Kanan Bala Nayak

Tragedy

3  

Kanan Bala Nayak

Tragedy

ଅପେକ୍ଷା

ଅପେକ୍ଷା

7 mins
187



 ସେ ଦିନ ଅଫିସ ପହଞ୍ଚି ଦେଖିଲି ଗେଟରେ ତାଲା ପଡିଛି. ଜଣେ ହେଲେ ବି କର୍ମଚାରୀ ଆସି ନାହାଁନ୍ତି ।ଝାଡୁ ପୋଛା କିଛି ହୋଇନି ।ପ୍ରାୟ ଅଧଘଣ୍ଟା ପାଖାପାଖି ଅପେକ୍ଷା କରିବା ପରେ ଜଣେ ଜଣେ ହୋଇ ଆସିବାକୁ ଲାଗିଲେ. ରାଗରେ ସମସ୍ତଙ୍କୁ ବିରକ୍ତି ପ୍ରକାଶ କଲି ଏବଂ କୈଫିୟତ ତଲବ ମଧ୍ୟ କଲି.ଅଫିସର ଅନ୍ୟ ସମସ୍ତଙ୍କ ସହ ବସନ୍ତକୁ ମଧ୍ୟ ଗାଳି ପଡ଼ିଥିଲା ।

 ବସନ୍ତ ଆମ ଅଫିସର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ.ଭାରି ଭଦ୍ର, କର୍ମଠ ଲୋକ ଟିଏ. ସବୁ ଦିନ ଠିକ୍ ସମୟରେ ଅଫିସ ଆସେ. କିଛି ସମୟ ପରେ ବସନ୍ତ ମୋ ରୁମ୍ ଭିତରକୁ ଆସିବା ପାଇଁ ଅନୁମତି ଚାହିଁଲା.ସେତେ ବେଳକୁ ମୋ ରାଗ ଶାନ୍ତ ହୋଇ ଯାଇଥାଏ । ମୁଁ କହିଲି କଣ ହେଲା କିଛି କହିବୁ. ହାତରେ ସେଇଟା କଣ ଧରିଛୁ ।ସେ କହିଲା ମୋତେ ମଗିଥିବା କୈଫିୟତ ର ଜବାବ.କ୍ଷମା କରିବେ ମାଡାମ, ଯଦି ଅନୁମତି ଦେବେ ତେବେ କିଛି କହିବି ।ମୁଁ କହିଲି କଣ କହିବାକୁ ଚାହୁଁଛୁ ନିର୍ଭୟ ହୋଇ କହ । ବସନ୍ତ କହିଲା ସାତଦିନ ହେଲାଣି ଦେହଟା କାହିଁକି ଜମାରୁ ଭଲ ଲାଗୁନି. ଜ୍ବର ଜ୍ବର ଲାଗୁଛି. ଡାକ୍ତରଙ୍କ ପାଖକୁ ଯାଇ ଥିଲି ସେଥିପାଇଁ ଆଜି ଅଫିସ ଆସିବାରେ ବିଳମ୍ବ ହୋଇଗଲା ।

 ମୁଁ କହିଲି ଭଲ ଡକ୍ଟର ଙ୍କୁ ଦେଖାଉ ନାହୁଁ କାହିଁକି? ମାଡାମ ମୋତେ ଆଗରୁ ଦୁଇ ଥର ଜଣ୍ଡିସ ହୋଇ ସାରିଛି. ମୋ ଜୀବନରେ ଭାରି ଦୁଃଖ ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ମୋର ସଂସାର. ନାନା ଦିଅଁ ଦେବତାଙ୍କୁ ପୂଜା କରି ତିନି ଝିଅରେ ଗୋଟିଏ ପୁଅ ପାଇଥିଲି. ଗାଁ ରେ କିଛି ଚାଷ ବାସ ଅଛି. ତା ଛଡା ଗାଇ ଦୁଇଟି ମଧ୍ୟ ରଖିଥିଲି. ସେଥିରୁ ମଧ୍ୟ କିଛି ରୋଜଗାର ହୋଇ ଯାଉଥିଲା. ବେଶ ହସ ଖୁସିରେ ଚଳୁଥିଲୁ. କିନ୍ତୁ ହଠାତ୍ ମୋ ଜୀବନରେ କଳା ବାଦଲ ଟିଏ ଘୋଟି ଆସିଥିଲା. ମୋ ହସ ଖୁସିର ସଂସାରରେ କାହାର ନଜର ଲାଗି ଯାଇଥିଲା ।

