Lalita Mohan Mishra

Romance Tragedy

3  

Lalita Mohan Mishra

Romance Tragedy

ଅନନ୍ତ ପ୍ରତୀକ୍ଷା

ଅନନ୍ତ ପ୍ରତୀକ୍ଷା

6 mins
176


ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଇନ୍ଦ୍ରଧନୁ ପରି ପ୍ରେମ.. ଜୀବନରେ କେବେ ଖୁସିର ପସରା ନେଇ ଆସିଥାଏ ତ... କେବେ ଦୁଃଖ ସାଗରରେ ମନୁଷ୍ୟ ତାର ଗଭୀର ଜଳରେ ଲୀନ ହୋଇଯାଏ । ଜୀବନ ରାସ୍ତାରେ ଯାଉ ଯାଉ କେହିଜଣେ ଅନାମିକା ମନର ଝରକା ଦେଇ ହୃଦୟ ଭିତରକୁ ଧସି ପଶି ଆସେ । ସେତେବେଳେ ରିମଝିମ ବର୍ଷାର ଛିଟା ଛିଟା ବାସ୍ନା ନ ଥାଏ କି ନୁପୁରର ରୁମଝୁମ ଶବ୍ଦ ନ ଥାଏ । କେବଳ ଏକ ସୁନ୍ଦର ଅନୁଭବ, ଅବ୍ୟକ୍ତ ଭାବନା ବିମୋହିତ କରେ । ଏସବୁ ହୃଦୟ ଶାମୁକା ଭିତରେ ମୋତି ପରି ସାଇତା ହୋଇ ରହିଥାଏ | ମୋତି ପରି ଏହା ଚମକ ପ୍ରଦାନ କରି ନ ଥାଏ ସତ ,କିନ୍ତୁ ଏହା ଜୀବନରେ ଭରି ଦେଇଥାଏ ଅସୀମ ଖୁସି | କେଉଁ ଏକ ପରୀ ରାଇଜର ରାଜକୁମାରୀ ତାର ସ୍ନେହ ଓ ପ୍ରେମରେ ମନକୁ ବାନ୍ଧିଦେଇ ପୁଣି ତାର ଅତି ଆପଣାର ପରି ରାଇଜକୁ ଫେରିଯାଇଥାଏ ତାର ଅତି ପ୍ରିୟର ସାଥୀକୁ ସାଥିରେ ନେଇ। ପ୍ରଥମ ଫୋନ୍ କଲ୍ ଦିନ ଠାରୁ ସମ୍ପର୍କର ବୀଜଟି ଦୁହିଁଙ୍କ ମଧ୍ୟରେ ଉତ୍ପନ୍ନ ହୋଇଥିଲା । ପ୍ରେମର ବୀଜଟି ଶୈଶଵରୁ ବଢି ଯୌବନ ଅବସ୍ଥାରେ ପାଦ ଥାପିବା ଯାଏଁ ଘଟିଥିବା ଅନେକ ମିଠା ମିଠା ସ୍ମୃତିର ଅନୁଭୂତି । ଦୁହିଁଙ୍କ ମନରେ ଥିବା ଅହେତୁକ ଆଗ୍ରହ, ସୀମାହୀନ ଉତ୍ସାହ । ବହୁ ଦିନର ପ୍ରତୀକ୍ଷା ଏବଂ ପ୍ରେମ ଜନିତ ବିରହ ଯନ୍ତ୍ରଣାର ମିଳନ । ମନେ ପଡେ ସେଦିନର କଥା...


