ଅଜଣା ଭକ୍ତ ଶିରୋମଣି
ଅଜଣା ଭକ୍ତ ଶିରୋମଣି
ମହାପ୍ରଭୁ ଙ୍କ ମହିମା, ତାଙ୍କ ଅନୁଭୂତି, ତାଙ୍କ ନୀତିକାନ୍ତି, ତାଙ୍କ କରୁଣା, ତାଙ୍କ ମହାତ୍ମ୍ୟ କୁ ଶବ୍ଦ ରେ ବର୍ଣ୍ଣନା କରିବାକୁ ମୋ ପରି ଜଣେ ଅଧମ ର ସାମର୍ଥ୍ୟ ନାହିଁ। କିନ୍ତୁ ଅନେକ ଦିନର ବିରତି ପରେ ନିଜ ଲେଖନୀ କୁ ଆରମ୍ଭ କରିବା ସମୟରେ ମହାପ୍ରଭୁ ଙ୍କ ଅପାର ଦୟା, ଭକ୍ତ ପ୍ରତି ତାଙ୍କ ଆଗାଢ଼ ସ୍ନେହ ଓ ଆନ୍ତରିକତା କୁ ବିଷୟ ରୂପେ ନେଇଁ କିଛି ଲେଖିବାକୁ ମହାପ୍ରଭୁ ସୁଯୋଗ ଦେଇ ଥିବାରୁ ନିଜକୁ ଧନ୍ୟ କରୁଛି। ଏ ଲେଖନୀ କୁ ମହାପ୍ରଭୁ ଙ୍କୁ ସମର୍ପିତ କରି ତ୍ରୁଟି ଥିଲେ କ୍ଷମା ପ୍ରାର୍ଥନା କରୁଛି।
ଆଜି ପ୍ରାତଃ କାଳରେ ରୋଷେଇ ଘରେ କାର୍ଯ୍ୟରତ ଥିବା ସମୟରେ ହାଠାତ ଦୃଷ୍ଟି ପଡିଥିଲା ଟେଲିଭିଜନରେ ପ୍ରସାରିତ ଶ୍ରୀ ଗଜପତି ମହାରାଜ ଙ୍କ ସହିତ ଏକ ସାକ୍ଷାତାକାର ଉପରେ। କେତେ ସରଳ ଭାଷାରେ ସେ ସମସ୍ତଙ୍କୁ ବୁଝେଇ ଦେଉଥିଲେ ମହାପ୍ରଭୁ ଙ୍କ ବିଷୟରେ। ଅନେକ କଥା ମଧ୍ୟରେ ହୁଦୟ କୁ ସ୍ପର୍ଶ କରିଥିଲା ଗୋଟିଏ କଥା, ସେ କହୁଥିଲେ -"ମହାପ୍ରଭୁ ଘଟରେ, ଶ୍ରୀ ମନ୍ଦିର କିମ୍ବା ଏକ ପ୍ରାନ୍ତରରେ ଆବଦ୍ଧ ନୁହନ୍ତି, ସେ ଯେ ଏ ସମଗ୍ର ଜଗତର ଠାକୁର। ତାଙ୍କ ଉପସ୍ଥିତି ପ୍ରତ୍ୟେକ ଜୀବ ଏବଂ ନିର୍ଜୀବ ବସ୍ତୁ ମଧ୍ୟରେ ରହିଛି"।
ସମୟ ସମୟରେ ମହାପ୍ରଭୁ ଏହାର ପ୍ରମାଣ ଦେବାକୁ ଯାଇ ସାଧାରଣ ପ୍ରାଣୀ କୁ ନିଜ କରୁଣା ପ୍ରଦାନ କରି କରିଛନ୍ତି ଆସାଧାରଣ। ଏବଂ ସେଇ ପ୍ରାଣୀ ମାନେ ବୋଳାଉଛନ୍ତି ଏ ସଂସାରରେ ଭକ୍ତଶିରୋମଣି।
ମୁଁ ଜଣେ ଅଧ୍ୟାପିକା ଭାବରେ ବର୍ତ୍ତମାନ କାର୍ଯ୍ୟରତ। ନିଜ କର୍ମକ୍ଷେତ୍ରରେ ସମୟ ସମୟରେ ମହାପ୍ରଭୁ ଙ୍କ ବିଷୟରେ ଆଲୋଚନା କରିବାକୁ ସୌଭାଗ୍ୟ ମିଳେ ନିଜ ସହକର୍ମୀ ଙ୍କ ସହିତ। କିଏ କେତେ ଅନୁଭୂତି କୁ ଭକ୍ତିପୂର୍ଣ୍ଣ ହୃଦୟରେ ବର୍ଣ୍ଣନା କରିଥାନ୍ତି। କିନ୍ତୁ ଗତକାଲି ଯେଉଁ ସତ୍ୟ ଘଟଣା ଟି ମୁଁ ଜାଣିବାକୁ ପାଇଲି, ତାକୁ ଶୁଣି ଚକ୍ଷୁ ଲୋତକ ରେ ପୂର୍ଣ୍ଣ ହୋଇଯାଇଥିଲା ଏବଂ ମହାପ୍ରଭୁ ଙ୍କ ଚରଣାବିନ୍ଦ ରେ ଭକ୍ତିପୂତ ଚିତ୍ତ ରେ ମୁଁ ନତମସ୍ତକ ହୋଇ ଯାଇଥିଲି।
