Siddhartha Tripathy

Abstract Tragedy Inspirational

4.1  

Siddhartha Tripathy

Abstract Tragedy Inspirational

ବାବୁ ପଇସା ଟିଏ

ବାବୁ ପଇସା ଟିଏ

5 mins
304


ମୁଁ ଗଜପତିରେ କାର୍ଯ୍ୟରତ। ଟିକେ ଅସୁସ୍ଥ ଲାଗିଲେ ଦୌଡିଆସେ ବିଶାଖପାଟଣାମ । ମାତ୍ର ତିନି ଘଣ୍ଟାର ରାସ୍ତା।ସାଧାରଣତଃ ସମସ୍ତ କାରଚାଳକ ଜାଣନ୍ତି ରାସ୍ତାରେ କେଉଁଠି ଖାଇବା ଭଲମିଳେ। ମୁଁ ବି ସେମିତି ଜଳଯୋଗ ପାଇଁ ଗଜପତି- ବିଶାଖପାଟଣାମ ରାସ୍ତାରେ ଅଟକେ। ପ୍ରାୟ ଯାତ୍ରୀ ସେଇଠି ଖାଆନ୍ତି। ପ୍ରବଳ ଭିଡ। ଖାଇସାରି ଗାଡ଼ି ଚଢିବା ସମୟରେ ବୃଦ୍ଧଟିଏ କୁହେ , ବାବୁ ! ପଇସାଟିଏ । ତେଲୁଗୁ ରାଜ୍ୟରେ ଓଡିଆ ଭିକାରୀ ଦେଖି ଓଡିଆ ପ୍ରେମ ଜାଗି ଉଠେ ଓ ମୁଁ କିଛି ଖୁଚୁରା ପଇସା ଦେଇ ମୋ ଦାୟିତ୍ଵ ନିର୍ବାହ କରେ ସୁନାଗରିକ ହିସାବରେ। ଆଗକୁ କ'ଣ ଘଟିଲା ଚାଲନ୍ତୁ କାହାଣୀକୁ ଯିବା।

