Soumya Shubhadarshinee

Romance Thriller

3  

Soumya Shubhadarshinee

Romance Thriller

ଆନିଆର ଗୋଟେ ରାତି

ଆନିଆର ଗୋଟେ ରାତି

6 mins
473



 ଏମିତି କେବେ ସ୍ୱପ୍ନରେ ପୁଣି କେବେ ବାସ୍ତବରେ ଆନିଆ ମାନେ ଆସନ୍ତି ଜୀବନରେ ବୁଝେଇ ଦେଇ ଯିବାକୁ ଗୋଟେ ଇପ୍ସିତ ରାତିର ମୂଲ୍ୟ ।


★★★★★★


 ଅନ୍ୱେଷ ଅଗ୍ରୱାଲ , ମୋ ର ପ୍ରଥମ କ୍ରସ୍ ; ଯେବେ ମୋର ବୟସ ଜମା ତେର ବର୍ଷ ।


ପାପା ପଲଲହଡାରେ କନିଷ୍ଠ ଯନ୍ତ୍ରୀ ଭାବେ ଅବସ୍ଥାପିତ ହେବା ପରେ ସେଇଠି ମୋର ପରିଚୟ , ଏକଦମ ଲହୁଣୀ ଭଳିଆ ନରମ ଦେହ ଥିବା ପିଲାଟି ସହ । ସବୁ ସନ୍ଧ୍ୟାରେ ଆସେ ଆମ ଘରକୁ , ମୋ ଦେଠେଇ ମା' ଙ୍କ ଠାରୁ ଗୀତ ଶିଖିବାକୁ । ଆମର ଟିକେ ବିଚିତ୍ର ଘର । ପାପା ଆଉ ଦେଠେଇ ମା' ଙ୍କୁ ନେଇ । ମମି ମୋର ମୋତେ ମୋଟେ ଛ ବର୍ଷ ହୋଇଥିଲା ବେଳେ ଚାଲିଯାଇଥିଲା ଗୋଟେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ । ମମିର ଦେହ ମାଂସ ପିଣ୍ଡୁଳା ହେଇଯାଇଥିଲା ସେ ଷୋହଳ ଚକିଆ ଟ୍ରକ ତଳେ ପେଷି ହେଇ। ମୁଁ ଥିଲି ଦେଠେଇ ମା' ଙ୍କ ପାଖରେ । ମମି ଯାଇଥିଲା ମନ୍ଦିର , ହୁଏତ ଦୁର୍ଭାଗ୍ୟର ଡାକରାରେ ।


 ବଡ଼ ବାପା ନିଜ ବାହାଘର ପରେ ସଂସାର ଛାଡି ଦେଇଥିଲେ କୁଆଡେ । ସନ୍ୟାସୀ ହେବାର ଝୁଙ୍କ ଥିଲା ତାଙ୍କ ଭିତରେ ବେଶ ପିଲାବେଳୁ । ଜେଜୀ ଜବରଦସ୍ତି କରି ହାତ ଛନ୍ଦି ଦେଲେ ଆଉ ବାପା ଘର ଛାଡି ଦେଲେ । ଏସବୁ ଜଣା ନଥିଲା ମୋ ସୁବର୍ଣ୍ଣ ପ୍ରତିମା ଦେଠେଇ ମା' ଙ୍କୁ । ସେ ଯେ ଆମ ଘରର କୂଳବଧୂ । କୁଆଡେ ଯାଇଥାନ୍ତେ , ସମାଜ କି ଦୃଷ୍ଟିରେ ଦେଖିଥାନ୍ତା ??


