CHINMAYEE PRADHAN

Tragedy Classics Fantasy

4.0  

CHINMAYEE PRADHAN

Tragedy Classics Fantasy

ଅକୁହା କଥା

ଅକୁହା କଥା

2 mins
154


ବାପା ଡାକ ଛାଡିଲେ, ମିଲି ଏ ମିଲି ରୁଟି ସନ୍ତୁଳା ସରିଲା କି ନାହିଁ ମୋ ଔଷଧ ଖାଇବା ସମୟ ହେଇଗଲା। ଶୀଘ୍ର ଆଣେ। ତାଙ୍କ ପାଟିରୁ କଥା ନ ସରୁଣୁ ବୋଉ ଡାକିଲା, ମିଲି! ପାଣି ଗରମ ହେଲା କି ମୁଁ ଗାଧେଇବି। ତାଙ୍କୁ କରିକି ଦଉ ଦଉ ଆଡ଼େ ଭାଇ ଆସି କହିବ ମୁଁ ସେ ସନ୍ତୁଳା ଖାଇବିନି ମୋ ପାଇଁ କଣ ଭଜାଭାଜି କଲେ ଖାଇବି। ସମସ୍ତଙ୍କୁ କରିକି ଦେବା କୁ ଯେମିତି ଠିକା ନେଇଛି। ସମସ୍ତଙ୍କର ସବୁ କାମ ଠିକ୍ ସମୟରେ ହେବା ଦରକାର। ହେଲେ ତା ଖାଇବା ଯେତେ ଡେରି ହେଲେ କିଛି ନାହିଁ। ଆଉ ଯଦି ସେ କହିଲା, 'ମୁଁ ଯାଉଛି ଖାଇବି' ଉତ୍ତର ଆସିବ ତୁ ଏତେବେଳ ହେଲାଣି ଖାଇନୁ! କଣ କରୁଥିଲୁ କି ? ମିଲି କହେ ଶୋଇଥିଲି। 

   ମିଲି ଘରର ଚାକରାଣୀ ନୁହେଁ। ସେ ସାନ ଝିଅ। ଜଗନ୍ନାଥ ବାବୁଙ୍କର ତିନି ଝିଅ ଓ ଗୋଟିଏ ପୁଅ। ଦୁଇ ଝିଅ ବିବାହିତ। ମିଲି ମାଉସୀ ହେଇ ସାରିଲାଣି। ଦୁଇ ଭଉଣୀ ଯେବେ ଘରକୁ ଆସନ୍ତି, ସେମାନଙ୍କ ପିଲାମାନଙ୍କ କାମ ବି ମିଲି ହିଁ କରେ। ପି.ଜି. କରି ଘରେ ଅଛି ସେ। ଦେଖିବାକୁ ବହୁତ ସୁନ୍ଦର, ଉଚ୍ଚତା, ବର୍ଣ୍ଣ ସବୁ ଠିକ୍ ଅଛି। ଏମିତି ବାହାଘର ପାଇଁ ବହୁତ ପ୍ରସ୍ତାବ ଆସିଲାଣି। କିନ୍ତୁ ବାପା 

ଟିକେ ରୋଗିଣା, ବୋଉ ଆଉ କାମକୁ ପାରୁନି ବୋଲି ହେଉନି। ଭାଇ ବାହାଘର ପରେ ଭାଉଜଟେ ଘରକୁ ଆସିଲେ ତା ବାହାଘର ହେବ। 

   ଭାଇ ବାହାଘର ହେଲା ପରେ ତା ଉପରେ ବେଶୀ କାମ ପଡିଲା। ଭାଉଜ ଚାକିରି କରିଥିଲେ। ତେଣୁ ଶୀଘ୍ର ଅଫିସ ବାହାରି ଯାଆନ୍ତି। ତାଙ୍କ ପାଇଁ ଟିଫିନ କରି ଦେବାକୁ ପଡେ। ବେଳେ ବେଳେ ତାଙ୍କ ଲୁଗାପଟା ବି ଧୋଇବାକୁ ପଡେ। ତଥାପି ସେ କେବେ ଅଭିଯୋଗ କରିନି। 

 ୟା ଭିତରେ ମିଲିକୁ ସତେଇଶି ବର୍ଷ ହେଇଗଲାଣି। ହେଲେ ନା ବାପା ବୋଉ ନା ଭାଇ, ଭଉଣୀ, ଭାଉଜ କେହି ବି ତା ବାହାଘର କଥା ଉଠଉ ନାହାଁନ୍ତି। ଓଲଟି ବୋଉ କହୁଛି, ଭାଉଜର ପିଲାପିଲି ହେଇଯାଉ ମିଲିର ବାହାଘର ହେବ ନହେଲେ ପିଲାଟାକୁ ସମ୍ଭାଳିବ କିଏ। ମୁଁ ତ ବସିଲେ ଉଠି ପାରୁନି।

   ବୟସ ଥିଲାବେଳେ ବହୁତ ପ୍ରସ୍ତାବ ଆସେ ଆଉ ଭଲ ପ୍ରସ୍ତାବ ବି। ବୟସ ଗଡିଗଲେ ପ୍ରସ୍ତାବ ଆଉ ଆସେନାହିଁ। ବୁଢୀ ହେଲାଣି, କଣ ଦୋଷ ଥିବ ନ ହେଲେ କାଇଁ ଏତେ ବୟସ ଯାଏ ଥାନ୍ତା। ଏମିତି କେତେ କଥା ଶୁଣିବାକୁ ପଡେ। ତାରି ସାଂଗ ମାନେ ବାହା ହେଇ ଛୁଆର ମାଆ ହେଲେଣି। ତାର ବି ତ ଗୋଟିଏ ମନ ଅଛି। ହେଲେ ସେ ମନକଥା ବୁଝୁଛି କିଏ? ନା ଏ ଅକୁହା କଥା ସେ କାହାକୁ କହି ପାରୁଛି। 

ପାହାଡ଼ ଉପରୁ ଅସ୍ତଗାମୀ ସୂର୍ଯ୍ୟର ଲାଲ୍ ଆଭା ଧୀରେ ଧୀରେ ଅପସରି ଯାଇ ଦୂର ଦିଗବଳୟରେ ଲୀନ ହେବାକୁ ବସିଲାଣି ।ନାନା ଆଶା ଓ ଆଶଙ୍କା ମଧ୍ୟରେ ମିଲିର ମନଟା ଛଟପଟ ହେଉଥାଏ। କାଲି ବ୍ୟାଙ୍କ ପି.ଓ. ର ରେଜଲ୍ଟ ପ୍ରକାଶ ପାଇବ। ସକାଳୁ ସକାଳୁ ଉଠି ଗାଧେଇ ଗାଁ ମନ୍ଦିରକୁ ଯାଇ ଟିକେ ଠାକୁର ଦର୍ଶନ କରି ଆସିବାକୁ ବାହାରିଲା। ବୋଉ କହିଲା, ଜଲଦି ଆସିବୁ ଘରେ କେତେ କାମ ଅଛି। ହଁ ବୋଉ ।ମନ୍ଦିରରେ ପୂଜା ସାରି ଫେରିବା ବେଳେ ମୃଣାଳ ସହ ଦେଖା ହେଇଗଲା। ଆରେ ମିଲି! କେମିତି ଅଛ? ହଁ ଭଲ ଅଛି, ଆଉ ତୁମେ? ହଁ ଭଲ ।ଏବେ ତୁମେ କଣ କରୁଛ? ଆଜି ରେଜଲ୍ଟ ବାହାରିବାର ଅଛି। ଦେଖାଯାଉ କଣ ହେଉଛି। ମୃଣାଳ କହିଲା , ହଁ ତୁମେ ପାଇଯିବ ଚିନ୍ତା କରନି। ଆଉ ବାହାଘର ପାଇଁ କୋଉଠି ଦେଖା ଦେଖି ହେଲାଣି? ମିଲି କହିଲା, ନା ଚାକିରିଟା ହେଇଯାଉ ଆଗ। ମୃଣାଳ ମନେ ମନେ ଟିକେ ଖୁସି ହେଇଗଲା। ଯାହା ହଉ ଚାନ୍ସ ଅଛି। ହଉ ମିଲି ମୁଁ ଏବେ ଗାଁରେ ଅଛି। ତୁମ ସହ ଗୋଟେ କଥା ଥିଲା। ତୁମ ନମ୍ବର ଦବ? ହଁ ନିଅ। ଆଛା ମୁଁ ଏବେ ଆସୁଛି। ମୃଣାଳ ମନେ ମନେ ଭାବୁଥିଲା, ମିଲି କଲେଜରେ ପଢୁଥିବା ବେଳେ ଯେମିତି ସୁନ୍ଦର ଥିଲା ଏବେବି ସେମିତି ଅଛି। ଯାହାହେଉ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମିଲି ସହ ଦେଖା କରେଇ ଥିବାରୁ। ସୁଯୋଗ ଦେଖି ମିଲିକୁ ମନକଥା କହିଦେବି।


      ମିଲି ଘରେ ପହଞ୍ଚିଲା ବେଳକୁ ଭାଉଜ କହିଲେ, ମିଲି ବୋଧେ ଆଜି ମନଦେଇ ଠାକୁରଙ୍କୁ ଡାକିଛନ୍ତି। ଆରେ ଚାହୁଁଛ କଣ ନିଅ ମିଠା ଗୋଟେ ଖାଇଦିଅ। ଭାଇ ତୁମ ରେଜଲ୍ଟ ଦେଖି ସାରିଲେଣି। ଭାଇ ଆସି କହିଲା, କଂଗ୍ରାଚୁଲେସନ୍ସ ମିଲି ।ଭାଇ! ସତରେ ମୁଁ ପାଇଛି? ଆରେ ହଁ ମୋ ଗହ୍ଲୀ ଭଉଣୀ। କାଲି ତତେ ଜଏନ୍ କରିବାକୁ ପଡିବ। ତୁ ଶୀଘ୍ର ଉଠି ଘରକାମ ସବୁ ସାରିଦେଇ ବାହାରି ପଡିବୁ।ମିଲି ଭାବୁଥିଲା, ଯେମିତି ଘରକାମ କରିବା ତା ନାଁରେ ହିଁ ଲେଖା ହେଇଛି।

