Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆତ୍ମାରାମ ଅଭିରାମ

ଆତ୍ମାରାମ ଅଭିରାମ

5 mins
1.2K



ରାମଚରିତ ମାନସରେ ଗୋସ୍ୱାମୀ ତୁଳସୀ ଦାସ କହିଛନ୍ତି :-

      ଜବ ଜବ ହୋଇ ଧରମ କି ହାନି l

      ବଢ଼ହିଁ ଅସୁର ଅଧମ ଅଭିମାନୀ ll

      ତବ ତବ ପ୍ରଭୁ ଧରି ବିବିଧ ଶରୀରା l

          ହରହିଁ କୃପାନିଧି ସଜ୍ଜନ ପିରା ll

ଶ୍ରୀମଦ୍ଭଗବତ ଗୀତାରେ ଭଗବାନ ମଧ୍ୟ ସେଇଆ କହିଛନ୍ତି,

"ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ, ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍, ପରିତ୍ରାଣାୟ ସାଧୁନାମ୍,ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ”l ଏସବୁ ଅମର ବାଣୀ ଗୁଡ଼ିକ ଅନୁସାରେ,ମନୁଷ୍ୟ ସମାଜରେ ଯେତେବେଳେ ନୈତିକ ଅଧୋପତନ ଘଟେ, ଅନୀତି, ଅନାଚାର, ଅତ୍ୟାଚାର ଓ ଅନ୍ଧ ବିଶ୍ୱାସ ତାହାର କାୟାମେଲାଇ ସମଗ୍ର ସଂସାରକୁ କବଳିତ କରେ, ସେତିକିବେଳେ ସମାଜରେ ସତ ସାହସ,ଆତ୍ମବିଶ୍ଵାସ,ସତଚିନ୍ତା,ସଦାଚାର ଆଦିର ପୁନଃ ଜାଗ୍ରତ କରିବା ପାଇଁ ଐଶ୍ୱରିକ ଶକ୍ତି ଧରି ମହାପୁରୁଷ ମାନେ ଆବିର୍ଭୁତ ହୁଅନ୍ତି l ସେମାନଙ୍କ ଉଚ୍ଚାରଣ ଏବଂ ଆଚରଣ ସମାଜକୁ ଢାଙ୍କି ଥିବା କଳା ବାଦଲକୁ ଦୁରେଇ ଅପୂର୍ବ ଆଭାରେ ମଣ୍ଡିତ କରେ l