 ପୁଅ ସପ୍ତମ ଶ୍ରେଣୀରେ ପଢୁଥାଏ. ବେଶ ଭଲ ପାଠ ମଧ୍ୟ ପଢୁଥାଏ. ତାକୁ ନେଇ ମୁଁ ଅନେକ ସ୍ବପ୍ନ ସଜାଇ ଥାଏ. ପୁଅ ମୋର ବଡ଼ ମଣିଷ ହେବ ।ଭଲ ଚାକିରିଟିଏ କରିବ. ମୋ ବଂଶର ନାଁ କୁ ଆଗକୁ ଆଗେଇବ । କିନ୍ତୁ ଅଚାନକ ଆସିଥିବା ଏକ କାଳ ବୈଶାଖୀରେ ମୋର ସବୁ ସ୍ବପ୍ନ ଧୂଳି ସାତ ହୋଇ ଯାଇଥିଲା. ମୋର ସୁଖର ସଂସାର ଭାଙ୍ଗି ଚୁରମାର ହୋଇ ଯାଇଥିଲା. ଦିନେ ପୁଅ ମୋର ସାହି ପିଲାଙ୍କ ସହିତ ମିଶି କ୍ରିକେଟ ଖେଳୁଥାଏ. ହଠାତ୍ ବଲ୍ ଟା ଆସି ମୁଣ୍ଡରେ ବାଜିଲା. ପିଲାଟି ସେଇଠି ଚେତାଶୂନ୍ଯ ହୋଇଗଲା.ହସ୍ପିଟାଲ ନେବା ରାସ୍ତାରେ ହିଁ ଆମ ସମସ୍ତଙ୍କୁ ଛାଡି ଚାଲିଗଲା ।

 ତା ମାଆ ତାକୁ ଝୁରି ଝୁରି ପାଗଳି ହୋଇ ଯାଇଥିଲା. ଅନେକ କଷ୍ଟରେ ଏବେ ଟିକେ ଭଲ ହୋଇଛି. ଝିଅ ତିନୋଟି ବିଭା ହୋଇ ନିଜ ନିଜର ସଂସାର କଲେଣି. ତେଣୁ ଘରର ସବୁ କାମରେ ମୋ ସ୍ତ୍ରୀକୁ ସାହାଯ୍ୟ କରିବାକୁ ପଡେ.ତା ଛଡା ସାତ ଆଠ ଦିନ ହେଲାଣି ଜ୍ବରଟା ଜମାରୁ ଛାଡୁନି. ତେଣୁ ଅଫିସ ଆସିବାରେ ବିଳମ୍ବ ହୋଇଗଲା. ମୋତେ କ୍ଷମା କରି ଦିଅନ୍ତୁ.ମୁଁ କହିଲି ହଉ ଯାଆ. କିନ୍ତୁ ଭଲ ଡକ୍ଟର ଙ୍କୁ ଦେଖାଇବା ପାଇଁ ନ ଭୁଲୁ ଯେମିତି. ସେ କହିଲା ଆଜି ତ ଡକ୍ଟର ଙ୍କୁ ଦେଖାଇଛି. ଯଦି ଭଲ ନ ହୁଏ କଟକ ଯିବି ।

