Shanti Mishra

Tragedy

3.4  

Shanti Mishra

Tragedy

ଅନେକ ରାସ୍ତାର ଛକ

ଅନେକ ରାସ୍ତାର ଛକ

5 mins
155


ଅନେକ ରାସ୍ତାର ଛକ

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା


ଏମରଜେନ୍ସି ରୁମ୍ ର ବେଡ୍ ରେ “ସୁବୀର”କୁ ଦେଖି “ସିପ୍ରା” ଆଶ୍ଚର୍ଯ୍ୟ l ସୁବୀର ଏଠି କେମିତି ? ସିପ୍ରାର ଆଜି ଏମରଜେନ୍ସି ଡିୟୁଟି l ଏଇ ଚାରି ଘଣ୍ଟା ତଳେ ସୁବୀର ଏଠିକୁ ଆସିଛି l କାର ଦୁର୍ଘଟଣାରେ କ୍ଷତ ବିକ୍ଷତ ତାର ଶରୀରର ଅନେକ ଅଂଶ l ଦୁଇ ଜଣ ଡାକ୍ତର ଲାଗି ତାର ସବୁ କ୍ଷତରେ ପଟି ଲଗେଇ ସାରିଛନ୍ତି l ଯଦିଓ ମୁହଁରେ ବେଶୀ କ୍ଷତ ନାହିଁ l ଦେଖିଲେ ଚିହ୍ନି ହଉଛି l ସିପ୍ରା ହଠାତ ତା ନା ପଢି ପାଖକୁ ଯାଇ ଚମକି ପଡିଥିଲା l ଏଠାକୁ ସେ କିପରି ଆସିଲା ! ଆମେରିକାରୁ ସେ କେବେ ଫେରିଲା ! ଏମିତି ଓଡ଼ିଶା ବୁଲିବାକୁ ଆସିଥିଲା ନା ସବୁଦିନ ପାଇଁ ଚାଲି ଆସିଛି l ଏବେ ତ ମେଡ଼ିସିନ ଇଂଜେକସନ ନେଇ ସେ ଶୋଇ ଯାଇଛି l ଉଠିଲେ ଜଣା ପଡିବ l ଯଦିଓ ତାର ସୁବୀର ବିଷୟରେ ଜାଣିବାକୁ ବିଶେଷ କିଛି ଇଚ୍ଛା ନାହିଁ l

ବର୍ତ୍ତମାନ ସୁବୀର ଜଣେ ଏକ ରୋଗୀ କେବଳ ମାତ୍ର ସିପ୍ରା ପାଇଁ l ଯାହାର ସେବାର ଦାୟିତ୍ଵ ବର୍ତ୍ତମାନ ତା ଉପରେ l ସେତିକି ମାତ୍ର ସମ୍ପର୍କ l ନିତି ତ ଏପରି କେତେ ରୋଗୀ ଆସୁଛନ୍ତି ଯାଉଛନ୍ତି l ତାର ଏଥିରେ ଭାବିବାର ବି କିଛି ନାହିଁ l କିଛି ସମୟ ପରେ ସିପ୍ରା ଯାଇ ସୁବୀରର ବ୍ଲଡ ପ୍ରେସର ଦେଖିଲା l ଏବେ ନର୍ମାଲ ଅଛି l ଏହା ଭିତରେ ଆଗରୁ ତିନିଥର ଦେଖିଥିଲା ଟିକେ ଅଧିକ ଥିଲା l ଏଥରକ ଦେଖିଲା ବେଳକୁ ସୁବୀରର ଆଖି ଖୋଲି ଯାଇଥିଲା l ପାଣି ମାଗିଥିଲା ପିଇବାକୁ l

ତାର ଯାହା ଦରକାର ଖାଇବା ପିଇବା ବା ବାଥରୁମ୍ କାମ ସେ ଚୁପ ଚାପ କରି ଯାଉଥାଏ l ସୁବୀର ତାକୁ ଠିକ ଚିହ୍ନି ସାରିଛି ବୋଲି ତାର ମନେ ହୁଏ l ଅନ୍ୟ କିଛି କଥା ଉଠେଇବା ମାତ୍ରେ ସିପ୍ରା କିଛି ନା କିଛି କାମର ବାହାନା କରି ସେଠାରୁ ଚାଲି ଯାଉଥାଏ l ସେଦିନଟି ଯେମିତି ସେମିତି ହେଇ ସରିଗଲା l ଏମିତିରେ ସୁବୀର ଅନେକ ସମୟ ଧରି ଶୋଇ ରହୁଥାଏ l ତା ପର ଦିନ ସିପ୍ରା ଆଉ ଆସିଲାନି ଜଣେ ସହକର୍ମୀଣୀଙ୍କ ସହିତ ଡ୍ୟୁଟି ଚେଞ୍ଜ କରି ଅନ୍ୟ ରୁମ୍ କୁ ଚାଲି ଯାଇଥିଲା l