ଏହି କ୍ରମରେ ଜଣେ ମହାପୁରୁଷ ହେଉଛନ୍ତି ଆମ ଓଡିଶା ମାଟିରେ ଜନ୍ମିତ ଶ୍ରୀଶ୍ରୀ ଠାକୁର ଅଭିରାମ ପରମହଂସ lବିଂଶଶତାବ୍ଦୀର ପ୍ରାରମ୍ଭରେ ଯେତେ ବେଳେ ବ୍ରିଟିଶ ଶାସନର ଅତ୍ୟାଚାରରେ ସମଗ୍ର ଓଡ଼ିଶାର ଗାଁ ଗହଳିରେ କୋକୁଆ ଭୟ ଲାଗିରହି ଥିଲା,ମନଖୋଲି ପଦେ କଥା କହିବାକୁ କାହାରି ପାଖରେ ରାହା ନ ଥିଲା, ଠିକ ସେହି ସମୟରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିକଟବର୍ତ୍ତୀ ଏକ ନିପଟ ପଲ୍ଲୀ ଗ୍ରାମ କରମଳାଠାରେ ଭୂମିଷ୍ଠ ହୋଇଥିଲେ ପରମଯୋଗୀ, ସିଦ୍ଧ ସନ୍ଥ ଠାକୁର ଶ୍ରୀ ଅଭିରାମ ପରମହଂସ l ସେ ଏକାଧାରରେ ଥିଲେ ଆଧ୍ୟାତ୍ମିକ ଗୁରୁ,ସୁପଣ୍ଡିତ,ସୁକବି,ଦାର୍ଶନିକ ଓ ସଙ୍ଗୀତଜ୍ଞ l      ସେ ଦିନ ଥିଲା ତ୍ରିବେଣୀ ଅମାବାସ୍ୟା 1904 ର ଜାନୁଆରୀ 18 ତାରିଖ l ପିତା ଥିଲେ ଜ୍ୟୋତିଷ ଶାସ୍ତ୍ରବିତ ଶ୍ରୀ ସତ୍ୟବାଦୀ ପଟ୍ଟନାୟକ ଓ ମାଆ ରାଧାଦେବୀ l ତାଙ୍କ ଜନ୍ମହେବା ପୂର୍ବଦିନ ରାଧା ଦେବୀ ସ୍ୱପ୍ନରେ ଦେଖି ଥିଲେ ଏକ ଅପୂର୍ବ ଦିବ୍ୟ ଲାବଣ୍ୟମୟ ଶିଶୁ ରୂପକୁ l ତାର କଣ୍ଠରେ ଥିଲା ବୈଜୟନ୍ତୀ ମାଳା, ଶିରରେ ଶିଖିପୂଛ,କଟିତଟେ ପିତାମ୍ବର l ପରଦିନ ଭୂମିଷ୍ଠ ହୋଇଥିଲେ ସେହି ଅପୂର୍ବ ଶିଶୁ ଆତ୍ମାରାମ ଅଭିରାମ ରୂପରେ l ପିତା ସତ୍ୟବାଦୀ କୋଷ୍ଠୀ ଗଣନା କରି ଜଣାଇ ଦେଲେ ଏ ସନ୍ତାନଟି ଦିନେ ମହାପୁରୁଷ ଭାବେ ପରିଚିତ ହେବ l ପିଲାଟି ଜନ୍ମ ସମୟରେ ଯୋଗକୁ ତାଙ୍କ ଘରେ ଅତିଥିରୂପେ ପହଞ୍ଚିଲେ ଜଣେ ସନ୍ୟାସୀ l ସନ୍ୟାସୀଙ୍କ କହିବା ଅନୁସାରେ ପିଲାଟିର ନାମ ରଖା ଯାଇଥିଲା ଅଭିରାମ l

