ଅମରାବତୀର କାହାଣୀ
ଅମରାବତୀର କାହାଣୀ
ଲୋକ ସଂଖ୍ୟା ବଢିବା ସଙ୍ଗେ ସଙ୍ଗେ ଗାଡି ମଟର, ବସ, ଟ୍ରେନ୍ ସହ କଳକାରଖାନାର ଧୂଆଁ ଯୋଗୁଁ ପରିବେଶ ଆଜି ନଷ୍ଟ ବୋଲି ବୈଜ୍ଞାନିକ ମାନେ କହୁଥିବା ସ୍ଥଳେ ଓଜନ ସ୍ତର ବଢ଼ି ବାକୁ ଯାଉଛି, ଯାହା ପୃଥିବୀ ପ୍ରତି ବିପଦ। କନିକା ଲକ୍ଷ କରନ୍ତି, ଆକାଶ ପଥରେ ମଧ୍ୟ, ହେଲିକପ୍ଟର, ଉଡାଜାହାଜ, ଜେଟ ଓ ସାଟେଲାଇଟ ଯୋଗୁଁ କଣ ସବୁଜ ପୃଥିବୀ ପୃଷ୍ଠରେ ଘୋର ଅବକ୍ଷୟ ହେଉନାହିଁ?ଏଇ କଥା ଭାବିଭାବି ଆଖି ଲାଖି ଯାଇଛି, ଗୋଟେ ଅଦ୍ଭୁତ ପ୍ରକାର ଯାନ ଦେଖି, କନିକାଙ୍କ ଆଖି ବିସ୍ଫାରିତ ହୋଇଗଲା, କାରଣ ଭାଇଜାଗ, ସମୁଦ୍ର କୂଳରେ ଥୁଆ ହୋଇଥିବା, ଯୁଦ୍ଧ ଜଳ ଜାହାଜ, ଖୁଶୁରା ଆକୃତିର ବିରାଟ ଯାନ ଟି କେତେଗୁଡ଼ିଏ କୋଠରୀ ରେ ପରିଣତ ହୋଇଥିଲା। ସବା ଆଗ କୋଠରୀରେ ଚିତ୍ର ଜମଙ୍କ ଭଳି ,କେହି ପାଇଲଟ ବସିଥିବା ବେଳେ, ତାଙ୍କ ପାଖକୁ ଚିତ୍ରର ଚିତ୍ରଗୁପ୍ତଙ୍କ ଭଳି ଗୋଟେ ବଡ ବହି ଧରି ବସିଛନ୍ତି ଆଉ ଜଣେ,ତାଙ୍କ ପାଖକୁ ଲାଗି ସିଟ ରେ କନିକାଙ୍କ ବାପା। ଆଉ ଅନ୍ଯ କୋଠରୀ ଗୁଡିକରେ ଶବ ପରି ଧଳା ଚାଦର ଘୋଡାଇ ହୋଇ ଅନେକ ଲୋକ ମୃତବତ୍ ପଡ଼ିରହିଛନ୍ତି। ହେଲେ ବାପା ଙ୍କୁ ଦେଖି କନିକା ଡାକ ପକେଇଲେ ରହିଯା ରହିଯା ଯାନ, ମୋ ବାପାଙ୍କୁ ଟିକେ ଦେଖିବି ଆଖିପୁରାଇ। ଅଟକି ଗଲା ଯାନଟି। ଦଉଡ଼ି ଗଲେ କନିକା ବାପା, ତୁମେ ବଞ୍ଚିଛ ?
