥା ମାନି ତାଙ୍କୁ ସବୁବେଳେ ମୋ ବାପାଙ୍କ ଯାଗାରେ ଯାଗାଦିଏ।

ସେତେବେଳକୁ ମୁଁ ଚାହାଳି ସହିତ ଗାଁ ମହିଳା ସମିତିରୁ ଲୋନ ଆଣି ମହିଳା ସମିତିର ସବୁ ସଦସ୍ଯ ମାନଙ୍କ ସହଯୋଗରେ ଛୋଟ ଶିଳ୍ପଟିଏ ଚଳାଉଥାଏ।ଘର କାମ ସାରି ବଳକା ସମୟରେ ସମସ୍ତେ ହସ୍ତଶିଳ୍ପରେ କାମ କରି କିଛି ପଇସା ରୋଜଗାର କରିପାରୁଛନ୍ତି ବୋଲି ଖୁସି ଥାନ୍ତି।ମୋର ବି ଘର ଖର୍ଚ୍ଚ ପାଇଁ ପଇସା ଦରକାର।ସାନ ବୋଉ ଆଉ ଆମ ଉପରେ ବେଶୀ ରଟ ଛଟ ହୁଏନି କି ବୋଉ ଉପରେ ରବେଇ ଖବେଇ ହୁଏନି।

ଭାଇ ସାନ ବାପାଙ୍କ କଥାରେ ରାଜି ହୋଇ ପଇସା ନେଇ ଏମଟେକ କଲା।ସେଦିନୁ ଆଉ ବୋଉ ପାଖକୁ ବେଶୀ ଫୋନ ଫାନ କରେନି,କି ପୂଜା ପର୍ବାଣୀରେ ବେଶୀ ଘରକୁ ଆସେନି।ପଢା ସରି ଦୁଇ ବର୍ଷ ବିତିଗଲା ଫୋନ ଫାନ କରେନି।ସାନ ବାପାଙ୍କ ସହ କେତେବେଳେ କେମିତି କଥା ହୁଏ।ମୁଁ ଯେତେ ଫୋନ କଲେ କାଟି ଦିଏ,ବୋଉ ଫୋନ କଲେ ଫୋନ ଉଠାଏନି।ବୋଉ ଭାରି ମନ ଦୁଃଖ କରି କାନ୍ଦେ ।ଖାଲି କହିବ ମୁଁ ପଇସା ଯୋଗେଇ ପାରିଲିନି ବୋଲି ସୁଧିର ମୋ ଉପରେ ରାଗିଛି।ସେ ଚାକିରୀ କଲେ ପାଖରେ ପଇସା ହେଇ ଗଲେ ବଳେ ଘରୁକୁ ଫେରିଆସିବନି।ପିଲା ଲୋକ ବାହାରେ ଅଳ୍ପ ପଇସା ନେଇ କେତେ କଷ୍ଟରେ ଚଳୁଥିବ।ସେଥିରେ ପୁଣି ଋଣ ବୋଝ ତାକୁ ଖାଇ ଯାଉଥିବ।ବୋଉ ଠିକ କଥା ତ କହୁଥିଲା ମୁଁ ଯାହା ରାଗିଥିଲି ଭାଇ ସାନ ବାପା ଙ୍କ ଠାରୁ ପଇସା ନେଇ ପଢୁଛି ବୋଲି?

ଭାଇର ଗୋଟେ ଭଲ ପ୍ରାଇଭେଟ କମ୍ପାନୀରେ ବାଙ୍ଗାଲୋରରେ ଚାକିରୀ ହେଇଗଲା।ଭାଇ ସେଦିନ ବୋଉକୁ ଫୋନ କରି ଘଣ୍ଚାଏ କଥା ହେଇଛି।ବୋଉ ଆଖିରୁ ଲୁହ ଛଳ ଛଳ ହୋଇ ବହି ପଡୁଥାଏ।ମୁଁ ବି ଖୁସିରେ ଆଁଟା କରି ବୋଉ ମୁଁହକୁ ଚାହିଁ ଥାଏ ।ବୋଉ ମୁଁହରେ ଏ ଖୁସି ମୁଁ ବାପା ଗଲାଦିନୁ ଦେଖିନି।ଫୋନ ରଖି ବୋଉ ବାପାଙ୍କ ଫଟ ପାଖକୁ ଚାହିଁ କ'ଣ ଭାବୁଥାଏ।ସାନ ବାପା ଗାଁ ସାରା ମିଠା ବାଣ୍ଟୁଥାନ୍ତି,ତାଙ୍କ ମିଠା ବଣ୍ଟା ଦେଖି ମୁଁ ବି ଅଡୁଆରେ।ତାଙ୍କୁ ବୁଝିବା ପାଇଁ ମୋ ପାଖରେ ବୋଧେ ଶକ୍ତି ନଥିଲା ସେତବେଳେ।

