ଅଷାଢୁଆ ସୂତା
ଅଷାଢୁଆ ସୂତା


ଆଉ ଗୋଟିଏ ଦିନ ଥାଏ ଝିଅ ବାହାଘର କିନ୍ତୁ ଝିଅ ରାଧା କୁଆଡେ ଗଲା?ସାଇ ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କ ଘରୁ ତୋରାଣୀ ପିଆ ସରିଛି. ଆଜି ମଙ୍ଗଳକୃତ୍ୟ, ଚୁଲିରେ ହଣ୍ଡା ବସିଲାଣି. ମେହେନ୍ଦି ପାଇଁ ସମସ୍ତ ଆୟୋଜନ ସରିଲାଣି ହେଲେ ରାଧା ଘରେ ନାହିଁ. ପଡୋଶୀ, ସାଙ୍ଗ ସାଥି କେହି କିଛି କହି ପାରୁନାହାଁନ୍ତି. ରାଧାର ରୁମ ବୁହେ ଘଣ୍ଟା ଚକଟା ସରିଲାଣି ତଥାପି କିଛି ସୁରାକ ମିଳୁନି. ବାପାଙ୍କ କାନକୁ କଥା ଯିବା ପରେ ବାପା ମୁଣ୍ଡରେ ହାତ ଦେଇ ବସିଛନ୍ତି. ବୋଉ ଠାକୁର ଘରେ ଦୁଆର କିଳି କାନ୍ଦୁଛନ୍ତି. ଭାଇ, ବଳିପଡିଥିବା ନିମନ୍ତ୍ରଣପତ୍ର ସବୁକୁ ଓଲଟାଉ ଓଲଟାଉ କେତେ କଣ ଭାବୁଛି. ଗୋଟିଏ ଭାଇରେ ଗୋଟିଏ ଭଉଣୀ. ଭାଇ ବଡ଼ ହେଲେ ବି ଦୁହେଁ ସାଙ୍ଗ ପରି. ପ୍ରତ୍ୟକ ପ୍ରତ୍ୟକଙ୍କ ହୃଦୟର କଥା ପରସ୍ପରକୁ ଜଣାନ୍ତି. ତା ଭିତରେ କିଛି କୁହା ବୋଲା ନାହିଁ କୁଆଡେ ଗାଏବ ହୋଇଗଲା ରାଧା ବୋଲି, ଭାଇ ବସି ଖାଲି ଭାବୁନଥିଲା ରାମ, ବରଂ ସାଙ୍ଗ ସୁଖ ଲଗେଇ ଭଉଣୀର ସୁରକ୍ଷା ପାଇଁ ତତ୍ପର ହୋଇ ଗଡିଆ, ପୋଖରୀ, ଷ୍ଟେସନ, ବଜାର, ବସଷ୍ଟାଣ୍ଡ ଆଦି ଖୋଜୁଥିଲା. ଏପଟେ ଜଟଣୀ ପର୍ଯ୍ୟନ୍ତ, ସେପଟେ ଭୁବନେଶ୍ୱର ଯାଉଥିବା ସବୁ ବସ ଅନୁସନ୍ଧାନ କରୁଥିଲା ତ ଏପଟେ ପୁରୀ ପର୍ଯ୍ୟନ୍ତ ସାଙ୍ଗମାନେ ଖୋଜୁଥିଲେ ମନ୍ଦିରରୁ ସମୁଦ୍ରକୁଳ ପର୍ଯ୍ୟନ୍ତ. ହେଲେ କୋଉଠୁ କିଛି ସୁରାକ ମିଳୁନଥିଲା.