ବାପା କହିଲେ ମାରେ ବଞ୍ଚିବା ମରିବା ମୋ ପାଇଁ ଏକା କଥାରେ ମାଆ। ପୃଥିବୀରେ ଥିଲା ବେଳେ ମୋ ସଚ୍ଚୋଟତା ଫଳରେ ଅର୍ଥାତ, ଲାଞ୍ଚ ନନେବା, ସମୟାନୁବର୍ତ୍ତି ହେବା, ଶୃଙ୍ଖଳିତ ଚରିତ୍ର ନିଜେ ଶିଖି ଅନ୍ୟକୁ ତଥା ନିଜ ପିଲାଙ୍କୁ ଶିଖାଇବା, ଆଜି କାମ ଆଜି କରି ଟେବୁଲରେ ଫାଇଲ ପକାଇ ନରଖିବା, ତୁମମାନଙ୍କୁ ବି ସେହିଭଳି, ଆଜି କାମ ଏବେ ସାରିବାକୁ କହି ଶିଖାଇବା ଯୋଗୁଁ, ମତେ ଆଉ ପୁନରଜନ୍ମ ମିଳିଲା ନାହିଁ ସିନା, ଜମପୁରୀରେ, ଚିତ୍ରଗୁପ୍ତ ଙ୍କ ସାହାଯ୍ୟକାରୀ ରୁପେ ରଖାଗଲା। ଭାରି ଅଡୁଆ କାମ ମାଆ, ଦେଖୁଛୁ ଏ ବହିକୁ, କେତେ ଦେଶ, ରାଜ୍ୟ, ଜିଲ୍ଲା, ଗ୍ରାମ ର କୋଣେ ଅନୁକୋଣେ କିଏ କେବେ ମୃତ୍ୟୁ ମୁଖରେ ପୁଣି କେମିତି ଅର୍ଥାତ ରୋଗ, କି ରୋଗ, ଦୁର୍ଘଟଣା, କି ପ୍ରକାର ଦୁର୍ଘଟଣା, ହଣା କଟା, କିପ୍ରକାର ବା କାହିଁକି, ଛୋଟ, ବଡ, ମଧ୍ୟ ବୟସ୍କ, ବୃଦ୍ଧ ବୃଦ୍ଧା ଇତ୍ୟାଦି ପ୍ରତି ମିନିଟ ରେ କିଏ କେଉଁଠି କିପରି କେମିତି ମୃତ୍ୟୁ ବରଣ କରିବ, ସବୁ ମତେ ମନେ ପକାଇବାକୁ ପଡୁଛି। ହଉ ତୁ ଯାଆ, ଆଜି ପନ୍ଦର ମିନିଟ ମାତ୍ର ଅଧିକ ସମୟ ଥିଲା ବୋଲି ତୋ ସଙ୍ଗେ ଦି ପଦ କଥା ହୋଇପାରିଲି ନଚେତ୍ ବେଳ ହେଲାଣି ଆଜି ଯାଉଛୁ ତୋ ସାନ ମାମୁଁ ଘରକୁ, ବିଚରା କଷ୍ଟ ପାଇଲାଣି।
ରହିଯାରେ ଯାନ। ରହିଯାଅ ବାପା, ଫେରିଆସ ମୋ ନାତି ହୋଇ ମୋ କୋଳକୁ କହୁଥିଲେ କନିକା, ବୋଉଟା ତୁମକୁ ଦେଖି ସମ୍ଭାଳ ପଡୁ ବାପା। କିଛି ଶୁଣିନଥିଲେ ବାପା ,କହୁଥିଲେ କଳି ଯୁଗରେ ମହତ ପଣିଆର ସ୍ଥାନ ନପାଇଲେ ବି ମୁଁ ଶିଖେଇଥିବା ଆଦର୍ଶରେ ଅନୁପ୍ରାଣିତ ହେଉଥା ମାଆ, ଅନ୍ୟକୁ ବି ଶିଖାଉଥା। ରହିଯାଅ ବାପା, ଯେତେ କହିଲେ ବି, ବିଶାଳକାୟ ଯାନଟି ଉପରକୁ ଉପରକୁ ଉପରକୁ ଉଠିଥିବା ବେଳେ ଘନ ଘନ ଟେଲିଫୋନ ରେ ନିଦ ଭାଙ୍ଗିଗଲା। ସାନମାମୁଁଙ୍କ ବଡ଼ପୁଅ ଲିପୁ ଫୋନ କରିଚାଲିଥିଲା, ଅପା ବାପା ଚାଲିଗଲେ। କନିକାଙ୍କ ପାଟିରୁ ବଚନ ବାହାରୁନଥିଲା। ପାର୍ବଣ ଆସୁଥିବା ବେଳେ ଏତେ ଦୁଃଖ ଖବର ଜନେଇବାର ଥିଲା ତୋର କହି କାନ୍ଦୁଥିଲେ କନିକା।