 ତେଣୁ ମୋ ଘରେ ପାପା ଆଉ ଦେଠେଇ ମା' ଆଉ ମୁଁ , ଆନିଆ । 


 ଦେଠେଇ ମା ' ଚମତ୍କାର ସଙ୍ଗୀତଜ୍ଞା । ଯେଉଁଠି ପାପା ଙ୍କ ପୋଷ୍ଟିଂ ହୁଏ ସେଇଠି ଗୋଟେ ସଙ୍ଗୀତ ବିଦ୍ୟାଳୟ ଖୋଲି ନିଅନ୍ତି ସେ । ରୁହନ୍ତି ସେଇଠି ଆଉ ମୁଁ ରୁହେ ତାଙ୍କ ପାଖରେ । ପାପା ରୁହନ୍ତି ତାଙ୍କ ଅଫିସ କ୍ବାଟରରେ । ଆସନ୍ତି ରୋଜ ମୋ ପାଖକୁ ସାଥିରେ ଲଞ୍ଚ ଆଉ ଡିନର କରିବାକୁ । କିନ୍ତୁ ରୁହନ୍ତି ଅଲଗା । ମୁଁ ବୁଝେନା ଏଇ ଦୂରତାର ଆବଶ୍ୟକତା । କିନ୍ତୁ ଏମିତି ହିଁ ମୋ ଘର ଦୁଇଟି ସମାନ୍ତରାଳ ସରଳରେଖା ଭିତରେ ।


 ଓଃ ! କୁଆଡେ ଚାଲିଗଲି , ମୋ ପ୍ରଥମ କ୍ରସ୍ ଠୁ ଦୂରକୁ । 


-----------


 ଅନ୍ୱେଷ , ପଲଲହଡା ର ସବୁଠୁ ବଡ଼ ବିଜିନେସ ମ୍ୟାନ୍ ପରିବାରର ଏକମାତ୍ର କୂଳନନ୍ଦନ । ଆସନ୍ତି ସୁଦୃଶ୍ୟ ଫିଆଟ କାର ରେ । ଡ୍ରାଇଭର ବେଶ ତତ୍ପର ହେଇ ଡୋର ଖୋଲିଦିଏ ଛୁଆ ବାବୁ ଓହ୍ଲେଇବା ପୂର୍ବରୁ । ବଡ଼ ଆଦବ କାଇଦା । ସମ୍ଭ୍ରାନ୍ତ ଆଉ ଐଶ୍ୱର୍ଯ୍ୟମୟ । ଅନ୍ୱେଷ ପୁଣି ଦେଖିବାକୁ ଭାରି ଆକର୍ଷଣୀୟ , ଏକଦମ ଫିଲ୍ମି। ତାଙ୍କ ଡ୍ରେସ୍ , ବୁଟ , ରେବ୍ୟାଣ୍ଡ ଗ୍ଲାସେସ , ସବୁକିଛି ମୋର ଭାରି ପସନ୍ଦ । 


ତାଙ୍କ ପାଇଁ ମୁଁ ବିଚଳିତ ହେଉଥିବାର ଅନେକ ପ୍ରମାଣ । ଯେମିତି ସେଦିନ ମୁଁ ତାଙ୍କ ପାଖକୁ ବାରମ୍ବାର ଯାଉଥିଲି ବିନା କାରଣରେ । କେବଳ ଥରୁଟିଏ ତାଙ୍କ ଦୃଷ୍ଟିରେ ପଡିବାର ଲୋଭରେ । ଦେଠେଇ ଡାକିଲେ ଆଉ ପଚାରିଲେ , '' ଆନିଆ କିଛି କାମ ଅଛିକି ତୋର ?''

 ମୁଁ ଯେମିତି ହଡ଼ବଡ଼ ହେଲି । ହଁ ନାହିଁ ଭିତରେ ଝୁଲିଲି । ମୋତେ ଲାଗିଲା ଦେଠେଇ ବୁଝିଗଲେ ମୋର ଭିନ୍ନ ଉଦ୍ଦେଶ୍ୟ କଥା । ମୁଁ ଚୋରଣୀ ଭଳି ସେଠୁ ଅପସରି ଗଲି । ଅନ୍ୱେଷ ବୁଝିଲେ କି ମୋର ମନୋଦଶା ??....