ସକାଳୁ ଉଠି ଘରକାମ ସବୁ ସାରି ସବୁଦିନ ସ୍କୁଟି ନେଇ ଅଫିସ ଯାଏ ମିଲି। ଅବଶ୍ୟ ଏବେ ଭାଉଜ କାମରେ ଟିକେ ସାହାଯ୍ୟ କରୁଛନ୍ତି। ଭାଇ, ଭାଉଜ ଓ ମିଲି ନିଜ ନିଜ ଅଫିସ ଗଲା ପରେ ବାପା ବୋଉ ଘରେ ଏକା। ଦି ଜଣ ଯାକ ରୋଗୀଣା। ତେଣୁ ସ୍ଥିର ହେଲା ଲୋକଟିଏ ରଖିବେ। ପାଖ ଗାଁର ଜଣେ ଲୋକ ଆସି ରହିଲା। ସେ ସକାଳେ ଆସେ ସଂଧ୍ୟା ସମୟରେ ପଳାଏ। ଅଫିସରୁ ଫେରି ପୁଣି ରାତି ରୋଷେଇ ପାଇଁ ଲାଗିପଡେ ମିଲି। 


    ଦୁଇ ମାସ ପରେ ହଠାତ୍ ଦିନେ ମିଲିର ମୃଣାଳ କଥା ମନେ ପଡ଼ିଲା। ଆରେ ସେ ମୋ ନମ୍ବର ନେଇଥିଲେ କାଇଁ ତ କଲ କରି ନାହାଁନ୍ତି। କଣ କଥା ଥିଲା ବୋଲି କହୁଥିଲେ। ମୁଁ ତ ତାଙ୍କ ନମ୍ବର ଆଣି ନଥିଲି। ମୃଣାଳ ଚାଟାର୍ଜୀ, କଲେଜର ସବୁଠାରୁ ଭଲ ପିଲା। ଭଲ ପାଠ ସହିତ ଭଲ ବକ୍ତୃତା ଦିଅନ୍ତି। ଓଡ଼ିଆ ଓ ଇଂରାଜୀ ଉଭୟରେ ସେ ସବୁବେଳେ ପ୍ରଥମ ହେଇ ଆସିଛନ୍ତି। ଦେଖିବାକୁ ବି ବହୁତ ସୁନ୍ଦର। କଲେଜରେ ତ କେତେ ଝିଅ ତାଙ୍କ ପଛରେ ପଡିଥିଲେ।ଗୋଟେ ଝିଅ ତ ତାଙ୍କ ନାମରେ ହାତରେ ଟାଟୁ କରି ବୁଲିଲା। ହେଲେ ସେ ଏ ସବୁରୁ ଦୂରେଇ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦିଅନ୍ତି। ସବୁଠୁ ମଜା କଥା ଶେଷ ପରୀକ୍ଷା ପୂର୍ବରୁ ସେ ଝିଅ ଆଉ ଗୋଟେ ପୁଅ ସହିତ ପଳେଇ ଯାଇ ବାହା ହେଇଗଲା। ମୃଣାଳ ଏ କଥା ଶୁଣି ବହୁତ ହସିଥିଲେ। ଆଉ କହିଥିଲେ ଇଏ ହେଉଛି ଆଜିକାଲିର ପ୍ରେମ। ମିଲିର ସାଂଗ ଲିଜା କହେ, କିଏ ସେ ଭାଗ୍ୟବତୀ କେଜାଣି ଯିଏ ମୃଣାଳକୁ ପାଇବ। ଲିଜା ତାର ସବୁଠୁ ଭଲ ସାଂଗ। ବେଶ୍ ଖୁସ୍ ମିଜାଜ୍ ର ପିଲା। ବହୁତ୍ ଧନୀ ଘର ତାଙ୍କର। କଲେଜରେ ସେହି ଜଣେ ଝିଅ ଯାହା ସହିତ ମିଲି ବେଶୀ ମିଶେ। ଚା କପ୍ ଟା ଥୋଇଦେଇ ସେତେବେଳୁ ସେ ଭାବୁଛି ଯେ ଚା ପୂରାପୂରି ଥଣ୍ଡା ହେଇଗଲାଣି। ପ୍ରେସର୍ ହୁଇସିଲ୍ ଶବ୍ଦରେ ଭାବନାର ଅନ୍ତ ଘଟିଲା। ସେଇ ଥଣ୍ଡା ଚା' କୁ ଢକଢକ କରି ପିଇଦେଇ ଧାଇଁଗଲା ରୋଷେଇ ଘରକୁ।


    ସକାଳୁ ସକାଳୁ ଗାଧେଇ ସାରି ମୁଣ୍ଡ ପୋଛିବା ବେଳେ ଦେଖିଲା, ମିଲି ଲଗେଇ ଥିବା ଲାଲ୍ ଗୋଲାପ ଗଛରେ ପ୍ରଥମ ଫୁଲ ଫୁଟିଛି। ଆଦରେ ତାକୁ ଟିକେ ଆଉଁସି ଦେଇ ତା ସହ ଗୋଟେ ସେଲ୍ଫି ନେଲା। ସତରେ ଏ ଗୋଲାପ କେତେ ସୁନ୍ଦର। ହେଲେ ତାଜା ଅଛି ବୋଲି ସିନା। ଯେତେବେଳେ ବାସି ହେଇଯିବ କେହି ଆଦର କରିବେନି। ମଣିଷ ଜୀବନ ବି ଠିକ୍ ସେହିପରି। ଏତିକି ବେଳେ ଭାଉଜ ଡାକ ପକେଇଲ, କଣ ମିଲି ଆଜି ଅଫିସ ଯିବନି କି? ହଁ ଭାଉଜ ଯାଉଛି କହି ସେ ଘର ଭିତରକୁ ଆସିଲା।


     ସେଇ ଦିନ ସଂଧ୍ୟା ସମୟରେ ଅଫିସରୁ ଫେରିବା ବାଟରେ ହଠାତ୍ ତା ଆଗରେ ଗୋଟେ କାର୍ ରହିଗଲା। ଜଣେ ଭଦ୍ର ମହିଳା ବାହାରକୁ ଆସି କହିଲେ, ଆପଣ ମିଲି ମାଡାମ୍ ନା? ହଁ, ହେଲେ ଆପଣଙ୍କ ପରିଚୟ? ସେ କହିଲେ, ମୁଁ ଆପଣଙ୍କ ବିଷୟରେ ଯେମିତି ଶୁଣି ଥିଲି ଆପଣ ଠିକ୍ ସେମିତି। ମୋ ପରିଚୟ ବହୁତ ଶୀଘ୍ର ପାଇଯିବେ। ଆମର ଖୁବ୍ ଶୀଘ୍ର ଦେଖା ହେବ। ଏତିକି କହି ସେ କାର୍ ରେ ବସି ଚାଲିଗଲେ। ମିଲି ଘରେ ଆସି ପହଞ୍ଚିଲା। ସେ ଭଦ୍ର ମହିଳାଙ୍କ କଥା ତାର ବାରମ୍ବାର ମନେ ପଡୁଥାଏ। କିଏ ସେ ନିଜର ପରିଚୟ ନ ଦେଇ ଦେଖାହେବ ବୋଲି କହି ଚାଲିଗଲେ! ଆଉ ମୋ ବିଷ ସବୁ ଜାଣିଛନ୍ତି ବି କହିଲେ। ଖଟ ଉପରେ ଗଡପଡ ହେଉ ହେଉ କେତେବେଳେ ଆଖି ଲାଗି ଯାଇଛି ସେ ଜାଣିନି।


ଆଜି ରବିବାର, ଛୁଟି ଦିନ। ସକାଳୁ ସକାଳୁ ଘର ସାମ୍ନାରେ ଥିବା ଛୋଟ ବଗିଚାରେ ବୁଲୁଥିଲା ମିଲି। ପଡିଶା ଘର ଝିଅ ମିତା ଆସି କହିଲା, ମିଲି ଅପା ଆଜି ଛୁଟି ଅଛି ପୋଖରୀକୁ ଯିବା ଆସ। ପୋଖରୀ ଚାରିପଟେ ଏବେ ସୁନ୍ଦର ବଗିଚା ହେଇ ଯାଇଛି। ଭାରି ବଢ଼ିଆ ଦେଖା ଯାଉଛି। ଦୁହେଁ ସାଙ୍ଗହୋଇ ଗଲେ। ମିତା ପୋଖରୀରେ ଗାଧେଇଲା ଆଉ ମିଲି ସେ ବଗିଚାରେ ବୁଲୁଥିଲା। ଗାଁର କେତେ ଜଣ ସ୍ତ୍ରୀ ଲୋକ ସେଠି ଗାଧୋଉଥିଲେ। କଥାବାର୍ତ୍ତା ହେଉଥିବାର ମିଲି କାନରେ ପଡିଲା, ଏ ମିଲି ବାହା ହବନି ନା କଣ ବା। ଆସିକି ତ ବୁଢୀ ହେଲାଣି। ହଁ ବାପା ବୋଉ ତ ଝିଅ ଟଙ୍କା ଖାଉଛନ୍ତି ବାହା କାଇଁ କରିବେ। ଆଉ ଜଣେ କହିଲା, ନାଇଁ ମୋ ୟାର କଣ ଦୋଷ ଥିବ ବୋଧେ।ହଁ ଲୋ ହେଇଥିବ। କାହାକୁ ଆଉ ଭଲ ଫଲ ପାଇନି ତ। କେଜାଣି କାହିଁକି ବାହା କରୁ ନାହାଁନ୍ତି ଧରିକି ବସିଛନ୍ତି। ମିଲି ସବୁ କଥା ଶୁଣି ଚୁପଚାପ୍ ଘରକୁ ଆସିଲା। ଆଉ ଭାବୁଥିଲା କଣ ଦୋଷ ରହିଛି ତାର?