 ଏଇ ଘଟଣା ଘଟିବାର ପାଞ୍ଚ ଦିନ ପରେ ପୁଣି ଥରେ ତିନିଟା ପାଖାପାଖି ହେବ ବସନ୍ତ ଆସି କହିଲା ମାଡାମ ଦେହଟା କାହିଁକି ଜମାରୁ ଭଲ ଲାଗୁନି ଟିକେ ଶୀଘ୍ର ଘରକୁ ଯାଆନ୍ତି. ସେ ଖୁବ୍ ଦୁର୍ବଳ ମଧ୍ୟ ଦେଖା ଯାଉଥାଏ. ମୁଁ କହିଲି ହଉ ଯାଆ ଟିକେ ରେଷ୍ଟ ନେବୁ.ତା ପରଦିନ ବସନ୍ତ ଆଉ ଅଫିସ ଆସିଲା ନାହିଁ. ତାକୁ ଅଫିସରେ ନ ଦେଖି ଅନ୍ୟ ଜଣେ ପିଅନ୍ ହରିକୁ ପଚାରିଲି ଆରେ ବସନ୍ତ ଆଜି ଅଫିସ ଆସିନି କି? ତା ଦେହ କଣ ବେଶୀ ଖରାପ ହେଲାକି?ସେ କହିଲା ହଁ ମାଡାମ, ମୋ ହାତରେ ଛୁଟି ଦରଖାସ୍ତ ଟିଏ ପଠାଇଛି. ତା ଜ୍ବାଇଁ ମାନେ ତାକୁ ନେଇ କଟକ ବଡ ମେଡିକାଲ ଯାଇଛନ୍ତି ।


 ଦୁଇ ଦିନ ପରେ ବସନ୍ତ ଅଫିସ ଆସିଲା. ମୁଁ ତାକୁ ପଚାରିଲି ଆରେ କଟକ ଯାଇଥିଲୁ, ଡକ୍ଟର କଣ କହିଲେ? ସେ କହିଲା ଡକ୍ଟର କହିଲେ ମୋ ଲିଭର୍ ରେ କଣ ପ୍ରବ୍ଲେମ ହୋଇଛି ।ସେଥିପାଇଁ ବିଭିନ୍ନ ଟେଷ୍ଟ କରିଛନ୍ତି. ରିପୋର୍ଟ ଆସିବା ପରେ ଯାହା ଜଣା ପଡିବ. ମୁଁ କହିଲି ତୁ ରେଷ୍ଟ ନ ନେଇ ଅଫିସ କାହିଁକି ଆସିଲୁ. ସେ କହିଲା ଘରେ ବସିବାକୁ ଭଲ ଲାଗୁନି. ନାନା ପ୍ରକାର ଚିନ୍ତା ମୁଣ୍ଡ ଭିତରେ ପଶୁଛି. ତେଣୁ ଅଫିସ ପଳାଇ ଆସିଲି ।

 ଆଠ ଦିନ ପରେ ତାକୁ ଡାକି ପଚାରିଲି ଆରେ ତୋର ରିପୋର୍ଟ ଆସିଲା? ସେ କହିଲା ବଡ଼ ଜ୍ବାଇଁ ଯାଇଛି ରିପୋର୍ଟ ଆଣିବା ପାଇଁ.ତା ପରଦିନ ପୁଣି ବସନ୍ତ ଅଫିସ ଆସି ନ ଥିଲା. ସମୟ ପ୍ରାୟ ବାରଟା ପାଖାପାଖି ହେବ ହରି ଆସି କହିଲା ମାଡାମ ବସନ୍ତର ଜ୍ବାଇଁ ଆସିଛି. ଆପଣଙ୍କୁ ଦେଖା କରିବାକୁ ଚାହୁଁଛି. ମୁଁ କହିଲି ତାକୁ ଭିତରକୁ ଡାକ. ତା ଜ୍ବାଇଁ ଭିତରକୁ ଆସି କାନ୍ଦି କାନ୍ଦି ଛୁଟି ଦରଖାସ୍ତ ଟିଏ ବଢାଇ ଦେଲା. ମୁଁ କହିଲି ଆରେ କାନ୍ଦୁଛ କାହିଁକି? ବସନ୍ତର ଦେହ ଭଲ ଅଛି ତ? ତା ରିପୋର୍ଟ ଆସିବାର ଥିଲା? କଣ ହୋଇଛି ତାର? 

