Satyabati Swain

Children Stories

4  

Satyabati Swain

Children Stories

ବାବା

ବାବା

5 mins
295


 ଓହୋ !!କି ଲାଜ........।କ୍ରିମ କଲର ଉପରେ ସତେକି ପେଣ୍ଟିଙ୍ଗ୍ କରିଦେଉଛି କିଏ ହାଲକା ଗୋଲାପି ରଙ୍ଗ।ଡାଳିମ୍ବ ମଞ୍ଜି ପରି କୁନି କୁନି ଦାନ୍ତ ଟିକେ ଟିକେ ଦିଶୁଥିଲା।ମୁଣ୍ଡରେ ଟେକି ଟାକି ବାନ୍ଧି ଦେଇଛି ଟିକି ଚୂଳ । ଭୟ ,ସ୍ମାଇଲି ଓ ଲାଜ ଫେଣ୍ଟାଫେଣ୍ଟି ଆଧୁନିକ ଚିତ୍ରକର କାଉଁରୀ ସ୍ପର୍ଶର ସଦ୍ୟ ଉତରା କାନଭାସର ଚିତ୍ର ପରି ଦିଶୁଥିଲା ବେବି ଡ଼ଲଟି।


ଭାରି ଇଚ୍ଛା ହେଲା ତାକୁ ଟିକେ ଗେଲ କରିବାକୁ।ଦୁଇ ହାତ ପାପୁଲିରେ ତା ମୁହଁଟିକୁ ଟେକି ଧରିବାକୁ ପ୍ରବଳ ଆଗ୍ରହ ମୋ ଭିତରେ ସୃଷ୍ଟି ହୋଇ ସାରିଥିଲେ।


ମୁଁ ଆଉ ଟିକେ ତା ପାଖକୁ ଗଲି।ଆଖିରେ ଇସାରା କଲି ପାଖକୁ ଆ ବୋଲି।ସେ ଆହୁରି ଦୂରକୁ ଦୂରକୁ ପଳାଉ ଥିଲା।


ତାକୁ ବୋଧହୁଏ ମୋ କାର୍ଯ୍ୟ କଳାପ ମଜା ଲାଗୁଥିଲା।କାରଣ ସେ ସ୍ମାଇଲି ଛାଡି ଖିଲି ଖିଲି ହସିବାକୁ ଆରମ୍ଭ କଲା ଏବଂ ବୁଲି ପଡି ଘର ଭିତରକୁ ଚାଲି ଗଲା।


ମୁଁ ଅନୁଭବ କଲି ସେ ଗୋଟେ ସତ ସତିକା ଖେଳ ଖେଳୁଛି ମୋ ସହିତ।କବାଟ ଫାଙ୍କରେ ଗଳିକି ଅନାଉଁଛି ମୁଁ ଅଛି କି ନାହିଁ।


ମୋତେ ବି ଭାରି ମଜା ଲାଗୁଛି ଏଇ ଲୁଚକାଳି।ମୁଁ ବି ଟିକେ ତା ଆଖି ଉହାଡ଼ରୁ ଲୁଚିଗଲି କାନ୍ଥକୁ ଆଉଜି।ସେ ପୁଣି ଚାହୁଁଛି ଉହୁଁକି।ମୁଁ ପୁଣି ଲୁଚି ଯାଉଛି।


ଲୁଚାଛପା ଖେଳ ଖେଳୁ ଖେଳୁ ମୁଁ ଜାଣି ଜାଣି କିଛି ସମୟ ଲୁଚିଗଲି।କବାଟ ଫାଙ୍କରେ ସେ ମୋତେ କିଛି ସମୟ ନ ଦେଖିବାରୁ ଧୀରେ ଧୀରେ ମୋତେ ଖୋଜି ଖୋଜି ଆସିଲା।

ବାଁ ହାତ ଆଙ୍ଗୁଠି ଦିଟା ପାଟିରେ ପୁରାଇ ପାଦ ଚିପି ଚିପି ସେ ମୋ ଆଡ଼କୁ ଅଗ୍ରସର ହେଉଥିଲା।


 ମୁଁ ଆହୁରି ଟିକେ ମଜା ଦେଖିବା ପାଇଁ ଶିଡ଼ି ଘର ତଳେ ଲୁଚି ଗଲି।

  