ବାପା ନିଜ ରାଜକୁମାରୀକୁ ଦାନ କରିବା ଦୁଃଖ ଭିତରେ ରାଧାର, ଅଚାନକ ଗାଏବ ହେବାରେ କଣ କରିବେ ନକରିବେ ଭାବି ମୁଣ୍ଡ କୋଡ଼ି କୋଚାଡି ଚାଲି ଥିଲାବେଳେ ବୋଉ ଆକାଶ ପାତାଳ ଚିନ୍ତା କରୁଥିଲେ ତ ଫୋନ ବାଜି ଉଠିଥିଲା. ଆଉ ତାହା ଥିଲା ରାଧାର. ଦଉଡି ଆସିଥିଲେ ବାପା, ମାଆ, ଭାଇ ସହ କିଛି ବନ୍ଧୁ ବାନ୍ଧବ. ରାଧା କହୁଥିଲା ରାକ୍ଷୀର ସାକ୍ଷୀ ତା ଭାଇକୁ, ମତେ
ଆଉ ଖୋଜି କିଛି ଲାଭ ନାହିଁ ଭାଇ, ମୁଁ ଅଶୋକ ସହିତ ଚାଲିଆସିଛି.ଫୋନ କଟିଗଲା. ଥାନାକୁ ଯିବା ନୋହିଲା. ବାପାଙ୍କ ମୁଣ୍ଡରେ ବଜ୍ର ପଡିଲା, ବୋଉ ମୁଣ୍ଡରେ ଚଡକ କିନ୍ତୁ ଭାଇ?? ଭଉଣୀର ସମସ୍ତ ଦୋଷକୁ କ୍ଷମା କରିଦେଇ କହିଥିଲା କିଛି ଚିନ୍ତା କରନି. ବାହାଘର ହେବ. ହେଲେ ଅଶୋକ କିଏ ତାକୁ କୋଉଠୁ ପାଇବା ଯେ ବେଦୀରେ ଆଣି ବସାଇବା!ତୁଣ୍ଡ ବାଇଦ ପରି କଥାଟା ପ୍ରାଘଟ ହୋଇସାରିଥିଲା ଚାରିଆଡେ. ଏଥର କିଏ କେମିତି ତୁଣ୍ଡ ଖୋଲି କଟା ଘାରେ ଚୂନ ବୋଳୁଥିଲେ. ପଡୋଶୀ କେହି କହୁଥିଲେ ରାଧାର ଏ ବାହାଘରରେ ଇଛା ନଥିଲା ତ ରାଧାର ନିକଟତମ ସାଙ୍ଗ କେହି କହୁଥିଲା ସିଟି କରିବା ବେଳୁ ସେ ଅଶୋକକୁ ଭଲ ପାଉଥିଲା ବୋଲି ସେ ଜାଣେ. ଚୋର ପଳେଇଲା ପରେ ଯେମିତି ବୁଦ୍ଧି ଦିଶେ ସେମିତି ହେଉଥିଲେ ବାପା ବୋଉ ଦୁଇଜଣ.ଆଗରୁ କେହି କହିଲେନି କି ରାଧା ମନକଥା ନିଜେ ଖୋଲି କହିଲାନି, ଏବେ କଣ ହେବ?? ଆଉ ଗୋଟେ ଦିନ ବାହାଘର. ଭାଇ ରାମ କହୁଥିଲା ବାହାଘର ହେବ ରାଧାର ନୁହେଁ ରାମର. କିନ୍ତୁ କେମିତି?, ତୁ କଣ କାହାକୁ ଭଲ ପାଇଛୁ ପୁଅ?? ନା ବୋଉ ସେମିତି ହୋଇଥିଲେ ମୁଁ ରାଧାକୁ କହିଥାଆନ୍ତି, ସେ ସିନା ମତେ କହିଲାନି, ମୁଁ କିନ୍ତୁ ତା ନିମନ୍ତ୍ରଣ ପାଇ ଆସିଥିବା ଅତିଥି ଅଭ୍ୟାଗତଙ୍କୁ ନିରାଶ କରି ପାରିବିନି. ତୁମେ ଯୋଉ ଝିଅକୁ କହିବ ତାକୁହିଁ ବାହା ହେବି.କିଛିଟା ଉଜ୍ଜ୍ୱଳ ଦିଶିଲା ବାପା ବୋଉଙ୍କ ମୁହଁ.
ସେଇ ତିଥିରେ, ବିନା ଯୌତୁକରେ ବୋହୁ ହୋଇ ଆସିଲା ରୀନା. ଶାଶୁ ଶଶୁର ନାମ ଦେଲେ ସୀତା.କିଛି ପରିମାଣରେ ଅଶ୍ବସ୍ତିକର ପରିସ୍ଥିତିରୁ ବଞ୍ଚିଗଲା ପରିବାର. ରାକ୍ଷୀ ବନ୍ଧା ହାତରେ ଅଷାଢୁଆ ସୂତା ବାନ୍ଧିଲା ବେଳେ ରାମ ଭାବୁଥିଲା ମୋ ଭଉଣୀ ରାଧାକୁ ଭଲରେ ରଖ ପ୍ରଭୁ. ବାହାଘର ପରେ ଦଶହରାକୁ ଯାଇ ଦେବୀ ମେଢ଼ ଦେଖିବାକୁ ଓ ମାଆ ଦୁର୍ଗାଙ୍କ ପୂଜା କରିବାକୁ ସେ ନିଶ୍ଚୟ ଯାଇ ଅଶୋକ ଓ ରାଧାକୁ ନେଇଆସିବ ଘରକୁ।