 ତା ଜ୍ବାଇଁ କହିଲା ଶ୍ବଶୁରଙ୍କୁ ଲିଭର୍ କ୍ଯାନସର. ଲାଷ୍ଟ ଷ୍ଟେଜ. ଡକ୍ଟର ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର କେମୋଥେରାପି ଆରମ୍ଭ କରବା ପାଇଁ କହିଛନ୍ତି.ଆମେ ତାଙ୍କୁ ଆସନ୍ତା କାଲି ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନକୁ ନେଇ ଯାଉଛୁ. ସେଥିପାଇଁ ଛୁଟି ଦରଖାସ୍ତଟା ନେଇ ଆସିଛି. 

 କଣ ଅସୁବିଧା ସୁବିଧା ହେଲେ ଫୋନ୍ କରିବ କହି ତାକୁ ଫୋନ୍ ନମ୍ବରଟା ଦେଲି . ତା ପରେ ନିୟମିତ ବ୍ୟବଧାନରେ ଫୋନ୍ କରି ବସନ୍ତର ସ୍ବାସ୍ଥ୍ୟ କଥା ବୁଝୁଥାଏ. ତିନି ମାସ ପରେ ହଠାତ୍ ବସନ୍ତ ଦିନେ ତା ଜ୍ବାଇଁ ସହିତ ଆସି ଅଫିସରେ ପହଞ୍ଚିଲା. ମୁଣ୍ଡରୁ ବାଳ ସବୁ ଉପୁଡି ଯାଇଥାଏ. ଖୁବ୍ ଦୁର୍ବଳ ମଧ୍ୟ ହୋଇ ଯାଇଥାଏ.ମୁଁ କହିଲି ଆରେ ତୁ ପୁଣି ଥରେ ଅଫିସ୍ ଆସିଲୁ. ଏ ଅବସ୍ଥାରେ ତୁ କଣ କାମ କରିପାରିବୁ. ସେ କହିଲା ତିନୋଟି କେମୋ ନେଇ ସାରିଲିଣି. ବହୁତ ଗୁଡାଏ ଟଙ୍କା ଖର୍ଚ୍ଚ ହେଇଗଲାଣି. ତେଣୁ ଜି. ପି. ଏଫ୍ ଟା ଉଠାଇବି. ଆଉ ସାହୁ ବାବୁଙ୍କୁ କହିବି ମୋ ମେଡିସିନ ଖର୍ଚ୍ଚଟା କେମିତି ମିଳିବ ସେ କଥା ଟିକେ ବୁଝିବେ ।

 ମାଡାମ ଏ ଅଫିସଟା ଯେ ଖାଲି ମୋ ପାଇଁ କର୍ମକ୍ଷେତ୍ର ସେଇଆ ନୁହଁ. ଏ ଅଫିସ ପରା ମୋ ପାଇଁ ମନ୍ଦିର. ଦୀର୍ଘ ତିରିଶ ବର୍ଷ ଧରି ମୁଁ ଏଠି କାମ କରୁଛି. ତାକୁ ଛାଡି କଣ ରହି ପାରୁଛି.ତା ଛଡା ଏବେ ଟିକେ ଭଲ ଲାଗୁଛି ତେଣୁ ଯେତେ ଦିନ ପାରିବି ଅଫିସ ଆସୁଥିବି. ତା ଜ୍ବାଇଁ ମଧ୍ୟ କହିଲା ବାପା ଘରେ ରହିଲେ ସବୁ ବେଳେ ତାଙ୍କ ରୋଗ ବିଷୟରେ ହିଁ ଚିନ୍ତା କରୁଛନ୍ତି. ଅଫିସ ଆସିଲେ ଏବଂ ତାଙ୍କ ସହକର୍ମୀଙ୍କ ସହ ମିଶିଲେ ତାଙ୍କ ମନଟା ଟିକେ ପରିବର୍ତ୍ତନ ହେବ. ହରି ମଉସା ଙ୍କୁ କହିଛି ତାଙ୍କୁ ଟିକେ ଦେଖିବେ ।

