STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାବୁ ନାକଶିରି ଦାନ ଯୋଗ୍ୟ ଯୋଷାକୁ

ବାବୁ ନାକଶିରି ଦାନ ଯୋଗ୍ୟ ଯୋଷାକୁ

3 mins
291


ବାବୁ ନାକଶିରି ଦାନ ଯୋଗ୍ୟ ଯୋଷାକୁ 

    =================

ପ୍ରଭୁ ଶ୍ରୀରାମ ସୀତା ଓ ଲକ୍ଷ୍ମଣଙ୍କ ବନବାସର ଦଶ ବର୍ଷ ଦଣ୍ଡକାରଣ୍ୟରେ କଟିଗଲା l ଏହି ସମୟରେ ସେମାନେ ସେଠାରେ ବହୁ ମୁନିଙ୍କ ଆଶ୍ରମ ଓ ବହୁ ବନ ଭ୍ରମଣ କରୁକରୁ ଦିନେ ଯାଇ ଅଗସ୍ତ୍ୟ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ l ସେଠାରେ ସେମାନେ ଏକ ରାତ୍ରିଯାପନକରି ମୁନିଙ୍କ ନିର୍ଦ୍ଦେଶିତ ପଥରେ ଯାତ୍ରା କରି, ପଞ୍ଚବଟୀ ଅଭିମୁଖେ ବାହାରିଲେ l ବାଟରେ ତାଙ୍କର ଜଟାୟୁଙ୍କ ସହ ଭେଟହେଲା l ସେ ପ୍ରଭୁଙ୍କୁ ପଞ୍ଚବଟୀ ଦିଗରେ ବାଟ କଢାଇ ନେଲେ l

କିଛି ଦୂର ଯାତ୍ରାକରି ସେମାନେ ଯାଇ ପଞ୍ଚବଟୀର ପୁଷ୍ପିତ କାନନ ମଧ୍ୟରେ ପ୍ରବେଶ କଲେ l ଶ୍ରୀରାମ ଅତି ରମଣୀୟ ପଞ୍ଚବଟୀ କାନନକୁ ଦେଖି ହର୍ଷିତ ହୋଇ କହିଲେ, ଲକ୍ଷ୍ମଣ ଦେଖ, ଅଦୂରରେ ମହର୍ଷି ଅଗସ୍ତ୍ୟ କହିଥିବା ଗୋଦାବରୀନଦୀ ବହିଯାଉଛି l ପୁଷ୍ପଲତାଶୋଭିତ ଏ ସୁନ୍ଦର ବନରେ ଆମେ ଏହି ସମତଳ ଭୂମିରେ ବାସ କରିବା l ତୁମେ ଏଠାରେ ଗୋଟିଏ କୁଟୀର ନିର୍ମାଣ କର l ଲକ୍ଷ୍ମଣ ଅଗ୍ରଜଙ୍କ ଆଦେଶରେ, ମାଟି, ବାଉଁଶ, କୁଶ, କାଶ ଓ ସମୀ ବୃକ୍ଷ ଡାଳ ଆଣି ଏକ ସୁନ୍ଦର ଆଶ୍ରମ ନିର୍ମାଣ କରି ଦେଲେ l ସେହି ଆଶ୍ରମରେ ସମସ୍ତେ ସୁଖରେ ବାସ କରିବାକୁ ଲାଗିଲେ l 