ଗତବର୍ଷ ମାନେ ରଜସଂକ୍ରାନ୍ତି ପୂର୍ବଦିନ ମୁଁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ବାହାରିଲି ବିଶାଖପାଟଣାମ । ରାସ୍ତାରେ ଜଳାଯୋଗ କରି ଲକ୍ଷ୍ୟ କଲି ଆଜି ବୃଦ୍ଧ କୁଆଡେ ଗଲା ? ସୁନ୍ଦର ଓ ପ୍ରଶସ୍ତ ରାସ୍ତା। ସେ ବୃଦ୍ଧ ତ କାହାର ବାପା, କାହାର ସ୍ୱାମୀ ହେଇଥିବ, ତା ଅବସ୍ଥା ଏମିତି କେମିତି ?ମାଆ ଉପରେ ବହୁତ ଆଲେଖ୍ୟ ଅଛି କିନ୍ତୁ ବାପା ! ବାପା ଅମର ରୁଟି, କପଡ଼ା ଆଉ ଘରର ଯୋଗାଡ଼କର୍ତ୍ତା। ବାପା ଗୋଟିଏ ପରିବାରର ବଡ଼ ଛାତ। ବାପା ଯୋଗୁଁ ମାଆର ଚୁଡ଼ି ଆଉ ବିନ୍ଦି ଏବଂ ସିନ୍ଦୂର। ବାପା ଅଛି ତ ଛୁଆଙ୍କ ସ୍ବପ୍ନ ଅଛି। ବାପା ଅଛି ତ ବଜାରର ସବୁ ଖେଳନା ଆମର। ହେଲେ ସେଇ ବାପର ଆଜି ଏ ଅବସ୍ଥା! ଅନତି ଦୂରରେ ଦେଖିଲି ରାସ୍ତା କଡ଼ରେ ହୋଟେଲ୍ ସାମ୍ନାରେ ବୃଦ୍ଧଟି ଛଟପଟ ହେଉଛି । କିଛି ଲୋକ ଦେଖି ବାଟ ଭାଙ୍ଗି ଚାଲି ଯାଉଛନ୍ତି। ହୋଟେଲବାଲା ନିର୍ବିକାର ଭାବରେ ତା ବ୍ୟବସାୟ ଚଲେଇଛି।ମୁଁ ପହଞ୍ଚିଲି ବୃଦ୍ଧ ପାଖରେ। କଥା କହି ପାରୁନାହିଁ ସେ। ମୁଁ ପାଣି ଟିକେ ଦେଇ ପଚାରିଲି, ତମର କ'ଣ କେହି ନାହିଁ ? ବୃଦ୍ଧ ହୋଟେଲ୍ ଆଡ଼କୁ ଇଶାରା କଲେ। ଜାଣିପାରିଲି ହୋଟେଲବାଲା ବୋଧେ ୟାଙ୍କ ସମ୍ପର୍କୀୟ। ହୋଟେଲ ବାଲାକୁ ପଚାରିଲି, ଏ କ'ଣ ତମ ସମ୍ପର୍କୀୟ ? ସ୍ବାମୀ ସ୍ତ୍ରୀ କହିଲେ ସେ ଆମ ବାପା। ଚମକି ପଡି ପଚାରିଲି ମୁଁ , ତମ ହୋଟେଲ ସାମ୍ନାରେ ଭିକ ମାଗନ୍ତି ! ପୁଅ କହିଲା ଆଉ ତ କିଛି କରିପାରିବ ନାହିଁ, କ'ଣ ଆଉ ବସି ବସି ଗେଫିବ ? ତାଛଡ଼ା ଏ ଅସନା ବୁଢାକୁ ମୋ ଛୁଆ ପସନ୍ଦ କରନ୍ତିନି। ମୁଁ କହିଲି ଲୋକଟା ଛଟପଟ ହେଉଛି, ଡକ୍ଟର ଦେଖାଉନ ? ପୁଅ କହିଲା ମରିଯାଉ ସେ । ମତେ ଲାଗୁଥିଲା ମରିଗଲା ମାନବିକତା ରାଜ ରାସ୍ତାରେ ! କ'ଣ ଭାବିଲି ଜାଣିନି, ଡ଼୍ରାଇଭର ସହାୟତାରେ ନେଇଗଲି ବିଶାଖପାଟଣାମ । ଆପେକ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଲା। ବୃଦ୍ଧ ଟିକେ ସୁସ୍ଥ ହେଲେ। ମୁଁ ପଚାରିଲି, ପୁଅ ବୋହୁ କାହିଁକି ହତାଦର କରନ୍ତି ? ବୃଦ୍ଧ ଆରମ୍ଭ କଲେ. ଏଇଟା ମୋ ହୋଟେଲ। ଆମେ ବୁଢ଼ା ବୁଢ଼ୀ ଦୁଇପ୍ରାଣୀ ଏଇଠି ଜଳଖିଆ ବିକ୍ରୀ କରୁ। ଜନ୍ମ ହେଲା ପୁଅ ବିକ୍ରମ। ଗୋରା ତକତକ ସୁନ୍ଦର ଚେହେରା। ସତେ କି ରାଜକୁମାର। ଆମେ ନିଜ କଥା ଭୁଲି ତାର ଯତ୍ନ ନେଲୁ। ହୋଟେଲର ବଳକା ଜଳଖିଆ ଖାଇ ତାକୁ ଗରମ ଭାତଦେଲୁ। ଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ାଇଲୁ ।

