ଅର୍ଦ୍ଧସତ୍ୟ
ଅର୍ଦ୍ଧସତ୍ୟ




ଲକଡାଉନ୍ ଖୋଲିବା ପରେ କିଛି ମାତ୍ରାରେ ଚଳଚଞ୍ଚଳ ହୋଇ ଉଠିଛି କାଠମାଣ୍ଡୁ ସହର ।
ସହରଠୁ ଅଳ୍ପ ଦୂରରେ ବସ୍ତିଟିଏ। ବସ୍ତିର ଠିକ୍ ମଝିରେ ଛୋଟ ଆପାର୍ଟମେଣ୍ଟ, ପଶୁପତି ନିବାସ। ସେଇ ଆପାର୍ଟମେଣ୍ଟ ରେ ତୃତୀୟ ମହଲା ରେ ରହନ୍ତି ଚାରୁମତି। ସ୍ବାମୀ କାମ କରନ୍ତି ଭାରତରେ। ଲକ୍ ଡାଉନ୍ ଯୋଗୁଁ ଭାରତରୁ ସେ ଆସି ପାରୁ ନାହାନ୍ତି । ଏକା ଏକା ସମୟ ବିତେଇବାକୁ ପଡୁଥାଏ ଚାରୁମତିଙ୍କୁ ନିଜର ଫ୍ଲାଟ୍ ଭିତରେ। ଦେଵୀନା ଆପାର୍ଟମେଣ୍ଟ ରେ କେୟାର ଟେକର ହିସାବରେ କାମ କରେ। ଦୁଇ ବର୍ଷରୁ ଅଧିକ ହେବ, ପୁଅ ଧାନୁ ସାଥିରେ ସେ ରହି ଆସୁଛି ଆପାର୍ଟମେଣ୍ଟ ର ବେଶମେଣ୍ଟ ରେ।
ଚାରୁମତି ଛୋଟ ଛୋଟ ଜିନିଷ ପାଇଁ ଦେବୀନା ଉପରେ ନିର୍ଭର କରନ୍ତି, ଦେବୀନା ବଜାରକୁ ଯାଇ କିଣା କିଣି କରେ ଚାରୁମତି ଙ୍କ ପାଇଁ ...ଫୋନ୍ କରି କହିଲେ ଦେବୀନା ! ପର୍ଶୁ ଦିନ ପଚାଶ ଟଙ୍କା ଦେଇଥିଲି ଧାନୁକୁ। ପଇଁତିରିଶ ଟଙ୍କାରେ କ୍ଷୀର ଓ ଦହି ଆଣିଥିଲା ସେ ମାେ ପାଇଁ। ବଳି ଥିବା ପନ୍ଦର ଟଙ୍କାରେ ଗୋଟାଏ ଦହି ପାକେଟ୍ କିଣି ପଠେଇବୁ। ଦେବୀନା କହିଲେ ନା ମାଡ଼ମ୍, ସେ ମୋତେ କିଛି ଦେଇନି। କହୁଥିଲା ମ୍ୟାମ ଙ୍କ ସାଥିରେ ସବୁ ନିପ ଟେଇ ଦେଇଛି ବୋଲି । ତମେ ମନେ ପକାଅ ମାଡମ୍। ଭାରି ଅଡ଼ୁଆ ଲାଗିଲା ଚାରୁମତିଙ୍କୁ। ଚାରୁମତି ଫୋନ ରଖିଦେଲେ। ମନେ ପକେଇବାକୁ ଚେଷ୍ଟା କରୁଥିଲେ ଧାନୁ କଣ ସତରେ ପଇସା ଫେରେଇଛି !!!
