Lipi Sahoo

Comedy

4.0  

Lipi Sahoo

Comedy

ଅପହଞ୍ଚ କୃଷ୍ଣଚୂଡ଼ା

ଅପହଞ୍ଚ କୃଷ୍ଣଚୂଡ଼ା

7 mins
257


କୃଷ୍ଣଚୂଡ଼ା ପରି ସୁନ୍ଦର ଆଉ ମଲ୍ଲୀ ଫୁଲ ପରି ଅନାବିଳ ଆଉ ବାସ୍ନାୟିତ ସମସ୍ତଙ୍କର ବାଲ୍ୟ ଆଉ କୈଶୋର । ଜୀବନର ସୁବର୍ଣ୍ଣ ଯୁଗ କହିଲେ ଏହି ସମୟକୁ ହିଁ ବୁଝାଇ ଥାଏ । ବୟସର ପ୍ରବାହ ସହ ଆମେ ସେଇ ଚପଳତା ଆଉ ସରଳତା କୁ ହଜେଇ ବସୁ । ଯେତେବେଳେ ଜୀବନର ଅଙ୍କ କଷୁ କଷୁ ଜଟିଳ ସୂତ୍ର ଗୁଡିକ ଭିତରେ ଛନ୍ଦି ହେଇ ଅଣନିଃଶ୍ବାସୀ ହେଇଯାଉ , ଠିକ୍ ସେଇ ସମୟରେ ମନେପଡେ ବାଲ୍ୟ ସ୍ମୃତି । ଝରଣାର ପ୍ରବାହ ପରି ଚଞ୍ଚଳ ଆଉ ସ୍ଫଟିକ ପରି ନିର୍ମଳ ସେଇ ସମୟ ସବୁ ।

                ବାପାଙ୍କର ବଦଳି ହୁଏ ଛତ୍ରପୁର । ମୁଁ ସେତେବେଳେ ଦ୍ୱିତୀୟ ଶ୍ରେଣୀ ରେ ଥିଲି । ନୂଆ ନୂଆ ସ୍କୁଲ ଯାଉଥାଏ ।କେହି ସାଙ୍ଗ ହେଇ ନଥାନ୍ତି । ଭାରି ଏକା ଏକା ଲାଗେ । ସେଠି ମୋ ମନ ଯମା ଲାଗୁ ନଥାଏ । ସମସ୍ତେ ସାଙ୍ଗ ହେଇ ଖେଳୁ ଥାଆନ୍ତି । ମୁଁ ଖାଲି ସେମାନଙ୍କୁ ଦେଖେ । ମନେ ମନେ ଭାରି ରାଗେ ବାପାଙ୍କର ଏତେ ଟ୍ରାନ୍ସଫର ହୁଏ କାହିଁକି ? ନୂଆ ନୂଆ ଜାଗାରେ ସାଙ୍ଗ ବନେଇବା କେତେ କଷ୍ଟ ସେ କେମିତି ଜାଣିବେ ? ବର୍ଷେ ଦୁଇବର୍ଷ ଭିତରେ ପୁଣି ନୂଆ ଜାଗାକୁ ଚାଲି ଯିବେ । ପୁରୁଣା ସାଙ୍ଗମାନଙ୍କୁ ହରାଏ ତ ହରାଏ , ନୂଆ ସାଙ୍ଗ ବନେଇବା କେତେ କାଠିକର ବ୍ୟାପାର କେବଳ ମୁଁ ଜାଣେ । ଏମିତି ୩/୪ ଦିନ କଟିଗଲା । ଘରେ ଯାଇ କାନ୍ଦେ ମୋର କେହି ସାଙ୍ଗ ନାହାନ୍ତି ମୋତେ ସେଠି ଭଲ ଲାଗୁନି । ମୁଁ ସ୍କୁଲ ଯିବିନି । ମା ବୁଝେଇଲେ ତୁ ଆଗ ଯାଇ କଥା ହେଉନୁ ପିଲାଙ୍କ ସାଙ୍ଗେ । ତୁ ମିଶିଲେ ସେମାନେ ମିଶିବେ । ଠିକ୍ କଲି , କାଲି ଯାଇ ନିଶ୍ଚୟ ଗୋଟେ ସାଙ୍ଗ ବନେଇବି ।

