ଅମର ପ୍ରେମର ଗାଥା
ଅମର ପ୍ରେମର ଗାଥା
ଚାରି ଆଡ଼େ ହୁରି ପଡିଗଲା କାଷ୍ଠ ନିର୍ମିତ ଫାଟକ ପାଖରେ ଦଣ୍ଡାୟମାନ ପୃଥ୍ୱୀରାଜ ଚୌହାନଙ୍କ ବେକରେ କନୌଜ ରାଜକୁମାରୀ ସଂଯୁକ୍ତା ଦେଲେ ବରଣ ମାଳା !
ଅପମାନିତ କରିବା ପାଇଁ ସ୍ଵୟମ୍ବର ସଭାର ଫାଟକରେ କାଠ ନିର୍ମିତ ଘୋଡା ଓ ତା ଉପରେ ସବାର ଜଣେ ମହାନ ବୀର ରାଜୁପୁତ ରାଜକୁମାର ପୃଥ୍ୱୀରାଜ ଚୌହାନ ଦଣ୍ଡାୟମାନ।
କନୌଜ ରାଜ୍ୟର ରାଜା ଜୟଚନ୍ଦ୍ରଙ୍କ ଅନିନ୍ଦ୍ୟ ସୁନ୍ଦରୀ ରାଜକୁମାରୀ ସଂଯୁକ୍ତାଙ୍କର ସ୍ଵୟମ୍ବର ହେଉଥାଏ। ଭାରତର ସବୁ ରାଜ୍ୟର ରାଜକୁମାରଙ୍କୁ ଏହି ସ୍ଵୟମ୍ବର ସଭାକୁ ନିମନ୍ତ୍ରଣ ଥିଲେ ମଧ୍ୟ ଆଜମୀର ରାଜକୁମାର ପୃଥ୍ୱୀରାଜ ଚୌହାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଘୋଡା ଉପରେ କାଷ୍ଠ ନିର୍ମିତ ତାଙ୍କ ପ୍ରତିମୂର୍ତ୍ତି ସ୍ଵୟମ୍ବର ସଭାର ଫାଟକ ଦ୍ୱାର ଦେଶରେ ରଖା ଯାଇଥିଲା ଅପମାନିତ କରିବା ପାଇଁ
ଭାରତର ଆଜମୀରର ଚୌହାନ ବଂଶର ଜଣେ ଏପରି ରାଜପୁତ ରାଜା ଥିଲେ ଯିଏ ଏକାଧାରରେ ଜଣେ ମହାନ ବୀର ,ଶ୍ରେଷ୍ଠ ଯୋଦ୍ଧା, ଦେଶପ୍ରେମୀ , ବିଚକ୍ଷଣ ବୁଦ୍ଧିର ଅଧିକାରୀ ଓ ସ୍ୱାଭିମାନି ? ତାଙ୍କ ବୀର ତାର କାହାଣୀ ଆକୁମାରୀ ହିମାଳୟ ଯାଏ ଚର୍ଚ୍ଚାରେ ଥିଲା ।
ବୀରତାର କାହାଣୀ ଶୁଣିଶୁଣି ଜଣକୁ ପ୍ରେମ ଏମିତି ହୋଇପାରେ ଯେ ଦୁଃସାହସିକ ପଦକ୍ଷେପ ନେବାକୁ ବି ପଛାନ୍ତି ନାହିଁ !କନୌଜର ରାଜକୁମାରୀ ଆଜମୀରର ରାଜକୁମାରଙ୍କ ବୀରତାର କାହାଣୀ ଶୁଣି ଶୁଣି ତାଙ୍କୁ ପ୍ରେମ ହୋଇଗଲା।