    ତାଙ୍କ ଘରେ କାମ କରୁଥିବା ଲୋକଟା ଆସି କହିଲା, ବାବୁ! ମିଲି ପାଇଁ ଗୋଟେ ପ୍ରସ୍ତାବ ଥିଲା। ଆପଣ କହିଲେ ସେମାନେ ଆଜି ଦେଖିବାକୁ ଆସିବେ ବୋଲି କହୁଥିଲେ। ଆଜି ତ ମିଲି ଘରେ ଅଛି। କହିଲେ ତାଙ୍କୁ ଆସିବାକୁ କହନ୍ତି। ହଉ କୁହ ଆସନ୍ତୁ। ଘର ସଜାସଜି ହେଲା। କୁଣିଆ ଆସିଲେ ଦେଖି ପସନ୍ଦ ବି କଲେ। ରାଜି ହେଇ ଘରକୁ ଗଲେ। ହେଲେ ଦୁଇ ଦିନ ପରେ ଖବର ଆସିଲା, ସେମାନେ ରାଜି ନାହାଁନ୍ତି। ଆଶ୍ଚର୍ଯ୍ୟର କଥା ଏଠି ରାଜି ହେଲେ ସେଠିକି ଯାଇ ମନା କଲେ! ଏମିତି କେତେ ପ୍ରସ୍ତାବ ଭାଙ୍ଗିଲା। ମିଲି କାରଣ ଖୋଜି ପାଏ ନାହିଁ।


      ମିଲି ନୂଆ ନୂଆ ଫେସବୁକ୍ ଖୋଲି ଥାଏ। ମୃଣାଳ ଚାଟାର୍ଜୀ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଆସିଲା। ସେ ଆକ୍ସେପଟ୍ କଲା। ତା ପରେ ଚାଟିଂ ।ପୁଣି ନମ୍ବର ମାଗିଲା ମୃଣାଳ। ମିଲି କହିଲା, ତମେ ତ ଥରେ ନେଇଥିଲ। କାଇଁ କଲ୍ କଲନି।ସେ କହିଲା, ମୋର ଦୁର୍ଭାଗ୍ୟ ବୋଲି କୁହାଯାଇପାରେ ସେଇଦିନ ହିଁ ମତେ ଦିଲ୍ଲୀ ଫେରିଯିବା ପାଇଁ ପଡିଲା। ଆଉ ତରତରରେ ଗଲା ବେଳେ ମୋବାଇଲ୍ ଟି ବାଟରେ କେଉଁଠି ହଜି ଗଲା। ମୁଁ ତା ପରେ ତୁମ ନମ୍ବର ପାଇବାକୁ ବହୁତ ଚେଷ୍ଟା କରିଛି ହେଲେ ପାଇନି। ମିଲି! ମୁଁ ଏବେ ହ୍ବାଟସଆପରେ ଭିଡିଓ କଲ୍ କରୁଛି ପ୍ଲିଜ୍ ଗୋଟିଏ ମିନିଟ ପାଇଁ ଆକ୍ସେପଟ୍ କରିବ। ମିଲି ଆକ୍ସେପଟ୍ କଲା। ଦୁହେଁ କଥା ହେଲେ। ମିଲି ପଚାରିଲା, ଆଉ କେବେ ମ୍ଯାରେଜ୍ କରୁଛ? ଉତ୍ତର ଆସିଲା, ଯେବେ ତୁମେ ଚାହିଁବ। 

ମିଲି - ମାନେ? 

ମୃଣାଳ - ମାନେ ଆଉ କଣ? ତୁମେ ବି ତ ବାହା ହେଇନ। ତୁମ ବାହାଘର ଠିକ୍ ହେଉ ଦି ଜଣ ସାଙ୍ଗ ହୋଇ ବାହା ହେଇଯିବା। 

ମିଲି - ମୋ ଭାଗ୍ୟରେ ବାହା ଯୋଗ ନାହିଁ। 

ମୃଣାଳ - କିଏ କହିଲା?

ମିଲି - ମୁଁ କହୁଛି। ବହୁତ୍ ପ୍ରସ୍ତାବ ଭାଙ୍ଗିଲାଣି। ଘରେ ଆସି ଦେଖି ରାଜି ହେଇ ଯାଉଛନ୍ତି ହେଲେ ପଛରେ ମନା କରି ଦେଉଛନ୍ତି। ଏହାର କାରଣ କଣ ଆମେ ଜାଣି ପାରୁନୁ। 

ମୃଣାଳ - ଏଇ ଥର କିନ୍ତୁ ଯେଉଁ ପ୍ରସ୍ତାବ ଆସିବ ଆଉ ଭାଙ୍ଗିବନି। ମୁଁ ମୋ ଦିବ୍ୟ ଦୃଷ୍ଟି ବଳରେ ଦେଖି ପାରୁଛି ଏଇ ମାସ ତିରିଶ ତାରିଖରେ ତୁମ ବାହାଘର ନିଶ୍ଚୟ ହେବ। 

ମିଲି - ତୁମେ କେବେଠୁ ଜ୍ୟୋତିଷ ହେଲଣି? 

ମୃଣାଳ - ହଁ ମୁଁ ଏହା ଗ୍ୟାରେଣ୍ଟି ଦେଇ କହିବି।ଆଉ ତୁମେ ବି କାନିରେ ଗଣ୍ଠି ପକେଇ ରଖ। ହଉ ମୁଁ ଏବେ ରହୁଛି। ତୁମ ବାହାଘର ଦିନ ଦେଖା ହେବ। 

      ମିଲି ମନେ ମନେ ଭାବୁଥିଲା,ସତରେ କଣ ମୋ ଭାଗ୍ୟରେ ସିନ୍ଦୂର ନାହିଁ। ଏ ମୃଣାଳ ଚାଟାର୍ଜୀର କଥା ଟା ସତ ହେଇ ଯାଆନ୍ତା କି।


ଅଫିସ୍ ର ପିଅନ ଆସି କହିଲା, ମିଲି ମାଡାମ୍! ଆପଣଙ୍କୁ ମ୍ୟାନେଜର ସାର୍ ଡାକୁଛନ୍ତି। ହଁ ଯାଉଛି। ମ୍ଯାନେଜରଙ୍କ ପାଖକୁ ଯାଇ, ସାର୍ ଡାକୁଥିଲେ? ହଁ ମିଲି ଆସ ବସ। ତୁମର ଭୁବନେଶ୍ବରକୁ ବଦଳି ହେଇଛି।ଦୁଇ ଦିନ ଭିତରେ ଯାଇ ଜଏନ୍ କରିବାକୁ ହେବ। ମିଲି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ସାର୍ ମୋର ହଠାତ୍ ଏମିତି? ହଁ ମିଲି ଭୁବନେଶ୍ବର ତ ଭଲ ଯାଗା। ଆଉ ତା ଛଡା ତୁମ ଘରଠାରୁ ମାତ୍ର ତିରିଶ କିଲୋମିଟର ଦୂର। ତୁମେ ଯିବାଆସିବା କରିପାରିବ ସବୁ ଦିନ। ଭବିଷ୍ୟତରେ ଏହା ତୁମ ପାଇଁ ଭଲ ହେବ। ମୋ କହିବାର ମାନେ ତୁମେ ଯଦି ଭୁବନେଶ୍ବରରେ ମ୍ୟାରେଜ କର ଶାଶୁଘରୁ ଆରାମରେ ଯାଇ ପାରିବ। ମିଲି - ହେଲେ ସାର୍ ମୋ ବାହାଘର ତ ଠିକ୍ ହେଇନି।ସେ କହିଲେ, ଆଜି ହେଇନି କାଲି ତ ହବ ନା। ମିଲି! ତୁମ ବାପାଙ୍କ ନମ୍ବର ଟିକେ ଦେବ କଥା ଥିଲା। ମିଲି ନମ୍ବର ଦେଲା। ତୁମେ ଏବେ ଆସିପାର କହିବାରୁ ସେ ଆସିଲା। ବଦଳି ହେବା ଖବର ଶୁଣି ତାକୁ ବହୁତ କଷ୍ଟ ଲାଗୁଥିଲା। ଆଉ ମ୍ୟାନେଜର ସାର୍ ବାପାଙ୍କ ନମ୍ବର କାହିଁକି ମାଗିଲେ ବୋଲି ଆଶ୍ଚର୍ଯ୍ୟ ଲାଗୁଥିଲା। 


    କାମ ସାରି ଘରକୁ ଫେରିଲା ବେଳକୁ ପିଅନ ଆସି କହିଲା, ମାଡାମ୍! ସାର୍ କହିଛନ୍ତି ଆପଣ କାଲି ଛୁଟିରେ ରହିବେ। ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା। ଆଜି ତା ସହିତ ଏମିତି ସବୁ କଣ ପାଇଁ ହେଉଛି କିଛି ବୁଝି ହେଉନି। ଘରକୁ ଫେରି ଡ୍ରେସ୍ ବଦଳି ଫ୍ରେସ୍ ହୋଇ ଭାଉଜ ସଂଗେ ରୋଷେଇ କାମରେ ଲାଗିଲା। ଭାଉଜ କହିଲେ, ମିଲି! କାଲି ମୁଁ ଛୁଟି ନେଇଛି ତୁମେ ବି ଛୁଟି ନେବ। କାଲି ତୁମକୁ ଦେଖିବାକୁ ଆସିବେ।ମିଲି କହିଲା, ମନା କରିଦିଅ ତାଙ୍କୁ। ଏତେ ଥର ସଜେଇ ହେଇ ମୁଁ ଆଉ ପରୀକ୍ଷା ଦେଇ ପାରିବିନି। ମୋର ଆଉ ଏତେ ଧୈର୍ଯ୍ୟ ନାହିଁ। ଭାଉଜ କହିଲେ, ମତେ ଲାଗୁଛି ଏଇ ପରୀକ୍ଷାରେ ତୁମେ ନିଶ୍ଚେ ପାସ୍ କରିବ। କରିବ କଣ କରି ସାରିଛ ବୋଲି ଜାଣ। ମିଲି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ପାସ୍ କରି ସାରିଛି ମାନେ? ଭାଉଜ - ମାନେ ଟା କାଲି ବୁଝି ପାରିବ ମିଲି। ରୋଷେଇ ସରିଲା। ଚାଲ ସମସ୍ତେ ମିଶି ଏକାଠି ଖାଇ ଦେବା। ଆଜି ଭାରି ଭୋକ ଲାଗିଲାଣି। ହଁ ମୁଁ ବାପା ବୋଉଙ୍କୁ ଡାକୁଛି ତୁମେ ବାଢ।ଖାଇବା ସମୟରେ ବାପା କହିଲେ, ଆଜି ତୁମ ମ୍ୟାନେଜର ଫୋନ କରିଥିଲେ। ସେ କାଲି ସକାଳେ କୁଣିଆ ନେଇ ଆସିବେ। ତେଣୁ ତୁ କାଲି ଘରେ ରହିବୁ। ହଁ ଭାଉଜ କହୁଥିଲେ। ବୋଉ କହିଲା, ମା ମଂଗଳା ଏଇ ବାହାଘର ଟା ଠିକ୍ କରି ଦିଅନ୍ତେ କି।ସମସ୍ତେ ଖାଇ ସାରିବା ପରେ ଶୋଇବା ପାଇଁ ଗଲେ। ମିଲି ମୋବାଇଲ ଦେଖିଲାବେଳକୁ ମୃଣାଳର ତିନିଟା ମିସ୍ କଲ୍। ଏତେ ରାତିରେ ଆଉ କଲ୍ ବ୍ୟାକ୍ କରିବାକୁ ଉଚିତ ମନେ କଲାନି ସେ। ହ୍ବାଟସଆପ ଚେକ୍ କଲାବେଳକୁ ମୃଣାଳର ମେସେଜ। ହାଏ ମିଲି। ପ୍ଲିଜ୍ କଲ୍ ରିସିଭ୍ କର। ଏତେ ଥର କଲ୍ କଲି ରିସିଭ୍ କଲନି। ହଉ ତୁମକୁ ମୋର ଗୋଟେ ଇମ୍ପୋର୍ଟାଣ୍ଟ୍ କଥା କହିବାର ଅଛି। ଆକ୍ଚୁଆଲି ଘରେ କାଲି ମୋ ପାଇଁ ଝିଅ ଦେଖିବାକୁ ଯିବେ। ହେଲେ ମୁଁ ସେ ଝିଅକୁ ବିବାହ କରିବାକୁ ଚାହେଁନି। କାରଣ ମୁଁ ଆଉ ଗୋଟିଏ ଝିଅକୁ ଭଲ ପାଉଛି। କିନ୍ତୁ ସେ ଝିଅକୁ ମୋ ମନକଥା ଏପର୍ଯ୍ୟନ୍ତ କହିନାହିଁ। ତାକୁ କେମିତି କହିବି ଜାଣିବି ପାରୁନି। ଡର ବି ଲାଗୁଛି ଯଦି ସେ ମନା କରି ଦିଏ। ପ୍ଲିଜ୍ ମତେ ଟିକେ ସାହାଯ୍ୟ କରିବ। ତୁମ ରିପ୍ଲାଏ ଅପେକ୍ଷାରେ।