 ମୁଁ ଲକ୍ଷ୍ୟ କଲି ବସନ୍ତ ଦିନକୁ ଦିନ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛି.ତେଣୁ ହରିକୁ ଡାକି କହିଲି ବସନ୍ତର ଜ୍ବାଇଁକୁ କହିବୁ ଟିକେ ଅଫିସ ଆସିବ. ତା ପର ଦିନ ବସନ୍ତର ଜ୍ବାଇଁ ଅଫିସ ଆସିବାରୁ, ମୁଁ କହିଲି ବସନ୍ତକୁ ଆଉ ଅଫିସ ଛାଡ଼ନି. ଏତେ ବଡ ବେମାରୀ. ଅଫିସର ଅନ୍ୟ କର୍ମଚାରୀ ମାନେ ସବୁ ବେଳେ ନିଜ ନିଜ କାମରେ ବ୍ଯସ୍ତ ରହୁଛନ୍ତି. କେତେ ବେଳେ କଣ ଅସୁବିଧା ସୁବିଧା ହେଲେ କିଏ ବୁଝିବ? ଆଉ ରହିଲା ତା ଜି. ପି. ଏଫ୍ ଓ ମେଡିସିନ ବିଲ୍ କଥା. ସେ ଚିନ୍ତା କରନି ସେକଥା ମୁଁ ବୁଝିବି ।

 ତା ଜ୍ବାଇଁ ବସନ୍ତକୁ କଣ ବୁଝାଇଲା କେଜାଣି, ବସନ୍ତ ତା ପରଦିନ ଠାରୁ ଅଫିସ ଆସିବା ବନ୍ଦ କରି ଦେଲା.ମୁଁ କିନ୍ତୁ ରେଗୁଲାର ଫୋନ୍ କରି ତା କଥା ବୁଝୁଥିଲି. ଜି. ପି. ଏଫ୍ ହେଲା ପରେ ହରି ହାତରେ ବସନ୍ତ ପାଖକୁ ଖବର ପଠାଇଲି.ହରି ବସନ୍ତକୁ ସାଙ୍ଗରେ ଧରି ଅଫିସକୁ ଆସିଲା. ସେତେବେଳକୁ ବସନ୍ତର ସ୍ବାସ୍ଥ୍ୟ ପୁରା ଖରାପ ହୋଇ ଯାଇଥାଏ. ତା ଜ୍ବାଇଁ ତାକୁ ଧରି ଧରି ମୋ ରୁମ୍ ଭିତରକୁ ଆଣିଲା. ବସନ୍ତ ଭଲରେ ଚାଲି ପାରୁ ନ ଥାଏ କି କଥା କହି ପାରୁ ନ ଥାଏ. ତାକୁ ଦେଖି ମନଟା କାହିଁକି ଭାରି ଉଦାସ ହୋଇଗଲା. ତା କାମ ସାରି ତାକୁ ଶୀଘ୍ର ଘରକୁ ପଠାଇ ଦେବା ପାଇଁ ଆମ ହେଡ୍ କ୍ଲାର୍କଙ୍କୁ ନିର୍ଦ୍ଦେଶ ଦେଲି ।

 ତାର କିଛି ଦିନ ପରେ ନବବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ବସନ୍ତ ମୋ ପାଖକୁ ଫୋନ୍ କଲା. ତା କଥା କିଛି ବୁଝି ହେଉ ନଥାଏ. ମୁଁ କହିଲି ତୁ ରେଷ୍ଟ ନେ, ବେଶୀ କଥା କହନା.ତା ପରେ କାର୍ଯ୍ୟ ବ୍ଯସ୍ତତା ଯୋଗୁଁ ଦଶ ବାର ଦିନ ଧରି ବସନ୍ତ ପାଖକୁ ଫୋନ୍ କରି ପାରି ନ ଥିଲି. ହଠାତ୍ ଦିନେ ବସନ୍ତର ଜ୍ବାଇଁ ଫୋନ୍ କଲା ଶ୍ବଶୁରଙ୍କ ଦେହ ଭୀଷଣ ଖରାପ. ଭାରି କଷ୍ଟ ପାଉଛନ୍ତି. ତାଙ୍କ କଷ୍ଟ ଆଉ ଦେଖି ହେଉନି।