ଘଟଣା ଟି ହେଲା
କେଉଁ ଏକ ସୂଦୁର ଗାଁ ରେ ଚିତ୍କାର ଶୁଭିଥିଲା -"ଏଇଟା ପାଗଳ ଟା, ତାକୁ ଶୀଘ୍ର ତଡିଦିଅ, ନଚେତ ଏଠି ସବୁ ଫିଙ୍ଗା ଫୋପଡା କରିବ। କେତେବେଳେ କାହାକୁ ଯେ ଆକ୍ରମଣ କରିବ ତାହା କହି ହେବନି। ଦିଅ ତାକୁ ଶୀଘ୍ର ତଡିଦିଅ"। ଜଣେ ଭଦ୍ରବ୍ୟକ୍ତି ଙ୍କ ମୁଖ ରୁ ଏପରି ଶୁଣି କିଛି ଗାଁ ଲୋକେ ଧାଇଁ ଆସିଥିଲେ। ବିଭିନ୍ନ ପ୍ରକାରେ ଗାଳି ଗୁଲଚ କରି ଜଣେ ଦରିଦ୍ର ବ୍ୟକ୍ତି ଙ୍କୁ ସେଠାରୁ ତଡି ଦେଇଥିଲି ।ବ୍ୟକ୍ତି ଜଣଙ୍କ ଛିଣ୍ଡା ମଇଳା ଲୁଗା ପିନ୍ଧି କ୍ଷତ ବିକ୍ଷତ ହସ୍ତ ଦ୍ୱାରା ଲୋକଙ୍କ ମାଡ଼ରୁ ନିଜକୁ ରକ୍ଷା କରିବାକୁ ଆପ୍ରାଣ ଚେଷ୍ଟା କରି କହୁଥାଏ -"ଭୋକ ଭୋକ ଲାଗୁଛି ଖାଇବା ଦେ ନା"।ପୁଣି ହସ୍ତ ଯୋଡି କହୁଥାଏ -"ଜୟ ଜଗନ୍ନାଥ ।
ଲୋକେ କ୍ରୋଧରେ ଜର୍ଜରିତ ହୋଇ କହୁଥାନ୍ତି -"ଖାଇବା ଦେବୁ ନା ଆଉ କଣ କହୁନୁ। ଏଠି ଖାଇ ପିଇ କିଛି ସମୟ ପରେ ଆମ ଉପରେ ଆକ୍ରମଣ କରିବୁ। ତୁ ପଳା ଏଠୁ ନଚେତ ଦେଖିବୁ ତୋ ଅବସ୍ଥା ଆମେ କଣ କରିବୁ"।
ଅସହାୟ ବ୍ୟକ୍ତି ଟି ଭୋକରେ ଡହଳ ବିକଳ ହୋଇ ଅନେକ ଅନୁରୋଧ କରୁଥାଏ ଖାଦ୍ୟ ପାଇଁ ହେଲେ କେହି ତା ପ୍ରତି ଦୟା କରି ନ ଥିଲେ। ଲୋକଙ୍କ ଗହଳି ମଧ୍ୟ ରୁ ଜଣେ ଦୟାପରବଶ ହୋଇ କିଛି ଖାଦ୍ୟ ବଢ଼େଇ ଦେଇଥିଲେ ଦରିଦ୍ର ବ୍ୟକ୍ତି ଆଡକୁ। ଖାଦ୍ୟ କୁ ଖୁବ ଆତୁର ହୋଇ ଛଡେଇ ନେଇଁ ବ୍ୟକ୍ତି ଜଣଙ୍କ ଫୋପାଡି ଦେଇ ପୁଣି କହିଲା -"ଜୟ ଜଗନ୍ନାଥ ।
ଦରିଦ୍ର ବ୍ୟକ୍ତି ଟିର ଏପରି ବ୍ୟବହାର ରେ କ୍ଷୁବ୍ଧ ହୋଇ ଗାଁ ଲୋକେ ତାକୁ ଅବିଳମ୍ବେ ତଡି ଦେଇଥିଲେ। ଦରିଦ୍ର ଲୋକଟି ବିକଳ ହୋଇ ସେଠାରୁ ପଳାୟନ କରିଥିଲା। କ୍ଷୁଧା ରେ ଆତୁର ବ୍ୟକ୍ତି ଜଣଙ୍କ କିଛି ବାଟ ଯାଇ ଦେଖିଥିଲା କଂସେଇ ଦୋକାନ ରେ ଥ
