ଆମେ ତ ଭାଗ୍ୟବାନ ପିଲାରେ
ଆମେ ତ ଭାଗ୍ୟବାନ ପିଲାରେ
ଝିଅଟିଏ ସ୍ୱପ୍ନ ଦେଖେ । ସୁନ୍ଦର ବର, ସୁନ୍ଦର ଘର, ସୁନାର ସଂସାର। କିନ୍ତୁ ଭେଜାଲ ଦୁନିଆ। ଠକି ଯାଏ ଝିଅଟି ଅନେକ କ୍ଷେତ୍ରରେ। ପ୍ରେମ କଲେ ନିରାଶ ହୁଏ, ବାହା ହେଲେ ହତାଶ ହୁଏ। ହାତରେ ଲାଗେ ମେଞ୍ଚା ମେଞ୍ଚା ନିରାଶା।ବାହା ହେବା ଭୁଲ୍ ନା ପ୍ରେମ କରିବା ଭୁଲ୍। ପଚାରିବସେ ନିଜକୁ ନିଜେ। କାହାଣୀରେ ସୁନ୍ଦର ଅନାବିଳ , ଅନାସକ୍ତ ପ୍ରେମର ବର୍ଣ୍ଣନା।
ପାଠରେ ପଢ଼ିଲେ ଖୁସି ଲାଗେ ଆମେ ତ ଭାଗ୍ୟବାନ ପିଲାରେ ......।
ସିତୁ ! ଏ ସିତୁ ! ଡାକୁଥିଲା ସାଙ୍ଗ ରିତା। ସିତୁ କହୁଥିଲା, ରହ ଟିକେ। ଆଜି ପରା କ୍ଲାସରେ କବିତା ଆବୃତ୍ତି ଅଛି। ତାଛଡ଼ା ମୋତେ ଭାରୀ ପସନ୍ଦ ଏହି କବିତା .....।
ଆମେ ତ ଭାଗ୍ୟବାନ ପିଲାରେ,
ଆଉ କେ ଆମ ପରି ଥିଲାରେ।
ରିତା କହୁଥିଲା, କେତେ ଗୀତ ଗାଉଛୁ ଲୋ , ଜଲଦି ପ୍ରସ୍ତୁତ ହୁଅ ବିଦ୍ୟାଳୟ ଯିବା। ରିତାକୁ ଅପେକ୍ଷା କରିବାକୁ କହି ଗାଧେଇବାକୁ ଗଲା ସିତୁ ।
ଗାଧୁଆ ଘରେ ନିଜର ବର୍ଦ୍ଧିତ ନଗ୍ନ ଅବୟବ ଦେଖି ନିଜେ ଲାଜେଇ ଯାଉଥିଲା ସେ। ଏମିତି ବଢ଼ି ବଢ଼ି ପୂର୍ଣ୍ଣାଙ୍ଗ ଯୁବତୀ ହୋଇଯିବ ସେ। ତାପରେ ବାହାଘର, ସଂସାର।
ଆମେ ତ ଭାଗ୍ୟବାନ ପିଲାରେ ....।
ଧିରେ ଧିରେ ଉଚ୍ଚ ବିଦ୍ୟାଳୟରେ ପାଦ ଥାପିଲା ସିତୁ। ପ୍ରେମ ନାଆଁରେ ପାଦ ଖସାଉଥିଲା ରିତା। ତାପରେ ପଢା ପାଇଁ ଅନ୍ୟତ୍ର ଚାଲିଗଲା ସିତୁ, ଅଲଗା ହୋଇଗଲା ରିତା। ମଝିମଝିରେ ଗାଆଁକୁ ଆସି ଦେଖେ ରିତା ସମ୍ପୂର୍ଣ୍ଣ ପରିବର୍ତ୍ତିତ।
ସେଦିନ.....
