Sangeeta Barik

Children Stories

3  

Sangeeta Barik

Children Stories

ବୄକ୍ଷ ରୋପଣ

ବୄକ୍ଷ ରୋପଣ

3 mins
139



ସୁଲୋଚନା ଦେବୀଙ୍କର ଜିଦ୍ ଏଥର ନାତି ଆସିଲେ ବାଡିର ରସୁଆଳ ମିଠା ଆମ୍ବ ଖାଇବ । କେତେବର୍ଷ ହେଲାଣି ପ୍ରବଳ ଗରମ ଯୋଗୁଁ ପୁଅ ବୋହୂ ଆଉ ଖରାଦିନରେ ନାତିକୁ ନେଇ ଗାଁ କୁ ଆସୁନାହାନ୍ତି ।ସମସ୍ୟା ର ସମାଧାନ ପାଇଁ ସ୍ବାମୀ ସୁରେଶ ବାବୁ ପୁଅର ଶୋଇବା ଘରେ ଏସି ଲଗାଇଲେ । ତାପର ଦିନ ପୁଅ ବୋହୂ ନାତି ଘରେ ପହଞ୍ଚିଲେ । ଆଠ ବର୍ଷର ନାତିର ଧାଁ ଦଉଡରେ ଘର ପୁରି ଉଠୁଛି । ସୁଲୋଚନା ଦେବୀ ଓ ସୁରେଶ ବାବୁଙ୍କ ଆଣ୍ଠୁ ବଥା ଗାୟବ । ବୟସଟା ବି ଦୁଇପାଦ ପଛକୁ ଫେରି ଆସିଛି ।ନାତି ପଛେ ପଛେ ସେମାନେ ଖୁବ୍ ଚଳଚଞ୍ଚଳ ।

ମଧ୍ୟାହ୍ନ ଭୋଜନ ପରେ ପୁଅ ବୋହୂ ନାତି ଖାଇସାରି ଏସି ରୁମରେ ଶୋଇବାକୁ ଗଲେ । ସୁରେଶ ବାବୁ ନିତିଦିନିଆ ଅଭ୍ୟାସ ଭଳି ବାଡିରେ ଥିବା ଆମ୍ବ ଗଛ ମୂଳରେ ହାତ ବୁଣା ଖଟଟିଏ ପକେଇ ଶୋଇଲେ । ଏଇଟା ତାଙ୍କର ପୁରୁଣା ଅଭ୍ୟାସ । ଖରା ଦିନେ ଆମ୍ବ ଗଛ ମୂଳେ ବାହାରର ଖୋଲା ପବନରେ ଶୋଇବାକୁ ତାଙ୍କୁ ଭାରି ଭଲ ଲାଗେ । ଟିକିଏ ଛାଇ ନିଦ ଲାଗି ଆସିଲା ବେଳକୁ କାହାର ଛୁଆଁ ରେ ନିଦ ଭାଙ୍ଗି ଗଲା । ଆଖି ଖୋଲି ଦେଖିଲା ବେଳକୁ ଜେଜେମା ନାତି ମୁରୁକି ମୁରୁକି ହସୁଛନ୍ତି । ସେ କିଛି କହିବା ଆଗରୁ ନାତି ସୁରେଶ ବାବୁଙ୍କ କଡରେ ଶୋଇପଡି ହାତ ଗୋଡ ସବୁ ତାଙ୍କ ଉପରେ ପକେଇ ଅନେକ ପ୍ରଶ୍ନ ପଚାରିଲା ।

......ଜେଜେ ! ଏ ବାଡିରେ ଏତେ ଗଛ କେଉଁଠୁ ଆସିଲା । ଏଇଟା କଣ ଗୋଟେ ଛୋଟ ଜଙ୍ଗଲ କି ? ଆମେ ଯେଉଁଠି ରହୁଛୁ ସେ ସହରରେ କାହିଁକି ଜଙ୍ଗଲ ନାହିଁ । ଏଠାରେ ଥଣ୍ଡା ସହରରେ ଏତେ ଗରମ କାହିଁକି ? 