ିବା କଞ୍ଚା ମାଂସ ଗୁଡିକୁ। ପୁଳା ପୁଳା କରି ଖାଇବା ଆରଂଭ କରି ଥିଲା ସେ ମାଂସକୁ।
ଏହା ଦେଖି ଘୃଣା ଓ କ୍ରୋଧ ବଶବର୍ତ୍ତୀ ହୋଇ ଯେତେ ବେଳେ ଲୋକେ ତାକୁ ଆକ୍ରମଣ କରିବାକୁ ପୁଣି ଧାଇଁ ଆସିଥିଲେ, ଦୁଇ ହସ୍ତ କୁ ଟେକି ଦେଇ ବ୍ୟକ୍ତି ଜଣଙ୍କ ଚିତ୍କାର କରି କହିଥିଲା -”ଜୟ ଜଗନ୍ନାଥ ।
ଏ କି ପ୍ରକାର ସ୍ୱାଭାବ? ତୁଣ୍ଡରେ ମହାପ୍ରଭୁ ଙ୍କ ନାମ ଧରି ଏ କି ଅନ୍ୟାଚାର କରୁଛି ସେ ପାଗଳ?ଏସବୁ ବୁଝିବା ପୂର୍ବରୁ ଅଳ୍ପ ବାଟରେ ଥିବା ହୋଟେଲ ମାଲିକ ଜଣେ ଦୟା ଭାବ ପ୍ରଦର୍ଶନ କରି ଦରିଦ୍ର ବ୍ୟକ୍ତି ଟିକୁ ଉଦ୍ଧାର କରି ନିଜ ହୋଟେଲ କୁ ଘେନି ଆସିଥିଲେ। ସେଠାରେ ତା ହସ୍ତ ଧୋଇ ଦେଇ ତାକୁ ଅରୁଆ ଅନ୍ନ ସହିତ ଡ଼ାଲମା ଖାଇବାକୁ ଦେଇଥିଲେ।
ପାଗଳ ଆଖ୍ୟା ପାଇଥିବା ବ୍ୟକ୍ତି ଜଣଙ୍କ ସତେ ଯେମିତି ପୋଷା ମାନି ଯାଇଥିଲା ହୋଟେଲ ମାଲିକ ଙ୍କ ର । ନିରବ ହୋଇ ସବୁ ଖାଦ୍ୟ କୁ ଖୁବ ଶାନ୍ତି ରେ ଗ୍ରହଣ କରି ଆନନ୍ଦରେ କହି ଥିଲା -"ଜୟ ଜଗନ୍ନାଥ ।
ଏ ଘଟଣା ବାରଂବାର ଘଟିଥିଲା ସେ ଗାଁ ରେ। ଖାଦ୍ୟ କୁ ଫୋପାଡି ଅଖାଦ୍ୟ କୁ ଗ୍ରହଣ କରୁଥିଲା ପାଗଳ ଟି। ହେଲେ ପ୍ରତ୍ୟେକ ଦିନ ସେଇ ଗୋଟିଏ ହୋଟେଲ କୁ ଆସି ପତ୍ରରେ ଅନ୍ନ ଭୋଜନ କରି ସେ ଚାଲି ଯାଉଥିଲା କେଉଁ ଏକ ଅଜଣା ସ୍ଥାନ ଅଭିମୁଖେ।ହେଲେ ପ୍ରତ୍ୟେକ ମୁହୂର୍ତ୍ତ ରେ ସେ ସ୍ମରଣ କରୁଥିଲା ମହାପ୍ରଭୃ ଙ୍କୁ ଏବଂ ହୃଦୟରୁ ନମନ କରି କହୁଥିଲା -"ଜୟ ଜଗନ୍ନାଥ ।
କେହି କେବେ ତାକୁ ବୁଝି ପାରି ନଥିଲେ। ତା ଜୀବନ ଥିଲା ସମସ୍ତଙ୍କ ପାଇଁ ଏକ ରହସ୍ୟ। ସମାଜ ପାଇଁ ସତେ ଯେମିତି ଥିଲା ସେ ଏକ ଅଦରକାରୀ ବସ୍ତୁ। ଲକ୍ଷ୍ୟହୀନ ଥିଲା ତା ଜୀବନ ସମସ୍ତଙ୍କ ଦୃଷ୍ଟି କୋଣ ରେ। ତା ଉପସ୍ଥିତି ଅବା ଅନୁପସ୍ଥିତି କାହାରିକୁ କେବେ ପ୍ରଭାବିତ କରି ନ ଥିଲା।