ରିତା କହିଲା, ସାଙ୍ଗ ଏତେଦିନ ପରେ ଗାଆଁକୁ ଆସିଛୁ, ଚାଲ ଆମ କଲେଜ ଯିବା। ଚାଲିଲେ ଦୁଇସାଙ୍ଗ। ସେଇଠି ଦେଖାହେଲା ରିତାର ପ୍ରେମିକ। ସୁନ୍ଦର ଧନାଢ୍ୟ ଯୁବକ। ରିତା କହିଲା ଏହି ମୋ ଇହକାଳ ପରକାଳର ଦେଵତା। ରିତାର ଗାଲରେ ଟିପା ମାରି ସିତୁ ଦୁଷ୍ଟାମିରେ ପଚାରିଲା ଧୀରେ କେତେ ନମ୍ବର ଦେବତା ??
ଧେତ୍ ପାଗଳି କହିଲା ରିତା, ହସି ଉଠିଲେ ଦୁହେଁ।
ରିତା ପଚାରିଲା, ସାଙ୍ଗ ତୁ ସହର ଗଲୁ, କାହାକୁ ପ୍ରେମ କରିନାହୁଁ ?
ହସିଦେଇ ସିତୁ କହିଲା ' ନା । '
ରିତା କହିଲା ତାହେଲେ ତୋ ଜୀବନ ବ୍ୟର୍ଥ। ସିତୁ କହିଲା, ପାଠ ପଢି ଚାକିରୀ କରିବି। ବାପାମାଆଙ୍କ ସ୍ଥିରୀକୃତ ବରକୁ ବାହା ହେବି ଓ ତାକୁ ହିଁ ପ୍ରେମ କରିବି।
ସମୟ ଗଡ଼ି ଚାଲିଲା। ସିତୁ ପଢ଼ି ଚାଲିଲା। ରିତା ପ୍ରେମର ଗାଡ଼ି ଚଢି ଚାଲିଲା। ସିତୁର ପଢା ସରିଲା। ଓଡ଼ିଆ ପରମ୍ପରା ଅନୁସାରେ ରକ୍ଷଣଶିଳ ପରିବାରର ଝିଅ ପାଇଁ ବର ଖୋଜା ଚାଲିଲା।
ହଠାତ ଦିନେ ରାତି ଅଧରେ .....
ରିତା ଧିରେ ଡାକିଲା ସିତୁକୁ। ଆଖି ମଳିମଳି ବାହାରକୁ ଗଲା ସିତୁ । ଅନ୍ଧାରରେ ଆଉ ଗୋଟିଏ ଛାଇ ଦେଖି ଚମକି ଉଠିଲା ସେ। ରିତା କହିଲା, ଭୟକରେନା ଏଇ ପରା ମୋ ଭାବିସ୍ୱାମୀ। ମୁଁ ଘରୁ ସବୁ ସୁନା ଟଙ୍କା ନେଇ ଆସିଛି। ସିତୁ କହିଲା, ପ୍ରଥମ ଭୂଲ ବାପାମାଆଙ୍କ ଅଗୋଚରରେ ତୁ ଘର ଛାଡୁଛୁ। ଦ୍ଵିତୀୟ ଭୂଲ ଘରେ କଳାକନା ବୁଲେଇ ଦେଲୁ।