               ସ୍କୁଲରେ ଯାଇ ପହଞ୍ଚିଲି । ସେତେବେଳେ ଆମେ ସବୁ ତଳେ ବସୁଥିଲୁ । ଆସନ ଘରୁ ନେଇ କି ଯାଇଥାଉ । ମୋ କଡ ରେ ଯେଉଁ ଝିଅ ବସୁଥିଲା ତା ସହ କଥା ଆରମ୍ଭ କଲି । ସେ ବି ମୋ ସହ କଥା ହେଲା । ମୁଁ ବହୁତ ଖୁସି ହେଇଗଲି । ଯାହା ହେଉ ଗୋଟେ ସାଙ୍ଗ ତ ମିଳିଲା । ଖାଇବା ଛୁଟିରେ ତା ସହ ଖେଳିବି । ହେଲେ ଯେତେବେଳେ ଖାଇବା ଛୁଟି ହେଲା ସେ ତା ସାଙ୍ଗ ସହ ଖେଳିବାକୁ ଲାଗିଲା । ଯିଏ କି ପଛ ଲାଇନ୍ ରେ ବସୁଥିଲା । ମୁଁ ସେମିତି ଏକୁଟିଆ ହେଇଗଲି । ନା ଯେମିତି ହେଲେ ୟାକୁ ମୋ ସାଙ୍ଗ ବନେଇବା କୁ ପଡ଼ିବ । ଛୁଟି ସରିବା ପରେ ଆମେ ପାଖାପାଖି ବସିଲୁ । ମୋ ମୁଣ୍ଡକୁ ବୁଦ୍ଧି ଜୁଟିଲା , ମୁଁ ଯଦି ତାକୁ କିଛି ଜିନିଷ ଦେବି ତା ହେଲେ ସେ ମୋ ସାଙ୍ଗ ହେବ । କ'ଣ ଦେବି କ'ଣ ଦେବି ଭାବିବାକୁ ଲାଗିଲି । ସେ କନା ବ୍ୟାଗରେ ତା'ର ବହିପତ୍ର ଆଣୁଥିଲା । ମୁଁ ରସର ବାକ୍ସ ନେଇକି ଯାଉଥିଲି । 

                  ହଠାତ୍ ମୋ ମୁଣ୍ଡ ରେ କ'ଣ ପଶିଲା କେଜାଣି ତାକୁ ପଚାରିଲି ତୁ ମୋ ଏଇ ବାକ୍ସ ନେବୁ କି ? ସେ ଆଶ୍ଚର୍ଯ୍ୟ ହେଲା କହିଲା ନାଇଁ ମୁଁ ତୋ ବାକ୍ସ କାହିଁକି ନେବି ? ମୁଁ ପୁଣି ପଚାରିଲି ତୋତେ ମୋ ବାକ୍ସ ଭଲ ଲାଗୁଚି ନା ନାହିଁ ? ସେ ହଁ ରେ ମୁଣ୍ଡ ହଲେଇଲା । ବାସ୍ ତା ହେଲେ ମୋ ବାକ୍ସ ନେଇ ଯା ।ମୋତେ ତୋ ବ୍ୟାଗ ଦେଇ ଦେ । ମୁଁ ନିଜେ ଦଉଚି ପା ତୋର ଡରିବାରେ କ'ଣ ଅଛି ଯେ ? ସେ କହିଲା ଘରେ ମାରିବେ ମୋତେ । ମୁଁ କହିଲି ତୁ କହିବୁ ମୋ ସାଙ୍ଗ ନିଜେ ଦେଇଛି ପା ଯାଚିକି । ତେବେ କାହିଁକି ବାଡେଇବେ ? ମୋ କଥା ତା ମନକୁ ପାଇଲା ସେ ନେଲା ମୋ ବାକ୍ସ ଆଉ ମୁଁ ଆଣିଲି ତା ବ୍ୟାଗ୍ । ମୋର ଗୋଡ଼ ଆଉ ତଳେ ଲାଗୁ ନଥାଏ ଖୁସିରେ । ଯାହା ହେଉ ଗୋଟେ ସାଙ୍ଗ ପାଇଗଲି । ଛୁଟି ହେଲା ।