ଅଧା ଘଣ୍ଟା ପରେ ଧନୁ ଆସି ବେଲ୍ ବଜେଇଲା। ଚାରୁମତି ଡୋର ଖୋଲି ଦେଖିଲେ ଧନୁ ଦହି ପକେଟ ଟିଏ ନେଇ ଛିଡ଼ା ହୋଇଛି। ଦହି ପାକେଟ ବଢେଇ ଦେଇ କହିଲା ମ୍ୟାମ୍, ଗୋଟାଏ କଥା କହିବି, କହ
ରାଗିବନି ! ଛୋଟ ଛୁଆଟିର ଅସହାୟତା କୁ ଦେଖି ଚାରୁମତି କହିଲେ କହ ! ରାଗିବିନି।ମାଆକୁ କହିବନି !!
ନା କହିବିନି। ପର୍ଶୁ ଦିନ ତମ ପଇସା ନେଇ କ୍ଷୀର ଆଣିବା ପାଇଁ ବଜାରକୁ ଯାଇଥିଲି। କ୍ଷୀର ବାଲା ପାଖରେ ଗରମ୍ ଗରମ୍ ପାଇଁ ରୁଟି ଦେଖି ଭାରି ଲୋଭ ହେଲା। ଲକ୍ ଡାଉନ୍ ସମୟରେ ମାଆ ଭାରି କଷ୍ଟରେ ଚଳୁଛି, କିଛି କାମ ନାହିଁ। ଘରେ କିଛି ନ ଥିଲା, ରାତିରେ ଖାଇ ନ ଥିଲି। ଭୋଖିଲା ଥିଲି। ପନ୍ଦର ଟଙ୍କାରେ ପାଉଁରୁଟି ଖାଇ ଦେଲି, ଲୋଭରେ। ମା ପଚାରିଲା, ମାଡ଼ ଭୟରେ କହିଲି, ପଇସା ଫେରେଇ ଦେଇଛି ବୋଲି।
ଏ ଦହି ପ୍ୟାକେଟ ପାଇଁ ପଇସା ! କୋଉଠୁ ଆଣିଲୁ ?
ମା କେତେବେଳେ କେମିତି ଟଙ୍କାଏ, ଟଙ୍କାଏ କଏନ ଦେଇଥାଏ। ମୋ ଡବାରେ ପନ୍ଦର ଟଙ୍କା ହିଁ ଥିଲା। ସେଇ ପଇସାରେ ଦହି ନେଇ ଆସିଛି।
ଯା... ତୁ, କିଛି କହିବିନି ତୋ ମାଆକୁ।
ପନ୍ଦର ଟଙ୍କା ବଢେଇ ଦେଇ କହିଲେ, ନେ ପଇସା ରଖ, ଡବାରେ ରଖି ଦେବୁ, ଦରକାର ବେଳେ ଏମିତି କାମରେ ଆସିବ। ଧନୁ ପଇସା ଧରି ହସିଦେଲା,.... ଏକ ନିଷ୍ପାପ ହସ .....!!!
ଚାରୁମତି ଙ୍କ ଆଖି ଜକେଇ ଆସିଲା।
***
ସଂଜ ବେଳକୁ ଦେବୀନା ମାଡ଼ମ ଙ୍କ ଘରକୁ ଆସି କହିଲେ
ମାଡ଼ମ ! ମୁଁ ଠିକ୍ କହୁଥିଲି ନା, ତମେ ଭୁଲି ଯାଇଥିଲ, ପନ୍ଦର ଟଙ୍କା ନେଇ କଣ ଆମେ କଣ ଧନୀ ହୋଇ ଯିବୁ ମାଡ଼ମ। ଗରିବ ହେଲେ କଣ ହେଲା, ସ୍ୱାଭିମାନ କୁ ନେଇ ବଞ୍ଚିଛି ।
ଦେବୀନା ର କିଛି ଭୁଲ ନାହିଁ ବୋଲି ସେ ଜାଣିଥିଲେ ଧାନୁ ପାଖରୁ। ତେଣୁ ଦେବୀନା ଉପରେ ବିରକ୍ତ ହେବାର ପ୍ରଶ୍ନ ଉଠୁ ନଥିଲା। ଦେବୀନା ଠିକ୍ ଥିଲା ତା ରାସ୍ତାରେ, ତା ଭାବନାରେ। ମିଛ ତ ଧାନୁ କହିଛି !!!
