Prasanta kumar Hota

Children Stories

3  

Prasanta kumar Hota

Children Stories

ଆତ୍ମବିଶ୍ବାସ

ଆତ୍ମବିଶ୍ବାସ

3 mins
201


ରଲିର ପରୀକ୍ଷା ସରିବା ପରେ ପରେ ସେ ତାର ଆସିଥିବା ନୂଆ କ୍ରିକେଟ ବ୍ୟାଟ ଧରି ସାଙ୍ଗ ମାନଙ୍କ ସହ ଖେଳିବାକୁ ଲାଗିଲା।ରଲିର ଖେଳ ପ୍ରତି ଏତେ ଆଗ୍ରହ ହଠାତ ବଢି ଯିବାର ଦେଖି ଆଶ୍ଚର୍ଯ୍ୟ ହେଲେ ମଧ୍ୟ କେହି କିଛି କହିଲେ ନାହିଁ। ରଖି ପାଠ ଭଲ ପଢେ। ତେଣୁ ପରୀକ୍ଷା ପରେ ମନରେ ଫୁର୍ତ୍ତି ଆଣିବାକୁ ଖେଳ ପ୍ରତି ଟିକିଏ ଅଧିକ ଆଗ୍ରହ ଆସି ଯାଇଛି ବୋଲି ସମସ୍ତେ ଭାବିଲେ। କିଛି ଦିନ ଯିବା ପରେ ପରୀକ୍ଷା ଫଳ ବାହାରିଲା ସବଥର ପରି ରଲି ଏଥର ଭଲ କରି ନଥିଲା। ଖରାପ ଫଳକୁ ଦେଖି ବାପା ମାଆ ମନ ଖରାପ କଲେ। ରଲି ଅତ୍ୟଧିକ ଦୁଃଖୀ ହେଇ ରହିବାରୁ ବାପା ସ୍କୁଲ ଯାଇ ଖାତା ପୁଣି ଥରେ ମୂଲ୍ୟାୟନ କରିବାକୁ ପରାମର୍ଶ ଦେଲେ। ମାଆ ରାଜି ନ ହୋଇ କହିଲେ - ଏଇଟା ସ୍କୁଲ୍ କଥା ସେମାନେ ତ ଖାତା ମାଗିଲେ ସାଙ୍ଗେ ସାଙ୍ଗେ ଦେଇ ଦେବେ କିନ୍ତୁ ନମ୍ବର ଯଦି ନବଢେ ଆମକୁ ବେଶି ଖରାପ ଲାଗିବ।  ରଲି ଆଉ ଖେଳିବାକୁ ନ ଯାଇ ଘରେ ବସି ରହିଲା। ବେଶି କଥାବାର୍ତ୍ତା କାହା ସହିତ କଲା ନାହିଁ, କିଏ ପଚାରିଲେ ବହି ଧରି ପଢିବାକୁ ବସିଯାଏ। ସମସ୍ତେ ମଧ୍ୟ ରଲିର ଆଗ୍ରହ ଦେଖି ଚୁପ୍ ରହିଲେ।  ଦିନେ ଘରେ ବାପା ମାଆ ନଥିଲା ବେଳେ ରଲି ଜେଜେଙ୍କ ପାଖକୁ ଯାଇ ପଚାରିଲା, ମୋର ସିନା ପରୀକ୍ଷାରେ କମ ନମ୍ବର ରହିଛି ବୋଲି ମୁଁ ମନ ଖରାପ କରି ବସିଛି, ତମର କଣ ହେଇଛି ଯେ ତମେ ସେଇ ଦିନରୁ ମନ ଖରାପ କରି ବସିଛ। ମୋ ସହିତ ଆଗପରି କଥା ହେଉନ। ମୋତେ ବୁଝାଇବା ପାଇଁ ପାଖକୁ ଟିକେ ଆସୁନ। ଏମିତି ତ ତମେ ନୁହଁ, ତମର କଣ ହେଇଛି କି?  ମୋର କାହିଁକି କଣ ହେବ! ଜେଜେ ହସିଦେଇ କହିଲେ।  ଆଉ ତାହାଲେ ପାଖକୁ ଆସି ଟିକିଏ ସାନ୍ତ୍ବନା ଦେଇଥିଲେ ହେଇ ନଥାନ୍ତା। ତମେ ସାନ୍ତ୍ବନା ଦେଇଥିଲେ ମୁଁ ବାପାଙ୍କ କଥାରେ ରାଜି ହେଇ ଖାତା ନିଶ୍ଚୟ ମଗେଇ ଦେଖିଥାନ୍ତି। ମୋର ଆହୁରି ଅଧିକ ନମ୍ବର ରହିଥାନ୍ତା। ବାପାଙ୍କୁ ଡରି ସିନା ମୁଁ କହିଲିନି, ନଚେତ ନମ୍ବର ମିଶାଇଲା ବେଳେ କୋଉଠି ଭୁଲ କରିଥିବେ ନହେଲେ ମୋତେ ଠିକରେ ନମ୍ବର ଦେଇ ନାହାନ୍ତି। 