ସେ ମୋତେ ଚାରିଆଡ଼ ଖୋଜିଲା।ବୋଧହୁଏ ମୁଁ ତାକୁ ଭଲ ଲାଗିଛି ବା ଏମିତି ଲୁଚାଛପା ଖେଳ ତାକୁ ଅନେକ ମଜା ଦିଏ। 

   

ମୁଁ କିଛି ସମୟ କୌଣସି ଶବ୍ଦ ନ କରି ଶିଡ଼ି ଘରେ ଚୁପ୍ ରହିଗଲି।


ତା ଆଖି ଚାରି ଆଡ଼େ ମୋତେ ଖୋଜୁଥିଲା । କଣମ ଏଡ଼େ ଫୁଲେଇ.....।ମୁଁ ଡାକିଲା ବେଳେ ଆସିଲା ନାହିଁ।ଆଟିଟୁଡ୍ ଦେଖାଇଲା।ଏବେ ଦେଖ.......କି ବିକଳିଆ ହୋଇ ଖୋଜୁଛି!!

 

ପ୍ରଥମେ ଭୟ ତାପରେ ଲାଜ ଓ ସ୍ମାଇଲି, ଏଵେ ଖୋଜିବା। ଖୋଜି ଖୋଜି ମୋତେ ପାଇଲା ନାହିଁ।

 

ଆରେ ଆରେ ଲୁହ ଜକେଇ ଆସିଲାଣି ତା ସୁନ୍ଦର କୁନି ଢଳ ଢଳ ଆଖିରେ।ଓଠ ଲମ୍ବେଇ ମୁହଁ ଫଟେଇ କାନ୍ଦିବା ଆରମ୍ଭ କରିବାକୁ ତୟାର୍ ?


ନା ଆଉ ନୁହେଁ,ବହୁତ ହୋଇଗଲା ଲୁଚାଲୁଚି ଖେଳ ।ମୁଁ ଫଟ୍ କରି ବାହାରି ଆସି କହିଲି--ହା--ଉଁ।ସେ ଚମକି ପଡି ଡାକିଲା ମାମା ଆ ଆ..।


ମୁଁ ତାକୁ ଶୂନ୍ୟେ ଶୂନ୍ୟେ ଟେକି ନେଲି ମୋ ଦୁଇ ହାତରେ।ଭରି ଦେଲି ତା ପାପୁଲି,ମୁହଁ ଚାରି ଆଡ଼େ ଚୁମା।


ସେ ଉଲ୍ଲସିତ ଓ ଆନନ୍ଦିତ ହେଉ ଥିଲା ନିଶ୍ଚୟ। ଆଗପରି ଡର କି ଲାଜ ଆଉ ତା ପାଖେ ନଥିଲେ।ଗୁଲ ଗୁଲିଆ ହସ ହସୁ ଥିଲା କେବଳ।ମୁଁ ମନ ଭରି ଉପଭୋଗ କରୁଥିଲି ତା ହସକୁ।

 

ପଚାରିଲି----ତୁମ ନାମ କଣ?

'

'ଖୁଛି' ସେ ଲାଗିଲା ପାଟିରେ କହିଲା।


ଖୁସି! ବାଃ କି ସୁନ୍ଦର ନାଆଁ !


ସେ ମୋତେ ବି ଛାଡିଲା ନାହିଁ ।ପଚାରିଲା ତୁ କିଏ?


ମୁଁ.... ମୁଁ ବାବା।


ବା... ବା..... ! ତା ମୁହଁରେ ବିସ୍ମୟ ଭାଵ ନେସି ହେଇଗଲା ସତେକି ।ଆଖିରେ ତାର ଅବୁଝା ହଜାର ହଜାର ପ୍ରଶ୍ନର ଲହରୀ ଓ ଅକଳନ ଆନନ୍ଦ।


ସେ ଅତି ଖୁସି ହୋଇ ତାଳି ମାରି କହିଲା ମୋ ବା... ବା ମୋ ବାବା । ତୁ ମୋ ବାବା ?