                ରାମ (ପିଅନ) ଆସିଲା ମୋତେ ନେବା ପାଇଁ । ସେ ମୋ ହାତରେ ବ୍ୟାଗ୍ ଦେଖି ପଚାରିଲା ବାକ୍ସ କାଇଁ ?? ଏଇଟା କାହାର ? ମୁଁ ବି ଉତ୍ତର ଦେଇ ଦେଲି ଖାଇବା ଛୁଟିରେ ମୋ ଜାଗାରେ ବାକ୍ସ ବଦଳରେ ଏଇ ବ୍ୟାଗ୍ ଟା ଥିଲା । ବାକ୍ସ ହେଉ କି ବ୍ୟାଗ୍ ସବୁ ବହି ତ ଅଛି ସ୍ଲେଟ୍ ବି ଅଛି । ଏତେ ଚିନ୍ତା କାହିଁକି ? ସେ ସିଧା ଯାଇ ଆମ ଦିଦିଙ୍କୁ ଏଇ କଥା ଜଣେଇଲା । ସେ କହିଲେ ଏବେ ତ ସବୁ ପିଲା ପଳେଇଲେଣି । କାଲି ସବୁ ଧରା ପଡିଯିବ ଯିଏ ନେଇଥିବ । ଆଜି ଯାଆନ୍ତୁ କାଲି ନିଶ୍ଚୟ ବାକ୍ସ ପାଇଯିବେ ।

                ମୁଁ ଘରକୁ ଫେରିଲି । ମା ପଚାରିଲେ । ଠିକ୍ ସେଇ ଉତ୍ତର ଦେଲି । ଅତି ସିଆଣିଆ ନିଜକୁ ଭାବିଲି । ଯାହା ହେଉ କେ‌ହି କିଛି ଜାଣି ପାରିଲେନି । ରାତିରେ ଖାଇ ପିଇ ଆରାମରେ ଶୋଇଗଲି । ପର ଦିନ ସକାଳେ ସ୍କୁଲ ରେ ପହଞ୍ଚିଲି । ରାମ ଯାଇ ଦେଖା କଲା ଦିଦିଙ୍କୁ । ପ୍ରାର୍ଥନା ସରିଲା । ସବୁ ଯାଇ କ୍ଲାସ୍ ରେ ବସି ଥାଉ । ରାମ ବାହାରେ ଅପେକ୍ଷା କରିଥାଏ । ସବୁ ପିଲା ଆସିଥିଲେ । କେବଳ ସେଇ ପିଲାଟି ଆସି ନଥିଲା । ଠିକ୍ ସେଇ ସମୟରେ ତା ମାଁ ତାକୁ ବାଡ଼େଇ ବାଡ଼େଇ ଆଣି ସ୍କୁଲ ରେ ପହଞ୍ଚିଲେ । ସେ ଭେଁ ଭେଁ କାନ୍ଦୁଥାଏ