ଜେଜେ କହିଲେ, ଭଲ ହେଲା ତୁ ତୋର ମନକଥା କହିଦେଲୁ, ମୁଁ ଯାଇ ତୋର ଖାତା ଦେଖି ଦେଇ ଆସିବି। 

- ନାଇ ଜେଜେ ଥାଉ, ବାପା ଜାଣିଲେ ଆହୁରି ରାଗିବେ। 

- ବାପାଙ୍କ ରାଗ ଅପେକ୍ଷା ଶିକ୍ଷକ ମାନଙ୍କୁ ଅନିଶ୍ଚିତ ହୋଇ ଆରୋପ କରିବା କଣ ଠିକ୍। 

- ମୋର କଣ ଏତେ କମ ନମ୍ବର ରହିବ ବୋଲି ତମର ବିଶ୍ୱାସ ହେଉଛି। 

- ନା ବିଶ୍ୱାସ ତ ହେଉନି। କିନ୍ତୁ ମୁଁ ଜାଣି ପାରୁନି ଯେ ତୋର ନିଜ ପ୍ରତି ଥିବା ବିଶ୍ୱାସ କାହିଁକି କମି ଯାଉଛି। ମୁଁ ତୋତେ ନୁଆ କ୍ରିକେଟ ବ୍ୟାଟ ଦେଇ କିଛି ଭୁଲ କରିନି ତ! ବ୍ୟାଟ୍ ଆସିଲା ପରଠାରୁ ତୁ ଖେଳିବାକୁ ନ ଗଲେ ବି ପାଠରେ ତୋର ଧ୍ୟାନ କମି ଯାଇଥିଲା। ମଣିଷର ଧ୍ୟାନ ଅନ୍ଯ ଆଡକୁ ଢଳିଗଲେ ସେ ପାଠରେ କେନ୍ଦ୍ରିଭୁତ କରିପାରେ ନାହିଁ। 

- ନା, ଜେଜେ ମୁଁ ପଢୁଥିଲି, ଧ୍ୟାନ କାହିଁକି କମିବ। ମୋର ଭଲ ନମ୍ବର ଥିବ। 

- ଯାହାର ନିଜ ପାଠ ଉପରେ ଏତେ ବିଶ୍ୱାସ ଥାଏ ସେ ଖାତା ଦେଖିବାକୁ କାହିଁକି ଡରିବ! 