କଲେଜ ପଢିବା ସମୟରେ ସେ ହୋଟେଲରେ ବସେ। ମୋ ଦୋକାନ ଭଲ ଚାଲିଥିଲା। ଏପଟେ ଆନ୍ଧ୍ରର ଜଣେ ବ୍ୟବସାୟୀ ପ୍ରତ୍ୟହ ଯିବା ଆସିବା କରନ୍ତି ଓ ଏଇଠି ଖାଆନ୍ତି। ପାରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ଝିଅ। ବାବୁ ! ଆଜିକାଲିକା ଝିଅ। ସୁନ୍ଦର ଯୁବକ, ଯୁବତୀ ଦେଖୁ ଦେଖୁ ପ୍ରେମ। ମୋ ସ୍ତ୍ରୀର ଦେହ ଖରାପ ହେଲା। ପୁଅ ଦୋକାନ ସମ୍ଭାଳିଲା। ତା ଭିତରେ ସେ ଝିଅ ସହ ହୋଟେଲ ଭିତରେ ବାସର ସଜେଇଲା। ହୋଟେଲର ସମସ୍ତ ଆଦାୟ ତା ପଛରେ। ଔଷଧ ଅଭାବରୁ ବୁଢ଼ୀ ଆଖି ବୁଜିଲା। ସେ ଝିଅ ଗର୍ଭବତୀ ହୋଇଯିବାରୁ ତା ବାପା ମାଆ ମୋ ଘରେ ଛାଡ଼ିଦେଲେ। ଘରବାଡ଼ି ବିକା ହୋଇଗଲା। ଆମ ଆଶ୍ରୟ ହେଲା ସରକାରୀ ଜାଗାର ଏହି ହୋଟେଲ। ମୋ ଶରୀର ଅସୁସ୍ଥ ହେଲା। ଏମାନେ ମୋତେ ଘରୁ କାଢ଼ିଦେଲେ । ମୋର ଆଶ୍ରୟ ସାମ୍ନାର ଏହି ଓଭରବ୍ରିଜ ତଳ। ବୋହୁଟା କାମବାସନାର ଗନ୍ତାଘର । ରାତିରେ ମଦ୍ୟପ ଟ୍ରକଚାଳକଙ୍କ ଭୋଗ୍ୟା ସେ। ବାବୁ ! ଅଭାବରେ ଝିଅ ବେଶ୍ୟା ସାଜନ୍ତିନି । ଶରୀରଭୋକ ମେଣ୍ଟାଇବା ପାଇଁ ବି ଏମିତି କିଛି ନାରୀ ସାଜନ୍ତି ବେଶ୍ୟା। ପ୍ରଚୁର ଅର୍ଥ ପାଇ ଏବେ ସେମାନଙ୍କ ଗାଆଁ ଭିତରେ ଘର। ମୁଁ କହିଲି, ମଉସା ! ତମକୁ ହୋଟେଲ ଫେରେଇଦେଲେ ତମେ ବ୍ୟବସାୟ କରିବ ? ହଁ ଭରିଲେ ବୃଦ୍ଧ। ହେଲେ, ମୁଁ ଆଉ ସେ ହୋଟେଲ ପାଇବିନି ବାବୁ। ମୋର ଛୁଟି ନଥିଲା, ବୃଦ୍ଧ ସୁସ୍ଥ ହେଉଥିଲେ। ହଠାତ ଡାକ୍ତର ଆସି କିଛି ପରୀକ୍ଷା କଲେ।

ମୋତେ ଡ଼ାକି କହିଲେ ଏହି ବୁଢ଼ାର ମସ୍ତିସ୍କରେ ଅସୁବିଧା ଅଛି। ପରୀକ୍ଷାରୁ ଜଣା ପଡ଼ିଲା, ମସ୍ତିସ୍କ ଟ୍ୟୁମର । ମୋ ମୁଣ୍ଡରେ ଆକାଶ ଚିଣ୍ଡି ପଡ଼ିଲା। କିଏ ଲୋକ, କି ସମ୍ପର୍କ ? ଡକ୍ଟର କହିଲେ ଦୁଇ ଲକ୍ଷ ଖର୍ଚ୍ଚ ହେବ, ପକ୍ଷାଘାତ ନିଶ୍ଚୟ। ଦଶଲକ୍ଷରେ ଜଣେ ଭଲ ହୁଅନ୍ତି। ମୁଁ ଡାକ୍ତରଙ୍କୁ ସମସ୍ତ ବିଷୟ ବର୍ଣ୍ଣନା କରି ତିନିଦିନ ସମୟ ମାଗିଲି। ଫେରି ତା ପୁଅ ପାଖରେ ପହଁଚିଲି, ସମସ୍ତ ବିଷୟ ବର୍ଣ୍ଣନା କଲି। ସେ ନିର୍ଦ୍ଧାରିତ ଦିନ ଆସିବି କିନ୍ତୁ କିଛି ସାହାଯ୍ୟ କରିପାରିବି ନାହିଁ କହିଲା। ମୁଁ ଫେରିଗଲି। କିଛି ବଦାନ୍ୟ ବ୍ୟକ୍ତିଙ୍କ ଠାରୁ କିଛି ସଂଗ୍ରହ କରି ଫେରିଲି। ଅପରେସନ ହେଲା। ବୃଦ୍ଧର ପୁଅ ଆସି ଟଙ୍କା ଦଶହଜାର ମୋ ହାତରେ ଧରେଇଦେଇ ଫେରିଗଲା। କହିଲା ଦୋକାନରେ କେହି ନାହିଁ। ମୁଁ ସମସ୍ତ କାଗପତ୍ରରେ ଦସ୍ତଖତ କଲି। ଦପ୍ତରରୁ ଛୁଟି ନେଇଥିଲି। ଡାକ୍ତଖାନାରେ ବହୁତ କମ ଖର୍ଚ୍ଚରେ ଅପରେସନ କରିଦେଲେ ଓ ଅଧଘଣ୍ଟା ପରେ ଡାକ୍ତର ଆସି କହିଲେ ଚମତ୍କାର ହୋଇଗଲା, ବୃଦ୍ଧ ସମ୍ପୂର୍ଣ୍ଣ ସୁସ୍ଥ।

