ଅଲୋଡା ପୃଷ୍ଠା (ପଞ୍ଚମ ଭାଗ)
ଅଲୋଡା ପୃଷ୍ଠା (ପଞ୍ଚମ ଭାଗ)
*ଅଲୋଡା ପୃଷ୍ଠା*
*( ପଞ୍ଚମ ଭାଗ)*
କିଛି ସମୟ ବିରାମ ପରେ ଓଲଟାଇଲି ଡାଏରୀର ପୃଷ୍ଠା। କିଛିକିଛି ମନେପଡୁଥିଲା ବୋଧେ ଚାକିରୀର ପ୍ରାରମ୍ଭ ସମୟ ଆନନ୍ଦଦାୟକ ଥିଲା। ବାହାର କଲି ଚାକିରୀପ୍ରାରମ୍ଭର ପୃଷ୍ଠା।
**** **** **** ****
ମାଡ୍ରାସରେ (ବର୍ତ୍ତମାନର ଚେନ୍ନାଇ) ଇଞ୍ଜିନିୟରିଂ ପଢା ସମାପ୍ତକରି ଫେରିଆସିଚି ମୁଁ ଘରକୁ । ଅଳ୍ପକିଛିମାସ ହିଁ ତ ହେଇଚି ମୋତେ ଘରେ ରହିବାର ହଠାତ୍........
ଖବର ପାଇଛି ତିନିଦିନ ତଳେ ମୁଁ ଓଡିଶାର ପ୍ରତିଷ୍ଠିତ କମ୍ପାନୀ ସିଦ୍ଧାର୍ଥ କନଷ୍ଟ୍ରକସନ ଲିମିଟେଡର ଚେୟାରମ୍ୟାନ ଶ୍ରୀ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଏକ ବିଜ୍ଞାପନରେ ଇଞ୍ଜିନିୟର ଆବଶ୍ୟକ।
ଘରେ କହି ସିଧା ବାହାରିଯାଇଥିଲି ରାଜାବଗିଚା, କଟକ।
ଇଣ୍ଟରଭ୍ୟୁ ଆରମ୍ଭ ହେଲା। ଚାକିରୀପାଇଁ ଯୋଗ୍ୟ ବିବେଚିତ ବି ହୋଇଗଲି। ମନରେ ଖୁସି ଓ ଭୟ ବି।ଖୁସି ଏଇଥିପାଇଁ ଯେ ପାଠ ପଢା ସମାପ୍ତ ହେବାସହ ଚାକିରୀ, ଭୟ ଏଇଥିପାଇଁ ଯେ ଏତେ ବଡ କମ୍ପାନୀର ସାଇଟ ଇଞ୍ଜିନିୟର, କିନ୍ତୁ କାର୍ଯ୍ଯଦକ୍ଷତା ନାହିଁ। ପାଠସିନା ପଢିଛି, କେମିତି କ'ଣ କାମ ଥିବ। ସନ୍ଧ୍ୟାରେ ଖବରପାଇଲି ରାତି ଟ୍ରେନରେ ଦିଲ୍ଲୀ, ସେଠାରେ ଜଣେ ବାବୁଙ୍କ ସହ ହରିୟାଣାର ପାନିପଥ।
ଏତେ ଦୂର, ଏପଟେ ଘରେ କିଛି ଖବର ଦେଇପାରିନାହିଁ କି ଦେବାର ସୁଯୋଗ ନାହିଁ। ପାଖରେ ଟଙ୍କା ଶହେଟା। ସାହସ ସଞ୍ଚୟ କରି ଚେୟାରମ୍ୟାନ ନିତ୍ୟାନନ୍ଦ ସାମନ୍ତରାୟଙ୍କୁ ସମସ୍ତ ବିଷୟ ଅବଗତ କରାଇଲି। ମୋ ମନକଥା ବୋଧେ ସେ ବୁଝିପାରିଥିଲେ।
ନିତ୍ୟାନନ୍ଦ ବାବୁ କହିଲେ ତମେ ବ୍ୟସ୍ତ ହୁଅନାହିଁ, ତମ ଘରକୁ ଖବର ପଠେଇଦିଆଯିବ, ତମ ଯିବା ପାଇଁ କମ୍ପାନୀ ତରଫରୁ ଟିକେଟ କରିଦିଆ ହୋଇଛି। କମ୍ପାନୀର ମ୍ୟାନେଜର ନିରଞ୍ଜନ ସ୍ୱାଇଁ ଦିଲ୍ଲୀରେ ପହଞ୍ଚି ଅପେକ୍ଷା କରିଛନ୍ତି। ଦିଲ୍ଲୀର ସାକେତ୍ ପହଞ୍ଚିବ, ସେଇଠି ମୋ ପୁତୁରା ତମମାନଙ୍କର ଦେଖାଶୁଣା କରିବାସହ ପାନିପଥରେ ପହଞ୍ଚାଇଦେବ। ତମର ଯାବତୀୟ ଖର୍ଚ୍ଚ କମ୍ପାନୀ ବହନ କରିବ। ଏଥର ତମେ ଆସିପାର।
