Prasanta kumar Hota

Inspirational

3  

Prasanta kumar Hota

Inspirational

ଆତ୍ମହତ୍ୟା ଓ ଅନୁଚିନ୍ତା

ଆତ୍ମହତ୍ୟା ଓ ଅନୁଚିନ୍ତା

6 mins
179



ସୁରଜିତ ରିଷିକେଶ ଠାରୁ କିଛି ଦୂରରେ ଗଙ୍ଗା କୂଳରେ ଥିବା ପଥର ଚଟାଣ ଉପରେ ବସି ଭାବି ଚାଲିଥାଏ ଓ ମନକୁ ବାରମ୍ବାର ଦୃଢ କରୁଥାଏ ଯେ ସେ ଯାହା କରିବାକୁ ଯାଉଛି, ଠିକ୍ କରୁଛି। ଏତେବାଟରୁ ଆତ୍ମହତ୍ୟା କରିବା ପାଇଁ ଆସିଛି, ସେ ଆଉ ଫେରିଯାଇ ପାରିବ ନାହିଁ! ତାର ପୂର୍ବ ଅବସ୍ଥା ତାକୁ କେବେ ବଞ୍ଚିବା ପାଇଁ ଦେବନାହିଁ ! ସୁନାନୀକୁ ଧରି ବଞ୍ଚିବାର ଇଚ୍ଛା ସେ ମନରୁ ପୋଛି ସାରିଥିଲା। ସଂସାର ସୁଖରେ ତାର ପୂର୍ଣ୍ଣଛେଦ ପଡିଯାଏ ସାରିଥିଲା। ଯାହା ସମ୍ଭବ ନୁହେଁ ତାକୁ କେବଳ ସ୍ୱପ୍ନରେ ଭାବି ହୁଏ। ସଂସାର ପଙ୍କରେ ପଶି କର୍ଦ୍ଦମାକ୍ତ ହେଇ ସାରିଲା ପରେ ପୁଣି ଗୋଡ ଭର୍ତ୍ତି କରିବା ଏକ ନିରର୍ଥ ପ୍ରୟାସ ଯାହା।


ଯାହା ସହ୍ଯ କରିହେବ ନାହିଁ ତାକୁ ସହିବାର ବୃଥା ଚେଷ୍ଟା ସେ କରିବ କାହିଁକି। ଆତ୍ମହତ୍ୟା ଭୀରୁ ଓ କାପୁରୁଷଙ୍କ ପଥ, ସମାଜ ଆଖିରେ ନିନ୍ଦିତ ହେଲେ ବି ସେ ଗ୍ରହଣ କରିବ। ଯିଏ ସହି ପାରିବ ସିଏ ତ ନିଷ୍ପତ୍ତି ନେବ। ମୋର ଅସହ୍ଯ ବେଦନାକୁ ସମାଜ ଯଦି ହାଲକା କରି ପାରିବ ନାହିଁ, ତାହାଲେ ତାର ଚିନ୍ତାଧାରାରେ ମୁଁ କାହିଁକି ବ୍ୟସ୍ତ ହେବି। 