 ସେମିତି ସରସ୍ୱତୀ ପୂଜା ଦିନ ମୁଁ ଜିଦ କଲି ଯିବି ଅନ୍ୱେଷଙ୍କ ସହ ତାଙ୍କ ଭୀଲ୍ଲା । ସେଠିକାର ପୂଜା ସାରା ସହର ପ୍ରସିଦ୍ଧ । ଦେଖିବି ଥରେ । ଦେଠେଇ ମନା କଲେନି କିନ୍ତୁ ମୋ ସହ ନିଜେ ଆସିଲେ । ମୁଁ ପୂରା ଦିନ ଗୁମସୁମ ରହିଲି । କିଛି ବି ଭଲ ଲାଗିଲା ନାହିଁ । ତାଙ୍କ ଭବ୍ୟ ଘର , ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର , ସ୍ୱାଦିଷ୍ଟ ଖାଦ୍ୟପେୟ କିଛି ବି ଭଲ ଲାଗିଲା ନାହିଁ ।

 ବୁଝିଲେ ଦେଠେଇ ହୁଏତ ଏସବୁର କାରଣ ବା ବୁଝିଲେ ନାହିଁ ?.....


 ମୋ ଭିତରେ ନୂଆ ନୂଆ ଉଡା ଶିଖୁଥିବା ଅବାଧ୍ୟ ପ୍ରଜାପତି । ମୋତେ ବେଶ ଉସୁକାଉଥିଲା ତାଙ୍କୁ ଦେଖିବାକୁ ଏମିତି ଲୁଚି ଲୁଚି , ପାଇବାକୁ ଟିକେ ଏକାନ୍ତରେ , ଅନୁଭବ କରିବାକୁ ଟିକେ ଅଧିକ ନିଜ ଭିତରେ । କିନ୍ତୁ କରିପାରୁନଥିଲି କାରଣ ଯେତେ ଅବାଧ୍ୟ ହେଲେ ମଧ୍ୟ ବୁଝୁଥିଲି ଏମିତି କରିବା ନୀତି ବିରୁଦ୍ଧ । 


 ସବୁକିଛି ସ୍ୱପ୍ନିଳ ଅନ୍ୱେଷଙ୍କ ସହ ମୋ ପାଇଁ । ଗୋଟେ ସ୍ୱପ୍ନ ଦେଖା ବୟସର ଯେଉଁ ସବୁ ଅତି ସାଧାରଣ କିନ୍ତୁ ବେଶ ଆପଣାର ଅନୁଭବ ସେସବୁର ଠିକଣା ଅନ୍ୱେଷ । 


 ସବୁ ବେଶ ଭଲ ଗୋଟିଏ କଥା ବ୍ୟତୀତ , ଆମ ବୟସର ତାରତମ୍ୟ । ମୁଁ ତେର ଆଉ ସେ ତେଇଶ । ଓଃ !........


 ଅଳଂଘ୍ୟ ଏଇ ବ୍ୟବଧାନ । ଜନ୍ମ ଟା କି ଆଉ ମୋ ଅଧିନ । କିନ୍ତୁ ପ୍ରେମରେ ଏସବୁ ପ୍ରତି କିଏ ଆଉ ଦୃଷ୍ଟି ଦିଏ ଭଲା ? 

ପ୍ରେମ ଆମକୁ ଅନ୍ଧତ୍ୱ ଉପହାର କରିବାରେ ସବୁଠୁ ସଫଳ । ହଁ ଦେଖି ହୁଏନା କିଛି ବି ଭଲ ମନ୍ଦ , ଆଗ ପଛ । ସବୁ ଲାଗେ କେବଳ ସ୍ୱର୍ଗୀୟ , ଏକାନ୍ତ ନିଜର ।

 ମୁଁ ଭୁଲି ଗଲି ଏଇ ବୟସର ପ୍ରସଙ୍ଗ । କିନ୍ତୁ ଦେଠେଇ ?....