ମିଲି ମେସେଜ କଲା, ଆରେ ଆଗ ସେ ଝିଅକୁ ମନ କଥା କହିକି ତ ଦେଖ। ତା ଛଡା ତୁମ ପରି ଭଦ୍ର ଓ ସୁନ୍ଦର ପିଲାକୁ କେହି ବି ମନା କରି ପାରିବେନି। କଲେଜରେ ତ ତୁମ ପଛରେ କେତେ ଝିଅ ପଡିଥିଲେ। ମୁଁ ବି ନିଶ୍ଚିତ ଯେ ସେ କେବେ ବି ମନା କରିବନି। ଆଉ ସେ ଯଦି ରାଜି ହେଇଯାଏ ତାହେଲେ ଘରେ କହିବ। 

ମୃଣାଳ - ଆଉ ସମୟ ନାହିଁ ମିଲି। ଆଜି ହିଁ ମତେ କହିବାକୁ ପଡ଼ିବ। 

ମିଲି - ଏତେ ରାତି ହେଲାଣି। ସେ କଣ ଚେଇଁ ଥିବେ?

 ମୃଣାଳ - ହଁ ସେ ଏବେ ଅନ୍ଲାଇନ୍ ଅଛନ୍ତି।

ମିଲି - ତାହେଲେ କହି ଦିଅ। ମେସେଜ କରି ଦିଅ।

ମୃଣାଳ - କଣ ମେସେଜ କରିବି ଜାଣି ପାରୁନି।

ମିଲି - ଆଇ ଲଭ୍ ୟୁ।  

ମୃଣାଳ - ଆଇ ଲଭ୍ ୟୁ ଠୁ।

ମିଲି - ଆରେ ମତେ ନୁହେଁ ତାଙ୍କୁ ପଠାଅ।

ମୃଣାଳ - ମୁଁ ତାଙ୍କୁ କହି ସାରିଛି।

ମିଲି - ସେ କଣ ରିପ୍ଲାଏ ଦେଲେ?

ମୃଣାଳ - କାଲି ଟିକେ ଦେଖା କରି ପାରିବ?

ମିଲି - ଚେଷ୍ଟା କରିବି। ହଉ ମତେ ନିଦ ଲାଗିଲାଣି ମୁଁ ଏବେ ଶୋଉଛି । କାଲି କଥା ହେବା।


     ଭାଉଜ ଆସି ଡାକିଲେ, ମିଲି ଆଜି ଉଠିବନି କି? କେତେବେଳ ହେଲାଣି ଦେଖ। ଶୀଘ୍ର ଉଠି ଗାଧୁଆ ପାଧୁଆ ସାର। ମତେ ଟିକେ କାମରେ ସାହାଯ୍ୟ କରିବ। ହଁ ଭାଉଜ ଯାଉଛି କହି ଉଠି ସେ ଗାଧେଇବାକୁ ଗଲା।ଘର ସଜାସଜିରେ ଲାଗି ପଡ଼ିଛନ୍ତି ବୋଉ ।ଭାଇ ବିଭିନ୍ନ ପ୍ରକାର ମିଠା କିଣି ଆଣି ଦେଲେ। ଖାଦ୍ୟପେୟର ବ୍ୟବସ୍ଥା ହେଇଗଲା। ଖାଲି ସେମାନଙ୍କ ଆସିବା ବାଟକୁ ଅପେକ୍ଷା।ସେମାନେ ଆସିଗଲେ। ସସମ୍ମାନେ ସେମାନଙ୍କୁ ପାଛୋଟି ନେଲେ ଘର ଭିତରକୁ।ଜଳଖିଆ ଖାଇସାରିବା ପରେ ଝିଅକୁ ଦେଖିବାକୁ ଡାକିଲେ। ଭାଉଜ ଆଣି ଶାଢୀ ଦେଲେ ପିନ୍ଧିବାକୁ। ହେଲେ ମିଲି ମନା କଲା। ନାଇଁ ଭାଉଜ ଥାଉ। ଶାଢୀ ପିନ୍ଧି ଏତେ ସଜେଇ ହୋଇ ଯିବାକୁ ମତେ ଆଉ ଭଲ ଲାଗୁନି। ମୁଁ ଏଇ ଚୁଡିଦାର ପିନ୍ଧି ଯିବି। ଭାଉଜ ବାଧ୍ୟ କରିବାରୁ ସେ ଶାଢୀ ପିନ୍ଧି ଗଲା। ତଳକୁ ମୁହଁ କରି ପ୍ରଣାମ କରି ଯାଇ ବସିଲା। ତାର ଭାବି ଶାଶୁ କହିଲେ, ହଁ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ଟିଏ ତ।ତମେ ଯେମିତି କହୁଥିଲ ଠିକ୍ ସେମିତି। ଶଶୁର କହିଲେ ମୁଁ କଣ ଭୁଲ୍ କହୁଥିଲି।କଣ୍ଠ ଟା ଚିହ୍ନା ଚିହ୍ନା ଲାଗିଲା। ମିଲି ମୁଣ୍ଡ ଟେକି ଚାହିଁଲା ବେଳକୁ ସାମ୍ନାରେ ଅଛନ୍ତି ତାର ମ୍ୟାନେଜର ଓ ତାଙ୍କ ପତ୍ନୀ। ତା ମୁହଁରୁ ବାହାରିଗଲା ସାର୍ ଆପଣ! ହଁ ତୁମକୁ ଦେଖିବା ଦିନରୁ ମୁଁ ବୋହୂ କରିବି ବୋଲି ମନେ ମନେ ସ୍ଥିର କରି ସାରିଥିଲି। ଆମର ତ ପସନ୍ଦ ହେଲା ଆଉ ପୁଅର ବି ପସନ୍ଦ ହେବ। ଆମ କଥାରୁ ସେ କେବେ ଓହରି ଯିବନି। ମିଲିର ବାପାଙ୍କୁ କହିଲେ ଆପଣ ଥରେ ଯାଇ ପୁଅକୁ ଦେଖି ଦେଇ ଆସନ୍ତୁ। ଆମର ଦୁଇ ପୁଅ। ବଡ ପୁଅ ବାହା ସରିଛି। ତାର ତିନି ବର୍ଷର ଛୋଟ ଝିଅ ଆଉ ଇଏ ସାନ ପୁଅ। ଦିଲ୍ଲୀରେ ସଫ୍ଟୱେର ଇଞ୍ଜିନିୟର ଅଛି। ପୁଅ ଏବେ ଘରେ ଅଛି। ଯଦି କାଲି ଯାଆନ୍ତି ଭଲ ହୁଅନ୍ତା ମିଲିର ବାପା ରାଜି ହେଲେ। ସେମାନେ ବିଦାୟ ନେଲେ। ମିଲି ଏଥର ବୁଝି ପାରିଲା କାଲି ମ୍ୟାନେଜର ଏଇଥିପାଇଁ ଡାକିଥିଲେ। ନିଜ ରୁମ୍ ରେ ସେ ଶାଢୀ ପାଲଟୁ ଥିଲା। ଏତିକି ବେଳେ ଫୋନ୍ ରିଂ ହେଲା। ଦେଖେ ତ ମୃଣାଳର କଲ୍। ରିସିଭ୍ କରୁ କରୁ ଭାଉଜ ଆସି ଗୋଟିଏ ମିଠା ତା ପାଟିରେ ପୁରେଇ ଦେଲେ। ମିଠା ଟା ଖାଇ ସାରିବା ପରେ ସେ ହେଲୋ କହିଲା। ମୃଣାଳ କହିଲା କଣ ବ୍ୟସ୍ତ ଅଛ କି? ସେ କହିଲା ନାଇଁ କୁହ। ମୃଣାଳ-ତୁମେ ଏବେ ଆସି ପାରିବ ଦେଖା କରିବାକୁ? 

ମିଲି - କୋଉଠି କି କୁହ?

ମୃଣାଳ - ତୁମେ ସ୍କୁଟି ନେଇ ମାର୍କେଟ୍ ଆସ ମୁଁ ଯାଇ ପହଞ୍ଚୁଛି। 

ମିଲି - ହଉ ଠିକ୍ ଅଛି ଆସ। 

ଦୁହେଁ ଦଶ କିଲୋମିଟର ଦୂରରେ ଥିବା ଏକ ମନ୍ଦିର ପାଖକୁ ଗଲେ। ମୃଣାଳ କହିଲା, ତୁମେ କଣ ଭାବୁଚ ସେ ମୋ କଥାରେ ରାଜି ହୋଇଥିବ?

ମିଲି- ହଁ।ହେଇଥିବ ଭାବୁଛି। 

ମୃଣାଳ - ମିଲି, ତୁମକୁ ଗୋଲାପ ଭଲ ଲାଗେ? 