ମଣିଷ ଯେତେବେଳେ ନିଜ ପରିସ୍ଥିତିରେ ବ୍ୟାକୁଳ ହେଇ ଭୂଲ ନିଷ୍ପତ୍ତି ନେଇ ବସେ, ସେତେବେଳେ ତା କଥାକୁ ସମର୍ଥନ କରିବା ପାଇଁ ମନରେ ଅସଂଖ୍ଯ ଯୁକ୍ତି ଆସିବାକୁ ଲାଗେ। ସୁରଜିତ ମନ ଭିତରେ କେତେ ଜ୍ଞାନୀ ଗୁଣୀ ସାହାସୀ ଲୋକଙ୍କୁ ଦେଖୁଥିଲା ଯୋଉମାନେ ଅନନ୍ୟୋପାୟ ହୋଇ ଆତ୍ମହତ୍ୟାକୁ ଆପଣେଇ ନେଇଥିଲେ। ମହାରଥୀ ଅର୍ଜୁନ ଜୟଦ୍ରଥ ପାଇଁ ଆତ୍ମାହୁତି ଦେବାକୁ ଯାଉଥିଲେ। ସମସ୍ତେ ଚୁପଚାପ ନାଟକ ଦେଖୁଥିଲେ, କେହି ତାଙ୍କୁ ଅଟକାଇବାର ପ୍ରୟାସ କରୁ ନଥିଲେ, ସତେ ଯେମିତି ଆତ୍ମହତ୍ୟା ଏକ ମହାନ କାମ ଓ ସେ କରିବାକୁ ଯାଉଛନ୍ତି। ପତ୍ନୀ ପରାଭୂତ କାଳିଦାସ ଅପମାନ ଜର୍ଜରିତ ହେଇ ଆତ୍ମହତ୍ୟା କରିବାକୁ ଯାଇଥିଲେ। ଶୁଣିବାକୁ ମିଳେ ଫିରିଙ୍ଗି ଶାସକ ଲର୍ଡ କ୍ଲାଇବ ମଧ୍ଯ ଦିନେ ଆତ୍ମହତ୍ୟାର ପଥକୁ ଯାଇଥିଲେ। 

ଆତ୍ମହତ୍ୟାର ସିଦ୍ଧାନ୍ତରେ ଥରେ ପହଞ୍ଚି ସାରିଲା ପରେ ଅଯଥା ବିଳମ୍ବ କେବଳ ଯାହା ମାନସିକ ପୀଡା ଭାବି ସୁରଜିତ ନିଜ ଯାଗାରୁ ଉଠି ଗଙ୍ଗା ନଦୀ ଆଡେ ମୁହାଁଇଲା। ଗଙ୍ଗାର ପ୍ରଖର ସ୍ରୋତ ରେ ମୃତ୍ୟୁ ସୁନିଶ୍ଚିତ ଓ ସର୍ବପାପ ମୁକ୍ତିଦାୟକ ଭାବି ସାମାନ୍ଯ ଆତ୍ମସନ୍ତୋଷ ଲାଭ କଲା। ଗଙ୍ଗା ର ପାବନ ପାଣିରେ ପ୍ରଥମ ପାଦ ଥୋଇ ହାତରେ ଜଳ ଟିକିଏ ଧରି ନିଜ ଶରୀରରେ ଆଗ ସିଞ୍ଚି ଦେଲା। ତାପରେ ଯୋଡହସ୍ତରେ ପ୍ରଣାମ କରି ଭିତରକୁ ପ୍ରବେଶ କରୁଛି, ଜଣେ କେହି ତୀବ୍ର ବେଗରେ ତାକୁ ଭିଡି ଆଣିଲେ କୂଳକୁ ଓ ପ୍ରଶ୍ନ କଲେ, ଏ ପବିତ୍ର ସ୍ଥାନରେ ଆତ୍ମହତ୍ୟା ପରି ଘୃଣ୍ୟ କାମ। ଏ ପ୍ରକାର ଚିନ୍ତା ମଧ୍ଯ ମନରେ ଆସିବା ଉଚିତ ନୁହେଁ।ସୁରଜିତ କିଛି ସମୟ ସେହି ବ୍ୟକ୍ତିଙ୍କୁ ଚାହିଁବାରୁ ସେ କହିଲେ, ମୁଁ ଜୀବାନନ୍ଦ, ମୋର ଆଶ୍ରମ ଏଇ ପାଖରେ। ଆପଣ ଆତ୍ମହତ୍ୟା କାହିଁକି କରିବାକୁ ଯାଉଥିଲେ।ସୁରଜିତ କହିଲେ, ମୁଁ ଆତ୍ମହତ୍ୟା କରିବାକୁ ଯାଉଥିଲି ସତ କିନ୍ତୁ ମୁଁ ତ କୁଳରେ ମାତ୍ର ଥିଲି। ଆପଣ ଏତେ ନିଶ୍ଚିତ ହେଇ ମୋତେ ଭିଡି ଆଣିଲେ କେମିତି।ସେଇଟା ଦୈବ ଇଚ୍ଛା। ଈଶ୍ବର ନ ଚାହିଁଲେ କ'ଣ କାହାର କିଛି କାର୍ଯ୍ୟ ହୁଏ। ସେଥିପାଇଁ ବୋଧହୁଏ ତମେ ଆତ୍ମହତ୍ୟା କରିବାକୁ ଯାଉଛ ବୋଲି ମୋର ଭାବନା ଆସିଲା। କିନ୍ତୁ ମୋର ଯଦି ଇଚ୍ଛା ଆତ୍ମହତ୍ୟା କରିବାକୁ, ଆପଣ ବାଧା ଦେଲେ କାହିଁକି। ମୁଁ ଚାହିଁଲେ କାଲି ଆଉ କୌଣସି ସ୍ଥାନକୁ ଯାଇ ଆତ୍ମହତ୍ୟା କରି ପାରିବି, ସେତେବେଳେ କଣ ଆପଣ ମୋତେ ଅଟକାଇ ପାରିବେ !