କ୍ରମେ ସେଠାରେ ଶରତଋତୁ ଯାଇ ହେମନ୍ତ ଋତୁ ପ୍ରବେଶ କଲା l ଦିନେ ସେମାନେ ପ୍ରଭାତରୁ ଯାଇ ଗୋଦାବରୀରେ ସ୍ନାନକରି ଫେରିଆସି ଆଶ୍ରମରେ ବସି ପରସ୍ପର ମଧ୍ୟରେ ଆଳାପ ଆଲୋଚନା କରୁ ଥାନ୍ତି ଏହି ସମୟରେ ଏକ ରାକ୍ଷସୀ ବନରେ ବୁଲୁ ବୁଲୁ ଆସି ସେଠାରେ ପହଞ୍ଚିଲା l ସେ ନବନୀରଦ କାନ୍ତି ଶ୍ରୀରାମଙ୍କ ରୂପରେ ମୋହିତ ହୋଇ ଅତୀବ କାମାତୁରା ହୋଇ କହିଲା, ତୁମେ କିଏ ? ହସ୍ତରେ ଧନୁର୍ବାଣ ଧରି, ତପସ୍ୱୀ ବେଶରେ ରାକ୍ଷସ ସଙ୍କୁଳ ଏହି ବନକୁ କାହିଁକି ଆସିଛ l ଶ୍ରୀରାମ ରାକ୍ଷସୀକୁ ନିଜର ବନବାସ କାହାଣୀ ବର୍ଣ୍ଣନା କରି ଓ ନିଜର ପରିଚୟ ଦେଇ ପଚାରିଲେ, ତୁମେ କିଏ ? ତୁମେ କାହାର ପତ୍ନୀ ? ଏପରି ବନରେ ବୁଲୁଛ କାହିଁକି ? ରାକ୍ଷସୀ କହିଲା, ମୁଁ ରାବଣର ଭଉଣୀ ଶୂର୍ପଣଖା l ମୁଁ କାମରୁପିଣୀ ରାକ୍ଷସୀ, ସମସ୍ତଙ୍କ ମନରେ ଭୟ ସଞ୍ଚାର କରି ଏହି ନିର୍ଜନ ବନରେ ଭ୍ରମଣ କରେ l ମୋର ଅନ୍ୟ ଦୁଇଟି ଭାଇ ହେଉଛନ୍ତି, ମହାବଳୀ କୁମ୍ଭକର୍ଣ୍ଣ ଓ ଧର୍ମାତ୍ମା ବିଭୀଷଣ l ପ୍ରଖ୍ୟାତ ଯୋଦ୍ଧା ଖର ଓ ଦୁଷଣ ବୋଲି ମୋର ଆଉ ଦୁଇଟି ଭାଇ ଅଛନ୍ତି l କିନ୍ତୁ, ମୁଁ କାହାରି ଉପରେ ନିର୍ଭର କରେ ନାହିଁ l ମୁଁ ମୋ ସ୍ୱଇଚ୍ଛାରେ ଏହି ଅରଣ୍ୟରେ ଘୁରି ବୁଲୁଥାଏ l ତୁମକୁ ଦେଖିଲା ପରେ, ମୁଁ ତୁମ ପ୍ରତି ଆସକ୍ତ ହୋଇପଡ଼ିଛି l ତୁମେ ତୁମର ଏହି କୁତ୍ସିତା ଭାର୍ଯ୍ୟାକୁ ଛାଡ଼ି, ମୋତେ ବିବାହ କର ଏବଂ ଏହି ଅରଣ୍ୟରେ ସୁଖରେ ବିହାର କର l ତୁମ ଭାଇ ଓ ଭାର୍ଯ୍ୟାକୁ ମୁଁ ଏହିକ୍ଷଣି ଭକ୍ଷଣ କରିବି l

ରାମ ସ୍ମିତହସି କହିଲେ, କଲ୍ୟାଣୀ ! ତୁମ ପ୍ରସ୍ତାବ ମନ୍ଦ ନୁହେଁ l କିନ୍ତୁ, ମୁଁ ଵିଵାହ କରି ସାରିଛି l ଏହି ମୋର ପ୍ରାଣପ୍ରିୟା ଭାର୍ଯ୍ୟା l ତୁମେ ସପତ୍ନୀ ହୋଇ ରହିବ କିପରି !! ଏହା ନାରୀ ମାନଙ୍କ

ପାଇଁ ଦୁଃଖ ଦାୟକ l କିନ୍ତୁ ମୋର କନିଷ୍ଠ ଭ୍ରାତା ଲକ୍ଷ୍ମଣ ବୀର, ସର୍ଚ୍ଚରିତ୍ର ଓ ସୌମ୍ୟଦର୍ଶନ l ସେ ତୁମର ଅନୁରୂପ ସ୍ବାମୀ ହୋଇ ପାରିବ l ଏଣୁ ହେ ସୁନ୍ଦରୀ ! ତୁମେ ତାଙ୍କୁହିଁ ସ୍ଵାମୀ ରୂପେ ବରଣ କର l

ଶୂର୍ପଣଖା ଲକ୍ଷ୍ମଣଙ୍କ ପାଖକୁ ଯାଇ କହିଲା, ତୁମେ ମୋର ଉପଯୁକ୍ତ ପତି l ତୁମେ ମତେ ଵିଵାହ କରି ଦଣ୍ଡକାରଣ୍ୟରେ ସୁଖରେ ବାସକର l ଲକ୍ଷ୍ମଣ ହସି ହସି କହିଲେ, ହେ ବରବର୍ଣିନୀ l ମୁଁ ତ ଅଗ୍ରଜଙ୍କ ଦାସ l ତୁମେ ମୋତେ ବିବାହ କରି କଅଣ ତାଙ୍କ ଦାସୀ ହୋଇ ରହିବ l ତୁମେ ରାମଙ୍କୁ ବିବାହକରି ତାଙ୍କର କନିଷ୍ଠା ଭାର୍ଯ୍ୟା ହୁଅ l ସେ ତାଙ୍କ କୁରୁପା ଭାର୍ଯ୍ୟାକୁ ଛାଡ଼ି ତୁମକୁ ଆଦର କରିବେ l