ସତ୍ୟବାଦୀଙ୍କ ଅନୁଜ ଅର୍ଜୁନ ପଟ୍ଟନାୟକ, ତାଙ୍କ ପତ୍ନୀ ସୁବ୍ରତାଦେବୀ ନିସନ୍ତାନ ଥିବାରୁ ସେମାନେ ନବଜାତ ଶିଶୁ ଅଭିରାମଙ୍କୁ କୋଳେଇ ନେଲେ l ନାମରଖିଲେ ବିନୋଦ,ଡାକନାମ ତାର ଵିନୋରିl ଶିଶୁ ବିନୋଦ ନନ୍ଦଯଶୋଦାଙ୍କ କୋଳରେ କୃଷ୍ଣଙ୍କ ଭଳି ବଢ଼ିବାକୁ ଲାଗିଲେ l କ୍ରମେ ଗ୍ରାମଚାଟଶାଳୀ ପାଠ ପଢ଼ାସାରି ଵିନୋରି କିଛିଦିନ ଯାଇ ରହିଲେ ଗଞ୍ଜାମରେ ନିଜର ବଡ଼ ଭାଇଙ୍କ ପାଖରେ l ସେ ଗତାନୁଗତିକ ଶିକ୍ଷା ଧାରାରେ ବିଦ୍ୟାସାଧନ ତଥା ଅଧ୍ୟୟନ ନକରି ରାମାୟଣ, ମହାଭାରତ, ଗୀତା, ଭାଗବତ ଇତ୍ୟାଦି ଗ୍ରନ୍ଥ ପଢ଼ିବାକୁ ଅଧିକ ପସନ୍ଦ କରୁଥିଲେ l ଏହି ସମୟରେ ସେ ଭଜନ,କୀର୍ତ୍ତନ ଓ ସଙ୍ଗୀତ ପ୍ରତି ବିଶେଷ ଭାବେ ଆକୃଷ୍ଠ ହୋଇ ପଡ଼ିଲେ l ଆସନ,ପ୍ରାଣାୟାମ ଓ ଅଧ୍ୟାତ୍ମ ବିଦ୍ୟା ସାଧନାରେ ଲାଗି ପଡ଼ିଲେ l ତାଙ୍କର କବାଟବନ୍ଦ କରି ଘରଭିତରେ ଏକା ବସିକି ସାଧନା କରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା l ଅଧିକାଂଶ ସମୟ ସେ ଘରଛାଡ଼ି ବାହାରକୁ ଚାଲି ଯାଉଥିଲେ ଏବଂ କିଛିଦିନ ପରେ ପୁଣି ଫେରି ଆସୁ ଥିଲେ l ଦିନେ ସେ ଘର ଛାଡ଼ି ବ୍ରହ୍ମଗିରି ନିକଟସ୍ଥ ଖାଣ୍ଡବ ବନକୁ ଚାଲି ଗଲେ l ଗୋଟିଏ ବିଚିତ୍ର ଆମ୍ବ ଗଛ ମୂଳେ ବସି ଧ୍ୟାନସ୍ଥ ରହିଲେ l ଦିନରାତି ଏକାକାର କରି କଠୋର ସାଧନରେ ସେ ଏକାତ୍ମହୋଇ ରହିଲେ l କେତେବେଳେ କେମିତି ଧ୍ୟାନ ଭାଙ୍ଗିଗଲେ ଉଠନ୍ତି ଓ ପାଖ କଣ୍ଟା ବୁଦା ମାନଙ୍କରେ ଫଳିଥିବା ବଇଞ୍ଚକୋଳି,କଣ୍ଟେଇକୋଳି ଆଦି ଖାଇ କ୍ଷୁଧା ନିବାରଣ କରନ୍ତି l

