ଅନନ୍ୟା ବନୀତା
ଅନନ୍ୟା ବନୀତା
ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ୍ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହି ବି କିଛି କହିପାରୁନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ।"
କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା ।
ପୋଲିସ୍ ବାବୁଜଣକ ନିର୍ବିକାର ଭାବରେ ବସିଥିଲେ ।ପାଖରେ ଠିଆ ହୋଇଥିବା ଜଗୁ କନେଷ୍ଟବଳ ଛିଗୁଲେଇ କହିଲା!
"ହଇରେ ତୋ ଝିଅ କଣ ପବନ ରେ ମିଳେଇ ଗଲା ,ଶଳା କାହା ସାଙ୍ଗରେ ପଳେଇ ଥିବ।"
"ଯା ଯା ଆମର ଆଉ କିଛି କାମ ନାହିଁ ତୋ ଝିଅକୁ ଖୋଜିବୁ ଆଉ ଆବେ ଯାଉଛୁ ନା ଦେଖିବୁ ଏଇନା । ଗୋଟେ ତାମସା ଚଲେଇଛି।
ଧନୁ ଡରରେ ଟିକେ ପଛକୁ ଘୁଞ୍ଚିଗଲା ।
ଧନୁର ସ୍ତ୍ରୀ କୁସୁମି କାନ୍ଦୁଥାଏ। ଆଉ ହାତ ଯୋଡ଼ି କହୁଥାଏ ବାବୁ ତମ ଗୋଡତଳେ ପଡୁଛି।ଟିକେ ଆମ ଝିଅକୁ ଖୋଜିଆଣ । ଆମ ଉପରେ ଦୟାକର ବାବୁ ।
ଗର୍ଜି ଉଠିଲେ ଥାନାବାବୁ ,"ଯା ପରା କହିଲି । ତୋ ଝିଅ ମିଳିଲେ ତତେ ଆମେ ଖବରଦବୁ, ତା ହେଲେ ତୁ ଆସିବୁ ଏବେ ଯା" । କାନ୍ଦି କାନ୍ଦି ଧନୁ ଆଉ କୁସୁମି ଘରକୁ ଚାଲି ଗଲେ।
କନେଷ୍ଟବଳ ଆଉ ASI ଗାଁ ଲୋକଙ୍କୁ ଡରେଇ ଧମକେଇ ରଖିଥାନ୍ତି । ନୁଆ ଥାନା ବାବୁ ଆସିବେ ବୋଲି ସବୁ ବେଳେ ଶୁଣାଯାଏ ହେଲେ ଆସନ୍ତିନି ।
ଦୁଇ ଦିନ ହେଲାଣି ଧନୁ ମୁଣ୍ଡାର ଝିଅ ହଜି ଯାଇଛି। ହେଲେ ପୋଲିସ ବାବୁ ସିଧା ମନା କରି ଦେଲେ ଖୋଜି ଦେବାକୁ । ଓଲଟା କହୁଛନ୍ତି କଣ। ନା....
" ତମ ଜାତି ଟା ପରା ସେଇଆ, ଝିଅ ଗୁଡ଼ାକ ଆ ସାଥିରେ ତା ସାଥିରେ ବୁଲିବେ,କେତେବେଳେ କୋଉ ଟୋକା ସାଙ୍ଗରେ ପଳେଇବେ ସେଇଥିରେ କଣ ନା!
ଆମେ ତାଙ୍କୁ ଖୋଜିବୁ".......ହୁଁ।.