କୌଣସି ଏକ ପରିସ୍ଥିତିରେ ଲେଖିବା ଆରମ୍ଭ କରିଥିଲା ଶାନ୍ତନୁ । କିଛି ଲେଖା ଲେଖି କଲେ ପଢାପଢି କଲେ, ମନରେ ଶାନ୍ତି ଆସେ ବୋଲି ଜଣେ ସହୃଦୟୀ କହିଥିଲେ । ସେଥିପାଇଁ ସେ ଫେସବୁକରେ ନିଜର ଗଳ୍ପ ଗୁଡିକୁ ପୋଷ୍ଟ କରେ । ଦୁଃଖ ଭରା ଚରିତ୍ର ଓ ପାରିପାର୍ଶ୍ବିକ ପରିସ୍ଥିତିର ଚିତ୍ରଣରେ ସେ ଆତ୍ମତ୍ରୁପ୍ତି ପାଏ । ପାଠକଙ୍କ ଲାଇକ କମେଣ୍ଟ ଓ ଅଭିମତ ଦ୍ଵାରା ପ୍ରଶଂସା ସାଉଁଟେ । କିଛି ପାଠକଙ୍କ ଅନୁରୋଧରେ ନଦୀ ସ୍ରୋତର ଗତି ପରିବର୍ତ୍ତନ ହେଲା ପରି ଲେଖାର ଗତି ମଧ୍ୟ ପରିବର୍ତ୍ତନ ହେଲା । ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣା ବଳୀକୁ ନିଜ ଲେଖନୀ ତୁଳୀରେ ଚିତ୍ରିତ କରିଦିଏ ଗଳ୍ପର ରୂପ । ଲେଖା ଗୁଡିକ ଅଧିକ ଯୁବ ପାଠକଙ୍କ ଆଦୃତି ଲାଭ କରେ । ସାମାଜିକ ଜୀବନ ସହିତ ଲେଖିବାକୁ ଆରମ୍ଭ କଲା ପ୍ରେମଗଳ୍ପ। ଏମିତି ଜଣେ ଦୁଇଜଣ ବନ୍ଧୁ ଦେଖାହେଲେ, କଥାଛଳରେ କହିଲେ, ଆରେ ତୁ ପୁଣି ପ୍ରେମଗଳ୍ପ.... ନା ପାରିବୁନି.. । ସେଇ ଗୋଟିଏ ପଦ ନା ନା ଭିତରେ ପ୍ରେରଣା ଦେଲା, ଉତ୍ସାହ ଆଣିଦେଲା । ସୃଷ୍ଟି ଚାଲିଲା ।