ସମୟ ଗଡି ଯାଇଥିଲା।ଏକଦା ସୂର୍ଯୋଦୟ ସହିତ ବ୍ୟକ୍ତି ଟିର ଜୀବନ ସୂର୍ଯ୍ୟ ସବୁ ଦିନ ପାଇଁ ଅସ୍ତ ହୋଇ ଯାଇଥିଲା। ଗାଁ ଶେଷ ମୁଣ୍ଡ ରେ ଏକ ବିଲ ମଧ୍ୟରେ ପଡି ରହିଥିଲା ତା ଶବ। ବିଭିନ୍ନ ହିଂସ୍ର ପ୍ରାଣୀ ଙ୍କ ଲୋଲୁପ ଦୃଷ୍ଟି ଶବ ଟି ଉପରେ ପଡିବା ପୂର୍ବରୁ ଯେଉଁ ଅଲୌକିକ ଘଟଣା ଘଟିଲା ତାହା ଶୁଣି ଲୋମ ଟାଙ୍କୁରୀ ଉଠିଥିଲା ସମସ୍ତଙ୍କ ର।
ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ ସେହି ଅଞ୍ଚଳର ଜିଲ୍ଲାପାଳ ଏବଂ ପୁରୀ ପଣ୍ଡା ଙ୍କୁ ଓ କହିଲେ -"ସେଠାରେ ମୋର ପରମ ଭକ୍ତ ର ମର ଶରୀର ପଡି ରହିଛି, ଯାଅ ସତ ସଂମାନେ ସ୍ୱର୍ଗ ଦ୍ୱାର ରେ ତାର ଶବ ସତ୍କାର କର"।
ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ମହାପ୍ରଭୁ ଙ୍କ ସ୍ୱପ୍ନାଦେଶ। ସମସ୍ତେ ମିଳିତ ପ୍ରୟାସରେ ଅନୁସନ୍ଧାନ ପରେ ସଂଧାନ ପାଇଥିଲେ ଶବ ଟିର। ମନରେ ହଜାରେ ପ୍ରଶ୍ନ କିଏ ସେ ଭକ୍ତ ଶିରୋମଣି? କିଏ ସେ ଭାଗ୍ୟବାନ ଯାହା ପାଇଁ ମହାପ୍ରଭୁ ସ୍ୱୟଂ ସ୍ୱପ୍ନାଦେଶ ଦେଇଛନ୍ତି? କେଉଁ ପୂଜା ଵିଧି ଓ ଭକ୍ତି ବଳରେ ସେ ମହାପ୍ରଭୁ ଙ୍କୁ ପାଇ ପାରିଛି? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ଯେତେବେଳେ ଗାଁ ଲୋକେ ଉଲଟା ହୋଇ ପଡିଥିବା ଶବ ଟିକୁ ଟେକି ଦେଖିଥିଲେ ସମସ୍ତେ ଚକିତ ପ୍ରାୟ ହୋଇ ଯାଇଥିଲେ। ଅପରିଚିତ ମଣି ଦେଖୁ ଥିବା ଶବ ଟି ଥିଲା ତାଙ୍କ ଅତି ପରିଚିତ। ଯାହାକୁ ସେମାନେ ପ୍ରତିଦିନ ପାଗଳ ଆଖ୍ୟା ଦେଇ ଘୃଣା କରି ଆସୁଥିଲେ ସେ ଯେ ଥିଲା "ଅଜଣା ଭକ୍ତ ଶିରୋମଣି"।
ଗାଁ ସାରା ଚହଳ ପଡ଼ିଥିଲା। ସତସଂମାନେ, ଘଣ୍ଟ, ମୃଦଙ୍ଗ, ଶ୍ରୀ ଜଗନ୍ନାଥ ଙ୍କ ଜୟଗାନ କରି ସ୍ୱର୍ଗ ଦ୍ୱାର ରେ ଶବ ସତ୍କାର କରାଯାଇଥିଲା।
ପ୍ରିୟ ପାଠକ ଏବଂ ପାଠିକାବୃନ୍ଦ ସତରେ ଜଗତର ନାଥ ଜଗନ୍ନାଥ ପରା ଭାବର ଠାକୁର, ତାଙ୍କୁ କଣ ପୂଜାଵିଧି, ଜପତପ କିମ୍ବା ମନ୍ତ୍ର ରେ ପାଇ ହୁଏ? ସେ କେବଳ ପ୍ରାପ୍ତ ହୁଅନ୍ତି ହୃଦୟର ଭାବରେ।