ଧନୁ ତା ସ୍ତ୍ରୀ କୁସୁମି , ଆଉ ଝିଅ ବନୀତା ଗାଁ ମଝିରେ ଘରଟିରେ ରହନ୍ତି ଘର ବୋଲି ଚାଳିଆ ଖଣ୍ଡେ। ଅଧା ଭଙ୍ଗା କାନ୍ଥରେ ଭରା ଦେଇ ଖଣ୍ଡେ ଦୁଆର।ଧନୁ ତା ଝିଅକୁ ନେଇ ଭାରି ଖୁସିରେ ଥାଏ। ମା ବାପା ସ୍ନେହରେ ଝିଅକୁ ବୁନି ଡାକନ୍ତି। ଝିଅ ତାର ଇସ୍କୁଲ ଯାଉଛି,ପାଠ ପଢି ବଡ଼ ମଣିଷ ହେବାର ସ୍ବପ୍ନ ଦେଖୁଛି। ସବୁଦିନ ନଅ ଟା ବାଜିଲେ ଇସ୍କୁଲ ଯାଏ। ଧନୁ ଯାଏ ବିଲ ବାଡ଼ିରେ ମୂଲିଆ କାମ କରି ସଞ୍ଜ ବେଳକୁ ଫେରେ। କୁସୁମି ଘରେ ରାନ୍ଧି ସାରି ,କାହାର ଧାନଉସାଏଁ। କାହାଘରେ ବୋଲହାକ କରେ
ପାଣି ବୁହାଇ ନିଜ ହାତଖରଚ ଉଠାଏ। ଝିଅର ପାଠପଢା ରେ ଅସୁବିଧା ହେବ ବୋଲି, ଦୁଇ ଜଣ ଯାକ ତା ହାତକୁ ପାଣିଗ୍ଲାସ ବଢ଼େଇ ଦିଅନ୍ତି ,ମା ତାକୁ ଗୁଣ୍ଡା କରି ଭାତ ଖୋଇଦିଏ ।
ଝିଅଟି ଭାରି ଗୁଣର ,ପାଠ ପଢା ସରିଲେ ଘରକୁ ଫେରି ଆସିବ।କାହା ସହିତ କଳି ନାହିଁ, ସମସ୍ତ ଙ୍କୁ ସ୍ନେହ ଶ୍ରଦ୍ଧା କରି କଥା କହୁଥିବ।
ଇସ୍କୁଲ ରେ ଗୁରୁମା ଭାରି ଭଲପାଆନ୍ତି ବନୀତାକୁ।
ଧନୁ ଆଉ ତା ସ୍ତ୍ରୀ ଥାନାର ବାରଣ୍ଡାରେ ଠିଆ ହୋଇ ହୋଇ ଯେମିତି ଫେରି ଯାଇଛନ୍ତି !! କନେଷ୍ଟଵଳ ଜଗୁ କହିଲା ବାବୁ । ଆପଣ ସିନା ପ୍ରଥମ ଥର ଫେଲ ମାରିଲେ । ଆଉ ମୁଁ ସମ୍ଭାଳି ନେଲି ,ଏଥରକ ଯାଆନ୍ତୁ ଆଉ ଏବେ ମାଲଟା ର କାମ ତମାମ କରି ଦେଲେ ଯାଏ ନ ହେଲେ ଏ ଗାଁ ଲୋକ ଗୁଡ଼ାଙ୍କୁ ଆଉ ବିଶ୍ୱାସ ନାହିଁ।କେତେ ବେଳେ ଆସି ଭିତରେ ହାଜର ହେଇ ଯିବେ ।ଆଉ ତା ପରେ ଆମ କାମ ତମାମ ହେଇଯିବ।
ପୋଲିସ ବାବୁ ଗୋଡ କୁ ଟେବୁଲ ଉପରେ ଥୋଇ ବେପର୍ୱା ଜଵାବ୍ ଦେଲେ। "ହେଃ ସେଇଟା ଥରେ ମତେ ଘାଇଲା କରି ଦେଲା"