ସତରେ ଏ ପ୍ରେମ କଣ ! ଆସାଧ୍ୟ ସାଧନ କରେଇପାରେ ।ଅସମ୍ଭବକୁ ସମ୍ଭବ କରିପାରେ ବି। ପାହାଡ଼ରେ ଫୁଟେଇ ପାରେ ଫୁଲ। ରୁମାଲରେ ଲୁଚେଇ ପାରେ ସାରା ଗ୍ରୀଷ୍ମର ତାତି। ପକେଟରେ ଭରି ପାରେ ବିଶ୍ୱ ବ୍ରହାଣ୍ଡ।ସମୁଦ୍ରରେ ନିଆଁ ଲଗେଇବାର ସାମର୍ଥ୍ୟ ରଖେ। ପ୍ରେମ ଯୁଗେ ଯୁଗେ ଅଦ୍ଭୁତ ରୋମାଞ୍ଚକର କାହାଣୀ ସୃଷ୍ଟି କରିଛି।ଆମ ଭାରତ ଇତିହାସରେ ବି ଏପରି ଏକ ପ୍ରେମ କାହାଣୀର ଉଲ୍ଲେଖ ଅଛି।
ପିଲାଦିନୁ ପୃଥ୍ୱୀରାଜ ଭାରୀ ସାହସୀ ଥିଲେ। ତାଙ୍କ ବାପା ସୋମେଶ୍ୱର ଥିଲେ ଚୌହାନ ବଂଶର ରାଜା। ତାଙ୍କ ମୃତ୍ୟୁ ବେଳକୁ ପୃଥ୍ୱୀରାଜଙ୍କୁ ମାତ୍ର ଏଗାର ବର୍ଷ ବୟସ ହୋଇଥିଲା। ଏଗାର ବର୍ଷ ବୟସରେ ସେ ସିଂହାସନ ଆରୋହଣ କରିଥିଲେ।
ସେତେବେଳେ ମୋଗଲ ସୁଲତାନ ମହମ୍ମଦ ଘୋରୀ ଭାରତରେ ଆତଙ୍କ ସୃଷ୍ଟି କରିଥାନ୍ତି। ଭାରତୀୟ ଶାସକ ମାନଙ୍କ ମଧ୍ୟରେ ଏକତା ନ ଥାଏ।ଜୟଚନ୍ଦ୍ରଙ୍କ ସହ ଭଲ ପଡୁ ନ ଥାଏ ଆଜମୀରର। ଏଣେ ଉଭୟ ରାଜ୍ୟର ରାଜକୁମାରୀ ଓ ରାଜ କୁମାରଙ୍କ ମଧ୍ୟରେ ହୋଇଥାଏ ପ୍ରେମ।
ରୂପବତୀ ଗୁଣବତୀ ଝିଅ ସଂଯୁକ୍ତାଙ୍କର ସ୍ଵୟମ୍ବର ସଭା ଆୟୋଜନ କରାଯାଇଥାଏ। ପୃଥ୍ୱୀରାଜଙ୍କୁ ସ୍ଵୟମ୍ବରକୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସଂଯୁକ୍ତା ବ୍ୟଥିତ ଓ ମର୍ମାହତ। ଏ ଖବର ବିଜୁଳୀ ବେଗରେ ପହଞ୍ଚି ଯାଇଥିଲା ଆଜମୀରରେ।ପୃଥ୍ୱୀରାଜ ଚୌହାନ ମହାନ ଯୋଦ୍ଧା ସହ ଜଣେ ବିଚକ୍ଷଣ ବୁଦ୍ଧିର ଅଧିକାରୀ ଥିଲେ।
ସ୍ଵୟମ୍ବର ସଭାରେ ଉପସ୍ଥିତ ଥିବା କୌଣସି ରାଜକୁମାରଙ୍କ ଗଳାରେ ବରଣ ମାଳା ନ ଦେଇ ସଂଯୁକ୍ତା କାଷ୍ଠରେ ନିର୍ମିତ ଫାଟକ ପାଖରେ ଦଣ୍ଡାୟମାନ ଥିବା ପୃଥ୍ୱୀରାଜଙ୍କ ବେକରେ ବରଣ ମାଳା ଦେବା ମାତ୍ରକେ ଆଗରୁ ଲୁଚିକି ଥିବା ପୃଥ୍ୱୀରାଜ ସଂଯୁକ୍ତାକୁ ନେଇ ମାରିଲେ ଚମ୍ପଟ।