 ସଂଯୋଗ ବଶତଃ ଅଫିସ କାମରେ ମୋର ସେ ଦିନ ବସନ୍ତ ଘର ପାଖକୁ ଯିବାର ଥାଏ.ଅଫିସର କର୍ମଚାରୀ ମାନେ କିଛି ଟଙ୍କା ଓ ନୂଆ ଡ୍ରେସଟେ ଆଣି ମୋତେ ବଢାଇ ଦେଇ କହିଲେ, ମାଡାମ ବସନ୍ତର ଚିକିତ୍ସା ପାଇଁ ଆମେ ଚାନ୍ଦା କରି ସଂଗ୍ରହ କରିଛୁ. ତାକୁ ଦେଇ ଦେବେ ।


 ଅଫିସ କାମ ସରିବା ପରେ ସାହୁ ବାବୁଙ୍କୁ ଧରି ବସନ୍ତ ଘରକୁ ବାହାରିଲି. ତା ଘରେ ପହଞ୍ଚି ଦେଖିଲି ତା ଘର ପାଖରେ ଶହେରୁ ଉର୍ଦ୍ଧ୍ବ ଲୋକ ରୁଣ୍ଡ ହୋଇଛନ୍ତି . ଭୋଜି ମଧ୍ୟ ଚାଲିଛି. ମାଇକ୍ ରୁ ମନ୍ତ୍ର ପାଠ ଭାସି ଆସୁଥାଏ. ମୁଁ ଆମ ଡ୍ରାଇଭର ଶିବକୁ କହିଲି ବସନ୍ତର ଦେହ ଏତେ ଖରାପ, ଆଉ ତା ଘରେ କଣ ଏମିତି ଭୋଜି ହେଉଛି? 


 ଶିବ ଓ ସାହୁ ବାବୁ ଏ ବିଷୟରେ କିଛି ଲୋକଙ୍କୁ ପଚାରନ୍ତେ ସେମାନେ କହିଲେ ଆମ ଅଞ୍ଚଳରେ ଗୋଟିଏ ପରମ୍ପରା ଅଛି, ଯେଉଁ ଲୋକ ବହୁତ ଦିନ ଧରି କଷ୍ଟ ପାଉଥାଏ ଅଥଚ ତା ଆତ୍ମା ଶରୀର ତ୍ୟାଗ କରି ପାରୁନଥାଏ ତା ପାଇଁ ପ୍ରାୟଶ୍ଚିତ ଟିଏ କରାଯାଏ. ସେ ଯଦି କୌଣସି ଖରାପ କାମ କରି ଥାଏ ସେଥିପାଇଁ ଭଗବାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଏ ଏବଂ ଲୋକଙ୍କୁ ଖାଇବା ପାଇଁ ମଧ୍ୟ ଦିଆଯାଏ. ଯେତେ ଲୋକ ଖାଇବା ପାଇଁ ଆସନ୍ତି ସେତେ ଶୀଘ୍ର ପାପ ଖଣ୍ଡନ ହୁଏ. ମୋର ଏ ସବୁରେ ବିଶ୍ବାସ ନ ଥିଲେ ମଧ୍ୟ ସେ ଦିନ କାହିଁକି କେଜାଣି ମୁଁହ ଖୋଲି କିଛି କହି ପାରି ନ ଥିଲି।

 ଭିଡକୁ ଆଡେଇ ବସନ୍ତର ଜ୍ବାଇଁ ଆମକୁ ବସନ୍ତ ପାଖକୁ ନେଇ ଗଲା. ବସନ୍ତ ସେତେବେଳକୁ ସମ୍ପୁର୍ଣ୍ଣ ଶଯ୍ୟାଶାୟୀ. ଉଠି ବସି ପାରୁ ନ ଥାଏ. ପରିସ୍ରା ପାଇଁ କ୍ଯାଥେଡର ଲାଗି ଥାଏ. ମୁଁହ ପୁରା ବଙ୍କା ହୋଇ ଯାଇଥାଏ. ଆମକୁ ଦେଖି ତା ଝିଅ ତା କୁ ଉଠାଇ ନିଜ ଉପରକୁ ଆଉଜାଇ ବସାଇଲା. ମୋତେ ଦେଖି ବସନ୍ତ ନମସ୍କାର କଲା. ମୋତେ ଲାଗୁଥାଏ ବସନ୍ତର ପ୍ରାଣବାୟୁ ଯେମିତି ଆମରି ସମ୍ନାରେ ଉଡିଯିବ ।