ଏଥର ଦେଖିବୁ ମୁଁ କଣ କରିବି। ପୋଲିସ ବାବୁ ଢକ ଢକ ଟିକେ ବୋତଲରୁ ପିଦେଇ ଭିତର ପଟୁ ଦୁଆର ବନ୍ଦ କରିଦେଲେ। ବିଚରା ଜଗୁ ବାରଣ୍ଡା ରେ ଟହଲୁ ଥାଏ। ଟିକେ ସମୟ ପରେ ଧଡ଼ଧାଡ ଶବ୍ଦ ଶୁଭିଲା।ଜଗୁ ର ମନ କଣ ହେଇ ଯାଉଥାଏ। ଆଃ ଖାସା ମାଲ ଟେ ହେଇଛି।ଦେଖାଯାଉ ବାବୁ ଆସିଲେ ମୁଁ ଟିକେ ଚାଖି ଦେବି ଭାବି ଭାବି ଏପଟ ସେପଟ ହଉଛି, ଧଡାସ୍ କିରି କବାଟ ଖୋଲି ଗଲା ଆଉ ତୀରଛୁଟିଲା ପରି କିଏ ଗୋଟେ ପଳେଇଲା। ତା ସହିତ କିଏ ଗୋଟେ ବିକଳ ଚିତ୍କାର କଲା
ମରିଗଲି ମରିଗଲି ଆଃ....।
ଜଗୁ ଝାପସା ଅନ୍ଧାରରେ ବାହାରକୁ କିଏ ଗଲା ଜାଣି ପାରିନଥିଲା। ଭିତରୁ ଶୂଭୁ ଥିବା ପାଟିଟା ତ ବାବୁଙ୍କ ପାଟି....ଗଲା ପୁଣି ଖସି ଗଲା ଭାବି ଭିତରକୁ ଧାଇଁ ଗଲା...ଦେଖିଲା ବେଳକୁ ବାବୁ ଖାଲି ଗଡୁଛନ୍ତି। ବୁଝି ଗଲା କଣ ହେଇଛି ଘଟଣା।
ବୁନି ଧାଇଁଛି ଏକମୁହାଁ ହେଇ ଗାଁ ଭିତରକୁ। ଭୋକ ଉପାସରେ ଦୁଇ ଦିନ ଥାନା ଭିତରେ ପୁରେଇ ପୋଲିସ ଦୁଇଟା ତାକୁ ଯାହା କରିଛନ୍ତି । ରାଗରେ ତା ଦେହ କଣ ହେଇଯାଉଛି।
ଘର ପାଖରେ ଭୁସ୍ କିନା ପଡ଼ି ଗଲା । ଶବ୍ଦ ଶୁଣି ଧନୁ ବାହାରକୁ ଆସି ଦେଖିଲା ବୁନି ପଡ଼ିଛି । ଡକା ପକେଇଲା କୁସୁମି, ଆସ ଦେଖିବୁ ଆସ ଆମ ଝିଅ ଆସିଲାଣି ଲୋ ,ହେଲେ ଝିଅର କଣ ହେଇଛି ଦେଖିଲୁ । ଏ ବୁନି ,ବୁନିଲୋ କେଉଁଠି ଥିଲୁ, କଣ ହେଇଛି ତୋର,ଟେକି ଟେକି ଘର ଭିତରକୁ ନେଇ ମୁହଁରେ ପାଣିଛାଟି ଚେତା ଫେରାଇ ବାକୁ ଲାଗିଲେ।ବହୁ କଷ୍ଟ ରେ ଝିଅ ଆଖି ଖୋଲି ଚାହିଁଲା,ପାଖରେ ବାପା ଆଉ ବୋଉ ବସିଛନ୍ତି । ସେମାନଙ୍କୁ ଦେଖି ମନ ରେ ତାର ସାହସ ଆସିଗଲା । ବୋଉ କାନ୍ଦୁ ଥିବାର ଦେଖିଆସ୍ତେ ଆସ୍ତେ କହିଲା ।"ବୋଉ କାନ୍ଦନା ମୁଁ ପରା ଆସିଲିଣି।"
ହେଲେ ତୁ ଦି ଦିନହେଲା କେଉଁଠି ଥିଲୁ। ଆମେ ସମସ୍ତେ କେତେ ଖୋଜି ଲୁଣି। "ବୋଉ ମୁଁ ସେଇ ଥାନା ଭିତରେ ଥିଲି।" କଣ କହୁଛୁ! ,ଆମେ ସେ ପୋଲିସ ବାବୁଙ୍କୁ କେତେ ନେହୁରା ହେଇ କହିଲୁ ହେଲେ ,ସିଏ ଆମକୁ ଧମକ ଦେଇ ବାହାର କରି ଦେଲେ। ଆଉ ତତେ ସେଇଠି ବନ୍ଦକରି ରଖିଛନ୍ତି ,ଅଥଚ ଆମେ ସମସ୍ତେ ଖୋଜି ଖୋଜି ନୟାନ୍ତ ହଉଛୁ । ଧନୁ ପଚାରିଲା,ଝିଅ ତୁ କେମିତି ସେଠୁ ଆସିଲୁ??