ହଠାତ୍ ଦିନେ ମୋବାଇଲରେ ଏକ ସୁମଧୁର ଲଳନାର କଣ୍ଠସ୍ୱର... ସାର୍ ! ମୁଁ ଆପଣଙ୍କର ଜଣେ ଦୃଢ ପ୍ରଶଂସକ ଏବଂ ନିରୋଳା ପାଠକ । ଆପଣଙ୍କର ପ୍ରତିଟି ଲେଖାକୁ ପଢିଛି। ବିଶେଷକରି ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣା ବଳୀକୁ ପ୍ରେମର ଛାପ ଦେଇ ଯେଉଁ ଗଳ୍ପ ଆଙ୍କି ଦିଅନ୍ତି ମୋତେ ଅଭିଭୂତ କରିଦିଏ, ତାହାକୁ ମୁଁ ବିଶ୍ଳେଷଣ କରି ପାରିବି ନାହିଁ । ମୋ ପାଖରେ ଆପଣଙ୍କ ପ୍ରଶଂସା ପାଇଁ ଶବ୍ଦ ନାହିଁ। ତା'ପରେ ହଠାତ୍ ସେପଟରୁ ଫୋନ୍ କଟିଗଲା। ସଦ୍ୟ ପ୍ରକାଶିତ ହୋଇଥିବା ପୂଜା ବିଶେଷାଙ୍କରେ ଏକ ଗଳ୍ପର କିଛିଧାଡି ପଢୁଥିଲେ ଶାନ୍ତନୁ । ପ୍ରେମ ସରସ, ସୁନ୍ଦର। ପ୍ରେମ ପାରିଜାତ। ପ୍ରେମ ଗ୍ରହୀତା ନୁହେଁ ଦାତା। ପ୍ରେମ ଜଳପୂର୍ଣ୍ଣ ପାତ୍ର। ହେଲେ ଶାନ୍ତନୁ ? ପ୍ରେମର ସୁନ୍ଦର ବ୍ୟାଖ୍ୟା କରୁଥିବା ଲୋକଟି ପ୍ରେମ ଓ ସଂସାର ସୁଖରୁ ବଞ୍ଚିତ କାହିଁକି ? ହଁ ହୋଇପାରେ ପୂର୍ବ ଜନ୍ମର କିଛି ଅଭିଶାପ... ପୁଣି ରାତିରେ ଝିଅଟିର ଫୋନ୍ ଆସିଲା । କଥାବାର୍ତ୍ତାରୁ ଜାଣିପାରିଲେ ଝିଅଟିର ନାମ ଚନ୍ଦନା । ସେ ଅବିବାହିତା, ନିଃସଙ୍ଗ ଜୀବନର କଥା ଜ୍ଞାତ କରାଇଲେ ଓ ନିଜ ବିଷୟରେ ଗପିଲେ । ଆନନ୍ଦ ଓ ଅଦ୍ଭୁତ ଶାନ୍ତି ପାଉଥିଲେ ଶାନ୍ତନୁ । ଧିରେ ଧିରେ କଥାବାର୍ତ୍ତାରୁ ଆରମ୍ଭ ହେଲା ଆତ୍ମୀୟତା ତା'ପରେ ପ୍ରେମ । ପ୍ରେମର ପ୍ରବାହରେ ଶାନ୍ତ ଭାବରେ ବହି ଚାଲିଲା ଦୁହିଁଙ୍କର ପ୍ରେମର ତରୀ। ନିଜ ଲେଖନୀ ଓ ପକୃତିର ସତ୍ୟ ସହ ତୁଳନା କରୁଥିଲେ ଶାନ୍ତନୁ । ଲେଖନୀମୁନରେ ଜୀବନ୍ତ ପ୍ରେମ ଲେଖୁଥିବା ଲେଖକଟିଏ ... ଆଜି ନିଜେ ଅନୁଭବ କରୁଥିଲା ପ୍ରେମର ଗଭୀରତା ଓ ସୁନ୍ଦରତା। ନିଜକୁ କେବେ ବିଶ୍ୱାସ କରିପାରୁ ନ ଥିଲେ... ତା'ପରି ବ୍ୟକ୍ତିତ୍ୱକୁ କୌଣସି ସୁନ୍ଦରୀ ଲଳନା ଜୀବନଠୁଁ ଅଧିକ ଭଲ ପାଇପାରେ ? ସମୟ ଗଡି ଚାଲିଲା । ଫୋନ୍ ରେ ହିଁ କଥାବାର୍ତ୍ତା । ଦୁହିଁଙ୍କ ମଧ୍ୟରେ କେବେ ବି ଦେଖା ସାକ୍ଷାତ ନାହିଁ । ଜଣେ ଧନାଢ୍ୟ ପାଠୋଈ ଲଳନା ଜୀବନ ଠାରୁ ଅଧିକ ଭଲ ପାଉଥିଲା । ଏଣୁ ନିଜକୁ ଭାଗ୍ୟବାନ ମଣୁଥିଲେ ଶାନ୍ତନୁ । ପ୍ରେମ ଥିଲା ଚରମ ସୋପାନରେ । କିନ୍ତୁ ଅଜଣାରେ.. ଅଦେଖାରେ... ମନେମନେ ଭାବୁଥିଲେ ଶାନ୍ତନୁ । ବିନା ଅଭିଜ୍ଞତାରେ ପ୍ରେମ ଗଳ୍ପ ରଚନା କରି ସେ ଆଦୃତି ଲାଭ କରିଥିଲେ । କିନ୍ତୁ ଆଜି ସେ ବୁଝିପାରିଛନ୍ତି ତାଙ୍କ ଲିଖିତ ପ୍ରେମର ପ୍ରତିଟି ଶବ୍ଦକୁ । ତା ନହେଲେ ନିଜ ବିଷୟରେ ଯେତେ ବି କହିଲେ ; ଗୋଟିଏ ଉତ୍ତର - ଓହୋ ! ମୁଁ ଶରୀରକୁ ଭଲ ପାଏନାହିଁ, ମୁଁ ଭଲ ପାଏ ହୃଦୟକୁ, ମନକୁ, ଶାନ୍ତ, ସରଳ ସରସ୍ଵତୀଙ୍କ ବରପୁତ୍ର... ସେ ସାରସ୍ୱତ ସାଧକଙ୍କୁ ।