ହସିଦେଲା ରିତା। କହିଲା, ମୁଁ ବାପାମାଆଙ୍କ ଏକମାତ୍ର ନିର୍ଭରଯୋଗ୍ୟ ସନ୍ତାନ। ସବୁ ସମ୍ପତ୍ତି ଉପରେ ମୋର ପୂର୍ଣ୍ଣ ଅଧିକାର। ତାଛଡା ମୋ ଭାବିସ୍ୱାମୀ ମୁମ୍ବାଇରେ ବଡ଼ ଚାକିରୀ କରନ୍ତି। ବର୍ତ୍ତମାନ ତାଙ୍କର ଅସୁବିଧା ଅଛି। ଆମେ ସେଠାରୁ ଫେରିଲେ ଘରେ ସବୁ ଫେରାଇ ଦେବୁ। ତତେ ଏସବୁ କହିବାର ଅର୍ଥ ପରିସ୍ଥିତିକୁ ତୁ ଟିକେ ସମ୍ଭାଳି ନେବୁ।
ସିତୁ କହିଲା, ତୋର ଏହି ପଦକ୍ଷେପରେ ବାପାମାଆଙ୍କ ଅବସ୍ଥା କେବେ ଭାବିଛୁ ? ରିତା କହିଲା, ତୁ ଆଧୁନିକା ନୁହଁ, ସତୁରୀ ଦଶକରେ ତୋର ଜନ୍ମ ହେବା କଥା। ତାଛଡ଼ା ମୋ ବାପାମାଆ ପାଚିଲାପତର। ତାଛଡ଼ା କିଛିଦିନ କାନ୍ଦିବେ ତାପରେ ସବୁ ଠିକ୍ ହୋଇଯିବ।
ସିତୁ କହିଲା, ତମେ ଯେମିତି ଭାବୁଛ ସେମିତି ସହଜ ନୁହଁ। ଏସବୁ ଭୂଲ। ରିତା କହିଲା, ଚାଲ ପଳେଇବା, ଏ ମୋର ସାଙ୍ଗ କିନ୍ତୁ ସେ ଆମ ଖୁସି ଦେଖିପାରୁନାହିଁ। ସିତୁକୁ ଧକ୍କା ଦେଇ ଚାଲିଗଲା ରିତା। ଅନେଇ ରହିଥିଲା ସିତୁ।
ଆଉ ଶୋଇପରିଲାନି ସିତୁ । ବିଳମ୍ବିତ ରାତିରେ ଆଖି ଲାଗିଗଲା। ଉଠି ଦେଖିଲା ବାହାରେ ପାଟିତୁଣ୍ଡ।
ରିତାର ମାଆବାପାଙ୍କ କୋକେଇ ଉଠୁଥିଲା। ହତ୍ୟା କି ଆତ୍ମହତ୍ୟା ଜାଣିବାର ଉପାୟ ନଥିଲା। ଗାଆଁ ନିଷ୍ପତ୍ତି ଅନୁସାରେ ପୋଲିସକୁ ଖବର ନଦେଇ ଶବଦାହ ହେଲା ।
ସିତୁ କହୁଥିଲା, ପଢ଼ିଥିଲି, ଶୁଣିଥିଲି ପ୍ରେମ କଣ୍ଟକିତ, ପ୍ରେମ ଅଶାନ୍ତ ଭଅଁର କିନ୍ତୁ ...... ପ୍ରେମ ଜୀବନ ବି ନିଏ !!!
ଆଧୁନିକତାର ଗତି କୁଆଡେ଼ ???
ଗାଆଁସାରା ଫୁସୁରୁଫାସର ହେଉଥିଲେ, ରିତା ପରି ଝିଅ ଏମିତି କଲା ? କୋଉ ଅଜାତିଆ ସହ ଚାଲିଗଲା ତା ବି ଜନ୍ମ କଲା ବାପା ମାଆର ଗଳାଟିପି !