ଉଚିତ କର୍ମ ବା ଭଲ କାମ କରିବା ପାଇଁ ଏତେ ସବୁ ଭାବନା କରାଯାଏ ନାହିଁ, କେବଳ କରି ଦିଆଯାଏ। ଆଜି ଯେମିତି ଦେଖିଲି ବୋଲି ନିବୃତ୍ତ କଲି, ସେମିତି ଅନ୍ୟଦିନ ଦେଖିଲେ ବି କରିବି।

ତାପରେ କଣ ହେବ ନହେବ ସେସବୁ ଈଶ୍ବରଙ୍କ ଇଚ୍ଛା, ଆମ ଇଚ୍ଛା ନୁହେଁ। ହୋଉ, ତମେ ମୋତେ ଆତ୍ମହତ୍ୟାର କାରଣ କଣ କହି ପାରିବ ? 


ବଞ୍ଚିବାର ଅନାଗ୍ରହ !

ପୁଣି ମୁଁ ପଚାରିବି ଯେ ତମର ଏପରି ଅନାଗ୍ରହର କାରଣ କଣ ! ଏମିତି ସଂକ୍ଷିପ୍ତରେ ଉତ୍ତର ଦେବା ଅପେକ୍ଷା ବିସ୍ତାର କରି କହିଲେ ମୋତେ ବାରମ୍ବାର ଆଉ ପ୍ରଶ୍ନ କରିବାକୁ ପଡନ୍ତା ନାହିଁ।

ସୁରଜିତ କ୍ଷଣେ ଜୀବାନନ୍ଦଙ୍କୁ ଚାହିଁ କହିଲେ, ମୋ ବିବାହ ହେଲା ଦିନଠାରୁ ମୋର ପତ୍ନୀ ସୁନାନୀ ମୋ କାଳସର୍ପ ହେଇ ମୋ ପଛରେ ଘୁରି ବୁଲୁଛି।

- ପ୍ରେମ ବିବାହ ନା ବ୍ୟବସ୍ଥା ବିବାହ ! ଯଦି ପ୍ରେମ ବିବାହ ତାହାଲେ ସେଇଠୁ କାହାଣୀଟି ଆରମ୍ଭ କଲେ ପୂର୍ଣାଙ୍ଗ ପରି ଲାଗନ୍ତା, ଜୀବାନନ୍ଦ କହିଲେ।