ଚାକିରୀ କରିବା ପରେ ପ୍ରଥମ ମାସରେ ଭାଇ ବୋଉ ପାଖକୁ ଦଶ ହଜାର ଟଙ୍କା ପଠେଇଥିଲା ବୋଉର ହାତ ଖର୍ଚ୍ଚ ବାବଦକୁ।ଘର ଖର୍ଚ୍ଚ ପାଇଁ ସାନ ବାପାଙ୍କ ପାଖକୁ ଅଲଗା ପଇସା ପଠେଇ ଥିଲା।ଦୁଃଖ ପରେ ସୁଖ ଆସେ ଦି ଦିନ ପାଇଁ ହଉ ପଛେ ଆମ ଜୀବନରେ ବି ସୁଖର କିରଣ ଗୁଡିକ ବିଛେଇ ହୋଇପଡି ଥିଲା। ଆମ ଘରର ସବୁ ଲୁଚାଛପା କନ୍ଦି ଚିକ ଚିକ କରୁଥିଲା।ସାନ ବାପା ଗାଁ ଦାଣ୍ଡରେ ଛାତି ଫୁଲେଇ ଚାଲୁଥିଲେ।ଆମ ଘରର ସବୁ ଅଭାବ ବର୍ଷ ଦି ଟାରେ ପୂରଣ ହୋଇ ସାରିଥିଲା।ଆମ ନୁଆଁଣିଆ ଚାଳ ଛପର ଘର ତଳକୁ ଖଞ୍ଜାଏ କୋଠାଘର ତୋଳା ହେଲା।ଏଥର ବୋଉ ବ୍ଯସ୍ତ ହୋଇ ପଡୁଥିଲା ମୋ ବାହାଘର ପାଇଁ।କେତେ କ'ଣ କିଣା କିଣି କରି ସଜାଡୁ ଥିଲା।ହେଲେ ମୋ ଠାରୁ ଯେ ଭାଇ ବଡ ,ଭାଇର ଆଗ ବାହାଘର ହବାକଥା ।ସେତକ ମୁଣ୍ଡରେ ପୁରେଇ ନଥିଲା ।ଝିଅ ବୋଝ ମୁଣ୍ଡରୁ ଉତୁରି ଗଲେ ବୋହୂ ଘରକୁ ଆଣିବ ସେଇ କଥା ତା' ମନରେ ଚାଲିଥିଲା।

ଭାଇର ସାଙ୍ଗ ଆମ ଗାଁ ମନୁଆ ଭାଇ ଦିନେ ଆସି ବୋଉକୁ କହିଲା।ଖୁଡୀ ସୁଧିର ର ଆଗ ବାହାଘର କରୁନ।ମିତାର ତ ବୟସ ହେଇନି ,ତା' ଛଡା ସୁଧିର ପାଖରେ କୋଉ ପଇସାର ଅଭାବ ଅଛି ଯେ

ସେ ବାହାଘର ଖର୍ଚ୍ଚ ଉଠେଇ ପାରିବନି।ବୋଉ ମନରେ ସନ୍ଦେହ ହେଲା ।ସୁଧିର ଏ କଥା ମନୁଆକୁ ନ କହିଥିଲେ ସେ ହଠାତ ଏମିତି କହି ନଥାନ୍ତା।ଘରେ ମୋର ବାଡୁଅ ଝିଅ ଥାଉ ଥାଉ ପୁଅ ବାହାଘର କଥା ଭାବିବି କେମିତି?

ମନୁଆ ଭାଇକୁ ପଚାରୁ ପଚାରୁ କଥାଟା ଜଣା ପଡିଲା।ମାଟ୍ରିମୋନିରୁ ଭାଇ ଗୋଟେ ଝିଅକୁ ବା ହାହବାକୁ ଠିକ କରିଛି।ସେ ଝିଅ ଘର ବାହାଘର ପାଇଁ ବ୍ଯସ୍ତ।ଭାଇର ଚାକିରୀ ଆଉ ଫଟୋ ଦେଖି ସେମାନେ ରାଜି।ସେ ଝିଅ ସହ ମାସେ ହେଲାଣି ଭାଇ ଫୋନରେ କଥା ହଉଛି।