ତା କାନ୍ଦ ଦେଖି ମୋ ଆଖି ଛଳଛଳ ହେଇ ଗଲାଣି । ମୋ ବାକ୍ସ ତା ମାଁ ଧରି ଥାଆନ୍ତି । ଦିଦି ଦେଖି କି ସବୁ ଘଟଣା ବୁଝି ସାରି ଥାଆନ୍ତି । ତା ମାଁ ରାଗି କି କହିଲେ ଏବେଠୁ ଚୋରି କରିବା ଶିଖିଲାଣି । କହୁଚି କ'ଣ ନା ମୋ ସାଙ୍ଗ ମୋତେ ବାକ୍ସ ନିଜେ ଦେଇଛି । ଏମିତି କ'ଣ ହୁଏ ? ବଡ଼ ମାନଙ୍କ ଦୁନିଆ ଏତେ ଜଟିଳ ଯେ ସେମାନେ ଛୋଟ ମାନଙ୍କ ସରଳତା ବୁଝନ୍ତିନି । ସେ କାନ୍ଦି କାନ୍ଦି କହିଲା ତାକୁ ପଚାରୁନ ସେ କହିବଦିଦି ମୋତେ ଡାକି ପଚାରିଲେ ସେ ସତ କହୁଚି ? ମୁଁ କାନ୍ଦ କାନ୍ଦ ହେଇ ମୁଣ୍ଡ ହଲେଇଲି ହଁ ରେ । ଦିଦି ପୁଣି ପଚାରିଲେ , କାହିଁକି ଏମିତି କଲୁ ? ମୁଁ ଥଙ୍ଗେଇ ଥଙ୍ଗେଇ କହିଲି , ସେ ମୋ ସାଙ୍ଗ ହେବ ବୋଲି ମୁଁ ଏମିତି କଲି । ଏ କଥା ଶୁଣି ସମସ୍ତେ ହସି ଉଠିଲେ । କେବଳ ସେ ଆଉ ମୁଁ କାନ୍ଦୁ ଥାଉ । ତା ମାଁ ମୋତେ କହିଲେ , ତମେ ଜାଣିଚ !! ତମ ପାଇଁ ସେ କାଲିଠୁ ମୋ ପାଖରୁ କେତେ ମାଡ଼ ଖାଇ ସାରିଲାଣି ?? ମୋତେ ଆହୁରି ଜୋର୍ ରେ କାନ୍ଦ ମାଡ଼ିଲା । ଇଚ୍ଛା ହେଲା ଦୌଡ଼ି ଯାଇ ମୋ ସାଙ୍ଗର ଲୁହ ପୋଛି ଦେବାକୁ । ହେଲେ ମୁଁ ସେମିତି କିଛି କରି ପାରିଲିନି । ରାମ ଆସି କହିଲା ଏମିତି ଆଉ କେବେ କରିବନି । ମାଁ ଜିଣିଲେ ଘରେ ତମେ ବି ମାଡ଼ ଖାଇବ । ମୁଁ ଏବେ କିଛି ମାଁ ଙ୍କୁ କହିବିନି । ଖାଲି ମିଳିଗଲା ବାକ୍ସ ବୋଲି କହିଦେବି , ହେଲା । 