ଚିନ୍ତାରେ ପଡିଗଲେ ସିତୁର ବାପାମାଆ । ଭଲସାଙ୍ଗ ରିତା ଏମିତି କଲା। ଆମ ଝିଅ ଯଦି ସେମିତି କରିବ ?? ବ୍ୟସ୍ତ ହୋଇପଡିଲେ ପରିବାର। ଖୋଜା ଚାଲିଲା ପ୍ରସ୍ତାବ।
ଇଞ୍ଜିନିୟର ବର ଦେଖି ବାହାଘର ସ୍ଥିର ହେଲା। ବଡ଼ ଘର ଭଲ ବର ଭାବି ଖୁସିରେ ଫାଟି ପଡ଼ୁଥିଲା ସିତୁ ।
ଭାବିସ୍ୱାମୀ ସହ କଥା ହେବାର ବି ସୁଯୋଗ ପାଇ ନଥିଲା ସେ। ଧୁମଧାମରେ ସରିଗଲା ବାହାଘର।
ବାସର ରାତି , ସବୁ ବିବାହିତଙ୍କ ସ୍ୱପ୍ନର ରାତ୍ରୀ। ସିତୁ ବି ଓଢ଼ଣା ଟାଣି ଅପେକ୍ଷା କରିଥିଲା ସ୍ୱାମୀକୁ ।
ପହଞ୍ଚି ଗଲା ସ୍ୱାମୀ। ଭିଡ଼ି ଧରିଲା ସିତୁକୁ। ଅଟକେଇଲା ସିତୁ । କହିଲା ଯୌନସମ୍ଭୋଗ ପାଇଁ ଜୀବନ ପଡ଼ିଛି। ଶାରିରୀକ ମିଳନ ଅପେକ୍ଷା ମନର ମିଳନ ନିତାନ୍ତ ଆବଶ୍ୟକ।
ଆଜି ଦୁହେଁ ଦୁହିଁଙ୍କ ବିଷୟରେ ଜାଣିବା। ମୋର ଆଶା ଦୁହେଁ ସତ ହିଁ କହିବା। ପ୍ରଶ୍ନ ପଚାରୁ ପଚାରୁ ଜାଣିବାକୁ ପାଇଲା ସିତୁ ତା ସ୍ବାମୀ ବେକାର ଓ ଶିକ୍ଷାଗତ ଯୋଗ୍ୟତା କମ୍। ସଙ୍ଗେ ସଙ୍ଗେ ଛାଡ଼ିଲା ସ୍ୱାମୀଘର। ଅଟକାଇଥିଲେ ସ୍ୱାମୀ। କିଛି ଶୁଣିଲାନି ସିତୁ।
ଛାଡ଼ିଲା ସ୍ୱାମୀଘର। ଆଖିରେ ଆଖିଏ ଲୁହ, ମନରେ କୋହ। ଭୁକ୍ତଭୋଗୀ ହିଁ ବୁଝିପାରେ ସେ ଯନ୍ତ୍ରଣା। ଗାଆଁ ଛାଡ଼ିଲା ସିତୁ । ଜମିବାଡ଼ି ବିକ୍ରିକରି ଗାଆଁସହ ସମ୍ପର୍କ ଛିନ୍ନ କରି ଆସିଗଲା ଚାକିରୀ କ୍ଷେତ୍ରକୁ। ସାଙ୍ଗରେ ବାପାମାଆ।
ସ୍ଥିର କଲା ଆଉ ବାହା ନହେବାକୁ। ବାପାମାଆ ବାଧ୍ୟ ହୋଇ ରାଜି ହେଲେ। ବହୁତ ଅଙ୍ଗୁଳି ଉଠୁଥିଲା ଅବିବାହିତା ଝିଅଟି ଆଡ଼କୁ। ଭ୍ରୁକ୍ଷେପ ନକରି ଚାକିରୀ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କଲା ସେ।
ମାନ ସମ୍ମାନର ଅଧିକାରିଣୀ ହେଲା ସେ। ନିଜକୁ ପୁଅ ପରି ସଜେଇ ହେବା ସହ ଆଧୁନିକତାକୁ ଆପଣେଇ ଆଖି ଲୁହ ନିଜେ ପିଇ ବାହାରକୁ କଠୋର ରହୁଥିଲା ସେ। ଝିଅଟିଏ ସ୍ୱାମୀ ଛାଡ଼ି ଆସିଲା ପରେ ନିଜକୁ ସମ୍ଭାଳି ଆଗକୁ ବଢିବାର ସାହସ ଜୁଟେଇ ପାରିଥିଲା ସିତୁ।