ମିଲି - ହଁ ।

ମୃଣାଳ ସୁନ୍ଦର ଗୋଲାପର ଫୁଲ ତୋଡ଼ା ବାହାର କରି ମିଲିକୁ ଦେଲା। ମିଲି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଆରେ ମତେ କଣ ପାଇଁ ଦେଉଛ? ଏଇଟା ତ ତୁମ ପ୍ରେମିକାକୁ ଦେବା କଥା। ମୃଣାଳ କହିଲା, ହଁ ତା ପାଇଁ ତ ଆଣିଥିଲି ଆଉ ତାକୁ ହିଁ ଦେବି। ତୁମେ ଏଇଟା ରଖ ତାକୁ ଦେଇଦେବ। ମିଲି କହିଲା, ହେଲେ ମୁଁ ତାଙ୍କୁ କେମିତି ଦେବି? ମୃଣାଳ କହିଲା, ବ୍ୟସ୍ତ ହୁଅନି ମୁଁ କହିଦେବି କେମିତି ଦେବ। ଏବେ ଚାଲ କଲେଜ ପାଖରେ ଗୁପଚୁପ ଖାଇ ଘରକୁ ଯିବା। ଦୁହେଁ ଘରକୁ ଫେରିଲେ। ମିଲି କଲ୍ କଲା ଫୁଲ ତୋଡ଼ା ଟା କେମିତି ଦେବ ବୋଲି। ମୃଣାଳ କହିଲା ଥାଉ ମୁଁ ପରେ କହିବି।


ମହେଶ୍ ବାବୁ ଙ୍କ ଘର ।ବେଶ୍ ଆଧୁନିକ ଶୈଳୀରେ ନିର୍ମିତ ହେଇଛି ।ସକାଳ ଆଠଟା ହେବ। ବୈଠକଖାନାର ସୋଫା ଉପରେ ବସି ବାବୁ ଖବରକାଗଜ ପଢୁଥିଲେ। ପତ୍ନୀ ପୂଜା ସାରି ଭୋଗ ଆଣି ଦେଲେ। ମହେଶ୍ ବାବୁ ରଖି ଦେବାକୁ କହିଲେ ।ମାଳିନୀ ଦେବୀ କହିଲେ, ଆଜି ଗାଧେଇନ କି? ନାଇଁ ମାଳିନୀ ଭାବୁଛି ମାର୍କେଟ୍ ରୁ ଆସିଲେ ଗାଧେଇବି। ବ୍ୟାଗ୍ ଟେ ଦିଅ ମୁଁ ଆସେ। ମାଳିନୀ ଦେବୀ ବ୍ୟାଗ୍ ଧରେଇ ଦେଇ ଘରକାମରେ ଲାଗି ପଡିଲେ। ସାନପୁଅ ରୁମ୍ ଦେଖିଲାବେଳକୁ ବାବୁ ଆରାମରେ ଶୋଇଛି। ଡାକି ଉଠେଇଲେ। ଏ ବାବାଲି! ଉଠି ଯା। ଯା ଗାଧେଇ ପଡ। ଆଜି ତତେ ଦେଖିବାକୁ ଆସିବେ ।'ଏଁ... କଣ କହିଲ?' କହି ଧଡପଡ ହୋଇ ଉଠି ବସିଲା ସେ। ଝିଅ ଘର ଦେଖି ଆସିବେ।ସେମାନେ ଏଗାରଟା ବେଳେ ଆସି ପହଞ୍ଚିବେ ବୋଲି କହିଛନ୍ତି। ଝିଅ ତ ଆମର ପୁରା ପସନ୍ଦ। ସେମାନଙ୍କର ତୁ ପସନ୍ଦ ହେଲେ ଆମେ ବାହାଘର ପାଇଁ ଆଗେଇବୁ। 

ବାବାଲି - ହେଲେ ମାମା! ମତେ ତ କାଇଁ କେହି କହିନ ଝିଅ ଦେଖି ଯାଇଥିଲ ବୋଲି। 

ମାମା-ଏବେ ତ କହିଲି। ତୁ ଯା ଆଗ ଗାଧେଇକି ଆସ୍। ମୁଁ ଯାଉଛି ମୋର ବହୁତ କାମ ଅଛି। ଏତିକି କହି ମାଳିନୀ ଦେବୀ ଚାଲିଗଲେ।


       ମିଲି ଘରଲୋକେ ଆସି ଘରଦ୍ବାର ଓ ପୁଅକୁ ଦେଖି ପସନ୍ଦ କଲେ। ମହେଶ୍ ବାବୁ କହିଲେ, ଆପଣମାନେ ଯଦି ରାଜି ତାହେଲେ ବାହାଘର କାମଟା ଶୀଘ୍ର ସାରିଦେବା। ଆଗାମୀ ତିରିଶ ତାରିଖ ଶେଷ ତିଥି। ତା ପରେ ଆଉ ନାହିଁ। ତେଣୁ ମୁଁ ଭାବୁଛି ସେହି ତିଥିରେ କରି ଦେଲେ ଭଲ ହୁଅନ୍ତା। ମିଲିର ବାପା କହିଲେ, ହେଲେ ଆମେ ଏତେ ଶୀଘ୍ର ସବୁ ଯୋଗାଡ଼ଯନ୍ତ୍ର କେମିତି କରିବୁ? ମହେଶ୍ ବାବୁ କହିଲେ, ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ଆମର ଯାନି ଯୌତୁକ କିଛି ଦରକାର ନାହିଁ। ଆଉ ଏ ଯୌତୁକ ପ୍ରଥାକୁ ମୁଁ ବିରୋଧ କରେ। ମୋ ବଡ଼ ପୁଅ ବି ବିନା ଯୌତୁକରେ ବାହା ହେଇଛି। ତେଣୁ ଆପଣ ଆଦୌ ବ୍ଯସ୍ତ ହୁଅନ୍ତୁ ନାହିଁ।


       ଇଆଡେ ବାବାଲି ସେ ଝିଅକୁ ବାହା ହବନି ବୋଲି ମନା କଲା। ଗୋଟେ ଅଜଣା ଝିଅକୁ ନ ଦେଖି ତା ବିଷୟରେ କିଛି ନ ଜାଣି ମୁଁ କେବେ ବି ବାହା ହେଇ ପାରିବିନି। ଆରେ ସେ ଝିଅର ଫଟୋ ବି ମତେ ବାପା ଦେଖଉ ନାହାଁନ୍ତି। ଏମିତି କଣ କିଏ ବାହା ହୁଏ! ମାମା କହିଲେ, ଦେଖ୍ ଧନ , ତୁ ତ ତୋ ବାପାଙ୍କୁ ଜାଣିଛୁ। ତାଙ୍କ କଥା ଏ ଘରେ ବେଦର ଗାର। ସେ କହିଛନ୍ତି ମାନେ ତିରିଶ ତାରିଖରେ ବାହାଘର ହେବ।ସେ କଣ କରିବ କିଛି ଭାବି ପାରୁ ନ ଥିଲା।


     ଦିନେ ସଞ୍ଜବେଳେ ମିଲି ଅଫିସରୁ ଫେରିବା ସମୟରେ ମୃଣାଳ ସହିତ ତାର ଭେଟ ହେଲା। 

ମିଲି - ଆରେ ମୃଣାଳ! ତମେ ଏଠି! କୁଆଡେ ଆସିଥିଲ?


ମୃଣାଳ - ଆମ ଘର ଏଇଠି। ଆଉ ତୁମେ ଏଠି?


ମିଲି - ହଁ, ମୋର ଏଠିକି ବଦଳି ହେଇ ଯାଇଛି।


ମୃଣାଳ - ଚାଲ ଏଇ ପାଖ କଫି ସପ୍ ରେ ବସି ଟିକେ କଥା ହେବା।

ଦୁହେଁ କଫି ସପ୍ କୁ ଗଲେ। କଫି ଅର୍ଡର ଦେଇ ବସିଥାନ୍ତି। ମିଲି କହିଲା, ତୁମେ ସେ ଝିଅର ଠିକଣା ଦେଲନି ଆଉ ସେ ଫୁଲ ସବୁ ଶୁଖିଗଲା।


 ମୃଣାଳ - ତୁମେ ସତରେ ବହୁତ ସରଳ ମିଲି। ସେ ଫୁଲ ତୁମ ପାଇଁ ହିଁ ଥିଲା।


ମିଲି - ମୋ ପାଇଁ! କାହିଁକି?


ମୃଣାଳ - କାହିଁକି ନା ସେ ଝିଅ ହେଉଛ ତୁମେ।ମୁଁ ଯାହାକୁ ଭଲପାଏ। ମୁଁ ତୁମକୁ ବିବାହ କରିବାକୁ ଚାହେଁ ମିଲି। 


ମିଲି - ମୋର ବାହାଘର ଠିକ୍ ସରିଛି। ଆସନ୍ତା ତିରିଶ ତାରିଖରେ ମୋର ବାହାଘର।


ମୃଣାଳ - କିନ୍ତୁ ତୁମେ ତ କହୁଥିଲ ତୁମ ବାହାଘର ସବୁ ଭାଙ୍ଗି ଯାଉଛି ବୋଲି। ଆଉ ଏଇ ତିନି ଦିନରେ କେମିତି ଠିକ୍ ହେଇଗଲା? ତୁମେ ମିଛ କହୁଛ ମୋତେ।


ମିଲି - ମୁଁ ମିଛ କହୁ ନାହିଁ। ବାହାଘର ହଠାତ୍ ଠିକ୍ ହେଲା। ତୁମ ଭଳି ପିଲାର ପ୍ରେମ ତ ଭାଗ୍ୟରେ ଥିଲେ ମିଳେ। ହୁଏ ତ ମୁଁ ସେ ଭାଗ୍ୟବତୀ ନୁହେଁ। ତୁମ ପ୍ରେମକୁ ପ୍ରତ୍ୟାଖ୍ୟାନ କରି ଥିବାରୁ ମୁଁ ଦୁଃଖିତ।


ମୃଣାଳ - ନା ମିଲି। ତୁମେ ଏମିତି ମୋ ପ୍ରେମକୁ ପ୍ରତ୍ୟାଖ୍ୟାନ କରନି। ସତରେ ମୁଁ ତୁମକୁ ବହୁତ ଭଲ ପାଏ। କଲେଜରେ କେତେ ଝିଅ ମୋ ପଛରେ ପଡିଥିଲେ।ଏବେ ବି କେତେ ପ୍ରପୋଜ୍ କରୁଛନ୍ତି। ହେଲେ ମୁଁ କେବଳ ତୁମକୁ ଭଲପାଏ ମିଲି। କେବଳ ତୁମକୁ।


ମିଲି - ତାହେଲେ ଆଜି ଯାଏ କହି ନ ଥିଲ କାହିଁକି?