ସୁରଜିତ କହିଲେ, ବିବାହର ମାତ୍ର କିଛିଦିନ ଆଗରୁ ସୁନାନୀ ସହିତ ଜଣାଶୁଣା। ସେ ମୋ ଅଫିସକୁ ଯେ କୌଣସ ବାହାନାରେ ଚାଲି ଆସେ ଓ କିଛି ସମୟର ଆଳାପ ପରେ ଚାଲିଯାଏ। ଖୁବ୍ ମିଠା ମିଠା କଥାରେ ମନ ମୋହିନେଲା ପରି ତାର ବ୍ୟବହାର। ମଝିରେ ମଝିରେ କିଛି ଖାଇବା ମଧ୍ଯ ସାଙ୍ଗରେ ଧରି ଆସେ। ଏସବୁ ଜିନିଷରେ ଯେ ତାର କିଛି ଅଭିସନ୍ଧି ଥିବ ମୁଁ ଭାବି ପାରିଲି ନାହିଁ।


ସ୍ଵାଭାବିକ ! ସୁବିଧାରେ ସ୍ୱାର୍ଥ ହାସଲ ହେଉଥିଲେ ବା ଇନ୍ଦ୍ରିୟର ପୂର୍ତ୍ତି ହେଉଥିଲେ ଫଳାଫଳ କଥା କେହି ଭାବନ୍ତି ନାହିଁ। ତମେ କେମିତି ଭାବିବ !

ମୁଁ ଆପଣଙ୍କ କହିବାର ଅର୍ଥ ବୁଝି ପାରିଲି ନାହିଁ।

ନାରୀସଙ୍ଗରୁ ଯେଉଁ ଆନନ୍ଦ ମିଳୁଥିଲା, ତମେ ତାହା ନିଜର ସାମର୍ଥ୍ଯ ବୋଲି ଭାବୁଥିଲ। ତମ ଅସାମର୍ଥ୍ୟକୁ ଯେ ଆଉଜଣେ ସମର୍ଥ କରିବାରେ ସାହାଯ୍ଯ କରୁଥିଲା, ତାହା ତୁମେ ବୁଝି ପାରିଲ ନାହିଁ। ହସିଦେଇ ଜୀବାନନ୍ଦ କହିଲେ, ଏହାର ମାନେ ଅଳ୍ପବିଜ୍ଞ ବିଦ୍ୟାର୍ଥୀକୁ ଯେତେବେଳେ କିଏ ତାର କିଛି ସ୍ୱାର୍ଥ ପାଇଁ ଅଧିକ ନମ୍ବର ଜାଣିଶୁଣି ଦେଇଦିଏ ସେତେବେଳେ ସେ ନିଜକୁ ବହୁବିଜ୍ଞ ବୋଲି ଭାବିନିଏ ଓ ତଦନୁରୂପ ତାର ପରିବର୍ତ୍ତନ ହେବା ଆରମ୍ଭ ହୁଏ। 

ଆପଣ ସତ କହିଲେ ମହାରାଜ। ମୋର ମଧ୍ଯ ସେପରି ପରିବର୍ତ୍ତନ ହେବାକୁ ଲାଗିଲା। ସୁନ୍ଦରୀ, ସୁଶୀଳା ଓ ଶିକ୍ଷିତା ସହିତ ମିଷ୍ଟଭାଷୀ ନାରୀର ସ୍ନେହ, ଆଦର ଓ ଭଲ ପାଇବା ପାଖରେ ମୁଁ ବୁଡି ଯାଇଥିଲି। ଆମେ ପରସ୍ପର ହ୍ଵାଟ୍ସ ଆପରେ ଚାଟିଂ ଆରମ୍ଭ କରିଦେଲୂ। ଏମିତି ହେଲା ଯେ ରାତିରେ କଥା ନହେଲେ ନିଦ ହୁଏ ନାହିଁ। ଅନ୍ୟମାନେ ମୋତେ ଇର୍ଷା କଲେ ମୁଁ ନିଜକୁ ମହାଭାଗ୍ୟବାନ ମନେକରେ। ଘରେ ମୋର ବିବାହ ପାଇଁ ବ୍ୟସ୍ତ ହେଉଥିଲେ। ସୁନାନୀ କେମିତି ଜାଣିପାରି ତାର ବିବାହ ପ୍ରସ୍ତାବ କୁ ମୋ ଆଗରେ ରଖିଲା। ମୁଁ ଏମିତି ଭାବନା ରାଜ୍ୟରେ ଥିଲି, ପ୍ରସ୍ତାବ ପାଇଲା ପରେ ରାଜି ହେଇଗଲି । ଘରେ ମଧ୍ଯ ରାଜି କରାଇଲି। ତା'ପର ଠାରୁ ସେ କାଳ ହେଇ ମୋ ଘରେ ପଶି ଆସିଛି।