ତା ଭିତରେ ମୁଁ ପୋଲିସ ସହ କଥାବାର୍ତ୍ତା ହୋଇଥିଲି। ବୃଦ୍ଧ ନାଆଁରେ କାଗଜପତ୍ର ଥିବାରୁ ହୋଟେଲ ବୃଦ୍ଧଙ୍କୁ ହସ୍ତାନ୍ତର ହେଲା। ଆଜି ରଜ। ଏହି ଘଟଣାକୁ ଠିକ୍ ବର୍ଷେ। ନିଜର ଅସୁସ୍ଥତା କାରଣରୁ ବାହାରିଲି ବିଶାଖପାଟଣାମ ଅଭିମୁଖେ।

ହୋଟେଲ ଖାଚାଖଚ୍ ଭିଡ଼। ଓହ୍ଲେଇଲି ଗାଡିରୁ। ବୃଦ୍ଧ ଜଣକ ସୁନ୍ଦର ଧୋତି ଓ କୁର୍ତ୍ତାରେ ଥିଲେ। ମୋତେ ଦେଖି ପାଛୋଟି ନେଲେ। ମୁଁ ପଚାରିଲି, ତମ ପୁଅ ବୋହୁ ଖବର କ'ଣ ? ମୁଋକିହସି ବୃଦ୍ଧ କହିଲେ ଜାଣିଛ ପୁଅ ! କି ଅଲାଜୁକ ଆଧୁନିକତା । ମନେ ପଡୁଛି ନୂଆଁ ନୂଆଁ ପୁଅ ବୋହୂଙ୍କ ଖିଲିଖିଲି କୁତୁକୁତିଆ ପ୍ରେମ। ଶୁଣ କହିଛି : ପୁଅ କୁଳାଙ୍ଗାର କହୁଥିଲା, ମହାଭାରତରେ ପଢ଼ିଛି, କୁରୁ ସଭାରେ ଦ୍ରୌପଦୀକୁ ଅନାବୃତ କରିବା ପାଇଁ ଦୁଷ୍ଟ ଦୁଃଶାସନ ଚେଷ୍ଟା କଲା ବେଳେ ଶ୍ରୀକୃଷ୍ଣ କୋଟିବସ୍ତ୍ର ଦେଇ ତାଙ୍କ ଦେହକୁ ଆଚ୍ଛାଦିତ କରିଦେଇଥିଲେ। ସତ କି ମିଛ ଠିକ ଜାଣେନାହିଁ ; କିନ୍ତୁ ମୁଁ ଏକଥା ଭଲ କରି ଜାଣେ ତମେ କେତେ ଦାମିକା ବନାରସୀ ଶାଢ଼ୀ ପିନ୍ଧିଲେ ମଧ୍ୟ ତମ ନଗ୍ନତାକୁ ମୋ ଆଖିରୁ ଗୋପନ କରିପାରିବ ନାହିଁ। ତମ ଶରୀର ରହସ୍ୟ ଅଷ୍ଟମ ଶ୍ରେଣୀର ସରଳ ମାନସାଙ୍କ ପରି ମୋର ମୁଖସ୍ତ। ବୋହୁ କୁହେ, ଆରେ ବୁଢାଟା ଶୁଣୁଛି। ମୋ ପାଟିରୁ ବାହାରିଆସିଲା ; ନିର୍ଲ୍ଲଜ !