ଶୂର୍ପଣଖା ଲକ୍ଷ୍ମଣଙ୍କ ପରିହାସ ବୁଝି ନ ପାରି ଯାଇ ରାମଙ୍କୁ କହିଲା, ତୁମେ ଏହି କୁରୂପା ସ୍ତ୍ରୀ ଉପରେ ଆସକ୍ତହୋଇ ମୋତେ ବିବାହ କରିବାପାଇଁ ଚାହୁଁ ନାହଁ l ଦେଖିବ, ମୁଁ ତୁମ ସ୍ତ୍ରୀକୁ ଏହିକ୍ଷଣୀ ଭକ୍ଷଣ କରିବି ଓ ନିଃସପତ୍ନୀ ହୋଇ ତୁମ ସହିତ ରହିବି l ଏହା କହି ଶୂର୍ପଣଖା ସୀତାଙ୍କ ଆଡ଼କୁ ଦୌଡ଼ିଲା l ଏହିସମୟରେ ଶ୍ରୀରାମ ଅନୁଜ ଲକ୍ଷ୍ମଣଙ୍କୁ ଇଙ୍ଗିତ କଲେ,ତୁମେ ଶୀଘ୍ର ଏହି ଅନାର୍ଯ୍ୟାକୁ ବିରୂପ କରି ଛାଡ଼ି ଦିଅ l ଲକ୍ଷ୍ମଣ ସଙ୍ଗେ ସଙ୍ଗେ ଖଡ୍ଗାଘାତରେ ରାକ୍ଷସୀ ଶୂର୍ପଣଖାର ନାସାକର୍ଣ୍ଣ ଛେଦନ କଲେ l ବିରୂପା ଶୂର୍ପଣଖା ଘଡ଼ଘଡି ପ୍ରାୟେ ଘୋର ଗର୍ଜନ କରି ବନ ଭିତରକୁ ପଳାଇ ଗଲା l 

ପୁଣ୍ୟକାବ୍ୟ ରାମାୟଣର ଏହିକଥାକୁ ବୈଦେହୀଶ ବିଳାସ କାବ୍ୟର ତ୍ରୟବିଂଶ ଛାନ୍ଦରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଏକ ଚମତ୍କାର ଶୈଳୀରେ ବର୍ଣ୍ଣନା କରିଛନ୍ତି l ଭଞ୍ଜଙ୍କ ଅନୁଯାୟୀ ଶ୍ରୀରାମ, ଶୂର୍ପଣଖା ହସ୍ତରେ ଏକ ଦ୍ଵିଅର୍ଥବୋଧକ ଚିଠିଦେଇ ଲକ୍ଷ୍ମଣଙ୍କ ନିକଟକୁ ପଠାଇ ଦେଲେ l ସେହି ଚିଠିରେ ଲେଖା ଥିଲା, ' ବାବୁ ନାକ ଶିରି ଦାନ ଯୋଗ୍ୟ ଯୋଷାକୁ, ବିହର କାନନ କରି, ଆଲିଙ୍ଗନକୁ' l ଚିଠିର ଶ୍ଲେଷ ଭାଷା ଶୂର୍ପଣଖା ବୁଝି ପାରିଲା ନାହିଁ l ତାକୁ ବୋଧ ହେଲା, ରାମ କହିଛନ୍ତି, ଆରେ ବାବୁ, ଏ ଯୋଗ୍ୟା ନାରୀକୁ ତୁମେ ନାକ ବା ସ୍ବର୍ଗସୁଖ ଦାନକର ଏବଂ ଆଲିଙ୍ଗନ କରି କାନନରେ ବିହାର କର l ରାମଙ୍କ ପତ୍ରର ଅର୍ଥ କିନ୍ତୁ ଲକ୍ଷ୍ମଣ ବୁଝିଲେ, ରେ ବାବୁ, ଏହି ଯୋଷାର ବା ନାରୀର ନାକର ଶିରି ବା ସୋନ୍ଦର୍ଯ୍ୟ ଛେଦନ ଯୋଗ୍ୟ l ଏହାର କାନକୁ ବିହର, ଅର୍ଥାତ୍ ହରଣ କର, ଏବଂ ଏହାକୁ ଆଲିଙ୍ଗନ କର ନାହିଁ l ରାମଙ୍କ ଉଦ୍ଦେଶ୍ୟ ବୁଝି ପାରି, ଲକ୍ଷ୍ମଣ ଶୂର୍ପଣଖାର ନାସା କର୍ଣ୍ଣ ଚ୍ଛେଦନ କଲେ l 

         !!! ଜୟ ଶ୍ରୀରାମ !!!

           🙏🙏🙏

             ଅର୍ଜୁନୀ 

         -------------

ଅର୍ଜୁନୀ ଚରଣ ବେହେରା 



Rate this content
Log in

Similar oriya story from Inspirational