ଏହି କୂଛ୍ର ସାଧନରେ ନିମଗ୍ନ ରହି ଦିନେ ସେ ମା' ବନ ଦୁର୍ଗାଙ୍କ ଦର୍ଶନ ଲାଭ କଲେ l ମାଆ ତାଙ୍କୁ ସମସ୍ତ ଆଧ୍ୟାତ୍ମିକ ତତ୍ତ୍ୱମାନ ବୁଝେଇଦେଇ ତାଙ୍କ ଚଞ୍ଚଳ ମନକୁ ସ୍ଥିର କରି ଦେଲେ l ଶତ ଶହସ୍ର ଗ୍ରନ୍ଥ ପାଠ କଲେ ଯାହା ସମ୍ଭବ ହୋଇ ନ ଥାନ୍ତା ତାହା,ମାଆଙ୍କ କରୁଣାକଟାକ୍ଷ ପାତରୁ ଵିନୋରିଙ୍କୁ ଅନାୟାସରେ ପ୍ରାପ୍ତ ହୋଇ ଗଲା l ତାପରେ ସେ ଚାଲିଲେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥ ପୀଠକୁ l ଅଲାରନାଥଙ୍କ ଆଗରେ କିଛିଦିନ ଯୋଗନିଦ୍ରାରେ ଶୟନ କରି ସେ ସାଧନାରେ ସିଦ୍ଧି ଲାଭ କଲେ l ସିଦ୍ଧିଲାଭ ପରେ ବାହାରିଲେ କିଛିଦିନ ପର୍ଯ୍ୟଟନ କରିବା ପାଇଁ l ଗଞ୍ଜାମର ଅରଣ୍ୟ ପାହାଡ଼ ଘେରା ମୁଲକରେ ବୁଲା ବୁଲି କରି ସେ ଚାଲିଲେ ପଶ୍ଚିମ ବଙ୍ଗ ସଂକରାଇଲକୁ lସେହିଠାରେ ତାଙ୍କର ଦିବ୍ୟ ଜ୍ଞାନର ପରିପ୍ରକାଶ ହେଲା l ଜଣେ ଶିଷ୍ୟକୁ ଧରି ସେ କରମଳା ଫେରି ଆସିଲେ l ଗାଁର ଶେଷମୁଣ୍ଡ ଠାରେ ଥିବା ମଶାଣି ନିକଟରେ କୁଟୀର ଗୋଟିଏ ନିର୍ମାଣ କଲେ ଓ ସେହି ଠାରେ ଅବସ୍ଥାନ କଲେ l 1927 ରୁ 1939 ମସିହା ପର୍ଯ୍ୟନ୍ତ ସେ ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ସ୍ଥାନ ଭ୍ରମଣକରି ଲୋକଙ୍କ ସମସ୍ୟା ଅନୁଧ୍ୟାନକରିବାକୁ ଲାଗିଲେ l ଇଚ୍ଛାପୁର ଠାରେ ରହି ସେ କଳି ଭାଗବତ ରଚନା କଲେ l ଏହାର ଅର୍ଥକୁ କଦର୍ଥ କରି ସେତେବେଳେ ବ୍ରିଟିଶ ସରକାର ତାଙ୍କୁ ବନ୍ଦୀ କରି ରାଜମହେନ୍ଦ୍ରୀ ଜେଲ ମଧ୍ୟରେ କାରାରୁଦ୍ଧ କଲେ l ସେ କିନ୍ତୁ ସୁଖ,ଦୁଃଖ, ନିନ୍ଦା, ସ୍ତୁତିରେ ଅବିଚଳିତ ରହି ଥିଲେ l ଜେଲରୁ ଫେରି ମାଆଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କରମଳାରେ ଶାନ୍ତି ଆନନ୍ଦ ଆଶ୍ରମ ପ୍ରତିଷ୍ଠା କରି ସେହିଠାରେ ସେ ବସି ଗଲେ l ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଲା କରମଳାକୁ l ସେ ଜାତି,ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଶ୍ରଦ୍ଧା କରୁଥିଲେ l ତାଙ୍କ ମତ ଅନୁସାରେ ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ, ମାନବ ସେବାହିଁ ମାଧବ ସେବା l   

   ଆମକୁ ଏ ସଂସାରର ପାପ ତାପରୁ ମୁକୁଳାଇ ଗତି ମୁକ୍ତି ଦେବାପାଇଁ ଠାକୁର ଶ୍ରୀଅଭିରାମ ବହୁ ଗୁଡ଼ିଏ ପ୍ରାଣସ୍ପର୍ଶୀ କଥା କହିଛନ୍ତି ଯାହାକୁ ପଠନ ଏବଂ ମନନ କଲେ ମନ ଆମର ଉଶ୍ୱାସ ହୋଇ ମୁକ୍ତିର ବାଟଟିଏ ଦେଖା ଯାଏ l ଗର୍ବ ଅଭିମାନୀ ମଣିଷକୁ ସେ ଚେତାବନୀ ଦେଇ କହିଛନ୍ତି :-