ମନୁଆ ଭାଇକୁ ଏକଥା ଘରେ ଜଣେଇବାକୁ ନିଜେ ସୁଧିର ଭାଇ ହିଁ କହିଛି।ଏ କଥା ଶୁଣିବା ପରେ ବୋଉର ମୁଁହଟା ସୁଖି ଯାଇଥିଲା।ବାପା ସିନା ନାହିଁ ଘରେ କ'ଣ ଆଉ କେହି ମୁରବି ନାହାଁନ୍ତି! ନିଜ ବାହାଘର ନିଜେ ଠିକ କରି ସାରିଛି।ସାନ ବାପା ଏ କଥା ଶୁଣିଲେ କ'ଣ ଭାବିବେ?ସେ କ'ଣ ପର ପୂରା ନା ଆମେ କ'ଣ ତା' ସୁଖ ଚାହୁଁନୁ।ସେ ଯଦି ଚାହୁଁଛି ଆଗ ବାହାହବାକୁ ଆମର ମନା ନାହିଁ।ହେଲେ ଆମ ଘରଠାରୁ ଏତେ ଦୂରର ପିଲା ,ସେ କେମିତିକା ଝିଅ ତା' ଘର ଲୋକ କେମିତି ତାଙ୍କ ବିଷୟରେ ଆମକୁ ଜଣା ନାହିଁ ।ଆମେ କେମିତି କିଛି ନ ଜାଣି ତାକୁ ଘରର ବୋହୂ କରିବୁ?

ଭାଇ ଜିଦ ଧରି ବସିଲା ସେଇଠି ବାହାଘର ହବ।ସାନ ବାପା ଖାଲି ଲୋକ ଦେଖାଣିଆ ଦେଖିବାକୁ ଯାଇଁ ମୁଦି ପିନ୍ଧେଇ ଆସିଲେ।ତାଙ୍କ ଘର ଲୋକ ଆମ ଘରକୁ ଭାଇକି ଦେଖିବାକୁ ଆସିବେ ବୋଲି ଜଣେଇଲେ।ଭାଇ ବାଙ୍ଗାଲୋରରୁ ଆସିଲା ଭାଇକି ଦେଖି ମୁଦି ଦେଇ ଗଲେ।ତାଙ୍କ କଥା ବାର୍ତ୍ତାରୁ ଯାହା ଜଣା ପଡୁଥିଲା ସେମାନେ ଆମ ଘରକୁ ଦେଖି ତାଙ୍କ ଝିଅ ଦବାକୁ ରାଜି ନଥିଲେ। ସମସ୍ତଙ୍କର ବାହାଘରରେ ରାଜି ଅରାଜି ଭିତରେ ନିର୍ବନ୍ଧଟା ସରିଗଲା।ବାହାଘର ଚାରିଦିନ ଅଛି ଝିଅର ବାପା ଫୋନ କରି କହିଲେ ବାହାଘର ହେବ ହେଲେ ମୋ ଝିଅ ତୁମ ଘରକୁ ବୋହୂ ହେଇ ଯିବନି।ସାନ ବାପା କହିଲେ ତା' ହେଲେ ଏ କେମିତିକା ବାହାଘର ?ବାହାଘର ହବ ଝିଅ ଶାଶୁ ଘରକୁ ଆସିବନି କେମିତି ବାହାଘର ହବ?ଆମର ଏ ବାହାଘର ଦରକାର ନାହିଁ।ସେ ସାନ ବାପାଙ୍କୁ ବହୁତ କଥା ଶୁଣେଇଲେ ମୋ ଝିଅ ତୁମ ଘରକୁ ଗଲେ ତାକୁ କ'ଣ ଚାକରାଣୀ କରି ରଖିବ?

ଏତିକିରେ ବାହାଘର ଭାଙ୍ଗି ଗଲା,ତାଙ୍କର ତା' ପରଦିନ ମୁଦି ଲୁଗାପଟା ,ଆଉ ଯାହା ଆମ ଘରୁ ଯାଇଥିଲା ସବୁ ଫେରେଇ ଦେଇ ଗଲେ।ଆମ ଘରର ଲୁଗା ,ସୁନା ତାଙ୍କ ଝିଅର ପସନ୍ଦ ନଥିଲା ସେ ସେଥିପାଇଁ ବାହାଘର ଭାଙ୍ଗିଲେ।ବୋଉ ବି ବାଧ୍ଯ ହୋଇ ତାଙ୍କ ଜିନିଷ ତାଙ୍କ ହାତରେ ଫେରେଇ ଦେଲା ତାଙ୍କ ଦାମିକା ଜିନିଷ ସବୁ।ହେଲେ ମୁଦି ପିନ୍ଧି ଭାଇ ବାଙ୍ଗାଲୋର ଯାଇ ସାରିଥିଲା।