କଥାବାର୍ତ୍ତା ଭିତରେ ସୁଲୋଚନା ଦେବୀ ଯାଇ କିଛି ଆମ୍ବ ଧୋଇ ବେଲାରେ ଧରି ଆସି ପହଞ୍ଚିଲେ । ନସି ଛଡେଇ ନାତିକୁ ସରାଗରେ ବଢେଇ ଦେଲେ ଖାଇବା ପାଇଁ । ଏହି ସମୟରେ ପୁଅ ମଧ୍ୟ ଆସି ହାଜର । ଏସବୁ ଦୄଶ୍ୟ ଦେଖି ସେ ଖୁବ୍ ଆନନ୍ଦିତ ହେଲା । ଗୋଟି ଗୋଟି କରି ତାର ପିଲା ବେଳର କଥା ସବୁ ମନେ ପଡି ଯାଉଥିଲା । ଛୋଟ ବେଳେ ଖରାଦିନ ଛୁଟିରେ ସେ ଏମିତି ଆମ୍ବଗଛ ମୂଳରେ ବାପାଙ୍କ ଉପରେ ହାତ ଗୋଡ ପକେଇ ଗପ ଶୁଣୁ ଶୁଣୁ ଶୋଇଯାଏ ।ଉଠିଲା ବେଳକୁ ବୋଉ ଆମ୍ବ ଧୋଇ ଆଣି ଖାଇବାକୁ ଦିଏ । ରସୁଆଳ ଆମ୍ବକୁ ସେ ଚୁଚୁମି ଚୁଚୁମି ଖାଏ । ଆଉ ବଗିଚାରେ ଥିବା ସବୁ ଆମ୍ବ ଗଛ ତା'ର ବୋଲି ଦାବି କରେ । ଆଜି ତା ଯାଗାରେ ଅଛି ତା ପୁଅ । ହଠାତ ଜେଜେ ନାତିଙ୍କ କଥାରେ ସଜାଗ ହେଲା ସେ ।ବାପା ବୁଝଉଥାନ୍ତି ତା ପୁଅକୁ । 


......ଏବେ ସହରରେ ଖାଲି କଂକ୍ରିଟ ଜଙ୍ଗଲ । ଯୁଆଡେ ଅନାଇଲେ ବଡ ବଡ ଅଟ୍ଟାଳିକା ର ମୁଣ୍ଡ ଆକାଶକୁ ଛୁଉଁଛି । ଅନେକ କଳ କାରଖାନା । ଯାନବାହନ ର ବୄଦ୍ଧି । ସେଥିପାଇଁ ସହରରେ ବହୁତ ଗରମ । ପର୍ଯ୍ୟାପ୍ତ ଗଛ ନଥିବାରୁ ବାୟୁମଣ୍ଡଳ ପ୍ରଦୁଷିତ । ଚାଷ ଜମିରେ ବି ଛିଡାହେଲାଣି ବଡ ବଡ କୋଠା । 

ଗଛ ଲଗାଇବାକୁ ପ୍ରଶସ୍ତ ଯାଗା ନାହିଁ । ଏବେ ସେହି ସଭ୍ୟ ରାକ୍ଷସ ମାନେ ଡିନାମାଇଟରେ ଅନେକ ପାହାଡ ଧ୍ବଂସ କରୁଛନ୍ତି । ଯାହା ଫଳରେ ନିଶ୍ଚିହ୍ନ ହୋଇ ଯାଉଛି ଅନେକ ଜଙ୍ଗଲ  । ହଜି ଯାଉଛି ସବୁଜିମା । ଅଣନିଃସ୍ବାଶୀ ହୋଇ ପଡୁଛି ଜଗତ ।