                  ଦୁହେଁ ଲୁହ ପୋଛି ଆମ ଜାଗାରେ ଯାଇ ବସିଲୁ । ସେ ଆଉ ମୋ ସାଙ୍ଗରେ କଥା ହେଲାନି । ଛୋଟ ମାନଙ୍କ କଥାରେ ବଡ଼ ମାନେ ମୁଣ୍ଡ ପୁରେଇଲେ ଏମିତି ସବୁ ଗଡବଡ ହୁଏ । ଆରେ ବ୍ୟାଗ୍ ହେଉ କି ବାକ୍ସ ବହି ସ୍ଲେଟ୍ ରହିଲେ ହେଲା । କିଛି ଦିନ ପରେ ମୋତେ ଗୋଟେ ସାଙ୍ଗ ମିଳିଲା । ତା ନାଁ ଗୋପା । ମୋ ଖୁସି କହିଲେ ନ ସରେ । ସ୍କୁଲରେ ଏବେ ମନ ଲାଗିଗଲା । ଆମେ ପାଖାପାଖି ବସୁ ଖେଳଛୁଟିରେ ଏକାଠି ଖେଳୁ ବୁଲୁ । ପଇସା ଆଣିଥିଲେ ଏକାଠି ନଳି ଚକଲେଟ୍ ମିଶିକି ଖାଉ । ମୋର ମନେ ଅଛି ମୁଁ ବାପାଙ୍କୁ ଦଶ ପଇସା ମାଗେ । ଆଜି କାଲିକା ପିଲା ସେ ପଇସା ଦେଖି ନଥିବେ । ଶୁଣିଲେ ହସି ଉଡେଇ ଦେବେ ଦଶ ପଇସା ବି ଥିଲା ସେତେବେଳେ ? ହେଲେ ସେ ଦଶ ପଇସାର ମହତ୍ୱ ସେମାନେ ବୁଝିବେନି । ସେଥିରେ ସବୁ ମିଳୁଥିଲା ବାରମଜା ଠାରୁ ଆରମ୍ଭ କରି ଚକଲେଟ୍ ପର୍ଯ୍ୟନ୍ତ । ଯେଉଁ ଦିନ ବାପାଙ୍କ ପାଖରେ ଦଶ ପଇସା ନଥିବ । ସେ ଚାରଣା ଧରେଇ ଦିଅନ୍ତି । ମୁଁ କାନ୍ଦି କି ଗଡ଼ି ଯିବି । ନାଇଁ ମୋର କୁଞ୍ଚ କୁଞ୍ଚିଆ ପଇସା ଦରକାର । ଏଇଟା ନେବିନି । କେବଳ ଦଶ ପଇସା ର ବାହାର ଟା କୁଞ୍ଚ କୁଞ୍ଚିଆ ଥିଲା । ଆଉ ସବୁ ଗୋଲ । ବାପା ବୁଝାନ୍ତି ଆରେ ଏଇଟା ବେଶୀ ଦଶ ପଇସା ଠୁ । ଏଥିରେ ବେଶୀ ମିଳିବ । ମୁଁ କିନ୍ତୁ ନଛୋଡବନ୍ଧା । ମୋର କୁଞ୍ଚ କୁଞ୍ଚିଆ ଦରକାର । ସେତେବେଳେ ମୋ ଉପର ଭାଇ ଆସି କହେ ମୋ ପାଖରେ ଅଛି ଦଶ ପଇସା । ତୁ ସେଇଟା ମୋତେ ଦେଇଦେ ମୁଁ ଦଶ ପଇସା ଦେଇ ଦଉଚି । ଆଉ ମୁଁ ମହା ଆନନ୍ଦରେ ରାଜି ବି ହେଇ ଯାଏ । ଏବେ ମନେ ପଡିଲେ ହସ ମାଡ଼େ ହେଲେ ସେତେବେଳେ ର ସେ ସରଳତା କୁ ଶହେ ସଲାମ୍ ।