ମୁଁ ବାପାମା'ଙ୍କ ଗୋଟିଏ ବୋଲି ପୁଅ। ବାହାଘର ପରେ ସେମାନେ ମୋ ସହିତ ରହିବାକୁ ଲାଗିଲେ କିନ୍ତୁ ସୁନାନୀ ତାଙ୍କ ସହିତ ମୁଁ ନଥିଲା ବେଳେ ଅତି କଦର୍ଯ୍ୟ ବ୍ୟବହାର କଲା। ଅତିଷ୍ଠ ହେଇ ଦିନେ ମାଆ ଏ ବିଷୟରେ କହିବାରୁ, ସେ ସବୁ ମିଛ ବୋଲି କହିବାକୁ ଲାଗିଲା ଏବଂ ଅଧିକାଂଶ ଦିନ ଦେହ ଖରାପ ବାହାନା କରି ଶୋଇ ରହିଲା। ମୁଁ ନଥିବା ବେଳେ ତାର ପୁରୁଣା ପୁରୁଷ ବନ୍ଧୁ ଘରକୁ ଆସିବାକୁ ଲାଗିଲେ। ଦିନେ ଆଲିଙ୍ଗନ ଅବସ୍ଥାରେ ମାଆ ଦେଖିଦେବାରୁ ବହୁତ ଯୋରରେ ସେଦିନ ପାଟିତୁଣ୍ଡ ହେଲା। ମୋତେ ଅଭିଯୋଗ ହେବାରୁ ସୁନାନୀ କହିଲା, ଦୃଷ୍ଟିକୋଣ ଖରାପ ହେଲେ ଦୃଶ୍ଯ ମଧ୍ଯ ଖରାପ ହେଇଯାଏ। ସେଥିପାଇଁ ସଭ୍ୟ ସମାଜରେ ଅସଭ୍ୟର କୌଣସି ସ୍ଥାନ ନଥାଏ। ତାର ଭୀଷଣ ପାଟିରେ ମୁଁ କାପୁରୁଷଙ୍କ ପରି କିଛି କହି ନପାରି ନିରୁତ୍ତର ରହି ଯାଉଥାଏ। ଥରେ ଅସମ୍ଭାଳ ହେବାରୁ ହାତ ଉଠାଇ ଥିଲି ଯେ ମୋ ହାତକୁ ଧରିଦେଇ କହିଲା, ଆଉଥରେ ହାତ ଉଠିଲେ ବୋପା ମାଆ ସହିତ ଜେଲ ଯିବା ପାଇଁ ପ୍ରସ୍ତୁତ ହେଇ ରହିଥିବ। ଅବସ୍ଥା ଭୟଙ୍କର ଜାଣି ଚୁପ୍ ରହିଲି। ସେଇଦିନ ରାତିରେ ବାପା ହୃଦଘାତରେ ଚାଲିଗଲେ। ସୁନାନୀ ମଧ୍ଯ ଦଶଦିନର ଜଞ୍ଜାଳରୁ ମୁକ୍ତି ପାଇବାକୁ, ତା ମାଆର ଦେହ ଖରାପ କହି ପଳାଇଲା। ମୁଁ ଭାବୁଥାଏ ମା' ବିଚରା ବଞ୍ଚିବ କେମିତି। ଭଗବାନ ଯାହାହେଉ ଦୟାକରି ତାକୁ ମଧ୍ଯ ବାପାଙ୍କ ଦଶାକାର୍ଯ୍ୟ ସରିବା ପୂର୍ବରୁ ନେଇଗଲେ। ସୁନାନୀ ନଆସିବାରୁ ମୁଁ ଅସ୍ଥି ଆଣି ଗଙ୍ଗାରେ ବିସର୍ଜନ କରି ପୁରୀରେ ବ୍ରାହ୍ମଣ ଭୋଜନ କରାଇ ପିତୃ କାର୍ଯ୍ଯରୁ ମୁକ୍ତହେଲି ।

