ଅପ୍ରତ୍ୟାଶିତ
ଅପ୍ରତ୍ୟାଶିତ
ଅନ୍ଧକାର ଘୋଟି ଯାଇଥିଲା ଅବେଳ ଟାରେ। ବାହାରେ ବର୍ଷା ତାର ପ୍ରକୋପ ଜାରି ରଖିଥିଲା, କମ୍ ବେଶି ଅନୁପାତରେ ପବନ ବି ବୋହୁଥିଲା ।
କିଛି ସମୟ ପରେ ପ୍ରକାଶ ଆସି ସେଠାରେ ପହଞ୍ଚିଲା। ବାଇକ୍ ଷ୍ଟାଣ୍ଡ୍ ମାରି ହଠାତ୍ ଓ୍ଡେଟିଂ ରୁମ୍ ଭିତରକୁ ପଶି ଆସିଲା ।
ପାଖରେ ଠିଆ ହୋଇଥିବା ଝିଅଟିକୁ ଲକ୍ଷ କଲା ପ୍ରକାଶ। କଲେଜ ଫେରନ୍ତା ଏକଲା ଝିଅଟିଏ । ଝିଅଟି ବହୁତ ବ୍ୟସ୍ତ ବିବ୍ରତ ଜଣା ପଡୁଥିଲା। ବାରମ୍ବାର ବାହାରକୁ ଚାହିଁବା ସହିତ ନିଜ ଭାଗ୍ୟକୁ ନିନ୍ଦିଲା ପରି ମୁହଁ କରୁଥିଲା ।
ସୌଜନ୍ୟ ସହକାରେ ଝିଅଟିକୁ ପଚାରିଲା ପ୍ରକାଶ -" କଣ ଝିଅ କିଛି ଅସୁବିଧା ଅଛିକି ? ବହୁତ ଟେନସନ୍ ରେ ଥିବାଭଳି ଲାଗୁଛ ? ଯଦି ମୁଁ କିଛି ହେଲ୍ପ କରି ପାରନ୍ତି ।"
ଝିଅଟି କିଛି ସମୟ ଚୁପ୍ ରହିଲା ତାପରେ ମନ ଦୁଃଖ କଲା ଭଳି ମୁହଁ କରି କହିଲା -' ଘରେ ବୋଉ ଏକୁଟିଆ ଅଛି । ତାକୁ ଭଲକି ଦେଖା ଯାଉନି । ସେ ମେଡ଼ିସିନ୍ ଖାଇ ସାରିଲା ପରେ ଯାଇ ଖାଇବ । ବହୁତ ଡେରି ହୋଇ ଗଲାଣି ତା ସହିତ ଅନ୍ଧାର ବି ଘୋଟି ଆସିଲାଣି... କଣ କରିବି ?"
ପ୍ରକାଶ ପଚାରିଲା -" ତୁମ ଘର କୋଉଠି ?"
ଝିଅଟି କହିଲା -" ଏଇ ଶ୍ୟାମସୁନ୍ଦରପୁର "
-" ଠିକ୍ ଅଛି ମୁଁ ବି ସେଇ ବାଟେ ଯିବି ଆସ ତମକୁ ତମ ଘରେ ଛାଡ଼ି ଦେଇ ଯିବି "
-" ନା ନା ମୋ ଲାଗି ଆପଣ କାହିଁକି ଅସୁବିଧା ରେ ପଡ଼ିବେ "
-" ଆରେ ... , ଏଥିରେ ଅସୁବିଧା କୋଉଠି ରହିଲା ? ମୁଁ ତ ସେଇ ବାଟ ଦେଇ ଯିବି ତମକୁ ତମ ଘରେ ଛାଡ଼ି ଦେବି । ତାଛଡା ମୋର ବି କିଛି ଜରୁରୀ କାମ ନାଇଁ । ଅଫିସ୍ ରୁ ଫେରୁଥିଲି ଦଶ ମିନିଟ୍ ଆଗରୁ ପହଞ୍ଚି ଥାନ୍ତି ଦଶ ମିନିଟ୍ ଟିକେ ଡେରି ହୋଇ ଯିବ , ଏଇତ କଥା ଆଉ କ'ଣ ? ପ୍ଲିଜ୍ ମୋ ସାଙ୍ଗରେ ଆସ କିଛି ମାଇଣ୍ଡ କରନି ମୁଁ ତମ ଭାଇ ଭଳି । "
କେବଳ ବୋଉ ମୁହଁ କୁ ଚାହିଁ ଝିପ୍ ଝିପ୍ ବର୍ଷା ରେ ଅନ୍ଧାରୁଆ ପରିବେଶ ରେ ଜଣେ ଅପରିଚିତ ଲୋକ ସହିତ ବାଇକ୍ ପଛରେ ବସି ଝିଅଟି ଚାଲିଗଲା।
ସେ ଦୁହେଁ ଯାଇ ସାରିଲା ପରେ ଓ୍ଡେଟିଂ ରୁମ୍ ର ଗୋଟେ କୋଣ କୁ ଠିଆ ହୋଇଥିବା ମାଧବୀ ଭାବୁଥିଲା -" ୩୦୦୦ ଟଙ୍କା ବିନିମୟରେ ଯୋଉ ଲୋକ ଟା କାଲି ଘଣ୍ଟାକ ପାଇଁ ମୋ ଦେହ ଉପରେ ଅଧିକାର ସାବ୍ୟସ୍ତ କରୁଥିଲା । ଯାହା ନଜରରେ କେବଳ କାମନା ହିଁ କାମନା ଥିଲା ତା ପାଇଁ ।ସେଇ ଲୋକ ଆଜି ଏ ଝିଅଟା ପାଇଁ ସତରେ କ'ଣ ଗୋଟିଏ ଭାଇ ର କର୍ତ୍ତବ୍ୟ କରି ପାରିବ?