କର୍ମ କ୍ଷେତ୍ରରେ ବି ତାକୁ ଶୁଣେଇଲା ପରି ବହୁତ କଥା କୁହନ୍ତି ଶିକ୍ଷିତ ସମାଜ। ସମୟ ସହ ତାଳ ଦେଇ ଆଗକୁ ବଢ଼ୁ ବଢ଼ୁ ସିତୁ ଆଜି ସଇଁତିରିଶ ବର୍ଷର। ସମୟ କେମିତି ଚାଲିଗଲା, ଜଣା ପଡ଼ିଲାନାହିଁ। ବ୍ୟସ୍ତ ଲାଗିଲେ ତକିଆରେ ମୁହଁ ଗୁଞ୍ଜି ନିଜ ଦୁର୍ବଳତାକୁ ଲୁହ ଆକାରରେ ଭିଜେଇବା କେହି ଦେଖିପାରିଲେ ନାହିଁ।
ଦିନେ ପୂଜା ପାଇଁ ମନ୍ଦିର ପାହାଚ ଚଢିବା ସମୟରେ ସିତୁ ନିରିଖେଇ ଦେଖିଲା ଛିଣ୍ଡା କସ୍ତା ପିନ୍ଧା ଭିକରୁଣି, ପାଖରେ ଛୁଆଟିଏ। ଏହି ତ ତା ସାଙ୍ଗ ରିତା। ରିତା ବର୍ଣ୍ଣନା କଲା ତାର କଳଙ୍କମୟ ପ୍ରେମ ଓ ଜୀବନ। ତା ସ୍ବାମୀ ହିଁ ତା ପରିବାରର ସର୍ବନାଶ କରିଥିଲା।
ରିତା ନେଇଥିବା ସମ୍ପତ୍ତି ସରିଯିବା ପରେ ତାକୁ ଅଇଁଠାପତ୍ର ପରି ଛାଡ଼ି ଚାଲି ଯାଇଥିଲା। ସେଇ ଦିନରୁ ସହର ସହର ଘୁରି ଭିକ୍ଷାବୃତ୍ତି କରୁଛି ରିତା।
ରିତା ଓ ତା ଛୁଆକୁ ଅନାଥାଶ୍ରମର ଭର୍ତ୍ତି କଲା ସିତୁ ।
ସମୟ ଚକ୍ର ବଡ଼ ବିଚିତ୍ର। ସମୟରେ ପ୍ରେମକୁ ଘୃଣା କରୁଥିବା ସିତୁ ଅସମୟରେ ପ୍ରେମକୁ ଭଲ ପାଇ ବସିଲା। ପ୍ରେମକୁ ନିଜଠାରୁ ଦୂରେଇ ରଖିଥିବା ସିତୁ ପ୍ରେମ କରି ବସିଲା ତାର ଉପରିସ୍ଥ ଅଧିକାରୀ ଅବିବାହିତ ଅଶୋକକୁ ।
କେବେ ବାହା ନହେବାର ବଜ୍ର ଶପଥ ନେଇଥିବା ଅଶୋକ ବି ପ୍ରେମରେ ପଡିଗଲେ ସିତୁର। ବଢ଼ିଚାଲିଲା ପ୍ରେମ। ଅସନ୍ତୁଳିତ ବୈବାହିକ ଜୀବନ ପରେ ସିତୁ ସ୍ଥିର କରିଥିଲା ଅଶୋକ ଓ ତା ଭିତରେ ଆଉ ସନ୍ଦେହର ଇଗଲ ସୃଷ୍ଟି ହେବାକୁ ଦେବନାହିଁ। ପରିସ୍ଥିତି ଯାହା ବି ହେଉ। ଜୀବନସାଥି ବାଛି ସାରିଥିଲା ସେ।
ଦିନେ.......
ବ୍ରହ୍ମପୁରରେ କାର କିଣିବା ସହ ଅଶୋକ ସହ ସାକ୍ଷାତର ଲାଳସାରେ ଉତଫୁଲ୍ଲିତ ଥିଲା ସେ। ଦେଖା ହେବା ସମୟରେ ଜଣେ ମହିଳା ଆଶୋକକୁ ନିଜ ସ୍ବାମୀ ଦାବୀ କରି ଗଣ୍ଡଗୋଳ ଆରମ୍ଭ କଲା। ଚତୁରତାର ସହ ଖସିଗଲେ ସିତୁ ଓ ଅଶୋକ।
ବାହାଘର ହୋଇ ପାରିଲା ନାହିଁ। କିନ୍ତୁ ପ୍ରେମର ଫଲଗୁ ଆଜି ବି ଦୁହିଁଙ୍କ ଦେହରେ। ସେଇ ଝିଅ ସହ ସମ୍ପର୍କର ଅନୁସନ୍ଧାନର ଆବଶ୍ୟକତାକୁ ଜୋର୍ ଦେଇନଥିଲା ସିତୁ । ଅଶୋକ ପଚାରିଲେ , ମୁଁ ଭୂଲ କରିଛି କି ଠିକ୍ ନଜାଣି ତମେ ଭରଷା କେମିତି କରୁଛ ?