ସେତିକିରେ ବି ମୋର ଦୁଃଖ ସରିଲାନି। ଅଯଥା ଖର୍ଚ୍ଚ କରି ମୋତେ ନୟାନ୍ତ କରିବାକୁ ଲାଗିଲା। ତାର ପୁରୁଷ ବନ୍ଧୁମାନେ ଆସି ଯେତେବେଳେ ମୋତେ ଧମକାଇବାକୁ ଲାଗିଲେ, ମୁଁ ଜାଣିଲି ମୋର ସ୍ଥିତି ଏଠି ଆଉ ନାହିଁ। ବଞ୍ଚିବାର କାରଣ ଯେତେବେଳେ ସରିଗଲା, ଆଉ ବଞ୍ଚିବି କଣ ପାଇଁ ଭାବି ଗଙ୍ଗାରେ ବୁଡ ଦେବାକୁ ଚାଲି ଆସିଲି। କିନ୍ତୁ ମୋର ଦୁଃଖ ବୋଧେ ସରିବାକୁ ଆହୁରି ବାକି ଅଛି, ସେଥିପାଇଁ ଆପଣ ମୋତେ ପଛରୁ ଭିଡି ଅଟକାଇ ଦେଲେ।ତମ କଥା ଶୁଣି ମହାଭାଗ, ତମେ ଯେ ଦୁଃଖୀ ନୁହେଁ, ତା ମୁଁ କେବେ କହି ପାରିବି ନାହିଁ। କିନ୍ତୁ ଦୁଃଖୀ ବୋଲି ଯେ ଆତ୍ମହତ୍ୟା ଏକମାତ୍ର ସିଦ୍ଧାନ୍ତ ତା ମଧ୍ଯ ମୁଁ ମାନି ପାରିବି ନାହିଁ।

ତମେ ଶିକ୍ଷିତ ବୋଲି କହୁଛି ଯେ ଆମ ଚାରିପାଖେ ସବୁ ସ୍ୱଭାବର ପର ଏବଂ ଅପର କର୍ତ୍ତା ଅଛନ୍ତି ସେମାନେ ଯାହା ପ୍ରେରଣାରେ କାର୍ଯ୍ଯ କରନ୍ତି, ଯାହା ଦ୍ୱାରା ଯାହା ପାଇଁ ବା ଯାହା ପ୍ରତି କରନ୍ତି, ସପକ୍ଷରେ ହେଉ ବା ବିପରୀତ ହେଉ, ସବୁଥିରେ ତାଙ୍କର ହିଁ ସ୍ଥିତି ଅଛି।