ଏହା ଶୁଣି ନାତି କଣ ବୁଝିଲା କେଜାଣି ଚଟକିନା କହିଲା

.... ଆମ ବାଡିରେ ତମେ ଆହୁରି ଗଛ ଲଗଉନ । ଆଛା । ଏଇ ଆମ୍ବ ବଗିଚାର ସବୁ ଗଛ କାହାର ? ସୁଲୋଚନା ଦେବୀ ହସି ହସି କହିଲେ "ଏ ଗଛ ସବୁ ତୋ ବାପାର । ତା ଜେଜେ ଏସବୁ ଗଛ ଲଗେଇଥିଲେ । " ଏତକ ଶୁଣିଲା ପରେ ନାତି ଜେଜେଙ୍କ ବେକରେ ହାତ ଛନ୍ଦି ଅଳି କଲା ତା'ର ମଧ୍ୟ ବହୁତ ଆମ୍ବ ଗଛ ଦରକାର । ସ୍ମିତ ହସି ଜେଜେ ନାତିକୁ କଥା ଦେଲେ । ତା ଜନ୍ମ ଦିନରେ ପଚାଶଟି ଆମ୍ବ ଚାରା ସେ ରୋପଣ କରିବେ ଉପହାର ସ୍ବରୂପ । ସେୟା ହିଁ ହେଲା ।ବଗିଚାକୁ ଲାଗି ଗୋଟିଏ ଜମି ଥିଲା ତାଙ୍କର । ଦୁଇ ଦିନ ପରେ ନାତିର ଜନ୍ମଦିନରେ ସୁରେଶ ବାବୁ ସେହି ଜମିରେ ଆମ୍ବ ବୄକ୍ଷ ରୋପଣ କଲେ । ଅତି ଖୁସି ହୋଇ ନାତି ମଧ୍ୟ କେତେଟା ଗଛରେ ତା କୁନି କୁନି ହାତରେ ପାଣି ଦେଇଥିଲା ।


ୟା ଭିତରେ ବିତିଯାଇଛି ତିରିଶ ବର୍ଷ । ନାତିର ଆମ୍ବ ବଗିଚାରେ ଆମ୍ବ ଗଛ ଭର୍ତ୍ତି । ସବୁ ଗଛରେ ଅଜସ୍ର ଆମ୍ବ । ଗୋଟିଏ କଡକୁ ଛିଡ଼ା ହୋଇଛି ଦୁଇଟି ସମାଧି । ସୁରେଶ ବାବୁ ଓ ସୁଲୋଚନା ଦେବୀଙ୍କର । ପୁଅ ବୋହୂ ଅବସର ପରେ ଏବେ ଗାଁରେ ରହୁଛନ୍ତି । ନାତି ସପରିବାର ବାହାରେ । ଏବେବି ସେ ଆମ୍ବ ବଗିଚା ଓ ଆମ୍ବ ମୋହରେ ପୂର୍ବବତ ମୋହିତ । ପ୍ରତ୍ୟେକ ବର୍ଷ ଖରା ଛୁଟିରେ ଗାଆଁକୁ ଆସେ । ମନଭରି ନିଜ ବାଡିର ରସୁଆଳ ଆମ୍ବ ଖାଏ । ଜେଜେ ଜେଜେମା ସମାଧିକୁ ମୁଣ୍ଡିଆ ମାରେ । ଖସିବାକୁ ଚେଷ୍ଟା କରୁଥିବା ଲୁହକୁ କୌଶଳ କରି ଅଟକାଇ ଦିଏ । କେବଳ ଏତିକି ନୁହେଁ ଛୋଟ ବେଳରୁ ଏପର୍ଯ୍ୟନ୍ତ ଅନେକ ବୄକ୍ଷ ସେ ରୋପଣ କରିଛି । ସମସ୍ତଙ୍କୁ ବୁଝେଇଛି "ଶ୍ରଦ୍ଧାର ସହ ବୄକ୍ଷ ରୋପଣ କରି ତାର ଯତ୍ନ ନେଲେ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ବାୟୁମଣ୍ଡଳ ରେ ମିଶି ପାରିବ । ଏ ଜୀବଜଗତ ଶାନ୍ତିରେ ନିଶ୍ବାସ ନେବ । ଧରଣୀ ହସିବ । ଅନେକ ଆଗତ ବିପଦ ଆପେ ଆପେ ଟଳିଯିବ । "


Rate this content
Log in