ହଁ ତୋ ବାବା.......।ମୋତେ ସେ ଆହୁରି ଜୋରେ ଜାବୁଡି ଧରିଲା।ପ୍ରୟାସ କରୁଥିଲା ଆଉ ଯେମିତି କେବେ ବି ଛାଡିବନି।


ମୁଁ ଚକିତ ହେଲି ଏଇ ଟିକିଏ ଆଗରୁ ଯେଉଁ ଝିଅ ମୋ ପାଖକୁ ଆସିବାକୁ ଲାଜ ,ଭୟ କରୁଥିଲା ସେ ମୋତେ ଏମିତି ଜାବୁଡି ଧରୁଛି କାହିଁକି?

ମୋତେ ଜାବୁଡି ଧରି ଡାକ ଛାଡିଲା ମାମା ମାମା......


ଯା ସରିଗଲା ସବୁ....ଆରେ ମାମାକୁ ଡାକିଲାଣି।ଏଇଲେ ଗାଳି ବର୍ଷଣ ହେବରେ ପୁଅ।ସମ୍ଭାଳୁ ଥା ଏଥର।


ମୁଁ ଝାଡ଼ି ଝୁଡ଼ି ହୋଇ ଭଦ୍ରଲୋକ ପରି ଛିଡାହୋଇ ଗଲି ସମ୍ଭାବ୍ୟ ଝଡର ମୁକାବିଲା କରିବା ପାଇଁ।


ବାରି ଆଡୁ ବ୍ୟସ୍ତ ହୋଇ ଧାଇଁ ଆସିଲା ଝିଅର ମାଆ ଏବଂ କହିଲା କଣ ହେଲା କି ଖୁସି?


ମାମା ମାମା କହି ମୋ ଆଡକୁ କଣେଇ କଣେଇ ଚାହିଁ ଝିଅଟି ଦଉଡ଼ି ଯାଇ ତା ମାମା ହାତ ଧରି ଟାଣି ଟାଣି ଆଣି ମୋତେ ଦେଖାଇ କହୁ ଥିଲା ବା ବା,ବା ବା। 


ତା ମାମା ଏଡ଼େ ଏଡ଼େ ଢ଼ିମା ଢ଼ିମା ଅବିଶ୍ୱସନୀୟ ଆଖିରେ କହିଲା ତ....ମେ!


ଆଉ ତୁ, ଅଣ୍ଡିରିଚଣ୍ଡୀ !! ମୁଁ କହିଲି।

 

ଏ କଣ ତୋ ଝିଅ ?ଭାରି କଉତୁକିଆ ହେଇଛି ତ? ଗେହ୍ଲେଇଟା।ଇସ୍ !କଣ ଯୋଖା ହେଇଛି, ଠିକ ତୋ ପରି।ଚାରି ବର୍ଷ ହେଲା ଆସି ନଥିଲି ତୁମ ଘର ଆଡ଼େ।ସିଙ୍ଗାପୁର ଆଉ ଯିବିନି ପଇସା ଲୋଭରେ।ଇଣ୍ଡିଆ ଗମେଣ୍ଟ ଗୋଟିଏ ଭଲ ଜବ୍ ଅଫର୍ ଦେଇଛି।ଦୁଇ ଦିନ ପରେ ଜଏନ୍ କରିବାର ଅଛି।


ଏଣୁ ଭାବିଲି ତୁମ ଘର ଆଡ଼େ ଟିକିଏ ବୁଲି ଆସେ।ହେଲେ ତୋ ସହିତ ଦେଖା ହେବ ଆଶା କରି ନଥିଲି।ତୋର ପରା ବାହାଘର ହେଇ ସାରିଛି ଚାରି ବର୍ଷ ତଳୁ?ତୁ କଣ ଏଠି ?