ବିଷୟୀ ଲୋକ ପ୍ରତି କାର୍ଯ୍ୟରେ ପରିଣାମ ଭୋଗ କରେ କାରଣ ପ୍ରାଣୀ ମାତ୍ରେ ବ୍ୟସନ ପାଖରେ ନାଚାର। ଠିକ ଯେମିତି ସୁନାନୀ ତମ ଅଫିସକୁ ଆସିଲା ବେଳେ ତମ ଅବସ୍ଥା ହେଇଥିଲା। ତମର ବିଶେଷ ଗୁଣ ନଥାଇ ମଧ୍ଯ ତମେ ଭାବିଲ ତମର ସେ ଗୁଣମୁଗ୍ଧ ଓ ତାର ବ୍ୟସନ ପରାବୃତ୍ତ ଜାଲରେ ପଡିଗଲ। ସବୁ ସଂସାରୀ ବ୍ୟସନରେ ଆବୃତ୍ତ କିନ୍ତୁ ଯାହାର ବ୍ୟସନ ଇନ୍ଦ୍ରିୟ ଲାଳସାକୁ ଟାଣି ଧରେ ସେ ଅସଫଳ ହେଲେ ଅସହାୟ ଓ ଅପମାନିତ ହେଲେ ଅବାଞ୍ଛିତ ମନେକରେ। ବ୍ୟସନରେ ଥିବା ବ୍ୟକ୍ତି ପାଇଁ ବ୍ୟବହାରରେ ଛନ୍ଦ କପଟ ପ୍ରତାରଣା ସ୍ଵାଭାବିକ କଥା। ଯେମିତି ନିଆଁରେ ହାତ ଦେଇ କଣ କିଏ ପଚାରେ ଗରମ କାହିଁକି ଲାଗୁଛି।

ତାହାଲେ ମୁଁ କ'ଣ କରିବି? ମୁଁ କିନ୍ତୁ ଘରକୁ ଆଉ ଫେରି ପାରିବି ନାହିଁ। ମୋର ବୈରାଗ୍ୟ ଆସି ଗଲାଣି, ଯଦି ଅନୁମତି ଦିଅନ୍ତେ ମୁଁ ଆପଣଙ୍କ ପାଖେ ରହିଯାଆନ୍ତି।ବୈରାଗ୍ୟ ଆସିଲେ ବ୍ୟକ୍ତି କାହାର ଅନୁମତି ଲୋଡେ ନାହିଁ। ବ୍ୟସନରେ ଥାଇ ମଧ୍ଯ ସେ ବୀତକାମ ଥାଏ। ସୁରଜିତ ଏଥର ମହାରାଜଙ୍କ ଗୋଡତଳେ ପଡି ଯାଇ କହିଲେ, ମୁଁ କିନ୍ତୁ କିଛି ବୁଝି ପାରୁନି, କଣ କରିବି। ମୋତେ ଆପଣ ବଞ୍ଚେଇଛନ୍ତି, ଆପଣ କିଛି ମାର୍ଗ ଦେଖାନ୍ତୁ।

ମାର୍ଗ ନିଜକୁ ଦେଖିବାକୁ ପଡେ। କହା ଦ୍ବାରା ପ୍ରଲୁବ୍ଧ ହେଇ ମାର୍ଗ ବାଛିବା ଠିକ ନୁହେଁ। ତମ ଭିତରର ଇଚ୍ଛା ଶକ୍ତି ତମକୁ ମାର୍ଗ ଦେଖାଇବ। ସୁନାନୀ ସହିତ ତମର ସାକ୍ଷାତ ଯେମିତି ପ୍ରଭୁଙ୍କ ଇଚ୍ଛାରେ ଏକ ସଂଯୋଗ ଥିଲା, ମୋ ସହିତ ସାକ୍ଷାତ ସେମିତି ମାତ୍ର ଏକ ସଂଯୋଗ। ତମେ କଣ କରିବ ତମେ ଚିନ୍ତା କର, କହି ଜୀବାନନ୍ଦ କହିଲେ - ଏଥର ମୁଁ ଆସୁଛି।ମୁହୂର୍ତ୍ତେ ମଧ୍ଯ ଅପେକ୍ଷା ନକରି ଜୀବାନନ୍ଦ ଆଶ୍ରମ ଆଡେ ଚାଲିବାକୁ ଲାଗିଲେ।ସୁରଜିତ ତାଙ୍କ ପଛେ ପଛେ ଅନୁଧାବନ କଲେ। 





Rate this content
Log in

Similar oriya story from Inspirational