  ବସନ୍ତର ଏ ଅବସ୍ଥା ଦେଖି ମୋ ଆଖିରେ ଲୁହ ଆସିଯାଇଥାଏ. ମୋ ଆଖିର ଲୁହ କାଳେ ବସନ୍ତ ଦେଖି ନେବ, ସେଥିପାଇଁ ନିଜକୁ ସମ୍ଭାଳି କହିଲି ତୁ ରେଷ୍ଟ ନେ. ଆମେ ପରେ ପୁଣି ଆସିବୁ. ତାପରେ ବସନ୍ତର ସ୍ତ୍ରୀକୁ ଡାକି ଅଫିସର ଷ୍ଟାଫ୍ ମାନେ ଦେଇ ଥିବା ଟଙ୍କା ଓ ନୂଆ ଡ୍ରେସଟିକୁ ବଢାଇ ଦେଇଥିଲି. ତା ସ୍ତ୍ରୀ କହିଲା ମାଡାମ ଆପଣ ଆସିବା ରେ ବହୁତ ବିଳମ୍ବ କରି ଦେଲେ ସେ କଣ ଆଉ ଏ ଡ୍ରେସ୍ ପିନ୍ଧି ପାରିବେ. ତାଙ୍କୁ କଣ ଉତ୍ତର ଦେବି କିଛି ଜାଣି ପାରି ନ ଥିଲି. 

 ନିରବରେ ଦୁଇ ଟୋପା ଅଶ୍ରୁ ମୋ ଆଖିରୁ ଗଡି ପଡି ଥିଲା. ଗୋଟିଏ ଭାରି ହୃଦୟ ନେଇ ଆମେ ତାଙ୍କ ଘରୁ ଫେରିଲୁ. ସତରେ ବସନ୍ତ ଆଉ ଆମେ ଦେଇଥିବା ଡ୍ରେସଟା ପିନ୍ଧି ପାରି ନଥିଲା. ରାତି ଦଶଟା ବେଳେ ହରି ଫୋନ୍ କରି କହିଲା ମାଡାମ ବସନ୍ତ ଚାଲିଗଲା. ଯାହା ହେଉ ପ୍ରାୟଶ୍ଚିତ କରିବା ପରେ ସବୁ କଷ୍ଟ ରୁ ମୁକ୍ତି ପାଇଗଲା. ବହୁତ କଷ୍ଟ ପାଉଥିଲା ବିଚରା. ।

 ମୁଁ କହିଲି ନାଁ ତୁ ଭୁଲ୍ କହିଲୁ,ସେ ବୋଧେ ଆମ ମାନଙ୍କୁ ହିଁ ଅପେକ୍ଷା କରିଥିଲା. ଯେଉଁ ଅଫିସକୁ ସେ ଏତେ ଭଲ ପାଉଥିଲା, ମନ୍ଦିର ବୋଲି ଭାବୁ ଥିଲା ସେ ଅଫିସର ଲୋକଙ୍କୁ ନ ଦେଖି କେମିତି ଚାଲି ଯାଇଥାଆନ୍ତା ଯେ? ବସନ୍ତର ଶରୀର ସିନା ତା ଘରେ ଥିଲା କିନ୍ତୁ ତା ଆତ୍ମା ପରା ସବୁବେଳେ ଅଫିସରେ ରହୁଥିଲା ତେଣୁ ଆମକୁ ଦେଖିବା ପରେ ତା ଅପେକ୍ଷାର ଅନ୍ତ ଘଟିଲା, ଆଉ ତା ଆତ୍ମା ଶରୀର ତ୍ୟାଗ କରି ଦେଲା।



Rate this content
Log in

Similar oriya story from Tragedy