ବୁନି କହିଲା ବାପା ମୁଁ ବହୁତ କଷ୍ଟ ରେ ସେଠୁ ଖସିକି ଆସିଲି।ଆଗ ସେ ଦୁଇ ଜଣଙ୍କୁ କେମିତି ଧରି ଉଚିତ ଦଣ୍ଡ ଦେବାକୁ ହେବ
"ଏତେ ବଦମାସ ସେ ଦୁଇଜଣ ସେମାନଙ୍କୁ ମୁଁ ଛାଡ଼ିବିନି । କେତେକଷ୍ଟ ଦେଲେ ମୋଝିଅକୁ।" ଗାଁ ଲୋକ ମାନେ ଥାନା ଆଡିକି ଧାଇଁଲେ । ଧନୁ ଗୋଟେ ଲାଠି ଧରି ବାହାରିଲା ଆଜି ତ ସେ ଦୁଇ ଜଣଙ୍କୁ ମାରିଦେବି । ଗଲା ବେଳକୁ ଜଗୁ କନେଷ୍ଟବଳ ଥାନା ଛାଡ଼ି ପଳାଇ ଯାଇଛି ,କିନ୍ତୁ ASIକୁ ବୁନି ଏମିତି ଘାଇଲା କରିଛି ସିଏ ଆଉ ଉଠି ପାରୁନି। ଗାଁ ଲୋକେ ସେଠି ତାକୁ ବାନ୍ଧି ପକେଇ ଦେଲେ।
ଧୀରେ ଧୀରେ ବୁନି ଟିକେ ସୁସ୍ଥ ହେଲା। କୁସୁମି ତାକୁ ଖାଇବାକୁ ଦେଇ ବସେଇ ପଚାରିଲା କେମିତି ତୁ ସେ ଥାନା ଭିତରକୁ ଗଲୁ??
ବୁନି କହିଲା, ମୁଁ ସେ ଦିନ ସ୍କୁଲରୁ ଫେରୁଛି। ଏଇ ପୋଲିସ ଦୁଇଟା ଗାଡିରେ ଆସୁଥିଲେ। ମୋତେ ପଚାରିଲେ କୋଉଠି ତୋ ଘର । ବସ ଗାଡିରେ ଆମେ ତୋତେ ଘରେ ଛାଡ଼ି ଦେବୁ। ମୁଁ ତାଙ୍କୁ ମନା କଲି ନାଇଁ ମୁଁ ଚାଲି ଚାଲି ଯିବି ମୋତେ ସେମାନେ କହିଲେ ଆମେ ତ ସେଇ ପଟେ ଯିବୁ ,ଏବେ ତ ସନ୍ଧ୍ୟା ହେଲାଣି । ଆସେ ଆମ ସାଙ୍ଗେ ଶୀଘ୍ର ପହଁଞ୍ଚିଯିବୁ ।
ମୁଁ ତାଙ୍କ କଥା ଶୁଣି ବିଶ୍ୱାସ କରି ଗାଡିରେ ବସି ଗଲି।ହେଲେ ସେମାନେ ଗାଡି ଥାନା ପାଖରେ ରଖି ଦେଲେ ,ମୋତେ କହିଲେ ଥାନାରେ ଟିକେ କାମ ଅଛି ତୁ ଟିକେ ଏଇଠି ବସିଥା ତା ପରେ ଆମେ ଯିବା ।
ମୁଁ ଯେମିତି ଥାନାଭିତର କୁ ଯାଇଛି ମୋତେ ଗୋଟେ ଛୋଟ ବଖରା ଭିତରେ ପୁରେଇ ଦୁଆର ବନ୍ଦ କରି ଦେଲେ।କିଛି ସମୟ ପରେ ଗୋଟେ ପୋଲିସ ଆସି ମୋତେ ଧରି ବାକୁ ଚେଷ୍ଟା କଲା । ମୁଁ ତା ହାତକୁ ଜୋର ରେ କାମୁଡ଼ି ତା ହାତରୁ ରକ୍ତ ବାହାର କରି ଦେଲି । ସିଏ ଦୁଇ ଜଣ ମୋତେ ରାଗରେ କେତେ ବାଡେଇଲେ , ମୁଁ ବେହୋସ୍ ହୋଇଗଲି, କେତେ ସମୟ ପରେ ମୋର ହୋସ ଆସିଲା।