ସିପ୍ରା ଆଉ ସୁବୀର ଦୁହେଁ ସାତ ବର୍ଷ ତଳେ ଦୁହିଁକୁ ଭଲ ଭାବରେ ଜାଣି ଥିଲେ, ଏକ ସଙ୍ଗେ କଲେଜରେ ପଢୁଥିଲେ l ସମ୍ପର୍କ ବେଶ ଘନିଷ୍ଠ ଥିଲା l ଦିନେ ନଦେଖିଲେ ପରସ୍ପରକୁ ଦୁହିଁକୁ ପାଗଳ ପରି ଲାଗୁଥିଲା l ସୁବୀର ଉଚ୍ଚଶିକ୍ଷା ପାଇଁ ଆମେରିକା ଦୁଇ ବର୍ଷ ପାଇଁ ଯିବାର କଥା ଥିଲା ଫେରିଲେ ସେମାନେ ବିବାହ କରିବେ ଏହି ସର୍ତ୍ତ ଥିଲା l ସିପ୍ରା ନର୍ସିଂ ଟ୍ରେନିଙ୍ଗରେ ଯୋଗ ଦେଲା l କାରଣ ସେ ତା ବାପା ମାଆଙ୍କର ଏକମାତ୍ର ସନ୍ତାନ l ମଧ୍ୟବିତ୍ତ ପରିବାରର ବାପ ମାଆଙ୍କ ଦାୟିତ୍ଵ ତା ଉପରେ ଭବିଷ୍ୟତରେ ନିଶ୍ଚୟ ପଡିବ l ତେଣୁ ନିଜକୁ କିଛି ଉପାର୍ଜନ କ୍ଷମ କରିନେବା ନିହାତି ଦରକାର l

ଏମିତିରେ ସୁବୀର ଆମେରିକାରୁ ଫେରୁ ଫେରୁ ଦୁଇ ବା ତିନି ବର୍ଷ ତ ନିଶ୍ଚୟ ଲାଗଯିବ l ତାର ଅପେକ୍ଷା କରି ଖାଲିଟାରେ ଘରେ ବସି ରହି ନିଜକୁ ଛଟପଟ କରିବା ଅପେକ୍ଷା କିଛି ଉପଯୋଗୀ କାମ କରିନେବା ସବୁ ଦୃଷ୍ଟିରୁ ଭଲ ହେବ l ବର୍ଷେ ଯାଏ ଠିକ ଠାକ ସୁବୀରର ଚିଠି ଆସୁଥିଲା l ତା ପରେ ହଠାତ ବନ୍ଦ ହୋଇଗଲା l ଚିଠି ଦେଇ ଦେଇ ଥକିଗଲା ପରେ ସିପ୍ରା ଯାଇ ସୁବୀରର ବାପାଙ୍କ ପାଖରୁ ପଚାରି ବୁଝିଲା ଘଟଣା କଣ l ସେ ଯାହା କହିଲେ ଶୁଣି ସିପ୍ରାର ଗୋଡ ତଳୁ ମାଟି ତ ସେଦିନ ଖସି ଯାଇଥିଲା କିନ୍ତୁ ସୁବୀର ପ୍ରତି ଘୃଣା ବି ଆସି ଯାଇଥିଲା l