    ମାଛି ଯଦି ହେବୁ ବସିବୁ ମଳରେ l

    ଭୁଞ୍ଜୁଥିବୁ ନିତ୍ୟ ପୋଚରା ଫଳରେ l

    ଶେଷରେ ପୋଚରାଫଳ ହେବ ଲୋଡ଼ା l

    କାଳର ହସ୍ତରେ ପାଇବୁ ଜାଵଡ଼ା l


    ଦମ୍ଭ ଗର୍ବ ବଳ ସବୁ ଭାଙ୍ଗି ଯିବ l

    ଏ ବଡ଼ଲୋକିଆପଣ କି ରହିବ l

    ଯାବତ ଚନ୍ଦ୍ରାର୍କେ ଲଭିବୁ ଯନ୍ତ୍ରଣା l

    ଆଉ ଦେବାକୁ କେ ନଥିବ ମନ୍ତ୍ରଣା l


    ଏଣୁ ମୋର କଥା ମାନ ମନ ନୃପ l

    ସେ ପାଦ ପଦ୍ମରେ ହୁଅ ତୁ ମଧୁପ l

    ହେ ପଦ୍ମ ପଳାଶ ନୟନ ମୋ ନିଧି l

  ତୁମ୍ଭ ପାଦେ ଲାଗୁ ଯେତେ ମୋର ବୁଦ୍ଧି l


ବାଦହିଂସାରେ ପ୍ରବୃତ୍ତ କଳିହତ ମନୁଷ୍ୟ ହୃଦୟରୁ କଳୁଷପଙ୍କ ଦୂର କରିବାପାଇଁ ସେ ସତର୍କ କରାଇ କହିଛନ୍ତି :-

କଳି ଯହିଁ ରହେ କାଳିଆ ତହିଁ ରହନ୍ତି ନାହିଁ l

କହୁଛି ହିଂସାକୁ ହୃଦୟେ ସ୍ଥାନ ନଦିଅ କେହି l

ପୁଣି କଳିରେ ଶତଶତ ଚିତାଚଇତନ ଧାରୀ ତଥା କଥିତ ଭଣ୍ଡ ସାଧୁ ମାନଙ୍କୁ କଟାକ୍ଷ କରି ଅଭିରାମ କହିଛନ୍ତି :-

      କଳିର କି କହିବି ଗୁଣ,

         ଗୁରୁ ହୋଇବେ ପଣପଣ l

      ଶିଷ୍ୟ ତ ଗୋଟିଏ ନ ଥିବ l

         ସର୍ବେ ହୋଇବେ ଗୁରୁଦେବ l

ସେ ମଣିଷକୁ ହିଂସା ଦ୍ୱେଷ ରହିତ ହୋଇ ସଭିଙ୍କୁ ପ୍ରେମ କରିବା ପାଇଁ ଶିକ୍ଷା ଦେଇ କହିଛନ୍ତି :-

ନେତ୍ରକୁ ଅଞ୍ଜନ ମିଳିଲେ ଆଉ ନରହେ ଦୁଃଖ l

ଅଞ୍ଜନ ନେତ୍ରରେ ଲଗାଇ ଦେଖ ଶ୍ରୀପଦ୍ମମୁଖ l

ବେନି ନେତ୍ର ମଧ୍ୟେ ଭ୍ରୂଲତା ପରେ ଅଛି ଅଞ୍ଜନ l

ଅଞ୍ଜନ ଲଗାଇ ଦେଖ ହୋ ବିଜେ ଗର୍ବଗଞ୍ଜନ l


ଠାକୁରଥିଲେ ପ୍ରକୃତରେ ବୈଷ୍ଣବ l କଥାରେ ଅଛି ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁ ଗଲା l ବୈଷ୍ଣବର ଜାତି ପାତି କିଛି ନାହିଁ l ଗୃହୀ ହେଉ କିବା ବୈରାଗୀ ହେଉ ତାର କର୍ମ ହିଁ ସବୁ କିଛି l ନିଜ କର୍ମଦ୍ୱାରା ସମସ୍ତଙ୍କୁ ପ୍ରେମ କରିବାକୁ ସେ ଆହ୍ୱାନ ଦେଇଛନ୍ତି l ଭକ୍ତ ନର୍ସି ମେହେଟ୍ଟାଙ୍କ ଭଜନ "ବୈଷ୍ଣବ ଜନ ତୋ ତେନେ କହିଏ,ଯୋ ପର ପିରାଇ ଜାନେ ରେ" ଭାବରେ ସେ ଉଦବୁଦ୍ଧ ହୋଇ କହିଛନ୍ତି, "ଶ୍ରୀଗୁରୁ କୃଷ୍ଣ ବୈଷ୍ଣବ,ନକର ଭିନ୍ନ ଭିନ୍ନ ଭାବ l"