ମୃଣାଳ - କାରଣ ମୁଁ ନିଜ ଗୋଡ଼ରେ ଠିଆ ହେଇ ନ ଥିଲି। ଦେଖ ମିଲି, ମୋ ଘରେ ବି ମୋ ବିନା ଅନୁମତିରେ ମୋ ବାପା ମୋ ବାହାଘର ଠିକ୍ କରି ଦେଇଛନ୍ତି। ମୁଁ ସେଠି ବାହା ହେବା ପାଇଁ ଆଦୌ ରାଜି ନୁହେଁ। ତୁମେ ଥରେ ଖାଲି ହଁ କହିଦେଲେ ମୁଁ ବାପାଙ୍କୁ ରାଜି କରେଇ ଦେବି। ଆଉ ସେ ବି ରାଜି ହେଇଯିବେ। କାରଣ ସେ ମୋତେ ବହୁତ ଭଲ ପାଆନ୍ତି।


ମିଲି - ତୁମେ ବହୁତ ଡେରି କରିଦେଲ ମୃଣାଳ। ମୁଁ କିନ୍ତୁ ମୋ ଘର ଲୋକଙ୍କ ସମ୍ମାନ ତଳେ ପକେଇବାକୁ ଚାହୁଁନି। ମୁଁ ଏବେ ଆସୁଛି। ପ୍ଲିଜ୍ ମୋତେ ଭୁଲ ବୁଝିବନି। ମିଲି ଚାଲି ଯାଉଥିଲା ଆଉ ମୃଣାଳ ତାକୁ ଅପଲକ ନୟନରେ ଚାହିଁ ରହିଥିଲା ।ତା ଆଖିରୁ ଧାର ଧାର ଲୁହ ବହି ଯାଉଥିଲା।


ବାହାଘର ଆଉ ଦୁଇ ଦିନ ରହିଲା। ହେଲେ ମିଲି ମନ ଭିତରେ ଗୋଟିଏ ଦ୍ବନ୍ଦ୍ବ। ମୁଁ ତ ସେ ପିଲାକୁ ନ ଦେଖି ରାଜି ହେଇଗଲି ଆଉ ସେ ବି ମୋତେ ଦେଖିନି। ସେ ଯଦି ତା ବାପାମାଆଙ୍କ କଥାରେ ବାଧ୍ୟ ହୋଇ ବାହା ହେବା ପାଇଁ ରାଜି ହେଇଥାଏ! ବାହାଘର ପରେ ଯଦି ସେ ମୋତେ ପସନ୍ଦ ନ କରେ! ତାହେଲେ ତ ମୋ ଜୀବନଟା ନଷ୍ଟ ହେଇଯିବ।ମୃଣାଳର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ମୁଁ ଭୁଲ କରିନି ତ! ମୁଁ ତ ସେ ପିଲାର ନାଁ ବି ଜାଣିନି। ଟେବୁଲ ଉପରୁ ବାହାଘର କାର୍ଡ୍ ଆଣି ଦେଖିଲା। ମୃଣ୍ମୟୀ ସହିତ ବାବାଲି। 'ବାବାଲି' ! ଇଏ କି ନାଁ! ହୁଏତ ଡାକ ନାମ ହେଇଥିବ। କାର୍ଡ୍ ଟି ରଖିଦେଇ ସେ ମୋବାଇଲ ଦେଖୁଥାଏ। ମୃଣାଳ କଥା ତାର ମନେ ପଡିଲା। ଭାବୁଥିଲା ତାକୁ ଇନଭାଇଟ୍ କରିବ କି ନାହିଁ। ଶେଷରେ ଲେଖିଲା, 'କ୍ଷମା କରି ମୋ ବାହାଘରରେ ଯୋଗ ଦେଲେ ଖୁସି ହେବି '। ସେପଟୁ ଉତ୍ତର ଆସିଲା, 'କ୍ଷମା କର ମିଲି ମୋର ବି ସେଦିନ ବାହାଘର। ତେଣୁ ମୁଁ ଆସି ପାରିବି ନାହିଁ। ବିଶ୍ବାସ କର ତୁମ ବଧୂ ବେଶ ଦେଖିବାପାଇଁ ବହୁତ୍ ଇଚ୍ଛା ଥିଲା। ବାହାଘର ଫୋଟ ପଠେଇବ। ପ୍ରତ୍ୟକ୍ଷ ଭାବରେ ନ ଦେଖିଲେ ବି ଫୋଟ ଦେଖି ଖୁସି ହେବି। ତୁମ ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେଉ। 


ଏ ଜନ୍ମରେ ତ ତୁମକୁ ପାଇ ପାରିଲି ନାହିଁ। ଆର ଜନ୍ମରେ ପାଇବା ପାଇଁ ଏବେଠୁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ଏ ଜନ୍ମରେ ପ୍ରେମ ନ ହେଲା ନାହିଁ ଆମ ବନ୍ଧୁତା କିନ୍ତୁ ରଖିବ। ମୁଁ କେବେ ବି କାହାକୁ କହିବିନି ଯେ ମୁଁ ତୁମକୁ ଭଲ ପାଉଥିଲି ବୋଲି। ପ୍ରଥମ ପ୍ରେମକୁ ତ ଭୁଲି ହେବନି। ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସେମିତି ଭଲ ପାଉଥିବି କିନ୍ତୁ ତୁମେ ଯେ ମୋର ପ୍ରେମିକା ଏ କଥା କେବେ କାହାକୁ କହିବିନି। ଭାଗବାନଙ୍କ ଲୀଳା ବି କେଡ଼େ ବିଚିତ୍ର ଦେଖ। ଗୋଟିଏ ଦିନରେ ଦି ଜଣଙ୍କ ବାହାଘର। ତୁମ ବାହାଘରରେ ଯାଇପାରୁ ନଥିବାରୁ ବହୁତ ଦୁଃଖିତ। ସୁଖରେ ଘରସଂସାର କର। ତୁମ ଚଲାପଥ ସଦା କୁସୁମିତ ହେଉ ଏତିକି ଭଗବାନଙ୍କ ନିକଟରେ ପ୍ରାର୍ଥନା। ରହୁଛି।।


    ଏ ସବୁ ପଢି ମିଲି ଲୁହ ଗଡେଇବା ଛଡା ଆଉ କଣ ବା କରି ପାରିଥାନ୍ତା। ମୃଣାଳ ଯେ ସତରେ ତାକୁ ଏତେ ଭଲପାଏ ସେ ବିଶ୍ୱାସ କରି ପାରୁନଥିଲା। ଆଖିର ଅମାନିଆ ଲୁହଗୁଡା ମୋବାଇଲ୍ କୁ ଓଦା କରିଦେଲେ। ପୋଛିଦେଇ ଲେଖିଲା, 'ହାଭ୍ ଏ ହାପି ମ୍ୟାରେଡ୍ ଲାଇଫ୍ ମୃଣାଳ'। ଏତିକି ବେଳେ ଭାଉଜ ଆସି ଡାକିଲେ, ମିଲି! ମେହେନ୍ଦୀ ଲଗେଇବାକୁ ଡାକିଲେଣି ଶୀଘ୍ର ଆସ। ତୁମେ ଲଗେଇ ସାରିଲେ ଆମେ ବି ଲଗେଇବୁ। ମିଲି ଲୁହ ପୋଛି ମୁହଁ ଧୋଇ ମେହେନ୍ଦୀ ଲଗେଇବାକୁ ଗଲା।


   ମିତା ଆସି କହିଲା, ମିଲି ଅପା! ତୁମ ମେହେନ୍ଦୀର ରଂଗ ପୁରା ଗାଢ୍ ହେଇଛି। ଭାଇନା ତୁମକୁ ବହୁତ୍ ଭଲ ପାଇବେ। ମିଲି ମନେମନେ ଭାବୁଥିଲା, ଭଲପାଇବାକୁ ଗୋଡ଼ରେ ଆଡେଇ ଦେଲେ ଆଉ ସେ ଫେରି ଆସେନି ଲୋ। ନିଜ ମେହେନ୍ଦୀକୁ ଦେଖି ଭାବୁଥିଲା, ଆଜି ଯଦି ବାବାଲି ଯାଗାରେ ମୃଣାଳ ଲେଖା ହେଇଥାନ୍ତା ତାହେଲେ ହୁଏତ ମିତା କଥା ସତ ହେଇଥାନ୍ତା।


ବାହାଘର ପାଇଁ ଘରେ କୁଣିଆ ମୈତ୍ର ଭର୍ତ୍ତି। ମାମୁଁ, ମାଇଁ, ପିଇସା, ପିଇସି, ମଉସା, ମାଉସୀ, ଭାଇ, ଭଉଣୀ ସମସ୍ତେ ଆସିଛନ୍ତି।ଘର ପୁରିଉଠିଛି। ମାମୁଁ ଝିଅ ମାନି ଆସି କହିଲା, ମିଲି ଅପା ତୋ ବର ଦେଖିବାକୁ କେମିତି? ମିଲି କହିଲା, ମୁଁ ଦେଖନି ଲୋ। 


ମାନି-ଏଁ... ତୁ ଦେଖିନୁ! ମିଛ କହୁଛୁ। ଫଟୋ ଦେଖା ଟିକେ।


 ମିଲି - ସତ କହୁଛି ଲୋ ନାହିଁ।


 ମାନି-ନ ଦେଖି ବାହା ହେଉଛୁ। କଳା କି ଗୋରା ଡେଙ୍ଗା କି ଗେଡା କୁଜା କି କେମ୍ପା ହେଇଥିବ। ସେମିତି କେମିତି ବାହା ହେଉଛୁ? ତୁ ଆଜିକାଲିକା ପିଲା ପୁଣି ଚାକିରି କରିଛୁ। ନ ଦେଖି କଥା ନ ହେଇ ବାହା ହେବା ପାଇଁ ରାଜି ହେଇଗଲୁ? ଆଉ ତୋ ବର ତତେ ବି ତ ଦେଖି ନ ଥିବ।