  ସେ ଅନୁଭୂତି ସମ୍ପନ୍ନା , ମୋ ମନୋଭାବ ବୁଝନ୍ତି ବେଶ ଭଲଭାବେ । ପୁଟନ୍ତା ଫୁଲର ବାସ୍ନା ଯେତିକି ଭଅଁରକୁ ଆକର୍ଷିତ କରେ ସେତିକି ମାଳିକୁ ।


 ମୋତେ ପ୍ରଥମେ ସେ ପରୋକ୍ଷରେ ତାଗିଦ କଲେ । ମୁଁ ଯେବେ ଅବାଧ୍ୟ ହେଲି । ପ୍ରତ୍ୟକ୍ଷରେ ତାଗିଦ କଲେ । ସବୁବେଳେ ମୋତେ ଅନ୍ୱେଷ ଠାରୁ ନିରାପଦ ଦୂରତାରେ ସାଇତିବାର ପ୍ରୟାସ କଲେ । ଏମିତି କି ଅନ୍ୱେଷଙ୍କ ସଙ୍ଗୀତ ଶିକ୍ଷାକୁ ସ୍ଥଗିତ ରଖିବାର ଇଚ୍ଛା ମଧ୍ୟ ତିଆରିଲେ ମନରେ ।

କିନ୍ତୁ ଅନ୍ୱେଷ ସମ୍ପନ୍ନ , ବିତ୍ତଶାଳୀ ଆଉ ରାଜନୈତିକ ସମ୍ପର୍କ ଥିବା ପରିବାର ରୁ ଆସିଥିବା ହେତୁ ଏତକ ଦେଠେଇ କରିପାରିଲେ ନାହିଁ ।


 ତେଇଶ ବର୍ଷରେ ପିଲାଟିଏ କାହିଁକି ସଙ୍ଗୀତ ଶିଖିବାକୁ ଚାହେଁ କେଜାଣି ?? ମୋତେ ଲାଗେ ସେ ଆସନ୍ତି ମୋ ପାଇଁ । ଅବଶ୍ୟ ଏଇଟା ଗୋଟାଏ ଉଦ୍ଭଟ କଳ୍ପନା ମୋ ମନର । ମୁଁ ଜାଣିଛି କିନ୍ତୁ ଜାଣିଥିଲେ ମଧ୍ୟ ଅଜଣା ହୁଏ ଆଉ ଏଭଳି ଭାବନା ଟିଏ ସାଇତି ନିଏ । 


 ତେଣୁ ମୋତେ ଦେଠେଇଙ୍କର ଏଇ ସବୁ ତାଗିଦ ବେଶ ବିରକ୍ତ କରୁଥିଲା । ମୋତେ ଭଲ ଲାଗୁଥିଲେ ଅନ୍ୱେଷ । ମୋର ଗୋଟେ ତୀବ୍ର ଆକର୍ଷଣ ଥିଲା ତାଙ୍କ ପ୍ରତି । ମୁଁ ଭୟଙ୍କର ଭାବରେ ଦୁର୍ବଳ ହେଉଥିଲି ତାଙ୍କ ଅସ୍ତିତ୍ବ ଆଗରେ । ମାନୁଛି ମୁଁ ବୟସରେ ଖୁବ୍ ଛୋଟ କିନ୍ତୁ ମନ ର ପରିପକ୍ୱତା ଏକ ଭିନ୍ନ ପ୍ରସଙ୍ଗ , ଏତକ ବୁଝିବା ଉଚିତ ଦେଠେଇ ।