ହଂସ କ୍ଷୀରରୁ ନୀରକୁ ଅଲଗା କରି କ୍ଷୀର ପିଇ ଦିଏ l ଠିକ ସେହି ପରି, ଯିଏ କ୍ଷରକୁ ଅକ୍ଷର ଠୁଁ ଅଲଗା କରିଦେଇପାରେ,ଆବିଳତା ବର୍ଜନ କରି ଅନାବିଳତାକୁ ଗ୍ରହଣକରେ,ଆସକ୍ତିରୁ ମୁକ୍ତହୋଇ ଅନାସକ୍ତିକୁ ଉଠିଥାଏ,ତାଙ୍କୁ ସାଧାରଣ ଭାଷାରେ କୁହାଯାଏ ପରମ ହଂସ l ସଂସାର ମଧ୍ୟରେ ରହି ସେ ଲୀଳାଖେଳା କରୁଥିଲେ ମଧ୍ୟ ସଂସାର ମାୟା ତାକୁ ସ୍ପର୍ଶ କରି ନ ଥାଏ l ଏହି ଧାରାରେ ଠାକୁର ଅଭିରାମ ଥିଲେ ପରମ ପୁରୁଷ,ପରମହଂସ l

ଏହି ମହାପୁରୁଷ ଠାକୁର ଅଭିରାମ ପରମହଂସ 1963 ମସିହା,ନଭେମ୍ବର 27 ତାରିଖ କାର୍ତ୍ତିକ ଶୁକ୍ଳ ଏକାଦଶୀର ପବିତ୍ର ତିଥିରେ ମହା ସମାଧି ପ୍ରାପ୍ତ ହୋଇଥିଲେ l ତାଙ୍କର ଅମର ବାଣୀ ଆଜି ଲୋକ ହୃଦୟରେ ଗୁଞ୍ଜରିତ l ଲୋକଙ୍କୁ ଅନାସକ୍ତ ଭାବେ କର୍ମ କରି ବିଭୁଙ୍କ ପ୍ରେମରେ ପ୍ରେମୀ ହେବା ପାଇଁ ଠାକୁର ବାର୍ତ୍ତା ଦେଇଯାଇଛନ୍ତି ତାଙ୍କ ଦ୍ୱାରା ରଚିତ ଗୋଟିଏ ସୁନ୍ଦର,ସରଳ ଓ ଭାବପୂର୍ଣ୍ଣ ବିଭୁ ଭଜନରେ l   

ଶ୍ୟାମପ୍ରେମ ବଡ଼ ମିଠାରେ ସଙ୍ଗାତ

ଶ୍ୟାମପ୍ରେମ ବଡ଼ମିଠା l

ଚାଖିବାକୁ ଥିଲେ ଜ୍ଞାନ ଖଡ୍ଗ ଧରି

କାଟ ବସି ଲଟା କଣ୍ଟା l


ଯେ ଚାଖି ଜାଣିବ ସେମାତ୍ର ଜାଣଇ

ନାସ୍ତିକକୁ ଅଟେ ଖଟା l

ଏ ମାୟା ସଂସାର ନୁହଁଇ ଏ ଚିର

ସବୁ କର୍ମ ହଟ ହଟା l


ଗୋପୀମାନେ ସିନା ଜାଣିଥିଲେ

ସେହି ପ୍ରେମ ବିକାରର ଛଟା l

ତେଣୁ ସେ ବେଣୁଧରଙ୍କୁ ବାନ୍ଧିଥିଲେ

ନଥିଲା ସେ ମନ ମୋଟା l


କହେ ଅଭିରାମ ସମର୍ପଣ କର

ତୋର ଅଧିକାର ଗୋଟା l

ଅନାସକ୍ତ ଭାବେ କର୍ମ ବସିକର

ତୋଷହେବେ ନନ୍ଦ ବେଟା l



Rate this content
Log in

Similar oriya story from Inspirational