Baman Chandra Dixit

Drama Horror

4.0  

Baman Chandra Dixit

Drama Horror

ଅପୂର୍ଵ ଅନୁଭୂତି

ଅପୂର୍ଵ ଅନୁଭୂତି

4 mins
149


          ବହୁତ ଦିନ ତଳର କଥା ।1986 ମସିହା ଅକ୍ଟୋବର ମାସ ୨୩ତାରିଖ ରାତି ।ଭାରତୀୟ ରେଳ ବିଭାଗରର ସହାୟକ ଷ୍ଟେସନ ମାଷ୍ଟର ଭାବରେ ମୋର ସାକ୍ଷାତକାର ପରୀକ୍ଷା ହେବାର ଥାଏ,କଲିକତା ସ୍ଥିତ ପୂର୍ବ ରେଲୱେ ମୁଖ୍ୟାଳୟ ରେ। କଲିକତାରେ କେହି ଚିହ୍ନା ଜଣା ଲୋକ ନଥାଆନ୍ତି ।ସେତେବେଳେ କୌଣସି ହୋଟେଲରେ ରହିବା ଭଳି ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ନଥିଲା।ବଡ଼ ଚିନ୍ତାରେ ଥାଏ ମୁଁ।ଏହା ପୂର୍ବରୁ ଲିଖିତ ପରୀକ୍ଷା ସମୟରେ ଥରେ କଲିକତା ଆସି ଥିଲି।ସେତେବେଳ ର କଥା ଅଲଗା ଥିଲା।ଭାନୁ ନାନୀ ମୋ ମାଉସୀଙ୍କ ଝିଅ ଚବିଶ ପ୍ରଗନା ରେ ରହୁଥିଲେ।ଚେତଲା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋର ସେଣ୍ଟର ଥାଏ।ତାଙ୍କ ପାଖରେ ରହି ଲିଖିତ ପରୀକ୍ଷା ଦେଇଥିଲି।ଏବେ Proper କଲିକତାରେ କାମ।ତେଣୁ କେଉଁଠି ରହିଲେ ଠିକ ହେବ ଭାବୁଥାଏ।