ସେମାନେ ମୋ ପାଟିରେ କପଡା ବାନ୍ଧି ଦେଇଥାନ୍ତି। କାଳେ ପାଟି କରିବି ବୋଲି। ମୋର ଗୁରୁମାଙ୍କ କଥା ମନେ ପଡ଼ିଲା। ଗୁରୁମା ସବୁ ବେଳେ ଆମକୁ କହନ୍ତି। ଯଦି କେତେବେଳେ କିଏ ତମପ୍ରତି କିଛି ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିବ।ତମେ ଡରି ଯିବନି।ପ୍ରଥମେ ନିଜକୁ ରକ୍ଷା କରିବା ପାଇଁ ତାର ହାତକୁ କାମୁଡ଼ି ଦବ ଯଦି ସମ୍ଭବ ହୁଏ । ଜୋର କରି ହାତ ଟାକୁ ମୋଡି ଦବ। ଯଦି ତମକୁ ତଳେ ପକାଇ ଦିଏ, ତେବେ ଦେଖିବ ଯେତେବେଳେ ତମ ଉପରେ ଝୁଙ୍କିଲା,ସେତିକି ବେଳେ ପୁରା ଜୋର ଲଗେଇ ତା ଦୁଇଗୋଡ ମଝି ଆଉ ତଳିପେଟ ପାଖକୁ ଖୁବ୍ ଜୋର କରି ଗୋଇଠାମାରିବ ଦେଖିବ ସିଏ ଯେମିତି କଷ୍ଟ ଅନୁଭବ କରି ତୁମକୁ ଛାଡ଼ି ଦେଇଥିବ ସେତିକି ବେଳେ ନିଜକୁ ବଞ୍ଚେଇବା ପାଇଁ ତା ଦେହରେ ଜୋର ଧକ୍କା ଦେଇ ଖସି ବାକୁ ଚେଷ୍ଟା କରିବ। ସେଇ କଥା ମନେ ପକାଇ ମୁଁ ସେ ପୋଲିସଟାକୁ ଅଧା ମରା କରି ପଳେଇ ଆସିଲି।
କୁସୁମି ତାକୁ କୁଣ୍ଢେଇ ପକେଇଲା, ମୋ ଝିଅର ସାହସ ଯୋଗୁଁ ସେ ଆଜି ରାକ୍ଷସ କବଳରୁ ନିଜକୁରକ୍ଷା କରି ପାରିଛି। ଗୁରୁମାଙ୍କୁ ମଧ୍ୟ ବହୁତ ଧନ୍ୟବାଦ । ସିଏ ପିଲା ମାନଙ୍କୁ କେତେ ଭଲ କଥା ଶିଖେଇଛନ୍ତି ।
ଗାଁ ଲୋକ ମାନଙ୍କଠାରୁ ମାଡ଼ ଖାଇଖାଇ ଦରମଲା ପୋଲିସ ଦୁଇଟା ଶେଷରେ ବନ୍ଧା ହୋଇ ଜେଲ ଗଲେ ।
************
ମୁଁ ଷ୍ଟୋରୀମିରରର ଜଣେ ସ୍ଵନାମଧନ୍ୟା ଗାଳ୍ପିକା ଵିସ୍ମିତା ସାହୁଙ୍କ ଗଳ୍ପାଂଶକୁ ନେଇ ଗଳ୍ପ ଟି ରଚନା କରିଛି। ସାମ୍ପ୍ରତିକ ସମୟରେ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ପୋଲିସ ନିଷ୍କ୍ରିୟତାର କିଛି ଆଭାସ ଥିଲା ଭଳି ଗଳ୍ପରେ ମନେ ହେଉଛି । ତେଣୁ ମୁଁ ସେମିତି କିଛି କାଳ୍ପନିକ କଥାକୁ ଗଳ୍ପଟିରେ ଲେଖିବାକୁ ପ୍ରୟାସ କରିଛି।