ସେ କଥା ଛାଡ।କଣ ଖାଇବ କୁହ ?ତୁମ ଫେମିଲି ବିଷୟରେ କୁହ।ପିଲା ଛୁଆ କେତୋଟି ? ପଚାରିଲା ଖୁସିର ମାମା ମୋର ସବୁଠୁ ଭଲ ବାନ୍ଧବୀ ନିଶା।


 ଖାଇବା କଥା ଛାଡ। ମୋ କଥା ବି ଛାଡ଼।ତୋ ବିଷୟରେ,ତୋ ମିଷ୍ଟର ,ଶାଶୁଘର, ଚାକିରି ବିଷୟରେ କହ---।

 

ସେ କଥା ବାଁରେଇ କହିଲା ବର୍ଷା ପାଗ।ତୁମେ ରସୁଣ,କଞ୍ଚା ଲଙ୍କା,ଅଦା ଛେଚା ପକାଇ ପକୁଡି ଖାଇବାକୁ ଭଲ ପାଅ, ନା।ଟିକେ ବସ, ଖୁସି ସଙ୍ଗେ ଖେଳୁଥାଅ।ମୁଁ ସଙ୍ଗେ ସଙ୍ଗେ ବନେଇ ଆଣୁଛି।


ଆରେ ବ ମ........।ଆଜିକାଲି ଖାଇବାକୁ କାହା ପାଖେ ପେଟ ଅଛି? ଦୁନିଆ ରୋଗ ମାଡି ବସିଲାଣି ଲୋକଙ୍କୁ।ଏବେକାର ଲୋକେ କେତେ ହେଲଥ୍ ସଚେତନ ତୁ ଜାଣିନୁ ନା କଣ? ହଁ ତୁ ତ ସବୁ ବେଳେ ଗେମ୍ଫୁ ଥିଲୁ।ଏକବାର ପେଟିଟା........। ଅବଶ୍ୟ ଗୋଟିଏ ଛୁଆର ମାଆ ହେଲା ପରେ ପୁରା ସାଇଜିକୁ ଆସି ଯାଇଛୁ।ଦେଖିଲେ କେହି କହିବନି ତୁ ବିବାହିତା।ଖାଇବା ଛାଡ଼.....ଏତେ ଦିନେ ଦେଖା ହେଇଛେ,କେବଳ କଥା ହେବା।


ହେଉ,ତୁମେ ଆଗ କୁହ କହିଲା ନିଶା।


ନାଇଁ ତୁ ଆଗ କହ ?


ନାଇଁ ତମେ......


ନାଇଁ ମ ତୁ......... 


ନା ତମେ........।


ଏଇ ତୁ ତୁ ମେ ମେ ଭିତରେ.....ସେ ମୋତେ ତା ହାତ ପାନ୍ତାରେ ଯାହା ପାଇଲା ଫିଙ୍ଗିବାରେ ଲାଗିଥିଲା । ଏମିତି ସବୁବେଳେ ମୋ ସହ ଲାଗୁଥିଲା ଆଗେ । ତାର ମୋ ସହ ଏପରି କୁକୁରିଆ ମାଛି ପରି ଲାଗିବା କାହିଁକି କେଜାଣି ଖୁବ୍ ଭଲ ଲାଗେ।


ମୁଁ ତା ଚୁଟି ବି ଟାଣି ଦେଇ କହିଲି ତୁ ଆଗ କହ।


ଆମେ ଏମିତି ହେବା ଭିତରେ ମାଉସୀ ଡାକ ଛାଡିଲେ-----କିଏ ଆସିଛନ୍ତି କି ନିଶା?

    

ମାଆ, ବାବା ଆସିଛନ୍ତି।


ସତେ ନା କଣ? ଅପୂର୍ବର ଏତେ ଦିନେ ବୁଢ଼ୀ ମାଉସୀ କଥା ମନେ ପଡ଼ିଲା. ?


ମାଉସୀଙ୍କୁ ମୁଣ୍ଡିଆ ଟିଏ ମାରିଲି।ପଚାରିଲି ନିଶା କଣ ଶାଶୁଘରୁ ବୁଲି ଆସିଛି?


କଣ କଲି ମୁଁ? କେଉଁଠି ଭୁଲ୍ ବଶତଃ ଖେଞ୍ଜି ଦେଲିକି? ମାଉସୀ କୋହ ଫୁଟାଇ କାନ୍ଦି ଉଠିଲେ କାହିଁକି?