ଆମ ଗାଆଁ ର ମୋ ସମ୍ପର୍କରେ ବୁଢ଼ାବାପା ହେବେ ଜଣେ ବଡ଼ବଜ଼ାରରେ ରହୁଥାଆନ୍ତି।ସେଠାରେ ସେ ଗୋଟେ ଛୋଟ ଚା ଜଳଖିଆ ଦୋକାନ ଚଳାଉଥାଆନ୍ତି।ସଂଯୋଗକୁ ସେ ସମୟରେ ସେ ଗାଁକୁ ଆସି ଥାଆନ୍ତି।କଥା ହେଲି ତାଙ୍କ ସାଙ୍ଗରେ, ସେ କହିଲେ ଦିନେ ଦି ଦିନ ତାଙ୍କ ପାଖରେ ରହି ହେବ।ମୁଁ ବି ଖୁସି ହୋଇଗଲି।ସେହି ଦିନ ସେ କଲିକତା ଚାଲିଗଲେ।ମୋର ଯିବାକୁ ଆହୁରି ସାତ ଆଠ ଦିନ ବାକି ଥାଏ।ତାରିଖ ଆସିଲା 23 ସେପ୍ଟେମ୍ବର।ମୁଁ ଖୋଜି ଖୋଜି କେମିତି ବି ହେଉ ବଡ଼ବଜ଼ାର ରେ ତାଙ୍କ ଦୋକାନ ଟି ଠାବ କରିବାରେ ସକ୍ଷମ ହୋଇ ଗଲି।ସେ ସମୟରେ ଫୋନର ଚଳନ ନଥିଲା,ଯଦି ବି ଥିଲା ସାଧାରଣ ଲୋକଙ୍କ ପହୁଞ୍ଚରୁ ବାହାରେ ଥିଲା।ତେଣୁ ପଚାରି ପଚାରି ଜାଗା ଖୋଜିବାକୁ ପଡୁଥିଲା।ସେ ଯାହା ହେଉ ମୁଁ ତାଙ୍କ ପାଖରେ ପହଂଚି ଗଲି।ବସା ଘରେ ତାଙ୍କ ଭଳି ଆହୁରି ଅନେକ କର୍ମଚାରୀ ରହୁଥାଆନ୍ତି।ଦିନରେ ଯେ ଯାହାର କାମରେ ଵ୍ୟସ୍ତ,ରାତିରେ ଶୋଇବା ପାଇଁ ଛାତ ଉପରେ ଖଣ୍ଡେ ଖଣ୍ଡେ ପଟି ବିଛେଇ ସମସ୍ତେ ଗଡ଼ି ପଡନ୍ତି।ଆଉ ଦି ମିନିଟ ପରେ ନିଦ ଆଉ ଘୁଙ୍ଗୁଡିର ଶବ୍ଦ ସହିତ ଅଭ୍ୟସ୍ତ ସମସ୍ତେ ଆରାମରେ ଶୋଇ ଯାଆନ୍ତି।ମୁଁ ବି ସେହି ମାନଙ୍କ ମଝିରେ ଗୋଟେ ଚାଦର ଘୋଡ଼ି ହୋଇ ପଡିଥାଏ,ନିଦ ଆସୁନଥାଏ,ବୋଧ ହୁଏ ମୋ ଭାଗର ନିଦ ଡ଼ରୁଥାଏ ଏ ଘୁଙ୍ଗୁଡିର କୋଳାହଳକୁ।ରାତି ବହୁତ ହୋଇ ସାରିଥାଏ,ଥଣ୍ଡା ବି ଲାଗୁଥାଏ ଅଳ୍ପ ଅଳ୍ପ।ମୁଁ ଚାଦରରେ ମୁହଁ ଘୋଡେଇ ହୋଇ ଶୋଇବାକୁ ଚେଷ୍ଟା କଲି।ରାତି 3ଟା ଯାଏ ମୋତେ ନିଦ ହୋଇ ନଥିଲା,ତାପରେ କେତେବେଳେ ମୋର ଆଖି ଲାଗିଯାଇଥାଏ ।ହଠାତ ମୋ ଆଖି ଉପରେ ସିଧା ଏକ ତେଜ ଆଲୋକ ପଡିବାର ଅନୁଭବ କଲି ମୁଁ।ଚାଦର ଖସେଇ ଦେଲି ମୁହଁ ଉପରୁ;ଯାହା ଦେଖିଲି ସେଥିରେ ମୋର ଚେତା ଶୁନ୍ୟ ହୋଇଗଲାଭଳି ଅନୁଭବ କଲି।ଠିକ ମୋ ବେକ ଉପରେ ଗୋଟେ ବାଡ଼ି କୁ ଦୁଇ ପାଖରୁ ଧରି ଦି ଜଣ ମୋଟାସୋଟା ଲୋକ ମୋର ଗଳା ଦବେଇ ମୋତେ ମାରି ଦେବାକୁ ଉଦ୍ୟତ ହେଉଥାନ୍ତି ଯେପରି।ତାଳୁ ଶୁଖି ଯାଇଥାଏ ମୋର।ଆସନ୍ନ ମୃତ୍ୟୁକୁ ସାମ୍ନାରେ ଦେଖୁଥାଏ ମୁଁ।ଚିତ୍କାର କରିବାଉ ଚାହୁଁଥାଏ ମୁଁ,ମାତ୍ର ସମସ୍ତ ଚେଷ୍ଟା ବିଫଳ ହେଉଥାଏ।ଉଠି ଦଉଡି଼ ପଳେଇଯିବାକୁ ଚେଷ୍ଟା କରୁଥାଏ,ମାତ୍ର ମୋର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଶିଥିଳ ପଡିଯାଇ ଥାଆନ୍ତି।ମୋ ତୁଣ୍ଡରୁ ଶବ୍ଦ ବାହାରୁ ନଥାଏ।ମୁହଁ ଅଠାମାରି ଯାଉଥାଏ।