ମିଲି - ନା ସେ ଦେଖି ନାହାଁନ୍ତି।


ମାନି- ଇଏ କେମିତିକା ବାହାଘର ଲୋ ମା! ମତେ କାଇଁ ଭଲ ଲାଗୁନି। ମୁଁ ଏମିତି ନ ଦେଖି ଜମା ବାହା ହେବିନି।ବର ଦେଖିବି ଘର ଦେଖିବି ଚାକିରି ଦେଖିବି ତା ପରେ ବାହା ହେବି।


ମିଲି - ବାପା, ବୋଉ, ଭାଇ ସମସ୍ତେ ଦେଖିଛନ୍ତି। ତାଙ୍କ ମନକୁ ପାଇଛି। ସେମାନଙ୍କ ପସନ୍ଦ ମାନେ ଭଲ ହେଇଥିବ। ତା ଛଡା ଘର ଲୋକଙ୍କ ପସନ୍ଦରେ ବାହା ହେଲେ ଭଲରେ ରହିବ। ସେମାନେ କେବେ ସନ୍ତାନର ଅମଙ୍ଗଳ ଚାହିଁବେନି। ତୁ ଯା ଖାଇବୁ। ସମସ୍ତେ ଗଲେଣି। ମୁଁ ମେହେନ୍ଦୀ ହାତ ଧୋଇକି ଯାଉଛି।


      କେବେକେବେ ଜୀବନରେ ଏମିତି ମୋଡ଼ ଆସେ ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ। ଗୋଟେ ଜାଣି ନ ଥିବା ଚିହ୍ନି ନ ଥିବା ପୁଅକୁ ବାହା ହେଇ ମିଲି ଠିକ୍ କରିବ ତ! ତା ସହିତ ମନ ମିଶେଇ ଚଳି ପାରିବ ତ! ସଂକଟରେ ପଡିଯାଇଛି ସେ। ହୁଏତ ଭାଉଜଙ୍କ ଆଗେ କହିଥିଲେ ସେ କିଛି କରି ପାରିଥାନ୍ତେ। ହେଲେ ସେ ସମୟ ତ ଚାଲିଯାଇଛି। ଆଉ ଭାବି କିଛି ଲାଭ ନାହିଁ। ତେଣିକି ଭାଗ୍ୟରେ ଯାହା ଥିବ। ନିଜ ମନକୁ ନିଜେ ବୁଝେଇଲା। ଏତିକି ବେଳେ ମାଇଁ ଆସି ଡାକିଲେ, ସୁନି, ମଧୁ, ଲିଜା ଆସ ସବୁ ଦିଅଁ ମଂଗୁଳେଇବାକୁ ଯିବା। ସମସ୍ତେ ବାହାରି ଗଲେ।


      ପଡିଶା ଘର ଝିଅ ମିତା ଆସି କହିଲା, ମିଲି ଅପା ଜାଣିଛ, ଆମ ଗାଁର ଅଜୟ ଜେନା ପୁଅ ରାଜା ଆତ୍ମହତ୍ୟା କରି ଦେଇଛି। ସିଏ ନୁହଁ ଗୋଟେ ଝିଅକୁ ଭଲ ପାଉଥିଲା। ସେ ଝିଅଟା ଅନ୍ୟ ପୁଅକୁ ବାହା ହେଇଯିବାରୁ ସେ କାଲି ରାତିରେ ଦଉଡି ଦେଇ ଦେଇଛି। ବାପମାଆର ଗୋଟିଏ ପୁଅ ଲୋ। ତାଙ୍କ ଘରେ କି କାନ୍ଦ ବୋବାଳି ପଡିଛି। ଏ କଥା ଶୁଣି ମିଲିର ଦେହଟା ଶୀତେଇ ଉଠିଲା। ମୃଣାଳ ଯଦି ଏମିତି କିଛି କରି ବସନ୍ତି! ନା ନା ସେ ସେମିତି ପିଲା ନୁହଁନ୍ତି। ସେ ଏମିତି କିଛି କରିବେନି। ଥରଟେ କଥା ହେଇଗଲେ କେମିତି ହୁଅନ୍ତା! ନା ଆଜି ତ ବାହାଘର।ଭଗବାନ ତାଙ୍କର ମଙ୍ଗଳ କରନ୍ତୁ। ଏମିତି ଦୁଶ୍ଚିନ୍ତା ମନକୁ ନ ଆସୁ। ଭାଉଜ ଆସି ଡାକିଲେ, ମିଲି ଆସ ବାଡୁଅ ପାଣି ଗାଧୋଇବ। ଆଖିରେ ଜକେଇ ଆସୁଥିବା ଲୁହକୁ ଧୀରେ ପୋଛି ଦେଇ ଭାଉଜ ସଙ୍ଗେ ଗଲା।ବାଡୁଅ ପାଣି ଗାଧୁଆ ସାରି ଆସିଲା। ପାର୍ଲର୍ ରୁ ଝିଅ ଗୋଟେ ଆସିଥିଲା ସଜେଇବାକୁ। ବହୁତ୍ ସୁନ୍ଦର୍ ଭାବେ ସଜେଇଲା। ଠିକ୍ ପରୀଟିଏ ପରି ଦିଶୁଥିଲା ମିଲି। ନାଲି ଲେହେଂଗାକୁ ନାଲି ଓଢ଼ଣୀ ଭିତରେ ଚମକି ଉଠୁଥିଲା ତାର ସୁନ୍ଦର ଚେହେରା। ଆଇନା ଆଗରେ ଠିଆ ହୋଇ ନିଜକୁ ଦେଖୁଥାଏ ମିଲି। ସତରେ କଣ ସେ ଏତେ ସୁନ୍ଦର! ଆଗରୁ ନିଜକୁ ଏମିତି କେବେ ସେ ଦେଖିନି।


      ଅତିଥି ମାନଙ୍କର ଆସିବା ଆରମ୍ଭ ହେଇଗଲାଣି। ସଜା ହେଇଥିବା ମଣ୍ଡପରେ ବସିଥିଲା ମିଲି। କେତେ ସାଙ୍ଗସାଥି ଆସୁଥାନ୍ତି ଉପହାର ଦେଇ ତା ସହ ଫଟୋ ଉଠାଇ ଯାଉଥାନ୍ତି। ମିଲିର ମନଟା କିନ୍ତୁ କେମିତି ଏକ ଅଜଣା ଭୟରେ କମ୍ପି ଉଠୁଥିଲା। ମନର ଚିନ୍ତାଟା ଚେହେରାରେ ବାରବାର ଆସି ଯାଉଥିଲା। ଅନ୍ତରର କୋହକୁ ଲୁଚେଇବାକୁ ଯାଇ ମୁହଁରେ ଛଦ୍ମ ହସ ଫୁଟାଇବା ପାଇଁ ଯେତେ ଚେଷ୍ଟା କଲେବି ତାହା ଅଳ୍ପ ସମୟ ଭିତରେ ଲିଭି ଯାଉଥିଲା। ମନ ଓ ବିବେକ ମଧ୍ୟରେ ଜୋରଦାର୍ ଲଢେଇ ଚାଲିଥିଲା ମିଲି ହୃଦୟରେ।


       ବର ଆସିବା ଖବର ଶୁଣି ସମସ୍ତେ ଦେଖିବା ପାଇଁ ଚାଲିଗଲେ। ବାଣ ଫୁଟାଇ ରୋଷଣୀ କରି ବର ଆସୁଛି।ବରଯାତ୍ରୀ ମାନଙ୍କ ନାଚରେ ଦାଣ୍ଡ ଦୁଲୁକି ଉଠୁଛି।ମାନି ଦୌଡ଼ି ଆସି ମିଲିକୁ କହିଲା, ମିଲି ଅପା ତୋ ବରଟା କେଡେ ସୁନ୍ଦରିଆଟେ ହେଇଛି ଲୋ।ଆଖି ଲାଖି ଯାଉଛି। ପୁରା ରାଜକୁମାର ପରି ଦିଶୁଚି।


       ମିଲି ମଣ୍ଡପରୁ ଘରକୁ ଫେରି ଆସି ବସିଥିଲା। ସେ ମଣ୍ଡପରେ ବର ଆସି ବସିବ ବୋଲି। ବରର ଘରଲୋକେ ମିଲିକୁ ଦେଖା କରିବାକୁ ଆସିଲେ। ଜଣେ ଭଦ୍ରମହିଳା ତାକୁ କହିଲେ, ସତରେ ମିଲି ତୁମେ ବହୁତ ସୁନ୍ଦର। ମିଲି ତାଙ୍କୁ ଚାହିଁଲା। ମନେମନେ ଭାବୁଥିଲା କୋଉଠି ଦେଖିଲା ପରି ଲାଗୁଛି। ଏତିକି ବେଳେ ମହିଳା ଜଣକ କହିଲେ, ମନେ ପଡୁଛି ମିଲି ଆମର ସେଦିନ ରାସ୍ତାରେ ଦେଖା ହେଇଥିଲା। ମୁଁ କହିଥିଲି ଆମର ପୁଣି ଦେଖା ହେବ ବୋଲି। ଏବେ ତୁମେ ଆମ ଘରର ସଦସ୍ୟ ହେଇଗଲ। ଏବେ ତୁମେ ମୋର ସାନ ଯାଆ।ମିଲି ଖାଲି ଚୁପ୍ଚାପ୍ ଚାହିଁ ରହିଥିଲା।ବୋଉ ଆସି ସେମାନଙ୍କୁ ଖାଇବାକୁ ଡାକିବାରୁ ସେମାନେ ଗଲେ। ଭୋଜିରେ ପ୍ରାୟ କୋଡିଏ ପ୍ରକାର ଖାଦ୍ୟ ହେଇଥିଲା। ଆଉ ସବୁ ଭାରି ସୁଆଦିଆ ବି ପିଇସି ଝିଅ ମଧୁ ଆସି କହୁଥିଲା। 


      ବାହାଘର ସମୟ ହେଲା। ହାତ ଗଣ୍ଠି ପଡିଲା। ନା ମିଲି ତା ବରର ମୁହଁ ଦେଖିଥିଲା ନା ବର ତାର। ଝିଅ ବିଦା ବେଳ ହେଲା। ବାହାଘରର ସବୁଠାରୁ କରୁଣ ଓ କଠୋର ସମୟ। ସମସ୍ତଙ୍କୁ ଧରି ବାହୁନି କାନ୍ଦୁଥାଏ ମିଲି। ତା ବୋଉ ଯେତେ କାନ୍ଦୁ ନ ଥିଲେ ତାଠୁ ବେଶୀ ଅଧିକ ତା ଭାଉଜ କାନ୍ଦୁଥିଲେ । ନଣନ୍ଦ ଭାଉଜଙ୍କର ଏ ଭଲପାଇବା ଦେଖି ଲୋକେ ତାଜୁବ ହୋଇଯାଇଥିଲେ। କାନ୍ଦିବା ଭିତରେ ତ ଭାଉଜ କେତେଥର ବେହୋସ୍ ହେଇଯାଇଥିଲେ। କେହି କାହାକୁ ଛାଡୁ ନଥାନ୍ତି। ଶେଷରେ ଭାଇ ଟେକିନେଇ ମିଲିକୁ କାର୍ ରେ ବସେଇ ଦେଇଥିଲେ।