ଚାରୁମତି ଚୁପ ରହିଲେ। ଅସହାୟ ଧାନୁ କୁ କଥା ଦେଇଛନ୍ତି ଯେତେବେଳେ, ତାକୁ ରକ୍ଷା କରିବା ଥିଲା ତାଙ୍କର ପ୍ରଥମ କର୍ତ୍ତବ୍ୟ। ଗୋଟାଏ ଦିଗରେ ଅସହାୟତା , ଅନ୍ୟ ଦିଗରେ ସ୍ୱାଭିମାନ। ଅସହାୟତା ଆଉ ସ୍ୱାଭିମାନ ଭିତରେ ଦବି ଯାଇଛନ୍ତି ଚାରୁମତି ସାଣ୍ଡଉଇଚ ପରି। ମିଛକୁ ପରୋକ୍ଷ ଭାବରେ ସାଥୀ ଦେବା କଷ୍ଟ ଦାୟକ ଥିଲେ ବି ଅସହାୟତାରେ ଦଳିଚକଟି ହୋଇ ଯାଇଥିବା ଧାନୁ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ଗୋଟାଏ ମାଆର ପୁଅ ସହିତ ସମ୍ପର୍କ ରେ ତିକ୍ତତା ଆସି ଥାଆନ୍ତା। ଚାରୁମତି ଚାହୁଁ ନ ଥିଲେ ଏମିତି କିଛି ଘଟଣା ଘଟୁ। ଚାହିଁଥିଲେ ସେ କହି ପାରି ଥାଆନ୍ତେ ମୁଁ ମୋର ପନ୍ଦର ତାଙ୍କ ପାଇ ନ ଥିଲି ବୋଲି, କିନ୍ତୁ ଚୁପ୍ ରହିଲେ।
ମିଥ୍ୟା ଯେତେବେଳେ ଆବଶ୍ୟକ ବୋଲି ମନେ ହୁଏ, ସେଇ ମିଥ୍ୟା ଭିତରେ ବି ମିଠା ମିଠା କିଛି ଗୋଟାଏ ଅନୁଭବ ଛୁପି ଛୁପି ରହିଥାଏ । ଚାରୁମତି ଚୁପ ରହିଲେ ...
ଦେବୀନା କହିଲା ମ୍ୟାଡମ, କହିଲି ବୋଲି କିଛି ଭାବିବନି.. ।
ନା ଲୋ ଦେବୀନା, ମୁଁ କିଛି ଭାବିନି...
ମନେ ମନେ କିନ୍ତୁ ଭାବୁ ଥିଲେ ସେ ଅନେକ କିଛି , ଦାରିଦ୍ର୍ୟ କେମିତି କାବୁ କରିନିଏ ମଣିଷର ସରଳ, ନିଷ୍କପଟ ସ୍ଵଭାବକୁ...ଧାନୁର ଅସହାୟ ମୁହଁ ଝଲସି ଉଠୁଥିଲା, ଚାରୁମତିଙ୍କ ଆଖି ଆଗରେ, ଭୋକିଲା ଛୁଆଟା ପନ୍ଦର ଟଙ୍କାରେ ବ୍ରେଡ ଖାଇ ପକେଇଛି !! ତାର ଭୁଲ କୋଉଠି ??? "ମାଆ କୁ କହିବିନି", କଥା ଦେଇଛନ୍ତି ଯେତେବେଳେ ତାକୁ ରକ୍ଷା କରିବା ହିଁ ଥିଲା ଚାରୁମତି ଙ୍କ ପ୍ରାଥମିକତା । ଅର୍ଦ୍ଧସତ୍ୟ ଭିତରେ ନିଜକୁ ତର୍ଜମା କରୁଥିଲେ ସେ..ଜୀବନଟା ଏତେ ସହଜ ନୁହେଁ ଯେତେ ବାହାରକୁ ଦେଖାଯାଏ ...
ନିତ୍ୟାନନ୍ଦ ନନ୍ଦି