କେବଳ କିଛି ଅସ୍ପଷ୍ଟ ଶବ୍ଦ ବାହାରି ପାରୁଥାଏ ବୋଧ ହୁଏ। ହଠାତ ଏକ ଭାରି ଆବାଜ ରେ କଥା କିଛି ଶୁଣିବାକୁ ମିଳିଲା।"ये निल्लु सिंह है क्या?" ମୁହଁ ବୁଲେଇ ଦେଖିଲି ଜଣେ ପୋଲିସ ଅଧିକାରୀ ,ଯାହାଙ୍କ ବାଁ ହାତରେ ଟର୍ଚ୍ଚଟିଏ ଆଉ ଡାହାଣ ହାତରେ ରିବଲବର ଥାଏ।ଗୋଟାପଣେ ଝାଳରର ସୁଡୁବୁଡୁ ହୋଇ ସାରିଥାଏ ମୁଁ। ସେ ତଥାକଥିତ ଦୁଇ ଯମ ଦୂତଙ୍କୁ ପଚାରିଲେ।ଏକ ସ୍ୱରରେ ଦୁଇ ଯମଦୂତ କହିଲେ "नहीँ साहब ये निल्लु सिंह नहीं है"ମୋ ପିଣ୍ଡରେ ପାଣ ଥିବାର ଅନୁଭବ କଲି ମୁଁ।ଉଠି ବସିଲି ପ୍ରଥମେ ଇଂରାଜୀ ରେ ପୁଣି ଓଡ଼ିଆ ମିଶା ହିନ୍ଦୀରେ ସେ ଅଫିସରଙ୍କୁ ବୁଝେଇବାକୁ ଚେଷ୍ଟା କରୁଥାଏ ମୁଁ।ମୁଁ ଏତେ ଡ଼ରିଯାଇଥାଏ ଯେ ଠିକ ଭାବରେ କଥା କହିପାରୁ ନଥାଏ।ମୋର ଅବସ୍ଥା ସେ ହୃଦୟବାନ ପୋଲିସ ଅଧିକାରୀ ଜଣକ ବୁଝି ପାରୁଥାନ୍ତି। କିଛି କ୍ଷଣ ପରେ ମୁଁ ତାଙ୍କୁ ବୁଝେଇବାରେ ସମର୍ଥ ହୋଇ ପାରିଲି ଯେ ମୁଁ RRB Calcutta ରେ ASM ପଦ ପାଇଁ INTERVIEW ଦେଵା ପାଇଁ ଆସିଛି।ମୋ ଘର ଓଡିଶା ର ଭଦ୍ରକ ରେ,interview letter ମଧ୍ୟ ଅଛି ,ଦେଖିପାରନ୍ତି। ଏହାରି ଭିତରେ ମୁଁ ବାରମ୍ବାର ଧିରେ ଧିରେ ଉଚ୍ଚାରଣ କରୁଥାଏ -"ପ୍ରଭୁ ଜଗନ୍ନାଥ ମୋତେ ରକ୍ଷା କର ପ୍ରଭୁ , ଯଦି ଥାନା କୁ ନେଇ ଯିବେ ମୋ ପରୀକ୍ଷା ଗଲା।ପ୍ରଭୁ ଜଗନ୍ନାଥ ରକ୍ଷା କର ପ୍ରଭୂ.."ମୋ ମୁହଁରୁ ବାରମ୍ବାର ଜଗନ୍ନାଥଙ୍କ ନାଁ ଶୁଣି ସେ ପୋଲିସ ଅଧିକାରୀ ଜଣକ ହିନ୍ଦୀରେ  କହିଲେ, "ଏଠି ବହୁତ ଚୋର ଡକାୟତ ଥାଆନ୍ତି।ଆଜି ନିଲୁ ସିଂ ନାମକ ଜଣେ କୁକ୍ଷାତ ଡାକୁକୁ ଖୋଜୁଥିଲି।ଏ ଦୁଇଜଣ ତାର ସାଥି।ଏଠି କେହି ମୁହଁ ଘୋଡ଼ି ହୋଇ ଶୁଅନ୍ତି ନାହିଁ।ତୁ ମୁହଁ ଘୋଡ଼ିହୋଇ ଶୋଇଥିଲୁ ବୋଲି ମୋତେ ଚେକ କରିବାକୁ ପଡିଲା। ଯା ଯେଉଁ ଜଗନ୍ନାଥଙ୍କ ନାମ ନେଉଛୁ ସେ ତୋତେ ରକ୍ଷା କଲେ।ଯଦି ଏ ମାନଙ୍କ ଭିତରୁ କେହି ଭୁଲରେ ହେଉ ବା ଡରରେ ହେଉ ତୋତେ ନିଲୁ ସିଂ ବୋଲି କହିଦେଇ ଥାଆନ୍ତା ତା ହେଲେ ମୁଁ ବି ତୋତେ ବଞ୍ଚେଇ ପାରି ନଥାଆନ୍ତି।ଯା କାଲି ଭଲ କରି ପରୀକ୍ଷା ଦେ।ଜୟ ଜଗନ୍ନାଥ।"ତାଙ୍କ ମୁହଁରୁ ଜୟ ଜଗନ୍ନାଥ ଉଚ୍ଚାରଣ ଶୁଣି ମୋର ପିଣ୍ଡରେ ପ୍ରାଣ ପଶିଲା ଭଳି ଲାଗୁଥାଏ।ମୋ ଜୀବନରେ କେବେ ଏତେ ଅଳ୍ପ ସମୟ ମଧ୍ୟରେ ଏତେ ବାର ଜଗନ୍ନାଥଙ୍କୁ ସ୍ମରଣ କରି ନଥିଲି।ହଜ଼ାର ହଜାର ଦଣ୍ଡବତ କରୁଥାଏ ମୁ ଶ୍ରୀ ଜଗନ୍ନାଥଙ୍କୁ।