ଘରେ ପାଟି ତୁଣ୍ଡ ଦିନ ସାରା ରୋଷେଇ ନାହିଁ ,ସନ୍ଧ୍ଯା ବେଳକୁ ଭାଇ ଫୋନ କରି ସାନବାପା ଙ୍କୁ ଗାଳି କଲା।ସାନ ବାପାଙ୍କ ଆଖିରେ ବାପା ଗଲା ଦିନ ମୁଁ ଲୁହ ଦେଖିଥିଲି।ଦିଦି ବାହାଘରରେ ବି ସେ କାନ୍ଦି ନଥିଲେ ହେଲେ ଭାଇ ଏମିତି କ'ଣ କହିଲା ଯେ ସେ ଭୋ ଭୋ ହୋଇ କାନ୍ଦୁ ଥିଲେ।ବୋଉ ଭାଇ ପାଖକୁ ଫୋନ ଲଗେଇଲା ,ବୋଉର ସଂସ୍କାର ସେଦିନ ବୋଧେ ହାର ମାନି ଯାଇ ଥିଲା ଭାଇର ଜିଦ ପାଖରେ।ଭାଇ ଆମ ସହ ସବୁ ସମ୍ପର୍କ କାଟି ସେ ଝିଅକୁ ବାହାହେବ ବୋଲି ବୋଉକୁ ତା ନିଷ୍ପତ୍ତି ଶୁଣେଇଦେଲା।ବୋଉ କାନ୍ଦି କାନ୍ଦି ଚୁପ ରହିଲା,ଦୁଃଖ କଷ୍ଟରେ ଓଳିଏ ଖାଇ ଓଳିଏ ଉପାସ ରହି ଏଇ ଦିନ ଦେଖିବାକୁ ବାକିଥିଲା।ସେମାନେ ବାପା ସମ୍ମାନ ସାନ ବାପା ମୁଁହରେ ଜୋତା ମାରି ଗଲା ପରି କାମ କଲେ।ସେଥିରେ ସାନ ବାପାଙ୍କର କ'ଣ ଦୋଷ ରହିଲା।ସାଇ ଭାଇରେ ମୁଁହ ଦେଖେଇବାକୁ ବି ଟିକେ ରଖିଲାନି ଭାଇ। ଆତ୍ମ ସମ୍ମାନ ଟିକକ ପାଇଁ ତ ମୁଣ୍ଡ ଟେକି ଚାଲୁଥିଲେ ଆମ ଘର ଲୋକ ।

ବାହାଘର ଦିନ ଭାଇ, ଝିଅ ଘରକୁ ଆସି ବାହାହୋଇ ଝିଅକୁ ବାଙ୍ଗାଲୋର ନେଇ ଗଲା।ବରଘର ବୋହୂଘର ସବୁ କର୍ମ ଝିଅ ଘର ଲୋକ ହିଁ କରିଥିଲେ।ବନ୍ଧୁବାନ୍ଧବ ସାଇ ଭାଇରେ କଥା ହଉଥିଲେ ପୁଅର ବାପା ନାହିଁ ସାବତ ମା' ପୁଅକୁ ବାହାକରେଇ ଦଉନି।ସାବତ ମା' ର ବାଡୁଅ ଝିଅଟା ଘରେ ଅଛି ସେଇ ସବୁ ନାଟର ଗୋବର୍ଦ୍ଧନ।ସେଥିପାଇଁ ଭାଇ ଭାଉଜକୁ ବାହାବେଦିରୁ ସାଙ୍ଗରେ ବାଙ୍ଗାଲୋର ନେଇ

