Parameswar Ojha

Tragedy Inspirational

4  

Parameswar Ojha

Tragedy Inspirational

ଅମଣିଷ

ଅମଣିଷ

2 mins
241



ବ୍ଲକ୍ ରୁ ଗୋଟେ କାମ ସାରି ମୋର ୨୨ ଇଞ୍ଚିଆ ସାଇକେଲ ରେ ମୁଁ ‌ଘରକୁ ଫେରୁଥିଲି ।

ବାଟରେ ଧୋତି ପିନ୍ଧା ମଉସା ଜଣେ ଚାଲି ଚାଲି ଯାଉଥିଲେ , ମୋତେ ହାତ ଦେଖାଇ କହିଲେ - " ଟିକେ ..ଟିକେ .. ରହ ବାପ ..। " 


ମୁଁ ସାଇକେଲ ବ୍ରେକ୍ ମାରି କହିଲି 


- " ମଉସା ବସ "

- " କୋଉ ଯାକେ ଯିବୁ ପୁଅ ? " ( ମଉସା ପଚାରିଲେ )


ମୁଁ କହିଲି - "ମୁଁ ମଙ୍ଗଳପୁର ଯିବି । ତମେ ?"


- " ମୁଁ ଏଇ କୁମ୍ଭାରପଡ଼ା । କେତେ ଗାଡ଼ି ବାଲାଙ୍କୁ ହାତ ଦେଖେଇଲିଣି ହେଲେ  କେହି ଜଣେ ହେଲେ ନେଲେନି । ଯା'ହଉ .... ଠାକୁର ତୋ ପୁଅର ମଙ୍ଗଳ କରିବେ ।" 


ଏତକ କହି ବୁଢ଼ା ମଉସା ମୋ ସାଇକେଲ ପଛରେ ବସିଲା । 

ସାଇକେଲ ଗଡିବା ସହିତ ମୁଁ ବୁଢା ମଉସା କୁ ପଚାରିଲି 


-" ଆଉ  ମଉସା , ପୁଅ ଝିଅ କେତୋଟି ? "


 ବୁଢା ଦୂର୍ବଳ କଣ୍ଠସ୍ୱରରେ ଆରମ୍ଭ କଲା 

-" କ'ଣ କହିବିରେ ବାପ , ବୋହୂ ସ୍ଥିର କରିଥିଲି ପାଖ ଗାଁ ର କିନ୍ତୁ ପୁଅ ମନକୁ ଗଲାନି । ସେ ତା ପସନ୍ଦର ଗୋଟେ ଟାଉନିଆ ବୋହୂ ନେଇ ଆସିଲା ...

 

ବୁଢ଼ା ଏତକ କହି ଚୁପ୍ ରହିଲା । 

ମୁଁ କଥା ଯୋଡିଲି

 

-" ତା , ପରେ ? "


-" ତାପରେ ଆଉ କ'ଣ ? ଏବେ ପୁଅ ଅଲଗା ରହୁଛି । ଗୋଟେ ଘର ଦିଭାଗ ହୋଇଛି । ମୋର ଅଧକୁ ତାଙ୍କର ଅଧେ । ବାପରେ ଏମିତି ପୁଅ ଜନମ କରିବା ବୋଧେ ଅଭିଶାପ ।

ଆଛା ତୁ କହ ତ .. ପରିବାର ଭିତରେ କଣ ଝଗଡାଝାଣ୍ଟି କଥା କଟାକଟି ‌ହୁଏନି କି ? ଯଦି କିଛି ଭୁଲ୍ ବୁଝାମଣା ହେଇଚି ତୁ ପୁଅ ହିସାବ ରେ କୋଉ ଦିନ ବସି ଆଲୋଚନା କଲୁଣି ? ତୁ ଯଦି ମୁଣ୍ଡ ନୋଇଁ ନିଜ ଭୁଲ୍ ସ୍ବୀକାର କରି ବାପା ହାତ ଧରି ଟିକେ କ୍ଷମା ମାଗିଦିଅନ୍ତୁ . .. ମୁଁ ସବୁ ପାଶୋରି ପକେଇ ତୋତେ କୋଳେଇ ନିଅନ୍ତି ନେଇଁ ? ଦିଟା ହାଣ୍ଡି ଚାଉଳ ଗୋଟେ ହାଣ୍ଡି ରେ ଫୁଟନ୍ତା ନେଇଁ ? 

ଏ ବାପା ମନ ପରା.. କେତେ ଦିନ ରାଗ ଋଷା କରି ରହିବ ? ଆଁ...? 

ବାପ ରେ.... ଝିଅ ଟିଏ ଥିଲେ , ପାଖରେ ନ ରହୁ ପଛକେ ଭଲରେ ମନ୍ଦରେ ପଚାରିଥାଆନ୍ତା ତ ? ଆଉ ଏ ପୁଅ ମୁହଁ ରେ ପାଣି ଦବ କି ନା ତା ବି ସନ୍ଦେହ । "


ଆଉ କିଛି ସମୟ ପରେ ବୁଢ଼ା ତା ଯାଗା ମୁଣ୍ଡରେ ଓହ୍ଲେଇ ପଡ଼ିଲା ।


ବୁଢା ସିନା ରହି ଗଲାଣି ଅଧ କିଲୋମିଟର ପଛରେ କିନ୍ତୁ ତା କଥା ସବୁ ଏବେବି ମୋ ଛାତିରେ କଣ୍ଟା ଭଳି ଫୁଟି ଯାଉଛି ।


କାହିଁକି ନା , ଆମ ବୁଢ଼ା ଆଜି ସେପଟ ଘରେ ପଖାଳ ଭାତ ପିଆଜ ଲଗେଇ ଖାଉଥିଲା ଆଉ ମୋତେ ମୋ ପତ୍ନୀ ପରଷୁଥିଲା ମୋତେ ଭାତ ସହିତ ମାଛ ଭଜା ଓ ଆହୁରି ଅନେକ ।




Rate this content
Log in

Similar oriya story from Tragedy