               ଅନେକ ଆଶ୍ୱସ୍ତ ହୋଇ ସାରିଥାଏ ମୁଁ ସେ ପର୍ଯ୍ୟନ୍ତ।କାନ୍ଦ କାନ୍ଦ ହୋଇ ତାଙ୍କୁ ଧନ୍ୟବାଦ ଦେଲି,ସେତେ ବେଳେ ଦେଖିଲି ମୋତେ ବାଡ଼ି ଭଳି ଯାହା ଦିଖାଯାଉଥିଲା ଅସଲରେ ତାହା ଦୁଇ ଚୋରଙ୍କ ହାତକୁ ବାନ୍ଧି ରଖିଥିବା ମୋଟା ଦଉଡି଼ ଥିଲା ।ମୋ ମୁଣ୍ଡ ର ଦୁଇ ପାଖରେ ସେ ଦୁହେଁ ଠିଆ ହୋଇଥିବାରୁ ଦଉଡି଼ ଟି ସିଧା ଥାଇ ବାଡ଼ି ର ଭ୍ରମ ସୁଷ୍ଟି କରୁଥାଏ।

 କୋଳାହଳ ଶୁଣି ସମସ୍ତେ ଉଠି ସାରିଥାଆନ୍ତି ସେତେବେଳକୁ। ସମସ୍ତଙ୍କର ସେଇ ଗୋଟିଏ କଥା-ମୁହଁ ଘୋଡେଇ କାହିଁକି ଶୋଇଲି।।ମୁହଁ ଖୋଲାଥିଲେ ପୋଲିସ କେବଳ ଦେଖି ଦେଇ ପଳେଇ ଯାଇଥାନ୍ତା।ଏତେ ଝାମେଳା ହୋଇ ନଥାନ୍ତା କି ସେମାନଙ୍କ ନିଦ ଖରାପ ହୋଇ ନଥାନ୍ତା।ମୋ ବୁଢ଼ାବାପା ଆସି ସମସ୍ତଙ୍କୁ ବୁଝେଇ ସୁଝେଇ ଚାଲି ଗଲା ପରେ ସମସ୍ତେ ପୁଣି ନିଦରେ ଶୋଇ ଗଲେ ।ମୁଁ କିନ୍ତୁ ଶୋଇ ପାରୁ ନଥାଏ।ସମସ୍ତଙ୍କର କଥା ବାରମ୍ବାର ପ୍ରତିଧ୍ବନିତ ହେଉଥାଏ ।ହାତ ପାପୁଲିରେ ଦୁଇ କାନ କୁ ଚାପି ଧରି ସାମାନ୍ୟ ହେବାକୁ ଚେଷ୍ଟା କରୁଥାଏ ମୁଁ।ମାତ୍ର ସେ ପୋଲିସ ଅଧିକାରୀଙ୍କର ଦି ପଦ କଥା ମୋ ହୃଦୟରେ ଶତ ଗୁଞ୍ଜରଣ ସୃଷ୍ଟି କରୁଥାଏ "जाओ जो जगन्नाथ का नाम ले रहे हो वही जगन्नाथ तुम्हे बचालिये।गलती से या डरसे इनमें से कोई अगर बोल देता हाँ यही है निल्लु सिंह,तो मैं भी तुम्हें बचा नहीं पाता।"

          ପୂର୍ବ ଆକାଶରୁ ସିନ୍ଦୁରା ଫାଟୁଥାଏ।ମୋର ସାରା ଶରୀର ରୋମାଂଚିତ ହେଉଥାଏ ବାରମ୍ବାର ।ମହାପ୍ରଭୁ ଜଗନ୍ନାଥଙ୍କୁ ଅନୁଭବ କରୁଥାଏ ମୁଁ ମୋର ପ୍ରତି ଲୋମକୂପରେ।ଆଖିରୁ ଅନବରତ ଲୁହ ଝରୁଥାଏ।ବାରମ୍ବାର ଲୁହ ପୋଛି ପୋଛି ଚାହୁଁଥାଏ ମୁଁ ପୂର୍ବ ଆକାଶକୁ।ଲାଲ ସୂର୍ଯ୍ୟଟା ମୋତେ ଗୋଟାପଣେ କଳା ଦେଖାଯାଉଥାଏ ଏବଂ ତା ମଧ୍ୟରେ ଦୁଇ ଦୁଇ ଟା ଛୋଟ ଛୋଟ ଲାଲ ଲାଲ ସୂର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କ ଚକା ଡୋଳା ଭଳି ଦେଖିପାରୁଥାଏ ମୁଁ।ନିରବ ଏବଂ ପବିତ୍ର ସନ୍ଧି କ୍ଷଣରେ ମୁଁ ଅପୂର୍ବ ତୃପ୍ତି ଅନୁଭବ କରୁଥାଏ। ଲୁହଭରା ଆଖିକୁ ମୋର ସାରା ସଂସାର ଜଗନ୍ନାଥମୟ ଦିଶୁଥାଏ।



Rate this content
Log in

Similar oriya story from Drama