ଭାରି ଭାରି ଗଳାରେ ସେ କହିଲେ ନାଇଁ ବା ପୁଅ ସେ ପରା ସବୁବେଳେ ଏଇଠି ରୁହେ। ଶାଶୁ ଘର ଲୋକେ ତାକୁ ନେଲେନି ।ଝିଅଟି କୁଆଡେ ମୋର ଓଲି, କାବେଡ଼ି। ତାଙ୍କ ପୁଅ ପାଇଁ ଫିଟ୍ ନୁହେଁ।


ଅସଲ କଥା .....ଜ୍ୱାଇଁଟାର ଆମର ଆଗରୁ କାହା ସହ ସଲା ସୁତୁରା ଥିଲା।ଯୌତୁକ ଲୋଭରେ ବାହା ହେଇ ସିନା ପଡିଲା,ହେଲେ ଅଭ୍ୟାସଟା ଯିବ କୁଆଡେ? ଝିଅ ମୋର ପ୍ରତିବାଦ କଲାରୁ ଓଳି କାବେଡି କହି ଆମ ଘରେ ଛାଡ଼ି ଦେଇ ଗଲେ। 'ଖୁସି' ସେତେବେଳକୁ ମାତ୍ର ବର୍ଷକର।


ପୁଅରେ! ଏବେ ଖୁସିକୁ ତିନି ବର୍ଷ । ସବୁ ବେଳେ ବାବା ବାବା ହେଉଛି।ପ୍ରତି ପୁରୁଷ ପୁଅଙ୍କୁ ବାବା କହି ମାଡି ବସେ। ଝିଅଟିକୁ ଭଲ ଭାବେ ନବୁଝି ନ ଶୁଝି ବାହା ଦେଇ ଏବେ ପସ୍ତଉଛୁ।ମୋ ଝିଅ ଓ ଏ କଷି ଛୁଆଟିର ଜୀବନ ନଷ୍ଟ ହୋଇଗଲା ଜାଣରେ ପୁଅ!


ହଉ ଯାହା ଆମ ଭାଗ୍ୟରେ ଥିଲା।ମାଆ ନିଶା ଗଲୁ ପୁଅ ପାଇଁ କଣ ଟିକେ ଆଇଁଲୁ,ଖାଇବାକୁ।


ନିଶା ଉଠି ଗଲା । ତା ଆଖି ବି ଢଳଢଳ।ବୋଧହୁଏ ଅପେକ୍ଷା କରିଥିଲା କେମିତି ମୋ ଆଗରୁ କେଉଁ ବାହାନାରେ ଉଠି ଯିବାକୁ।


ସ୍କୁଲରେ ପଢିଲା ବେଳେ ନିଶା ଓ ମୁଁ ଖୁବ୍ ସାଙ୍ଗ ଥିଲୁ । ଏତେ ଦିନ ପରେ ଦେଖା ହେଲା ଯେ ତାକୁ ଦେଖି ମନ କଷ୍ଟ ହେଲା । ସବୁବେଳେ ହସୁଥିବ। ଖୁବ୍ ସାହସୀ ବି ଥିଲା ନିଶା ।ପୁଅ ପିଲାଙ୍କ ପରି ଡିଆଁ ଡେଇଁ କରୁଥିଲା ବୋଲି ମୁଁ ତାକୁ ଅଣ୍ଡିରି ଚଣ୍ଡି ଡାକୁଥିଲି। 


ସେଇ ଅଣ୍ଡିରି ଚଣ୍ଡି କେତେ ନରମି ଯାଇଛି !


କୋଳରେ କିନ୍ତୁ ଏଯାଏ ବି ଖୁସି ବସି ଥିଲା ମୋର। ମୋ ଦାଢ଼ି, କଲର୍,ପେନ,ଘଣ୍ଟା ସବୁଥିରେ ଲାଗୁଥିଲା।ମୋ ମୁହଁକୁ ବାରମ୍ବାର ଆଉଁସୁ ଥିଲା ମୋ ବାବା ମୋ ବାବା କହି।


ନିଷ୍ପାପ ଛୁଆଟିଏ କଣ ବୁଝି ପାରୁଥିଲା?....ମୁଁ ତା ବାବା ନୁହେଁ.........ମୋ ନାଁ ବାବା..........।


.



Rate this content
Log in