ଜୟଚନ୍ଦ୍ର ତାଙ୍କୁ ଗୋଡେଇ ଗୋଡେଇ ଯୁଦ୍ଧ କରି ପରାଜିତ ହେଲେ।ଏହି ପ୍ରତିଶୋଧ ନେବା ପାଇଁ ଜୟ ଚନ୍ଦ୍ର ମହମ୍ମଦ ଘୋରୀଙ୍କ ସାହାଯ୍ୟ ଲୋଡିଥିଲେ। ମହମ୍ମଦ ଘୋରୀଙ୍କୁ ବି ଜଣେ ଗୃହଭେଦି ରାଜାଙ୍କର ଆବଶ୍ୟକତା ଥିଲା।ମାତ୍ର ପୃଥ୍ୱୀରାଜ ଚୌହାନ ଘୋରୀଙ୍କୁ ସତର ଥର ପରାସ୍ତ କରିଥିଲେ। ସେ ଜଣେ ସର୍ବଶ୍ରେଷ୍ଠ ରାଜପୁତ ବୀର ଶାସକ ଥିଲେ । ମାତ୍ର ଶେଷ ଥର ଯୁଦ୍ଧରେ ପୃଥ୍ୱୀରାଜ ପରାସ୍ତ ହେଲେ।କ୍ରୁର ମହମ୍ମଦ ଘୋରୀ ପୃଥ୍ୱୀରାଜଙ୍କର ଆଖି ଫୁଟାଇ ନଷ୍ଟ କରି ବନ୍ଦୀ କରି ନେଇ ଥିଲେ।
ବନ୍ଦୀ ଅବସ୍ଥାରେ ମଧ୍ୟ ଚତୁରତାର ସହ ନିଜ ବନ୍ଧୁଙ୍କ ସାହାଯ୍ୟ ନେଇ ମୃତ୍ୟୁ ପୂର୍ବରୁ ସେ ଶବ୍ଦ ଭେଦି ଶର ଦ୍ୱାରା
ମହମ୍ମଦ ଘୋରୀଙ୍କୁ ମାରି ଦେଇଥିଲେ। ଲୋକ ମୁଖରେ ଶୁଣାଯାଏ ଘୋରୀଙ୍କୁ ମାରିଲା ପରେ ସେ ଓ ତାଙ୍କ ବନ୍ଧୁ ଅନ୍ୟ ହାତରେ ମରିବା ଅପେକ୍ଷା ନିଜ ହାତରେ ମରିବା ଶ୍ରେୟଃ ମଣି ଦୁହେଁ ଦୁହିଁଙ୍କୁ ହତ୍ୟା କରି ଚିର ନିଦ୍ରାରେ ଶୋଇଥିଲେ।
ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସଂଯୁକ୍ତା ମଧ୍ୟ ଆତ୍ମାହୁତି ଦେଉଥିଲେ। ଗୋଟିଏ ଅମର ପ୍ରେମ କାହାଣୀ ଜଣେ ବୀର ରାଜପୁତ ପୃଥ୍ୱୀରାଜ ଚୌହାନ ଓ ତାଙ୍କ ରାଣୀ ରାଜପୁତ ରମଣୀ ସଂଯୁକ୍ତାଙ୍କର ଶେଷ ପରିଣତି ଏପରି ହୋଇଥିଲା।
ସମୟ ବିତି ଚାଲିଛି ।ଆଜି ବି ଇତିହାସର ପୃଥ୍ୱୀରାଜ ଚୌହାନ ଓ ସଂଯୁକ୍ତାଙ୍କ ଅମର ପ୍ରେମର ଗାଥା ପ୍ରତି ଭାରତୀୟ ହୃଦୟରେ ଶ୍ରଦ୍ଧା ସମ୍ମାନ ସୃଷ୍ଟି କରେ। ସେମାନେ ମରି ବି ମରଣଜୟୀ।
ସତରେ ମୋ ଭାରତର ଐତିହ୍ୟ ପରମ୍ପରା ଓ ସଂସ୍କୃତି ଯେତିକି ମହିମାମୟ ସେତିକି ବିଶ୍ୱ ପ୍ରସିଦ୍ଧ ଏହାର ରାଜପୁତ ସନ୍ତାନ ମାନଙ୍କ ବୀରତ୍ବର ଗୌରବମୟ ଓ ସମ୍ମୁଜ୍ଵଳ କାହାଣୀ।
ସେଇଥିପାଇଁ ତ ମୋ ଅତୁଲ୍ୟ ଭାରତ ସମଗ୍ର ବିଶ୍ୱରେ ମହାନ।