ସୁବୀରର ମାଆ ନଥିଲେ କେବଳ ବାପା l ତାର ବାପା କହିଥିଲେ ସୁବୀର ସେଠାରେ ସେଟଲ୍ ହେବାକୁ ଚାହେଁ l ସେଠାକାର ଏକ ଝିଅକୁ ବିବାହ କରିବାକୁ ଠିକ ବି କରିଛି କିନ୍ତୁ ଏ ବର୍ଷ ନୁହଁ ଆର ବର୍ଷକୁ l ସୁବୀର ଆସି ତାଙ୍କୁ ଏଠାରୁ ନେଇଯିବ ବୋଲି କହିଛି l ଆଉ କିଛି ଶୁଣିବାକୁ ଇଚ୍ଛା ହେଲାନି ସିପ୍ରାର l ସବୁଦିନ ପାଇଁ ନିଜର ମନର ଦ୍ଵାର ସୁବୀର ପାଇଁ ବନ୍ଦ କରି ଦେଇଥିଲା l ସେ ବି ଛଅ ମାସ ପରେ ତା ବାପ ମାଙ୍କ ଇଚ୍ଛାନୁସାରେ ବିବାହ କରିନେଇଥିଲା l ଏ ହସ୍ପିଟାଲରେ ଚାକିରି ପାଇ ବେଶ ଏବେ ଖୁସିରେ ଅଛି l

ସୁବୀର ତା ଜୀବନରେ କିଛି ନୁହେଁ ବର୍ତ୍ତମାନ ଏକ ରୋଗୀ ବ୍ୟତୀତ l ତେଣୁ ତାକୁ ଦେଖିବାକୁ ବି ତାର କୌଣସି ପ୍ରକାର ଇଚ୍ଛା କି ଆଗ୍ରହ ହେଲାନି l ଦୁଇ ଦିନ ପରେ ସୁବୀର ଡିଶ୍ଚାର୍ଜ ହୋଇ ଚାଲିଗଲା l ସିପ୍ରା ତାର ସହକର୍ମିଣୀ ରେଖା ପାଖରୁ ଏକ ବଡ ଲଫଫା ପାଇଥିଲା l ଯୋଉଟାକି ସୁବୀର ତା ପାଇଁ ଛାଡି ଦେଇ ଯାଇଥିଲା l ଖୋଲିବ ନା ଖୋଲିବନି ଲଫଫାଟି ହୋଇ ମାସେ ଚାଲିଗଲା l ପରେ ଧୈର୍ଯ୍ୟ ସୀମାରେଖା ଟପିଗଲା ପରେ ସେ ଖୋଲି ଥିଲା l କଣ ଲେଖିଥିବ ସୁବୀର, ପୂର୍ବ ପରି ତ ପ୍ରେମ ଭରା ଚିଠି କେବେବି ଲେଖି ନଥିବ ତେବେ କଣ କ୍ଷମା ପ୍ରାର୍ଥନା କରିଥିବ ନା ତା ଜୀବନ ଇଲାକା ଭିତରକୁ ପୁଣି ଥରେ ଫେରି ଯିବାକୁ ବିନମ୍ର ଅନୁରୋଧ କରିଥିବ l

ଏକ ଅହେତୁକ ପ୍ରଶ୍ନବାଚୀ ନେଇ ଖୋଲିଥିଲା ଲଫଫାଟି l କିନ୍ତୁ ଏ କଣ ତାର ସମସ୍ତ ସମ୍ପତ୍ତିର ୱିଲ ସିପ୍ରାକୁ ହସ୍ତାନ୍ତର କରି ଦେଇଥିବାର କାଗଜ ସବୁ l ଗୋଟିଏ ଚିଠି ବି ଥିଲା l ଖୁବ ସଂକ୍ଷିପ୍ତ କିନ୍ତୁ l ଆଶା କରିଥିଲା ଚାରି ପାଞ୍ଚ ପୃଷ୍ଠାର ପୂର୍ବ ପରି କିଛି ଭାବପ୍ରବଣ ରେ ଭରା କବିତ୍ଵ ପୂର୍ଣ୍ଣ ଲେଖା l ନା ସେପରି କିଛି ନଥିଲା, ତଥାପି ପଢିଲା l ବିନା ସମ୍ବୋଧନ ବିନା ଭୂମିକରେ ଲେଖା ଆରମ୍ଭ ହୋଇଥିଲା l ତୁମେ ମୋ ବିଷୟରେ ଯାହା ଭାବୁଛ ସିପ୍ରା ତାହା ସମ୍ପୂର୍ଣ୍ଣ ଠିକ ନୁହେଁ l ଆମେରିକା ଯିବାର ବର୍ଷକ ପରେ ଏକ କାର ଦୁର୍ଘଟଣାର ଶିକାର ହୋଇ ଦୁଇ ମାସ ବେହୋସ ଅବସ୍ଥାରେ ଥିଲି l ଜଣେ ସାହାପାଠିନୀଙ୍କ ଦୟା ସେବା ଦ୍ଵାରା ପୁର୍ନଜନ୍ମ ପାଇଲି l ତାଙ୍କ ଋଣର କୃତଜ୍ଞତା ପାଇଁ ତାଙ୍କୁ ବିବାହ କରିବାକୁ ପଡିଲା l ତେଣୁ ତୁମ ଠାରୁ ବିଛିନ୍ନ ହେବାକୁ ବାଧ୍ୟ ହେଲି l