                    ଦିନେ ଗୋପା କହିଲା ଆଜି ମୁଁ ବହୁତ ପଇସା ଆଣିଚି । ଦୋକାନରୁ ସବୁଥିରୁ କିଣି ଖାଇବା । ସ୍କୁଲ ପାଖରେ ହିଁ ଗୋଟେ ଦୋକାନ ଥିଲା । ସେଠି ସବୁ ମିଳେ । ଖାଇବା ଛୁଟିରେ ଆମେ ଦୁହେଁ ଦୋକାନରେ ପହଞ୍ଚି ଗଲୁ । ସେ ପକେଟ୍ ରୁ ତିନିଶହ ଟଙ୍କା କାଢି ବଢେଇ ଦେଲା ଦୋକାନୀ କୁ । ସେତେବେଳେ ଆମ ଫ୍ରକ୍ ରେ ପକେଟ୍ ରହୁଥିଲା । କହିଲା ଏଥିରେ ସବୁଥିରୁ ଆମକୁ ଦିଅ । ଚକଲେଟ୍ , ଚେନାଚୁର , ନଳି, ତେନ୍ତୁଳି ଆଚାର । ଆମ ଭଳି ପିଲା ହାତରେ ଦୋକାନୀ ତିନିଶହ ଟଙ୍କା ଦେଖି ତା ମୁଣ୍ଡ ବୁଲେଇଦେଲା । ଯୋଗ କୁ ସେହି ଦୋକାନ ରେ ଭେଟନାରୀ ଅଫିସର୍ ଠିଆ ହେଇଥିଲେ । କ'ଣ ନେବାକୁ ଆସିଥିଲେ ବୋଧେ । ସେ ମୋତେ ଚିହ୍ନନ୍ତି । ଆମ ଘରକୁ ସେ ଆସନ୍ତି । ଆମ ଘର ତ ଗୋଟେ ଚିଡ଼ିଆଖାନା ଥିଲା । ଗାଇ , କୁକୁର , କୁଟୂରା , ହରିଣ , କୁକୁଡ଼ା ସବୁ ଥିଲେ ଆମ ଘରେ । ସେ ଆଶ୍ଚର୍ଯ୍ୟ ହେଇ ପଚାରିଲେ ୟେ ଟଙ୍କା କୋଉଠୁ ଆଣିଲ ? ମୁଁ ସଦର୍ପରେ କହିଲି ମୋ ସାଙ୍ଗ ଆଣିଚି । ଦୋକାନରୁ ଦୁଇଟା ଚକଲେଟ୍ କିଣି ଆମକୁ ଦେଇ କହିଲେ ଚାଲ ମୋ ସାଙ୍ଗରେ । ସିଧା ଆସି ପହଞ୍ଚିଲେ ହେଡ୍ ସାର୍ ଙ୍କ ପାଖରେ । ଆମେ ଦୁହେଁ ଡରିକି ଛାନିଆ। ସେତେବେଳେ ଜାଣିଲୁ କିଛି ଗୋଟେ ଗଡବଡ ହେଇ ଯାଇଚି ବୋଧେ । ସେ ସବୁକଥା ସାର୍ ଙ୍କୁ ଜଣେଇଲେ । ସାର୍ ଗୋପାକୁ ଶାନ୍ତ ଭାବରେ ପଚାରିଲେ ଏ ପଇସା ତୁ କେଉଁଠୁ ଆଣିଲୁ ? ସେ ଫଟାଫଟ ଉତ୍ତର ଦେଲା । ଆମ ଦାଦାଙ୍କ ରୁମ୍ ର ତଳେ ପଡ଼ିଥିଲା ମୁଁ ଗୋଟେଇ କି ଆଣିଲି । ଏଇଟା କେତେ ଟଙ୍କା ଜାଣିଚୁ ? ଘରେ ନ ଜଣେଇ କାହିଁକି ତୁ ଆଣିଲୁ ? ସେ କହିଲା ଚକଲେଟ୍ ଖାଇବା ପାଇଁ ଆଣିଚି । ସାର୍ କହିଲେ , ତୁ ଯୋଉଟା କଲୁ ତାକୁ ଚୋରି ବୋଲି କୁହାଯିବ ଜାଣିଚୁ ? ସେ ମୁଣ୍ଡ ହଲେଇଲା ନାଇଁ ରେ । ପୁଣି ପଚାରିଲେ ତୁ ସବୁବେଳେ କେତେ ପଇସା ଆଣୁ ? ସେ କହିଲା ଦଶ ପଇସା ନ ହେଲେ ପଚିଶ ପଇସା । ତେବେ ଆକୁ କାହିଁକି ଆଣିଲୁ ? ସେ କହିଲା ପଡ଼ିଥିଲା ନେଇ ଆସିଲି । ସାର୍ କହିଲେ ଘରେ ନ ଜଣାଇ କିଛି ବି ସ୍କୁଲ କୁ ଆଣିବା ଚୋରି ଅଟେ ବୁଝିଲୁ । ସେ ଧୀରେ ହଁ ମାରିଲା । ସାର୍ ତା ବାପାଙ୍କୁ ଡକେଇ ସେ ଟଙ୍କା ତାଙ୍କୁ ଦେଲେ । ଘରେ ଯାଇ ସେଦିନ ସେ ଛେଚା ଖାଇଥିବ ବୋଧେ । ମୁଁ ଆଉ ସାହାସ କରି କେବେ ତାକୁ ପଚାରିନି ଘରେ ସେ ଦିନ କ'ଣ ହେଲା ବୋଲି । 

                 ଭେଟନାରୀ ମଉସା ଦିନେ ଆମ ଘରକୁ ଆସିଥିଲେ ‌। ସେ ୟେ ଘଟଣା ଆମ ଘରେ ସମସ୍ତ ଙ୍କୁ ଜଣେଇଲେ । ସମସ୍ତେ ସିନା ତାଙ୍କ କଥା ଶୁଣି ହସିଥିଲେ । ହେଲେ ବାପା ପରେ କହିଥିଲେ ତୁ ଜାଣୁ ସେତିକି ଟଙ୍କା ରେ ଗୋଟେ ପରିବାର ମାସେ ଚଳି ପାରିବ । ଆଉ ତମେ ଦୁହେଁ ଚକଲେଟ୍ କିଣିବାକୁ ପଳେଇଲ ? କେତେ କଷ୍ଟରେ ତାଙ୍କ ବାପା ସେତିକି ଟଙ୍କା ରୋଜଗାର କରିଥିବେ ଜାଣିଚୁ ? ମୁଁ ସରଳତାରେ ଉତ୍ତର ଦେଲି ସେ କହୁଥିଲା ସେ ଟଙ୍କା ତା ଦାଦା ଙ୍କର ପରା । ତାଙ୍କରି ରୁମ୍ ରୁ ପାଇଥିଲା । ସମସ୍ତେ ପୁଣି ହସି ଉଠିଲେ । ବାପା ଜାଣି ସାରିଥିଲେ ୟେ ଏବେ ବହୁତ ଛୋଟ ଅଛି ଟଙ୍କା ର ମୂଲ୍ୟାଙ୍କନ କରିବା ପାଇଁ । ଖାଲି ଏତିକି କହିଲେ ଏମିତି ପଡ଼ିଥିବା ଜିନିଷ କାହାକୁ ନ ଜଣେଇ ଉଠେଇ ନେଇ ନିଜ ପାଖରେ ରଖିବା ଟା ବି ଏକ ପ୍ରକାର ଚୋରି । ଏମିତି କେବେ କରିବୁ ନାହିଁ । ଏମିତି ଅନେକ ଦୁର୍ଦ୍ଦଶା କାହାଣୀ ମୋ ବାଲ୍ୟ ଜୀବନ ସହ ଜଡ଼ିତ । ବେଳେ ବେଳେ ଉଦାସ ଆକାଶ ଛାତିରେ କୃଷ୍ଣଚୂଡ଼ା ର ରଙ୍ଗ ଏକ କାନଭାସ୍ ଭଳି ଉତୁରି ଆସେ । ତା'ର ସେଇ ଲାଲିମା କୁ ଛୁଇଁ ଯିବାର ଅପଚେଷ୍ଟା କରେ । ବାର ବାର ଅସଫଳ ହୁଏ । ଦୂରରୁ ରହି ଉପଭୋଗ କରିବା ଛଡା ଅନ୍ୟ ପନ୍ଥା କିଛି ନାହିଁ । କୃଷ୍ଣଚୂଡ଼ା ପରି ବାଲ୍ୟ ସଦା ଅପହଞ୍ଚ । କାରଣ ଆମେ ସମସ୍ତେ ଅଫେରା ବାର ବାଟୋଇ ।


Rate this content
Log in

Similar oriya story from Comedy