ବାବୁ ! ସେ ପିଟି ପିଟି ମୋତେ ମୂର୍ଚ୍ଛା କରିଦେଲା।

ଆଜି , ଦୁହିଁଙ୍କ ଝଗଡ଼ା ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏଇଟା ଆଜିକାଲିର କୁତୁକୁତିଆ ପ୍ରେମର ପରିଣତି। ମୁଁ ଆରମ୍ଭ କଲି , ମଉସା ଶୁଣ । ଦ୍ଵାପରରେ ସ୍ତ୍ରୀ ଚରିତ୍ର ମହାନ୍ ଥିଲା। କେଉଁଠି ବି ପୁରୁଷକୁ ଉପଯୁକ୍ତ ସମ୍ମାନ ଦିଆଯାଇ ନାହିଁ। କିନ୍ତୁ ଆଜିର ସମାଜରେ କେହି ସତୀ ନୁହେଁ, କେହି ଅସତୀ ନୁହେଁ। କେହି ଦୁଃଖୀ କେହି ସୁଖୀ। ଯୁଗେ ଯୁଗେ କାଳେ କାଳେ ସତୀ ମାନେ ଦୁଃଖ ପାଆନ୍ତି। ସୀତାଙ୍କୁ ଅଶୋକ କାନନରେ ନିଜ ଲୁହ ନିଜେ ପାନ କରିବାକୁ ହୁଏ। ତଥାପି ତାଙ୍କ ଦୁଃଖ ଶେଷ ହୁଏ ନାହିଁ। ଏପରିକି ତାଙ୍କ ସନ୍ଦେହି ସ୍ୱାମୀର ପୌରୁଷର ଦ୍ୟୁତି ବଢେଇବା ପାଇଁ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ହୁଏ। କିନ୍ତୁ କଳିଯୁଗରେ

ତମ ବୋହୁ ବିବାହ ପୂର୍ବରୁ ତମ ପୁଅକୁ ନଗ୍ନତାର ପରୀକ୍ଷା ଦେଇ ସତୀ ହୁଏ। କହିଲ ମଉସା , ସାବିତ୍ରୀ ବ୍ରତ ସବୁ ସଧବା କରନ୍ତି। କିନ୍ତୁ ସ୍ଵାମୀଙ୍କ ଜୀବନ ପାଇଁ କେତେଟା କଳିଯୁଗ ସାବିତ୍ରୀ କଦାକାର ଜମ ପଛରେ ସ୍ୱାମୀର ଦୀର୍ଘଜୀବନ ପାଇଁ ଦୌଡ଼ିବେ। ଏଇ ପରା ମୁଁ କାଲି ଜଗନ୍ନାଥଧାମ ଯାଇଥିଲି। ଖରା ଆଉ ଲମ୍ବା ଧାଡ଼ି ପାଇଁ ତିନିଟା ଲସି ପିଇ ବାହାରୁ ମୁଣ୍ଡିଆ ମାରି ଫେରି ଆସିଲି। ଭାବିଦେବା ସହଜ। କାର୍ଯ୍ୟରେ କରିବା କଷ୍ଟ। ମଉସା ହସିହସି କହିଲେ ଛାଡ଼ ସେକଥା। : ମୋତେ ଅପେକ୍ଷା କରିବାକୁ କହି ମଉସା ପଚାଶହଜାର ଟଙ୍କା ଆଣିଦେଲେ । ଗ୍ରହଣ କଲି ମୁଁ। ଜଳଖିଆ ଖାଇ ବାହାରିଲି ବିଶାଖପାଟଣାମ । ଜୀବନଟା ଏମିତି ଘଟଣାବହୁଳ । ଯନ୍ତ୍ରୀ ହିସାବରେ ଦେଖିଲେ ଧନଘର ଶୂନ । କିନ୍ତୁ ଜୀବନରେ ଏମିତି କିଛି ଘଟଣା ଘଟିଛି ଓ ମୁଁ କିଛି ନା କିଛି କରିଛି, ଯାହା ଫଳରେ ମୋତେ ଲାଗେ, ଧନରେ ନହେଲା ନାହିଁ, ମୋ କୃତ କର୍ମରେ ମୁଁ କୋଟିପତି। ଲେଖିଲାବେଳେ ଏମିତି କିଛି ଘଟଣା ଚଳଚ୍ଚିତ୍ର ପରି ଆଖି ସାମ୍ନାରେ ନାଚି ଉଠେ ଓ ଓଦା ହେଇଯାଏ ଆଖି। ଡ଼୍ରାଇଭର ଡାକୁଥିଲା, ସାର୍ ! ଡକ୍ଟର ପାଖକୁ ଯିବା। ହଁ ଭରି ଉଠୁଥିଲି ମୁଁ। ବୃଦ୍ଧଙ୍କ ଖୁସି ଦେଖି ଲାଗୁଥିଲା ତାଙ୍କରି ମନର ଦୋଳିରେ ମୋତେ ସେ ଝୁଲାଉଛନ୍ତି। ପାନପତ୍ର ସଜେଇ, ପିଠା କରି ଫେସବୁକ୍ , ୱାଟସଆପରେ ଦେଉଥିବା ଆଧୁନିକାଙ୍କ ରଜ ପାଳନ ଠାରୁ ମୋ ରଜ ଆନନ୍ଦଦାୟକ ନିଶ୍ଚିତଏଥିରେ ଦ୍ଵିମତ ନାହିଁ ।


Rate this content
Log in

Similar oriya story from Abstract