ଗଲା ମାସରେ ବାପାଙ୍କର ହଠାତ ହାର୍ଟ ଆର୍ଟକରେ ଦେହାନ୍ତ ହେବା ପରେ ଏଠାକୁ ଆସି ଥିଲି l ତୁମେ ତ ଜାଣ ମୁଁ ସେମାନଙ୍କର ଏକମାତ୍ର ସନ୍ତାନ l ତେଣୁ ଏ ସମ୍ପତ୍ତି ବାଡିର ତୁମେ ହିଁ ବର୍ତ୍ତମାନ ପ୍ରକୃତ ହକଦାର ମତେ ବିବାହ କରିଥିଲେ l କିନ୍ତୁ ସେ ସୌଭାଗ୍ୟ ବା ସୁଯୋଗ ମିଳିଲାନି l ତେଣୁ ଏସବୁ ଗ୍ରହଣ କରି ମତେ ତୁମ ସ୍ନେହରୁ ଋଣ ମୁକ୍ତ କରିବ l ତୁମକୁ କହିବାକୁ ଅନେକ ଥର ଚେଷ୍ଟା କରିଥିଲି କିନ୍ତୁ ତୁମେ ସୁଯୋଗ ହିଁ ଦେଲନି l ଜାଣେ ଏ ତୁମର ଦୋଷ ନୁହଁ l ତୁମର ଏ ଅଭିମାନ ସମ୍ପୂର୍ଣ୍ଣ ରୂପେ ଅର୍ଥ ପୂର୍ଣ୍ଣ l କ୍ଷମା ମାଗିବାକୁ ମୋର ସାହସ ନଥିଲା କି ତୁମେ ସୁଯୋଗ ଦେଲ ନାହିଁ l ସାତ ଦିନ ପରେ ଟିକେ ବିଶ୍ରାମ ନେଇ ମୁଁ ଫେରିଯିବି ଆମେରିକା l ସେତେବେଳକୁ ତୁମେ ଏ ଚିଠି ଯଦି ପଢି ସାରିଥିବ ତେବେ ଏୟାରପୋର୍ଟ ଆସିଲେ ଦେଖାହେବ l ତୁମ ପ୍ରତୀକ୍ଷାରେ ନିଶ୍ଚୟ ରହିବି l

ଆଖିରୁ ଲୁହ ତ ଅନେକ ଗଡ଼ି ସାରିଥିଲା ସିପ୍ରାର ଚିଠିଟି ସରିବା ପୂର୍ବରୁ l ଯଦି ସେ ସେଇଦିନ ଏ ଚିଠିଟି ପଢି ପାରିଥାନ୍ତା ହୁଏତ ସମୟ ଥିଲା ଯାଇ ସୁବୀରକୁ ଦେଖା କରି ପାରିଥାନ୍ତା l ଅନେକ କିଛି ଥିଲା କହିବାକୁ ଶୁଣିବାକୁ କିନ୍ତୁ ତାରି ସ୍ଵାଭିମାନ ଯୋଗୁ ସବୁ ସେ ହରେଇଲା l କିନ୍ତୁ ଜାଣି ଖୁସି ଲାଗିଲା ଏବେବି ସୁବୀରର ହୃଦୟ ଭିତରେ ସେ ବଞ୍ଚି ରହିଛି ବୋଲି l ସବୁ ସନ୍ଦେହ ସବୁ ବେଳେ ସତ୍ୟ ନୁହେଁ କି ସବୁ ପରିସ୍ଥିତି ସବୁବେଳେ ଇଚ୍ଛାକୃତ ବି ନୁହେଁ l


********************************************************


Rate this content
Log in

Similar oriya story from Tragedy