ହସିଦେଇ ସିତୁ କହିଲା, ତମେ ଭଗବାନ ନୁହଁ ମନୁଷ୍ୟ। ତାଛଡା ତମ ଉପରେ ମୋର ଭରଷା ଅଛି। ଆଜି ନହେଲା ନାହିଁ ଦିନେ ନା ଦିନେ ମୁଁ ତମକୁ ହିଁ ବାହାହେବି। ହଁ ଭରୁଥିଲେ ଅଶୋକ ଓ କହୁଥିଲେ , ସିତୁ ! ଜାଣିନି ଆମ ବାହାଘର କେବେ ହେବ ? ହେବ ବି ନା ନାହିଁ ? କିନ୍ତୁ ଆମ ପ୍ରେମ ଜୀବନସାରା ଜୀବନ୍ତ ରହିବ।
ଅଦ୍ଭୁତ ଭଗବାନଙ୍କ ପ୍ରେମର ସର୍ଜନା। କିନ୍ତୁ ଏହା ସ୍ଥିର ପ୍ରେମ କଷ୍ଟ ଦିଏ। ସ୍ତ୍ରଲୋକ ସହ ଅଶୋକର ସମ୍ପର୍କ ଅଛି ନା ନାହିଁ ? ଯଦି ନାହିଁ ଅଶୋକ ସାମ୍ନା କରିବାକୁ ଭୟଭୀତ କାହିଁକି ? ହୋଇପାରେ ନିଜ ସମ୍ମାନ ଓ ପ୍ରତିପତ୍ତି ପାଇଁ। ହୋଇପାରେ କୌଣସି ଆବେଗଭରା ମୁହୂର୍ତ୍ତରେ ଦୁହିଁଙ୍କ ମିଳନ ହୋଇଥିବ ? ଭାବୁଥିଲା ସିତୁ ।
ପାଟିକରି କହୁଥିଲା, ମନୁଷ୍ୟ ଭୂଲ କରେ। କିନ୍ତୁ ଭଲ ମଣିଷ ସୁଧୁରି ଯାଏ। ସେହି କ୍ରମରେ ହେ ଅଶୋକ ଏହି ସିତୁ ତମକୁ ଭଲ ପାଏ ଓ ଟୋପାଏ ସିନ୍ଦୂର ପାଇଁ ଜୀବନ ସାରା ଅପେକ୍ଷା କରିବ।
ସୁଧିଜନେ , କହିପାରିବେ ସିତୁର ନିଷ୍ପତ୍ତି ଠିକ ? ପ୍ରେମ ଅନ୍ଧ କିନ୍ତୁ ସିତୁ ଜୀବନକୁ ପରଖି ନେଇଛି ଓ ଅଶୋକ ଉପରେ ତାର ଅଗାଧ ବିଶ୍ବାସ। ଦେଖାଯାଉ ଏହି ପ୍ରେମର ଅନ୍ତ ବିବାହରେ ନା ବିଚ୍ଛେଦରେ ।
ଖୁସିରେ ପ୍ରେମର , ବାହାଘରର ସ୍ୱପ୍ନରେ ବିଭୋର ହୋଇ ସିତୁ ଗାଉଥିଲା ;
ଆମେ ତ ଭାଗ୍ୟବାନ ପିଲାରେ,
ପ୍ରେମ କରୁ ଆମେ ବିଶ୍ବାସ ଭରଷାରେ।
( ଆଂଶିକ ସତ୍ୟଘଟଣା )
*ସମାପ୍ତ*