ବହୁତ ଦିନ ତଳେ ଜଣେ ଗଣିତ ଶିକ୍ଷକ ନିଜ ଶ୍ରେଣୀ ଗୃହକୁ ଆସି ମନ ଦୁଃଖରେ କହିଲେ - ଏଥର ତମ ମାନଙ୍କ ଭିତରୁ କେହି ଜଣେ ମଧ୍ୟ ଅଶି ଟପି ପାରିନାହାନ୍ତି। ଏହା ତମକୁ ଦୁଃଖ ଲାଗିବ କି ନାହିଁ ଜାଣିନି, ମୋତେ କିନ୍ତୁ ଲଜ୍ଜା ଲାଗୁଛି। ମୋର ପାଠ ପଢାଇବାକୁ ଧିକ୍। ଯଦି ତମେ ମାନେ ଗଣିତ ଠିକରେ ବୁଝି ପାରୁନ ମୋତେ ବାରମ୍ବାର ପଚାରିବାରେ ଅସୁବିଧା କୋଉଠି। ମୁଁ କଣ କେବେ କାହାକୁ ମନା କରିଛି। ମୁଁ ଚାହେଁ ମୋ ପିଲା ଭଲ ପାଠ ପଢନ୍ତୁ। ଛାଡ ମୋ ଭାଗ୍ୟ! ମୋ ନିଜର ଭୁଲ୍, ମୋର ବୋଧହୁଏ ପାଠ ପଢାଇବାରେ କୋଉଠି ତ୍ରୁଟି ରହି ଯାଉଛି। ଏତିକି କହି ଶିକ୍ଷକ ଶ୍ରେଣୀ ଗୃହରୁ ବାହାରି ଯିବାକୁ ଉଦ୍ୟତ ହେଉଥିଲେ, ଗୋଟେ ପିଲା ଉଠିଯାଇ କହିଲା, ସାର୍, ମୁଁ ମୋ ଗଣିତ ଖାତାକୁ ଦେଖିପାରେ କି! 

ଅଶି ନମ୍ବର ତ ଦୂରର କଥା, ମୋର ଶହେ ନମ୍ବର ରୁ ଏକ ନମ୍ବର ମଧ୍ୟ କଟିବା କଥା ନୁହେଁ।  ଶିକ୍ଷକ କବାଟ ପାଖରୁ ଦୌଡି ଆସି ପିଲାଟିକୁ କୁଣ୍ଢାଇ ପକାଇ କହିଲେ, ଏଇ ଦୃଢ ବିଶ୍ୱାସ ମୁଁ ତମ ମାନଙ୍କ ଭିତରେ ଖୋଜୁଥିଲି। ତମେ ଯାହା କରିଛ ତମର ସେଥିରେ ଦୃଢ ବିଶ୍ବାସ ରହିବା ଦରକାର, ତାହାଲେ ଆତ୍ମବିଶ୍ବାସ ବଢିବ। ଆତ୍ମବିଶ୍ବାସ ନଥିଲେ ଦୃଢତା ଆସିବ ନାହିଁ।ସମସ୍ତେ ଭଲ କରିଛ, କିନ୍ତୁ ନିଜ କାର୍ଯ୍ୟରେ ଆତ୍ମ ବିଶ୍ୱାସ ନାହିଁ ବା କମି ଯାଉଛି ବୋଲି ତମେ ମାନେ ଚୁପ ରହିଲ, ମୋ କଥାର ପ୍ରତିରୋଧ କରି ପାରିଲ ନାହିଁ । 

ଜେଜେ ରଲିକୁ ଚାହିଁ ପଚାରିଲେ, ଏଇ ପିଲାଟି କିଏ ତୁ ଜାଣିଛୁ - ସେ ଆମ ସ୍ମରଣୀୟ ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ଜଣେ ମହାନ ଅତ୍ମା। ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ ଦୃଢତା ତାଙ୍କୁ କେବେ ଦ୍ଵନ୍ଦ୍ଵ ରେ ପକାଇ ଦେଇ ନାହିଁ କି କାହାର ଅଯଥା ଆରୋପ ତାଙ୍କୁ ନୀରବ କରିଦେଇ ପାରିନାହିଁ । ତେଣୁ ଆମେ ଯାହା କରିଛେ ସେଥିରେ ଦୃଢ ନିଶ୍ଚିତ ଥିଲେ ଆମ ଆତ୍ମବିଶ୍ୱାସକୁ କେହି ଉଣା କରି ପାରିବେ ନାହିଁ ।


Rate this content
Log in