 ପ୍ରେମ କରିବା ଆଉ ଘର ସଂସାର କରିବା ଯେ ପରସ୍ପର ଆଦୌ ସମ୍ପର୍କିତ ନୁହେଁ ଜାଣିବା ଉଚିତ ଦେଠେଇ । ପାପା ବୁଝନ୍ତି ତେଣୁ କେବେ ପ୍ରତିରୋଧ କରନ୍ତି ନାହିଁ । ଅଧିକନ୍ତୁ ଆହୁରି ଦେଠେଇ କେବେ ଅଭିଯୋଗ କଲେ ପାପା ମୋ ପଟିଆ ହେଇଯାଆନ୍ତି । 


 ମୁଁ ଯେ ଅନ୍ୱେଷଙ୍କ ପ୍ରତି ଦୁର୍ବଳ ଏତକ ବୁଝନ୍ତି କେବଳ ଦେଠେଇ । ସେ ଜାଣନ୍ତି ଗୋଟେ ଅପରିପକ୍ୱ ବୟସର ଦୁର୍ବଳତା କେତେ ଗଭୀର , କେତେ ଭୟଙ୍କର , କେତେ ବିଧ୍ୱଂସୀ । କିନ୍ତୁ ମୁଁ ପ୍ରତ୍ୟାଖ୍ୟାନ କରି ଏଇ ପ୍ରସଙ୍ଗକୁ । 


   ଯେ ନିଜେ ଘରଟେ ଗଢି ପାରିଲେ ନାହିଁ ସେ କ'ଣ ବୁଝନ୍ତି ଏଇ ଆବେଗିକ ଆକର୍ଷଣର କାରବାର ?


 ଅନ୍ୱେଷ କିନ୍ତୁ ଏସବୁ କିଛି ଜାଣନ୍ତି କି ନାହିଁ କହିପାରିବି ନି ମୁଁ । ଏସବୁ ମୋ ନିଜସ୍ୱ ଚେତନା । ମୋର ଏତିକି ବୟସ ହେଇନି ଯେ ମୁଁ ପ୍ରେମ ପ୍ରସଙ୍ଗ କୁ ନେଇ ସ୍ପଷ୍ଟବାଦୀ ହେବି । ମୁଁ ଏତିକି ସମର୍ଥ ନୁହେଁ ଯେ କହିବି , '' ଅନ୍ୱେଷ ମୁଁ ତୁମକୁ ............"


*******************


 କେବେ ଭୁଲିବାର ନୁହେଁ ମୋର ସେଇ ରାତି । ଆନିଆ ପାଇଁ ସେଇଟା ଗୋଟେ ଭିନ୍ନ ରାତି ଥିଲା । ଏକଦମ ଭିନ୍ନ । ଅନ୍ୱେଷ ଆସିଥିଲେ ଗୋଟେ ବର୍ଷଣମୁଖର ରାତିରେ , ନିଜ ବାଇକ ନେଇ । ସେଇ ସୁଦୃଶ୍ୟ ଫିଆଟ ଆଉ ସେଇ ବ୍ୟବସ୍ଥିତ ଡ୍ରାଇଭର ନଥିଲା । ସଙ୍ଗୀତ ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ସେ ଏକଦମ ଓଦା ଜଡ଼ସଡ଼ ।

 ଏଇ ରୂପରେ ସେ ଲାଗୁଥିଲେ ଆହୁରି ଆକର୍ଷଣୀୟ । ମୋର ଜନ୍ମଦିନ ଯାଇଥିଲା ଦୁଇଦିନ ଆଗରୁ । ପାଳିତ ହୁଏନି ମୋ ଜନ୍ମ ଦିନ କାରଣ ସେଇଦିନ ମମି ଚାଲି ଯାଇଥିଲା । ତେଣୁ କେକ୍ କଟା , କ୍ୟାଣ୍ଡେଲ ଜଳା , ବନ୍ଧୁ ମିଳନ ଭଳି ଅନୁଷ୍ଠାନ ସହ ସମ୍ପର୍କ ନାହିଁ । କିନ୍ତୁ ଅନ୍ୱେଷ ଦେଇଥିଲେ ମୋତେ ଗୋଟେ ଚମତ୍କାର ଉପହାର , ସଫେଦ ଟେଡି । ମୋ ମନ ଜାଣି । 

 କହିବାର ଅର୍ଥ ଏଇଆ ଯେ , ମୁଁ ଏବେ ଚଉଦ ବର୍ଷର ପରିପକ୍ୱ ବୁଝିବାକୁ ଭିଜା ମାଟିର ଗନ୍ଧ ।


 ତାଙ୍କୁ ସେଦିନ ଦେଖି ମୁଁ ଏକଦମ ଅଣାୟତ ହେଇଗଲି । ଠିକ କଲି ଆଜି ରାତିରେ କହିଦେବି , '' ଅନ୍ୱେଷ ମୁଁ ତୁମ ପ୍ରତି ଓଃ !"

 ସେଇ ଭାବନା ମନରେ ପୋଷି ମୁଁ ବଡ଼ ଚଳଚଞ୍ଚଳ ହେଇଗଲି । ଦେଠେଇ ଖାଇବା ବନେଇଲେ । ମୁଁ ତାଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କଲି । ରାତ୍ରୀ ଭୋଜନ ପର୍ବ ବେଶ ସଜଳ ଥିଲା । 


ନିଦ ସହ ଭେଟ କରିବାର ଉପକ୍ରମ ଆସିଲା ପରେ ମୋ ଭିତରେ କିଛି ଗୋଟେ ଭୟଙ୍କର ଭାବରେ ଦଂଶନ କଲା । ମୁଁ ଜମା ଶୋଇ ପାରିଲି ନାହିଁ । ମୋର ଅନ୍ୱେଷଙ୍କ ରୁମକୁ ଯିବାକୁ ଇଚ୍ଛା ହେଲା ପ୍ରବଳ ଭାବରେ । ମୁଁ ରହି ପାରିଲି ନାହିଁ । ଅଧ ରାତି ବେଳକୁ ପାଦ ଚିପିଚିପି ପହଂଚିଲି ତାଙ୍କ ରୁମ ପାଖରେ । ରୁମ କିନ୍ତୁ ଭିତରୁ ବନ୍ଦ ଥିଲା । କବାଟ ଖଡ଼ଖଡ଼ କରିବା ପୂର୍ବରୁ କାହିଁକି କେଜାଣି କି ହୋଲ୍ ଦେଇ ଝାଙ୍କିବାର ଅଭଦ୍ରାମି କଲି ଜାଣିନି । କିନ୍ତୁ କଲି । ଆଉ ଯାହା ଦେଖିଲି ମୋର ହୋସ ବୁଡ଼ିଗଲା । ସେଇ ରାତି ମୋ ପାଇଁ ଜୀବନର ଅନେକ ଗୁଡିଏ ଅନ୍ଧକାର ଦିଗକୁ ଆଲୋକିତ କରିଦେଲା । 

 ଦେଠେଇ କାହିଁକି ମୋ ଉପରେ ବିରକ୍ତ ହେଉଥିଲେ ବୁଝା ପଡିଲା , ଦେଠେଇ ମୋତେ କାହିଁକି ସାଇତି ବାକୁ ତତ୍ପର ଥିଲେ ବୁଝା ପଡିଲା । ମୁଁ ବୁଝିଗଲି ଦେଠେଇ ହିଁ ମୋର ପ୍ରକୃତ ବନ୍ଧୁ ଥିଲେ । ଯେ ସବୁବେଳେ ମୋର ଶୁଭ କାମନା ହିଁ କରିଥିଲେ ।


 କେମିତି ଭଲା ଭୁଲିବି ମୁଁ ; ଆନିଆ , ଯେ ସେଇ ରାତିରେ ଅନ୍ୱେଷ ମୋ ଦେଠେଇଙ୍କ ସହ ଥିଲେ .............  



Rate this content
Log in

Similar oriya story from Romance