ଚାଲିଗଲା।

ସତ କୋଉଠି ଲୁଚି ରୁହେ ,ତୁଣ୍ଡ ବାଇଦ ଶହସ୍ରକୋଷ।ସେ କଥା ବୋଉକାନରେ ପଡିଲା।ଗାଁ ଲୋକ ସମସ୍ତେ ଟାହି ଚାପରା କରି ଆମ ଉପରେ ହସୁଥାନ୍ତି।ଏଣିକି ଝିଅମାନେ ଶାଶୁ ଘର ଯିବେନି ପୁଅ ମାନେ ଶଶୁର ଘର ଯିବେ!ସେମାନେ ହସିଲେ ବି ,ଭାଇ ତ ସେଇଭଳିଆ କାମ କଲା ।ତାଙ୍କର କହିବାରେ କ'ଣ ଅଛି ଯାହା ଦେଖିଲେ କହିଲେ।ସେଦିନ ମୁଁ ବି ଭାବୁଥିଲି ବୋଉ ପିଲାବେଳେ ଆମକୁ ଭୂଲ କହୁଥିଲା ଝିଅ ଜନମ ପରଘରକୁ।ଭାଉଜ ତ କାହିଁ ଆମ ଘରକୁ ଆସିଲେନି।ମୁଁ ମୋ ବାହା ନହେବା ନିଷ୍ପତ୍ତି ସେଇଦିନ ହିଁ ନେଇଥିଲି।

ସେ ଦିନ ବୋଉ ଭାଇକି ମନରୁ ପୋଛି ଦେଇଥିଲା।ରାତିରେ ଗୁମୁରି ଗୁମୁରି କାନ୍ଦେ ମୁଁ କଡ ନେଉଟେଇଲେ ଚୁପ ହୋଇ ଶୋଇପଡେ।ଯେମିତି ସେ ଶୋଇଛି,ନୀରବ ରହି ଲୁହ ଗଡେଇବା ଛଡା ତା' ପାଖରେ ଆଉ କିଛି ଉପାୟ ନାହିଁ।କେତେଥର ମନୁଆ ଭାଇ ପାଖକୁ ଯାଇ ଭାଇ ପାଖକୁ ଫୋନ ଲଗେଇବାକୁ କୁହେ।ମନୁଆ ଭାଇ ମୋ ଭାଇ ସାଙ୍ଗରେ କଥା ହେଲେ ସେ ତା'ର ଭଲ ମନ୍ଦ ଟିକେ ଶୁଣିବ।ମନକୁ ବୁଝେଇଦବ ମୋ ପୁଅ ମୋ ପାଖରେ ନ ରହିଲା ନାହିଁ ଯୋଉଠି ଅଛି ଭଲରେ ତ ଅଛି।ଥରେ ଦୁଇଥର କଥା ହେବା ପରେ ମନୁଆ ଭାଇ ଭାଇକି ତା ' ଭୂଲ ପାଇଁ ଘରକୁ ଆସି ଭୂଲ ମାଗିବାକୁ କହିଥିଲା।ହେଲେ ଲାଭ କ'ଣ ହେଲା ଭାଇ ତା' ଫୋନ ନମ୍ବର ବଦଳେଇ ଦେଲା।

ବେଳେ ବେଳେ ମନ ହେଲେ ଫେସ ବୁକ ଖୋଲି ଭାଇକି ଲୁଚି ଲୁଚି ଦେଖେ।ହେଲେ ଭାଇ ବାହାଘର ପରେ ଫେସବୁକରେ ଫଟୋ ଅପଲୋଡ କରେନି।ସେଇ ପୁରୁଣା ଫଟକୁ ଦେଖି ଭାଇ କଥା ଭାବି ଆଖିରୁ ଦୁଇଟୋପା ଲୁହ ଗଡେଇ ମନକୁ ବୁଝେଇ ଦିଏ।ମୋ ଭାଇ...,ମୋ ସୁଧିର ଭାଇ..!ଆଜି ଛଅ ବର୍ଷ ପରେ ଭାଇ ତା' ଫେସ ବୁକରେ ତା' ବାହାଘର ଫଟୋ ଅପଲୋଡ କରିଛି।ସବୁ ପୁରୁଣା କଥା ଦୋହରେଇ ହୋଇ ମୋ ମନକୁ ଆନ୍ଦୋଳିତ କରୁଛି।ବହୁତ ସୁନ୍ଦର ଯୋଡି ମୋ ଭାଇ ଭାଉଜଙ୍କର!ଜାଣିନି ତାଙ୍କ ଘରେ ନୂଆ ଅତିଥି ଟିଏ ଆସିଲାଣି କି ନାହିଁ?ଯଦି ତା' ଫଟୋ ଦେଇଥାନ୍ତା ବୋଉକୁ ନିଶ୍ଚୟ ଦେଖେଇଥାନ୍ତି।ବାହାଘର ଫଟୋକୁ ଦେଖେଇ ବୋଉର ସୁଖିଯାଇଥିବା କ୍ଷତକୁ ଆଉ ଜୀବନ ଦେବାକୁ ଚାହୁଁନି।



Rate this content
Log in

Similar oriya story from Abstract