    ମିଲିର ଚତୁର୍ଥୀ ଦିନ ଉପସ୍ଥିତ। ସମସ୍ତଙ୍କ ଜୀବନର ବହୁ ପ୍ରତୀକ୍ଷିତ ସମୟ। ମିଲିକୁ ଭଲରେ ସଜେଇ ଯାଆ ଆଣି ବାସର ଶେଯରେ ଛାଡ଼ିଦେଇ ଗଲେ। କ୍ଷୀର ଗ୍ଲାସ୍ ଓ ପୋଡ଼ା ନଡ଼ିଆ ରଖି ଦେଲେ। କୁଳଦୀପ ଜଳୁଥିଲା ଏକ କୋଣରେ ଦୁଇ ହୃଦୟର ମିଳନକୁ ଅପେକ୍ଷା କରି। ବାବାଲି ସାଙ୍ଗ ମାନଙ୍କ ସହ ମିଶି ଖଟି କରୁଥିଲା ବୈଠକଖାନାରେ। ଭାଉଜ ଆସି କହିଲେ, କଣ ବାବାଲି ଏମିତି ଏଇଠି ସାଙ୍ଗ ମାନଙ୍କ ସହ ଗପୁଥିବ ନା ପ୍ରାଣପ୍ରିୟା ପାଖକୁ ଯିବ? ରାତି ବହୁତ୍ ହେଲାଣି ।ସିଏ ତୁମକୁ ଅପେକ୍ଷା କରିଥିବ। ଜଣେ ସାଙ୍ଗ କହିଲା, ହଁ ଭାଉଜ ଟିକେ ଅପେକ୍ଷା କରିବାକୁ ଦିଅ ନା। ଆଜିର ଅପେକ୍ଷାରେ ଟିକେ ଅଧିକ ଉତ୍କଣ୍ଠା ଥାଏ ନା। ମହେଶ୍ ବାବୁ ଆସି କହିଲେ, ଆରେ ତୁମେମାନେ ଏବେ ଯାଅ ଶୋଇବ। କାଲି ଭୋଜି। ବହୁତ୍ କାମ ଅଛି। ଆଜି ଶନିବାର ନ ହେଇଥିଲେ ଭୋଜି ହେଇଥାନ୍ତା। ଭୋଜିକୁ କାଲିକି ରଖିବା ପାଇଁ ପଡିଲା।


        ବାବାଲି ଘର ଭିତରକୁ ପ୍ରବେଶ କରି କବାଟ ବନ୍ଦ କଲା। ମିଲି ଓଢ଼ଣା ଟାଣି ବସିଥାଏ। କେମିତି ଗୋଟେ ଅଜବ ଅନୁଭବ ତା ଦେହ ଭିତରେ ଖେଳିଗଲା। ବାବାଲି ଏବେ କଣ କରିବେ କଣ କହିବେ କେଜାଣି।ଇଏ କଣ! ବାବାଲି ଚୁପଚାପ୍ ଚୌକି ଉପରେ ବସି ରହିଲା । ପ୍ରାୟ ଦଶ ମିନିଟ୍ ର ନୀରବତା ପରେ କହିଲା, ଦେଖ ଯେହେତୁ ଆମର ବାହାଘର ସରିଛି ତେଣୁ ଆପଣ ନ କହି ତୁମେ ସମ୍ବୋଧନ କରୁଛି। ଅଗ୍ନିକୁ ସାକ୍ଷୀ ରଖି ମୁଁ ତୁମକୁ ବିବାହ କରିଛି। ତେଣୁ ଆମ ଭିତରେ ସବୁ ବୁଝାମଣା ରହିବା ଉଚିତ୍। ମୁଁ ତୁମକୁ କିଛି ଲୁଚାଇବାକୁ ଚାହୁଁନି। ମିଲି ନୀରବରେ ଶୁଣୁ ଥାଏ।



 ବାବାଲି ଆରମ୍ଭ କଲା, 'ମୁଁ କଲେଜ ବେଳେରୁ ଗୋଟିଏ ଝିଅକୁ ପସନ୍ଦ କରୁଥିଲି। ଆଉ ସେଇ ପସନ୍ଦଟା ଯେତେବେଳେ ଭଲପାଇବାରେ ପରିଣତ ହୁଏ ମୁଁ ତା ଠାରୁ ଦୂରରେ ଥାଏ। ହଠାତ୍ ଦିନେ ତା ସହ ଦେଖାହେଲା। ତାକୁ ସିଧାସଳଖ ଭାବରେ କହି ନ ପାରି ତା ନମ୍ବର ଆଣିଥିଲି। କିନ୍ତୁ କଥା ହେବା ପୂର୍ବରୁ ସେ ମୋବାଇଲଟା ହଜିଗଲା। ଆଉ ବହୁତ ଦିନ ପରେ ଦେଖା ହେଇ ତାକୁ ଯେତେବେଳେ କହିଲି ସେତେବେଳକୁ ତାର ବାହାଘର ଠିକ୍ ସରିଥିଲା। ଘରର ସମ୍ମାନକୁ ଆଖିରେ ରଖି ସେ ମତେ ଦୂରେଇ ଦେଲା। କିନ୍ତୁ ଆଜି ବି ସେ ମୋ ହୃଦୟର କେଉଁ କୋଣରେ ସ୍ପନ୍ଦିତ। ମୁଁ ଯେତେ ଚେଷ୍ଟା କଲେବି ତାକୁ ଭୁଲି ପାରୁନି। ବାପାଙ୍କ କଥାରେ ବାଧ୍ୟ ହୋଇ ମୁଁ ତୁମକୁ ବିବାହ କରିଛି। ଦେଖ ମୁଁ ତୁମକୁ ଆଦୌ କଷ୍ଟ ଦେବାକୁ ଚାହେଁନି। ବାଶ୍ ମନକୁ ବୁଝାଇବାକୁ କିଛି ଦିନ ସମୟ ମାଗୁଛି।


       ନୀରବତା ଭଙ୍ଗ କରି ମିଲି କହିଲା, ମୁଁ ତେବେ ଅପେକ୍ଷା କରିବି। ଆପଣଙ୍କ ମନ ପରିବର୍ତ୍ତନ ହେବା ପରେ ମତେ କହିବେ। ବାବାଲି କହିଲା, ତୁମେ ଯେ ଏତେ ସହଜରେ କଥାଟାକୁ ଗ୍ରହଣ କରିନେବ ମୁଁ ଭାବି ନ ଥିଲି। ବହୁତ୍ ବହୁତ୍ ଧନ୍ୟବାଦ ତୁମକୁ। ଏବେ ଆମେ ଭଲ ବନ୍ଧୁ ହେଇପାରିବା।

ମିଲି - ଏ କ୍ଷୀର ଓ ପୋଡ଼ା ନଡ଼ିଆ ଖାଇବନି?

ବାବାଲି - ହଁ ଆସ। ଅଧା ଅଧା ଖାଇବା।


  ମିଲି କ୍ଷୀର ଗ୍ଲାସ୍ ଆଣି ଦେଲା। ବାବାଲି ଗ୍ଲାସ୍ ଟି ନେଇ ପିଇଲା ଆଉ ଅଧା ତାକୁ ଦେଲା। ସେ ଓଢ଼ଣା ଟେକି ପିଇଲା ବେଳେ ବାବାଲି ତା ମୁହଁକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଇଏତ ମିଲି! ମିଲି ତୁମେ ! ମୃଣାଳ ତୁମେ! କେହି ଆଉ କାହାକୁ କିଛି ନ କହି ପରସ୍ପରକୁ ଜାବୁଡ଼ି ଧରିଲେ। ଉଭୟଙ୍କ ଆଖିରୁ ବହି ଯାଉଥିଲା ଖୁସିର ଆନନ୍ଦାଶ୍ରୁ। 


    ଏତିକିବେଳେ କବାଟରେ ଠକ୍ ଠକ୍ ଶବ୍ଦ ଶୁଭିଲା। ଖୋଲି ଦେଖିଲାବେଳକୁ ପରିବାରର ସମସ୍ତ ସଦସ୍ଯ ଦଣ୍ଡାୟମାନ। ଭାଉଜ କହିଲେ, ଆମ ସର୍ପ୍ରାଇଜ୍ କେମିତି ଲାଗିଲା? ମୃଣାଳ କହିଲା, ତା ମାନେ ତୁମେମାନେ ଜାଣିଥିଲ ଇଏ ମିଲି ବୋଲି! ଭାଉଜ କହିଲେ, ହଁ ତୁମେ ମୋତେ ଯେବେ ତାଙ୍କ ଫଟୋ ଦେଖେଇଥିଲ ମୁଁ ବାପାଙ୍କୁ କହିଥିଲି। ଆଉ ଥରେ ତାଙ୍କ ସହିତ ଦେଖା ବି କରିଥିଲି। ବାହାଘରର ଆଇଡିଆଟା ବାପାଙ୍କର ଥିଲା। ସମସ୍ତେ ହସି ଉଠିଲେ। ମିଲି ଲାଜରେ ତଳକୁ ମୁହଁ ପୋତି ଠିଆ ହେଇଥିଲା।

ମହେଶ୍ ବାବୁ କହିଲେ, ଏବେ ଆମେ ଚାଲ ଯିବା।କାଲି ଭୋଜି ସମସ୍ତେ ଶୀଘ୍ର ଉଠିବା। ସମସ୍ତେ ଯିବା ପରେ ମୃଣାଳ କବାଟ ବନ୍ଦ କରି ମିଲିର ମୁହଁରେ ଆଙ୍କି ଦେଲା ଗୋଟିଏ ସୁନ୍ଦର ପ୍ରେମର ଚିହ୍ନ। ଦୁହେଁ ଦୁହିଁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ରଜନୀଗନ୍ଧା ଓ ଗୋଲାପର ସୁଗନ୍ଧରେ ମହକି ଉଠୁଥିଲା ବାସର ଶେଜଟା।


Rate this content
Log in

Similar oriya story from Tragedy