ଶାନ୍ତିର ନିଃଶ୍ୱାସଟିଏ ମାରି ମୁଁ ମୋ ନୂତନ ଭବିଷ୍ୟତ ଆଡ଼କୁ ପାଦ ପକାଇଦେଲି। ରାତିଟ୍ରେନରେ ବାହାରିଗଲି ଦିଲ୍ଲୀ। ଗସ୍ତ ଖର୍ଚ୍ଚ କମ୍ପାନୀ ତରଫରୁ ଏକହଜାର ଟଙ୍କା ପାଇ ଛାତି ମୋର କୁଣ୍ଢେମୋଟ। ଲାଗୁଥିଲା ସ୍ୱପ୍ନର ପ୍ରଥମ ପାହାଚରେ ଠିଆ ହୋଇଛି ମୁଁ ଓ ସଫଳତା ହାତଠାରି ଡାକୁଛି ମତେ।
ପହଞ୍ଚିଗଲି ସାକେତ। ସେଠାରୁ ମାଲିକଙ୍କ ସମେତ ତିନିଜଣ କର୍ମଚାରୀ ବାହାରିଲୁ ପାନିପଥ ଅଭିମୂଖେ। ୧୯୯୧ ମସିହାର କଥା। ସେତେବେଳେ ଆମ୍ୱାସଡରରେ ବସିବା ମାନେ ଆଜିର ଅଡି, ସ୍କୋଡାପରି।
**** **** **** ****
ପୃଷ୍ଠା ଓଲଟାଇଲି ଡାଏରୀର।
୧୯୯୧ ମସିହା ରବିବାର, ସମୟ ଦୁଇଟା।
ଖାଇବାପାଇଁ ଅଟକିଲୁ ସମସ୍ତେ। ଏତେ ବଡଲୋକ, ତା ସାଙ୍ଗରେ କାର୍।ହଠାତ୍ ଅଦିନିଆ ବର୍ଷା ଆରମ୍ଭ କଲା ପ୍ରକୋପ। ସାଙ୍ଗରେ ବସିଥିବା ମାଲିକ ସୁଶାନ୍ତବାବୁ କହିଲେ, ଇଞ୍ଜିନିୟର ସାହାବ କାରର ଗ୍ଲାସ ବନ୍ଦ କରିଦିଅ। ହଁ ଭରି କାର୍ ପାଖକୁ ଦୌଡିଗଲି ମୁଁ।
କାର୍ ର ଡୋର୍ ଖୋଲି ଗ୍ଲାସ୍ ବନ୍ଦ କରିବା ପରିବର୍ତ୍ତେ ଡୋର ଭିତରପଟେ ହାତ ଭର୍ତ୍ତି କରି ଗ୍ଲାସ୍ ଉଠେଇବାର ପ୍ରଚେଷ୍ଟା କରିଚାଲିଥିଲି ମୁଁ। ହସୁଥିଲେ ସୁଶାନ୍ତବାବୁ। ପାଖକୁ ଡାକି ବସିବାକୁ କହିଲେ ଓ ଡ୍ରାଇଭରକୁ ଗାଡିର ଗ୍ଲାସ୍ ଉଠେଇବାକୁ କହଲେ।
ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଇଥିଲା। ସୁଶାନ୍ତ ବାବୁ କହୁଥିଲେ ଇଞ୍ଜିନିୟର ସାହାବ ଏମିତି ହିଁ ହୁଏ କମ୍ପାନୀର ପରୀକ୍ଷା। ନିଜ ମନକୁ ଦୃଢ କଲି ଓ ଆଗକୁ ବଢିବାରେ ଲାଗିଲି। ଖୁବ୍ କମ୍ ଦିନରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲି ମୁଁ। ଜୀବନରେ ସଫଳତାର ସହ ଆଗକୁ ବଢିବାର ରାସ୍ତା ପାଇଯାଇଥିଲି ମୁଁ। ଜୀବନର ପ୍ରଥମ ସଫଳତା।
କ୍ରମଶଃ.......