ପ୍ରେମର ଅମୃତ ବାରିଧାରାରେ ତା'ହେଲେ ବିଷର ସିଞ୍ଚନ.. ପ୍ରତାରଣା.. ଏସବୁ କେମିତି ଓ କାହିଁକି ? ଅନୁଶୀଳନ କରୁଥିଲେ ଶାନ୍ତନୁ । ଏତେ ସୁନ୍ଦର ପ୍ରେମରେ ପୁଣି ଝଡ ଓ ଭଟ୍ଟା ? ବୁଝି ପାରୁ ନ ଥିଲେ ଶାନ୍ତନୁ । ବହୁତ ଗଳ୍ପରେ ବର୍ଣ୍ଣନା କରିଛନ୍ତି - ଗୋଲାପ ଧରିବାକୁ ହେଲେ କଣ୍ଟା ନିଶ୍ଚୟ । କିନ୍ତୁ ସେ ତ ବିନା କଣ୍ଟାରେ ଗୋଲାପ ପାଇଗଲେ। ତାଙ୍କର ଆଗକୁ ପଛକୁ କେହି ନାହିଁ । ତା'ଛଡା ଚନ୍ଦନା ପରିବାର ପକ୍ଷରୁ ଆପତ୍ତି ନାହିଁ। ତାହେଲେ, ପ୍ରେମରେ ଅସଫଳ ଆତ୍ମହତ୍ୟା ଏସବୁର ଚିତ୍ରଣ ବୋଧେହୁଏ ମୋର ଭୁଲ୍ ଥିଲା। ନିଃସ୍ୱାର୍ଥପୂର୍ଣ୍ଣ ପ୍ରେମ କଣ୍ଟକଶୂନ୍ୟ। ପ୍ରେମ ନଈରେ ଭାସି ଚାଲିଥିଲା ଶାନ୍ତନୁ ଓ ଚନ୍ଦନାର ତରୀ । ଆଗରୁ ତ ଅନେକ ଥର ଶାନ୍ତନୁ ନିଜ ବିଷୟରେ କହିଛନ୍ତି ତଥାପି ଆଗକୁ ବଢିଛି ସୁନ୍ଦରୀ ଶିକ୍ଷିତା ଚନ୍ଦନା । ଶାନ୍ତନୁ ନିଜର ଅକ୍ଷମତା ପାଇଁ ଘର ସଂସାର କରିବାର ମୋହକୁ ମନରୁ ପୋଛିଦେଇ ପ୍ରେମଗଳ୍ପ ଲେଖୁଥିଲେ । ଲେଖିଲେଖି ଦ୍ଵାରା ତାଙ୍କର ଜୀବନର ତୃପ୍ତି ଲାଭ କରୁଥିଲେ ଶାନ୍ତନୁ । ତାକୁ ଆଜି ବି ଲାଗୁଥିଲା ଚନ୍ଦନା ର ପ୍ରେମ ଅବିଶ୍ୱସନୀୟ ଓ ସ୍ୱପ୍ନ ପରି । ଆରେ......! ଭାବନା ରାଜ୍ୟରେ ବୁଡି ଯାଇଥିବା ବେଳେ ଚନ୍ଦନା କେତେ ଥର ଫୋନ୍ କରି ସାରିଲାଣି । ବୋଧହୁଏ ବ୍ୟସ୍ତ ହୋଇପଡୁଥିବ ବିଚାରୀଟା । ଫୋନ୍ କରି ଚମକି ଉଠିଲେ ଶାନ୍ତନୁ । ଚନ୍ଦନା ତା ଘରକୁ ନିମନ୍ତ୍ରଣ କରୁଛି। ହେଲେ ତାହା ତ କେବେ ସମ୍ଭବ ନୁହେଁ । ସତରେ କ'ଣ ଚନ୍ଦନା କିଛି ଜାଣିନି ? ଘରକୁ ଯିବା ପାଇଁ ନିଜର ଅକ୍ଷମତା ପ୍ରକାଶ କଲେ ଶାନ୍ତନୁ । ଚନ୍ଦନା କହିଲା, ମନଦୁଃଖ କରନାହିଁ, ମୁଁ କିଛି ଗୋଟିଏ କରୁଛି। ତାପରେ ଚାଲିଲା ବାର୍ତ୍ତାଳାପ । କିଛିଦିନ ସମୟ ପରେ ଚନ୍ଦନା ପରିବାର ସହିତ ଶାନ୍ତନୁ ଘରେ ପହଞ୍ଚିଲା। ଚନ୍ଦନା ଲାଜେଇ ଯାଇ ଗାଡି ଭିତରେ ବସି ରହିଲା। ଓହ୍ଲେଇ ଗଲେ ଚନ୍ଦନାର ବାପାମାଆ । ଘରଟି ନୁଆଁଣିଆ ଚାଳ ଛପର । ଘରେ ପ୍ରବେଶ କରୁକରୁ ମୁଣ୍ଡ ବାଜିଗଲା ଠାଏ'କିନି ଚନ୍ଦନା ର ବାପାଙ୍କର । ବାହାରେ ହ୍ବିଲ୍ ଚେୟାର ଉପରେ ବସିଥିଲେ ଏକ ଶାରୀରିକ ଅକ୍ଷମ ଯୁବକ । ଚନ୍ଦନା ର ବାପା ତାଙ୍କୁ ପଚାରିଲେ, ଆଜ୍ଞା ! ଟିକେ ଶାନ୍ତନୁ ବାବୁଙ୍କୁ ଡାକି ଦେବେ କି ? ଆମ ଝିଅର ଅଝଟ ଯୋଗୁଁ ଆମେ ତା' ପାଇଁ ପ୍ରସ୍ତାବ ଦେଖିବାକୁ ଆସିଛୁ ? ଯୁବକ ଜଣକ ହସିହସି କହିଲେ ଆଜ୍ଞା, ପ୍ରଣାମ । ମୁଁ ହିଁ ନିଜେ ଶାନ୍ତନୁ... ବିସ୍ମିତ ହୋଇଗଲେ ଚନ୍ଦନା ର ବାପା ମାଆ । କଦାକାର ପୁରୁଷ... ନା ଘର... ନା ଚାକିରୀ... ନା ସୁନ୍ଦରତା... କ' ଣ ଦେଖି ଆମ ଝିଅ ଭଲପାଇ ବସିଲା ? ଘରକୁ ଗଲେ ତାକୁ ବୁଝେଇଦେବା ଭାବି କହି ଗାଡି ପାଖକୁ ଚାଲି ଆସିଲେ ଦୁହେଁ। ଆସି ଗାଡି ଭିତରେ ଦେଖନ୍ତି ତ ଚନ୍ଦନା ନାହିଁ । ବାହାରେ ଖୋଜା ଖୋଜି କଲେ । କେଉଁଠି ବି ପାଇଲେ ନାହିଁ । ଆଶ୍ଚର୍ଯ୍ୟଚକିତ ଅବସ୍ଥାରେ ରହିଲେ । ଶେଷରେ ନିରାଶ ହୋଇ ଗାଡି ପାଖରେ ଠିଆ ହେଲେ । ସେହି ସମୟରେ ଦୁଇହାତରେ ଦୁଇ କପ୍ କଫି ଧରି ଆସି ଯାଇଥିଲେ ଚନ୍ଦନା । ଆଶ୍ଚର୍ଯ୍ୟ ହୋଇ ଚନ୍ଦନାକୁ ଦେଖୁଥିଲେ ବାପାମାଆ। କୁଟାଖଣ୍ଡକ ଦି'ଖଣ୍ଡ କରୁ ନ ଥିବା ଅଲିଅଳି ଝିଅ ଆଜି ନିଜ ହାତରେ କଫି କରି ଆଣିଛି । ବିଶ୍ୱାସ କରିପାରୁନଥିଲେ ସେମାନେ ? ଝିଅ ! ତୁ କଫି କରି ଆଣିଛୁ ? ହସି ହସି ଚନ୍ଦନା କହିଲା - ହଁ ବାପା ! ମୁଁ ଜାଣିଥିଲି ତୁମେ ଶାନ୍ତନୁକୁ ଗ୍ରହଣ କରିବ ନାହିଁ। କିନ୍ତୁ ଆମ ଭିତରେ କିଛି ଫରକ ନାହିଁ। ସେ ଜଣେ ହୃଦୟବାନ ମଣିଷ। ଆଜିର ଦୁନିଆରେ ତାଙ୍କରି ଭଳି ବ୍ୟକ୍ତିତ୍ୱ ବିରଳ। ତମ ଆଖିରେ ପ୍ରାଚୁର୍ଯ୍ୟର କଳାଚଷମା । ଶାନ୍ତନୁର ହୃଦୟ ରଙ୍ଗରେ ମୋର ବିଶ୍ୱାସର ତୁଳୀ । ଆମ ସମ୍ପର୍କର ରଙ୍ଗକୁ ଭରସାର ତୁଳୀ ରେ ମନର କାନଭାସରେ ଶାନ୍ତନୁ ଆଙ୍କି ସାରିଛନ୍ତି, ଅତି ସୁନ୍ଦର ନିଖୁଣ ସେ ଚିତ୍ରପଟ। ତୁମ ଅବିଶ୍ୱାସର ରଙ୍ଗ ବୋଳି ଆମ ସମ୍ପର୍କର ଛବିକୁ ତୁଳୀରେ ନଷ୍ଟ କରିବାର ବ୍ୟର୍ଥ ପ୍ରୟାସ କରନାହିଁ । ତୁମ ଝିଅର ରଙ୍ଗିନ ସ୍ୱପ୍ନ ବେରଙ୍ଗ ହୋଇଯିବ। ଭୁଲ ବୁଝିପାରୁଥିଲେ କି ବାଧ୍ୟବାଧକତାରେ ରାଜି ହୋଇଥିଲେ , ଚନ୍ଦନା ର ବାପାମାଆ ବୁଝି ହେଉ ନ ଥିଲା । ଚନ୍ଦନା ର ବାପା ମାଆଙ୍କର ଆଖିରେ ଅଶ୍ରୁର ପ୍ଳାବନ । ସେ ଅଶ୍ରୁ ଖୁସିର କି ଦୁଃଖର ବାରି ହେଉ ନ ଥିଲା । ଚନ୍ଦନା ଓ ଶାନ୍ତନୁ ଏକାଠି ବସିଥିଲେ । ଚନ୍ଦନା ଓ ଶାନ୍ତନୁର ଆଖିରେ ଆନନ୍ଦର ଅଶ୍ରୁ । ହଁ... ଏହି ଅଶ୍ରୁ ହୋଇପାରେ ଖୁସିର... ବିଶ୍ୱାସର... ପ୍ରେମର... ସମ୍ପର୍କର... ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା । ସେ ସମ୍ପର୍କ, ସଫଳ ସମ୍ପର୍କ । ବାହାଘର ଦିନ ବି ସ୍ଥିର ହୋଇ ସାରିଥିଲା। ଚନ୍ଦନାର ବାପା ମାଆ ଝିଅର ସମ୍ପର୍କର ସଂଜ୍ଞାକୁ ବୁଝିବା ଆଗରୁ ଦୁହେଁ ହୋଇ ଯାଇଥିଲେ ଏକାକାର । ଶାନ୍ତନୁ କହୁଥିଲା - ବୁଝିଲି ତୁମ ପ୍ରେମର ପରିଭାଷାକୁ । ଆଉ ତୁମ ଗୋଲାପୀ ଓଠର ହସ ଧାରରେ ସବୁ ବୁଝିଗଲି । ସତରେ ସମ୍ପର୍କର ପରିଭାଷାକୁ ବୁଝିଯିବା ଏତେ ସହଜ ନୁହେଁ ,କାରଣ ମୁଁ ବୁଝିଛି - ପ୍ରେମ ନୁହଁଇ କେବଳ ପ୍ରାପ୍ତି, ପ୍ରେମ ଯେ ତ୍ୟାଗ, ପ୍ରେମ ଯେ ମୁକ୍ତି, ପ୍ରେମ ପୁଣି ଅନନ୍ତ ପ୍ରତୀକ୍ଷା...



Rate this content
Log in

Similar oriya story from Romance